Unknown

 

 

 

 

 

 

 

 

 

 

ପ୍ରବନ୍ଧମାଳା ଓ ପରୀକ୍ଷକ

 

ପଣ୍ଡିତ ଶ୍ରୀ ବ୍ରଜବନ୍ଧୁ ମିଶ୍ର

ଶ୍ରୀ ଶଶିଭୂଷଣ ଦାସ

 

ସୂଚୀପତ୍ର

 

୧.

ନାଗରିକର କର୍ତ୍ତବ୍ୟ ଓ ଦାୟିତ୍ୱ

୨.

ସମ୍ବାଦପତ୍ର

୩.

ବିଜ୍ଞାନର ଉପକାରିତା

୪.

ଯନ୍ତ୍ରଶିଳ୍ପର ଆବଶ୍ୟକତା

୫.

ଭାରତର ଗଣତନ୍ତ୍ର

୬.

ଗ୍ରାମ ପଞ୍ଚାୟତ

୭.

ଧର୍ମଘଟ

୮.

ବେକାର ସମସ୍ୟା ଓ ତାହାର ସମାଧାନ

୯.

ସାମରିକ ଶିକ୍ଷାର ଆବଶ୍ୟକତା

୧୦.

ବନ୍ୟଜନ୍ତୁ ସଂରକ୍ଷଣ

୧୧.

ଉଦ୍ୟାନ କର୍ମ

୧୨.

ପଲ୍ଲୀ ଉନ୍ନୟନ

୧୩.

ଉତ୍କଳର ଶିଳ୍ପୋନ୍ନତି

୧୪.

ବିଂଶ ଶତାବ୍ଦୀର ଜଣେ ମହାପୁରୁଷ

୧୫.

ଗୋଟିଏ ଐତିହାସିକ ସ୍ଥାନର ବର୍ଣ୍ଣନା

୧୬.

ସ୍ୱାସ୍ଥ୍ୟ ହିଁ ସଂପଦ

୧୭.

ଶାରୀରିକ ବ୍ୟାୟାମ

୧୮.

ଖେଳ

୧୯.

ଦେଶାଟନର ଉପକାରିତା

୨୦.

ଗୋଟିଏ ନିର୍ବାଚନକେନ୍ଦ୍ରର ଦୃଶ୍ୟ

୨୧.

ଜାତୀୟ ସଂହିତ

୨୨.

ବାଣିଜ୍ୟ

୨୩.

ଦୁର୍ଭିକ୍ଷ

୨୪.

କୃଷକଜୀବନ

୨୫.

ଦଶହରା ପର୍ବ

୨୬.

ସମବାୟ ଚାଷ

୨୭.

ସମୟ ଓ ତାହାର ସଦ୍‌ବ୍ୟବହାର

୨୮.

ଛାତ୍ର ଜୀବନରେ ଶୃଙ୍ଖଳାର ସ୍ଥାନ

୨୯.

ଆଦର୍ଶ ଛାତ୍ର

୩୦.

ଛାତ୍ରାବାସ ଜୀବନ ଶିକ୍ଷାର ବିଶିଷ୍ଟ ଅଙ୍ଗ

୩୧.

ପୁସ୍ତକ କୀଟ

୩୨.

ସମାଜସେବା

୩୩.

ବର୍ଷା ଋତୁରେ ପଲ୍ଲୀର ଦୃଶ୍ୟ

୩୪.

ଦାଣ୍ଡର ଭିକାରୀ

୩୫.

ପାଠାଗାର

୩୬.

ସମାଜ ଓ ସାହିତ୍ୟ

୩୭.

ଉପନ୍ୟାସ ପାଠ

୩୮.

ସ୍ୱାଧୀନତା ଦିବସ ପାଳନ

୩୯.

ଭାରତର ସାଧାରଣତନ୍ତ୍ର ଦିବସ

୪୦.

ଶିଶୁ ଦିବସ

୪୧.

ଗୁରୁ ଦିବସ

୪୨.

ଉତ୍କଳର ପର୍ବପର୍ବାଣୀ

୪୩.

ଓଡ଼ିଶାର ଗୋଟିଏ ବିଶିଷ୍ଟ ପର୍ବ

୪୪.

ଏକତା ହିଁ ବଳ

୪୫.

ସମୟାନୁବର୍ତ୍ତିତା

୪୬.

ଶରତ୍‌କାଳୀନ ସନ୍ଧ୍ୟା

୪୭.

ବୈଷୟିକ ଶିକ୍ଷା

୪୮.

ମୌଳିକ ଶିକ୍ଷା

୪୯.

ଭାରତର ଖାଦ୍ୟସମସ୍ୟା

୫୦.

ଓଡ଼ିଶାର ବନ୍ୟାସମସ୍ୟା ଓ ତାହାର ପ୍ରତିକାର

୫୧.

ନୂଆ ଯୁଗର ଗୋଟିଏ ଜୈବିକ ଚାଷ

୫୨.

ବିଶ୍ୱଶାନ୍ତି ପ୍ରତି ଭାରତର ଦାନ

୫୩.

ଚନ୍ଦ୍ରଲୋକ

୫୪.

ପଞ୍ଚବାର୍ଷିକ ଯୋଜନା

୫୫.

ଜାତୀୟ ସ୍ୱଳ୍ପସଞ୍ଚୟ ଯୋଜନା

୫୬.

ପରିବାର ନିୟନ୍ତ୍ରଣ ଯୋଜନା

୫୭.

ଗୋଟିଏ ଆଦର୍ଶ ଗ୍ରାମର କଳ୍ପନା

୫୮.

ବନ୍ଧୁତା

Image

 

ନାଗରିକର କର୍ତ୍ତବ୍ୟ ଓ ଦାୟିତ୍ୱ

 

ନାଗରିକ ଆକ୍ଷରିକ ଅର୍ଥ ନଗରବାସୀ । କିନ୍ତୁ ବ୍ୟାପକ ଅର୍ଥରେ, ଯେଉଁ ଦେଶରେ ଅଧିବାସୀକୁ ସେହି ଦେଶର ନାଗରିକ କୁହାଯାଏ । ଦେଶ ଓ ନାଗରିକ ଏକ ନ ହେଲେ ମଧ୍ୟ ଏ ଉଭୟଙ୍କର ଅଭେଦ୍ୟ ସଂପର୍କ ରହିଛି । ବହୁ ସ୍ଥଳରେ ନାଗରିକ ଅର୍ଥରେ ଦେଶର ନାମ ମଧ୍ୟ ଉଲେଖ କରାଯାଏ । ଏଣୁ ଦେଶର ସମସ୍ତ ସୁଖସୁବିଧା ଉପଭୋଗ କରିବାପାଇଁ ନାଗରିକ ଯେପରି ଅଧିକାରୀ, ଦେଶକୁ ଏକ ଗୌରବୋଜ୍ଜ୍ୱଳ ସୁଖଶାନ୍ତିର ପୀଠରୂପେ ଗଠନ କରିବାପାଇଁ ସେ ସେପରି ଦାୟୀ । ତାହର ନିଷ୍ଠାପତ କର୍ତ୍ତବ୍ୟ ଓ ଦାୟିତ୍ୱ ଉପରେ କେବଳ ଦେଶର ଭଲମନ୍ଦଜନିତ ଫଳାଫଳ ନିର୍ଭର କରେ । ସେ ଯଦି ଇଚ୍ଛା କରେ, ଦେଶର ସମ୍ମାନ ବୃଦ୍ଧିପାଏ । ସେ ଯଦି ଦ୍ରୋହ କରେ, ଦେଶ ରସାତଳକୁ ଚାଲିଯାଏ । ଏଣୁ ଯେଉଁ ବ୍ୟକ୍ତି ନିଜ ଦେଶର ସମ୍ମାନ ପ୍ରତି ସଂପୂର୍ଣ୍ଣ ଅବହିତ, ସେ କେବଳ ପ୍ରକୃତ ନାଗରିକ । ସେ ନିଜ ସ୍ୱାର୍ଥ ଅପେକ୍ଷା ନିଜ ଦେଶ, ନିଜ ସମାଜ ଓ ନିଜ ଜାତିର ସ୍ୱାର୍ଥକୁ ପ୍ରଥମ ସ୍ଥାନ ଦିଏ ।

 

ନିଜ ଗୃହଟି ଯେପରି ଗୋଟିଏ ପରିବାର, ନିଜ ଗ୍ରାମଟି ସେହିପରି ଗୋଟିଏ ବଡ଼ ପରିବାର । ଏହିପରି ଯେତେ ଯେତେ ଉପରକୁ ଯିବା, ଚିନ୍ତାଶକ୍ତ ସେତେ ଅଧିକ ବ୍ୟାପକ ହେବା ଉଚିତ । ଏଣୁ ଯେଉଁମାନେ ଯୋଗ୍ୟ ନାଗରିକ, ସେମାନେ ନିଜଦେଶକୁ ଏକ ବିଶାଳ ପରିବାର ମନେକରି ଦେଶପ୍ରତି ଅନୁରକ୍ତ ଓ ବିଶ୍ୱସ୍ତ ହୁଅନ୍ତି । ଆମେ ଯେଉଁ ଗ୍ରାମ ଓ ଦେଶରେ ବାସକରୁ, ତାହାର ଭାଗ୍ୟ ସହିତ ଆମ ଭାଗ୍ୟ ଜଡ଼ିତ । ଦେଶର ବାୟୁମଣ୍ଡଳ ଯଦି ଶାନ୍ତ ଓ ସୋହାର୍ଦ୍ୟପୂର୍ଣ୍ଣ, ତେବେ ଦେଶବାସୀ ମଧ୍ୟ ସୁଖଶାନ୍ତିରେ କାଳ ଯାପନ କରନ୍ତି । ଯଦି ଦେଶର ବାୟୁମଣ୍ଡଳ ଦୂଷିତ, ତେବେ ସେମାନେ ମଧ୍ୟ ତାହା ସହିତ ନିଷ୍ପେଷିତ ହୁଅନ୍ତି । ଦେଶ ଯଦି ଶତ୍ରୁଦ୍ୱାରା ଆକ୍ରାନ୍ତ, ତେବେ ତାହାର କୁଫଳ ମଧ୍ୟ ସେମାନଙ୍କୁ ଭୋଗ କରିବାକୁ ପଡ଼େ । ଏଣୁ ଦେଶର ବାୟୁମଣ୍ଡଳ ଯେପରି ଦୂଷିତ ନ ହୁଏ ଏବଂ ଦେଶରେ ଚୋରଭୟ ଏବଂ ଅଗ୍ନିଭୟ ଦ୍ୱାରା ଆତଙ୍କରାଜ ଦେଖା ନଦିଏ, ସେଥିପ୍ରତି ସର୍ବଦା ସତର୍କ ରହିବା ନାଗରିକର କର୍ତ୍ତବ୍ୟ । ଏହା ସଙ୍ଗେ ସଙ୍ଗେ ଦେଶର ନିରାପତ୍ତା ରକ୍ଷାପାଇଁ ସବୁ ଅବସ୍ଥାରେ ସଜ୍ଜିତ ହୋଇ ରହିବା ଉଚିତ ଏବଂ ଦେଶର ଏକତା ଯେପରି ନଷ୍ଟ ନହୁଏ, ସେଥିପ୍ରତି ସତର୍କ ରହିବା ମଧ୍ୟ ତାହାର କର୍ତ୍ତବ୍ୟ । କ୍ଷଣିକ ସ୍ୱାର୍ଥରେ ଜଡ଼ିତ ହୋଇ ଯଦି କେହି ଏହି ସତ୍ୟକୁ ଭୂଲିଯାଏ, ସେ ହୁଏ ଦେଶର ଦୁର୍ଗତିର କାରଣ । ଶିଖି ମନାଇର ବିଶ୍ୱାସଘାତକତା ଯୋଗୁଁ ଓଡ଼ିଶା ପରାଧୀନ ହେଲା । କିନ୍ତୁ ଶେଷରେ ସେମାନେ ମଧ୍ୟ ହେଲେ ଶତ୍ରୁର ଶିକାର । ଜୟଚନ୍ଦ୍ର କ୍ରୋଧପରବଶ ହୋଇ ଶତ୍ରୁର ଆକ୍ରମଣକୁ ସ୍ୱାଗତ କଲେ । କିନ୍ତୁ ପରିଣାମରେ ଏହାର ଫଳ ସ୍ୱରୂପ ନିଜକୁ ଆତ୍ମହତ୍ୟା କରିବାକୁ ପଡ଼ିଥିଲା ।

 

ଗଣତନ୍ତ୍ର ଦେଶଗୁଡ଼ିକରେ ବିଭିନ୍ନ ଦଳ ଓ ମତବାଦ ରହିବା ସ୍ୱାଭାବିକ । ତଥାପି ଏହି ଭାବ ଏକ ସଂକୀର୍ଣ୍ଣ ଗଣ୍ଡିଭିତରେ ଆବଦ୍ଧ ନ ରହି, ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଗଠିତ ହେବା ଉଚିତ । ଏଣୁ ଯେତେବେଳେ ଯେଉଁ ସରକାର ଗଠିତ ହେବ, ତାହାର ନିର୍ଦ୍ଦେଶ ମାନି ଚଳିବା ନାଗରିକର କର୍ତ୍ତବ୍ୟ । ସରକାରର ଦୋଷତ୍ରୁଟିର ସୁସ୍ଥ ସମାଲୋଚନା ଦୋଷାବହ ନୁହେ । ଗଣତନ୍ତ୍ର ଦେଶର ଅଧିବାସୀମାନଙ୍କୁ ଏହି ଅଧିକାର ମଧ୍ୟ ଦିଆଯାଇଛି । ତଥାପି କୌଣସି ରାଜନୈତକ କାରଣ ନେଇ ଏହାର ବିରୋଧ କରିବା ଦ୍ୱାରା ହିତ ପରିବର୍ତ୍ତେ ଅହିତ ହୁଏ । ଏଣୁ ବିଭିନ୍ନ ପରିବର୍ତ୍ତନ ସମୟରେ ଦେଶରେ ଯେପରି ଅରାଜକତା ସୃଷ୍ଟି ନ ହୁଏ, ସେଥିପ୍ରତି ବିଶେଷ ସଚେଷ୍ଟ ରହିବା ନାଗରିକର ଅନ୍ୟତମ କର୍ତ୍ତବ୍ୟ । ବୈଦ୍ୟୁତିକ ସ୍ୱିଚ୍‌ ଓ ବତୀ ପରି ସରକାର ଓ ଦେଶବାସୀ ଘନିଷ୍ଟଭାବରେ ସଂପୃକ୍ତ । ଗୋଟିକର ଅଭାବରେ ଅନ୍ୟଟି ଅକାମୀ ହୋଇଯାଏ ଓ ଗୋଟିଏ ବିଗିଡ଼ିଗଲେ ଅନ୍ୟଟି ମଧ୍ୟ ନଷ୍ଟ ହୋଇଯାଏ ।

 

ଦେଶର ସମ୍ବିଧାନ କେବଳ ଦେଶର ଭାଗ୍ୟବିଧାତା । ଏଣୁ ଆମ ସମ୍ବିଧାନସମ୍ମତ ସମାଜବାଦ ଓ ଧର୍ମନିରପେକ୍ଷତାକୁ ମାନି ଚଳିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ । ସମାଜବାଦର ଅତି ସଂକ୍ଷିପ୍ତ ଅର୍ଥ ହେଲା, ମାନବିକ ସୁବିଧା; ଅର୍ଥାତ୍‌ ସମାଜର ସର୍ବନିମ୍ନ ସୁବିଧା ସମସ୍ତେ ଉପଭୋଗ କରିବେ । ସମାଜରେ ଜଣେ ଉପବାସ ରହିବ ଜଣେ ଐଶ୍ୱର୍ଯ୍ୟକୁ ତିରସ୍କାର କରିବ; ଜଣେ ଦଳିତ, ଜଣେ ମହାନ୍‌ ଏହି ପ୍ରଭେଦ ରହିବ ନାହିଁ । କେତେକଙ୍କ ମତରେ ଏହା ଏକ ନୂତନ ମତବାଦ ବା ଅଭିନବ ଚିନ୍ତା । କିନ୍ତୁ ବହୁ ପୁରାକାଳରୁ ଭାରତ ଏହି ନୀତି ଉପରେ ନିଜର ସମାଜ ଗଠନ କରିଛି । ‘‘ବସୁଧୈବ କୁଟୁମ୍ବକଂ, ନ କଶ୍ଚିତ୍‌ ଦୁଃଖଭାକ୍‌ ଭବେତ’’ ଏହା ହେଲା ତାହାର ନୀତି-। ଏଣୁ ନୂତନ ସମ୍ବିଧାନ ତାହାର ଭାଷାନ୍ତର ବା ନାମାନ୍ତର ମାତ୍ର । ତଥାପି ସେଥିରେ ଯଦି ଆଉ କିଛି ନୂତନ ନିର୍ଦ୍ଦେଶ ଥାଏ ତାହାକୁ ମଧ୍ୟ ଉଚିତ ପ୍ରଦର୍ଶନ କରିବା ନାଗରିକର ପ୍ରଧାନ ଦାୟିତ୍ୱ-

 

ଭାରତ ଗୋଟିଏ ହିନ୍ଦୁବହୁଳ ଦେଶ ହେଲେ ମଧ୍ୟ, ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ସେମାନଙ୍କ ଧର୍ମ ପାଳନପାଇଁ ସମାନ ସୁବିଧା ଦେବା ଉଦ୍ଦେଶ୍ୟରେ କୌଣସି ଗୋଟିଏ ଧର୍ମକୁ ରାଜଧର୍ମରୂପେ ଗ୍ରହଣ ନ କରି ଧର୍ମନିରପେକ୍ଷ ନୀତି ଗ୍ରହଣ କରାଯାଇଛି। କିନ୍ତୁ ଏହି ନୀତି ମଧ୍ୟ ଭାରତ ପକ୍ଷରେ ନୂତନ ନୁହେ । ଯେଉଁ ଅଶୋକ ଚକ୍ରରେ ଆମର ଜାତୀୟ ପତାକା ଅନୁରଞ୍ଜିତ, ଧର୍ମ ନିରପେକ୍ଷତା ଥିଲା ସେହି ଅଶୋକଙ୍କ ଶାସନର ମୂଳନୀତି; ପୁଣି ଭାରତୀୟ ଧର୍ମପ୍ରାଣ ବ୍ୟକ୍ତିମାନେ ବହୁ ଆଗରୁ କହି ଆସିଛନ୍ତି, ‘‘ସର୍ବଦେବ ନମସ୍କାରଂ କେଶବଂ ପ୍ରତିଗଚ୍ଛତି’’ ସେମାନେ ସବୁ ଧର୍ମର ମୂଳନୀତି ବାଖ୍ୟା କରିବାକୁ ଯାଇ କହିଛନ୍ତି, ‘‘ସର୍ବଦେବ ନମସ୍କାରଂ କେଶବଂ ପ୍ରତିଗଚ୍ଛତି’’ ‘‘ଅହିଂସା ପରମୋ ଧର୍ମଃ ସର୍ବତ୍ରୈକମତମ୍‌’’ ସେମାନଙ୍କ ମତରେ ସବୁ ଧର୍ମର ମୂଳନୀତି ଏକ । ଏହି ବିଷୟରେ ବିବାଦ ନିରର୍ଥକ । କିନ୍ତୁ ବର୍ତ୍ତମାନ କେତେକ ସୁବିଧାବାଦୀଙ୍କ ହେତୁ ଧର୍ମ ନିରପେକ୍ଷ ନୀତି ଧର୍ମଛଡ଼ା ନୀତିରେ ପରିଣତ ହେବାକୁ ଯାଉଛି । ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଜନସାଧାରଣ ଉପରେ ଧର୍ମର ପ୍ରଭାବ ଅତ୍ୟଧିକ । ଏ କ୍ଷେତ୍ରରେ ଯେପରି ବିଶେଷ ବିଶୃଙ୍ଖଳା ସୃଷ୍ଟି ନ ହୁଏ,ସେଥିପ୍ରତି ମଧ୍ୟ ସଜାଗ ରହିବା ନାଗରିକର ଦାୟିତ୍ୱ । ଏହି ଧରଣର ସନ୍ଦେହ ବା ବିବାଦଗୁଡ଼ିକ ପ୍ରଥମେ ସାମାନ୍ୟ ଜଣା ପଡ଼ିଲେ ମଧ୍ୟ ଦ୍ରୁତ ବେଗରେ ବଡ଼ ହୋଇଥାଏ-

 

ଏହାଛଡ଼ା ସତ୍ୟ, ନ୍ୟାୟ, ସମାଜ ସେବା, ଦେଶ ସେବା, ପଲ୍ଲୀଉନ୍ନୟନ, ଗ୍ରାମପଞ୍ଚାୟତର ବିକାଶ, ଶକ୍ତିଶାଳୀ ସରକାର ଗଠନ ପାଇଁ ତ୍ୟାଗପୂତ ଓ ଦେଶପ୍ରାଣ ବ୍ୟକ୍ତିର ନିର୍ବାଚନ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ସମବାୟ ପ୍ରଭୃତି କ୍ଷେତ୍ରରେ ଉନ୍ନତି ପାଇଁ ପ୍ରଚେଷ୍ଟା ହେଲା ନାଗରିକର ଦାୟିତ୍ୱ । ଯେଉଁ ଦେଶର ନାଗରିକର ମନୋଭାବ ପ୍ରଗତିଶୀଳ, ସେହି ଦେଶର କେବଳ ପ୍ରଗତି ହୁଏ । ପ୍ରଗତି କୌଣସି ଶୂନ୍ୟ ଲୋକରୁ ଆସେ ନାହିଁ । ଶୃଙ୍ଖଳିତ ଜନଶକ୍ତି କେବଳ ପ୍ରଗତିର ସ୍ରଷ୍ଟା ।

 

ସମାଜରେ ଏକ ସୁସ୍ଥ ପରଂପରା ସୃଷ୍ଟି କରିବା ଦାୟିତ୍ୱ ମଧ୍ୟ ସଂପୂର୍ଣ୍ଣ ନାଗରିକ ଉପରେ ନ୍ୟସ୍ତ । ନିଜର ଓ ନିଜ ପରିବାରର ସୁବିଧା ଦେଖିବା ଯେପରି ନାଗରିକର କର୍ତ୍ତବ୍ୟ, ଅନ୍ୟ କଥା ଚିନ୍ତା କରିବା ମଧ୍ୟ ତାହାର ଅନୁରୂପ କର୍ତ୍ତବ୍ୟ । ‘‘Give respect and take respect’’ ବୋଲି କଥା ଅଛି । ନିଜେ ଯଦି ଅନ୍ୟର କଥା ଚିନ୍ତା ନ କର, ତେବେ ଅନ୍ୟ ବ୍ୟକ୍ତି ଏହାର ଚିନ୍ତା କରିବାର କୌଣସି କାରଣ ନାହିଁ । ପରସ୍ପର ମଧ୍ୟରେ ସ୍ନେହ ଓ ସହାନୁଭୂତିର ବିନିମୟ ଦ୍ୱାରା ସମାଜ ଯେପରି ସୁଖୀ ହୁଏ, ତାହାର ଅଭାବରେ ସେପରି ନିର୍ଯ୍ୟାତିତ ହୁଏ । ଏଣୁ ଏହି ସଦ୍‌ଗୁଣରେ ଭୂଷିତ ହେବା ମଧ୍ୟ ନାଗରିକର କର୍ତ୍ତବ୍ୟ ।

 

ମନୁଷ୍ୟ ବହୁ ସମୟ ନିଜ ବିଷୟ କେବଳ ଚିନ୍ତା କରେ । ଏଣୁ ସେ ବେଳେ ବେଳେ ଅଧିକ ସୁବିଧା ପାଇବାର ଆଶାକରି ପ୍ରାପ୍ୟ ସୁବିଧାରୁ ମଧ୍ୟ ବଞ୍ଚିତ ହୁଏ । ନିଜେ ଯେଉଁ ସୁବିଧା ପାଇବା ପାଇଁ ଯତ୍ନଶୀଳ, ଅନ୍ୟପକ୍ଷ ଠିକ୍‌ ସେହି ସୁବିଧା ପାଇବା ପାଇଁ ତତ୍‌ପର । ସହଯୋଗ ଦ୍ୱାରା ଯାହା ହୁଅନ୍ତା, ଏପରି ବିବାଦ ଦ୍ୱାରା ଅପେକ୍ଷାକୃତ ଅସୁବିଧାଟି କେବଳ ବୃଦ୍ଧିପାଏ । ଆଜିକାଲି ସହଯୋଗ ମୂଳକ ମନୋଭାବ ନିତାନ୍ତ ଆବଶ୍ୟକ । ଅନ୍ୟଥା ପ୍ରତି କ୍ଷେତ୍ରରେ କାମ ଅଚଳ ହେବାର ଆଶଙ୍କା ରହିଛି । ଏଣୁ ବଡ଼ ବଡ଼ ସହରର ରାଜପଥ, ବିଭିନ୍ନ ସ୍ଥାନର ଯାନବାହନ ଓ ଅନ୍ୟ ସ୍ଥାନମାନଙ୍କରେ ଯେଉଁ ଲୋକଗହଳ ହୁଏ, ସେପରି ସ୍ଥାନଗୁଡ଼ିକରେ ନିଜର ସୁବିଧା ଦେଖିବା ସଙ୍ଗେ ସଙ୍ଗେ ଅନ୍ୟର ସୁବିଧା ଅସୁବିଧା ପ୍ରତି ମଧ୍ୟ ଦୃଷ୍ଟି ଦେବା ନାଗରିକର ଏକ ପ୍ରଧାନ ଦାୟିତ୍ୱ ।

 

ଆଜି କାଲିର ଆଉ ଗୋଟିଏ ଉତ୍କଟ ବ୍ୟାଧି ହେଲା ଧର୍ମଘଟ । ଧର୍ମଘଟ ଗଣତନ୍ତ୍ର ଦେଶରେ ନିଷିଦ୍ଧ ନୁହେ । କିନ୍ତୁ ତାହାଦ୍ୱାରା ଦେଶର ଅବସ୍ଥା କେଉଁ ଦିଗକୁ ଗତି କରୁଛି, ଏହା ନାଗରିକର ପ୍ରଣିଧାନଯୋଗ୍ୟ । ପିଲା ଋଷି ନିଜର ଅଭାବ ଅସୁବିଧା ଅଭିଭାବକ ଆଗରେ ଉପସ୍ଥାପିତ କଲାପରି କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ଅଭିଯୋଗ ପ୍ରକାଶ କରିବା ସକାଶେ ଏହା ଗୋଟିଏ ସହଜ ପନ୍ଥା । କିନ୍ତୁ ଆଜିକାଲି ଧର୍ମଘଟ ଆରମ୍ଭ ହେଲେ ତାହା ନିଜ ପରିସର ମଧ୍ୟରେ ସୀମିତ ନ ରହି ଏକ କୁରୁକ୍ଷେତ୍ରରେ ପରିଣତ ହେଉଛି । ଏହାଦ୍ୱାରା ମୁହୂର୍ତ୍ତକରେ କେତେ ସ୍ଥଳରେ କଳାକନା ବୁଲିଯାଉଛି । ଏଣୁ ଦେଶକୁ ଏହି ଦୁର୍ଗତିରୁ ରକ୍ଷା କରିବା ଦାୟିତ୍ୱ ମଧ୍ୟ ନାଗରିକମାନଙ୍କ ଉପରେ ନ୍ୟସ୍ତ ।

 

ଦେଶର କଳାକାରଖାନା, ପାଣିକଳ, ଆଲୋକ, ଶଙ୍ଖ, ରାଜପଥ, ଯାନବାହନ ଓ ବିଭିନ୍ନ ଅନୁଷ୍ଠାନ ସବୁ ଜାତୀୟ ସମ୍ପଦ । ଏଗୁଡ଼ିକର ଯେପରି ଅସଦ୍‌ ବ୍ୟବହାର ନ ହୁଏ, କୌଣସି ଲୋକର ଅଜ୍ଞାତ ଅବହେଳା ବା ଅସାଧୁତାଦ୍ୱାରା ଯେପରି ଏଗୁଡ଼ିକ ନଷ୍ଟ ନ ହୁଏ, ସେଥିପ୍ରତି ସତର୍କ ଦୃଷ୍ଟି ଦେବା ମଧ୍ୟ ନାଗରିକର କର୍ତ୍ତବ୍ୟ ।

 

ଏସବୁ କର୍ତ୍ତବ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ଯେଉଁ ଦେଶର ନାଗରିକ ସର୍ବଦା ନିଜ ଦେଶର ଉନ୍ନତି ଚିନ୍ତାକରେ,ସେହି ଦେଶ କେବଳ ଉନ୍ନତି ଦେଶ । ସେହି ଦେଶ କେବଳ ସୁଖଶାନ୍ତି ଓ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ ।

Image

 

ସମ୍ବାଦ ପତ୍ର

 

ଯେଉଁ କାଗଜଗୁଡ଼ିକରେ ପୃଥିବୀର ବିଭିନ୍ନ ସ୍ଥାନର ଘଟଣାଗୁଡ଼ିକ ସମ୍ବାଦ ଆକାରରେ ପ୍ରକାଶ ପାଏ, ସେଗୁଡ଼ିକୁ ସମ୍ବାଦପତ୍ର କୁଯାହାଏ । ସମ୍ବାଦପତ୍ର ଗୁଡ଼ିକୁ ପତ୍ରିକା କୁହାଯାଉଥିଲେ ମଧ୍ୟ ସବୁ ପତ୍ରିକା ସମ୍ବାଦପତ୍ର ନୁହେଁ । ମାସିକ, ପାକ୍ଷିକ, ସାପ୍ତାହିକ ଏବଂ ଦୈନିକ ଏପରି ଯେଉଁ କେତେ ପତ୍ରିକା ପ୍ରକାଶ ପାଏ, ସେଥି ମଧ୍ୟରୁ ମାସିକ ପତ୍ରିକା ଗୁଡ଼ିକ ପ୍ରଧାନତଃ ସାହିତ୍ୟ-ପତ୍ରିକା । ସାପ୍ତାହିକ ପତ୍ରିକା ଗୁଡ଼ିକରେ ଦେଶର ବିଭିନ୍ନ ବିଷୟ, ବିଭିନ୍ନ ମତବାଦ ଓ ବିଭିନ୍ନ ଗୁରୁତର ସମ୍ବାଦ ଉପରେ ବଡ଼ ବଡ଼ ସମାଲୋଚନା ପ୍ରକାଶିତ ହୁଏ । ବମ୍ବେର ‘‘ବ୍ଳିଜ୍‌’’ ଏହି ଶ୍ରେଣୀର ଏକ ସାପ୍ତାହିକ ପତ୍ରିକା । ପ୍ରଧାନତଃ ଦୈନିକ ପତ୍ରିକାଗୁଡ଼ିକ କେବଳ ପୃଥିବୀର ବିଭିନ୍ନ ପ୍ରାନ୍ତର ଘଟଣାଗୁଡ଼ିକ ସମ୍ବାଦ ଆକାରରେ ପରିବେଷଣ କରନ୍ତି । ଏଣୁ ଏଗୁଡ଼ିକ ସମ୍ବାଦ ପତ୍ରରୂପେ ପରିଚିତ ।

 

ପୃଥିବୀରେ ପ୍ରାୟ ୬୦ ହଜାରରୁ ବେଶି ଦୈନିକ ଓ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶିତ ହୁଏ । ସେ ମଧ୍ୟରେ କେତେ ସମ୍ବାପପତ୍ରର ଗ୍ରାହକ ସଂଖ୍ୟା ୨୦ ଲକ୍ଷରୁ ବେଶି । ଲଣ୍ଡନର ‘‘ଟାଇମ୍‌ସ’’ ନିୟୁୟର୍କର ‘‘ନିୟୁୟର୍କ ଟାଇମ୍‌ସ’’, ‘‘ନିୟୁୟର୍କ ହେରାଲ୍‌ଡ଼୍‍’’ ‘‘ଟ୍ରିବ୍ୟୁନ୍‌’’ କାଗଜ ଉଲ୍ଲେଖଯୋଗ୍ୟ । ଏପରି କି ଏ ମଧ୍ୟରୁ କେତୋଟି ସମ୍ବାଦପତ୍ର ଦିନରେ ଦୁଇଥର ମଧ୍ୟ ପ୍ରକାଶିତ ହୁଏ । ଭାରତରେ ସମ୍ବାଦ ପତ୍ର ଓ ଅନ୍ୟାନ୍ୟ ପତ୍ରିକାର ସଂଖ୍ୟା ସର୍ବମୋଟ ୧୦ ହଜାର ୧୯ । ସେ ମଧ୍ୟରୁ ଦୈନିକ ସମ୍ବାଦପତ୍ରର ସଂଖ୍ୟା ୬୩୬ । ସାପ୍ତାହିକ ଓ ଅର୍ଦ୍ଧ ସାପ୍ତାହିକ ପତ୍ରିକା ସଂଖ୍ୟା ୨୯୮୩ । ଭାରତରେ ସର୍ବମୋଟ ୪୬ ଟି ଭାଷାରେ ପତ୍ରିକା ପ୍ରକାଶ ପାଏ । ସେ ମଧ୍ୟରୁ ୧୫ଟି ଭାଷା ପ୍ରଧାନ । ସବୁଠାରୁ ହିନ୍ଦିରେ ଅଧିକ ପତ୍ରିକା ପ୍ରକାଶ ପାଏ, କିନ୍ତୁ ପ୍ରସାର ଦୃଷ୍ଟିରୁ ଭାରତରେ ମହାରାଷ୍ଟ୍ରର ସ୍ଥାନ ପ୍ରଥମ । ଭାରତର ସମ୍ବାଦପତ୍ର ମଧ୍ୟରେ କଲିକତାର ‘‘ଆନନ୍ଦ ବଜାର’’, ‘‘ଷ୍ଟେଟସ୍‌ମ୍ୟାନ’’,ବମ୍ବେର ‘‘ଟାଇମସ୍‌ ଅଫ୍‌ ଇଣ୍ଡିଆ’’ ଓ ମାନ୍ଦ୍ରାଜର ‘‘ହିନ୍ଦୁ’’ ପ୍ରଧାନ । ଏ ମଧ୍ୟରୁ ଆନନ୍ଦ ବଜାର ପତ୍ରିକାର ପ୍ରସାର ସର୍ବାଧିକ । ଏହାର ଦୈନିକ କାଟ୍‌ତି ୨ ଲକ୍ଷ ୧୧ହଜାରରୁ ଅଧିକ ।

 

‘‘ଦୈନିକ ଆଶା’’ ଓଡ଼ିଶାର ସର୍ବପ୍ରଥମ ଦୈନିକ ପତ୍ରିକା ବ୍ରହ୍ମପୁରରେ ପ୍ରକାଶ ପାଉଥିଲା-। ତା’ ପରେ ବର୍ତ୍ତମାନର ଉତ୍କଳର ପ୍ରସିଦ୍ଧ ସମ୍ବାଦପତ୍ର ‘‘ସମାଜ’’ ୧୯୨୯ରେ ଅନ୍ୟତମ ଦୈନିକ ରୂପେ ପ୍ରକାଶିତ ହୁଏ । ଏହାଛଡ଼ା ବ୍ରହ୍ମପୁରରେ ‘‘New Orissa’’ ଏବଂ କଟକରେ ‘‘Eastern Times’’ ନାମକ ଦୁଇଟି ଇଂରେଜି ଦୈନିକ ମଧ୍ୟ ପ୍ରକାଶ ପାଉଥିଲା । ବର୍ତ୍ତମାନ ପ୍ରଜାତନ୍ତ୍ର, ମାତୃଭୂମି, କଳିଙ୍ଗ ପ୍ରଭୃତି ଆଉ କତୋଟି ଦୈନିକ କଟକରେ ଏବଂ ‘‘ସ୍ୱରାଜ’’ ଭୂବନେଶ୍ୱରରେ ପ୍ରକାଶିତ ହୁଏ । ଏହାଛଡ଼ା ଅତୀତରେ ଉତ୍କଳରେ ଯେଉଁ କେତୋଟି ସମ୍ବାଦପତ୍ର ପ୍ରକାଶିତ ହେଉଥିଲା, ସେ ମଧ୍ୟରୁ ‘‘ଇନ୍ଦ୍ରଧନୁ’’, ‘‘ବିଜୁଳି’’, ‘‘ଉତ୍କଳ ହିତୈଷିଣୀ’’ ପ୍ରଭୃତି ସାପ୍ତାହିକ କାଗଜ ଗୁଡ଼ିକର ନାମ ଉଲ୍ଲେଖଯୋଗ୍ୟ ।

 

ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଗ୍ରୀସ୍‌ରେ ‘‘ଗେଜେଟା’’ ନାମକ ଏକ ସମ୍ବାଦପତ୍ର ପ୍ରକାଶ ପାଏ । ତାହାର ଅନୁକରଣରେ ପୃଥିବୀର ବିଭିନ୍ନ ସ୍ଥାନରେ ସମ୍ବାଦପତ୍ର ପ୍ରକାଶିତ ହେଲା । ୧୬୦୯ରେ ଇଉରୋପରେ ସର୍ବପ୍ରଥମେ ସମ୍ବାଦପତ୍ର ପ୍ରକାଶିତ ହୁଏ । ତା’ପରେ ଇଂରେଜମାନଙ୍କ ଅମଳରେ ୧୭୮୦ରେ ବଙ୍ଗଳାରେ ‘‘ବଙ୍ଗଳାଗେଜଟ’’ ନାମକ ଭାରତର ସର୍ବପ୍ରଥମ ସମ୍ବାଦପତ୍ର ପ୍ରକାଶିତ ହେଲା । ବର୍ତ୍ତମାନ ଭାରତରେ ଇଂରେଜୀ ଓ ବିଭିନ୍ନ ପ୍ରାଦେଶିକ ଭାଷାରେ ଅନେକ ସମ୍ବାଦ ପତ୍ର ପ୍ରକାଶ ପାଏ । ସେ ମଧ୍ୟରୁ ଇଂରେଜୀ କାଗଜଗୁଡ଼ିକ ବଡ଼ ।

 

ଗୋଟିଏ ଗୋଟିଏ ସମ୍ବାଦ ପତ୍ରରେ ଅନେକ ସମ୍ପାଦକ ଥାନ୍ତି । ସେ ମଧ୍ୟରୁ ଜଣେ ମୁଖ୍ୟ ସମ୍ପାଦକ । ତାଙ୍କର ଦାୟିତ୍ୱ ଅତ୍ୟଧିକ । ସେ ଯଦି ଅସାଧୁ ତାହାର କୁପ୍ରଭାବ ସମାଜ ଉପରେ ପଡ଼େ । ସେ ଯଦି ସାଧୁ, ତାହାର ସୁପ୍ରଭାବ ମଧ୍ୟ ସମାଜ ଉପରେ ପଡ଼େ । ଏଣୁ ସମ୍ପାଦକ ସାଧୁ, ଦେଶପ୍ରାଣ ଓ ନିଃସ୍ୱାର୍ଥପର ହେବା ଉଚିତ । ବେଳେବେଳେ ସମ୍ପାଦକମାନେ କେତେକ ଆନୁମାନିକ ସମ୍ବାଦପ୍ରକାଶ କରିଦିଅନ୍ତି । ତଦ୍ଦ୍ୱାରା ଦେଶରେ କେତେ ସମୟ ପର୍ଯ୍ୟନ୍ତ ଆତଙ୍କ, ଅନର୍ଥ, ଉତ୍ତେଜନା ବା ଚହଳ ସୃଷ୍ଟି ହୋଇଯାଏ । ଏଥିପାଇଁ ମହାତ୍ମା ଗାନ୍ଧି କେତେକ ସାମ୍ବାଦିକ ସମ୍ମିଳନୀରେ କ୍ଷୁବ୍‌ଧ ହେବା କଥା ପ୍ରକାଶ କରିଛନ୍ତି । ବର୍ତ୍ତମାନ ସମ୍ବାଦପତ୍ରଦ୍ୱାରା କେବଳ ସମାଜ ନିୟନ୍ତ୍ରିତ ହୁଏ ବୋଲି କହିଲେ ଚଳେ । ସମ୍ବାଦପତ୍ର ଏପରି ପ୍ରଭାବଶାଳୀ ଯେ, ସେ ଇଚ୍ଛା କଲେ ସମାଜକୁ ଉଡ଼େଇପାରେ, ବୁଡ଼େଇପାରେ ବିପଥଗାମୀ କରିପାରେ ବା ଦେଶାତ୍ମବୋଧସଂପନ୍ନ କରିପାରେ । ଏଣୁ ସମାଜରେ ଅରାଜକତା ସୃଷ୍ଟି ନ ହେବା ପରି ସମ୍ବାଦ ପରିବେଷଣ କରିବା ସେମାନଙ୍କର ଦାୟିତ୍ୱ ଏବଂ ନିଜ ସ୍ୱାର୍ଥକୁ ବଳି ଦେଇ ଦେଶର ସ୍ୱାର୍ଥକୁ ନିଜ ସ୍ୱାର୍ଥ ମନେ କରିବା ଉଚିତ ।

 

ସମ୍ପାଦକମାନଙ୍କର ମତାମତ ଉପରେ ଦେଶବାସୀ ଓ ସରକାର ଉଭୟେ ଗୁରୁତ୍ୱ ଆରୋପ କରନ୍ତି । ବେଳେ ବେଳେ ସରକାର ପଥଚ୍ୟୁତ ହେଲେ ବା ଦୋଷତ୍ରୁଟି କଲେ, ସତ୍‌ପଥକୁ ଆଣିବାପାଇଁ ସମ୍ପାଦକମାନେ ଉଦ୍ୟମ କରନ୍ତି । ତାହାର ପ୍ରଭାବ ମଧ୍ୟ ସରକାର ଉପରେ ପଡ଼େ । ଦେଶରେ ଯଦି ଅଯଥା ଅରାଜକତା, ଉତ୍ତେଜନା ବା କୌଣସି ସଂକ୍ରାମକ ରୋଗର ପ୍ରାଦୁର୍ଭାବ ଘଟେ, ସମ୍ପାଦକମାନେ ସଙ୍ଗେ ସଙ୍ଗେ ତାହାର ଦୋଷତ୍ରୁଟି ଉଦ୍‌ଘାଟନ କରି ବିହିତ ପରାମର୍ଶ ଦିଅନ୍ତି । ଏଣୁ ତାହାର ଆଶୁ ପ୍ରତିକାର ହୁଏ । ଯୁଦ୍ଧ ବା ଜରୁରୀକାଳୀନ ଅବସ୍ଥାରେ ସମ୍ବାଦପତ୍ରର ଉପାଦେୟତା ଏପରି ବୃଦ୍ଧିପାଏ ଯେ, କୌଣସି ନିରକ୍ଷର ବା ରାଜନୀତିରେ ସଂପୂର୍ଣ୍ଣ ଅନଭିଜ୍ଞ ବ୍ୟକ୍ତି ମଧ୍ୟ ସମ୍ବାଦଟି ଶୁଣି କେବଳ ଆଶ୍ୱସ୍ତ ହୁଏ । ଏହିପରି ସକଳ ଦିଗରୁ ସମ୍ପାଦକଙ୍କର ଦାୟିତ୍ୱ ଓ ସମ୍ବାଦପତ୍ରର ପ୍ରାଧାନ୍ୟ ଏହି ଯୁଗରେ ଅଧିତ୍ୟକ ।

 

ଏହାଛଡ଼ା ସମ୍ବାଦ ଯୋଗାଇବାପାଇଁ ସମ୍ବାଦପତ୍ର ପକ୍ଷରୁ ବିଭିନ୍ନ ସ୍ଥାନରେ ସାମ୍ବାଦିକ ବା ପ୍ରତିନିଧିମାନେ ନିଯୁକ୍ତ ହୋଇଥାନ୍ତି । ପୁଣି କେତେକ ସ୍ଥଳରେ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ମଧ୍ୟ ସମ୍ବାଦପତ୍ରକୁ କେତେକ ସ୍ୱତନ୍ତ୍ର ସମ୍ବାଦ ମଧ୍ୟ ଦିଅନ୍ତି । ରାସ୍ତାଘାଟର ଅସୁବିଧା, ଜଳାଭାବ, ସଂକ୍ରାମକ ରୋଗର ପ୍ରାଦୁର୍ଭାବ ବା ସରକାରଙ୍କ ପକ୍ଷରୁ କୌଣସି ଅବିଚାର ହେଲେ, ସେହି ବିଷୟ ଗୁଡ଼ିକ ବାରମ୍ବାର ସମ୍ବାଦପତ୍ରରେ ପ୍ରକାଶପାଏ; ଏଣୁ ସଂପୃକ୍ତ ପକ୍ଷ କିୟତ୍‍ ପରିମାଣରେ ସଂଯତ ଓ ସକ୍ରିୟ ହୁଅନ୍ତି । ବେଳେ ବେଳେ କୌଣସି ବ୍ୟକ୍ତିବିଶେଷ ବା ଅନୁଷ୍ଠାନ ବିରୁଦ୍ଧରେ ମଧ୍ୟ କେତେକ ଅଭିଯୋଗ ପ୍ରକାଶ ପାଏ । ଏହି ବିଷୟ ନେଇ ସମାଜରେ କେତେଦିନ ଆଲୋଡ଼ନ ସୃଷ୍ଟି ହୁଏ । ଏଣୁ ଯେ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଅବୈଧ ଆଚରଣ କରିବାକୁ ଭୟ କରେ । ପୁଣି ସବୁକଥା ସରକାରଙ୍କ ନିକଟକୁ ଯାଇ ଜଣାଇବା ସମସ୍ତଙ୍କ ପକ୍ଷରେ ସହଜ ନୁହେ । ସମ୍ବାଦପତ୍ର ଥିବାରୁ ଏ ଦିଗରେ ମଧ୍ୟ ଜନତାର ବିଶେଷ ସୁବିଧା ହୁଏ । କେବଳ ସେତିକି ନୁହେ, ପୃଥିବୀର କୌଣସି ଲେଖକ, ବୈଜ୍ଞାନିକ ବା ଅନ୍ୟ କୌଣସି କୃତୀ ସନ୍ତାନ ଯଦି କୌଣସି ପୁରସ୍କାର ପାଏ ବା କୌଣସି ସ୍ଥାନରେ ଦୁର୍ଭିକ୍ଷ ପଡ଼େ ବା କୌଣସି ଦୁର୍ଘଟଣା ଘଟେ, ତାହା ସଙ୍ଗେ ସଙ୍ଗେ ସମ୍ବାଦପତ୍ରରେ ପ୍ରକାଶ ପାଇଯାଏ । ଏହାଦ୍ୱାରା ଅନ୍ୟ ଦେଶବାସୀ ମଧ୍ୟ କେତେକ ଦିଗରେ ଉପକୃତ ହୁଅନ୍ତି ।

 

ଏହାଛଡ଼ା ସମ୍ବାଦପତ୍ର ସାହିତ୍ୟକ ମୂଲ୍ୟବୋଧ ମଧ୍ୟ ନ୍ୟୂନ ନୁହେଁ । ପତ୍ରିକା ନିଜେ ଗୋଟିଏ ସାହିତ୍ୟ ଦର୍ପଣ । ଯେଉଁମାନେ ବଡ଼ ବଡ଼ ପତ୍ରିକା ଗୁଡ଼ିକର ନିୟମିତ ପାଠକ, ସେମାନଙ୍କର ଭାଷା ଶୈଳୀ ଉନ୍ନତ, ମାର୍ଜିତ ଓ ପରିପୃଷ୍ଟ ହୁଏ । ପୁଣି ବଡ଼ ବଡ଼ ସମ୍ବାଦପତ୍ରମାନଙ୍କରେ ପ୍ରତି ରବିବାର ସଂଖ୍ୟାରେ ସାହିତ୍ୟ, ରାଜନୀତି, ଅର୍ଥନୀତି, କୃଷି, ବିଜ୍ଞାନ ପ୍ରଭୃତି ସମ୍ବନ୍ଧରେ ଅନେକ ବଡ଼ ବଡ଼ ଲେଖକଙ୍କର ଉପାଦେୟ ପ୍ରବନ୍ଧ ଗୁଡ଼ିକ ପ୍ରକାଶିତ ହୁଏ । ଏଗୁଡ଼ିକ ପଢ଼ିବାଦ୍ୱାରା ମନୁଷ୍ୟର ବୌଦ୍ଧିକ ଶକ୍ତି ବିକଶିତ ହୁଏ ଏବଂ ପ୍ରତିସ୍ଥଳରେ ମନୁଷ୍ୟ ନିଜର ଯୋଗ୍ୟ ଆସନ ପାଇପାରେ ।

 

ବିଜ୍ଞାପନ ମଧ୍ୟ ପତ୍ରିକାର ଆଉ ଗୋଟିଏ ପ୍ରଧାନ ଅଙ୍ଗ । ଯଦି ପୃଥିବୀର କୌଣସି ପ୍ରାନ୍ତରେ ନୂତନ ଉଦ୍ଭାବନ ବା ଆବିଷ୍କାର ହୁଏ ବା କେହି ଯଦି ଉପାଦେୟ ବହିଖଣ୍ଡେ ଲେଖେ,ବିଜ୍ଞାପନଦ୍ୱାରା ବିଦ୍ୟୁତ୍‍ ବେଗରେ ତାହା ପୃଥିବୀର ଚତୁର୍ଦ୍ଦିଗରେ ପ୍ରଚାରିତ ହୋଇଯାଏ । ଏହାଦ୍ୱାରା ସମ୍ବାଦପତ୍ର ଅର୍ଥଦିଗରୁ ଉପକୃତ ହୁଏ । ନାନା ଦିଗରୁ ଲେଖକ, ଆବିଷ୍କାରକ ଏବଂ ପାଠକମାନେ ମଧ୍ୟ ଉପକୃତ ହୁଅନ୍ତି ।

 

ପୃଥିବୀର ବିଭିନ୍ନ ସ୍ଥାନର ଓ ଦେଶର ସଂବାଦ ସଂପାଦକମାନଙ୍କୁ ଜଣାଇବା ପାଇଁ ରଏଟର, ଇନ୍‌ଫା, ଇଉ.ପି.ଆଇ, ଏସୋସିଏଟେଡ଼ ପ୍ରେସ୍‌ ପ୍ରଭୃତି ଅନେକ ସଂବାଦପ୍ରେରକ ସଂସ୍ଥା ପୃଥିବୀରେ ରହିଛି । ସେମାନେ ସଙ୍ଗେ ସଙ୍ଗେ ଜ୍ଞାତବ୍ୟ ବିଷୟ ଗୁଡ଼ିକ ଟେଲିପ୍ରିଣ୍ଟ ଦ୍ୱାରା ସଂବାଦପତ୍ର କାର୍ଯ୍ୟାଳୟକୁ ଜଣାଇ ଦିଅନ୍ତି । ସଂପାଦକମାନେ ନିଜ ରୁଚି ଅନୁଯାୟୀ ସେଥିରୁ କେତେକ ବିଷୟ ନିଜ ପତ୍ରରେ ପ୍ରକାଶ କରନ୍ତି ।

 

ସଂବାଦ ପତ୍ର ଅଧ୍ୟୟନ ମାଦକ ଦ୍ରବ୍ୟ ବ୍ୟବହାର କଲାପରି ଏକ ଅଭ୍ୟାସ । ମାଦକ ଦ୍ରବ୍ୟ ବ୍ୟବହାର କରିବା ବ୍ୟକ୍ତି ଯେପରି ସମୟ ଉପସ୍ଥିତ ହେଲେ ଅଧୀର ହୋଇଯାଏ, ସଂବାଦପତ୍ର ଗ୍ରାହକ ମଧ୍ୟ ସମୟ ଆସିଲେ ପତ୍ରଟି ନ ଦେଖିବା ପର୍ଯ୍ୟନ୍ତ ସେହିପରି ଅଥୟ ହୁଏ । ଏପରି କି ସାମାନ୍ୟ କାଳ ବିଳମ୍ବ ସୁଦ୍ଧା ତାହା ପକ୍ଷରେ କ୍ଷମଣୀୟ ନୁହେ । ସମ୍ବାଦପତ୍ରଟି ନ ଦେଖିବା ପର୍ଯ୍ୟନ୍ତ ଅନ୍ୟ କୌଣସି କାର୍ଯ୍ୟରେ ତାହାର ମନ ବଳେ ନାହିଁ । ସେତିକି ସମୟରେ ସେ ଅନେକ କଥା ମନରେ କଳ୍ପନା କରିନିଏ । ପତ୍ରଟି ପାଇବା ସଙ୍ଗେ ସଙ୍ଗେ ତାହା ଉପରେ ଟିକିଏ ଆଖି ବୁଲାଇ ଦେଲାପରେ ସେ ପ୍ରକୃତିସ୍ଥ ହୁଏ ଓ ନିଜ କାମରେ ମନଦିଏ । କେତେ ବ୍ୟକ୍ତି ଗୋଟିଏ କାଗଜ ପଢ଼ି ତୃପ୍ତି ଲଭନ୍ତି । ସେମାନେ ବିଭିନ୍ନ ମତବାଦର ସଂବାଦପତ୍ର ପଢ଼ି ସେଗୁଡ଼ିକର ମତାମତର ତୁଳାନାତ୍ମକ ସମାଲୋଚନା କରି କେବଳ ତୃପ୍ତି ଅନୁଭବ କରନ୍ତି ।

 

ସଂବାଦପତ୍ର ଏକ ପବିତ୍ର ଓ ନିରପେକ୍ଷ ଅନୁଷ୍ଠାନ । ଏପରି କି ତାହାକୁ ଦେଶର ଭାଗ୍ୟନିୟନ୍ତା କହିଲେ ଅସମୀଚୀନ ହେବ ନାହିଁ । ଏଣୁ ଯେ କୌଣସି ଅବସ୍ଥାରେ ସଂବାଦପତ୍ର ଗୁଡ଼ିକ ଦଳଗତ ରାଜନୀତିରେ ଯୋଗ ଦେବା ଉଚିତ ନୁହେ । ଏଥିପ୍ରତି ଯଦି ଦେଶବାସୀଙ୍କର ଆସ୍ଥା କମିଯାଏ, ତେବେ ଜାତୀୟ ସଂହତି ବା ଜନଶକ୍ତି ଦୁର୍ବଳ ହେବା ସ୍ୱାଭାବିକ । ସେଗୁଡ଼ିକ ଯଦି କୌଣସି ଦଳର ମୁଖପତ୍ର ନ ହୋଇ ଦେଶର ବା ଦାରିଦ୍ର୍ୟର ମୁଖପତ୍ର ହୁଅନ୍ତି, ତେବେ ବ୍ୟକ୍ତିଗତ ସ୍ୱାର୍ଥସିଦ୍ଧି ପାଇଁ ଅନର୍ଥ ସୃଷ୍ଟି କରିବାକୁ କେହି ସାହସ କରିବେ ନାହିଁ ଓ ଦେଶବାସୀ ମଧ୍ୟ ବିଶେଷ ଉପକୃତ ହେବେ ।

Image

 

ବିଜ୍ଞାନର ଉପକାରିତା

 

ବିଶେଷ ଜ୍ଞାନ ବଳରେ ଯେ କୌଣସି ବସ୍ତୁର ଅନ୍ତର୍ନିହିତ ଶକ୍ତି ନିର୍ଦ୍ଦେଶ କରି ତାହାକୁ ଯଥାଯଥ ଭାବରେ ବିନିଯୋଗ କରିବା ଅର୍ଥ ବିଜ୍ଞାନ । ବର୍ତ୍ତମାନ ଜଗତରେ ଏହାଦ୍ୱାରା ଅନେକ ଅସମ୍ଭବ କଥା ସମ୍ଭବ ହୋଇପାରିଥିବାରୁ ଏହି ଯୁଗକୁ ବୈଜ୍ଞାନିକ ଯୁଗ କୁହାଯାଏ । ବିଜ୍ଞାନ ବଳରେ ଯେଉଁ ଅଦ୍ଭୂତପୂର୍ବ ଆବିଷ୍କାର ଓ ଉଦ୍ଭାବନ ସମ୍ଭବ ହୋଇପାରିଛି, ତାହା ଭାବିଲେ ବିସ୍ମିତ ହେବାକୁ ପଡ଼େ । ଏପରି କି ଏହା ବଳରେ ଯେଉଁ ନୂତନ ସୃଷ୍ଟି ଗଠିତ ହୁଏ, ତାହାକୁ ମାନବକୃତ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଯେଉଁ କେତେ ତମସାଚ୍ଛନ୍ନ ଭୂଖଣ୍ଡ ସଭ୍ୟଜଗତରୁ ବିଚ୍ଛିନ୍ନ ହୋଇ ସୃଷ୍ଟିର କେଉଁ ଅନ୍ତରାଳରେ ଆତ୍ମଗୋପନ କରିଥିଲା; ଏପରି କି ଯେଉଁଗୁଡ଼ିକ ସୃଷ୍ଟିର ଗୋଟିଏ ଗୋଟିଏ ଅଙ୍ଗ ବୋଲି କେହି ଜାଣି ନ ଥିଲେ; ବିଜ୍ଞାନ ବଳରେ ସେଗୁଡ଼ିକ ଆବିଷ୍କୃତ ହେଲା ଏବଂ କାଳକ୍ରମେ ସେଠା ଅଧିବାସୀମାନେ ଶିକ୍ଷାଦୀକ୍ଷା ଲାଭକରି ଉନ୍ନତ ସାମାଜିକ ଜୀବନ ମଧ୍ୟ ଗଠନ କରିପାରିଲେ । କେବଳ ସେତିକି ନୁହେ, ବୈଜ୍ଞାନିକମାନେ ନିଜର ନିରବଚ୍ଛିନ୍ନ ସାଧନା ଓ ଗବେଷଣା ବଳରେ ପ୍ରତ୍ୟେକ ବସ୍ତୁର ଅନ୍ତର୍ନିହିତ ଶକ୍ତି ଉଦ୍‌ଘାଟନ କରି ତାହା ମାନବ କଲ୍ୟାଣରେ ବିନିଯୋଗ କରିବାକୁ ଅଧିମ ସମର୍ଥ ହୋଇପାରିଲେ । ଏଣୁ ଆଧୁନିକ ଜଗତ ନୂତନ ରୂପରେ ଆତ୍ମପ୍ରକାଶ କଲାପରି ଜଣାଯାଏ ।

 

ବର୍ତ୍ତମାନ ଚୁଲ୍ଲୀମୁଣ୍ଡରୁ ଆରମ୍ଭ କରି ଚନ୍ଦ୍ରଲୋକ ପର୍ଯ୍ୟନ୍ତ ପ୍ରତି ସ୍ଥଳରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ବିଜ୍ଞାନର ଶକ୍ତି କେବଳ କାମକରେ । ବର୍ତ୍ତମାନର ରେଳ, ମଟର, ଟେଲିଗ୍ରାଫ୍‌, ଟେଲିଫୋନ୍‌, ରେଡ଼ିଓ, ଛପାକଳ ଓ ପାଣିକଳ, ଛୋଟବଡ଼ ଯନ୍ତ୍ରଚାଳିତ କଳକାରଖାନା ସବୁ ବିଜ୍ଞାନର ଦାନ । ଏଗୁଡ଼ିକ ସହିତ ଆମେ ଏତେ ସୁପରିଚିତ ଯେ,ଏଗୁଡ଼ିକ ନୂତନ ଉଦ୍ଭାବନ, ଦିନେ ନ ଥିଲା; ଏହି ଭାବ ଆମ ମନକୁ ସ୍ପର୍ଶ କରିପାରେ ନାହିଁ ବା ଏହାର ଅଭାବରେ ମାନବସମାଜ କି ଅବସ୍ଥା ଭୋଗ କରୁଥିଲା ବା ଭବିଷ୍ୟତ୍‌ରେ ଯଦି ଏହାର କୌଣସି ବିପର୍ଯ୍ୟୟ ଘଟେ, ତେବେ ସମାଜର କି ଦୁର୍ଗତି ଘଟିବ, ସେ କଥା ମଧ୍ୟ କେହି କଳ୍ପନା କରେ ନାହିଁ ।

 

ବିଭିନ୍ନ ପ୍ରକାର ଯାନବାହନର ଉଦ୍ଭାବନ ଫଳରେ ଆଉ କୌଣସି ସ୍ଥାନ କାହାଠାରୁ ଦୂର ହୋଇ ରହିଲା ନାହିଁ । ଏପରି କି କ୍ରମେ ସମଗ୍ର ବିଶ୍ୱ ଗୋଟିଏ ଦେଶରେ ପରିଣତ ହେବାକୁ ଯାଉଛି । ଏହାଦ୍ୱାରା ଯାତାୟାତର ଅଧିକ ସୁବିଧା ହେବା ସଙ୍ଗେ ସଙ୍ଗେ ବ୍ୟବସାୟ ବାଣିଜ୍ୟର ମଧ୍ୟ ଅକଳ୍ପନୀୟ ଉନ୍ନତି ହୁଏ । ଶୂନ୍ୟ-ଗାଡ଼ିଠାରୁ ଆରମ୍ଭକରି ଉଡ଼ାଜାହାଜ ପର୍ଯ୍ୟନ୍ତ କାହାର କେତେବେଳେ କ’ଣ ଆବଶ୍ୟକ, ତାହାର ଠିକଣା ନାହିଁ । ବେଳେ ବେଳେ ସେ ଖୋଜେ ଦ୍ରୁତରୁ ଦ୍ରୁତତର ଯାନ । ସେହି ସମୟରେ ସେ ଜାଣେ ନାହିଁ ଯେ, ଦିନବେଳେ ତାହାର ଆବଶ୍ୟକ ବିଶ୍ରାମ ଓ ରାତିରେ ନିଦ୍ରା । ଯଦି କୌଣସି କାରଣରୁ କେତେ ସମୟ ପର୍ଯ୍ୟନ୍ତ ଯାନବାହାନଗୁଡ଼ିକ ବନ୍ଦ ହୋଇଯାଏ, ତେବେ ଯାତ୍ରୀମାନଙ୍କର ଜୀବନଯାତ୍ରାରେ କେତେ କଣ ବିଭ୍ରାଟ ଘଟିଯାଏ ଏବଂ କେତେ ସମୟ ପର୍ଯ୍ୟନ୍ତ ସରକାରୀ କଳ ମଧ୍ୟ ଅଚଳ ହୋଇଯାଏ ।

 

କିଏ ଜାଣିଥିଲା, ବଣର କଣ୍ଟା ବାଉଁଶ ଓ ଗୋରୁ ନ ଖାଇବା ଆଲୋଡ଼ା ଘାସରେ ଶହେ ଟଙ୍କିଆ ନୋଟ ଛପା ହେବ । ମହାକବି କାଳିଦାସଙ୍କ ନାମ ମଧ୍ୟ ମୁଷ୍ଟିମେୟ ଲୋକ ଜାଣିଥିଲେ । କିନ୍ତୁ କାଗଜ ସାଙ୍ଗକୁ ଛପାକଳ ଉଭାବିତ ହେବା ଫଳରେ ମୁହୂର୍ତ୍ତକରେ ସୁନ୍ଦର ଅକ୍ଷରରେ ଅସଂଖ୍ୟ ବହି ଛପା ହୋଇପାରୁଛି । ଏଣୁ ବିଜ୍ଞାନ ଦ୍ୱାରା ଶିକ୍ଷା ଦିଗରେ ଅସମ୍ଭବ ଧରଣର ଅଗ୍ରଗତି ହୋଇପାରୁଛି ।

 

ସଂବାଦ ପ୍ରେରଣ ପାଇଁ ବିଜ୍ଞାନର ଯେଉଁ ଦାନ, ତାହା କେବଳ କଳ୍ପନା କରିବା ଛଡ଼ା ବର୍ଣ୍ଣନା କରିବା ସହଜ ନୁହେ । ଏହି ସଂବାଦ ତାରରେ ଯାଏ, ବେତାରରେ ଯାଏ, ନିକଟକୁ ଯାଏ, ଦୂରକୁ ଯାଏ । ବିଭିନ୍ନ ପ୍ରକାର ସଂବାଦପାଇଁ ବିଭିନ୍ନ ପ୍ରକାର ଯନ୍ତ୍ର ରହିଛି । ଯେତେବେଳେ ଯାହା ଆବଶ୍ୟକ, ମନୁଷ୍ୟ ସେତେବେଳେ ତାହାର ସାହାର୍ଯ୍ୟ ନିଏ । ଏହି ଉଦ୍ଭାବନଦ୍ୱାରା ମନୁଷ୍ୟ ଯେଉଁ ସୁବିଧା ଉପଭୋଗ କରେ, ତାହା ଭାଷାରେ ବର୍ଣ୍ଣନା କରାଯାଇ ନ ପାରେ । ମନୁଷ୍ୟ ଯଦି ଇଚ୍ଛାକରେ, ବସିବା ସ୍ଥାନରୁ ବିଶ୍ୱର ଯେ କୌଣସି ବ୍ୟକ୍ତି ସହିତ କଥାବାର୍ତ୍ତା କରିପାରେ । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟଜନକ ଉଦ୍ଭାବନ ହେଲା ରେଡ଼ିଓ କିନ୍ତୁ ଟେଲିଭିଜନ ତାହାଠାରୁ ବଳିପଡ଼ିଛି । ଏହା ସାହାର୍ଯ୍ୟରେ ମନୁଷ୍ୟ ଯେ କୌଣସି ଦୂରସ୍ଥାନର ବ୍ୟକ୍ତି ସହିତ ନିଜ ଘରେ ବସି ମୁହାଁମୁହିଁ ହୋଇ ବାକ୍ୟାଳାପ କରିପାରେ । ଏହି ଅବସ୍ଥା ଦେଖି କୁହାଯାଇପାରେ ମହାଶୂନ୍ୟର ସ୍ୱେଚ୍ଛାଚାରୀ ବାୟୁମଣ୍ଡଳଠାରୁ ମଧ୍ୟ ବୈଜ୍ଞାନିକ ଶକ୍ତି ବଳବାନ୍‍ ।

 

ସବୁଠାରୁ ବଡ଼ ଉପକାରୀ ହେଲା ବିଦ୍ୟୁତ୍‌ଶକ୍ତି । ବ୍ୟବହାର କରି ଜାଣିଲେ ଏହାଦ୍ୱାରା କ’ଣ ନ ହୋଇପାରିବ, ସେକଥା କୁହାଯାଇ ନ ପାରେ । ଏହାଦ୍ୱାରା ବୈଜ୍ଞାନିକ ଉଦ୍ଭାବନଗୁଡ଼ିକ ଅଧିକ ସକ୍ରିୟ ଓ ଶକ୍ତିଶାଳୀ ହୋଇପାରୁଛି । ଏଣୁ ବହୁ ଗୁଣରେ ବୈଜ୍ଞାନିକମାନଙ୍କର ଶ୍ରମ ମଧ୍ୟ ଲାଘବ ହେବାର ଜଣାଯାଏ । ଅନେକ ସ୍ଥଳରେ ଯାନବାହନ ଚଳାଚଳ ପାଇଁ ଏହି ଶକ୍ତି ବ୍ୟବହାର କରାଯାଏ ଏବଂ ଏହାଦ୍ୱାରା ଗୃହର ରନ୍ଧାବଢ଼ାଠାରୁ ଆରମ୍ଭ କରି ଗାଁ’ ଗଣ୍ଡା ଆଲୋକିତ ହେବା ପର୍ଯ୍ୟନ୍ତ ସବୁ କାମ ହୁଏ । ଚିକିତ୍ସା କ୍ଷେତ୍ରରେ ମଧ୍ୟ ଏହାର ଆବଶ୍ୟକତା କମ୍‌ ନୁହେଁ । ମନୁଷ୍ୟ ଦେହରେ ଥିବା ଶିରା ପ୍ରଶିରାରେ କେଉଁଠି କି ଅଭାବ ରହିଛି, ତାହା ଜାଣିବା ଆଦୌ ସହଜ ନୁହେ-। କିନ୍ତୁ ରଞ୍ଜନ ରଶ୍ମି ତାହା ଜାଣିବା ପାଇଁ ସାହାଯ୍ୟ କରେ । ଏହା ବିଦ୍ୟୁତ୍‌ଶକ୍ତିର କାର୍ଯ୍ୟ । ଏହା ଛଡ଼ା କର୍କଟ ରୋଗ, ବାତ ରୋଗ ପ୍ରଭୃତି ମାରାତ୍ମକ ରୋଗରେ ଏହି ଶକ୍ତି ପ୍ରୟୋଗ କରାଯାଏ । ବିଦ୍ୟୁତ ଶକ୍ତି ଏପରି ଗୋଟିଏ ଉଦ୍ଭାବନ ଯେ, ତାହାକୁ ବ୍ୟବହାର କରି ଜାଣିଲେ ତାହାଦ୍ୱାରା ମନୁଷ୍ୟର ସବୁ ଅଭାବ ପୂରଣ ହୋଇପାରେ । ଏହାଦ୍ୱାରା ଲୁଗା ସଫା ଓ ଇସ୍ତ୍ରୀ ହୋଇପାରୁଛି ଏବଂ ଉତ୍ତୋଳନ ଯନ୍ତ୍ର ଥିବାରୁ ବଡ଼ ବଡ଼ କୋଠାମାନଙ୍କରେ ସିଡ଼ିର ବିନା ସାହାର୍ଯ୍ୟରେ ଗୋଟିଏ ମହଲାରୁ ଆଉ ଗୋଟିଏ ମହଲାକୁ ଅନାୟାସରେ ଯିବା ସଂଭବ ହୋଇପାରୁଛି ।

 

ଏହାଛଡ଼ା ଉତ୍ପାଦନର ବୃଦ୍ଧିପାଇଁ ମଧ୍ୟ ବିଜ୍ଞାନର ସହାୟତା ବିଶେଷ ଉଲ୍ଲେଖଯୋଗ୍ୟ । ଜଳ ଉତ୍ତୋଳନ ପମ୍ପଦ୍ୱାରା ଆଉ କୌଣସି ସ୍ଥାନରେ ଜଳାଭାବ ହୁଏ ନାହିଁ । ଜାପାନର କୃଷକମାନେ ଏହା ସାହାର୍ଯ୍ୟରେ ପର୍ବତ ଶିଖରେ ମଧ୍ୟ ଧାନ ଫସଲ ଆଦାୟ କରନ୍ତି। ସାଇବେରିଆ କଥା ବିଚାର କଲେ ସବୁଠାରୁ ଅଧିକ ବିସ୍ମିତ ହେବାକୁ ପଡ଼େ । ଏ ଗୋଟିଏ ତୁଷାର ମରୁଭୂମି । ପୁରାକାଳରେ ଏହା ସଭ୍ୟଜଗତକୁ ବିଚ୍ଛିନ୍ନ ହୋଇ ରହିଥିଲା । କିନ୍ତୁ ବର୍ତ୍ତମାନ ବିଦ୍ୟୁତ ଶକ୍ତି ସାହାର୍ଯ୍ୟରେ ଏହାକୁ ଏକ ସବୁଜ ଶସ୍ୟ ଭଣ୍ଡାରରେ ପରିଣତ କରାଯାଇ ପାରିଛି । ବର୍ତ୍ତମାନ ସେହି ସ୍ଥାନଟିକୁ ଦେଖିଲେ ନାସ୍ତିକ ଲୋକ ହରିକୀର୍ତ୍ତନ କଲାପରି ଜଣାଯାଏ ।

 

ଏ କ୍ଷେତ୍ରରେ ଏପରି କେତେ ଅଭୂତ ପରିବର୍ତ୍ତନ ଘଟି ଯାଇଛି, ଯାହା କି ପ୍ରକୃତି ବିରୁଦ୍ଧରେ ଏକ ଅଭିଯାନ ଓ ସଫଳତା ପରି ମନେହୁଏ । ଶୁଣାଯାଏ, ରୁଷିଆର ଗୋଟିଏ ଗଛରେ ଏକାଧିକ ପ୍ରକାର ଫୁଲ ଫୁଟେ ଓ ଏକାଧିକ ପ୍ରକାର ଫଳହୁଏ । ବୃକ୍ଷଲତା ଗୁଡ଼ିକର ବିକାଶ ଓ ଫଳପୁଷ୍ପ ଧାରଣ କ୍ରିୟା ପ୍ରକୃତିର ଇଙ୍ଗିତରେ କେବଳ ଘଟେ । ସାଧାରଣତଃ ବର୍ଷା ଦିନର ବୃକ୍ଷଲତା ଗ୍ରୀଷ୍ମ ଋତୁରେ ଏବଂ ଗ୍ରୀଷ୍ମ ଋତୁର ବୃକ୍ଷଲତା ବର୍ଷା ଋତୁରେ ହୁଏ ନାହିଁ । ପୁଣି ଗୋଟିଏ ଜଳବାୟୁରେ ହେବା ବୃକ୍ଷଲତା ତାହାର ବିପରୀତ ଜଳବାୟୁରେ ହେବା ଅସମ୍ଭବ ହୁଏ । କିନ୍ତୁ ବର୍ତ୍ତମାନ ବିଜ୍ଞାନର ପ୍ରଭାବରୁ ଏହି କଟକଣା ଅକାମୀ ହୋଇଗଲାଣି । ଶୁଣାଯାଏ, ରୁଷିଆ ଓ ଆମେରିକାରେ ଏହି କ୍ଷେତ୍ରରେ ଏପରି କୃତ୍ରିମ ନୀତି ଅବଲମ୍ବନ କରାଯାଇଛି ଯେ, ଯେଉଁ କ୍ଷେତ୍ରରେ ଦୀର୍ଘଦିନ ରହି ବର୍ଷରେ ଥରେ ମାତ୍ର ଫସଲ ଉତ୍ପନ୍ନ ହେଉଥିଲା, ତାହା ଅଳ୍ପ ସମୟ ରହେ ଓ ବର୍ଷରେ ଏକାଧିକ ଥର ଆଦାୟ ହୁଏ । ଅବଶ୍ୟ ମନୁଷ୍ୟ ଜଳବାୟୁ ପରିବର୍ତ୍ତନରେ ନିଜର ବୃଦ୍ଧି ପ୍ରୟୋଗ କରିପାରେ । କିନ୍ତୁ ସମୟକୁ ମଧ୍ୟ ଜୟଲାଭ କରିବା କମ୍‌ ବିସ୍ମୟର କଥା ନୁହେ । ଏହା ସାଙ୍ଗକୁ ଯେଉଁ ସାର ଆବିଷ୍କୃତ ହୋଇଛି, ତାହାର ଶକ୍ତି କଳନା କଲେ କ୍ରମେ ପ୍ରକୃତି ସହିତ ଜୀବ-ଜଗତର ସମ୍ପର୍କଚ୍ଛିନ୍ନ ହେବାକୁ ଗଲାପରି ମନେ ହୁଏ ।

 

ଏହା ଛଡ଼ା ମଶା, ମାଛି, ଛାରପୋକ, ଜନ୍ଦା, ପିମ୍ପୁଡ଼ି ପ୍ରଭୃତି ମନୁଷ୍ୟର ଅପକାରୀ କୀଟମାନଙ୍କୁ ନାଶ କରିବା ପାଇଁ ଯେଉଁ ଔଷଧ ଗୁଡ଼ିକ ଆବିଷ୍କୃତ ହୋଇଅଛି, ତଦ୍ଦ୍ୱାରା ମନୁଷ୍ୟର ଅଶେଷ ଉପକାର ସାଧିତ ହୁଏ । ପୁଣି ନାନା ଦୁଃସାଧ୍ୟରୋଗ ନିରାକରଣ ପାଇଁ ଯେଉଁ କେତେ ନୂତନ ଔଷଧ ଏବଂ ବିଭିନ୍ନ ସଂକ୍ରାମକ ରୋଗର ପ୍ରତିକାର ପାଇଁ ଯେଉଁ ପରିଷେଧ ଆବିଷ୍କୃତ ହୋଇଛି, ସେଗୁଡ଼ିକର ଶକ୍ତି ଯେପରି ଆଶୁଫଳପ୍ରଦ ସେପରି ବିସ୍ମୟକର । ଅସ୍ତ୍ର-ଚିକିତ୍ସା ଦିଗରେ ମଧ୍ୟ ବିଜ୍ଞାନ ଏକ ନୂତନ ସୃଷ୍ଟି ଗଠନ କରିବାକୁ ଯାଉଛି ।

 

ବିଜ୍ଞାନଦ୍ୱାରା ଏହିପରି ମନୁଷ୍ୟ ସକଳ ପ୍ରକାର ଭୌତିକ ସୁଖଶାନ୍ତି ଲାଭକରି ପାରିଛି । କିନ୍ତୁ ଏ କ୍ଷେତ୍ରରେ ବର୍ତ୍ତମାନ ଯେଉଁ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ଚାଲିଛି, ସେହି କଥା ଚିନ୍ତାକଲେ ଏହି ସଭ୍ୟତା ରହିବ କି ଲୋପ ପାଇଯିବ, ସେ ହେଲା ସମସ୍ୟା । ଯଦି ଜନକଲ୍ୟାଣ କେବଳ ବୈଜ୍ଞାନିକମାନଙ୍କର ବ୍ରତ,ତେବେ ଲୋକଙ୍କ ମନରୁ ଆତଙ୍କ ଓ ସନ୍ଦେହ ଦୂର ହେଲାପରି ବ୍ୟବସ୍ଥା ଅବଲମ୍ବନ କରିବା ଆବଶ୍ୟକ ଏବଂ ବଡ଼ ବଡ଼ ଶକ୍ତିମାନେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା କ୍ଷାନ୍ତ ହେବା ଉଚିତ । ଅନ୍ୟଥା ‘‘ଆପଣା ଦୋଷେ ପ୍ରାଣୀ ମରେ ।’’

 

ଭାରତର ପୌରାଣିକ ଯୁଗରେ ବିଜ୍ଞାନର ଯେଉଁ ଅଦ୍ଭୂତପୂର୍ବ ଉନ୍ନତି ହୋଇଥିଲା, ସେ କଥା ଭାବିଲେ ବର୍ତ୍ତମାନର ବିଜ୍ଞାନ ଆହୁରି ଅସଂପୂର୍ଣ୍ଣ ଓ ଅପରିପକ୍ୱ ଅବସ୍ଥାରେ ଥିଲାପରି ଜଣାଯାଏ । ତତ୍‌କାଳୀନ ବିଭିନ୍ନ ପ୍ରକାର ବାହନ ଓ ରାମାୟଣରେ ପୁଷ୍ପକ ଯାନର ବର୍ଣ୍ଣନା, ତ୍ରିଶଙ୍କୁଙ୍କର ସ୍ୱର୍ଗଯାତ୍ରା, ମନଭେଦୀ ଓ ଶବ୍ଦଭେଦୀ ଅସ୍ତ୍ର, ଦଶରଥଙ୍କର ଶନିଗ୍ରହ ସହ ଯୁଦ୍ଧ, ମୃତସଞ୍ଜୀବନୀ ମନ୍ତ୍ରର ମହିମା, ଏ ସବୁ ସତେ କ’ଣ କବିର କଳ୍ପନା ? ଏପରି ଗୋଟିଏ ଅତି ଉନ୍ନତ ଜାତି ସତେ କ’ଣ ଏପରି କେତେ ଅବାସ୍ତବ କଳ୍ପନାକୁ ବାସ୍ତବ ରୂପଦେଇ ଉପସ୍ଥାପିତ କରିପାରେ ? ସେ ଯାହା ହେଉ, ବର୍ତ୍ତମାନର ଅଭ୍ୟୁଦୟ ଯେପରି ଚିରସ୍ଥାୟୀ ହୋଇ ରହିବ, ତାହା ସମସ୍ତଙ୍କର କାମ୍ୟ ହେବା ଉଚିତ । ଭୌତିକ ଶକ୍ତିର କସରତ ଯଦି ଟିକିଏ ଆଧ୍ୟାତ୍ମିକ ଶକ୍ତି ଆଡ଼କୁ ଢଳେ, ତାହ ସମ୍ଭବ ହୋଇ ପାରିବ । ‘‘ଆପଣା କଲା କର୍ମମାନ’ ଆଗୁ ହୋଇବ ସାବଧାନ’’ ।

Image

 

ଯନ୍ତ୍ରଶିଳ୍ପର ଆବଶ୍ୟକତା

 

ଯନ୍ତ୍ର ଅର୍ଥ କଳାକାରଖାନା । ସେଥିରେ ପ୍ରସ୍ତୁତ ପଦାର୍ଥକୁ ଯନ୍ତ୍ରଶିଳ୍ପ କୁଯାହାଏ । ଏହା ପରବର୍ତ୍ତୀ ଶିଳ୍ପ । ଏହା ଆଗରୁ ମଧ୍ୟ କେତେକ ଶିଳ୍ପ ପ୍ରସ୍ତୁତ ହୋଇ ଆସିଛି । କିନ୍ତୁ ଏହାର ନିର୍ମାଣ କାର୍ଯ୍ୟ ହସ୍ତରେ ବା ହସ୍ତନିର୍ମିତ ଉପକରଣରେ ହୁଏ । ଏଣୁ ଏହା କୁଟୀର ଶିଳ୍ପ ନାମରେ ଖ୍ୟାତ । ଏହି ଶିଳ୍ପ ପ୍ରସ୍ତୁତ ପାଇଁ ବହୁ ଶ୍ରମ, ବ୍ୟୟ ଓ ସମୟ ଆବଶ୍ୟକ ହୁଏ । ଅର୍ଥଦିଗରୁ ଏଗୁଡ଼ିକ ଯନ୍ତ୍ରଶିଳ୍ପପରି ଶସ୍ତା, ସୁନ୍ଦର ଓ ସୂଷ୍ମ ନୁହେ । ଏଣୁ ଯନ୍ତ୍ରଶିଳ୍ପର ପ୍ରସାର ସଙ୍ଗେ ସଙ୍ଗେ କୁଟୀରଶିଳ୍ପର ଆଦର ଓ ପ୍ରାଧାନ୍ୟ ହ୍ରାସ ପାଇବାକୁ ବସିଲା । ଏପରି କି କେତେ ସ୍ଥଳରେ କେତେ ଶ୍ରେଣୀର କୁଟୀରଶିଳ୍ପ ସମୂଳେ ଲୋପ ପାଇଗଲା । କାଳକ୍ରମେ ହିଟଲରଙ୍କର ତୋଫାନୀ ଆକ୍ରମଣ ପରି ସବୁ କ୍ଷେତ୍ରରେ ଯନ୍ତ୍ରଶିଳ୍ପହିଁ ଆଧିପତ୍ୟ ବିସ୍ତାର କଲା ।

 

ମନୁଷ୍ୟ ସବୁବେଳେ ନିଜ ସମାଜକୁ ଅଧିମ ସମୃଦ୍ଧ ଓ ନିଜକୁ ଅଧିକ ଭାଗ୍ୟବାନ୍‌ କରିବା ପାଇଁ ବହୁ କାଳରୁ ଉଦ୍ୟମ କରିଆସିଛି; କିନ୍ତୁ ତାହାର ସେହି ତପସ୍ୟା ଅଷ୍ଟାଦଶ ଶତାବ୍ଦୀରେ ସଫଳ ହୋଇଥିଲା । ଷୋଡ଼ଶ ଶତାବ୍ଦୀରେ ଇଉରୋପୀୟମାନେ ଦେଖିଲେ, ଏକ ନବ ଯୁଗର ସ୍ୱପ୍ନ । ସେମାନଙ୍କର ସେହି ଚିନ୍ତା କ୍ରମେ ବୃଦ୍ଧିପ୍ରାପ୍ତ ହୋଇ ତାହା ଅଷ୍ଟାଦଶ ଶତାବ୍ଦୀରେ ଏକ ବିରାଟ ବିପ୍ଳବରେ ପରିଣତ ହେଲା । ଏହାର ନାମ ହେଲା ଶିଳ୍ପ-ବିପ୍ଳବ । ଏହି ସମୟରେ ଇଉରୋପରେ ଶିଳ୍ପ କ୍ଷେତ୍ରରେ ଏପରି ଉତ୍ତେଜନା, ପ୍ରତିଯୋଗିତା ଓ ଅଗ୍ରଗତି ଦେଖା ଦେଲା ଯେ, ଏହାକୁ ଶିଳ୍ପବିପ୍ଳବ ଛଡ଼ା ଅନ୍ୟ ଆଖ୍ୟା ଦିଆଯାଇ ନ ପାରେ । ଏହାର ବହୁଦିନ ପୂର୍ବରୁ ଅନେକ ଆବିଷ୍କାରକ ଅନେକ ନୂତନ ଦେଶ ଓ ମହାଦେଶ ଆବିଷ୍କାର କରିଥିଲେ । ଏହି ଆବିଷ୍କାର ଗୁଡ଼ିକ ଏହି ବିପ୍ଳବର ଅଧିକ ପରିପୋଷକ ହୋଇଗଲା ।

 

ଏହି ବିପ୍ଳବଦ୍ୱାରା ଉଦ୍ଭାବିତ ହେଲା, ବିଭିନ୍ନ ପ୍ରକାର ଯନ୍ତ୍ର । ଯନ୍ତ୍ରଦ୍ୱାରା ବର୍ତ୍ତମାନ ପ୍ରାୟ ସବୁ ଶିଳ୍ପ ପ୍ରସ୍ତୁତ ହୁଏ । ଏହି ଶିଳ୍ପ ଅତି ଅଳ୍ପ ସମୟରେ ଅଧିକ ପ୍ରସ୍ତୁତ ହୋଇପାରିଲା ଏବଂ ସେଗୁଡ଼ିକ ଅଧିକ ସୂକ୍ଷ୍ମ ଓ ମନୋହର । ଏଣୁ ଲୋକେ ସେଥିପ୍ରତି ଆକୃଷ୍ଟ ହୋଇ ସେହି ପଦାର୍ଥ କେବଳ ବ୍ୟବହାର କଲେ । ଲୋକଙ୍କର ଚାହିଦା ବଢ଼ିବା ସଙ୍ଗେ ସଙ୍ଗେ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଲା ଓ ଅର୍ଥାଗମର ସ୍ରୋତ ମଧ୍ୟ ପଖର ହେଲା । ଶିଳ୍ପପତିମାନେ ଅଧିକ ଉତ୍ସାହିତ ହୋଇ ଅଧିକ ଉତ୍ପାଦନ କଲେ,ପୁଣି ବୈଜ୍ଞାନିକମାନେ ଅନେକ ନୂତନ ଉଦ୍ଭାବନ କରିବାକୁ ମଧ୍ୟ ଉଦ୍ୟମ କଲେ । ଅଳ୍ପ ସମୟ ମଧ୍ୟରେ ଯନ୍ତ୍ରଶିଳ୍ପ ହେଲା ସର୍ବପ୍ରଧାନ ।

ସେହି ସମୟ ପୂର୍ବରୁ ଉପନିବେଶବାଦର ସୂତ୍ରପାତ ହୋଇ ଥିଲା । ଇଉରୋପୀୟମାନଙ୍କର ବାହାରେ ଅନେକ ଉପନିବେଶ ଥାଏ । ସେମାନେ ନିଜ ନିଜ ଉପନିବେଶମାନଙ୍କରେ ବାଣିଜ୍ୟ ବ୍ୟବସାୟ କରନ୍ତି । ଯନ୍ତଶିଳ୍ପର ପ୍ରସାର ହେବାରୁ ବାଣିଜ୍ୟ କାରବାର ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଏ ସଂକ୍ରାନ୍ତରେ ସେମାନଙ୍କର ପରସ୍ପର ମଧ୍ୟରେ ପ୍ରତିଯୋଗିତା ମଧ୍ୟ ବୃଦ୍ଧି ପାଇଲା । ସମାଜର ଯାହା ଆବଶ୍ୟକ, ଯୋଗାଇବା ପାଇଁ ଇଉରୋପୀୟମାନେ ଅପେକ୍ଷା କରି ରହିଲେ । ଅତି ଅଳ୍ପ ସମୟ ମଧ୍ୟରେ ପୃଥିବୀର ଚତୁର୍ଦ୍ଦିଗରେ ଯନ୍ତ୍ର ଶିଳ୍ପ ପ୍ରସାରିତ ହେଲା ।

ଯାତାୟାତ ପାଇଁ ଯେଉଁ ଯାନବାହନ ଗୁଡ଼ିକ ଉଦ୍ଭାବିତ ହୋଇଛି, ସେ ସବୁ ଯନ୍ତ୍ରଶିଳ୍ପ । ଏ ମଧ୍ୟରୁ ଯେ କୌଣସି ଗୋଟିକର ଅଭାବ ହେଲେ ମନୁଷ୍ୟର ଅବସ୍ଥା ଅଚଳ ହୋଇଯିବ । ଶୂନ୍ୟ ଗାଡ଼ିଟିକୁ ସବୁଠାରୁ ସାନ ଯାନ ବୋଲି କହୁଯାଇ ପାରେ । କିନ୍ତୁ ଏହି ଯାନଟି ସମାଜର ମଧ୍ୟବିତ୍ତ ଶ୍ରେଣୀର ପରମ ବନ୍ଧୁ । କାର୍‌, ଜୀପ୍‌ଗୁଡ଼ିକ ଅବଶ୍ୟ କେତେ ଧନୀ ବ୍ୟକ୍ତି ନିଜର ବିଳାସପାଇଁ ବ୍ୟବହାର କରନ୍ତି । ତଥାପି ସମାଜର ନେତୃସ୍ଥାନୀୟ ବ୍ୟକ୍ତି ଓ ଉଚ୍ଚପଦସ୍ଥ କର୍ମଚାରୀମାନଙ୍କ ପାଇଁ ଏହା ନିତାନ୍ତ ଆବଶ୍ୟକ । ସେମାନଙ୍କ ଉପରେ ଗୁରୁଦାୟିତ୍ୱ ଥାଏ । ଅଳ୍ପ ସମୟ ମଧ୍ୟରେ ଯଦି ସେମାନେ ବହୁ ସ୍ଥାନ ପରିଭ୍ରମଣ ନ କରନ୍ତି, ତେବେ ସେମାନଙ୍କର ଦାୟିତ୍ୱ ଅସଂପୂର୍ଣ୍ଣ ରହିଯିବ । ରେଳ, ବସ୍‌, ଜାହାଜ ଓ ଉଡ଼ାଜାହାଜଗୁଡ଼ିକ ମଧ୍ୟ ଦେଶବାସୀର ସେବକ ପରି କାମ କରନ୍ତି । ଯେଉଁ ଦିନ ଏ ଗୁଡ଼ିକ ବନ୍ଦ ହୋଇଯିବ, ସେହିଦିନ ସମାଜ ପୁଣି ଆଦିମ ପ୍ରସ୍ତର ଯୁଗକୁ ଫେରିଯିବ-

ଛପା କଳଗୁଡ଼ିକ ସମାଜର ବିଶେଷ ଉପକାରୀ ଯନ୍ତ୍ରଶିଳ୍ପ । ସାମାଜିକ ସଭ୍ୟତାର ବିକାଶପାଇଁ ଏହାର ଦାନ ଅତୁଳନୀୟ । ଏହାର ଅଭାବରେ ପ୍ରଚଳିତ ପ୍ରଗତିଶୀଳ ସମାଜ ସଭ୍ୟ ସମାଜରୂପେ ପରିଗଣିତ ହୋଇପାରି ନଥାନ୍ତି । କେବଳ ସେତିକି ନୁହେ, ଯେଉଁ ଯନ୍ତ୍ରଗୁଡ଼ିକରେ କେତେ କୁଟାକାଠି ଓ କାଠ ବାଉଁଶରେ ସୁନ୍ଦର କାଗଜ ନିର୍ମିତ ହୁଏ, ତାହାଠାରେ ମାନବସମାଜ ଚିରକୃତଜ୍ଞ ।

ସମ୍ବାଦ ପ୍ରେରକ ଯନ୍ତ୍ରଗୁଡ଼ିକ ମଧ୍ୟ ମାନବ ସମାଜର ପରମ ବନ୍ଧୁ । କୌଣସି ବ୍ୟକ୍ତିଦ୍ୱାରା ଦୂରଦୂରାନ୍ତରକୁ ସଂବାଦ ପ୍ରେରଣ କରିବା ସଂପୂର୍ଣ୍ଣ ଅବାସ୍ତବ କଳ୍ପନା । ଡାକଦ୍ୱାରା ସଂବାଦ ପ୍ରେରଣ କରି ତାହାର ଉତ୍ତର ପାଇବା ମଧ୍ୟ ବହୁ ସମୟସାପେକ୍ଷ । କିନ୍ତୁ ଟେଲିଗ୍ରାମ ଦ୍ୱାରା ସଂବାଦ ପଠାଇ ମୁହୂର୍ତ୍ତକରେ ଉତ୍ତର ପାଇ ପାରିବା । ଯଦି ସଙ୍ଗେ ସଙ୍ଗେ ଅନ୍ୟ ସହିତ କଥାବାର୍ତ୍ତା ହେବା ଆବଶ୍ୟକ ହୁଏ, ତେବେ ଫୋନଦ୍ୱାରା ନିଜ ଘରେ ବସି ନିଜ ସଂପୃକ୍ତ ବ୍ୟକ୍ତି ସହିତ କଥାବାର୍ତ୍ତା କରିପାରିବା । ବେତାରଯନ୍ତ୍ର, ରେଡ଼ିଓ ଓ ଟେଲିଭିଜନ ମନୁଷ୍ୟର କିପରି ଉପକାରୀ ଓ ଜରୁରୀକାଳୀନ ଅବସ୍ଥାର କିପରି ସହାୟକ, ତାହାର ବର୍ଣ୍ଣନା ଅନାବଶ୍ୟକ ।
 

ବିଦ୍ୟୁତ୍‌ଶକ୍ତି ଉତ୍ପାଦକ ଯନ୍ତ୍ରଗୁଡ଼ିକ ମନୁଷ୍ୟର ସକଳ ଉନ୍ନତିର ମୂଳ । ସେଗୁଡ଼ିକ ସବୁ କ୍ଷେତ୍ରରେ ମନୁଷ୍ୟକୁ ନିଜପରି ଦ୍ରୁତଗାମୀ କରିପାରିଛନ୍ତି ଏବଂ ନିଜର ଦୈନନ୍ଦିନ କାର୍ଯ୍ୟର ମଧ୍ୟ ସହାୟକ ହୁଅନ୍ତି । ବଡ଼ ବଡ଼ ପ୍ରାକୃତିକ ଓ କୃତ୍ରିମ ଜଳପ୍ରପାତ ଗୁଡ଼ିକ ଅନନ୍ତ ଶକ୍ତିର ଭଣ୍ଡାର—ଏ କଥା ଏପର୍ଯ୍ୟନ୍ତ କେହି ଜାଣି ନଥିଲେ । ଏହି ଯନ୍ତ୍ରଗୁଡ଼ିକ ଦ୍ୱାରା ଏତାଦୃଶ ମହୋପକାରୀ ରହସ୍ୟ ଉଦ୍‌ଘାଟିତ ହେଲା । ଆଜି ଏହି ପ୍ରପାତଗୁଡ଼ିକ ମାନବ ସମାଜକୁ ବିଭୀଷିକା ପରିବର୍ତ୍ତେ ସ୍ୱର୍ଗୀୟ ସଂପଦ ବିତରଣ କରନ୍ତି ।

 

କୃଷିକାର୍ଯ୍ୟ ପାଇଁ ଯେଉଁ କଳଲଙ୍ଗଳ ବା ଟ୍ରାକ୍‌ଟର ବ୍ୟବହୃତ ହୁଏ, ତଦ୍ଦ୍ୱାରା ବହୁପରିମାଣରେ ଉତ୍ପାଦନ ବୃଦ୍ଧି ପାଉଛି । ଭୂଗର୍ଭରେ ଲୁଚି ରହିଥିବା ଜଳରାଶି ପଦାକୁ ଆଣି କୃଷିକ୍ଷେତ୍ରରେ ବିନିଯୋଗ କରିବା ପାଇଁ ଯେଉଁ ଯେଉଁ ଜଳ ଉତ୍ତୋଳକ ଯନ୍ତ୍ର ବ୍ୟବହୃତ ହୁଏ,ତାହାକୁ ମନୁଷ୍ୟର ଅନ୍ନଦାତା କହିଲେ ଅସମୀଚୀନ ହେବନାହିଁ । ଏଗୁଡ଼ିକ ମନୁଷ୍ୟର ବିପଦର ବନ୍ଧୁ ।

 

ଚିକିତ୍ସା ବିଷୟରେ ଯେଉଁ ଯନ୍ତ୍ରଗୁଡ଼ିକ ବ୍ୟବହୃତ ହୁଏ, ସେ ମଧ୍ୟରୁ କୌଣସି ଗୋଟିଏ ଗୌଣ ନୁହେ । ଦେହ ଭିତରେ ଥିବା ରୋଗ ଜାଣିବାପାଇଁ ରଞ୍ଜନ ରଶ୍ମି ଯେପରି ଆବଶ୍ୟକ, ଜ୍ୱର ଜାଣିବାପାଇଁ ଜ୍ୱରପାତମାନ ଯନ୍ତ୍ର ତତୋଽଧିକ ଉପାଦେୟ । ଏପରିକି ପ୍ରତି ଅବୟବ ପାଇଁ ଯେଉଁ କେତେ ଅସମ୍ଭବ ଧରଣର ଅସଂଖ୍ୟ ଯନ୍ତ୍ର ଆବିଷ୍କୃତ ହୋଇଛି, ତାହାର ବର୍ଣ୍ଣନା ଅସମ୍ଭବ । ସେଗୁଡ଼ିକର ଉପକାରିତା ମଧ୍ୟ ଅକଥନୀୟ । ଏହାଛଡ଼ା ଭୂକମ୍ପ, ତୋଫାନ, ବୃଷ୍ଟିପରିମାପକ ଯନ୍ତ୍ରଗୁଡ଼ିକ ସାହାଯ୍ୟରେ ମନୁଷ୍ୟ ବହୁ ସମୟରେ ନିଜକୁ ଆସନ୍ନ ବିପଦରୁ ଉଦ୍ଧାର କରିପାରୁଛି ।

 

ବର୍ତ୍ତମାନ ପ୍ରତିରକ୍ଷା ବିଭାଗରେ ଯେଉଁ ଟେଙ୍କ, ମେସିନ୍‌ଗନ୍‌, ରଡ଼ାର, ବୁଡ଼ାଜାହାଜ, କ୍ଷେପଣାସ୍ତ୍ର ପ୍ରଭୃତି ଯନ୍ତ୍ରଗୁଡ଼ିକ ବ୍ୟବହୃତ ହୁଏ, ସେଗୁଡ଼ିକର ଅଭୃତ ଶକ୍ତି ବର୍ଣ୍ଣନାତୀତ । ବହୁ ସ୍ଥଳରେ ଏଗୁଡ଼ିକ ମନୁଷ୍ୟ ପରି ନିଜ ବୃଦ୍ଧି ପ୍ରୟୋଗ କରି କାମ କଲାଭଳି ଜଣା ଯାଏ । ଯେଉଁ ଦେଶ ଏହି ଯୁଗରେ ଏହି ବିଭାଗରେ ଦୁର୍ବଳ, ତାହାର ସ୍ୱାଧିନତା ସବୁବେଳେ ବିପନ୍ନ । ଏଣୁ ବଡ଼ ବଡ଼ ରାଷ୍ଟ୍ର ଗୁଡ଼ିକରେ ଏହାକୁ ଅଗ୍ରଧିକାର ଦିଆଯାଏ ।

 

ଅବଶ୍ୟ ମନୁଷ୍ୟ ଏତିକି ଉଦ୍ଭାବନ କରି ଏକ ନବଯୁଗ ସୃଷ୍ଟି କରିପାରିଥିଲା । କିନ୍ତୁ ବର୍ତ୍ତମାନ ଗ୍ରହରୁ ଗ୍ରହାନ୍ତର ଯାତ୍ରାପାଇଁ ଯେଉଁ ପ୍ରତିଯୋଗିତା ଚାଲିଛି, ତାହା ସଂପୂର୍ଣ୍ଣ ସଫଳ ହେଲେ କି ଯୁଗ ସୃଷ୍ଟି ହେବ କେଜାଣି ! ଯନ୍ତ୍ର ସାହାର୍ଯ୍ୟରେ ମନୁଷ୍ୟ ଚନ୍ଦ୍ରଲୋକକୁ ଯାଇପାରେ । ଏପର୍ଯ୍ୟନ୍ତ ଯାହା ଏକ ଅବାସ୍ତବ କଳ୍ପନା ଥିଲା, ଆଜି ତାହା ସତ୍ୟରେ ପରିଣତ ହୋଇଛି । ଆହୁରି କି ଅଭୁତ ସତ୍ୟ ଏ ଭିତରେ ନିହିତ ଅଛି, ସେ କଥା ମଧ୍ୟ ଅସ୍ୱୀକାର କରାଯାଇ ନ ପାରେ ।

 

ଏହି ଯୁଗରେ ଯନ୍ତ୍ରଶିଳ୍ପ ସହିତ ମନୁଷ୍ୟ ଏତେଦୂର ଜଡ଼ିତ ଯେ, ତାହାବିନା କ୍ଷଣେ ସୁଦ୍ଧା ଚଳିବା ତାହା ପକ୍ଷରେ ସଂଭବ ନୁହେ । ବର୍ତ୍ତମାନର ଯନ୍ତ୍ରଶିଳ୍ପର ଦାଣ୍ଡର ଚାକର ଓ ଘରର ଘରଣୀ ପରି ମନୁଷ୍ୟର କାମ କରେ । ଖାଇବା, ପିଇବା, ଶୋଇବା ସବୁ ସମୟ ଓ ସବୁ ଅବସ୍ଥାରେ ସେ ଯନ୍ତ୍ରଶିଳ୍ପ ବ୍ୟବହାର କରେ । ଅନେକ ସମୟରେ ସେ ଚିନ୍ତା କରିପାରେ ନାହିଁ ଯେ, ସେ ଆଜି ଯନ୍ତ୍ରଶିଳ୍ପର ଦାସ । ଏପରି କି କେତେ ଦିନ ପରେ ମନୁଷ୍ୟ ଯନ୍ତ୍ର ହେବାର ଆଶଙ୍କା ମଧ୍ୟ ରହିଛି । ବର୍ତ୍ତମାନ ଯନ୍ତ୍ର-ମସ୍ତିଷ୍କ ଆବିଷ୍କୃତ ହେଲାଣି । ଅନୁବାଦକ ଯନ୍ତ୍ର ଓ କାବ୍ୟ କବିତା ଲିଖନ ଯନ୍ତ୍ର ଉଭାବିତ ହେବାକୁ ଯାଉଛି । ତାହାପରେ ଆଉ କୌଣସି କ୍ଷେତ୍ରରେ ମନୁଷ୍ୟର ଆବଶ୍ୟକତା ରହିବ ନାହିଁ ।

 

ବର୍ତ୍ତମାନ ମନୁଷ୍ୟ ଯନ୍ତ୍ର ଓ ଯନ୍ତ୍ରଶିଳ୍ପଦ୍ୱାରା ଐଶ୍ୱର୍ଯ୍ୟର ଅଧିକ ନିକଟବର୍ତ୍ତୀ ହୋଇପାରିଛି ସତ; କିନ୍ତୁ ବର୍ତ୍ତମାନର ଅବସ୍ଥା ଦେଖିଲେ ତାହାର ସ୍ଥାୟିତ୍ୱ ପ୍ରତି ସମସ୍ତେ ସନ୍ଦିହାନ । ନିଜର ମାନସିକ ଶକ୍ତି ପ୍ରୟୋଗ କରି ଗୋଟିଏ ଟର୍ଚ୍ଚଲାଇଟ୍‌ ଉଦ୍ଭାବନ କରିପାରିଲା; କିନ୍ତୁ ତାହାର ବ୍ୟବହାର ପାଇଁ ଯେଉଁ ଶକ୍ତି ଆବଶ୍ୟକ, ତାହାର ଅଧିକାରୀ ହେବାପାଇଁ ମଧ୍ୟ ଉଦ୍ୟମ କରିବା ଉଚିତ। ଅନ୍ୟଥା ଏହି ସଭ୍ୟତା କଳା ମେଘରେ ବିଜୁଳି ପରି କ୍ଷଣେ ଦେଖା ଦେଇ ପୁଣି ସେଥିରେ ଲୀନ ହୋଇଯାଇପାରେ ।

Image

 

ଭାରତର ଗଣତନ୍ତ୍ର

 

ଦେଶବାସୀଙ୍କ ଭୋଟରେ ନିର୍ବାସିତ ପ୍ରତିନିଧିମାନଙ୍କ ଦ୍ୱାରା ଯେଉଁ ଦେଶ ଶାସିତ ହୁଏ, ତାହାକୁ ଗଣତନ୍ତ୍ର-ରାଷ୍ଟ୍ର କୁହାଯାଏ । ଏ ହେଲା ଜନମତର ସରକାର । ଦେଶର ଜନତା କେବଳ ଏହାର ପ୍ରକୃତ ଶାସକ । ପୃଥିବୀରେ ଆମେରିକା, ଇଂଲଣ୍ଡ, ଫ୍ରାନସ୍‌ ଓ ଭାରତ ପ୍ରଭୃତି କେତୋଟି ଗଣତନ୍ତ୍ର ରାଷ୍ଟ୍ର ଅଛି । ସେ ମଧ୍ୟରୁ ଭାରତ ଗୋଟିଏ ବୃହତ୍ତମ ଗଣତନ୍ତ୍ର ରାଷ୍ଟ୍ର । ବହୁଦିନ ଇଂରେଜମାନଙ୍କ ଦ୍ୱାରା ଶାସିତ ହେବାପରେ ୧୯୪୭ ଅଗଷ୍ଟ ୧୫ ତାରିଖ ଦିନ ଭାରତ ସ୍ୱାଧିନ ହେଲା । ମହାତ୍ମା ଗାନ୍ଧିଙ୍କର ନିଷ୍ଠାପୂତ ତ୍ୟାଗ ଫଳରେ ଏହା ସମ୍ଭବ ହୋଇ ପାରିଛି । ଏଣୁ ସେ ଜାତିର ପିତା ରୂପରେ ପରିଚିତ ।

 

ମହାତ୍ମା ଗାନ୍ଧିଙ୍କର ସ୍ୱାଧୀନତା ଆନ୍ଦୋଳନ ଆରମ୍ଭ ପୂର୍ବରୁ ଭାରତରେ ଗୋଟିଏ ନିଷ୍କ୍ରିୟ କଂଗ୍ରେସ ଅନୁଷ୍ଠାନ ଥିଲା । ଗାନ୍ଧିଜୀ ତାହାର ନେତୃତ୍ୱ ନେଇ ଯେତେବେଳେ ତାହାକୁ ଏକ ସକ୍ରିୟ ଗଣଅନୁଷ୍ଠାନରେ ପରିଣତ କଲେ, ସେତେବେଳେ ସେହି କଂଗ୍ରେସ, ସ୍ୱାଧୀନତା ଲାଭ ଭାରତର ଏକମାତ୍ର ଲକ୍ଷ୍ୟ ବୋଲି ଘୋଷଣା କଲା । ମହାତ୍ମା ଗାନ୍ଧିଙ୍କର ବଳିଷ୍ଠ ନେତୃତ୍ୱ, କଂଗ୍ରେସର ତ୍ୟାଗପୂତ ଗଣଆନ୍ଦୋଳନ ଏବଂ ଦେଶବାସୀଙ୍କର ହାର୍ଦିକ, ସମର୍ଥନ ଓ ସହଯୋଗ ଫଳରେ ବିଲାତର ଶ୍ରମିକ ସରକାର ଭାରତୀୟମାନଙ୍କ ହସ୍ତରେ କ୍ଷମତା ହସ୍ତାନ୍ତର କରିବାକୁ ବାଧ୍ୟ ହେଲେ ।

 

କ୍ଷମତା ହସ୍ତାନ୍ତର ପୂର୍ବରୁ ୧୯୪୬ ରେ ପଣ୍ଡିତ ନେହେରୁଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥାପକ ସଭା ଗଠିତ ହେଲା । ସେମାନେ ଶାସନବିଧାନ ରଚନା ପ୍ରଭୃତି ପରବର୍ତ୍ତୀ କାର୍ଯ୍ୟକ୍ରମ ଆରମ୍ଭ କଲେ । ତା’ପରେ ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ୱାରା ୧୯୪୭ ଅଗଷ୍ଟ ୧୫ ତାରିଖ ଦିନ ପ୍ରକୃତ ଲୋକପ୍ରତିନିଧି ସରକାର ଗଠିତ ହେଲା । ସେହିଦିନ ସେହି ସରକାର ହସ୍ତରେ ବିଲାତ ସରକାରଙ୍କ ପକ୍ଷରୁ ତତ୍‌କାଳୀନ ବଡ଼ଲାଟ ଲର୍ଡ଼ ମାଉଣ୍ଟବେଟେନ୍‌ ଶାସନ ଦାୟିତ୍ୱ ଅର୍ପଣ କଲେ । ସେତେବେଳେ ପଣ୍ଡିତ ନେହେରୁ ପ୍ରଧାନମନ୍ତ୍ରୀ, ସର୍ଦ୍ଦାର ବଲ୍ଳଭଭାଇ ପଟେଲ ଉପ-ପ୍ରଧାନମନ୍ତ୍ରୀ ଏବଂ ରାଜଗୋପାଳଚାରୀ ବଡ଼ଲାଟ ରୂପେ କାର୍ଯ୍ୟ ଭାର ଗ୍ରହଣ କଲେ । ତା’ପରେ ୧୯୫୦ ଜାନୁଆରୀ ୨୬ ତାରିଖ ଦିନ ଭାରତ ଏକ ସାର୍ବଭୌମ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ ହେଲା । ସେତେବେଳେ ଡ଼କ୍ଟର ରାଜେନ୍ଦ୍ର ପସାଦ ହେଲେ ରାଷ୍ଟ୍ରପତି । ସେହି ସମୟକୁ ଡ଼କ୍‌ଟର ଆମ୍ବେଦକରଙ୍କ ସଭାପତିତ୍ୱରେ ସମ୍ବିଧାନ ରଚିତ ହୋଇ ପାର୍ଲିଆମେଣ୍ଟରେ ଗୃହୀତ ହୋଇଯାଇଥିଲା । ଏଣୁ ସଂବିଧାନର ନିର୍ଦ୍ଦେଶ ଅନୁସାରେ ଭାରତର ଶାସନକାର୍ଯ୍ୟ ପରିଚାଳିତ ହେଲା ।

 

ଭାରତର ସଂବିଧାନ ଏକ ଆଦର୍ଶ ସଂବିଧାନ । ପୃଥିବୀର ବଡ଼ ବଡ଼ ସଂବିଧାନର ଉଚ୍ଚ ଆଦର୍ଶ ଏବଂ ଭାରତର ପରମ୍ପରାକୁ ଆଖି ଆଗରେ ରଖି ଏହି ସଂବିଧାନ ରଚିତ ହୋଇଅଛି । ଏଥିରେ ଜାତିଧର୍ମ ନିର୍ବିଶେଷରେ ସମସ୍ତଙ୍କର ସମାନ ନାଗରିକ ଅଧିକାର ସ୍ୱୀକାର କରାଯାଇଛି ଏବଂ ସମାଜବାଦ,ଧର୍ମନିରପେକ୍ଷତା ଓ ପାର୍ଲାମେଣ୍ଟାରି ଗଣତନ୍ତ୍ରକୁ ମଧ୍ୟ ଗ୍ରହଣ କରାଯାଇଛି । ଭାରତର ସଂବିଧାନ ଅପରିବର୍ତ୍ତନୀୟ ବା କଠୋର ନୁହେ ।

 

ସମ୍ବିଧାନର ନିୟମ ଆନୁସାରେ ଭାରତରେ ପ୍ରତି ପାଞ୍ଚବର୍ଷରେ ଥରେ ନିର୍ବାଚନ ହୁଏ । ୨୧ ବର୍ଷ ବା ତାହାଠାରୁ ଉର୍ଦ୍ଧ୍ୱ ପ୍ରତ୍ୟେକ ନରନାରୀ ଭୋଟ ଦିଅନ୍ତି । ଏହାକୁ ପ୍ରତ୍ୟକ୍ଷ ନିର୍ବାଚନ କୁହାଯାଏ । ଏହିପରି ନିର୍ବାଚନ ସୁତ୍ରରେ କେନ୍ଦ୍ରରେ ଲୋକସଭା ଓ ରାଜ୍ୟ ଗୁଡ଼ିକରେ ବିଧାନସଭା ଗଠିତ ହୁଏ । ଏମାନେ କେବଳ ପ୍ରକୃତ ଲୋକ ପ୍ରତିନିଧି । ୨୫ ବର୍ଷ ବା ତାହାଠାରୁ ଉର୍ଦ୍ଧ୍ୱ ଯେ କୌଣସି ଭାରତୀୟ ନାଗରିକ ଇଚ୍ଛା କଲେ ଏହି ଉଭୟ ସଭାର ସଭ୍ୟପଦପାଇଁ ପ୍ରତିଯୋଗିତା ମଧ୍ୟ କରିପାରିବେ । ସମଗ୍ର ଭାରତରୁ ଲୋକ ସଭାପାଇଁ ୫୨୦ ଜଣ ସଭ୍ୟ ନିର୍ବାଚିତ ହୁଅନ୍ତି ଏବଂ ରାଷ୍ଟ୍ରପତିଙ୍କ ଦ୍ୱାରା ଆଉ ତିନଜଣ ସଭ୍ୟ ମନୋନୀତ ହୁଅନ୍ତି । କମପକ୍ଷରେ ପ୍ରତ୍ୟେକ ପାଞ୍ଚଲକ୍ଷ ଲୋକଙ୍କ ପାଇଁ ଜଣେ ଲୋକସଭା ସଭ୍ୟ ନିର୍ବାଚିତ ହୁଅନ୍ତି । ଏହାଛଡ଼ା କେନ୍ଦ୍ରରେ ଗୋଟିଏ ରାଜ୍ୟସଭା ଅଛି । ଏହାର ସଭ୍ୟ ସଂଖ୍ୟା ୨୪୦ । ଏ ମଧ୍ୟରୁ ୧୨ ଜଣ ସଭ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୁଅନ୍ତି ଏବଂ ଅନ୍ୟମାନେ ବିଧାନ ସଭା ସଭ୍ୟମାନଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି । ଓଡ଼ିଶାର ରାଜ୍ୟସଭା ସଭ୍ୟସଂଖ୍ୟା ୨୦ ଏବଂ ବିଧାନ ସଭା ସଭ୍ୟସଂଖ୍ୟା ୧୪୦ । ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକକୁ ପାର୍ଲାମେଣ୍ଟ କୁହାଯାଏ ।

 

ଏହାଛଡ଼ା ବିଧାନସଭା ଏବଂ ପାର୍ଲମେଣ୍ଟର ସଭ୍ୟମାନଙ୍କଦ୍ୱାରା ରାଷ୍ଟ୍ରପତି ଏବଂ ପାର୍ଲାମେଣ୍ଟଦ୍ୱାରା ଉପରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି । ଉପରାଷ୍ଟ୍ରପତି ରାଜ୍ୟ ସଭାରେ ସଭାପତିତ୍ୱ କରନ୍ତି । ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ରାଜ୍ୟପାଳମାନଙ୍କର ବୟସ ୩୫ ବର୍ଷ ବା ତାହାଠାରୁ ଉର୍ଦ୍ଧ୍ୱ ହେବା ଆବଶ୍ୟକ । ରାଷ୍ଟ୍ରପତି କେବଳ ଦେଶର ସର୍ବୋଚ୍ଚ ଶାସନମୁଖ୍ୟ ଏବଂ ସର୍ବୋଚ୍ଚ ସେନାଧ୍ୟକ୍ଷ-। ତଥାପି ଶାସନ କ୍ଷେତ୍ରରେ ତାହାଙ୍କର କ୍ଷମତା ସୀମିତ । ଭାରତରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନେ କେବଳ ପ୍ରକୃତ ଶାସକ । ରାଷ୍ଟ୍ରପତି ଲୋକ ସଭାର ସଂଖ୍ୟାଧିକ ଦଳର ନେତାଙ୍କୁ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତ କରନ୍ତି ଏବଂ ସେହି ନିୟମରେ ବିଧାନ ସଭାରେ ରାଜ୍ୟପାଳଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ମଧ୍ୟ ନିଯୁକ୍ତ ହୁଅନ୍ତି । ତା’ ପରେ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ଅନ୍ୟ ମନ୍ତ୍ରୀମାନଙ୍କୁ ନିୟୁକ୍ତ କରନ୍ତି । ଗଣତନ୍ତ୍ର ଦେଶରେ ମନ୍ତ୍ରିମଣ୍ଡଳ ପ୍ରତିନିଧିମାନଙ୍କଠାରେ ଦାୟୀ ଏବଂ ପ୍ରତିନିଧିମାନେ ଦେଶବାସୀଙ୍କଠାରେ ଦାୟୀ ।

 

ରାଜ୍ୟ ଗୁଡ଼ିକରେ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟପାଳମାନେ ନିଯୁକ୍ତ ହୁଅନ୍ତି । ରାଷ୍ଟ୍ରପତିଙ୍କ ପରି ରାଜ୍ୟଗୁଡ଼ିକରେ ସେମାନେ ମଧ୍ୟ ଶାସନମୁଖ୍ୟ । କେନ୍ଦ୍ରର ରାଜ୍ୟସଭା ଅନୁକରଣରେ କେତେ ରାଜ୍ୟରେ ଗୋଟିଏ ଗୋଟିଏ ବିଧାନ ପରିଷଦ ଅଛି । ବିଧାନ ସଭା ଓ ବିଧାନ ପରିଷଦର ମିଳିତ ବୈଠକକୁ ବିଧାନମଣ୍ଡଳ କୁହାଯାଏ । ପ୍ରତ୍ୟେକ ସଭାରେ ସଭାର ଦୈନିକ କାର୍ଯ୍ୟକ୍ରମ ପରିଚାଳନା କରିବାପାଇଁ ଜଣେଜଣେ ବାଚସ୍ପତି ଓ ଉପବାଚସ୍ପତି ଥାନ୍ତି । ସଭାରେ କୌଣସି ବିଷୟରେ ମତବିରୋଧ ହେଲେ, ଭୋଟ ନିଆଯାଏ । ଅଧିକ ସଂଖ୍ୟକ ଭୋଟ ଯେଉଁ ପକ୍ଷରେ ହୁଏ, ତାହା କେବଳ ଗୃହୀତ ହୁଏ । ଏହା ଛଡ଼ା ମନ୍ତ୍ରିମଣ୍ଡଳ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବା ବିଧି ମଧ୍ୟ ଅଛି-। ଯଦି ଏହା ଅଧିକ ଭୋଟରେ ଗୃହୀତ ହୁଏ, ତେବେ ମନ୍ତ୍ରିମଣ୍ଡଳ ଇସ୍ତଫା ଦିଅନ୍ତି । ଯେଉଁ ପ୍ରସ୍ତାବଟି ବିଭିନ୍ନ ସଭାରେ ଅଧିକାଂଶ ଭୋଟରେ ଗୃହୀତ ହୁଏ,ତାହା କେବଳ ଦେଶରେ କାର୍ଯ୍ୟକାରୀ ହୁଏ ।

 

ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧି ପର୍ଯ୍ୟନ୍ତ ସମସ୍ତେ ନିର୍ବାଚିତ ହେବା ପରେ ଶପଥ ନେଇ ନିଜନିଜ ଆସନରେ ବସନ୍ତି । ଯଦି ନିର୍ବାଚନରେ କେହି ଅବୈଧ ନୀତି ଅବଲମ୍ବନ କରନ୍ତି, ତାହାଙ୍କର ନିର୍ବାଚନ ଅସିଦ୍ଧ ହୋଇଯାଏ । ଯଦି କୌଣସି କାରଣରୁ କେନ୍ଦ୍ରରେ ବା ରାଜ୍ୟରେ ମନ୍ତ୍ରିମଣ୍ଡଳ ଭାଙ୍ଗିଯାଏ ବା ମନ୍ତ୍ରିମଣ୍ଡଳରେ କୌଣସି ସଙ୍କଟ ଉପସ୍ଥିତ ହୁଏ ବା କୌଣସି ଜରୁରୀ କାଳୀନ ଅବସ୍ଥା ଉପୁଜେ,ତେବେ ରାଷ୍ଟ୍ରପତି ବା ରାଜ୍ୟପାଳମାନେ କ୍ଷମତା ହାତକୁ ନେଇ ଦେଶ ଶାସନ କରନ୍ତି । ଏହାକୁ ରାଷ୍ଟ୍ରପତି ଶାସନ କୁହାଯାଏ । ମନ୍ତ୍ରିମଣ୍ଡଳ ଭାଙ୍ଗିବାର ଛଅମାସ ମଧ୍ୟରେ ସେହି ସ୍ଥାନରେ ପୁଣି ନିର୍ବାଚିତ ହୁଏ । ଏହାକୁ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ କରନ୍ତି । ସେହି ମନ୍ତ୍ରିମଣ୍ଡଳ ପୁଣି ପାଞ୍ଚବର୍ଷ ଚାଲେ ।

 

ସଂବିଧାନର ନିର୍ଦ୍ଦେଶ ଅନୁସାରେ ରାଜ୍ୟଗୁଡ଼ିକର କ୍ଷମତା ସୀମିତ । କେନ୍ଦ୍ରରୁ କେବଳ ସମଗ୍ର ଭାରତ ଶାସିତ ହୁଏ ବୋଲି କହିଲେ ଚଳେ । ରାଜ୍ୟ ଓ କେନ୍ଦ୍ରର କ୍ଷମତା କ’ଣ, ତାହା ସମ୍ବିଧାନରେ ଲିପିବଦ୍ଧ ହୋଇ ରହିଛି । ତାହାକୁ କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଓ ଉଭୟ ତାଲିକା କୁହାଯାଏ । ମୁଦ୍ରା, ବାଣିଜ୍ୟ, ପ୍ରତିରକ୍ଷା, ରେଳ, ବନ୍ଦର, ବଡ଼ବଡ଼ ଶିଳ୍ପ, ଖଣି ବୈଦେଶିକ ନୀତି ପ୍ରଭୃତି ଦାୟିତ୍ୱ କେନ୍ଦ୍ରଦ୍ୱାରା ପରିଚାଳତ ହୁଏ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ, ଅରଣ୍ୟ ପ୍ରଭୃତି ରାଜ୍ୟ ସରକାରମାନେ ପରିଚାଳନା କରନ୍ତି ।

 

ଭାରତ ସରକାର ଲୋକମତର ସରକାର; ଏଣୁ ସମସ୍ତେ ସମାନ ନ୍ୟାୟ ପାଇବା ଉଦ୍ଦେଶ୍ୟରେ ବିଚାର ବିଭାଗକୁ ଶାସନ ବିଭାଗରୁ ପୃଥକ୍‌ କରାଯାଇଛି ଏବଂ ଦେଶର ପ୍ରତ୍ୟେକ ନାଗରିକକୁ ନିଜ ଅଧିକାରରୁ ବଞ୍ଚିତ ହେଲେ ବିଚାରଳୟର ଆଶ୍ରୟ ନେବାପାଇଁ ଅଧିକାର ମଧ୍ୟ ଦିଆଯାଇଛି । ଗଣତନ୍ତ୍ର ରାଜ୍ୟଗୁଡ଼ିକ ସମସ୍ତେ ସମାନ ଅଧିକାରୀ, ସେମାନେ ଇଚ୍ଛା କଲେ ସରକାର ରହେ ଓ ଇଚ୍ଛା କଲେ ଭାଙ୍ଗିଯାଏ । ରାଜତନ୍ତ୍ର ବା ଏକଛତ୍ର ଶାସନରେ ପ୍ରଜାମାନଙ୍କର ଏହି ଅଧିକାର ନ ଥାଏ । ଏଣୁ ଗଣତନ୍ତ୍ର ଶାସନ ହିଁ ଶ୍ରେଷ୍ଠ ଶାସନ ବୋଲି ଗୃହୀତ ହୋଇଛି । ଗଣତନ୍ତ୍ର ଶାସନର ଆଉ ଗୋଟିଏ ଉଦ୍ଦେଶ୍ୟ ହେଲା ଇଶ୍ୱରଙ୍କ ସୃଷ୍ଟିରେ ସମସ୍ତେ ସମାନ । ଏଣୁ ଜଣେ ଦଳିତ, ଜଣେ ପ୍ରଭୁ, ଜଣେ ବୁଭୁକ୍ଷ ଓ ଜଣେ କୋଟିପତି ହୋଇ ରହିବେ ନାହିଁ । ତଥାପି ନେତୃବୃନ୍ଦ ଓ ଦେଶବାସୀ ଉଭୟେ ଯଦି ସାଧୁ, ଦେଶଭକ୍ତ, ନିଃସ୍ୱାର୍ଥପର ଓ ବିଚାରକ ନ ହୁଅନ୍ତି, କୌଣସି ଶାସନ ଯଶସ୍ୱୀ ହୁଏ ନାହିଁ । ଗଣତନ୍ତ୍ର ଶାସନ ମଧ୍ୟ ‘‘ପୋଥୀ ବାଇଗଣ’’ ହୋଇ ରହେ । ସମାଜ ଭିତରେ ଦେବତା ଅଛନ୍ତି ଏବଂ ଅସୁର ମଧ୍ୟ ଅଛନ୍ତି । ଆକାର ଏହାର ସଂକେତ ବା ଲକ୍ଷଣ ନୁହେ । ଆଚରଣ କେବଳ କିଏ ଦେବତା କିଏ ଅସୁର ଜଣାଇଦିଏ । ଦେବତାମାନଙ୍କ ପାଇଁ କୌଣସି ଚିନ୍ତାର ଅବକାଶ ନାହିଁ । କିନ୍ତୁ ଜଣେ ରାକ୍ଷସ ଦ୍ୱାରା ସବୁ ଉଦ୍ୟମ ପଣ୍ଡ ହୋଇଯାଏ । ଦେଶବାସୀ ଯଦି ଦେଶ ପ୍ରତି ଅନୁରକ୍ତ ହେବା ସଙ୍ଗେ ସଙ୍ଗେ ଏଥିପ୍ରତି ସତର୍କ ହୁଅନ୍ତି, ତେବେ ଆଉ କୌଣସି ଅସୁବିଧା ରହିବ ନାହିଁ । ଗ୍ରୀଷ୍ମ ଋତୁରେ କୁହୁଡ଼ି ପରି ଅସୁରମାନେ ଆପେ ଆପେ ବାୟୁମଣ୍ଡଳରେ ଲୀନ ହୋଇଯିବେ ।

 

ଦଳଗଠନ ମଧ୍ୟ ଗଣତନ୍ତ୍ରର ପରଂପରା । ଗୋଟିଏ ଦଳ ଶାସନ କରିବେ । ସେଥିରେ କୌଣସି ତ୍ରୁଟି ରହିଲେ ଅନ୍ୟ ଦଳ ତାହାର ଗଠନମୂଳକ ସମାଲୋଚନା କରିବେ । ଏହି ଦଳମାନଙ୍କଦ୍ୱାରା ଦେଶର ପ୍ରଗତି ବ୍ୟାହତ ହେବା ଉଚିତ ନୁହେ; ବରଂ ଏହି ଦଳଗୁଡ଼ିକର ଶକ୍ତି ବା କାର୍ଯ୍ୟକ୍ରମ ନିଜପାଇଁ ବା ନିଜ ଦଳପାଇଁ ଉଦ୍ଦିଷ୍ଟ ନ ହୋଇ ଦେଶପାଇଁ ଉଦ୍ଦିଷ୍ଟ ହେବା ଉଚିତ । ଏହି ଗଣତନ୍ତ୍ର କେବଳ ସୁସ୍ଥ ଗଣତନ୍ତ୍ର, ଏହି ରାଜ୍ୟର ଅଧିବାସୀ କେବଳ ସୁଖୀ ଓ ଭାଗ୍ୟବାନ୍‌ ।

Image

 

Unknown

ଗ୍ରାମ ପଞ୍ଚାୟତ

 

ପଞ୍ଚାୟତର ଅର୍ଥ ପାଞ୍ଚଜଣ ନ୍ୟାୟପରାୟଣ, ବିଶ୍ୱସ୍ତ ବେସରକାରୀ ବିଚାରପତିଙ୍କ ଦ୍ୱାରା ଗଠିତ ଏକ ବିଚାରକଗୋଷ୍ଠୀ । କେତେକ ବିବାଦର ନିଷ୍ପତ୍ତି ପାଇଁ ବିବାଦ ସହିତ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଏପରି ଗୋଟିଏ ଅନୁଷ୍ଠାନ ଗଠିତ ହୁଏ । ଏହି ବିଚାରକମଣ୍ଡଳୀ ଗ୍ରାମବାସୀଙ୍କର ଅଧିକ ଆସ୍ଥାଭାଜନ ଏବଂ ନ୍ୟାୟାଧୀଶ ରୂପେ ଧରାଯାନ୍ତି । ପ୍ରଥମେ ହୁଏତ ପାଞ୍ଚଜଣଙ୍କୁ ନେଇ ଏହି ବିଚାରବିଭାଗ ଗଠିତ ହୋଇଥିଲା । ଏଣୁ ଏହାର ନାମ ହେଲା ପଞ୍ଚାୟତ । ତଥାପି କାଳକ୍ରମରେ ଏହା ଗୋଟିଏ ରୁଢ଼ୀ ପ୍ରୟୋଗରେ ପରିଣତ ହୋଇଛି । ଜଣେ ବ୍ୟକ୍ତି ହସ୍ତରେ ଯଦି କୌଣସି ବିବାଦ ନିଷ୍ପତ୍ତି କରିବା ଦାୟିତ୍ୱ ଦିଆଯାଏ, ସେ ମଧ୍ୟ ପଞ୍ଚାୟତ । ତାହାକୁ ଏକ ପଞ୍ଚାୟତ କୁହାଯାଏ । ବର୍ତ୍ତମାନ ସରକାରଙ୍କ ଦ୍ୱାରା ଯେଉଁ ‘‘Tribunal’’ ଗଠିତ ହୁଏ, ତାହା ଠିକ୍‌ ଏହି ପଞ୍ଚାୟତର ନାମାନ୍ତର ମାତ୍ର ।

 

ଅନେକ ସମୟରେ କେତେକ ସାମୟିକ ବିବାଦର ନିଷ୍ପତ୍ତିପାଇଁ ସାମୟିକ ଭାବରେ ଏପରି ପଞ୍ଚାୟତ ଗଠିତ ହୁଏ । ବିବାଦର ନିଷ୍ପତ୍ତି ପରେ ଅନୁଷ୍ଠାନଟି ଭାଙ୍ଗିଯାଏ । ଏହା ସଂପୂର୍ଣ୍ଣ ବେସରକାରୀ ଅନୁଷ୍ଠାନ । ତଥାପି ଏହାର ନିଷ୍ପତ୍ତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଏ । ଏତାଦୃଶ ଅନୁଷ୍ଠାନ ବର୍ତ୍ତମାନସୁଦ୍ଧା ରହିଛି, ଭବିଷ୍ୟତରେ ମଧ୍ୟ ରହିଥିବ ।

 

ପ୍ରାଚୀନ ଆର୍ଯ୍ୟସମାଜ ରାଜତନ୍ତ୍ର ପ୍ରତିଷ୍ଠିତ ହେବା ପର୍ଯ୍ୟନ୍ତ ପଞ୍ଚାୟତ ଦ୍ୱାରା କେବଳ ଶାସିତ ହେଉଥିଲା । ଏଣୁ ପଞ୍ଚାୟତ ଶାସନ ବିଶ୍ୱକୁ ଭାରତର ଦାନ ପରି ମନେହୁଏ । କେବଳ ସେତିକି ନୁହେ, ଅନେକ ବଡ଼ ବଡ଼ ଶାସକ ମଧ୍ୟ ପଞ୍ଚାୟତ ଶାସନ ପଦ୍ଧତି ଗ୍ରହଣ କରିଥିଲେ । ମୌର୍ଯ୍ୟ ଚନ୍ଦ୍ରଗୁପ୍ତଙ୍କ ସମୟରେ ସହରଗୁଡ଼ିକ ପଞ୍ଚାୟତ ଦ୍ୱାରା ଶାସିତ ହେଉଥିଲା । ଏହି ଶବ୍ଦଟି ଭାରତରେ ଏତେ ଜନପ୍ରିୟ ଯେ, ଲୋକେ କଥାକଥାକେ କହି ଦିଅନ୍ତି, ବିଷୟଟି ପଞ୍ଚାୟତରେ ପଡ଼ି ନିଷ୍ପତ୍ତି ହେଉ । ଗ୍ରାମଗୁଡ଼ିକରେ ଯେଉଁ ମଠ, ମନ୍ଦିର ଓ ଭାଗବତ ଘର ଅଛି.ସେଗୁଡ଼ିକ ଦିନେ ପଞ୍ଚାୟତର କାର୍ଯ୍ୟାଳୟ ଭାବରେ କାମ କରୁଥିଲା । ଗ୍ରାମବାସୀମାନେ ଏହି ସ୍ଥାନରେ ବସି ଗ୍ରାମର ବିବାଦ ନିଷ୍ପତ୍ତି କରୁଥିଲେ । ମନେ ହୁଏ, ଏହି ସ୍ଥାନରେ ଲୋକେ ଅନ୍ୟ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରିବାକୁ ଭୟ କରୁଥିଲେ; ଏଣୁ ନିଷ୍ପତ୍ତି ସମସ୍ତଙ୍କର ଗ୍ରହଣଯୋଗ୍ୟ ହେଉଥିଲା ।

 

ଦୀର୍ଘ ଦିନର ଇଂରେଜ ଶାସନରେ ମଧ୍ୟ ପଞ୍ଚାୟତକୁ ସଂପୂର୍ଣ୍ଣ ବାଦ୍‍ ଦିଆଯାଇ ନ ଥିଲା-। ସେହି ସମୟରେ ମଧ୍ୟ କେତେ ସ୍ଥଳରେ ଗୋଟିଏ ଗୋଟିଏ ପଞ୍ଚାୟତ କାର୍ଯ୍ୟାଳୟ ଥିଲା ଏବଂ ପଞ୍ଚାୟତର ଯେ କୌଣସି ନିଷ୍ପତି ଉପରେ ପ୍ରତିବାଦ ବା ଅପୀଲ ତଳ ଅଦାଲତରେ ନ ହୋଇ ଉପର ଅଦାଲତରେ ହେଉଥିଲା । ବର୍ତ୍ତମାନ ଯେଉଁ ଜୁରି ପ୍ରଥା ଅଛି, ସେ ମଧ୍ୟ ପଞ୍ଚାୟତ । ଏମାନେ କୌଣସି ବ୍ୟକ୍ତି ବିରୁଦ୍ଧରେ ପ୍ରାଣଦଣ୍ଡ ବା ଦ୍ୱୀପାନ୍ତର ଆଦେଶ ଦେଲା ସମୟରେ ସର୍ବୋଚ୍ଚ ଅଦାଲତର ବିଚାରପତିଙ୍କୁ ପରାମର୍ଶ ଦିଅନ୍ତି ।

 

ବର୍ତ୍ତମାନ ପଞ୍ଚାୟତ ଗୋଟିଏ ରାଜନୈତିକ ଅନୁଷ୍ଠାନରେ ପରିଣତ ହୋଇଛି । ଏହି ପଞ୍ଚାୟତ ଦ୍ୱାରା ଗ୍ରାମଗୁଡ଼ିକର କେତେକ ଶାସନକାର୍ଯ୍ୟ ପରିଚାଳିତ ହୁଏ । ଲୋକସଭା ଓ ବିଧାନସଭାପରି ଗ୍ରାମପଞ୍ଚାୟତ ମଧ୍ୟ ନିର୍ବାଚନ ସୂତ୍ରରେ ଗଠିତ ହୁଏ । ପ୍ରାୟ ପାଞ୍ଚ ହଜାରରୁ ଆଠ ହଜାର ପର୍ଯ୍ୟନ୍ତ ଜନସଂଖ୍ୟାବିଶିଷ୍ଟ ଗୋଟିଏ ଗ୍ରାମ ବା ଗ୍ରାମସମୂହ ବା ଗୋଟିଏ ଗ୍ରାମର ଗୋଟିଏ ଅଂଶ ମଧ୍ୟ ଗୋଟିଏ ଗ୍ରାମପଞ୍ଚାୟତର ଅନ୍ତର୍ଗତ ହୋଇପାରେ । ଗୋଟିଏ ପଞ୍ଚାୟତରେ ଏଗାରଠାରୁ ପଚିଶ ପର୍ଯ୍ୟନ୍ତ ସଭ୍ୟ ରହନ୍ତି । ଏଥିରେ ଯଦି ଅନ୍ତତଃ ଜଣେ ମହିଳା ବା ଜଣେ ହରିଜନ ନିର୍ବାଚିତ ହୋଇ ନ ଥାନ୍ତି, ତେବେ ସେ ମଧ୍ୟରୁ ଜଣେ ବା ଦୁହେଁ ମନୋନୀତ ହୋଇ ସମିତିକୁ ଆସନ୍ତି । ପ୍ରତି ପଞ୍ଚାୟତରେ ଜଣେ ମୁଖ୍ୟ ଓ ଜଣେ ଉପମୁଖ୍ୟ ରହନ୍ତି । ସେମାନଙ୍କୁ ଯଥାକ୍ରମେ ସରପଞ୍ଚ ଓ ନାଏବ ସରପଞ୍ଚ କୁହାଯାଏ । ପ୍ରତି ତିନିବର୍ଷରେ ଥରେ ଏହି ନିର୍ବାଚନ ହୁଏ-

 

୨୧ ବର୍ଷ ବା ତା’ଠାରୁ ଊର୍ଦ୍ଧ ବୟସ୍କ ନାଗରିକ ଗ୍ରାମପଞ୍ଚାୟତ ସଭ୍ୟ ହୋଇପାରିବେ । ଏହିପରି କତୋଟି ଗ୍ରାମପଞ୍ଚାୟତକୁ କେନ୍ଦ୍ରକରି ଗୋଟିଏ ପଞ୍ଚାୟତ ସମିତି ବା Bloc office ଗଠିତ ହୁଏ । ଏଥିରେ ମଧ୍ୟ ଜଣେ ଚେୟାରମ୍ୟାନ୍‌ ମୁଖ୍ୟ ହୋଇ ରହନ୍ତି । ସେ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି । ଏଥିରେ ସାଧାରଣତଃ ପଞ୍ଚାୟତ ସଭ୍ୟମାନେ ପ୍ରତିଯୋଗିତା କରନ୍ତି । ଯଦି ସରପଞ୍ଚ ଓ ନାଏବ ସରପଞ୍ଚମାନେ ଚେୟାରମ୍ୟାନ୍‌ ନିର୍ବାଚିତ ହୁଅନ୍ତି, ତେବେ ସେମାନଙ୍କୁ ପୂର୍ବ ପଦରୁ ଇସ୍ତଫା ଦେବାକୁ ହୁଏ । ଚେୟାରମ୍ୟାନ୍‌ଙ୍କ ପରାମର୍ଶରେ ଜଣେ ବି. ଡ଼ି. ଓ. ଙ୍କ ଦ୍ୱାରା ସମିତି କାର୍ଯ୍ୟ ପରିଚାଳିତ ହୁଏ । ଗୋଟିଏ ଜିଲାରେ ଏହିପରି ଅନେକ ସମିତି ଥାଏ । ଓଡ଼ିଶାର ପ୍ରାୟ ଛୟାଳିଶ ହଜାର ଚାରିଶହ ଛଷଠୀଟି ଗ୍ରାମରେ ୩୭୦ଟି ପଞ୍ଚାୟତ ସମିତି ଗଠିତ ହୋଇଅଛି । ଏହି ସମିତିଗୁଡ଼ିକରେ କୃଷି, ଶିକ୍ଷା, ଜଳସେଚନ, ସାମାଜିକ ଶିକ୍ଷା, ସମବାୟ, ପ୍ରଚାର ପ୍ରଭୃତି ବିଭାଗରୁ ସାତ ଆଠ ଜଣ ସଭ୍ୟ ମଧ୍ୟ ରହନ୍ତି । ସେମାନେ ବିଭିନ୍ନ ବିଷୟରେ ଲୋକଙ୍କୁ ପରାମର୍ଶ ଦିଅନ୍ତି ଓ ସାହାଯ୍ୟ ମଧ୍ୟ କରନ୍ତି ।

 

ଏହି ପଞ୍ଚାୟତ ସମିତି ଖଜଣାରୁ ଶତକଡ଼ା ପନ୍ଦର ଭାଗ ଏବଂ କିଛି ପଥକର ପାଏ । ଏହା ସଙ୍ଗେ ସଙ୍ଗେ ଏମାନଙ୍କୁ କିଛି ସ୍ଥାନୀୟ କର ବସାଇବା ଅଧିକାର ମଧ୍ୟ ଦିଆଯାଇଛି । ଏହି ସମିତିମାନଙ୍କ ଦ୍ୱାରା ରାସ୍ତାଘାଟ, ବିଦ୍ୟାଳୟ ନିର୍ମାଣ, କ୍ଷୁଦ୍ର ଜଳସେଚନ, ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା, ମାଛ ଚାଷ, କୁକୁଡ଼ା ଚାଷ, ସମବାୟ ସମିତି ପ୍ରତିଷ୍ଠା, ସାର, ବିହନ, ରେଡ଼ିଓ ଯୋଗାଣ, ଆଦିବାସୀ ଓ ହରିଜନମାନଙ୍କର ଉନ୍ନତି, ସାମାଜିକ ଶିକ୍ଷା ଓ ପ୍ରୌଢ଼ ଶିକ୍ଷା ପ୍ରଭୃତି ବହୁ ଉନ୍ନତିକର କାର୍ଯ୍ୟ କରାଯାଏ ।

 

ଏହି ସମିତିମାନଙ୍କ ଉପରେ ପ୍ରତି ଜିଲାରେ ଗୋଟିଏ ଗୋଟିଏ ଜିଲାପରିଷଦ ରହିଛି । ଜିଲାପରିଷଦଗୁଡ଼ିକ ପଞ୍ଚାୟତ ସମିତିଗୁଡ଼ିକୁ ନେଇ ଗଠିତ । ଏଗୁଡ଼ିକ ପୂର୍ବତନ ଜିଲାବୋର୍ଡ଼ ପରି ଗୋଟିଏ ଗୋଟିଏ ଅନୁଷ୍ଠାନ । ଏଥିରେ ମଧ୍ୟ ଜଣେ ଚେୟାରମ୍ୟାନ୍‌ ଶାସନମୂଖ୍ୟ ହୋଇ ରହନ୍ତି । ସମିତି ବାହାରର ଜଣେ ବ୍ୟକ୍ତି ସରପଞ୍ଚ ଓ ନାଏବ ସରପଞ୍ଚମାନଙ୍କ ଦ୍ୱାରା ନିର୍ବାଚିତ ହୋଇ ଏହି ସ୍ଥାନକୁ ଆସନ୍ତି । ସମିତିଗୁଡ଼ିକର ଚେୟାରମ୍ୟାନ୍‌ମାନେ, ଜିଲା ବିଧାନ ସଭା ସଭ୍ୟ ଓ ଲୋକସଭା ସଭ୍ୟ, ବି.ଡ଼ି.ଓ ଓ ଜିଲାପାଳ ଏହି ଜିଲା ପରିଷଦର ସଭ୍ୟ । ଜିଲାପାଳ ଏହାର ଆବାହକ ।

 

ଏହା ଏକ ସୁଚିନ୍ତିତ ଯୋଜନା । ପୂର୍ବେ ଅଫିସ ଓ ଅଫିସରମାନଙ୍କ ସହିତ ଗ୍ରାମବାସୀମାନଙ୍କର କୌଣସି ସମ୍ପର୍କ ରହୁ ନଥିଲା । ଦୂର ଓ ଅନୁନ୍ନତ ପଲ୍ଲୀଗୁଡ଼ିକ ସର୍ବଦା ଅବହେଳିତ ହୋଇ କରୁଥିଲା । ବର୍ତ୍ତମାନ ସମିତି ରହିଲା ବାରିତଳେ, ପୁଣି ଲୋକଙ୍କ ସୁବିଧା କରିବାପାଇଁ ସେଗୁଡ଼ିକ ଉଦ୍ଦିଷ୍ଟ । ଆହୁରି ଗୋଟିଏ ବଡ଼ କଥା ହେଲା, ସମିତିର ସଦସ୍ୟମାନେ ପ୍ରଧାନତଃ ସ୍ଥାନୀୟ । ତେଣୁ ଏମାନେ ସ୍ଥାନୀୟ ଅଭାବ ଅସୁବିଧା ଜାଣି ସହଜରେ ତାହାର ପ୍ରତିକାର କରିପାରନ୍ତି । ଏଣୁ ଭାରତର କୌଣସି ଅଞ୍ଚଳ ଆଉ ଅନୁନ୍ନତ ହୋଇ ରହିବା ଆଶଙ୍କା ନାହିଁ ।

 

ପ୍ରଥମେ ପ୍ରଥମେ ପଞ୍ଚାୟତ ସମିତିଗୁଡ଼ିକ ଦ୍ୱାରା ପଲ୍ଲୀଗୁଡ଼ିକର ବିଶେଷ ଅଭ୍ୟୁଦୟ ହେବାର ଦେଖାଗଲା । ପରାଧୀନ ଭାରତରେ ଯେଉଁ ପଲ୍ଲୀଗୁଡ଼ିକ ସଭ୍ୟ ଜଗତରୁ ସଂପର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଥିଲା, ପଞ୍ଚାୟତ ସମିତିଦ୍ୱାରା ସେଗୁଡ଼ିକ ଅନ୍ୟ ବଡ଼ ସହର ବା ପ୍ରଧାନ ରାଜପଥ ସହିତ ସଂଯୁକ୍ତ ହେବା ଫଳରେ ଯାତାୟାତର ବିଶେଷ ସୁବିଧା ହେଲା । କ୍ଷୁଦ୍ର ଜଳସେଚନ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେବା ଫଳରେ କୃଷିକ୍ଷେତ୍ରରେ ବିଶେଷ ଅଗ୍ରଗତି ଘଟିଛି ଏବଂ ପାନୀୟ ଜଳର ସୁବିଧା ପାଇଁ କେତେକ କୂପ ଓ ଜଳାଶୟର ବ୍ୟବସ୍ଥା କରାଯାଇଛି । ଶିକ୍ଷାର ଉନ୍ନତିପାଇଁ ଅନେକ ପାଠାଗାର ଏବଂ ଅନେକ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ସ୍ଥାପନ କରାଯାଇଛି । ପଞ୍ଚାୟତ ଦ୍ୱାରା ଏହିପରି ଅନେକ ଉତ୍ତରୋତ୍ତର ଉନ୍ନତିମୂଳକ କାର୍ଯ୍ୟପାଇଁ ଲୋକେ ଅପେକ୍ଷା କରି ରହିଥିଲେ । କିଛି ବର୍ତ୍ତମାନ ଅବସ୍ଥା ମଉଳି ଯାଇଛି ।

 

ଶୁଣାଯାଏ, ସରକାରଙ୍କ ମତରେ ଏ ଗୁଡ଼ିକ ସୁଚାରୁ ରୂପେ ପରିଚାଳିତ ହୁଏନାହିଁ । ଏଣୁ ଏଗୁଡ଼ିକ ପରୀକ୍ଷିତ ଅବସ୍ଥାରେ ରହିଛି । ଏଗୁଡ଼ିକୁ ଦିଆଯାଉଥିବା ଅର୍ଥର ପରିମାଣ ମଧ୍ୟ କମାଇ ଦିଆଯାଇଛି । ବର୍ତ୍ତମାନ ଜିଲ୍ଲା ପରିଷଦଗୁଡ଼ିକୁ ଜିଲ୍ଲା ପରାମର୍ଶ କମିଟିରେ ପରିଣତ କରାଯାଇଛି । ଏ କମିଟି ଚାରିମାସରେ ଥରେ ବସେ । କମିଟି ଆବଶ୍ୟକ ସ୍ଥଳେ ସରକାରଙ୍କୁ ପରାମର୍ଶ ଦିଏ । ଏହାର ଆବାହକ ଜିଲ୍ଲାପାଳ, ଜିଲ୍ଲାର ବିଧାନ ସଭା ସଭ୍ୟ, ପାର୍ଲାମେଣ୍ଟ ସଭ୍ୟ, ସମିତି ଚେୟାରମ୍ୟାନ୍‌, ମ୍ୟୁନିସିପାଲିଟି ଚେୟାରମ୍ୟାନ୍‌, ଭୂବନ୍ଧକ ଓ କେନ୍ଦ୍ର ବ୍ୟାଙ୍କ ସଭାପତି ଏହାର ସଭ୍ୟ-। କିନ୍ତୁ ଜିଲ୍ଲା ପରିଷଦକୁ ଯେଉଁ ଅର୍ଥଗତ କ୍ଷମତା ଦିଆଯାଇଥିଲା, ଏହାକୁ ସେ କ୍ଷମତା ଦିଆଯାଇ ନାହିଁ ।

 

ଦେଶର ହିତ ଦୃଷ୍ଟିରୁ ଏପରି ମହତ୍‌ ଅନୁଷ୍ଠାନ ଗୁଡ଼ିକ ସବୁ ଅବସ୍ଥାରେ ମହତ୍‌ ହୋଇ ରହିବା ଉଚିତ । ଏହା ସୁନିଶ୍ଚିତ ଯେ, ଆଜିର ଗଣତନ୍ତ୍ର ଶାସକ କ୍ଷୁଦ୍ର ଗ୍ରାମପଞ୍ଚାୟତର ଏକ ବିଶାଳ ରୂପ ମାତ୍ର । ଏଣୁ ପଞ୍ଚାୟତ ଶାସନ ଗଣତନ୍ତ୍ରର ମେରୁଦଣ୍ତ । ଏହି ସ୍ଥାନରୁହିଁ ଯେ କୌଣସି ଭାରତୀୟ ନାଗରିକ ଉଦାର ଓ ଉନ୍ନତ ରାଜନୈତିକ ଚେତନା ଅର୍ଜନ କରିପାରେ । ମହାତ୍ମା ଗାନ୍ଧି ସ୍ୱାଧୀନତା ପାଇବା ପାଇଁ ଯେତେ ବ୍ୟଗ୍ର ନ ଥିଲେ, ସ୍ୱାଧୀନତା ପାଇଲା ପରେ ପଞ୍ଚାୟତରାଜଦ୍ୱାରା ଭାରତକୁ ଏକ ଆଦର୍ଶ ରାଷ୍ଟ୍ରରୂପେ ଗଠନ କରିବା ପାଇଁ ତତୋଧିକ ବ୍ୟଗ୍ର ଥିଲେ । ଏହା ହିଁ ତାହାଙ୍କର ପରିକଳ୍ପିତ ରାମରାଜ୍ୟ । ତାହାଙ୍କ ମତରେ ଏହାଦ୍ୱାରା କେବଳ ଅଶିକ୍ଷିତ ଜନସାଧାରଣ ମଧ୍ୟ ସ୍ୱାଧୀନତାର ମାଧୂର୍ଯ୍ୟ ଉପଭୋଗ କରିପାରିବେ ଏବଂ ଦେଶରେ ଅନାବିଳ ଓ ନିରପେକ୍ଷ ଶାସନ ପ୍ରତିଷ୍ଠିତ ହୋଇପାରିବ ।

Image

 

ଧର୍ମଘଟ

 

ନିଜର ଉପେକ୍ଷିତ ବା ଅମୀମାଂସିତ ନ୍ୟାଯ୍ୟ ଦାବୀ ହାସଲପାଇଁ ସାଧୁମାର୍ଗରେ କର୍ତ୍ତୃପକ୍ଷଙ୍କ ନିକଟରେ ହଟିବସିବା ନୀତିକୁ ଧର୍ମଘଟ କୁହାଯାଏ । ଏହା ମଧ୍ୟ ସତ୍ୟାଗ୍ରହର ଗୋଟିଏ ଅଙ୍ଗ । ଏଣୁ ଏଥିରେ ହିଂସା ବା ବିଦ୍ରୋହର ସ୍ଥାନ ନ ଥାଏ । ଯଦିଓ ଏହା ଅବିଚାରର ପ୍ରତିବାଦ, ତଥାପି ପ୍ରତିବାଦର କଟୁତା ମଧ୍ୟ ଏଥିରେ ନ ଥାଏ । ସନ୍ତାନ ଅଭିଭାବକଠାରେ ଅଳି କଲାପରି ଏହି ପ୍ରତିବାଦ । ଏହାଦ୍ୱାରା ପ୍ରତିବାଦୀଠାରେ ବାଦୀପ୍ରତି ଖରାପ ପ୍ରତିକ୍ରିୟା ସୃଷ୍ଟି ହେବା ପରିବର୍ତ୍ତେ ବରଂ ଆନ୍ତରିକତା ପ୍ରକାଶ ପାଏ । ଏଣୁ ଏହାଦ୍ୱାରା କେତେ ଦିଗରେ ସମାଜର ବି ମଙ୍ଗଳ ହୁଏ ।

 

ମନୁଷ୍ୟଠାରେ ସାଧୁତା, କ୍ରୂରତା, ନ୍ୟାୟ, ଅନ୍ୟାୟ ପ୍ରଭୃତି ଅନେକ ଭଲ ଓ ମନ୍ଦଗୁଣ ଥାଏ । ଏଗୁଡ଼ିକର ଯଥାଯଥ ବ୍ୟବହାରକୁ ହିଁ ହିତାହିତ ଜ୍ଞାନ କହନ୍ତି । ବ୍ୟବହାର କରି ଜାଣିଲେ ସବୁ ଗୁଣ ତାହାର ହିତ ସାଧନ କରେ । ସେ ସମୟ ଦେଖି ସନ୍ନ୍ୟାସୀଠାରେ ସାଧୁତା ଓ ହିଂସ୍ର ଜନ୍ତୁଠାରେ କ୍ରୂରତା, ମିତ୍ରଠାରେ ନ୍ୟାୟ ଓ ଶତ୍ରୂଠାରେ ଅନ୍ୟାୟ ନୀତି ପ୍ରୟୋଗ କରେ । ଏହିପରି ଧର୍ମଘଟ କରିବା ମଧ୍ୟ ତାହାର ଗୋଟିଏ ସହଜାତ ପ୍ରକୃତି । ସେ ଯଦି ବେଳକାଳ ଜାଣି ତାହା ପ୍ରୟୋଗ କରେ, ବିଶେଷ ଉପକୃତ ହୁଏ । ଅନ୍ୟଥା ‘‘ଆ, ବଳଦ ମୋତେ ବିନ୍ଧ’’ ନୀତିରେ ନିଜର ଅମଙ୍ଗଳ ହୁଏ ଓ ଦେଶରେ ଅରାଜକତାର ଦ୍ୱାର ଉନ୍ମୁକ୍ତ ହୋଇଯାଏ ।

 

ଧର୍ମଘଟ ଗୋଟିଏ ନୂତନ ଉଦ୍ଭାବନ ବା ନୂତନ ରାଜନୀତି । କୌଣସି ବ୍ୟକ୍ତିବିଶେଷ ଏହାର ଜନ୍ମଦାତା ବୋଲି ଭାବିବା ନିତାନ୍ତ ଅମୂଳକ । ଅନ୍ୟାନ୍ୟ ନିତ୍ୟ ନୈମିତ୍ତିକ କର୍ମ ପରି ଏହିଭାବ ମଧ୍ୟ ମନୁଷ୍ୟର ଏକ ସହଜାତ ପ୍ରକୃତି । ସୁବିଧା ସମୟରେ ଏହା ମନୁଷ୍ୟ ହୃଦୟରେ ପ୍ରଚ୍ଛନ୍ନ ଭାବରେ ଥାଏ । ଅଭାବ ଅସୁବିଧା ସମୟରେ ସେ ଅବିଚାର ବିରୁଦ୍ଧରେ ଏହି ନୀତି ପ୍ରୟୋଗ କରେ । ଆମ ଦେଶରେ ଗୋଟିଏ ନୀତ ବାକ୍ୟ ଅଛି–‘‘ପିଲା ନ କାନ୍ଦିଲେ ମା’ କ୍ଷୀର ଦିଏନାହିଁ ।’’ ଏହା ଏକ ଚିରନ୍ତନ ସତ୍ୟ । ଶିଶୁ ଜନ୍ମ ହେବା ସଙ୍ଗେ ସଙ୍ଗେ ଅନ୍ୟ କଥା ଜାଣିବା ଦୂରେ ଥାଉ, ନିଜ ଜନ୍ମଦାତ୍ରୀ ମା’କୁ ସୁଦ୍ଧା ଜାଣେ ନାହିଁ । ଅଥଚ ସେ ଜାଣେ କ୍ଷୁଧା । କ୍ଷୁଧା ହେବା ସଙ୍ଗେ ସଙ୍ଗେ ସେ କାନ୍ଦେ ଓ ମା’ତାକୁ କ୍ଷୀର ଦିଏ । ଏ ହେଲା ଶିଶୁର ଧର୍ମଘଟ ।

 

ଅନେକ ସମୟରେ ଛୋଟ ପିଲାମାନେ ବହି, ପୋଷାକ ବା ଅନ୍ୟାନ୍ୟ ଅସୁବିଧା ନିଜ ଅଭିଭାବକମାନଙ୍କୁ ଜଣାନ୍ତି । ଯଥା ସମୟରେ ସେମାନଙ୍କର ଦାବୀ ପୂର୍ଣ୍ଣ ନ ହେଲେ, ସେମାନେ ନଖାଇ ନପିଇ, ବିଦ୍ୟାଳୟକୁ ନଯାଇ ଋଷିବସନ୍ତି । ଏ ହେଲା ସେମାନଙ୍କର ଧର୍ମଘଟ । କେତେ ସମୟରେ ବଡ଼ ପିଲାମାନେ ମଧ୍ୟ ଅଭିଭାବକଙ୍କ ଆଗରେ କେତେକ ଦାବୀ ଉପସ୍ଥାପିତ କରି ତାହା ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ହଟିବସନ୍ତି । ପରିବାର ଭିତରେ ବଡ଼ ଲୋକମାନେ ମଧ୍ୟ କୌଣସି ଗୋଟିଏ ବିଷୟରେ; ଗୁରୁତର ମତଭେଦ ଘଟିଲେ, ଦିନେ ଦୁଇଦିନ ପର୍ଯ୍ୟନ୍ତ କାହା ସହିତ ସହଯୋଗ ନ କରି ନିର୍ଲିପ୍ତ ହୋଇ ରହନ୍ତି ବା କେତେଦିନ ପର୍ଯ୍ୟନ୍ତ କୌଣସି ଅଜ୍ଞାତ ସ୍ଥାନକୁ ଚାଲିଯାନ୍ତି । ଏହା ମଧ୍ୟ ସେମାନଙ୍କର ଧର୍ମଘଟ ।

 

ଏହି ନୀତି ଏପର୍ଯ୍ୟନ୍ତ ନିଜ ଭିତରେ ବା ନିଜ ପରିବାର ଭିତରେ ଆବଦ୍ଧ ହୋଇ ରହିଥିଲା । ଆଜିକାଲି କିନ୍ତୁ ତାହା ରାଜନୈତିକ ଅସ୍ତ୍ରରେ ପରିଣତ ହୋଇ ଅନ୍ୟ ରୂପ ଧାରଣ କରିଛି । ଗଣତନ୍ତ୍ର ଦେଶରେ ନିଜର ନ୍ୟାଯ୍ୟ ଦାବୀ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପିତ କରିବାପାଇଁ ଧର୍ମଘଟ କରିବାକୁ ପ୍ରତ୍ୟେକ ନାଗରିକକୁ ଅଧିକାର ଦିଆଯାଇଛି । ଏପରି କି ଧର୍ମଘଟ ମଧ୍ୟ ଏକ ଶ୍ରେଣୀୟ ନାଗରିକ ଅଧିକାରର ଅନ୍ତର୍ଗତ । ଏଣୁ ଏହି ସୁଯୋଗ ନେଇ ବିଭିନ୍ନ କାର୍ଯ୍ୟଳୟର ସରକାରୀ କର୍ମଚାରୀ, ବିଭିନ୍ନ କମ୍ପାନୀ ବା କଳ କାରଖାନା କର୍ମଚାରୀମାନେ ଅଧିକ ଦରମା, ବୋନସ୍‌, ଛୁଟି ବା ସେପରି ବିଶେଷ କିଛି ସୁବିଧା ଦାବୀ କରି ଧର୍ମଘଟ କରନ୍ତି । ଅନେକ ସମୟରେ ଶିକ୍ଷାୟତନ ଗୁଡ଼ିକରେ ମଧ୍ୟ କେତେକ ଅଭାବ ଅସୁବିଧା ନିରାକାରଣ ପାଇଁ ଦାବୀ କରି ଧର୍ମଘଟ କରାଯାଏ ।

 

ଏହି ଧର୍ମଘଟର ସ୍ୱରୂପ ସବୁ ସ୍ଥଳ ଓ ସବୁ ସମୟରେ ସମାନ ନୁହେ । ଏହା କେତେ ସ୍ଥଳରେ ଉଗ୍ର ଓ କେତେ ସ୍ଥଳରେ ଶାନ୍ତ, କେତେ ସ୍ଥଳରେ ମଧୁର ଓ କେତେ ସ୍ଥଳରେ ତିକ୍ତ ହୋଇଉଠେ । ଧର୍ମଘଟ ପର୍ବରୁ କର୍ମଚାରୀ ବା ଅନ୍ୟମାନେ କର୍ତ୍ତୃପକ୍ଷଙ୍କୁ ଏକ ସ୍ମାରକ ପତ୍ର ଦିଅନ୍ତି । ସେମାନଙ୍କର ଅଭାବ ଅସୁବିଧା କ’ଣ ଓ ଦାବୀ କ’ଣ, ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତାହା ପୂର୍ଣ୍ଣ ନ ହେଲେ ସେମାନେ କି ପଦକ୍ଷେପ ଗ୍ରହଣ କରିବେ, ଇତ୍ୟାଦି କଥା ସେହି ସ୍ମାରକ ପତ୍ରରେ ଉଲ୍ଲେଖ ଥାଏ । ବହୁ ସମୟରେ କର୍ତ୍ତୃପକ୍ଷ ବାଦୀପକ୍ଷରୁ କେତେକ ଅଭାବ ଅସୁବିଧା ଦୂର କରି ସମାଧାନ କରିଦିଅନ୍ତି । ଏହାଦ୍ୱାରା ସମସ୍ତଙ୍କର ମଙ୍ଗଳ ହୁଏ । କିନ୍ତୁ କେତେ ସ୍ଥଳରେ ଏହି ଧର୍ମଘଟର ପରିଣତି ଗୁରୁତର ଆକାର ଧାରଣ କରେ ।

 

କେତେ ଧର୍ମଘଟରେ କର୍ମଚାରୀମାନେ କାମରେ ଯୋଗ ନ ଦେଇ କର୍ତ୍ତୃପକ୍ଷଙ୍କ ସହିତ ସଂପୂର୍ଣ୍ଣ ଅସହଯୋଗ କରନ୍ତି । ବହୁଦିନ ପର୍ଯ୍ୟନ୍ତ ଅନୁଷ୍ଠାନ ଗୁଡ଼ିକର କାମ ବନ୍ଦ ହୋଇଯାଏ । ଫଳରେ ଅନୁଷ୍ଠାନର ପ୍ରଭୂତ କ୍ଷତି ହୁଏ ଓ ଶାନ୍ତି ଶୃଙ୍ଖଳା ମଧ୍ୟ ବହୁ ପରିମାଣରେ ବ୍ୟାହତ ହୁଏ । ରେଳ, ପୋଷ୍ଟ ଅଫିସ ଓ ବନ୍ଦର ପ୍ରଭୃତି ଅତ୍ୟାବଶ୍ୟକୀୟ ବିଭାଗ ଗୁଡ଼ିକରେ ଧର୍ମଘଟ ହେଲେ ଗୁରୁତର ପରିସ୍ଥିତି ଉପୁଜେ । ଏହାଦ୍ୱାରା ସରକାର ଓ ଜନସାଧାରଣ ସାଙ୍ଘାତିକ ଅବସ୍ଥାର ସମ୍ମୁଖୀନ ହୁଅନ୍ତି । ଏଣୁ ସବୁ ପକ୍ଷରୁ ଯତ୍ନହୋଇ ଏହି ଧର୍ମଘଟଗୁଡ଼ିକ ତୁରନ୍ତ ବନ୍ଦ କରିଦିଆଯାଏ । କେତେ ସ୍ଥଳରେ କର୍ମଚାରୀମାନେ ନିଜେ କାମରେ ଯୋଗ ଦିଅନ୍ତି ନାହିଁ, କିନ୍ତୁ ଅନ୍ୟ ଉପାୟରେ ଅନୁଷ୍ଠାନ ପରିଚାଳିତ ହେଲେ ସେଥିରେ ପ୍ରବଳ ବାଧା ସୃଷ୍ଟି କରନ୍ତି । କେତେ ସମୟରେ ଏଥିରୁ ଅନେକ ଅପ୍ରୀତିକର ଅବସ୍ଥା ମଧ୍ୟ ସୃଷ୍ଟି ହୁଏ । କେତେ ସ୍ଥଳରେ କର୍ମଚାରୀମାନେ କାର୍ଯ୍ୟାଳୟରେ ଯୋଗ ଦେଇ ସୁଦ୍ଧା କାମ ନ କରି ବସିରହନ୍ତି । ଏହାକୁ କଲମଛାଡ଼ ଧର୍ମଘଟ କୁହାଯାଏ । ସମୁଦ୍ର ମନ୍ଥନର ଶେଷ ପର୍ଯ୍ୟାୟରେ ହଳାହଳ ଜାତ ହେଲାପରି ବର୍ତ୍ତମାନ ଆରମ୍ଭ ହୋଇଛି ଏକ ନୂତନ ଧର୍ମଘଟ ‘ଘେରାଉ’ ।

 

ଯଦି ଏହି ଧର୍ମଘଟ ସାଧୁମାର୍ଗରେ ପରିଚାଳିତ ନ ହୁଏ, ସେଥିରୁ ଜାତ ହୁଏ ଅନର୍ଥ । ଏହାଦ୍ୱାରା ସର୍ବସାଧାରଣଙ୍କର ଜାବନଯାତ୍ରା ଦୁର୍ବହ ହୋଇପଡ଼େ ଓ ବଡ଼ ବଡ଼ ସହରମାନଙ୍କରେ ଲକ୍ଷଲକ୍ଷ କର୍ମଚାରୀ ଓ ସାଧାରଣ ନାଗରିକମାନଙ୍କର ଅବସ୍ଥା ଅତି ଶୋଚନୀୟ ହୁଏ । କେତେକ ଗୁଣ୍ଡାଶ୍ରେଣୀର ଲୋକ ଏହି ସମୟକୁ ଅପେକ୍ଷା କରି ରହିଥାନ୍ତି । ଯଦି ଏହାର ପରିଚାଳନା ଦାୟିତ୍ୱ ସେମାନଙ୍କ ହସ୍ତକୁ ଚାଲିଯାଏ, ଆରମ୍ଭ ହୋଇଯାଏ କୁରୁକ୍ଷେତ୍ର ଯୁଦ୍ଧ । ପ୍ରଥମରେ ଧର୍ମଘଟ, ଦ୍ୱିତୀୟରେ ଲୁଟି, ତୃତୀୟରେ ଲାଠି, ଚତୁର୍ଥରେ ମେଳି, ପଞ୍ଚମରେ ଗୁଳି, ତା’ପରେ ଆରମ୍ଭ ହୋଇଯାଏ ଲକ୍ଷଲକ୍ଷ ଟଙ୍କାର ଧନ ସମ୍ପତ୍ତିର ଜଳାପୋଡ଼ା ଓ ମୂହୂର୍ତ୍ତକରେ ସବୁ ଶ୍ମଶାନ । ସାଧାରଣ ଦର୍ଶକମାନେ ଏହାକୁ ଦେଶର ଦୁର୍ଦ୍ଦିନ ବୋଲି କହନ୍ତି । କିନ୍ତୁ ସଂପୃକ୍ତ ପକ୍ଷ ଏଥିରେ ଅନୁତପ୍ତ ନ ହେଲେ ଏହାର ପରିଣତି ଆହୁରି କି ଭୟାବହ ହେବ, ଭଗବାନ୍‌ ଜାଣନ୍ତି । ସେମାନେ ଯଦି ଅନୁଭବ କରନ୍ତି, ଏହା ପ୍ରଗତି ନୁହେ ଧଂସ; ଏହାଦ୍ୱାରା ତୃତୀୟ ପକ୍ଷ କେବଳ ଲାଭବାନ୍‌ ହୁଏ, ତେବେ ଏହା ଆଉ ଏପରି ରୂପ ଧାରଣ କରିବ ନାହିଁ । ଏଣୁ ଯେଉଁମାନେ ନିଜର ଦାବୀ ଉପସ୍ଥାପିତ କରନ୍ତି, ପରବର୍ତ୍ତୀ ଅବସ୍ଥା ସେମାନଙ୍କ ଆୟତ୍ତରେ ରହିଲା ପରି ଯତ୍ନ କରିବା ଉଚିତ । ପୁଣି ଏହାଦ୍ୱାରା ଦେଶର ସ୍ଥିତିରେ କୌଣସି ଆଞ୍ଚ ନଆସି, ଜାତୀୟ ସମ୍ପତ୍ତି କ୍ଷତିଗ୍ରସ୍ତ ନ ହୋଇ ଯେପରି ନିଜର ଦାବୀ ହାସଲ ହୁଏ, ସେଥିପ୍ରତି ମଧ୍ୟ ସଜାଗ ରହିବା ସେମାନଙ୍କର କର୍ତ୍ତବ୍ୟ । ଏହାଦ୍ୱାରା ଅନ୍ୟ କ୍ଷେତ୍ରରେ ଅସ୍ଥିରତା ଦେଖା ଦେବନାହିଁ ଓ ନିଜର କାର୍ଯ୍ୟ ସାଧନ ପନ୍ଥା ସୁଗମ ହେବ ।

 

ହୁଏତ ଏହି ଧର୍ମଘଟ ମହାତ୍ମା ଗାନ୍ଧିଙ୍କ ପରିକଳ୍ପିତ ଯୋଜନା ବା ତାଙ୍କଦ୍ୱାରା ରୂପାୟିତ ହୋଇଛି । ସେ ଯାହାହେଉ, ଏ କ୍ଷେତ୍ରରେ ତାହାଙ୍କର ଅନୁସୃତ ନୀତି ଯେ ଏକମାତ୍ର ଫଳପ୍ରଦ ପନ୍ଥା, ଏଥିରେ କାହାର ମତଦ୍ୱୈଧ ରହି ନପାରେ । ତାହାଙ୍କ ମତରେ ଧର୍ମଘଟ ମଧ୍ୟ ସତ୍ୟାଗ୍ରହର ଗୋଟିଏ ଅଙ୍ଗ । ଏଣୁ ସେ କଦାପି ସତ୍ୟପଥରୁ ବିଚ୍ୟୁତ ହେବା ଉଚିତ ନୁହେ । ସେ କହିଥିଲେ, ଏହା ବଳବାନ୍‌ର ଅସ୍ତ୍ର, ଭୀରୁର ନୁହେ । କଠୋର ସଂଯମ ଓ ଆତ୍ମପରୀକ୍ଷାଦ୍ୱାରା କେବଳ ଏଥିରେ ସିଦ୍ଧିଲାଭ ହୁଏ । ତାହାଙ୍କର ମନୋବଳ ଏତେ ଦୃଢ଼ ଥିଲା ଯେ, ରାମଚନ୍ଦ୍ର ଦଳେ ମାଙ୍କଡ଼ ଓ ଭାଲୁ ସାହାଯ୍ୟରେ ରାବଣକୁ ଜୟ କଲାପରି ପ୍ରବଳ ପରାକ୍ରାନ୍ତ ବିଟିଶ୍‌ ଶକ୍ତିକୁ ହଟାଇ ସ୍ୱାଧୀନତା ହାସଲ କରିଥିଲେ । ଏଣୁ ଏହା ଯେପରି ଅହିଂସା, ଗଠନମୂଳକ ଓ ଦାବୀଦାରଙ୍କର ଅନ୍ନସଂସ୍ଥାନର ସହାୟକ ହୁଏ, ସେହି ନୀତିରେ ପରିଚାଳିତ ହେବା ଉଚିତ ।

 

ଅନ୍ୟପକ୍ଷ ମଧ୍ୟ ନିଜକୁ ଅସ୍ତ୍ରଶସ୍ତ୍ରରେ ବଳୀୟାନ୍ ବୋଲି ଭାବି ଜନତାର ନ୍ୟାଯ୍ୟ ଦାବୀ ପ୍ରତି ଅସମ୍ମାନ ପ୍ରଦର୍ଶନ କରିବା ଉଚିତ ନୁହେ । ବରଂ ସେହି ପକ୍ଷ ଟିକିଏ ଅଧିକ ନରମ, ସହନଶୀଳ ଓ ମୁକ୍ତହସ୍ତ ହେବା ଉଚିତ । ‘‘ଦଣ୍ଡିବା ଶକ୍ତି ଯାର ଥାଇ, ସେ ପୁଣି କ୍ଷମା ଆଚରଇ’’ ବୋଲି ନୀତିବାକ୍ୟ ଅଛି । ଯେଉଁମାନେ ପ୍ରାର୍ଥୀ, ତାଙ୍କ ଉପରେ ବଳପ୍ରୟୋଗ ଅବିଧେୟ, ଏଥିରେ ସମସ୍ତେ ଏକମତ; ତଥାପି ଯେଉଁମାନେ ଏହାର କର୍ତ୍ତା ସେମାନେ କଠିନ ଦଣ୍ଡ ପାଇବା ଉଚିତ । ବିଭିନ୍ନ ସୂତ୍ରରୁ ରାଜ୍ୟର ଭଲମନ୍ଦ ବୁଝି ତାହାର ସମ୍ମୁଖୀନ ହେବା ପ୍ରକୃତ ଶାସନ ନୀତି । ଅନ୍ୟାନ୍ୟ ରାଜନୈତିକ ଚାପ ଏକ ଅସାଧ୍ୟ ରୋଗ । ଏଣୁ ନିଜେହିଁ ତାହାର ଚିକିତ୍ସକ ହେବା ଉଚିତ ।

 

ବର୍ତ୍ତମାନ ବାୟୁମଣ୍ଡଳ ପରିବର୍ତ୍ତତ ହେବାକୁ ଯାଉଛି । ଏଣୁ ତାହାର ମୂଳ ନ ଜାଣି ଶାଖା ପ୍ରଶାଖାରେ ବୁଲିଲେ ଅନ୍ତ ପାଇବା ଅସମ୍ଭବ । ପୁଣି ଭାରତରେ ଅସଂଖ୍ୟ ଦଳ ଓ ଦଳମାନଙ୍କ ମଧ୍ୟରେ ଅହିନକୁଳ ସମ୍ପର୍କ ବହୁ ସ୍ଥଳରେ ଉତ୍ତେଜନାର କାରଣ ହୁଏ । ତାହାର ପରିବର୍ତ୍ତନ ବା ପୁନର୍ଗଠନ ମଧ୍ୟ ସମସ୍ତଙ୍କର କାମ୍ୟ ହେବା ଉଚିତ । ନେତାପାଇଁ ଦଳ ଓ ଦଳପାଇଁ ଦେଶ ନ ହୋଇ ଦେଶପାଇଁ ଦଳ ଓ ଦଳପାଇଁ ନେତା ହେଲେ ଦେଶରେ ଅଶାନ୍ତି ରହିବ ନାହିଁ । ଅବଶ୍ୟ ଦିନେ ପ୍ରଚଣ୍ଡ ଗ୍ରୀଷ୍ମଋତୁ ପରେ ରମଣୀୟ ବର୍ଷା ଋତୁର ଆବିର୍ଭାବ ଘଟିବ, ଗ୍ରୀଷ୍ମକାଳୀନ ପ୍ରଚଣ୍ଡ ସୂର୍ଯ୍ୟର ପ୍ରଖର ରଶ୍ମିରେ ଉତ୍ତପ୍ତ ଧରାପୃଷ୍ଠ ବର୍ଷାକାଳୀନ ଶୀତଳ ବାରିଧାରା ପାତରେ ଉଲ୍ଲସିତ ହେବ ।

Image

 

ବେକାର ସମସ୍ୟା ଓ ତାହାର ସମାଧାନ

 

ଯେଉଁମାନେ କୌଣସି କାମଧନ୍ଦା ନ ପାଇ ଅକର୍ମା ହୋଇ ରହନ୍ତି, ସେମାନଙ୍କୁ ବେକାର କୁହାଯାଏ । ଆକ୍ଷରିକ ଅର୍ଥ ଅନୁସାରେ ଶିକ୍ଷିତ, ଅଶିକ୍ଷିତ ସବୁ ଅକର୍ମାଙ୍କୁ ବେକାର କହିବା କଥା । କିନ୍ତୁ ବେକାର ଅର୍ଥଟି ଶିକ୍ଷିତ ଅକର୍ମାଙ୍କଠାରେ କେବଳ ସୀମିତ ହୋଇ ରହେ । ଅଶିକ୍ଷିତ ବେକାରମାନେ ନିରୀହ । ସେମାନଙ୍କଦ୍ୱାରା ରାଜନୀତି ପ୍ରଭାବିତ ହୁଏନାହିଁ ଏବଂ ସେମାନେ ନିଜେ ଏହା ନିଜ କର୍ମ ଦୋଷର ଫଳ ମନେକରି ନୀରବ ରହନ୍ତି । କିନ୍ତୁ ଶିକ୍ଷିତ ବେକାରମାନେ କହି ପାରନ୍ତି, ଲେଖି ପାରନ୍ତି ଏବଂ ଛୋଟ ବା ବଡ଼ ଧରଣର ବିପ୍ଲବ ମଧ୍ୟ ସୃଷ୍ଟି କରିପାରନ୍ତି । ଏଣୁ ସରକାର ବା ଜନସାଧାରଣଙ୍କ ମତରେ ସେମାନେ କେବଳ ବେକାର, ସେମାନଙ୍କର କଥା କେବଳ ବିଚାରକୁ ଆସେ ।

 

ବେକାର ବଳ ଏକ ହତାଶ ବଳ । ଏଣୁ ଅନେକ ସମୟରେ ସେମାନେ କେତେକ ପରସ୍ପରବିରୋଧୀ କାମ କରନ୍ତି । ବେଳେବେଳେ ଜଣେ ଜଣେ ବ୍ୟକ୍ତି ହତାଶ ହୋଇ ଯେଉଁ ଅପ୍ରୀତିକର ଅବସ୍ଥା ସୃଷ୍ଟି କରିଦିଅନ୍ତି, ତାହା ଇତିହାସରେ ଲିପିବଦ୍ଧ ହୋଇ ରହିଯାଏ । ଯଦି ସମାଜରେ ଏପରି ଦଳେ ଲୋକ ରହନ୍ତି, ତେବେ ସମାଜର ଅବସ୍ଥା କ’ଣ ହେବ, ସହଜେ ଅନୁମେୟ । ଏହାକୁ ସରକାର ଓ ଦେଶ ପକ୍ଷରେ ଏକ ସତର୍କ ବାଣୀ ବୋଲି କହିଲେ ମଧ୍ୟ ଅସମୀଚୀନ ହେବନାହିଁ । ବେକାରମାନଙ୍କ ମୁଣ୍ଡରେ ସର୍ବଦା ନାନା ଦୁଶ୍ଚିନ୍ତା ସ୍ଥାନ ପାଇଥାଏ । ଏଣୁ ସେମାନେ ସବୁବେଳେ ନିଜର ଦୁର୍ଦ୍ଦଶା ଚିନ୍ତାକରି ଅନ୍ୟ ଭଲ କଥା ଗୁଡ଼ିକ ଭୁଲିଯାନ୍ତି ।

 

ଅନେକ ସମୟରେ ସେମାନେ କେତେ ସମାଜବିରୋଧୀ କାମ ମଧ୍ୟ କରନ୍ତି । ବୋଧହୁଏ ସମାଜ ସେମାନଙ୍କ ବିଷୟ ଚିନ୍ତା ନ କରିବା ହେତୁ ସମାଜପ୍ରତି ସେମାନଙ୍କର ମମତା ତୁଟିଯାଏ । ପବନରେ ନିଆଁ ଜଳିଲା ପରି ସେମାନେ କେତେ ପ୍ରତିକ୍ରିୟାଶୀଳ ଦଳର ହାତ ବାରିଶି ହୋଇ ଅନେକ ଅସାମାଜିକ କାର୍ଯ୍ୟରେ ମଧ୍ୟ ଲିପ୍ତ ହୁଅନ୍ତି । ସେମାନେ ଜାଣନ୍ତି ଯେ, ଏହା ସେମାନଙ୍କର ବିବେକବିରୋଧୀ କାର୍ଯ୍ୟ; ତଥାପି ପ୍ରବଳ ବନ୍ୟାରେ ଭାସିବା ସମୟରେ ବେଙ୍ଗ ସାପ ଘରେ ଆଶ୍ରୟ ନେଲାପରି ସେମାନେ ଏହା କରନ୍ତି । ‘‘ବିଭୁକ୍ଷିତ କିଂ ନ କରୋତି ପାପଂ’’ ବୋଲି ନୀତିବାକ୍ୟ ଅଛି ।

 

ସମାଜ ସମୂହ ଶକ୍ତିଦ୍ୱାରା ଗଠିତ ଓ ପରିପୁଷ୍ଟ । ବିଶେଷ ଭାବରେ ଗଣତାନ୍ତ୍ରିକ ଦେଶର ଅସ୍ତିତ୍ୱ ସଂପୂର୍ଣ୍ଣ ଭାବରେ ଜନଶକ୍ତି ଉପରେ ପ୍ରତିଷ୍ଠିତ । ଏଣୁ ସବୁବେଳେ ଯଦି ଦଳେ ଲୋକ ନିଜକୁ ଅଭାଗା ମନେ କରନ୍ତି, ତେବେ ସମାଜ ଦୁର୍ବଳ ହେବା ଅନିବାର୍ଯ୍ୟ । ପୁଣି ଏହି ବେକାରମାନଙ୍କ ମଧ୍ୟରୁ ଅଧିକାଂଶ ବୁଦ୍ଧିଜୀବୀ । କିଏ ଡାକ୍ତର, କିଏ ଇଞ୍ଜିନିୟର, କିଏ କାରିଗର ଓ କିଏ ଉଚ୍ଚ ଶିକ୍ଷିତ-। ଏକ ଆଦର୍ଶ ସମାଜ ଗଠନ କରିବାପାଇଁ ଏମାନଙ୍କର ସେବା ନିତାନ୍ତ ଆବଶ୍ୟକ । ଏପରି ସ୍ଥଳେ ଏମାନଙ୍କର ଶକ୍ତିର ଯଦି ଅପଚୟ ଘଟେ ବା ସମାଜ ବିରୁଦ୍ଧରେ ଯାଏ, ତେବେ ସମାଜର ଅମଙ୍ଗଳ ହେବା ସ୍ୱାଭାବିକ । ସେମାନେ ଶିକ୍ଷା ପାଇ ନ ଥିଲେ ହୁଏତ ଉତ୍ପାଦନ ବା ଅନ୍ୟ କୌଣସି ଦିଗରୁ ସମାଜ ଉପକୃତ ହୁଅନ୍ତା । ବର୍ତ୍ତମାନ ଦେଶ ସେହି ସୁବିଧାରୁ ବଞ୍ଚିତ । ଅନ୍ୟ ପକ୍ଷରେ ଉପଦ୍ରବର ଦ୍ୱାର ଉନ୍ମୁକ୍ତ ।

 

ବେକାର ସମସ୍ୟା ଯେ କେବଳ ଏହି ଯୁଗର କଥା, ଅନ୍ୟ ଯୁଗରେ ନ ଥିଲା, ଏପରି ଭାବିବା ଭ୍ରମାତ୍ମକ । ସବୁ ଯୁଗରେ ଏହି ଅବସ୍ଥା ଥିଲା, ରହିଥିବ ମଧ୍ୟ । ଏହା ମନୁଷ୍ୟ ସମାଜର ଗୋଟିଏ ସହଗ । ରାଜତନ୍ତ୍ର ଯୁଗରେ ବ୍ୟକ୍ତି ସ୍ୱାଧୀନତା ନଥାଏ । ବର୍ତ୍ତମାନ ସୁଦ୍ଧା ଏକଛତ୍ରବାଦୀ ଦେଶର ନାଗରିକମାନଙ୍କର ଏପରି ଆପତ୍ତି ଅଭିଯୋଗ କରିବା ଅଧିକାର ନାହିଁ । କିନ୍ତୁ ଗଣତନ୍ତ୍ର ଦେଶରେ ସମସ୍ତେ ନିଜର ଆପତ୍ତି ଅଭିଯୋଗ କରିବା ଅଧିକାର ପାଇଛନ୍ତି । ଏଣୁ ପ୍ରତ୍ୟେକ ଅଭାବ ଅସୁବିଧାରେ ବ୍ୟାପକ ପ୍ରଚାର ହୋଇଯାଏ ।

 

ସମସ୍ୟାବହୁଳ ଭାରତରେ ବେକାର ସମସ୍ୟା ମଧ୍ୟ ଗୋଟିଏ ବଡ଼ ସମସ୍ୟା ହେବାକୁ ଯାଉଛି । ବେକାର ସମସ୍ୟା ଦେଶ ପକ୍ଷରେ ଏକ ଅବାଞ୍ଛତ ଦୁର୍ଗତି ବା ଉତ୍କଟ ବ୍ୟାଧି । ଏହି ବ୍ୟାଧି ଦେଶର ପ୍ରଗତିରେ ସଂପୂର୍ଣ୍ଣ ଅନ୍ତରାୟ । ଅନ୍ୟାନ୍ୟ ଆନ୍ଦୋଳନ ପରି ଏମାନଙ୍କର ମଧ୍ୟ ଆନ୍ଦୋଳନ ହୁଏ । କିନ୍ତୁ ଏହା ଯଦି ଉତ୍କଟ ରୂପ ଧାରଣ କରେ, ତାକୁ ନେଇ ଆଣି ଥୋଇବା କଷ୍ଟକର ବ୍ୟାପାର-। ଦେହରେ କ୍ଷୁଦ୍ର ବ୍ରଣପରି ଦେଶ ପକ୍ଷରେ ଏ ଗୋଟିଏ ବ୍ୟାଧି । ବ୍ରଣଟି ଦେଖିବାକୁ ଅତି କ୍ଷୁଦ୍ର । ତଥାପି ତାହାର ପୀଡ଼ାରେ ସମଗ୍ର ଦେହ ଅଚଳ ହୋଇଯାଏ । ସେହିପରି ଏହି ବେକାର ସଂଖ୍ୟା ମୁଷ୍ଟିମେୟ ହୋଇପାରନ୍ତି; କିନ୍ତୁ ସେମାନଙ୍କର ଅସନ୍ତୋଷରେ ଦେଶର ମୂଳଦୁଆ ଦୋହଲିଯାଏ । ଏଣୁ ସବୁବେଳେ ବଡ଼ ବଡ଼ ରାଷ୍ଟ୍ରନାୟକମାନେ ଏହି ସମସ୍ୟା ପ୍ରତି ବିଶେଷ ସତର୍କ ରହନ୍ତି ।

 

ଅବଶ୍ୟ ଉପସ୍ଥିତ ଉତ୍ତେଜନାର ସାମୟିକ ଉପଶମ ପାଇଁ କେତେ ନୂତନ କଳକାରଖାନା ସ୍ତାପନ କରି ସେଥିରେ ବେକାରମାନଙ୍କର କର୍ମ ସଂସ୍ଥାନ କରାଯାଇପାରେ । ତଥାପି ତାହା ସ୍ଥାୟୀ ସମାଧାନ ନୁହେ । ଆଉ ପାଞ୍ଚବର୍ଷ ପରେ ଏହି ବ୍ୟବସ୍ଥା ଆହୁରି ଉତ୍କଟ ରୂପ ଧାରଣ କରିପାରେ । ଏଣୁ ପ୍ରଥମେ ଶିକ୍ଷାପ୍ରଣାଳୀର ଆମୂଳ ପରିବର୍ତ୍ତନ ଆବଶ୍ୟକ । ଏହା ସଙ୍ଗେ ସଙ୍ଗେ ଛାତ୍ରମାନେ ଯଦି କୃଷି, କେତେକ ଗ୍ରାମ୍ୟଶିଳ୍ପ, ବିଭିନ୍ନ ପ୍ରକାର କାରିଗରି ଶିକ୍ଷାରେ ତାଲିମ ପାଇ ଦକ୍ଷତା ଅର୍ଜନ କରନ୍ତି, ତେବେ ସେମାନଙ୍କର ଚାକିରୀପ୍ରତି ବିମୁଖତା ଆସିବା ସ୍ୱାଭାବିକ । କୃଷି ଭାରତର ପ୍ରଧାନ ବ୍ୟବସାୟ ଓ ଜୀବିକା । ଏଣୁ ପ୍ରତ୍ୟେକ ଛାତ୍ରକୁ କୃଷି ବିଷୟରେ ବିଶେଷ ଜ୍ଞାନ ଅର୍ଜନ କଲାପରି ଶିକ୍ଷାଦେବା ବିଧେୟ । କେବଳ ସେତିକି ନୁହେ, ପ୍ରତ୍ୟେକ ପ୍ରାର୍ଥୀ ଓ ନାଗରିକ ହୃଦୟଙ୍ଗମ କରିବା ଉଚିତ ଯେ, ତାହାର ଯେଉଁ ଅତି ଅଳ୍ପ ପରିମାଣରେ ଜମି ଅଛି, ସେହି ଜମିର ଆଦାୟ ଯେ କୌଣସି ଛୋଟିଆ ଚାକିରୀରର ଆଦାୟ ଅପେକ୍ଷା ବହୁଗୁଣରେ ଅଧିକ । ଆବଶ୍ୟକ ହେଲେ ଏଥି ସକାଶେ ବ୍ୟାପକ ପ୍ରଚାର ମଧ୍ୟ କରିବା ଉଚିତ । ଏହାଦ୍ୱାରା ଗୋଟିଏ ଦିଗରୁ ଚାକିରୀ ଉପରେ ଚାପର ମାତ୍ରା କମିଯିବ । ଏହାଛଡ଼ା ବିଭିନ୍ନ ପ୍ରକାର ଆଞ୍ଚଳିକ ଶିଳ୍ପ, ଗ୍ରାମ୍ୟ ଶିଳ୍ପ ଓ କ୍ଷୁଦ୍ର ଶିଳ୍ପ ଯୋଜନାରେ ଯଦି ଛାତ୍ରମାନେ ଉତ୍ତମ ତାଲିମ ପାଇ ଯୋଗ୍ୟତା ଅର୍ଜନ କରନ୍ତି, ତେବେ ସେମାନେ ମଧ୍ୟ ଚାକିରୀପ୍ରତି ଆକୃଷ୍ଟ ନ ହୋଇ ସ୍ୱାଧୀନ ଭାବରେ ଜୀବିକାନିର୍ବାହ କରିବାକୁ ଆଗ୍ରହୀ ହେବେ ଏବଂ ଶିକ୍ଷାପାଇବା ପରେ ପ୍ରାର୍ଥୀମାନଙ୍କର ହତାଶ ଭାବ ହ୍ରାସ ପାଇଯିବ ।

 

ଆମ ଦେଶର ଶିକ୍ଷାପ୍ରଣାଳୀ ସଂପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ । ମହାତ୍ମାଗାନ୍ଧି ନିଜ ଭାଷଣରେ ଠାଏ କହିଛନ୍ତି “Our educational system is faulty X X X Not to the requiremnts of pauper India. ଏଣୁ ଏହାଦ୍ୱାରା ବେକାର ସମସ୍ୟା ଅଧିକ ବୃଦ୍ଧି ପାଏ-। ଶିକ୍ଷା ବହୁମୁଖୀ ଜ୍ଞାନ ଅର୍ଜନର ସହାୟକ, ଧନ୍ଦାମୂଳକ ଏବଂ ଦେଶପ୍ରେମ, ଜାତିପ୍ରେମ ତଥା ସ୍ୱାଧୀନ ଚିନ୍ତାର ଆଧାର ହେବା ଉଚିତ । ଗଡ୍‌ଡଳିକା ପ୍ରବାହ ନ୍ୟାୟରେ ତଥାକଥିତ ଅମଲା ସୃଷ୍ଟି ଶିକ୍ଷାଦ୍ୱାରା ଦେଶର ଅଗ୍ରଗତି ପରିବର୍ତ୍ତେ ଅଧୋଗତି ହେବାର ଦେଖାଯାଏ । ବର୍ତ୍ତମାନ ସମସ୍ତେ ପ୍ରବେଶିକା ପରେ ମହାବିଦ୍ୟାଳୟ, ତା’ପରେ ବିଶ୍ୱବିଦ୍ୟାଳୟରେ ପଢ଼ିବେ । ଏଥିରେ ଛାତ୍ରମାନେ ଚାକିରୀ ଖୋଜିବା ଛଡ଼ା ଆଉ କ’ଣ କରନ୍ତେ ? ଏଣୁ ଏଥିରେ କଟକଣା ରହିବା ଉଚିତ । ସବୁ ଛାତ୍ରଠାରେ ଏକାପ୍ରକାର ଯୋଗ୍ୟତା ନଥାଏ । ସମସ୍ତେ ଗୋଟିଏ ଶ୍ରେଣୀର ଶିକ୍ଷା ପାଇବାପାଇଁ ଆଦୌ ଆଗ୍ରହୀ ନୁହନ୍ତି । ବିଶେଷ ଯୋଗ୍ୟତାସମ୍ପନ୍ନ ଛାତ୍ରମାନେ ଉପରକୁ ଯାଇ ଉଚ୍ଚଶିକ୍ଷା କରିବେ, ଅନ୍ୟମାନେ ନିଜ ରୁଚି ଅନୁସାରେ ବିଭିନ୍ନ ବୈଷୟିକ ଶିକ୍ଷା କରିବେ । ଏହାଦ୍ୱାରା ବହୁ ପରିମାଣରେ ଅକର୍ମା ସମସ୍ୟା ସମାହିତ ହୋଇପାରେ । ଏହା ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ । ତଥାପି ବିରାଡ଼ି ବେକରେ ଘଣ୍ଟିବାନ୍ଧିବା ସହଜ ନୁହେ ।

 

ଯେଉଁମାନେ ଏଥିରେ ହସ୍ତକ୍ଷେପ କରିବେ, ସେମାନେ ଯଶସ୍ୱୀ ହୋଇ ପାରନ୍ତି ବା ଆକ୍ରମଣର ସମ୍ମୁଖୀନ ହୋଇପାରନ୍ତି । ଏଣୁ ଏହାଦ୍ୱାରା ଦେଶ ଉପକୃତ ହେବ, ଏକଥା ଜାଣିଲେ ମଧ୍ୟ ଏପରି ଏକ ବଳିଷ୍ଠ ପଦକ୍ଷେପ ନେବାକୁ ସମସ୍ତେ କୁଣ୍ଠିତ । ପୁଣି ଏହି ଯୁଗରେ ନିଜ ସ୍ଥିତିପ୍ରତି ସମସ୍ତେ ସନ୍ଦିହାନ ଏବଂ ଏଥିସକାଶେ ପ୍ରଚୁର ଅର୍ଥ ମଧ୍ୟ ଆବଶ୍ୟକ । ଏପରି ଏକ ଜଟିଳ ସମସ୍ୟାରେ ହସ୍ତକ୍ଷେପ କରିବା କାହାପକ୍ଷରେ ସହଜ ନୁହେ । ଯଦି ଦେଶର ସବୁ ନେତୃସ୍ଥାନୀୟ ବ୍ୟକ୍ତି ଏକମତ ହୋଇ ଏହି ବିଷୟ ବିଚାର କରିବେ, ତେବେ ଏ ସବୁ ପ୍ରତିବନ୍ଧକ ଏଥିରେ ବାଧାସୃଷ୍ଟି କରିବ ନାହିଁ ।

 

ବର୍ତ୍ତମାନ ଛାତ୍ରମାନେ ଚାକିରୀ ଉଦ୍ଦେଶ୍ୟରେ କେବଳ ପାଠ ପଢ଼ନ୍ତି ଏବଂ ଅଭିଭାବକମାନେ ମଧ୍ୟ ଏହି ଉଦ୍ଦେଶ୍ୟ ମନରେ ରଖି ନିଜ ସନ୍ତାନମାନଙ୍କୁ ବିଦ୍ୟାଳୟକୁ ପଠାନ୍ତି। ଏ ଅବସ୍ଥାରେ ଯେ ଛାତ୍ରମାନେ ଚାକିରୀ ପ୍ରତି ଅନାସକ୍ତ ହେବେ, ଏହା ଆଦୌ ସଂଭବ ନୁହେ । ପାଠ ପଢା କେବଳ ଚାକିରୀ ପାଇଁ ଉଦ୍ଦିଷ୍ଟ ନୁହେ, ଏହି ଭାବ ସେମାନଙ୍କ ମନରେ ପ୍ରଥମେ ଜାଗ୍ରତ ହେବା ଉଚିତ । ଏହା ସଙ୍ଗେ ସଙ୍ଗେ ସେମାନେ ବୁଝିବା ଉଚିତ ଯେ, ଶିକ୍ଷିତ ହେବାପାଇଁ କେବଳ ଶିକ୍ଷା କରାଯାଏ । ଶିକ୍ଷାଦ୍ୱାରା ମନୁଷ୍ୟ ବିଶେଷ ଯୋଗ୍ୟତା ଅର୍ଜନ କରି ସମାଜରେ ଏକ ସୁନାଗରିକ ହୁଏ । ଶିକ୍ଷା ଅଙ୍ଗଭୂଷଣ;ଶିକ୍ଷିତ ସମାଜଭୂଷଣ । ଚାକିରୀକାମୀ ଶିକ୍ଷା ପୂର୍ଣ୍ଣାଙ୍ଗ ଶିକ୍ଷା ନୁହେ । ଚାକିରୀ ଦ୍ୱାରା ଶିକ୍ଷା ପରିପୁଷ୍ଟ ଓ ମାର୍ଜିତ ହୁଏ ନାହିଁ ବରଂ ତାହା ଏକ-ଦେଶଦର୍ଶୀ ଏବଂ ବିକୃତ ହୋଇଯାଏ । ସେମାନଙ୍କର ଏହି କଥା ମଧ୍ୟ ଜାଣିବା ଉଚିତ ଯେ, ଇଂଲଣ୍ଡ, ଆମେରିକା ପ୍ରଭୃତି ଦେଶରେ ପ୍ରତି ଶହେ ଜଣରେ ନବେ ବା ତାହାଠାରୁ ଅଧିକ ବ୍ୟକ୍ତି ଶିକ୍ଷିତ । ତେବେ ସେମାନେ ସମସ୍ତେ କ’ଣ ଚାକିରୀ କରି ଜୀବିକା ନିର୍ବାହ କରନ୍ତି ? ଏକଥା କ’ଣ ସଂଭବ ? ଅତୀତ ଉତ୍କଳରେ ଶତକଡ଼ା ପଞ୍ଚସ୍ତୋରି ଜଣ ଶିକ୍ଷିତ ଥିଲେ ବୋଲି କେତେକ ଐତିହାସିକ ପ୍ରମାଣ ଦିଅନ୍ତି-। ସେମାନେ ସମସ୍ତେ କଦାପି ଚାକିରୀ କରି ଜୀବିକା ନିର୍ବାହ କରୁ ନଥିବେ । କେତେକ ବିଶେଷ ଅସୁବିଧା ଥିବା ବ୍ୟକ୍ତିଙ୍କୁ ଚାକିରୀ ପାଇଁ ଛାଡ଼ିଦେଇ ଅନ୍ୟ ସମର୍ଥ ବ୍ୟକ୍ତିମାନେ ନିଜ ନିଜ କର୍ମରେ ପ୍ରବୃତ୍ତ ହେବା ଉଚିତ ।

 

ଚାକିରିଆ ଜୀବନ ଏକ ଅଭିଶପ୍ତ ଜୀବନ, ଏକଥା ବି ସମସ୍ତଙ୍କର ମନେ ରଖିବା ଉଚିତ-। ସେ ଗୋଟିଏ ପିଞ୍ଜରାବଦ୍ଧ ପକ୍ଷୀ । ବହୁ ସ୍ଥଳରେ ସେ ନିଜ ବିବେକ ବଳିଦେଈ କାମ କରେ । ଏଣୁ ଯେ ଯେଡ଼େ ବଡ଼ କର୍ମଚାରୀ ହେଲେ ମଧ୍ୟ ଜଣେ ସ୍ୱାଧୀନ ସାଧାରଣ ନାଗରିକ ଅପେକ୍ଷା କଦାପି ସୁଖୀ ନୁହେ ।

 

ଆଜିକାଲି ଭାରତରେ ମଧ୍ୟ ଛତୁଫୁଟିଲା ପରି ଚତୁର୍ଦ୍ଦିଗରେ ଅନେକ ସ୍କୁଲ କଲେଜ ସ୍ଥାପିତ ହୋଇଛି। ଫଳରେ ଶିକ୍ଷିତ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି । ଏ ସମସ୍ତେ ତ’ କଦାପି ଚାକିରୀ ପାଇବା ଆଦୌ ସମ୍ଭବ ନୁହେ । ତେବେ ସେମାନେ ଚାକିରୀ ନ ପାଇଲେ ଯଦି ବିମୁଖ ହୁଅନ୍ତି ଓ ନିଜକୁ ବେକାର ବୋଲି ଘୋଷଣା କରନ୍ତି, ହୁଏତ କେତେ ଦିନ ପରେ ସମସ୍ତେ ମିଳିମିଶି ଏହି ଅନୁଷ୍ଠାନଗୁଡ଼ିକୁ ଉଠାଇ ଦେବା ବି ସମ୍ଭବ । ମନେରଖିବା ଉଚିତ ଯେ, ଶିକ୍ଷା ପଛରେ କର୍ମ ସଂସ୍ଥାନ ଦୌଡ଼ିଥାଏ । କିନ୍ତୁ ସେ ପନ୍ଥାରେ ନୁହେ । ଏ ସମସ୍ତ କଥା ଆଲୋଚନା କରି ଦେଶ ଯେପରି ଆଉ ଗୋଟିଏ ଅଶାନ୍ତିର ଲୀଳାକ୍ଷେତ୍ର ନ ହୁଏ, ସେଥିପ୍ରତି ଦୃଷ୍ଟିଦେବା ସମସ୍ତଙ୍କର କର୍ତ୍ତବ୍ୟ ଏବଂ ଏସବୁ ସତ୍ତ୍ୱେ ଦେଶର ଯେପରି ବେକାର ସଂଖ୍ୟା ବୃଦ୍ଧି ନ ପାଏ, ସେଥିପ୍ରତି ସଂପୂର୍ଣ୍ଣ ଅବହିତ ହେବା ଦାୟିତ୍ୱସମ୍ପନ୍ନ ବକ୍ତିମାନଙ୍କର ଏକାନ୍ତ କର୍ତ୍ତବ୍ୟ ।

Image

 

ସାମରିକ ଶିକ୍ଷାର ଆବଶ୍ୟକତା

 

ଦେଶଦେଶ, ଜାତିଜାତି ବା ଗୋଟିଏ ଦେଶ ଭିତରେ ବିଭିନ୍ନ ଦଳ ମଧ୍ୟରେ କୌଣସି ଗୋଟିଏ ବିଷୟ ନେଇ ଯେଉଁ ରକ୍ତାକ୍ତ ସଂଘର୍ଷ ଘଟିଥାଏ, ତାହାକୁ ସମର ବା ଯୁଦ୍ଧ କୁହାଯାଏ । ଏହି ସମର ଶବ୍ଦ ଉଚ୍ଚାରଣ କଲେ ମନେ ପଡ଼ିଯାଏ, ଅତୀତ ଯୁଗର ନରପତିମାନଙ୍କର ସାଞ୍ଜୁ, ଶିରସ୍ତ୍ରାଣ, ନରରକ୍ତ ରଞ୍ଜିତ ତରବାରି ଓ ଢାଲ । ଆଧୁନିକ ଯୁଗର ଭାବୀ ସମର କଥା ମନେପଡ଼ିଲେ ବୁଦ୍ଧି ବଣା ହୋଇଯାଏ । ବର୍ତ୍ତମାନ ସମୟରେ ମାତ୍ର କେତେ ଦଣ୍ଡ ବା ଘଡ଼ିରେ ସମଗ୍ର ପୃଥିବୀ ଏକ ମହା ଶ୍ମଶାନରେ ପରିଣତ ହେବ । ଯୁଦ୍ଧରୁ ହିଁ ଭାରତର ରାମାୟଣ ଓ ମହାଭାରତ ଭଳି ବିରାଟ ଓ ମହାନ୍‌ ଗ୍ରନ୍ଥର ସୃଷ୍ଟି । ଇଉରୋପ ଇତିହାସର ପ୍ରତି ପୃଷ୍ଠା ନରରକ୍ତରେ ରଞ୍ଜିତ । ଆଜିର ବିଶ୍ୱବନ୍ଦ୍ୟ ସଭ୍ୟତା ସପ୍ତବାର୍ଷିକ ଯୁଦ୍ଧ, ଶତ ବାର୍ଷିକ ଯୁଦ୍ଧ ଏବଂ ନେପୋଲିୟନ୍‌ ପ୍ରଭୃତିଙ୍କ ଅଗଣିତ ରକ୍ତାକ୍ତ ସମରରୁ ଉଦ୍ଭୁତ । ଏଥିରୁ ଶିକ୍ଷା ମିଳେ ଯେ, ଯୁଦ୍ଧ ମନୁଷ୍ୟର ସହଚର । ଏଣୁ ଦେଶରକ୍ଷା ପ୍ରତି ସର୍ବଦା ସଜାଗ ରହିବା ପ୍ରତ୍ୟେକ ଦେଶର ପ୍ରଧାନ କର୍ତ୍ତବ୍ୟ ।

 

ମନୁଷ୍ୟ ନିଜେ ବୁଦ୍ଧି, ବିବେକ ଓ ଜ୍ଞାନର ଅଧିକାରୀ ବୋଲି ଗର୍ବ କରେ ଏବଂ ନିଜକୁ ସତ୍ୟ, ଧର୍ମ, ନ୍ୟାୟ ଓ ଅହିଂସାର ପ୍ରତିନିଧି ବୋଲି ପ୍ରଚାର କରେ । ‘‘ମନୁଷ୍ୟ ଦେହେ ଦିବ୍ୟଜ୍ଞାନ, ଦେଖି ସନ୍ତୋଷ ଭଗବାନ ।’’ ଏକଥା ଭାଗବତ ମଧ୍ୟ ସ୍ୱୀକାର କରେ । କିନ୍ତୁ ସେ ଏହି ମହତ୍‌ଗୁଣର ଅଧିକାରୀ ହେବାପାଇଁ କେତେଦୂର ଯୋଗ୍ୟ, ତାହା ବିଚାର୍ଯ୍ୟ ବିଷୟ । ସୃଷ୍ଟି ଆରମ୍ଭଠାରୁ ଏପର୍ଯ୍ୟନ୍ତ ଯୁଦ୍ଧ ହିଁ ମାନବ ସଭ୍ୟତାର ପଥପ୍ରଦର୍ଶକ ହୋଇ ଆସିଛି । ହିଂସ୍ର ଜନ୍ତୁମାନେ ଆଘାତ ପାଇଲେ, ଆକ୍ରାନ୍ତ ହେଲେ କିମ୍ବା କ୍ଷୁଧାର୍ତ୍ତ ହେଲେ ଅନ୍ୟ ଉପରେ ଆକ୍ରମଣ କରନ୍ତି । କିନ୍ତୁ ମନୁଷ୍ୟ ନିଜର ସମ୍ମାନ ବା ଆଧିପତ୍ୟ ବୃଦ୍ଧିପାଇଁ କିମ୍ବା ଅନ୍ୟର ଧନ ସମ୍ପତ୍ତି ଅପହରଣ କରି ଅଧିକ ଭୋଗ ବିଳାସରେ କାଳଯାପନ କରିବା ପାଇଁ ପରରାଜ୍ୟ ଆକ୍ରମଣ କରେ । ଆଦିମ ପ୍ରସ୍ତର ଯୁଗର ବର୍ବର ସମାଜରେ ଯାହା, ଆଧ୍ୟାତ୍ମଭାବାପନ୍ନ ମଧ୍ୟ ଯୁଗରେ ଯାହା, ଆଧୁନିକ ପ୍ରଗତିଶୀଳ ସୁସଭ୍ୟ ଯୁଗରେ ମଧ୍ୟ ତାହା ବା ତାହାଠାରୁ ବହୁଗୁଣରେ ଅଧିକ । ସବୁ ଯୁଗରେ ମନୁଷ୍ୟ ମନୁଷ୍ୟକୁ କେବଳ ହିଂସ୍ର ଜନ୍ତୁ ଅପେକ୍ଷା ଅଧିକ ଭୟକରେ । ଏଣୁ ଆତ୍ମରକ୍ଷା ପାଇଁ ଯେଉଁ ଦେଶ ତତ୍‌ପର ନହୁଏ, ତାହାର ଅବସ୍ଥା କ’ଣ ହେବ, ଏଥିରୁ ଅନୁମେୟ ।

 

ତଥାପି ପୁରାଣ ଯୁଗର ଯୁଦ୍ଧ ଅତି ଭୟଙ୍କର ହେଲେ ମଧ୍ୟ ସେ ଥିଲା ଅତି ଚମତ୍କାର ଓ ଧର୍ମଯୁଦ୍ଧ । ରଥୀ ସହିତ ରଥୀ ଓ ପଦାତିକ ସହିତ ପଦାତିକ ଯୁଦ୍ଧ କରୁଥିଲେ । ଶରଣାପନ୍ନ କିମ୍ବା ନିରସ୍ତ୍ର ଲୋକକୁ ହତ୍ୟା କରାଯାଉ ନଥିଲା । ପୁରାଣ ଯୁଗର କଥା ଦୂରେ ଥାଉ, ପୃଥ୍ୱୀରାଜ ମଧ୍ୟ ମହମ୍ମଦ ଘୋରୀ ପରି ଜଣେ ଆତତାୟୀକୁ ନିରସ୍ତ୍ର ହେବାରୁ ଛାଡ଼ି ଦେଇଥିଲେ, ଯେ କି ପରେ ବିଶ୍ୱାସଘାତକତା କରି ସେହି ପ୍ରାଣଦାତାଙ୍କୁ ହତ୍ୟା କରିଥିଲା ।

 

ପରବର୍ତ୍ତୀ କାଳୀନ ଯୁଦ୍ଧରେ ମଧ୍ୟ କିୟତ୍‌ ପରିମାଣରେ ଧର୍ମ, ନ୍ୟାୟର ବିଚାର ଥିଲା । କିନ୍ତୁ ବର୍ତ୍ତମାନର ଯୁଦ୍ଧ ସଂପୂର୍ଣ୍ଣ ଅମାନବିକ ଏବଂ ନିର୍ମମ । ଏହି ଯୁଦ୍ଧର ଏକମାତ୍ର ଲକ୍ଷ୍ୟ ହେଲା, ଯେ କୌଣସିମତେ ଜୟଲାଭ କରିବା । ଏଥି ସକାଶେ ଯେତେ ପ୍ରକାର ଅପକର୍ମ କରାଯାଇପାରେ, ସବୁ କରିବାକୁ ସଂପୃକ୍ତ ପକ୍ଷ ପ୍ରସ୍ତୁତ । ବର୍ତ୍ତମାନର ଯୁଦ୍ଧ ପାଇଁ ଜଳ, ସ୍ଥଳ, ଆକାଶ ସବୁ ଉନ୍ନୁକ୍ତ । ବର୍ତ୍ତମାନର ଯୁଦ୍ଧପାଇଁ ଅନନ୍ତ ମହାସାଗର ଆଉ ଦୁଷ୍ପାର ନୁହେ ଏବଂ ଅନନ୍ତ ଆକାଣ ମଧ୍ୟ ଆଉ ଅଗମ୍ୟ ନୁହେଁ । ବରଂ ଏ ଯୁଗରେ ଏଗୁଡ଼ିକ ସହଜ ଓ ସୁଗମ ମାର୍ଗ ଅଟେ । ଯେଉଁ ଯୁଗରେ ଚନ୍ଦ୍ରଲୋକକୁ ଯୁଦ୍ଧଘାଟିରେ ପରିଣତ କରିବାପାଇଁ ପ୍ରତିଯୋଗିତା ଚାଲିଛି, ସେହି ଯୁଗରେ ପ୍ରତିରକ୍ଷା ଶକ୍ତି କିପରି ସୁଦୃଢ଼ ହେବା ଆବଶ୍ୟକ, ସେକଥା ସମସ୍ତେ ଅବହିତ ହେବା ଉଚିତ । ଅନ୍ୟଥା ‘‘ଆପଣା ହସ୍ତେ ଜିହ୍ୱା ଛେଦି, କେ ତା’ର ପ୍ରତିବାଦୀ’’ ଫଳ ହେବ ।

 

ବର୍ତ୍ତମାନ ଏକ ବହୁମୁଖୀ ସଭ୍ୟତାର ଅଭିବୃଦ୍ଧି ସଙ୍ଗେ ସଙ୍ଗେ ଅମାନବିକତା ଓ ଯୁଦ୍ଧ ବିଭୀଷିକା ମଧ୍ୟ ବଢ଼ିଚାଲିଛି । ବର୍ତ୍ତମାନ ପୃଥିବୀର କ୍ଷୁଦ୍ର ବୃହତ୍‌ ସବୁ ରାଷ୍ଟ୍ର ପ୍ରତିରକ୍ଷା ବିଭାଗକୁ ଅଗ୍ରାଧିକାର ଦେଇ ସବୁ ଅବସ୍ଥାରେ ସଜ୍ଜିତ ହୋଇ ରହିଛନ୍ତି । ଭାରତର ମଧ୍ୟ ଜଳସ୍ଥଳ ଆକାଶ ତିନି ବିଭାଗ ରହିଛି ଏବଂ ପ୍ରତି ବିଭାଗରେ ତିନିଜଣ ସେନାପତି ଏବଂ ସେହି ସେନାପତିମାନଙ୍କ ଅଧୀନରେ କେତେକ ଆଞ୍ଚଳିକ ସେନାପତି ରହନ୍ତି । ବିଭିନ୍ନ ଅଞ୍ଚଳରେ ସେନାନିବାସ ବା ଶିବିର ଥାଏ । ଆବଶ୍ୟକ ବେଳେ ଏମାନେ ଯୁଦ୍ଧ କ୍ଷେତ୍ରକୁ ଯାନ୍ତି । ସେନାପତିମାନଙ୍କ ଉପରେ ଜଣେ ପ୍ରତିରକ୍ଷା-ମନ୍ତ୍ରୀ ଏବଂ ତାଙ୍କ ଉପରେ ରାଷ୍ଟ୍ରପତି ସର୍ବୋଚ୍ଚ ସେନାନାୟକ ରୂପେ ରହନ୍ତି ।

 

ଏହାଛଡ଼ା ସୈନ୍ୟ ସହଗ୍ରହପାଇଁ ପ୍ରତି ଜିଲ୍ଳାର ପ୍ରତି ପ୍ରଧାନ ସହରରେ ଗୋଟିଏ ଗୋଟିଏ ସେନା ସଂଗ୍ରହ କାର୍ଯ୍ୟାଳୟ ଥାଏ । ସେହି କାର୍ଯ୍ୟାଳୟ ପକ୍ଷରୁ ସେନାସଂଗ୍ରହ କରାଯାଏ । ସୈନ୍ୟ ବିଭାଗରେ କେତେ ସ୍ଥାୟୀ ସୈନ୍ୟ ଓ କେତେ ଅସ୍ଥାୟୀ ସୈନ୍ୟ ମଧ୍ୟ ରହନ୍ତି । ଯୁଦ୍ଧ ପ୍ରବଳ ହେଲେ ବାଧ୍ୟତାମୂଳକ ସୈନ୍ୟ ସଂଗ୍ରହ ମଧ୍ୟ କରାଯାଏ । ସୈନ୍ୟମାନଙ୍କର ଶୃଙ୍ଖଳା ଜ୍ଞାନ, ସାହସିକତା ଓ ଦେଶାତ୍ମବୋଧ ଅତୁଳନୀୟ । ଏଣୁ ଭାରତରେ ଜଣେ ଦେଶପ୍ରାଣ ପ୍ରାଧାନ ମନ୍ତ୍ରୀ ଗାଇଛନ୍ତି ‘‘ଜୟ ଜବାନ୍‌, ଜୟ କିଷାନ୍‌।’’ ବାସ୍ତବିକ ଏ ଦୁହେଁ କେବଳ ଦେଶର ମୁଖ୍ୟ ନାଗରିକ । ଜଣେ ଦେଶ ରକ୍ଷାକରେ, ଜଣେ ପ୍ରାଣ ରକ୍ଷା କରେ; କେବଳ ସେତିକି ନୁହେ ଯେଉଁ ଜବାନ୍‌ମାନେ ଗତ ପାକିସ୍ଥାନ ଯୁଦ୍ଧରେ ରଣ ଭୂମିରେ ଅବତୀର୍ଣ୍ଣ ହୋଇଥିଲେ, ସେ ପ୍ରତ୍ୟେକଙ୍କୁ ପାଞ୍ଚ ଏକର ଲେଖାଏଁ ନିଷ୍କର ଜମି ଦେବାପାଇଁ ସରକାରଙ୍କ ପକ୍ଷରୁ ସିଦ୍ଧାନ୍ତ କରାଯାଇଛି ।

 

ଭାରତ ଗୋଟିଏ ଉପମହାଦେଶ । ଏହାର ସୀମାନ୍ତ ଓ ଉପକୂଳ ଯେପରି ବିଶାଳ, ଆକାଶ ମଧ୍ୟ ସେପରି ସୁବିସ୍ତୃତ । ସୌରାଷ୍ଟ୍ରଠାରୁ ଆସାମ ପର୍ଯ୍ୟନ୍ତ ପ୍ରାୟ ତିନିହଜାର ମାଇଲ ଉପକୂଳ ଏବଂ ଅନ୍ୟ ପକ୍ଷରେ ପ୍ରାୟ ଆଠହଜାର ମାଇଲ ସୀମାନ୍ତ ଓ ସେହି ଅନୁପାତରେ ଅନନ୍ତ ଆକାଶପଥର ସୁରକ୍ଷା ପାଇଁ ପ୍ରତି ବିଭାଗରେ କିପରି ବିପୁଳସଂଖ୍ୟକ ଦକ୍ଷ ସୈନ୍ୟ ଆବଶ୍ୟକ, ତାହା ସହଜେ ଅନୁମେୟ । ବର୍ତ୍ତମାନ ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ଥାନ ଓ ଚୀନ ତାହାର ଅନିଷ୍ଟ କରିବାପାଇଁ ଅପେକ୍ଷା କରି ରହିଛନ୍ତି । ଏଣୁ ସବୁ ସମୟରେ ଭାରତର ସୈନ୍ୟବାହିନୀ ଜରୁରୀ କାଳୀନ ଅବସ୍ଥା ପରି ସୀମାନ୍ତ ଜଗିରହିଛନ୍ତି । ବର୍ତ୍ତମାନ ବ୍ରିଟିଶ ନୌଶକ୍ତି ଅପସାରିତ ହେବା ଫଳରେ ଭାରତ ମହାସାଗର ଖାଲିପଡ଼ିଛି । ଏଣୁ ଏହି ଅଭାବ ପୁରଣ କରିବାପାଇଁ ଭାରତରେ ଏକ ଶକ୍ତିଶାଳୀ ନୌବଳ ନିତାନ୍ତ ଆବଶ୍ୟକ ଏବଂ ଏ କ୍ଷେତ୍ରରେ ସରକାର ଓ ଦେଶବାସୀ ଉଭୟ ପକ୍ଷରୁ ଆବଶ୍ୟକୀୟ ଉତ୍ସାହ ଓ ପ୍ରେରଣା ପ୍ରକାଶ ପାଇବା ଉଚିତ ।

 

ଅବଶ୍ୟ ଭାରତ ପକ୍ଷରୁ ମଧ୍ୟ ଏ ଦିଗରେ କ୍ଷୀଣ ଉଦ୍ୟମ ଚାଲିଛି । ବିଦ୍ୟାଳୟମାନଙ୍କରେ ଛାତ୍ରମାନଙ୍କୁ ଜଳ, ସ୍ଥଳ, ଆକାଶ ସବୁ ବିଭାଗରେ ଶିକ୍ଷା ଦିଆଯାଏ । ମହାବିଦ୍ୟାଳୟମାନଙ୍କରେ ଏହା ବାଧ୍ୟତାମୂଳକ ମଧ୍ୟ କରାଯାଇଛି । କିନ୍ତୁ ଏହା କାମଚଳା ନ ହୋଇ ଯେପରି ଅଧିକ ସକ୍ରିୟ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ହେବ । ପୁଣି ପ୍ରତିରକ୍ଷା ଦାୟିତ୍ୱ କେବଳ ଯେ ସରକାର ବା ସୈନ୍ୟବାହିନୀର, ଏପରି ଭାବିବା ଠିକ୍‌ ନୁହେ । ଏହା ସମଗ୍ର ଦେଶର, ସମଗ୍ର ଜନତାର ଦାୟିତ୍ୱ, ସମସ୍ତେ ଏହା ଉପଲବ୍‌ଧି କଲାପରି ଭାବ ସୃଷ୍ଟି କରିବା ଉଚିତ । ଦେଶ କେବଳ କୌଣସି ବ୍ୟକ୍ତିବିଶେଷର ନୁହେ, ସମଗ୍ର ଜାତିର । ଦେଶ ପରାଧୀନ ହେଲେ ସେ ଭିତରେ କେହି ସ୍ୱାଧୀନ ହୋଇ ରହି ନପାରେ । ପୁଣି ୧୯୬୨ ଅକ୍ଟୋବରରେ ଚୀନ ପକ୍ଷରୁ ଭାରତ ଉପରେ ଯେପରି ଅତର୍କିତ ଆକ୍ରମଣ ହେଲା, ତାହା ଦେଶବାସୀଙ୍କର ଆଖି ଖୋଲି ଦେଇଛି । ପୁଣି ଭାରତର ଯୁବଶକ୍ତି ମଧ୍ୟ ଏଥିରେ ଉଦ୍‌ବୁଦ୍ଧ ହେବା ଉଚିତ । ସେମାନଙ୍କର ଶକ୍ତି ଯଦି ବୃଥା ବ୍ୟୟିତ ନ ହୋଇ ଦେଶ ସେବାରେ ବିନିଯୋଗ ହୋଇ ପାରନ୍ତା, ଦେଶ ବହୁ ଦିଗରୁ ଉପକୃତ ଦୁଅନ୍ତା ।

 

ସୈନ୍ୟବାହିନୀ ଏଥିପାଇଁ କିଛି ପାରିଶ୍ରମିକ ନିଅନ୍ତି ସତ; କିନ୍ତୁ କେବଳ ପାରିଶ୍ରମିକ ବିନିମୟରେ ଯେ ସେମାନେ ଦେଶରକ୍ଷା ଦାୟିତ୍ୱ ବହନ କରିଛନ୍ତି, ଏପରି ଭାବିବା ଉଚିତ ନୁହେ । ପ୍ରକୃତରେ ସେମାନଙ୍କର ତ୍ୟାଗ ଅତି ମହତ୍‌ ଓ ସେମାନଙ୍କର ଦାୟିତ୍ୱ ଅତି ପବିତ୍ର । ପରରାଜ୍ୟ ଆକ୍ରମଣ ଚିନ୍ତା ସର୍ବଥା ନିନ୍ଦନୀୟ । ଭାରତ ସବୁବେଳେ ଏହି ନୀତିର ବିରୋଧୀ । ସେ ଭଲ ଭାବରେ ଜାଣେ ଯେ, ଆକ୍ରମଣକାରୀ ସବୁବେଳେ ପରାସ୍ତ ହୁଏ । ଗତ ଦୁଇଟିଯାକ ମହା ଯୁଦ୍ଧରେ ଜର୍ମାନୀ ପରି ଶକ୍ତି ମଧ୍ୟ ଆକ୍ରମଣ କରି ଶୋଚନୀୟ ଭାବରେ ପରାସ୍ତ ହୋଇଛି । ମହାବୀର ନେପୋଲିୟନ ମଧ୍ୟ ସେହି ଆକ୍ରମଣ ପ୍ରବୃତ୍ତି ଯୋଗୁ ପରାସ୍ତ ହୋଇଛନ୍ତି । କିନ୍ତୁ ଯେଉଁ ଶକ୍ତି ଶତ୍ରୁ ଆକ୍ରମଣରୁ ନିଜ ରାଜ୍ୟକୁ ରକ୍ଷା କରିବାକୁ ଅକ୍ଷମ ସେ ଭୀରୁ । ସେପରି ଏକ ଦୁର୍ବଳ ଜାତି ବରଂ ଧରାପୃଷ୍ଠରେ ନ ରହିବା ଉଚିତ ।

 

ସାମରିକ ଶିକ୍ଷା ପାଇଲା ମାତ୍ରେ ଦେଶ ପ୍ରତିରକ୍ଷା ବିଷୟରେ ଶକ୍ତିଶାଳୀ ବୋଲି କହିଦେବା ଠିକ୍‌ ନୁହେ । ପ୍ରତିରକ୍ଷା ସାମଗ୍ରୀ ହେଲା ଗୋଟିଏ ବଡ଼ କଥା । ଯଦି ସବୁ ପ୍ରତିରକ୍ଷା ସାମଗ୍ରୀ ଦେଶରେ ଉତ୍ପନ୍ନ ନହୁଏ, ଏଥିପାଇଁ ଯଦି ଦେଶକୁ ପରଉପରେ ନିର୍ଭର କରିବାକୁ ପଡ଼େ, ତେବେ ସେହି ଦେଶ ପ୍ରତିରକ୍ଷା ଦିଗରୁ ସୁରକ୍ଷିତ ବୋଲି କୁହାଯାଇ ନପାରେ । ଏପରି କି ପରମାଣୁ ଶକ୍ତି ପର୍ଯ୍ୟନ୍ତ ହାତରେ ରହିବା ଉଚିତ । ବର୍ତ୍ତମାନର ଯୁଦ୍ଧ ପରଘରୁ ଆଣି ଆତ୍ମରକ୍ଷା କରିବା ଯୁଦ୍ଧ ନୁହେଁ-। ‘‘ମାଗି ଆଣିବା କାଣ୍ଡ ଯୁଦ୍ଧକୁ ଅଣ୍ଟେ ନାହିଁ ।’’ ଏଣୁ ସକଳ ପ୍ରକାର ଭୟାବହ ମାରଣାସ୍ତ୍ର ମଧ୍ୟ ହାତରେ ଥିବା ଆବଶ୍ୟକ । ଏପରି ଭୟାବହ ମାରଣାସ୍ତ୍ର ମଧ୍ୟ ହାତରେ ଥିବା ଆବଶ୍ୟକ । ଏପରି ସଜ୍ଜିତ ହୋଇ ରହିଥିବା ଦେଶ ସହଜରେ ଆକ୍ରାନ୍ତ ହୁଏନାହିଁ । ତାହା ନିକଟକୁ ଯିବାକୁ ସମସ୍ତେ ଭୟ କରନ୍ତି । ଦାଣ୍ଡରେ ବୁଲୁଥିବା ଷଣ୍ଢପରି ସେ ଗୋଟିଏ ଶକ୍ତି । ସାଧାରଣତଃ ଦାଣ୍ଡରେ ବୁଲୁଥିବା ଷଣ୍ଢଗୁଡ଼ିକ କାହାକୁ ମାରନ୍ତି ନାହିଁ । ତଥାପି ତାହାର ଆଖି, ଶିଙ୍ଖ ଓ ଦେହର ଆକାର ଦେଖିଲେ ତାହା ପାଖକୁ ଯିବାକୁ କେହି ସାହସ କରିପାରନ୍ତି ନାହିଁ ।

 

ଏହିପରି ସକଳ ଦିଗରୁ ବିଚାର କଲେ ସାମରିକ ଶିକ୍ଷାର ଆବଶ୍ୟକତା କୌଣସି କାରଣରୁ ଅବହେଳିତ ହେବା ଉଚିତ ନୁହେ ।

Image

 

ବନ୍ୟଜନ୍ତୁ ସଂରକ୍ଷଣ

 

ଯେଉଁ ଜନ୍ତୁ ବନରେ ବାସ କରନ୍ତି, ସେଗୁଡ଼ିକୁ ବନ୍ୟଜନ୍ତୁ କୁହାଯାଏ । ଏଗୁଡ଼ିକ ମଧ୍ୟରୁ କେତେକଙ୍କୁ ଶ୍ୱାପଦ ଓ ହିଂସ୍ରଜନ୍ତୁ ମଧ୍ୟ କହନ୍ତି । ବାଘ, ଭାଲୁ, ସିଂହ ବଳିଆ କୁକୁର, ଖଗ ଏବଂ ଗଣ୍ଡା, ଗୟଳ, ସମ୍ବର, ଜିଆଦ, ହରିଣ ପ୍ରଭୃତି ମୃଗଜାତୀୟ ଜନ୍ତୁଗୁଡ଼ିକ ବନ୍ୟଜନ୍ତୁ । ମୟୁର, ବଣକୁକୁଡ଼ା ଓ ବିଭିନ୍ନ ପ୍ରକାର ପକ୍ଷୀ ଏବଂ ବଡ଼ ବଡ଼ ଭୟଙ୍କର ସାପକୁ ମଧ୍ୟ ବନ୍ୟଜନ୍ତୁ କହିବା ଅସମୀଚୀନ ହେବାପାଇଁ । ଅଷ୍ଟ୍ରେଲିଆର କଙ୍ଗାରୁ, ଆଫ୍ରିକାର ପୁମା ଓ ଜିରାଫ ଏବଂ ଉତ୍ତର ଆମେରିକାର ବ୍ରିଜିଲି ଭାଲୁ ସେହି ସେହି ଦେଶର ଗୋଟିଏ ଗୋଟିଏ ବିଶିଷ୍ଟ ବନ୍ୟଜନ୍ତୁ । ଭାରତରେ ମହାବଳ ବାଘର ଗୋଟିଏ ସ୍ୱାତନ୍ତ୍ର୍ୟ ରହିଛି । ଏହା ଇଂରେଜମାନଙ୍କ ଭାଷାରେ “Royal Bengal Tiger” ନାମରେ ଖ୍ୟାତ । ଏହି ନାମରେ ଏହାର ପ୍ରାଧାନ୍ୟ ପ୍ରକଟିତ ହୁଏ।

 

ବିଭିନ୍ନ ପ୍ରକାର ବନ ଜଙ୍ଗଲରେ ବିଭିନ୍ନ ପ୍ରକାର ଜନ୍ତୁ ବାସ କରନ୍ତି । ବଡ଼ ବଡ଼ ଘନଜଙ୍ଗଲରେ ପ୍ରଧାନତଃ ବାଘ, ସିଂହ, ଗଣ୍ଡା, ଗୟଳ ଓ ବଡ଼ବଡ଼ ବିଷଧର ସର୍ପ ରହନ୍ତି । ସିଂହ ସାଧାରଣତଃ ତଳ ବନରେ ରହେ । ଭାରତର ଗୁଜରାଟ ଅନ୍ତର୍ଗତ ‘‘ଗିର’’ ଜଙ୍ଗଲରେ ବହୁତ ସିଂହ ବାସ କରନ୍ତି । ଏହାଛଡ଼ା ଆସାମର ଜଙ୍ଗଲରେ କେତୋଟି ସିଂହ ଥିବାର ଜଣାଯାଏ । ଆଫ୍ରିକାର ବିଷୁବମଣ୍ଡଳ ଅରଣ୍ୟ ପାର୍ଶ୍ୱବର୍ତ୍ତୀ ତୃଣଭୂମିରେ ପଲ ପଲ ସିଂହ ବାସ କରନ୍ତି । ପର୍ବତସଂକୁଳ ଅରଣ୍ୟାନୀରେ ମହାବଳ ବାଘ ରହି ଜଙ୍ଗଲ ଓ ପର୍ବତ ଉଭୟରେ ବିହାର କରେ । ବ୍ୟାଘ୍ର ଏକାରାତିରେ କୋଡ଼ିଏ କିଲୋମିଟର ଦୂର ଯାଇ ଫେରିଆସେ ବୋଲି ଗୋଟିଏ ପ୍ରବାଦ ଅଛି । ଅର୍ଥାତ୍‌ ରହିବା ପାଇଁ ତାହାର ଏପରି ସୁବିସ୍ତୃତ ସ୍ଥାନ ଆବଶ୍ୟକ । ଏହାଛଡ଼ା ମୃଗଜାତୀୟ ପ୍ରାଣୀ ଓ ଅନ୍ୟ କେତେ ବନ୍ୟଜନ୍ତୁ ନିବିଡ଼ ଅରଣ୍ୟରେ ରହନ୍ତି ଏବଂ ଗ୍ରାମ ନିକଟରେ ଥିବା ସାଧାରଣ ବନ ଜଙ୍ଗଲରେ ମଧ୍ୟ ରହନ୍ତି ।

 

ଅନେକଙ୍କ ଧାରଣା, ବନ୍ୟଜନ୍ତୁମାନେ ମନୁଷ୍ୟର ଅପକାରୀ ବା ଶତ୍ରୁ । ଏହି ଧାରଣା ସଂପୂର୍ଣ୍ଣ ଅମୂଳକ । ପ୍ରକୃତରେ ସେମାନେ ସେପରି ଅପକାରୀ ବା ପ୍ରତିଶୋଧପରାୟଣ ନୁହନ୍ତି । ବରଂ ବହୁ ଦିଗରେ ସେମାନେ ମନୁଷ୍ୟର ଉପକାରୀ । ସେମାନଙ୍କ ଦ୍ୱାରା ବନ ସଂରକ୍ଷିତ ହୁଏ । ବନ ଓ ବନଜାତ ଦ୍ରବ୍ୟ ସହିତ ମନୁଷ୍ୟର ଜୀବନ ଯାତ୍ରା ଓତଃପ୍ରୋତ ଭାବରେ ଜଡ଼ିତ । ବନର କାଠ, ବାଉଁଶ, ବିଭିନ୍ନ ପ୍ରକାର ଔଷଧ ଓ ବନଜାତ ଦ୍ରବ୍ୟବିନା ମନୁଷ୍ୟ କ୍ଷଣେ ଚଳିପାରିବ ନାହିଁ । ପୁଣି ନିବିଡ଼ ଜଙ୍ଗଲ ଓ ପର୍ବତ ବୃଷ୍ଟିପାତର ସହାୟକ ହୁଏ । ମନୁଷ୍ୟ ଏସବୁ କଥା ଜାଣିସୁଦ୍ଧା ନିଜ ସ୍ୱାର୍ଥ ସାଧନପାଇଁ ବନଜଙ୍ଗଲ ନଷ୍ଟ କରିଦିଏ । ଏଣୁ ଏଗୁଡ଼ିକର ସୁରକ୍ଷାପାଇଁ ଏହି ଜନ୍ତୁଗୁଡ଼ିକ ଭଗବାନ୍‌ଙ୍କଦ୍ୱାରା ପ୍ରେରିତ ପରି ମନେ ହୁଏ । ଏହି ଜନ୍ତୁଗୁଡ଼ିକର ନଖ, ଦନ୍ତ ଓ ଶୃଙ୍ଖ ଅତି ଶକ୍ତ ଓ ତୀକ୍ଷ୍‌ଣ ଏବଂ ଚମଡ଼ା ଅତି କଠିନ । ଏମାନେ ପବନବେଗରେ ଦୌଡ଼ିପାରନ୍ତି ଏବଂ ଏମାନଙ୍କର ଦେହର ବର୍ଣ୍ଣ ଅନେକ ସମୟରେ ବନର ବୃକ୍ଷ ଲତାର ବର୍ଣ୍ଣ ସହିତ ମିଶିଯାଏ । ଏଣୁ ମନୁଷ୍ୟ ଅବାଧରେ ବନକୁ ଯାଇ ତାହା ନଷ୍ଟ କରିବାକୁ ସାହସ କରିପାରେ ନାହିଁ ।

 

ଅନ୍ୟ ପକ୍ଷରେ ସେମାନଙ୍କ ଶରୀରର ସବୁ ଅଂଶ ମନୁଷ୍ୟର ବ୍ୟବହାରରେ ଆସେ । ତାହାର ଚମଡ଼ା, ଶିଙ୍ଗ, ଦାନ୍ତ ପ୍ରଭୃତିରେ ନାନା ଉପାଦେୟ ଓ ସୁନ୍ଦର ବସ୍ତୁ ହୁଏ । ବାଘ ତେଲ ଓ ଜିଆଦ ଶିଙ୍ଗ ବଡ଼ ଉପାଦେୟ ଔଷଧ । ବ୍ୟଥା ଓ ବାତ ରୋଗରେ ଏହା ଅମର ମହୌଷଧି ପରି କାମକରେ । ବାଘନଖ ବାନ୍ଧିଲେ ପିଲାମାନଙ୍କର ଦୃଷ୍ଟିଦୋଷ ଦୂରହୁଏ । ହାତୀଦାନ୍ତ ସୁନାରୂପା ପରି ଗୋଟିଏ ମୂଲ୍ୟବାନ୍‌ ପଦାର୍ଥ । ବ୍ୟାଘ୍ର ଚର୍ମରେ ବସି ଯୋଗୀମାନେ ଯୋଗାସନ କରନ୍ତି । ସ୍ୱାସ୍ଥ୍ୟ ପକ୍ଷରେ ମଧ୍ୟ ବ୍ୟାଘ୍ରଚର୍ମ ଅତି ଉପାଦେୟ । ଏଣୁ ଏହାକୁ ଏତେ ଉଚ୍ଚସ୍ଥାନ ଦିମଯାଇଛି । ଟାଇଗା ଭଳି ସରଳ ବର୍ଗୀୟ ଅରଣ୍ୟରେ ଯେଉଁ ଲୋମଶ ପ୍ରାଣୀ ବାସ କରନ୍ତି, ସେମାନଙ୍କ ଲୋମରେ ଅତି ଉପାଦେୟ ପଶମ ବସ୍ତ୍ର ନିର୍ମିତ ହୁଏ ।

 

ବନ୍ୟଜନ୍ତୁ ଦେଖିଲେ ମନୁଷ୍ୟ ଯେଉଁ ଅପାର ଆନନ୍ଦ ଅନୁଭବ କରେ, ଅନ୍ୟ ଯେ କୌଣସି ସମୟରେ ତାହା ଜୀବନରେ ଏହି ବ୍ୟବସ୍ଥା କ୍ୱଚିତ୍‌ ଘଟିଥାଏ । ଚିଡ଼ିଆଖାନା ପ୍ରଭୃତିରେ ମନୁଷ୍ୟ ଯେଉଁ ବନ୍ୟଜନ୍ତୁ ଦେଖେ, ତାହାକୁ ଅପଲକ ନେତ୍ରରେ ଚାହିଁ ରହିଥାଏ । ‘‘ସୁନ୍ଦରେ ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।’’ କବି ହୃଦୟର ଏହି ଆବେଗପୂର୍ଣ୍ଣ ଭାବନା ଏହି ସ୍ଥଳରେ ହିଁ ସାର୍ଥକ ହୁଏ । ଅନେକ ଲୋକ କେବଳ ଆନନ୍ଦପାଇଁ ବହୁ ଅର୍ଥ ବ୍ୟୟକରି ନାନା ପ୍ରକାର ବନ୍ୟଜନ୍ତୁ ପାଳନ କରନ୍ତି । ଯେଉଁ ସର୍କସରେ ଅଧିକ ବନ୍ୟଜନ୍ତୁ ଥାନ୍ତି, ସେଥିରେ ସାଧାରଣତଃ ଟିକଟ ମିଳେ ନାହିଁ । ବ୍ୟାଘ୍ର ସିଂହ ବନ୍ୟଜନ୍ତୁ ସତ; ତଥାପି ମହାବଳ ଦେହର ହଳଦିଆ ରଙ୍ଗ ଉପରେ ଘନକୃଷ୍ଣ ଦାଗର ଶୋଭା ବିଶ୍ୱ ସୌନ୍ଦର୍ଯ୍ୟ ସହିତ ପ୍ରତିଯୋଗିତା କଲାପରି ଜଣାଯାଏ । ପଶୁରାଜ ସିଂହର କେଶରଠାରୁ ଦୁର୍ଯ୍ୟୋଧନର ମଣିମୟ ମୁକୁଟ ଅଧିକ ସୁନ୍ଦର ହୋଇ ନଥିବ ।

 

କେବଳ ସେତିକି ନୁହେ, କେତେ ବନ୍ୟଜନ୍ତୁଠାରେ ମାନବର ଅନୁକରଣ ଯୋଗ୍ୟ କେତେ ସଦ୍‌ଗୁଣ ବି ରହିଛି । ସିଂହକୁ ପଶୁରାଜ କହନ୍ତି । ରାଜପଦପାଇଁ ତାହାର ଆକାର, ଛଟା, ଚାଲି ଓ ଚାହାଣୀ ଯେପରି ଉପଯୁକ୍ତ, ସେହିପରି ରାଜସୁଲଭ ଲକ୍ଷଣ ମଧ୍ୟ ତାହାଠାରେ ଦେଖାଯାଏ-। ‘‘ଯତ୍ର କୃତିଃ ତତ୍ର ଗୁଣା ବସନ୍ତି’’ ବୋଲି ଯେଉଁ ନୀତିବାକ୍ୟ ଅଛି, ତାହା ଏଠାରେ ସଂପୂର୍ଣ୍ଣ ପ୍ରଯୁଜ୍ୟ-। ଗୋଟିଏ ପ୍ରବାଦ ଅଛି, ସିଂହ କ୍ଷୁଧା ହେଲେ ତାହାର ପେଟ ପୁରିଲା ପରି ଗୋଟିଏ ମାତ୍ର ବଡ଼ ଜନ୍ତୁ ମାରେ । ଅନ୍ୟମାନଙ୍କ ପରି ସେ ଏକାଧିକ ଜନ୍ତୁକୁ ମାରେ ନାହିଁ । ପୁମା ଆଫ୍ରିକାର ଗୋଟିଏ ବନ୍ୟଜନ୍ତୁ । ସିଂହ ବା ବ୍ୟାଘ୍ର ତାହାକୁ ଦେଖିଲେ ବିରାଡ଼ିକୁ ମୂଷା ଦେଖି ଭୟଭୀତ ହେଲାପରି ଆତଙ୍କିତ ହୋଇଯାନ୍ତି । ସେହି ପୁମା ମନୁଷ୍ୟର ପରମ ମିତ୍ର । ସେ ନିବିଡ଼ ଅରଣ୍ୟରେ ରହେ । ଯଦି ସେହି ବନ ମଧ୍ୟରେ କେହି ବାଟବଣା ହୋଇଯାଏ, ତେବେ ଲୋକଟିକୁ ଅନ୍ୟ ଜନ୍ତୁର ଆକ୍ରମଣରୁ ରକ୍ଷା କଲା ପରି ସେ ଜଗିଥାଏ । ଲୋକଟି ନିରାପଦ ସ୍ଥାନରେ ପ୍ରବେଶ କଲା ପର୍ଯ୍ୟନ୍ତ ସେ ତାହା ପଛରେ ଥାଏ । ଖଗ ଆଉ ଗୋଟିଏ ବନ୍ୟଜନ୍ତୁ । ଏମାନେ ଦଳଦଳ ହୋଇ ରହନ୍ତି । ଏମାନେ ଦେଖିବାକୁ କୁକୁର ପରି । ନାନା ରଙ୍ଗ ବେରଙ୍ଗରେ ଚିତ୍ରିତ । ଏହି ଜନ୍ତୁଗୁଡ଼ିକ ଦେଖିବାକୁ ଏତେ ସୁନ୍ଦର ଯେ ମନେହୁଏ, ଏହା ବିଧାତାଙ୍କର ଶିଳ୍ପ ନୈପୁଣ୍ୟର ଚରମ ଉତ୍କର୍ଷ । ଏମାନେ ମଧ୍ୟ ବନ ମଧ୍ୟରେ କେହି ବାଟବଣା ହେଲେ ପ୍ରକୃତ ମାଗଟି ଛାଡ଼ି ଅନ୍ୟ ତିନିପଟେ ଘେରିଯାନ୍ତି । ଲୋକଟି ବ୍ୟାକୁଳ ହୋଇ ସେହି ଦିଗରେ ଦୌଡ଼ିବାକୁ ଆରମ୍ଭ କରେ । ଶେଷରେ ସେ ନିରାପଦ ସ୍ଥାନରେ ଉପନୀତ ହୁଏ । ଏହିପରି ବନ୍ୟ ଜନ୍ତୁମାନଙ୍କଠାରେ ମଧ୍ୟ କେତେ ମହତ୍‌ ଭାବ ଦେଖିବାକୁ ମିଳେ, ଯାହା ମନୁଷ୍ୟଠାରେ ଦୁର୍ଳଭ ।

 

ଆମ ପୁରାଣଗୁଡ଼ିକରେ ମଧ୍ୟ ବନ୍ୟଜନ୍ତୁମାନେ ମନୁଷ୍ୟର ପରମ ମିତ୍ର ବୋଲି ବର୍ଣ୍ଣିତ ଅଛି । ବନ୍ୟଜନ୍ତୁଗୁଡ଼ିକ ପ୍ରଚୀନ ଋଷି ଆଶ୍ରମର ଶୋଭାବର୍ଦ୍ଧକ ଥିଲେ । ମିତ୍ର ଲାଭର ବନ୍ୟଜନ୍ତୁ ବର୍ଣ୍ଣନା ଅତି ଚମତ୍କାର ଓ ଉପଭୋଗ୍ୟ । ବର୍ତ୍ତମାନ ସୁଦ୍ଧା ଭାରତର ଏହି ଭାବ ହ୍ରାସ ପାଇନାହିଁ । ଭାରତରେ ସିଂହକୁ ଜାତୀୟ ପଶୁ ଏବଂ ମୟୂରକୁ ଜାତୀୟ ପକ୍ଷୀ ରୂପେ ଗ୍ରହଣ କରାଯାଇଛି ।

 

ବନ୍ୟଜନ୍ତୁମାନେ ମନୁଷ୍ୟକୁ ଆକ୍ରମଣ କରନ୍ତି; ଏହା ସବୁବେଳେ ସତ୍ୟ ନୁହେ । ମନୁଷ୍ୟ ବନ୍ୟଜନ୍ତୁକୁ ଭୟ କରିବା ଅପେକ୍ଷା ବନ୍ୟଜନ୍ତୁ ମନୁଷ୍ୟକୁ ଅଧିକ ଭୟ କରେ । ସେମାନେ ଅନର୍ଥକୁ ଡରି ସର୍ବଦା ମନୁଷ୍ୟଠାରୁ ଦୂରରେ ରହିବାକୁ ଇଚ୍ଛା କରନ୍ତି । ଏଣୁ ସେମାନେ ବନଜଙ୍ଗଲରେ ଲଟାବୁଦା ବା ଗୁହାଗୁଡ଼ିକରେ ଲୁଚି ରହନ୍ତି । ଏପରି କି ସେମାନେ ମନୁଷ୍ୟ ଆଗରେ ନପଡ଼ିବା ଉଦ୍ଦେଶ୍ୟରେ ଦିନବେଳେ ପଦାକୁ ନ ଆସି ରାତିରେ ବାହାରନ୍ତି । ମନୁଷ୍ୟମାନେ କେବଳ ନାନା ଉପାୟରେ ବନ୍ୟଜନ୍ତୁ ଗୁଡ଼ିକ ମାରନ୍ତି । ସେ ତାହାର ପ୍ରତିବାଦ ସ୍ୱରୂପ ମନୁଷ୍ୟକୁ ଆକ୍ରମଣ କରେ ବା କ୍ଷୁଧାର୍ତ୍ତ ହେଲେ ଆକ୍ରମଣ କରେ । ବନ୍ୟଜନ୍ତୁ ଓ ମନୁଷ୍ୟର ଗଠନ ଏପରି ଯେ, ବନ୍ୟଜନ୍ତୁର ସ୍ପର୍ଶମାତ୍ରେ ମନୁଷ୍ୟର ପ୍ରାଣଯାଏ । କିନ୍ତୁ କୌଣସି ବନ୍ୟଜନ୍ତୁ କାହା ଘରକୁ ଯାଇ ଆକ୍ରମଣ କରିବା ଘଟଣା ଅତି ବିରଳ । ପୁଣି ବନ୍ୟଜନ୍ତୁ ପକ୍ଷରୁ ମନୁଷ୍ୟ ଉପରେ ଆକ୍ରମଣ ନ ହେଲା ପରି ପ୍ରକୃତିର ମଧ୍ୟ କେତେକ ପ୍ରେରଣା ରହିଛି । ଦେହ ତୁଳନାରେ ହସ୍ତୀର ଚକ୍ଷୁ ଅତି କ୍ଷୁଦ୍ର । ଏଣୁ ତାହାକୁ ମନୁଷ୍ୟ ନିଜ ଅପେକ୍ଷା ଅତି ବଡ଼ ଦେଖାଯାଏ । ସାହସ କରି ମୁହାଁମୁହିଁ ହୋଇ ଠିଆ ହେଲେ ମନୁଷ୍ୟକୁ ମହାବଳ ମଧ୍ୟ ଆକ୍ରମଣ କରିବାକୁ ସାହସ କରିପାରେ ନାହିଁ ଏବଂ ମଲାପରି ପଡ଼ିଗଲେ ଭାଲୁ ଆକ୍ରମଣ କରେ ନାହିଁ ବୋଲି ଲୋକେ କହନ୍ତି । ଯାହାହେଉ ଦ୍ରୁତ ବେଗରେ ଦୌଡ଼ି ପଳାଇଲେ ଭାଲୁ ଆକ୍ରମଣରୁ ରକ୍ଷାମିଳେ, କାରଣ ଦୌଡ଼ିବା ସମୟରେ ଭାଲୁର ପୁରାଦୃଷ୍ଟି ନଥାଏ-। ମୃଗମାନେ ଟିକିଏ ଦୂରରୁ ମନୁଷ୍ୟର ଚହଳ ଶୁଶିଲେ ଦ୍ରୁତବେଗରେ ଦୌଡ଼ି ପଳାନ୍ତି ।

 

ମନୁଷ୍ୟ କିନ୍ତୁ ନାନା ଉପାୟରେ ବନ୍ୟଜନ୍ତୁ ଶିକାର କରେ । ଅତି ପୁରାକାଳରୁ ଶିକାର ଗୋଟିଏ ସାମାଜିକ ବ୍ୟସନରୂପେ ପରିଚିତ । ଶିକାର ରାଜା ମହାରାଜା ବା ବଡ଼ ବଡ଼ କର୍ମଚାରୀମାନଙ୍କର ଗୋଟିଏ ବିଶେଷ ବିଳାସ । ବାଘ ଶିକାରୀ ଯଶସ୍ୱୀ ରୂପେ ପରିଗଣିତ । ବାଘ ଶିକାରୀକୁ ସରକାରଙ୍କ ପକ୍ଷରୁ ପୁରାସ୍କାର ମଧ୍ୟ ଦିଆଯାଏ । କେତେ ଲୋକ ମାଂସ, ଚମଡ଼ା ଓ ଶିଙ୍ଗ ଉଦ୍ଦେଶ୍ୟରେ ବନ୍ୟଜନ୍ତୁ ଶିକାର କରନ୍ତି । ପୁଣି ଜନସଂଖ୍ୟା ବୃଦ୍ଧି ହେତୁ ଲୋକେ ବନଜଙ୍ଗଲ ପଦାକରି ସେହି ସ୍ଥାନରେ ଶସ୍ୟକ୍ଷେତ୍ର ବା ବସତି ସ୍ଥାପନ କରନ୍ତି । ଏହି ସମସ୍ତ କାରଣରୁ କ୍ରମେ ବନ୍ୟଜନ୍ତୁ ସଂଖ୍ୟା ହ୍ରାସ ପଇଯାଉଛି ।

 

ସକଳ ଦିଗରୁ ମନୁଷ୍ୟର ଉପକାରୀ ଏହି ବନ୍ୟଜନ୍ତୁମାନଙ୍କର ସଂଖ୍ୟା ଦ୍ରୁତବେଗରେ ହ୍ରାସ ପାଉଥିବାରୁ ଭାରତ ସରକାର ବିଶେଷ ଉଦ୍‌ବିଗ୍ନ । ଏଣୁ ବନ୍ୟଜନ୍ତୁ ଶିକାରକୁ ବିଶେଷ ଉତ୍ସାହିତ କରାଯାଉ ନାହିଁ ଏବଂ କେତେ ନିର୍ଦ୍ଦିଷ୍ଟ ଜନ୍ତୁ ଶିକାର ନିଷିଦ୍ଧ କରାଯାଇଛି । ସରକାରଙ୍କ ଦ୍ୱାରା ବଡ଼ବଡ଼ ଜଙ୍ଗଲର ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ କେତେ କୃତ୍ରିମ ଜଙ୍ଗଲ ମଧ୍ୟ ସୃଷ୍ଟି କରାଯାଉଛି । ଏହି ଜନକଲ୍ୟାଣ ଉଦ୍ଦେଶ୍ୟକୁ ବ୍ୟାପକ କରିବାପାଇଁ ବର୍ଷକୁ ଥରେ ବନ୍ୟଜନ୍ତୁ ସଂରକ୍ଷଣ ସପ୍ତାହ ପାଳିତ ହୁଏ । ଏହି ସମୟରେ ବିଭିନ୍ନ ସ୍କୁଲ କଲେଜରେ ବନ୍ୟଜନ୍ତୁମାନଙ୍କ ସଂପର୍କରେ ବିଶେଷ ଆଲୋଚନା ହେବା ସଙ୍ଗେ ସଙ୍ଗେ ଛାତ୍ରମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ମଧ୍ୟ ହୁଏ । ସେ ମଧ୍ୟରୁ ଯେଉଁ ଛାତ୍ର ଅଧିକ ଯୋଗ୍ୟ ବିବେଚିତ ହୁଏ, ସେ ପୁରସ୍କାର ପାଏ । ବିଷୟଟିକୁ ଅଧିକ ବ୍ୟାପକ ଓ ଲୋକପ୍ରିୟ କରିବାପାଇଁ ଏହି ସପ୍ତାହଟି ପାଳିତ ହୁଏ ।

 

ପ୍ରକୃତରେ ଏପରି କାର୍ଯ୍ୟଗୁଡ଼ିକ ସମସ୍ତଙ୍କର ସହଯୋଗ ଓ ସଦିଚ୍ଛାରେ କେବଳ ହୁଏ । ବନଜନ୍ତୁମାନେ ଆମର ଉପକାରୀ, ସକଳ ଦିଗରୁ ସେମାନଙ୍କଦ୍ୱାରା ଆମର ମଙ୍ଗଳ ହୁଏ । ଏଣୁ ବନ୍ୟଜନ୍ତୁମାନେ ଯେପରି ଲୋପ ପାଇ ନ ଯାନ୍ତି, ସେଥିପ୍ରତି ଦୃଷ୍ଟି ରଖିବା ସମସ୍ତଙ୍କର କର୍ତ୍ତବ୍ୟ ।

Image

 

ଉଦ୍ୟାନ କର୍ମ

 

ପ୍ରାକୃତିକ ବା କୃତ୍ରିମ ସକଳ ପ୍ରକାର ବୃକ୍ଷଲତା ପରିଶୋଭିତ ବୃହତ୍‌ ବା କ୍ଷୁଦ୍ର ଭୂଖଣ୍ଡକୁ ଉଦ୍ୟାନ କୁହାଯାଏ । ଏହାର ଅନ୍ୟ ନାମ ବଗିଚା । ଏହି ଉଦ୍ୟାନ ସକଳଦିଗରୁ ମନୁଷ୍ୟର ଉପକାରୀ । ଏଣୁ ଏହା ଅତି ପୁରାକାଳରୁ ଭାରତରେ ଆଦୃତ । ଏପରି କି ଭାରତୀୟ ମନୀଷୀମାନେ ମର୍ତ୍ତ୍ୟର ଉଦ୍ୟାନରେ ତୃପ୍ତ ନ ହୋଇ ସ୍ୱର୍ଗରେ ମଧ୍ୟ ଗୋଟିଏ ସୁନ୍ଦର ଉଦ୍ୟାନରେ କଳ୍ପନା କରିଛନ୍ତି, ଯାହାର ନାମ ନନ୍ଦନ କାନନ । ତାହାର ବୃକ୍ଷଲତା, ଫଳପୁଷ୍ପରେ ମଧ୍ୟ ଦେବତ୍ୱ ଆରୋପ କରାଯାଇଛି ।

 

ଉଦ୍ୟାନଗୁଡ଼ିକୁ ପ୍ରାକୃତିକ ଓ କୃତ୍ରିମ ଏପରି ଦୁଇ ଭାଗରେ ବିଭକ୍ତ କରାଯାଇପାରେ । ପୃଥିବୀର ବୃହଦାକାର ଅରଣ୍ୟଗୁଡ଼ିକ ଗୋଟିଏ ଗୋଟିଏ ପ୍ରାକୃତିକ ଉଦ୍ୟାନ । ଏଗୁଡ଼ିକ ଜୀବଜଗତର କଲ୍ୟାଣପାଇଁ ଭଗବାନଙ୍କର ଦାନ । ପ୍ରକୃତି ଏହାର ଜନ୍ମଦାତ୍ରୀ । ଏଣୁ ବିଭିନ୍ନ ଋତୁର ଜଳବାୟୁରେ ଏଗୁଡ଼ିକ ପରିପୁଷ୍ଟ । ବନ୍ୟଜନ୍ତୁଗୁଡ଼ିକ ଏହାର ରକ୍ଷକ ଓ ସରକାର ଏହାର ତତ୍ତ୍ୱାବଧାରକ । ଏଗୁଡ଼ିକବିନା ମନୁଷ୍ୟ-ସମାଜ ଚଳିବା ଅସମ୍ଭବ । ଏଣୁ ଏହାର ସୁରକ୍ଷାପାଇଁ ସକଳ ଦିଗରୁ ସରକାରଙ୍କୁ ସାହାଯ୍ୟ କରିବା ସମସ୍ତଙ୍କର କର୍ତ୍ତବ୍ୟ ।

 

ଉଦ୍ୟାନ କହିଲେ ମନରେ ଯେଉଁ ଧାରଣା ଜନ୍ମେ, ଏହି ପ୍ରାକୃତିକ ଉଦ୍ୟାନରେ ମଧ୍ୟ ସେ ସବୁ ରହିଛି । ଏଗୁଡ଼ିକରେ ମଧ୍ୟ ସୁନ୍ଦର ଓ ସୁବାସିତ ଫଳପୁଷ୍ପ ପରିଶୋଭିତ ବୃକ୍ଷଲତା ଜନ୍ମେ-। ଉଦ୍ୟାନ ଅପେକ୍ଷା ଏଗୁଡ଼ିକ କୌଣସିମତେ ନ୍ୟୁନ ନୁହେ । ବନବାସ ସମୟରେ ରାମଚନ୍ଦ୍ର ଚଉଦବର୍ଷ କାଳ ଫଳମୂଳ ଖାଇ ବନରେ ବାସକରି ପାରିଥିଲେ । ବର୍ତ୍ତମାନର ଦଣ୍ଡକାରଣ୍ୟ ଯୋଜନା ସେହି ପୌରାଣିକ ଯୁଗର ସ୍ମୃତିଚିହ୍ନ ଉପରେ ପ୍ରତିଷ୍ଠିତ । ବର୍ତ୍ତମାନ ଓଡ଼ିଶାର ଦକ୍ଷିଣ-ପୂର୍ବାଞ୍ଚଳରେ ଯେଉଁ ଉଦ୍ୟାନ ଖଣ୍ଡ ଦେଖାଯାଏ, ତାହା ଉଦ୍ୟାନ ଶବ୍ଦର ଅପଭ୍ରଂଶ ମାତ୍ର । ଏହି ଅଞ୍ଚଳଟି ଆମ୍ବ, ପଣସ, କଦଳୀ, ନଡ଼ିଆ, ତାଳ, ସପୁରୀ ପ୍ରଭୃତି ନାନାବିଧ ଫଳବୃକ୍ଷରେ ପରିପୂର୍ଣ୍ଣ । ପୃଥିବୀର ଭୂମଧ୍ୟସାଗରୀୟ ଅଞ୍ଚଳ ମଧ୍ୟ ବିଭିନ୍ନ ମୂଲ୍ୟବାନ୍‌ ଫଳପାଇଁ ପ୍ରସିଦ୍ଧ । ଏଗୁଡ଼ିକ ଦିନେ ପ୍ରାକୃତିକ ଉଦ୍ୟାନ ଥିବା ସମ୍ଭବ । ମନୁଷ୍ୟ ନିଜ ଆବଶ୍ୟକତାକୁ ନେଇ କାଳକ୍ରମେ ଏହି ସ୍ଥାନରେ ବସତି ସ୍ଥାପନ କରି ଏହି ଉଦ୍ୟାନଗୁଡ଼ିକର ଅଧିକ ଉନ୍ନତି ସାଧନ କରିଅଛି । ଏଣୁ ଏହି ସ୍ଥଳଗୁଡ଼ିକ ଆଜି ରମଣୀୟ ଓ ଲାଭଜନକ ଉଦ୍ୟାନ ରୂପେ ଖ୍ୟାତ ।

 

ଭାରତର ଅନେକ ବଡ଼ବଡ଼ କୃଷକ ଓ ଧନିକ ଶ୍ରେଣୀର ଲୋକ ଅନେକ ବଡ଼ବଡ଼ ଉଦ୍ୟାନ ବା ବଗିଚା କରନ୍ତି । ସେମଧ୍ୟରୁ କେତେ ବୃହଦାକାର । ସେଥିରେ ଆମ୍ଭ, ପଣସ, କଦଳୀ, ନଡ଼ିଆ ସହ ବହୁ ପନିପରିବା ଓ ଫୁଲଗଛ ମଧ୍ୟ ରୋପଣ କରାଯାଇ ଥାଏ । କେତେ ଉଦ୍ୟାନ ଏପରି ସଜ୍ଜିତ ହୋଇଥାଏ ଯେ, ସେଗୁଡ଼ିକ ଗୋଟିଏ ଗୋଟିଏ ଚିତ୍ରପଟ ପରି ଦେଖାଯାଏ । ଏଗୁଡ଼ିକ ଦେଖିବାକୁ ଯେପରି ସୁନ୍ଦର, ବ୍ୟବସାୟ ଦୃଷ୍ଟିରୁ ସେପରି ବିଶେଷ ଲାଭଜନକ । ଏଥିରେ ଯେଉଁମାନେ କାମ କରନ୍ତି, ସେମାନଙ୍କୁ ତୋଟାମାଳି କୁହାଯାଏ ।

 

କେତେ ଗରିବ କୃଷକ କେତେ ଉଦ୍ୟାନ କରନ୍ତି । ଏଗୁଡ଼ିକୁ ବଗିଚା କୁହାଯାଏ । ଏଗୁଡ଼ିକୁ ଅପେକ୍ଷାକୃତ କ୍ଷୁଦ୍ର । ଏହି ଶ୍ରେଣୀର ବଗିଚା ଗୁଡ଼ିକ ପନିପରିବା ପାଇଁ ବିଶେଷ ପ୍ରସିଦ୍ଧ । ଏଗୁଡ଼ିକରୁ ବାଇଗଣ, କୋବି, ଆଳୁ, ଲଙ୍କାମରିଚ ପ୍ରଭୃତି ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ ଉତ୍ପନ୍ନ ହୁଏ । ଏପରି ବଗିଚାଗୁଡ଼ିକରେ ବଗିଚାସ୍ୱାମୀ ନିଜେ କାମ କରେ । ଏହା ତାହାର ଜୀବିକା ।

 

କେତେ ବଗିଚାରେ କେବଳ ଆମ୍ବ. କେବଳ କଦଳୀ, କେବଳ ନଡ଼ିଆ ବା ସେପରି କେତେ ବିଶେଷ ବୃକ୍ଷ ଦେଖାଯାଏ । ଏଗୁଡ଼ିକୁ ଆମ୍ବ ବଗିଚା, କଦଳୀ ବଗିଚା ବା ସେପରି ଏକ ବିଶେଷ ନାମ ଦିଆଯାଏ । କେରଳ, ଓଡ଼ିଶାର ପୁରୀ ଓ ସାକ୍ଷୀଗୋପାଳ ଓ ସମୁଦ୍ର ଉପକୂଳର ବହୁ ସ୍ଥାନରେ ଅନେକ ବଡ଼ବଡ଼ ନଡ଼ିଆ ବଗିଚା ଦେଖାଯାଏ । ଆନ୍ଧ୍ରର ରାଜମହେନ୍ଦ୍ରି ଜିଲ୍ଳାରେ ଅନେକ ଆମ୍ବ ଓ ପିଜୁଳି ବଗିଚା, ବିହାର ଓ ପଶ୍ଚିମବଙ୍ଗ ସୀମାରେ କଦଳୀ ବଗିଚା. ଆସାମର ପାର୍ବତ୍ୟ ପ୍ରଦେଶ ଏବଂ ହିମାଳୟର ଚା’ ବଗିଚା, ଭାରତର ଦକ୍ଷିଣ ସୀମାରେ ଥିବା ରବର ଓ ସିଙ୍କୋନା ବଗିଚା ଗୁଡ଼ିକର ନାମ ଉଲ୍ଳେଖଯୋଗ୍ୟ ।

 

କେତେ ବଗିଚାରେ କେବଳ ମଲ୍ଳୀ, ମାଳତୀ, ସେବତୀ, ଚମ୍ପା, ଟଗର, ନିତିମଲ୍ଳୀ, ରଜନୀଗନ୍ଧା, ବିଭିନ୍ନ ରଙ୍ଗ ବେରଙ୍ଗର ପାଶ୍ଚାତ୍ୟ ପୁଷ୍ପ ଓ କ୍ରୋଟନ୍‌ ବୃକ୍ଷ ଦେଖାଯାଏ । ଏଗୁଡ଼ିକ ଫୁଲ ବଗିଚା କୁହାଯାଏ । ଏହି ଶ୍ରେଣୀର ଫୁଲ ବଗିଚା ଗୁଡ଼ିକ ଶରତ୍‌ କାଳୀନ ଆକାଶରେ ଛାୟାପଥପରି ଦେଖାଯାଏ । ଏହି ବଗିଚାଗୁଡ଼ିକ ଘରର ଦାଣ୍ଡପଟେ, ବାଡ଼ିପଟେ ବା ଗୃହ ପାର୍ଶ୍ୱରେ ଦେଖାଯାଏ । ଏଗୁଡ଼ିକ ଗୋଟିଏ ଗୋଟିଏ ଚିତ୍ତବିନୋଦନ କେନ୍ଦ୍ର । ସାହାଜାହାନ୍‌ କାଶ୍ମୀରରେ ଏହି ଶ୍ରେଣୀର କେତୋଟି ଫୁଲ ବଗିଚା ନିର୍ମାଣ କରି ଥିଲେ । ତାହା ସାହାଜାହାନ୍‌ ବାଗ୍‌ ନାମରେ ପରିଚିତ-। ଏଗୁଡ଼ିକ ଦିନରେ ମଲ୍ଳୀମାଳତୀ ଓ ରାତିରେ ରଜନୀଗନ୍ଧାର ସୁବାସରେ ଚହଟୁ ଥାଏ । କେବଳ ସେତିକି ନୁହେ, ସୁରମ୍ୟ ଉଦ୍ୟାନ ପାଇଁ କାଶ୍ମୀର ପୃଥିବୀପ୍ରସିଦ୍ଧ । କାଶ୍ମୀରର ଝେଲମ ନଦୀ ଓ ହ୍ରଦଗୁଡ଼ିକରେ ଯେଉଁ ଭାସମାନ ଉଦ୍ୟାନଗୁଡ଼ିକ ରହିଛି, ତାହା ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଗଣ୍ୟ । ବଡ଼ବଡ଼ ସହରଗୁଡ଼ିକରେ ଏହି ଶ୍ରେଣୀର କେତେ ସୁନ୍ଦର ବଗିଚା ଥାଏ । ସେଥିରେ କେତେକ ସିମେଣ୍ଟ ଚଉକି ଓ ବେଞ୍ଚ ମଧ୍ୟ ପଡ଼ିଥାଏ । ସହରବାସୀମାନେ ସହରର ଦୁଷିତ ବାୟୁମଣ୍ଡଳରୁ ଟିକିଏ ମୁକ୍ତିପାଇବା ପାଇଁ ସେହି ସ୍ଥାନରେ ବସି ବିଶ୍ରାମ ନିଅନ୍ତି । ସ୍ଥଳବିଶେଷରେ ରେଡ଼ିଓ ମଧ୍ୟ ଥାଏ । ସ୍ଥାନୀୟ ପୌରସଭାର ଦାୟିତ୍ୱରେ ଏଗୁଡ଼ିକ ପରିଚାଳିତ ହୁଏ । ଏହି ସ୍ଥାନଗୁଡ଼ିକ କ୍ଳାନ୍ତ ଜୀବନପକ୍ଷରେ ଶାନ୍ତିପ୍ରଦ । ବର୍ତ୍ତମାନ ଶିଳ୍ପାଞ୍ଚଳଗୁଡ଼ିକରେ ବଡ଼ବଡ଼ ବଗିଚା କରାଯାଉଛି । ସୁନାବେଡ଼ା ନିକଟରେ ଏପରି ଗୋଟିଏ ବଡ଼ ଉଦ୍ୟାନ ରହିଛି । ଆମର ନୂତନ ରାଜଧାନୀ ଭୁବନେଶ୍ୱର ନିକଟରେ ନନ୍ଦନ କାନନ ନାମକ ଯେଉଁ ନୂତନ ଉଦ୍ୟାନ ନିର୍ମିତ ହୋଇଛି, ସେ ଗୋଟିଏ ମିଶ୍ରିତ ଉଦ୍ୟାନ । ସେ ମର୍ତ୍ତ୍ୟର ନନ୍ଦନ କାନନ ।

 

ଏପରି ଆଉ କେତେ ବଗିଚା ଥାଏ, ଯେଉଁଥିରେ କିଛି ନ ଥାଏ ବୋଲି କହିଲେ ଅସଙ୍ଗତ ହେବ । ଏଗୁଡ଼ିକର ରୂପ କେତେବେଳେ କ’ଣ କହିହେବ ନାହିଁ । କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ଯୋଜନାରେ ଏଗୁଡ଼ିକ ପରିପୁଷ୍ଟ ନୁହେ । ଯେତେବେଳେ ଯେଉଁ ସୁବିଧା ହେଲା, ତାହାହିଁ କେବଳ ତାହାର ଯୋଜନା । ସାଧାରଣ କର୍ମଚାରୀମାନେ ଏହି ଶ୍ରେଣୀର ବଗିଚା କରନ୍ତି । ଏଥିରେ ଫୁଲ ଓ ବିଭିନ୍ନ ପରିବା, ଉଭୟ ଶ୍ରେଣୀର ବୃକ୍ଷଲତା ଦେଖାଯାଏ । ଏଗୁଡ଼ିକୁ ଘରୋଇ ବଗିଚା ବା Kitchen garden କୁହାଯାଏ । କର୍ମଚାରୀମାନେ ନିଜ କର୍ମକ୍ଷେତ୍ରରୁ ଫେରି ଏଥିରେ କ୍ଳାନ୍ତି ଅପନୋଦନ କରନ୍ତି । ଏଥିରେ ସେମାନେ ଯେତିକି ସମୟ କଟାନ୍ତି, ତାହାହିଁ ସେମାନଙ୍କର ବିଶ୍ରାମ-। ଆମ ରାଜଧାନୀ ଭୁବନେଶ୍ୱରରେ ଏହି ଶ୍ରେଣୀର ଅନେକ ବଗିଚା ଦେଖାଯାଏ ।

 

ଉଦ୍ୟାନଗୁଡ଼ିକ କେବଳ ଅର୍ଥ ଦୃଷ୍ଟିରୁ ଯେ ଲାଭଜନକ, ଏହାନୁହେ, ଏଗୁଡ଼ିକର ସଂପର୍କ ମନୁଷ୍ୟକୁ ସାଧୁ ଓ ସରଳ ଜୀବନ ଯାପନ କରିବାକୁ ପ୍ରେରଣା ଦିଅନ୍ତି । ଆଧୁନିକ ବୈଜ୍ଞାନିକମାନଙ୍କ ମତରେ ତରୁଲତାଦେଇ ପ୍ରବାହିତ ବାୟୁ ସ୍ୱାସ୍ଥ୍ୟରକ୍ଷାପାଇଁ ବିଶେଷ ଅନୁକୂଳ । ଦିନବେଳେ ସେଗୁଡ଼ିକ ଯେଉଁ ଅମ୍ଳଜାନ ତ୍ୟାଗ କରନ୍ତି, ମନୁଷ୍ୟପାଇଁ ତାହା ନିତାନ୍ତ ଆବଶ୍ୟକ । ପ୍ରାଚୀନ ଆର୍ଯ୍ୟ ସଭ୍ୟତାର ଜନନାୟକ କୁଳପତିମାନେ ବିଭିନ୍ନ ବୃକ୍ଷଲତା ପରିଶୋଭିତ ସୁରମ୍ୟ ଉଦ୍ୟାନ ଗୁଡ଼ିକରେ ରହି ଭାରତୀୟ ସଭ୍ୟତା ଗଠନ କରିଥିଲେ । ଆଶ୍ରମଗୁଡ଼ିକର ବାୟୁମଣ୍ଡଳ ଶାନ୍ତ ଓ ସୁସ୍ଥ ପରିବେଶ ମଧ୍ୟରେ ଆବଦ୍ଧ ରହି ବିକାଶୋନ୍ମୁଖୀ ସଭ୍ୟତା ଗଠନ କରିବାରେ ସହାୟକ ହେଉଥିଲା । ପ୍ରଚୀନ ଯୁଗର ମୁନି ଋଷିମାନେ ବନ ପର୍ବତର କନ୍ଦରମାନଙ୍କରେ ରହି ତପସ୍ୟା କରୁଥିଲେ । ସେମାନଙ୍କର ତପସ୍ୟାକୁ ପୂର୍ଣ୍ଣାଙ୍ଗ କରିବାପାଇଁ ବୋଧହୁଏ ବୃକ୍ଷଲତାଗୁଡ଼ିକ ଅବ୍ୟକ୍ତ ପ୍ରେରଣା ଦେଉଥିଲେ । କେବଳ ସେତିକି ନୁହେ, ବୌଦ୍ଧ ଓ ଜୈନ ସନ୍ନ୍ୟାସୀମାନେ ମଧ୍ୟ ବନଜଙ୍ଗଲରେ ସୁନ୍ଦର ଉଦ୍ୟାନ ନିର୍ମାଣ କରି ରହୁଥିଲେ । କାଳିଦାସ ଶକୁନ୍ତଳା ନାଟକର ଚତୁର୍ଥ ସର୍ଗରେ ଶକୁନ୍ତଳାଙ୍କ ମୁଖରେ ଯେଉଁ ଉଦ୍ୟାନ ବର୍ଣ୍ଣନା କରିଛନ୍ତି, ତାହା ବଡ଼ ବିଚିତ୍ର । ଶକୁନ୍ତଳା ଆଶ୍ରମ ତ୍ୟାଗ କଲା ସମୟରେ ନିଜର ପ୍ରିୟ ବନ୍ଧୁମାନଙ୍କୁ ତ୍ୟାଗକରି ଯେତିକି ଦୁଃଖ ଅନୁଭବ କରିଥିଲେ, ନିଜେ ଯତ୍ନରେ ପାଳିତ ଉଦ୍ୟାନର ପ୍ରିୟ ତରୁଲତାଗୁଡ଼ିକୁ ଛାଡ଼ି ତତୋଽଧିକ ଦୁଃଖ ଅନୁଭବ କରିଥିଲେ ।

 

ବାଲ୍ୟକାଳରୁ ଗୋଟିଏ ଶିଶୁର ତତ୍ତ୍ୱ ନେଲାପରି ଛୋଟ ଅବସ୍ଥାରେ ବୃକ୍ଷଲତାଗୁଡ଼ିକର ମଧ୍ୟ ତତ୍ତ୍ୱ ନେବାକୁ ହୁଏ । ସେଗୁଡ଼ିକୁ ଯଥା ସମୟରେ ଖୋସାକୋଡ଼ା କରି ସାରଦେଇ ଜଳସେଚନ କଲେ ବୃକ୍ଷଗୁଡ଼ିକ ଅଭିଭାବକଙ୍କର ତୀକ୍ଷ୍‌ଣ ଦୃଷ୍ଟିରେ ପରିପାଳିତ ଶିଶୁପରି ହୃଷ୍ଟପୁଷ୍ଟ ହୋଇ ବଢ଼ନ୍ତି । ଏହି ଧରଣର ବୃକ୍ଷଲତାରେ ପୂର୍ଣ୍ଣ ବଗିଚାଟିଏ ଦେଖିଲେ କର୍ତ୍ତା ମନରେ ଯେଉଁ ଆନନ୍ଦ ଜାତ ହୁଏ, ତାହା ଭାଷାରେ ବର୍ଣ୍ଣନା କରାଯାଇ ନ ପାରେ । ଅନେକ ସମୟରେ ମନୁଷ୍ୟକୁ ନାନାରୋଗ ଆକ୍ରମଣ କଲାପରି ବୃକ୍ଷଲତାଗୁଡ଼ିକୁ ମଧ୍ୟ ନାନାରୋଗ ଆକ୍ରମଣ କରେ । ପୁଣି ଅନେକ ଜୀବାଣୁ ମଧ୍ୟ ସେଗୁଡ଼ିକରେ ଲାଗି ନଷ୍ଟ କରିଦିଅନ୍ତି । ଏହି ଶତ୍ରୁ କବଳରୁ ସେଗୁଡ଼ିକୁ ରକ୍ଷାକରିବା ପାଇଁ ଅନେକ ଔଷଧ ଅଛି । କୃଷିବିଭାଗର ପରାମର୍ଶରେ ଏହି ଔଷଧ ନେଇ ବୃକ୍ଷ ଗୁଡ଼ିକରେ ଦେଲେ ସେଗୁଡ଼ିକ ରୋଗାମୁକ୍ତ ହୋଇପଡ଼ନ୍ତି ।

 

ରେଡ଼ିଓରେ ଆଞ୍ଚଳିକ ସମ୍ବାଦରେ କୃଷି ଓ ଉଦ୍ୟାନ କର୍ମ ବିଷୟରେ ଅନେକ ପରାମର୍ଶ ଦିମଯାଏ । ବଗିଚା ଶ୍ରମିକମାନେ ଏକଥା ମନଦେଇ ଶୁଣିଲେ, ସେ ସଂକ୍ରାନ୍ତରେ ଅନେକ କଥା ଜାଣି ପାରିବେ । ଏହି ସମ୍ବାଦରେ ବିଭିନ୍ନ ପ୍ରକାର ବୃକ୍ଷଲତାପାଇଁ କିପରି ବିଭିନ୍ନ ବ୍ୟବସ୍ଥା ରହିଛି ଏବଂ ବିଭିନ୍ନ ପ୍ରକାର ଯତ୍ନ ଆବଶ୍ୟକ, ସେସବୁ କଥା ଅତି ସ୍ପଷ୍ଟଭାବରେ ପ୍ରଚାର କରାଯାଏ । ଦେଶରେ ଯେଉଁ କୃଷିଗବେଷଣା କେନ୍ଦ୍ର ଅଛି, ତାହାର ପରାମର୍ଶରେ ଏସବୁ କଥା ପ୍ରଚାର କରାଯାଏ । ଏହା ବଡ଼ ଉପାଦେୟ । ଏହାଛଡ଼ା ପ୍ରତ୍ୟେକ ସହରରେ ଓ ଗ୍ରାମ ଗୁଡ଼ିକର କେନ୍ଦ୍ର ସ୍ଥଳରେ ମଧ୍ୟ କୃଷି ପରାମର୍ଶଦାତାମାନେ ଥାନ୍ତି । ସେମାନେ କୃଷକମାନଙ୍କୁ ପରାମର୍ଶ ଦେବାପାଇଁ ଏବଂ ବିଭିନ୍ନ ଦିଗରେ କୃଷିକାର୍ଯ୍ୟରେ ସେମାନଙ୍କୁ ସାହାଯ୍ୟ ଦେବାପାଇଁ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥାନ୍ତି । ଏହାଛଡ଼ା ଗ୍ରାମଗୁଡ଼ିକରେ ଗ୍ରାମସେବକମାନେ ମଧ୍ୟ ଥାନ୍ତି । ସେମାନେ ମଧ୍ୟ ଲୋକଙ୍କୁ ଏହି ବିଷୟରେ ପରାମର୍ଶ ଦିଅନ୍ତି ଏବଂ ସାହାଯ୍ୟ ମଧ୍ୟ କରନ୍ତି । ଏଥିପାଇଁ ଆବଶ୍ୟକୀୟ ସବୁ ପଦାର୍ଥ କୃଷି କାର୍ଯ୍ୟାଳୟରୁ ମିଳେ । ଉଦ୍ୟାନକର୍ମପାଇଁ ଜଳ ନିତାନ୍ତ ଆବଶ୍ୟକ । ଜଳ ନଥିଲେ ଅନ୍ୟ ସବୁ ଶ୍ରମ ବ୍ୟର୍ଥ ହୁଏ । କେନାଲ ଥିଲେ ଜଳସେଚନର ବିଶେଷ ସୁବିଧା ହୁଏ । କେତେ ସ୍ଥଳରେ ଜଳାଶୟ ବା କୂପରୁ ତେଣ୍ଡା ସାହାଯ୍ୟରେ ଜଳ ସେଚନ କରାଯାଏ । ଏ ସବୁ ସୁବିଧା ନଥିବା ସ୍ଥଳରେ ଆଜିକାଲି ଜଳ-ଉତ୍ତୋଳକ ପମ୍ପ ସାହାଯ୍ୟରେ ମଧ୍ୟ ଜଳସେଚନ କରାଯାଉଛି । ଅଧିକ ଉତ୍ପାଦନ ଯୋଜନା କାର୍ଯ୍ୟକାରୀ କରିବାପାଇଁ ସରକାରଙ୍କ ପକ୍ଷରୁ ଏସବୁ ବ୍ୟବସ୍ଥା କରାଯାଇଛି ।

 

ଏହି ଦିଗରେ ଲୋକଙ୍କୁ ଉତ୍ସାହ ଦେବାପାଇଁ ଏବଂ ଲୋକଙ୍କ ମନରେ ଏକ ଦୃଢ଼ ବିଶ୍ୱାସ ଜନ୍ମାଇବାପାଇଁ ପୂର୍ବାଚାର୍ଯ୍ୟମାନେ ମଧ୍ୟ ଅନେକ କଥା ଉଲ୍ଳେଖ କରିଛନ୍ତି । ସେମାନଙ୍କ ମତରେ ଦେବାଳୟ ତୋଳିବା, ଜଳାଶୟ ଖନନ କରିବା, ବୃକ୍ଷରୋପଣ କରିବା ଗୋଟିଏ ଗୋଟିଏ ବଡ଼ କୀର୍ତ୍ତି । କିନ୍ତୁ ସବୁ କୀର୍ତ୍ତିଠାରୁ ବଡ଼ କୀର୍ତ୍ତି ବୃକ୍ଷରୋପଣ, କାରଣ ମନୁଷ୍ୟ ଇଚ୍ଛାକଲେ ଅତି ସହଜରେ ଅନ୍ୟ କୀର୍ତ୍ତି କରିପାରେ କିନ୍ତୁ ବୃକ୍ଷକୀର୍ତ୍ତି ନିଜ ଇଚ୍ଛାମୂତାବକ ହୁଏ ନାହିଁ । ସେ ବଢ଼ିବାପାଇଁ ଯେତିକି ଦିନ ଆବଶ୍ୟକ, ସେତିକି ଦିନ ନିଶ୍ଚୟ ଅପେକ୍ଷା କରିବାକୁ ହୁଏ । ପୁଣି ମନୁଷ୍ୟ ଅନ୍ୟଗୁଡ଼ିକ ଅପେକ୍ଷା ବୃକ୍ଷଉପରେ ଅଧିକ ନିର୍ଭର କରେ । ଯେ ଯେଉଁ କୀର୍ତ୍ତି କରୁ ବା ନକରୁ, ବୃକ୍ଷରୋପଣ କୀର୍ତ୍ତିକି କେହି ବାଦଦେଇ ନାହାନ୍ତି । ଅଶୋକଙ୍କ ଭଳି ବଡ଼ବଡ଼ ନରପତିମାନେ ମଧ୍ୟ ସଡ଼କ ପାର୍ଶ୍ୱରେ ବୃକ୍ଷରୋପଣ କରୁଥିଲେ । ବର୍ତ୍ତମାନ ସୁଦ୍ଧା ସେହି ନୀତି ସରକାରମାନଙ୍କ ଦ୍ୱାରା ସମାନ ଭାବରେ ପାଳିତ ହୁଏ । ଏଣୁ ଉଦ୍ୟାନ କର୍ମପ୍ରତି ସମସ୍ତେ ଆକୃଷ୍ଟ ହେବା ଉଚିତ ।

Image

 

ପଲ୍ଳୀ ଉନ୍ନୟନ

 

କେତୋଟି ପରିବାର ଥଥିବା ଗୋଟିଏ କ୍ଷୁଦ୍ର ବା ବୃହତ୍‌ ଜନବସତିକୁ ପଲ୍ଳୀ କୁହାଯାଏ । ଭାରତ ଗୋଟିଏ ପଲ୍ଳୀବହୁଳ ଦେଶ । ଏଥିରେ ସହର ଅପେକ୍ଷା ପଲ୍ଳୀର ପ୍ରାଧାନ୍ୟ ବେଶି । କେବଳ ବର୍ତ୍ତମାନ ନୁହେଁ, ପଲ୍ଳୀ ସଭ୍ୟତା ଭାରତର ଗୋଟିଏ ପ୍ରସିଦ୍ଧ ପରଂପରା । ରାଜପୁତାନା ମରୂଭୂମିକୁ ବାଦ ଦେଲେ ଭାରତର ଏପ୍ରାନ୍ତରୁ ସେପ୍ରାନ୍ତ ପର୍ଯ୍ୟନ୍ତ ପ୍ରତି ଦୁଇମାଇଲ ବା ତା’ଠାରୁ ସାମାନ୍ୟ ଦୂରରେ ଯେପରି ଗୋଟିଏ ଗୋଟିଏ ପଲ୍ଳୀ ଦେଖାଯାଏ, ପୃଥିବୀର ଅନ୍ୟ କୌଣସି ଦେଶରେ ସେପରି ଦେଖା ଯାଏନାହିଁ । କେବଳ ସେତିକି ନୁହେ, ଏହାର ଶାନ୍ତ ପରିବେଶ ଓ ନୈସର୍ଗିକ ଶୋଭାସମ୍ପଦ, ପୁଣି ପଲ୍ଳୀବାସୀର ସ୍ନେହ ଶ୍ରଦ୍ଧାପୂତ ପାରିବାରିକ ଜୀବନ ଏବଂ ଶୃଙ୍ଖଳାବଦ୍ଧ ନାଗରିକ ଜୀବନ ତାହାର ଅଧିକ ଗୌରବ ଓ ସୁଖଶାନ୍ତିର ଆଧାର ହୋଇଅଛି ।

 

ସହରବାସୀ ପରି ସେ ଆଡ଼ମ୍ବରପ୍ରିୟ ଏବଂ ଅମିତବ୍ୟୟୀ ନୁହେ । ସେ ବ୍ୟସ୍ତ ଜୀବନକୁ ଅଭିଶପ୍ତ ଜୀବନ ମନେକରେ । ସେ ଯେପରି କର୍ମଠ, ସେପରି ନିରଳସ, ନିରାଡ଼ମ୍ବର, ସାଧୁ, ସରଳ, ମିତବ୍ୟୟୀ ଓ ଶାନ୍ତିପ୍ରିୟ ।

 

ଇଉରୋପଭଳି ଶିଳ୍ପପ୍ରଧାନ ଦେଶମାନଙ୍କରେ ଅଧିକ ସହର ଦେଖାଯାଏ । ସେଠାରେ ଶିଳ୍ପାଞ୍ଚଳମାନଙ୍କରେ ବହୁତ ଲୋକ ବାସ କରନ୍ତି; ଏଣୁ ସେହି ସ୍ଥାନରେ ଆପେ ଆପେ ଗୋଟିଏ ଗୋଟିଏ ସହର ଗଠିତ ହୋଇଯାଏ । ସେ ହେଲା ବ୍ୟସ୍ତଜୀବନ । ଏଣୁ ସେଠାରେ ସହରସଭ୍ୟତା ଆବଶ୍ୟକ । କିନ୍ତୁ ଭାରତ ଭଳି କୃଷିପ୍ରଧାନ ଦେଶ ପକ୍ଷରେ ସହର ସଭ୍ୟତା ଆଦୌ ଅନୁକୂଳ ନୁହେ । ତାହାର ଆବଶ୍ୟକ ପଲ୍ଳୀ ସଭ୍ୟତା । ତାହାର ଗ୍ରାମଟି ସବୁଜ ଶସ୍ୟକ୍ଷେତ୍ରଦ୍ୱାରା ପରିବେଷ୍ଟିତ ହୋଇଥାଏ । ସେ ସେହି ଶସ୍ୟକ୍ଷେତ୍ର ଦେଖି ଯେପରି ଆନନ୍ଦ ଅନୁଭବ କରେ, ସେହିପରି ଜଳସେଚନ, ସାରଦେବା ଏବଂ ଖୋସା କୋଡ଼ାଦ୍ୱାରା ତାହାର ତତ୍ତ୍ୱ ନିଏ । ସବୁବେଳେ ଆଖି ଆଗରେ ରହିବାରୁ ଶସ୍ୟକ୍ଷେତ୍ର ଗୁଡ଼ିକ ନିରାପଦ ରହେ । ସବୁଜ ଶସ୍ୟ ସହିତ କୃଷକର ନିବିଡ଼ ସମ୍ପର୍କ ଥାଏ । ସେ ତାହାର ସେବା କରି ଜୀବନକୁ ସରସ ଓ ସକ୍ରିୟ କରେ ଏବଂ ତାହାର ଆଶୀର୍ବାଦରେ ସୁଖ ଶାନ୍ତିରେ ଜୀବନ ସୁଖ ଶାନ୍ତିରେ ଜୀବନ ନିର୍ବାହ କରେ ।

 

ଏପରି ଭାରତୀୟ ପଲ୍ଳୀଗୁଡ଼ିକର ଏକ ସୁସ୍ଥ ପରଂପରା ରହିଛି ସତ; ତଥାପି ସେଗୁଡ଼ିକର ମଧ୍ୟ କେତେକ ଯୁଗୋପଯୋଗୀ ପରିବର୍ତ୍ତନ ଆବଶ୍ୟକ । ଅନ୍ୟଥା ପୃଥିବୀର ପ୍ରଗତି ସହିତ ତାଳପକାଇ ଚଳିବା ତାହା ପକ୍ଷରେ ଆଦୌ ସମ୍ଭବ ନୁହେ । ଭାରତୀୟ ପଲ୍ଳୀଗୁଡ଼ିକ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ବାଣିଜ୍ୟ ସବୁଦିଗରେ ବହୁ ପଛରେ ପଡ଼ିଛି । ଏଗୁଡ଼ିକୁ ଆଖି ଆଗରେ ରଖି ଏହାର ଉନ୍ନୟନ ଯୋଜନା ହେବା ଆବଶ୍ୟକ । ଅବଶ୍ୟ ସ୍ୱାଧୀନତା ଲାଭ ପରେ ପଲ୍ଳୀଉନ୍ନୟନ ପାଇଁ ବିଶେଷ ଧ୍ୟାନ ଦିଆଯାଇଛି । ଗ୍ରାମଗୋଷ୍ଠୀ ଯୋଜନା, ପଞ୍ଚବାର୍ଷିକ ଯୋଜନା ଓ ସ୍ୱଳ୍ପସଞ୍ଚୟ ଯୋଜନା ପ୍ରଭୃତି ଦ୍ୱାରା ଏଗୁଡ଼ିକର ସଂଗଠନ କରାଯାଉଛି । ତଥାପି ପରାଧୀନ ଭାରତରେ ଏଗୁଡ଼ିକ ବିଶେଷ ଅବହେଳିତ ହୋଇଥିବାରୁ ଏହି ଅଳ୍ପଦିନ ମଧ୍ୟରେ ଏଗୁଡ଼ିକର ଆଖିଦୃଶିଆ ଉନ୍ନତି ହୋଇପାରୁ ନାହିଁ । ପୁଣି ସହରଠାରୁ ବହୁଦୂରରେ ଥିବା ପଲ୍ଳୀଗୁଡ଼ିକର ଅବସ୍ଥା ବର୍ତ୍ତମାନ ସୁଦ୍ଧା ପୂର୍ବପରି ଶୋଚନୀୟ ହୋଇ ପଡ଼ିଛି ।

 

ସକଳ ପ୍ରକାର ଉନ୍ନତିର ମୂଳରେ ଶିକ୍ଷା ନିହିତ । ଉପଯୁକ୍ତ ଶିକ୍ଷାର ଅଭାବରେ ଲୋକ ଆତ୍ମନିର୍ଭିରଶୀଳ ହେବାଭଳି ଜ୍ଞାନ ବା ଦକ୍ଷତା ଅର୍ଜନ କରିପାରେ ନାହିଁ । ଶିକ୍ଷା ହେଲା ଜୀବନର ଦର୍ପଣ । ସେ ଭଲମନ୍ଦ ଯାହା ଦେଖେ ବା ଶିଖେ, ଶିକ୍ଷାଦ୍ୱାରା ତାହା ହୃଦୟରେ ପ୍ରତିବିମ୍ବତ ହୁଏ । ଏଣୁ ପଲ୍ଳୀଗୁଡ଼ିକରେ ଉପଯୁକ୍ତ ଶିକ୍ଷା ପ୍ରସାର ହେଲା ପ୍ରଥମ କଥା । ସବୁ ପଲ୍ଳୀରରେ ଉଚ୍ଚଶିକ୍ଷା ପ୍ରସ୍ତାର ହେବା ଆଦୌ ସମ୍ଭବ ନୁହେ, ଉଚିତ ମଧ୍ୟ ନୁହେ । କିନ୍ତୁ ସ୍ଥାନୀୟ ଅବସ୍ଥାକୁ ନେଇ ଗୋଟିଏ ଗୋଟିଏ ଉଚ୍ଚପ୍ରାଥମିକ ସ୍କୁଲ ବା ଗୋଟିଏ ନିମ୍ନ ମାଧ୍ୟମିକ ସ୍କୁଲ ବା ଜନସଂଖ୍ୟାକୁ ଦେଖି ଗୋଟିଏ ଉଚ୍ଚ ମାଧ୍ୟମିକ ସ୍କୁଲ ସ୍ଥାପନ କରିବାକୁ ହେବ । ଏପରି ଗୋଟିଏ କେନ୍ଦ୍ରସ୍ଥଳରେ ଯଦି ଗୋଟିଏ ମହାବିଦ୍ୟାଳୟ ସ୍ଥାପିତ ହୁଏ, ତଦ୍ଦ୍ୱାରା ସମସ୍ତେ ଉଚ୍ଚଶିକ୍ଷା ପାଇବା ସୁଯୋଗ ମଧ୍ୟ ଲାଭ କରିପାରିବେ ।

 

ଅବଶ୍ୟ ବର୍ତ୍ତମାନ ଏଥିପ୍ରତି କେତେକ ପରିମାଣରେ ଦୃଷ୍ଟି ଦିଆଯାଇଛି । କିନ୍ତୁ ତାହା କିପରି ଅର୍ଥକାରୀ ଓ ସମାଜ-କଲ୍ୟାଣକର ହେବ, ସେଥିପ୍ରତି ଆଦୌ ଦୃଷ୍ଟି ଦିଆଯାଉ ନାହିଁ । ଏଣୁ ଏହି ଶିକ୍ଷାର ପ୍ରସାରଦ୍ୱାରା ଦେଶର ହିତ ପରିବର୍ତ୍ତେ ଅହିତ ହେବାର ଆଶଙ୍କା ହୁଏ । ଏହି ଶିକ୍ଷା କେବଳ ଚାକିରୀପାଇଁ ଉଦ୍ଦିଷ୍ଟ । ଏଣୁ ଶିକ୍ଷା ସମାପ୍ତି ପରେ ଶିକ୍ଷିତ ବ୍ୟକ୍ତିମାନେ ପଲପଲ ହୋଇ ଚାକିରୀ ପାଇଁ ବୁଲନ୍ତି । ଏହାଦ୍ୱାରା ସମାଜରେ ଅଚଳ ଅବସ୍ଥା ସୃଷ୍ଟି ହୁଏ । ଅବଶ୍ୟ ଦେଶର ଶାସନକ୍ଷେତ୍ରରେ ଏବଂ ବିଦ୍ୟାଳୟମାନଙ୍କରେ କାମ କରିବାପାଇଁ କେତେ ଉଚ୍ଚ ଶିକ୍ଷିତ ଆବଶ୍ୟକ-। ଏଣୁ ଅଧିକ ମେଧାବୀ ଓ ବ୍ୟୁତ୍ପନ୍ନ ଛାତ୍ରମାନଙ୍କୁ ଉଚ୍ଚ ଶିକ୍ଷାର ସୁଯୋଗ ଦେଇ ଅନ୍ୟମାନଙ୍କୁ ନିଜ ରୁଚି ଅନୁସାରେ ବିଭିନ୍ନ ବୈଷୟିକ ଶିକ୍ଷା ଦେବା ଉଚିତ । ମନୁଷ୍ୟ ହୃଦୟରେ ପ୍ରଚ୍ଛନ୍ନ ଭାବରେ ଗୋଟିଏ ଗୋଟିଏ ବିଶେଷ ରୁଚି ବା ଶକ୍ତି ଥାଏ । ସେହି ଦିଗରେ ସେମାନଙ୍କୁ ତାଲିମ ଦେଲେ ଦେଶର ଦକ୍ଷ ଶିଳ୍ପୀ, ପ୍ରବୀଣ କୃଷକ ଓ ସୁଯୋଗ୍ୟ ଦେଶଭକ୍ତ ଉତ୍ତୀର୍ଣ୍ଣ ହେବେ । ତଦ୍ଦ୍ୱାରା ସମାଜରେ ମଙ୍ଗଳ ହେବ ଓ ଦେଶର ମୁଖ ଉଜ୍ଜ୍ୱଳ ହେବ ।

 

ପଲ୍ଳୀଗୁଡ଼ିକରେ ଅନ୍ୟାନ୍ୟ କ୍ଷେତ୍ରରେ କେତେକ ଉନ୍ନତି ହୋଇ ପାରିଥିଲେ ସୁଦ୍ଧା ସ୍ୱାସ୍ଥ୍ୟ ଦିଗରେ ବିଶେଷ କିଛି ଅଗ୍ରଗତି ହୋଇନାହିଁ । ଘର ମୁହଁରେ ଗୁହାଳ, ଦାଣ୍ଡ ଓ ବାଡ଼ିରେ ଖତଗଦା । ବର୍ଷାଦିନେ ଗ୍ରାମଗୁଡ଼ିକରୁ ଜଳ ନିଷ୍କାସନ ଅବ୍ୟବସ୍ଥା ପୂର୍ବପରି ରହିଅଛି । ଏଗୁଡ଼ିକ ଦିନେ ଦୁଇଦିନରେ ପରିବର୍ତ୍ତିତ ହୋଇପାରିବ ନାହିଁ । ଏଗୁଡ଼ିକ ଆଖି ଆଗରେ ରଖି ଏହାର ସ୍ୱାସ୍ଥ୍ୟରକ୍ଷା ବ୍ୟବସ୍ଥା କରିବାକୁ ହେବ । ଗ୍ରାମସେବକମାନଙ୍କ ପରି ପଲ୍ଳୀଗୁଡ଼ିକରେ ଜଣେ ଜଣେ ସ୍ୱାସ୍ଥ୍ୟ ବିଭାଗୀୟ ପରିଦର୍ଶକ ରହି ଯଦି ଲୋକଙ୍କୁ ଏଦିଗରେ ବାରମ୍ବାର ପରାମର୍ଶ ଦେବେ, ତେବେ ଯାଇ ଏଦିଗରେ ଉନ୍ନତି ଘଟିବ । ପ୍ରତି ବାଡ଼ିରେ ବରପାଲି ପାଇଖାନା ରହିବ । ସବୁଠାରୁ ବଡ଼ ସମସ୍ୟା ହେଲା ପାନୀୟ ଜଳର ବ୍ୟବସ୍ଥା । ଯେଉଁ ଜଳାଶୟରୁ ଲୋକେ ଜଳ ବ୍ୟବହାର କରନ୍ତି; ସେଥିରେ ଧୋବା ତୋଠ କରେ, ଲୋକେ ସ୍ନାନ କରନ୍ତି, ସେଥିରେ ଗାଈ ଗୋରୁ ମଧ୍ୟ ଗାଧୁଅନ୍ତି । ତାହାର ଚତୁର୍ଦ୍ଦିଗ ନାନା ଆବର୍ଜନାରେ ପୂର୍ଣ୍ଣ ହୋଇଥାଏ । ବର୍ଷା ହେଲେ ସେହି ଦୂଷିତ ଜଳ ଖାଇବାଜଳରେ ମିଶେ ।

 

ସ୍ୱାସ୍ଥ୍ୟ ପକ୍ଷରେ ଏହା କେଡ଼େ କ୍ଷତିକାରକ ସମସ୍ତେ ଜାଣନ୍ତି; ତଥାପି ନିଜର ଖାମଖିଆଲୀ ନୀତିରେ ସମସ୍ତେ ସେହି ଭୁଲ କରନ୍ତି । ଏଣୁ ଆବଶ୍ୟକ ହେଲେ କଠିନ ଦଣ୍ଡର ବ୍ୟବସ୍ଥା କରି ଏହା ବନ୍ଦ କରିବା ଉଚିତ । ଏହା ସଙ୍ଗେ ସଙ୍ଗେ ପଙ୍କୋଦ୍ଧାର, ପୁରୁଣା ଜଳ ବାହାର କରି ଜଳାଶୟ ଗୁଡ଼ିକୁ ନିର୍ମଳ ରଖିବା ଆବଶ୍ୟକ । ଚିକିତ୍ସା ବିଷୟରେ ମଧ୍ୟ ବିଶେଷ ଦୃଷ୍ଟି ରହିବା ଆବଶ୍ୟକ । ଶିକ୍ଷା ପରି ପ୍ରତି ବଡ଼ ବଡ଼ ସ୍ଥାନରେ ଗୋଟିଏ ଗୋଟିଏ ଡାକ୍ତରଖାନା ଏବଂ ପ୍ରତି ବଡ଼ ଗ୍ରାମରେ ବା କେତୋଟି ଗ୍ରାମର କେନ୍ଦ୍ରସ୍ଥଳରେ ଗୋଟିଏ ଗୋଟିଏ ଆୟୁର୍ବେଦିକ ବା ହୋମିଓ ଚିକିତ୍ସାଳୟ ରହିବା ଆବଶ୍ୟକ ।

 

ବାହ୍ୟ ସଭ୍ୟତା ସହିତ ସଂପୂର୍ଣ୍ଣ ସଂପର୍କ ପ୍ରତିଷ୍ଠା କରିବାକୁ ହେଲେ ଆବଶ୍ୟକ, ସୁବିଧାଜନକ ରାଜପଥ । ଏହାଦ୍ୱାରା ଉତ୍ପନ୍ନ ପଦାର୍ଥ ସହଜରେ ରତ୍ପାନି ହୋଇପାରେ ଏବଂ ଅଭାବ ହେବା ପଦାର୍ଥ ସହଜରେ ବାହାରୁ ଆମଦାନୀ କରାଯାଇ ପାରେ । ଏପରି ଅବାଧ ଯୋଗସୂତ୍ର ସ୍ଥାପିତ ହେବା ଫଳରେ ପଲ୍ଳୀ ମଧ୍ୟ ସହରର ଅନେକ ସୁବିଧା ଉପଭୋଗ କରେ ।

 

ପୁରୀ ଶବ୍ଦ ଉଚ୍ଚାରଣ କଲେ ଶ୍ରୀ ଜଗନ୍ନାଥ ମନ୍ଦିର ଦେଖାଗଲା ପରି ପଲ୍ଳୀ ଶବ୍ଦ ଉଚ୍ଚାରଣ କଲେ ଆଖି ଆଗରେ ଖେଳିଯାଏ ଏକ ଦିଗନ୍ତବିସ୍ତାରୀ ଶସ୍ୟକ୍ଷେତ୍ର । ଏଣୁ କୃଷିର ଉନ୍ନତିଉପରେ କେବଳ ପଲ୍ଳୀ ଉନ୍ନୟନ ନିର୍ଭର କରେ । ଅବଶ୍ୟ ଏଦିଗରେ ବହୁତ ଉନ୍ନତି ହୋଇପାରିଛି । ତଥାପି ସବୁ ପଲ୍ଳୀ ଏହାର ସମାନ ସୁବିଧା ଭୋଗ କରିବା ଆବଶ୍ୟକ । ତଦ୍ଦ୍ୱାରା ଉତ୍ପାଦନ ବହୁ ପରିମାଣରେ ବୃଦ୍ଧି ପାଇବ ଏବଂ ଖାଦ୍ୟ ସମସ୍ୟାରେ ଆଉ ଜଟିଳ ଅବସ୍ଥା ସୃଷ୍ଟି ହେବ ନାହିଁ ।

 

ପଞ୍ଚାୟତ ଶାସନ ମଧ୍ୟ ପଲ୍ଳୀ ଉନ୍ନୟନର ଗୋଟିଏ ପ୍ରଧାନ ଅଙ୍ଗ । ଅନେକ ସମୟରେ ଗ୍ରାମବାସୀ ବୃଥା ବାଦବିବାଦରେ ଜଡ଼ିତ ହୋଇ ସର୍ବସ୍ୱାନ୍ତ ହୋଇପଡ଼ନ୍ତି । ଗ୍ରାମ ପଞ୍ଚାୟତରେ ଯଦି ଏହି ବିଷୟରେ ନିଷ୍ପତ୍ତି ହୋଇଯାଏ, ତେବେ ଆଉ ଲୋକଙ୍କୁ ବୃଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ପୁଣି ପଞ୍ଚାୟତ ସଭ୍ୟମାନେ ସ୍ଥାନୀୟ ଲୋକ ହୋଇଥିବା ଯୋଗୁଁ ସେମାନଙ୍କର ନିଷ୍ପତ୍ତି ଅଧିକ ପ୍ରମାଣଯୋଗ୍ୟ ଏବଂ ଗ୍ରହଣୀୟ ହେବ ।

 

ଏକତା ନଥିଲେ ପଲ୍ଳୀ ଉନ୍ନୟନ ବାଧାପ୍ରାପ୍ତ ହୁଏ । ଏଣୁ ଏଥିପ୍ରତି ସମସ୍ତେ ସଚେତନ ରହିବା ଉଚିତ । ଗ୍ରାମଗୁଡ଼ିକର ଭାଗବତ ଘର, ନାନା ପ୍ରକାର ମେଳା ଓ ପର୍ବପର୍ବାଣି, ମଠ, ମନ୍ଦିର ପ୍ରଭୃତି ଯେଉଁ ପ୍ରଚୀନ ପଦ୍ଧତି ରହିଛି, ଏଗୁଡ଼ିକୁ କୁସଂସ୍କାର ନୁହେ, ଏହା ଏକତାର ପରିପୋଷକ । ଏଣୁ ସେଗୁଡ଼ିକୁ ନିର୍ମଳ ଓ ସକ୍ରିୟ କରି ସହାୟକ ଅନୁଷ୍ଠାନରେ ପରିଣତ କରିବା ଉଚିତ।

 

ଏହାଛଡ଼ା ଗାଈ, ଗୋରୁମାନଙ୍କ ପାଇଁ ଆଧୁନିକ ଢଙ୍ଗର ଗୋଚର ଭୂମି, ପିଲାମାନଙ୍କର କ୍ରୀଡ଼ା କୌତୁକ ପାଇଁ ଖେଳ ପଡ଼ିଆ, ପୁଣି ଭ୍ରମଣ ସମୟରେ ବିଶ୍ରାମ ନେବାପାଇଁ ଗୋଟିଏ ସୁରମ୍ୟ ଉଦ୍ୟାନ ରହିବା ଆବଶ୍ୟକ । ଏ ହେଲା ସମବାୟ ଯୁଗ । ଏଣୁ କେତୋଟି ପଲ୍ଳୀକୁ କେନ୍ଦ୍ରକରି ଗୋଟିଏ ସମବାୟ ଅନୁଷ୍ଠାନ ରହିବା ଉଚିତ । ଏହାଦ୍ୱାରା ଅର୍ଥ ଓ ପଦାର୍ଥ ଉଭୟ ଦିଗରୁ ସୁବିଧା ହୁଏ ।

 

କୌଣସି ଗ୍ରାମରେ ବା ଗ୍ରାମଗୋଷ୍ଠୀରେ ଗୋଟିଏ ଶିଳ୍ପ ସଂସ୍ଥା ରହିବା ଆବଶ୍ୟକ । ଏହା କୁଟୀରଶିଳ୍ପ ହୋଇପାରେ ବା କ୍ଷୁଦ୍ର ଯନ୍ତ୍ରଶିଳ୍ପ ହୋଇପାରେ । କିନ୍ତୁ ମନେରଖିବା ଉଚିତ, ଖନିଜ ପଦାର୍ଥ ହେଉ କିମ୍ବା ବୃକ୍ଷଲତା ହେଉ, ସେହି ଗ୍ରାମରେ ବା ସେହି ଅଞ୍ଚଳରେ ଯାହା ମିଳେ, ସେହି ଶିଳ୍ପ ହିଁ ସେଠାରେ ପ୍ରସ୍ତୁତ ହେବା ଆବଶ୍ୟକ । ଏଥିସକାଶେ ଯେଉଁ ଉଦ୍ୟମ, ସାହାଯ୍ୟ, ତାଲିମ୍‌ ବା ଅର୍ଥ ଆବଶ୍ୟକ, ସରକାର ଓ ଗ୍ରାମବାସୀ ଉଭୟଙ୍କର ମିଳିତ ଉଦ୍ୟମରେ ଏହି ଦାୟିତ୍ୱ ସଂପନ୍ନ ହେବ । ଏହାଛଡ଼ା ଛୋଟ ବଡ଼ ପ୍ରତି ଗ୍ରାମ ବିଦ୍ୟୁତ୍‌ ଆଲୋକ ପାଇବା ଉଚିତ । ଏହାଦ୍ୱାରା ଉଭୟ କାର୍ଯ୍ୟ ସିଦ୍ଧ ହୁଏ । କ୍ଷୁଦ୍ରଶିଳ୍ପ ପାଇଁ ଏହି ଶକ୍ତି ନିତାନ୍ତ ଆବଶ୍ୟକ ।

 

ମନେ ରଖିବା ଉଚିତ ଯେ, ଏପରି ମହତ୍‌କାର୍ଯ୍ୟ ଗୁଡ଼ିକ କଳ୍ପନାପ୍ରସୂତ ନୁହେ ବା କେବଳ ଜଣକ ହାତକୁ ଚାହିଁ ବସିଲେ ବା ଜଣକୁ ସମାଲୋଚନା କରିଦେଲେ ସିଦ୍ଧ ହୋଇଯାଏ ନାହିଁ । ସରକାରଙ୍କ ଯୋଜନା ସହିତ ଦେଶବାସୀଙ୍କର ପୂର୍ଣ୍ଣ ସହଯୋଗ ରହିଲେ କେବଳ ଏଗୁଡ଼ିକ ଫଳପ୍ରଦ ହୁଏ । ଏପରି କି କେତେ କାମପାଇଁ ପ୍ରଥମେ ଗ୍ରାମବାସୀଆଡ଼ୁ ଉତ୍ସାହ ଓ ପ୍ରେରଣା ମଧ୍ୟ ଆବଶ୍ୟକ । ଏହିପରି ସବୁ ଦିଗରୁ ଉଦ୍ୟମ ହେଲେ ଅଭିଳାଷଟି ଅର୍ଥରେ ପରିଣତ ହେବ ।

Image

 

ଉତ୍କଳର ଶିଳ୍ପୋନ୍ନତି

 

ଯେଉଁ ଉପକରଣଗୁଡ଼ିକ ହାତରେ, ହାତତିଆରି ଯନ୍ତ୍ରରେ କିମ୍ବା କଳକାରଖାନାରେ ପ୍ରସ୍ତୁତ ହୁଏ, ସେଗୁଡ଼ିକ ଶିଳ୍ପ । ଏହା କୁଟୀର ଶିଳ୍ପ ଓ ଯନ୍ତ୍ର ଶିଳ୍ପ ଏହିପରି ଦୁଇଭାଗରେ ବିଭକ୍ତ । ହାତ ତିଆରି ଶିଳ୍ପ କୁଟୀର ଶିଳ୍ପ ଏବଂ କଳ ନିର୍ମିତ ଶିଳ୍ପକୁ ଯନ୍ତ୍ରଶିଳ୍ପ କୁହାଯାଏ । ଅତୀତରେ ଯନ୍ତ୍ରଶିଳ୍ପ ନଥିଲା, ଏହା ବିଜ୍ଞାନର ଦାନ ।

 

ଅତୀତ ଉତ୍କଳ ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଦକ୍ଷତା ଅର୍ଜନ କରିଥିବା କଥା ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଅଛି । କଳାରେ ଉତ୍କର୍ଷ ସାଧନ କରିଥିବା ହେତୁ ସେ ଉତ୍କଳ ନାମରେ ଅଭିହିତ ବୋଲି କେତେକ କହନ୍ତି । ବର୍ତ୍ତମାନସୁଦ୍ଧା ଉତ୍କଳର ବୟନ ଶିଳ୍ପ, କଂସାବାସନ ଓ ମନ୍ଦିରଗୁଡ଼ିକର କାରୁକାର୍ଯ୍ୟ ଏହାର ଅତୀତ ଶିଳ୍ପନୈପୁଣ୍ୟର ପରିଚୟ ଦିଏ । କେବଳ ସେତିକି ନୁହେ, ଏମାନେ ଅତି ଉନ୍ନତ ଶିଳ୍ପ ନିର୍ମାଣ କରି ପୂର୍ବ ଦ୍ୱୀପପୁଞ୍ଜ, ଚୀନ ପ୍ରଭୃତି ଦେଶ ସହିତ ବାଣିଜ୍ୟ କରୁଥିଲେ । ବର୍ତ୍ତମାନ ସୁଦ୍ଧା ପୂର୍ବ ଦ୍ୱୀପପୁଞ୍ଜର ବହୁ ଦେଶରେ ପ୍ରାଚୀନ ଉତ୍କଳର ଅନେକ ସଙ୍କେତ ରହିଛି । କିନ୍ତୁ ଏହା କୁଟୀର ଶିଳ୍ପ ।

 

ଏହି ଯୁଗର ଶିଳ୍ପ ଅର୍ଥ କେବଳ ଯନ୍ତ୍ରଶିଳ୍ପ । ପୃଥିବୀର ସବୁ ଦେଶ ଏହି ଶିଳ୍ପକୁ କେବଳ ଅଗ୍ରାଧିକାର ଦିଅନ୍ତି । ତଥାପି ଏହାର ଉନ୍ନତି ପାଇଁ ଆବଶ୍ୟକ-ଅର୍ଥ, ଦକ୍ଷ କାରିଗର, ପ୍ରଚୁର କଞ୍ଚମାଲ ଓ ପ୍ରାକୃତିକ ପରିବେଷ୍ଟନୀ । ଉତ୍କଳରେ ଏସବୁ ସୁବିଧା ରହିଛି । ‘‘ଯହିଁ ଜଳ ତହିଁ ମୀନ’’ ପରି କାମ ଆରମ୍ଭ ହେଲେ ଅର୍ଥ ଆପେ ଆପେ ଆସିଯାଏ । ଯେଉଁ ଜାତିର ଯେଉଁ କ୍ଷେତ୍ରରେ ସଂସ୍କୃତି ଓ ପରଂପରା ରହିଛି, ପରିବର୍ତ୍ତିତ ଅବସ୍ଥାରେ ମଧ୍ୟ ତା’ର ଦକ୍ଷତା ଅଗ୍ରାହ୍ୟ କରାଯାଇନପାରେ । ଏଣୁ ଉତ୍କଳରେ ଦକ୍ଷ କାରିଗରର ମଧ୍ୟ ଅଭାବ ରହିବ ନାହିଁ । ଏହାଛଡ଼ା ଏହି ରାଜ୍ୟରେ ପ୍ରଚୁର କଞ୍ଚମାଲ ଓ ଖନିଜ ସଂପଦ ପୂରି ରହିଛି । ବନ୍ଦର ପାଇଁ ଦୀର୍ଘ ଉପକୂଳ ଏବଂ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ପାଇଁ ପ୍ରପାତଗୁଡ଼ିଏ ମଧ୍ୟ ରହିଛି । ଏହି ରାଜ୍ୟର ବନପର୍ବତସଂକୁଳ ସୁବିଶାଳ ମାଳଭୂମି ବିଭିନ୍ନ ପ୍ରକାର କଞ୍ଚାମାଲ ଓ ଖନିଜ ସଂପଦରେ ପରିପୂର୍ଣ୍ଣ । ଏ ମଧ୍ୟରୁ କେତେ ଆବିଷ୍କୃତ ହୋଇଛି ଓ କେତେ ଅନାବିଷ୍କୃତ ଓ କେତେ ଅଜ୍ଞାତ ଅବସ୍ଥାରେ ଅଛି । ଏଥିରେ ପ୍ରବାହିତ ଖରସ୍ରୋତା ନଦୀ ଏବଂ ପ୍ରପାତ ଗୁଡ଼ିକରୁ ପ୍ରଚୁର ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରି ଆଧୁନିକ ଯନ୍ତ୍ରପାତିରେ ବିନିଯୋଗ କରାଯାଇ ପାରେ । ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ପାଇଁ ମଧ୍ୟ ଉତ୍କଳର ଅବସ୍ଥା ବିଶେଷ ଅନୁକୂଳ । ପୁଣି ବନ୍ଦର ନିର୍ମାଣପାଇଁ ଏହାର ବିସ୍ତୃତ ଉପକୂଳ ମଧ୍ୟ ରହିଛି । ଏଣୁ ଏଠାରେ ଉଦ୍ୟମର ଅଭାବ ଛଡ଼ା ଶିଳ୍ପୋନ୍ନତିପାଇଁ ଅନ୍ୟ କୌଣସିଟିର ଅଭାବ ଦେଖାଯାଏ ନାହିଁ । ଆଧୁନିକ ଯନ୍ତ୍ରଶିଳ୍ପପାଇଁ ଯେଉଁ କଞ୍ଚାମାଲ ଆବଶ୍ୟକ, ସେମଧ୍ୟରୁ ଅନେକ ଭୂଗର୍ଭରେ ପୋତି ହୋଇ ରହିଛି ଏବଂ କେତୋଟି ମାତ୍ର ଆବିଷ୍କୃତ ହେବାର ଦେଖାଯାଏ ।

 

ଉତ୍କଳରେ ଯନ୍ତ୍ରଶିଳ୍ପର ପ୍ରଧାନ ଉପକରଣ ଲୁହା ଖଣିର ଅଭାବ ନାହିଁ । ମୟୁରଭଞ୍ଜ, ସୁନ୍ଦରଗଡ଼, ଦୟିତାରି, କେଉଁଝର ଓ କଟକ ଜିଲ୍ଳାରେ ଅନେକ ଲୁହାଖଣି ଅଛି । ଏହି ଲୁହାରେ ଟାଟା କମ୍ପାନୀ ଓ ରାଉରକେଲା ଲୁହା କାରଖାନା ପରିଚାଳିତ ହେବାପରେ ଉଦ୍‌ବୃତ୍ତ ଲୁହା ଯାପାନକୁ ରତ୍ପାନୀ କରାଯାଏ । ଲୁହା ଓ ମାଙ୍ଗାନିଜ ସଂଯୋଗରେ କଠିନ ଇସ୍ପାତ ପ୍ରସ୍ତୁତ ହୁଏ । ଏହି ମାଙ୍ଗାନିଜପାଇଁ ମଧ୍ୟ ଏହାକୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼େ ନାହିଁ । କେଉଁଝର, ସୁନ୍ଦରଗଡ଼, ବଲାଙ୍ଗିର ଓ କଳାହାଣ୍ଡିରେ ଅନେକ ମାଙ୍ଗାନିଜ ଖଣି ଅଛି । ଏ ମଧ୍ୟରୁ ଅନେକ ବ୍ୟବହୃତ ହୋଇ ପାରୁନାହିଁ ।

 

କୋଇଲା ଓ ବିଦ୍ୟୁତ୍‌ ଶକ୍ତି ଯନ୍ତ୍ରଶିଳ୍ପର ଅନ୍ୟତମ ପ୍ରଧାନ ଉପାଦାନ । କିନ୍ତୁ ଏ ଦୁଇଟି ପଦାର୍ଥ ଏହି ରାଜ୍ୟରେ ଖୋଜିବାକୁ ପଡ଼େନାହିଁ । ଢେଙ୍କାନାଳର ରାମପୁର ଏବଂ ତାଳଚେରରେ କୋଇଲା ଖଣି ଅଛି । ଏହାଛଡ଼ା ରାଜ୍ୟରେ ଆହୁରି କେତୋଟି ଖଣିର ସନ୍ଧାନ ମିଳିଛି । କୋଇଲାରୁ ଆଲକାତରା ବାହାରେ । ଏହା ବହୁ କାମରେ ବ୍ୟବହୃତ ହୁଏ । ଏଥିରୁ ବାହାରୁଥିବା ପିଚୁ ରାସ୍ତା ତିଆରିରେ ବ୍ୟବହୃତ ହୁଏ । କୋଇଲାରୁ ଗନ୍ଧକର୍ପୂର, ସାକାରିନ୍‌ ନାମକ ଏକ ପ୍ରକାର ଚିନି ଏବଂ ଅନ୍ୟାନ୍ୟ ଅନେକ ଉପାଦେୟ ପଦାର୍ଥ ଓ ଉତ୍କୃଷ୍ଟ ସାର ମଧ୍ୟ ପ୍ରସ୍ତୁତ ହୁଏ । ଅଶି କୋଟି ଟଙ୍କା ବ୍ୟୟରେ ତାଳଚେରଠାରେ ଏପରି ଏକ ସାର କାରଖାନା ସ୍ଥାପିତ ହେବାକୁ ଯାଉଛି ।

 

ବିଦ୍ୟୁତ୍‌ ଶକ୍ତି ଆଧୁନିକ ଶିଳ୍ପର ନିର୍ମାଣତା କହିଲେ ଅସଙ୍ଗତ ହେବନାହିଁ । ଏହି ଶକ୍ତି ଦ୍ୱାରା କଳକାରଖାନା ଅତି ସୁବିଧାରେ ଚଳେ । ଏଥିରେ କମ୍‌ ଶ୍ରମ ଓ ଅପେକ୍ଷାକୃତ କମ୍‌ ବ୍ୟୟ ହୁଏ-। କେବଳ ସେତିକି ନୁହେ, କୋଇଲା କ୍ଷୟଶୀଳ ଏବଂ ଏହାର ଧର୍ମ ମନୁଷ୍ୟର ସ୍ୱାସ୍ଥ୍ୟ ପକ୍ଷରେ ଅତୀବ କ୍ଷତିକାରକ । ବହୁ ସମୟ କୋଇଲା ଧୂଆଁ ସମ୍ପର୍କରେ ଆସିଲେ ସ୍ୱାସ୍ଥ୍ୟ ଭଙ୍ଗ ହୁଏ । କିନ୍ତୁ ବିଦ୍ୟୁତ୍‌ ଶକ୍ତି ବ୍ୟବହାରରେ ଏହି ଆଶଙ୍କା ନାହିଁ । ଟିକିଏ ସାବଧାନତା ସହକାରେ ବ୍ୟବହାର କରିଜାଣିଲେ ସକଳ ଦିଗରୁ ଶିଳ୍ପୋନ୍ନତି ପାଇଁ ଏହା ବିଶେଷ ଉପଯୋଗୀ । ବର୍ତ୍ତମାନ ହୀରାକୁଦରୁ ଉତ୍ପନ୍ନ ଶକ୍ତିରେ ଚଉଦ୍ୱାର, ରାଉରକେଲା ଭଳି ଉତ୍ତର ଓଡ଼ିଶାର ଶିଳ୍ପ କାରଖାନା ଓ ମାଛକୁଣ୍ଡରୁ ଉତ୍ପନ୍ନ ଶକ୍ତିଦ୍ୱାରା ଦକ୍ଷିଣ ଓଡ଼ିଶାର ଶିଳ୍ପ କାରଖାନା ଗୁଡ଼ିକ ପରିଚାଳିତ ହୁଏ । ଅଳ୍ପଦିନ ମଧ୍ୟରେ ବାଲିମେଳାର ଶକ୍ତିରେ ଆହୁରି କେତେ ଅଞ୍ଚଳ ଉପକୃତ ହେବ । ଉଦ୍ୟମ କଲେ ଓଡ଼ିଶାର ମାଳଭୂମିରୁ ଆହୁରି ଅନେକ ଶକ୍ତି ଉତ୍ପାଦନ କରାଯାଇ ପାରିବ ।

 

ଆଧୁନିକ ଶିଳ୍ପ ସକାଶେ ଚୂନପଥର ମଧ୍ୟ ଗୋଟିଏ ଅତି ଉପାଦେୟ ପଦାର୍ଥ । ଏହାଦ୍ୱାରା ଲୁହା ପରିଷ୍କାର କରାଯାଏ ଏବଂ ସିମେଣ୍ଟ ଶିଳ୍ପପାଇଁ ଚୂନ ପଥର ମୁଖ୍ୟ ଉପାଦାନ । ସୁନ୍ଦରଗଡ଼, ସମ୍ବଲପୁର ଓ କୋରାପୁଟରେ ଏହି ଖଣିଗୁଡ଼ିଏ ରହିଛି । ଏହି ସ୍ଥଳଗୁଡ଼ିକରେ ଯଦି ସିମେଣ୍ଟ କାରଖାନା ସ୍ଥାପିତ ହୁଏ, ତେବେ ଅର୍ଥଦିଗରୁ ରାଜ୍ୟ ବିଶେଷ ଉପକୃତ ହେବ, ଅକର୍ମା ସମସ୍ୟା ସମାଧାନର ସହାୟକ ହେବ ଏବଂ ଏହା ସଙ୍ଗେ ଦେଶର ସିମେଣ୍ଟ ଅଭାବ ମଧ୍ୟ ଦୂର ହେବ । ଓଡ଼ିଶାର ରାଜଗାଙ୍ଗପୁରରେ ଗୋଟିଏ ମାତ୍ର ସିମେଣ୍ଟ କାରଖାନା ଥିବାରୁ ସିମେଣ୍ଟ ଅଭାବ ଦୂର ହୋଇପାରୁ ନାହିଁ । ଅଭ୍ର ଏହି ଯୁଗର ଆଉ ଗୋଟିଏ ଉପାଦେୟ କଞ୍ଚାମାଲ । ଏହା କାଚପରି ସଫେଦ ଓ ସ୍ୱଚ୍ଛ; ଅଥଚ କାଚପରି ଭଙ୍ଗୁର ନୁହେ । ବସ୍‌, କାର ଓ ଘଡ଼ି ପ୍ରଭୃତି ନିର୍ମାଣରେ ଏହାର ବ୍ୟବହାର ବେଶୀ ଏବଂ ସେଥିରେ ବିଦ୍ୟୁତ୍‌ ଯନ୍ତ୍ରପାତି ମଧ୍ୟ ପ୍ରସ୍ତୁତ ହୁଏ । ଏହା ଅଧିକ ତାପସହ ହୋଇଥିବାରୁ ଏହାର ଚାହିଦା ଅତ୍ୟଧିକ । ଏଥି ସକାଶେ ମଧ୍ୟ ଉତ୍କଳକୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ଢେଙ୍କାନାଳ, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଳାରେ ପ୍ରଚୁର ଅଭ୍ର ମିଳେ ।

 

ବର୍ତ୍ତମାନସୁଦ୍ଧା ଉତ୍କଳର ଶିଳ୍ପୋନ୍ନତି ପାଇଁ ବହୁ ଅନୁସନ୍ଧାନ ଓ ଗବେଷଣା ଚାଲିଛି । ଏହି ଗବେଷଣା ଫଳରେ ଅନେକ ନୂତନ ଖଣିର ସନ୍ଧାନ ମିଳିଛି । ବର୍ତ୍ତମାନ କାର୍ଯ୍ୟକାରୀ ହେବାକୁ ଯାଉଥିବା ଖଣିମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଳାର ସୁନା, ଚୀନାମାଟି, କ୍ରୋମାଇଟ୍‌ ଓ କାଚ, କଟକ ଜିଲ୍ଳାର ସାରୁବିଲ୍‌ରେ ନିକେଲଧାତୁ, ଟିଟିଲା ଗଡ଼ରେ ଗ୍ରାଫାଇଟ୍‌, ସୁନ୍ଦର ଗଡ଼ରେ ସୁନା ଏବଂ ଏହି ଜିଲ୍ଳାର ସରପି ପାଲି, ବଲାଙ୍ଗିର ଜିଲ୍ଳାର ସଇଁତଲା, ମୟୁରଭଞ୍ଜ ଜିଲ୍ଳାର ପିଟବଟ ଅଞ୍ଚଳରେ ସୀସା ଏବଂ କଳାହାଣ୍ଡି ଜିଲ୍ଳାରେ ବକ୍‌ସାଇଟ୍ ଓ ଗ୍ରାଫାଇଟ୍‌ ଖଣି ପ୍ରଧାନ । ଏଗୁଡ଼ିକର ଯତାଯଥ ବ୍ୟବହାର ହେଲେ ଦେଶର ସ୍ୱର୍ଣ୍ଣପ୍ରସୂନାମ ସାର୍ଥକ ହେବ । ସୁନା ଗୋଟିଏ ଅତି ମୂଲ୍ୟବାନ୍‌ ଧାତୁ । ଏହାଛଡ଼ା ଚୀନାମାଟିରେ ସୁନ୍ଦର ମସୃଣ ପାତ୍ର ନିର୍ମିତ ହୁଏ । ଇଷ୍ପାତ ତିଆରି ପାଇଁ କ୍ରୋମାଇଟ୍‌, ଆଲମୋନିୟମ୍‌ ପ୍ରସ୍ତୁତ କରିବା ପାଇଁ ଏବଂ ଉଡ଼ାଜାହାଜ ଓ ଯୁଦ୍ଧ ଜାହାଜ ପ୍ରଭୃତି ନିର୍ମାଣ କରିବାପାଇଁ ବକ୍‌ସାଇଟ୍‌ ଆବଶ୍ୟକ ହୁଏ । ଆଧୁନିକ ଯୁଗରେ କୌଣସି ଶିଳ୍ପର ଉପାଦେୟତା ବା ଆବଶ୍ୟକ ହୁଏ । ଆଧୁନିକ ଯୁଗରେ କୌଣସି ଶିଳ୍ପର ଉପାଦେୟତା ବା ଆବଶ୍ୟକତା ଗୌଣ ନୁହେ ।

 

ବନଜାତ ଦ୍ରବ୍ୟ ମଧ୍ୟ ଆଦୁନିକ ଶିଳ୍ପପାଇଁ ଅତି ଉପାଦେୟ । ବନ ଜଙ୍ଗଲରେ ବିଭିନ୍ନ ପ୍ରକାର କାଠ, ବାଉଁଶ, ଉତ୍କଳର ସବାଇ ଘାସ, ହାତୀଦାନ୍ତ, ବନ୍ୟଜନ୍ତୁମାନଙ୍କର ଚମଡ଼ା ଓ ଶିଙ୍ଗ,. ମହୁ, ଲାଖ ପ୍ରଭୃତି ଅନେକ ପ୍ରକାର ବନଜାତ ଦ୍ରବ୍ୟ ମିଳେ । ସବାଇ ଘାସ ଓ ବାଉଁଶରେ କାଗଜ ପ୍ରସ୍ତୁତ ହୁଏ । କାଗଜ ବିଦେଶରୁ ଆମଦାନି କରିବାପାଇଁ ଭାରତର ବହୁତ ବୈଦେଶିକ ମୁଦ୍ରା ଆବଶ୍ୟକ ହୁଏ । କାଗଜ ପାଇଁ ଦେଶକୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଓଡ଼ିଶାରେ ବ୍ରଜରାଜ ନଗର, ରାୟଗଡ଼ା ଓ ଚଉଦ୍ୱାରରେ ତିନୋଟି କାଗଜକଳ ସ୍ଥାପିତ ହୋଇଛି । ଏପରି ଆହୁରି କେତୋଟି କଳ ସ୍ଥାପନ କରିବାପାଇଁ ମଧ୍ୟ ଓଡ଼ିଶାରେ କଞ୍ଚାମାଲର ଅଭାବ ନାହିଁ । ଏଣୁ ଆଉ କେତୋଟି କାରଖାନା ସ୍ଥାପନ କରି ଏହି ଅତ୍ୟାବଶ୍ୟକୀୟ ପଦାର୍ଥର ଅଭାବ ଦୂର କରିବା ଉଚିତ । ଯାପାନ ପରି କାଠରେ ଯଦି ବିଭିନ୍ନ ରେଶମ ବସ୍ତ୍ର ନିର୍ମାଣପାଇଁ ଉଦ୍ୟମ ହୁଅନ୍ତା, ତଦ୍ଦ୍ୱାରା ଦେଶର ବସ୍ତ୍ରାଭାବ ମଧ୍ୟ ଦୂର ହୁଅନ୍ତା ଓ ବୃଥା ନଷ୍ଟ ହେଉଥିବା ପଦାର୍ଥର ସଦ୍‌ବ୍ୟବହାର ହୁଅନ୍ତା । ପାତାଳ ଗରୁଡ଼ ନାମକ ଗୋଟିଏ ଔଷଧବୃକ୍ଷର ଚେର କଳାହାଣ୍ଡି ଓ ବଲାଙ୍ଗିରରେ ପ୍ରଚୁର ପରିମାଣରେ ମିଳେ । ଏଥିରେ ରକ୍ତଚାପ ବା ସେପରି କୌଣସି ଗୋଟିଏ ଉତ୍କଟ ବ୍ୟାଧିପାଇଁ ଔଷଧ ପ୍ରସ୍ତୁତ ହେଉଛି । ଏପରି ଏକ କାରଖାନା ଓଡ଼ିଶାର ସେହି ଅଞ୍ଚଳରେ ସ୍ଥାପିତ ହେଲେ ଅଧିକ ଉପକାର ହୁଅନ୍ତା । ଏହିପରି ପ୍ରତ୍ୟେକ ବନଜାତ ପଦାର୍ଥ କାରଖାନା ପାଖକୁ ଗଲେ ଜନସମାଜର ଉପଭୋଗ୍ୟ ହୋଇଥାଏ ।

 

ଉତ୍କଳର ସୁଦୀର୍ଘ ଉପକୂଳରେ, ବିଶେଷତଃ ଗଞ୍ଜା ଓ ବାଲେଶ୍ୱରରେ ପ୍ରଧାନତଃ ଲୁଣ ମରାଯାଏ । ଅନ୍ୟ ସ୍ଥାନରେ ଏହା ଆଦାୟ ନ ହେବାର କାରଣ ଅନୁସନ୍ଧାନ କରି ଲୁଣ ଉତ୍ପାଦନର ବ୍ୟବସ୍ଥା କରିବା ଉଚିତ । ଲୁଣ ହାଣ୍ଡିଶାଳର ପଦାର୍ଥ, ପୁଣି ଅଳ୍ପ ଶ୍ରମରେ ବହୁତ ଆଦାୟ ହେବାଭଳି ଶିଳ୍ପ । ଏଣୁ ଏଦିଗରେ ଲୋକଙ୍କୁ ଉତ୍ସାହିତ କରିବା ମଧ୍ୟ ଉଚିତ ।

 

ବର୍ତ୍ତମାନ ତାଳଚେର ଉତ୍କଳର ଗୋଟିଏ ଶିଳ୍ପାଞ୍ଚଳ । ତାହାଛଡ଼ା ଚଉଦ୍ୱାର, ରାଉରକେଲା, ସମ୍ବଲପୁର, ଆସିକା, ରାୟଗଡ଼ା ଓ ସୁନାବେଡ଼ା ପ୍ରଭୃତି ଆଉ କେତୋଟି ସ୍ଥାନକୁ ଶିଳ୍ପାଞ୍ଚଳରେ ପରିଣତ କରିବାପାଇଁ ଯେଉଁ ଯୋଜନା ରହିଛି, ତାହା ପୂର୍ଣ୍ଣ ହେଲେ ଦେଶରେ ଶିଳ୍ପର ଗୋଟିଏ ସ୍ରୋତ ପ୍ରବାହିତ ହେବ । ବର୍ତ୍ତମାନ ଏହି ସ୍ଥାନଗୁଡ଼ିକରେ ଟାଇଲ, ଚିନି ଓ କେତେ ଲୌହ ଶିଳ୍ପ ପ୍ରସ୍ତୁତ ହୁଏ । ଯୋଜନା ପୂର୍ଣ୍ଣ ହେଲେ ଆହୁରି ଅନେକ ଶିଳ୍ପ କାରଖାନା ସ୍ଥାପିତ ହୋଇପାରିବ-

 

ଆଧୁନିକ ଯନ୍ତ୍ରଶିଳ୍ପର ପ୍ରସାରପାଇଁ ବନ୍ଦର ନିତାନ୍ତ ଆବଶ୍ୟକ । ଆମଦାନି ରତ୍ପାନୀର ଅବାଧ ବ୍ୟବସ୍ଥା ନଥିଲେ ଶିଳ୍ପ ଊତ୍ପାଦାନ ବାଧାପ୍ରାପ୍ତ ହୁଏ । ବନ୍ଦର ଦିଗରେ ଓଡ଼ିଶା ବହୁ ପଛରେ ପଡ଼ିଛି । ବର୍ତ୍ତମାନ ପାରାଦ୍ୱୀପ ବନ୍ଦରର ଉନ୍ନତିକର ବ୍ୟବସ୍ଥା କରାଯାଇଛି । ଚାନ୍ଦବାଲି ଓ ଗୋପାଳ ପୁରରେ ଦୁଇଟି କ୍ଷୁଦ୍ର ବନ୍ଦର ନିର୍ମାଣ ପରିକଳ୍ପନା ରହିଛି । ଚିଲିକାରେ ଗୋଟିଏ ନୌତାଲିମ କେନ୍ଦ୍ର ସ୍ଥାପନର ମଧ୍ୟ ପ୍ରସ୍ତାବ ରହିଛି । ଏଗୁଡ଼ିକ କାର୍ଯ୍ୟକାରୀ ହେଲେ ଓଡ଼ିଶାରେ ନୌବାଣିଜ୍ୟର ପ୍ରସାର ହେବ ।

 

ଏହିପରି ଓଡ଼ିଶାରେ ସକଳ ପ୍ରକାର ସୁବିଧା ଓ ପ୍ରାକୃତିକ ସଂପଦ ପରି ରହିଛି । ତଥାପି ନାନା କାରଣରୁ ଏଗୁଡ଼ିକର ସାର୍ଥକ ବ୍ୟବସ୍ଥା ହୋଇ ପାରୁନାହିଁ । ଏଥି ସକାଶେ ଆବଶ୍ୟକ ମିଳିତ ଉଦ୍ୟମ, ତ୍ୟାଗ ଓ ଶ୍ରମ । ଏହି ଉଦ୍ଦେଶ୍ୟ ସିଦ୍ଧ ହେଲେ ଉତ୍କଳ ଏକ ନବଯୁଗରେ ପଦାର୍ପଣ କରିବ-। ତାହାହିଁ ହେବ ଉତ୍କଳର ଶିଳ୍ପୋନ୍ନତି ।

Image

 

Unknown

ବିଂଶ ଶତାବ୍ଦୀର ଜଣେ ମହାପୁରୁଷ

 

ଯେଉଁମାନେ ଅତିମାନବ ଶକ୍ତିଧରି ଜନ୍ମ ଗ୍ରହଣ କରନ୍ତି, ସେମାନଙ୍କୁ ମହାପୁରୁଷ କୁହାଯାଏ । ପୁଣ୍ୟଭୂମି ଭାରତରେ କେତେ ଦେବଦେବୀ, କେତେ ଅବତାର, କେତେ ଦେବଦୂତ ଓ ସେହିପରି କେତେ ମହାପୁରୁଷ ଜନ୍ମଗ୍ରହଣ କରି ତାହାର ପୁଣ୍ୟଭୂମି ନାମ ସାର୍ଥକ କରିଛନ୍ତି । ଦେଶରେ ଯେତେବେଳେ ପାପପୂର୍ଣ୍ଣ ହୋଇଯାଏ, ଦେଶକୁ ଏହି ବିପଦରୁ ରକ୍ଷା କରିବାପାଇଁ ଭଗବାନ ନିଜେ ଅବତାର ଗ୍ରହଣ କରନ୍ତି ବା ତାଙ୍କ ଅଂଶରେ ଜଣେ ଦେବଦୂତ ଜନ୍ମ ଗ୍ରହଣ କରି ପାପରାଣି ଦୂର କରନ୍ତି । ଭଗବାନ୍ ଶ୍ରୀକୃଷ୍ଣ ନିଜେ ଗୀତାରେ କହିଛନ୍ତି, ‘‘ଯଦା ଯଦା ହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ, ଅଭ୍ୟୁତ୍‌ଥାନ ମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍‌’’ । ଏହିପରି ଜଣେ ମହାପୁରୁଷ ୧୮୬୯ ଅକ୍ଟୋବର ୨ ତାରିଖରେ ପୋରବନ୍ଦରରେ ଜନ୍ମଗ୍ରହଣ କରି ପାପ ଦୂର କରି ସାଧୁମାନଙ୍କୁ ପରିତ୍ରାଣ କରିଥିଲେ ।

 

ମହାପୁରୁଷମାନେ ଧ୍ୟାନ, ତପସ୍ୟା ଓ ଧର୍ମପ୍ରଚାରରେ ରତ ଥାନ୍ତି । ଏହି ମହାହପୁରୁଷ ମଧ୍ୟ ଥିଲେ ଜଣେ ତପସ୍ୱୀ; କିନ୍ତୁ ଦେଶସେବା ବ୍ରତ ଥିଲା ତାହାଙ୍କର ତପସ୍ୟା । ସେ ମଧ୍ୟ ଥିଲେ ଜଣେ ପରମଧାର୍ମିକ; କିନ୍ତୁ ନରସେବା ବ୍ରତ ଥିଲା ତାହାଙ୍କର ଧର୍ମ । ସେ ଥିଲେ ଜଣେ ପରମ ବୈଷ୍ଣବ, ଏଣୁ କରୁଥିଲେ ହରିଜନ ସେବା । ସେ ଥିଲେ ଜାତିର ପିତା, କିନ୍ତୁ ନିଜେ ନିଃସ୍ୱ ଓ ଦୀନ । ସେ ଥିଲେ କ୍ଷୀଣ କାୟ, କିନ୍ତୁ ଥିଲେ ଅଜେୟ ବ୍ରିଟିଶ କେଶରୀ ସହିତ ଚାଲିଥିବା ସଂଗ୍ରାମର ସେନାପତି । ସେ ଜଣେ ଅନନ୍ୟସାଧାରଣ ସଂଯମୀ ଓ ସାଧକ ଥିଲେ । ଦିନେ ପ୍ରଚଣ୍ଡ ଶୀତଋତୁରେ ଲଣ୍ଡନନଗରୀରେ ତୁଷାରବୃତ ରାଜପତରେ ତାହାଙ୍କର ପ୍ରାତଃଭ୍ରମଣ ଦେଖି ସ୍ଥାନୀୟ ବ୍ୟକ୍ତିମାନେ ଯେଉଁ କଳ୍ପନା କରିଥିବେ, ତାହା କ’ଣ ଭାଷାରେ ବର୍ଣ୍ଣନା କରାଯିବା ସଂଭବ ? ଏହି ରୋମାଞ୍ଚକର ଘଟଣା ଦର୍ଶକ କେବଳ ଅନୁଭବ କରିପାରେ ।

 

ଲୋକେ କୁଡ଼ିଆ ଦେଖିଲେ ଡ଼ରନ୍ତି । କିନ୍ତୁ ସେ ଡ଼ରୁଥିଲେ ପ୍ରାସାଦକୁ । ସେ ଖାଉଥିଲେ ଟିକିଏ କମଳା ରସ, ଗାଉଥିଲେ ରାମନାମ, ଜପୁଥିଲେ ଅହିଂସା ମହାମନ୍ତ୍ର, ପାଳୁଥିଲେ ସତ୍ୟ । ସେ ପୁଣି ଥିଲେ ନରନାରାୟଣ । ତଥାପି ସେ ଥିଲେ ଭଗବତ୍‌ଗୀତାର ଦାସ । ଉଦୟାଚଳ ଠାରୁ ଅସ୍ତାଚଳ ପର୍ଯ୍ୟନ୍ତ ବିସ୍ତୃତ ବ୍ରିଟିଶ୍‌ ସାମ୍ରାଜ୍ୟର ପ୍ରଧାନ ମନ୍ତ୍ରୀ ଯେଉଁ ଚର୍ଚ୍ଚିଲ ସାହେବ ତାହାଙ୍କର ଦୀନ ବେଶକୁ ବିଦ୍ରୂପ କରି କହୁଥିଲେ, ‘ଲଙ୍ଗଳା ଫକୀର’, ସେ ଶେଷରେ ତାଙ୍କଠାରେ ନତମସ୍ତକ ହୋଇଥିଲେ । ଦାବାଗ୍ନିର ଦାୟାଦ ଯେଉଁ ହିଟ୍‌ଲର ଏହି ମହାପୁରୁଷଙ୍କର ଅହିଂସା ଆନ୍ଦୋଳନକୁ ପିଲାଖେଳ ବୋଲି ପରିହାସ କରୁଥିଲେ, ସେହି ପରାକ୍ରମୀ କେଉଁ ଅନନ୍ତ ଆକାଶରେ ଉଭେଇଗଲେ । ତାଙ୍କର ପରାକ୍ରମ ଅଣଞ୍ଚାଶ ପବନରେ ଉଡ଼ିଗଲା । ଶେଷରେ ସେ ପିଲାଖେଳ ହେଲା ବିଜୟୀ ।

 

‘‘ତୁଳସୀ ଦୁଇପତ୍ରରୁ ବାସେ’’ ନୀତିରେ ସେ ଆବାଲ୍ୟରୁ ଥିଲେ ଜଣେ ଯୋଗୀ, ପିତାମାତାଙ୍କର ଆଜ୍ଞାଧୀନ, ସାଧୁ ଓ ସତ୍ୟପ୍ରିୟ । ସେ ଶୈଶବାବସ୍ଥାରେ ଥରେ ପଇସା ଚୋରି କରିଥିଲେ ଓ ଥରେ କୁସଂସର୍ଗରେ ପଡ଼ି ମାଂସ ଖାଇଥିଲେ । କିନ୍ତୁ ସେ ଏହି ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ ପିତାମାତାଙ୍କଠାରେ କ୍ଷମାଭିକ୍ଷା କରି ଜୀବନରେ ଆଉ କୌଣସି ଦୋଷର ପୁନରାବୃତ୍ତି କରି ନାହାନ୍ତି । ତାଙ୍କର ଚାକରାଣୀ ରମ୍ଭାଠାରୁ ଶୁଣିଥିଲେ, କୌଣସି ସମୟରେ ଭୟଜାତ ହେଲେ ରାମନାମ ଉଚ୍ଚାରଣ କଲେ ସେହି ଭୟ ଦୂର ହୋଇଯାଏ । ସେ କି ଗୁଣ, ଏ କି ମନ୍ତ୍ର କେଜାଣି, ଏହି ମହାମନ୍ତ୍ର ଯୋଗୁଁ ସେହି ଦିନଠାରୁ ଭୟ ତାହାଙ୍କର ସୀମା ସ୍ପର୍ଶ କରି ନ ଥିଲେ । ପ୍ରାର୍ଥନା ସଭାରେ ନାଥୁରାମର ତିନି ଚୋଟ ଗୁଳିକୁ ଛାତି ଦେଖାଇ ଚତୁର୍ଥ ଚୋଟରେ ସଂଜ୍ଞାହୀନ ହୋଇ ତଳେ ପଡ଼ିଗଲେ ପଛେ, ଠିଆ ହେବା ସ୍ଥାନରୁ ଗୋଡ଼ କାଢ଼ି ନାହାନ୍ତି ବା ଆର୍ତ୍ତନାଦ କରିନାହାନ୍ତି । କିନ୍ତୁ କହିଥିଲେ ‘ରାମ’ । କେଡ଼େ ବଡ଼ ସେ ହୃଦୟ, କେଡ଼େ ଦୃଢ଼ ସେ ମନ, କେଡ଼େ ସିଦ୍ଧ ସେ ସାଧନା । ସତେ କ’ଣ ଏପରି ଜଣେ ନିଃସ୍ୱ, ଦରିଦ୍ରବନ୍ଧୁ, ଦେଶପ୍ରାଣ ବ୍ୟକ୍ତିର ଶତ୍ରୁ ଥାଇପାରେ ? ସତ୍ୟର ଶକ୍ତି କେତେ ଟାଣ, ଜଗତକୁ ସମ୍ଭବତଃ ଜଣାଇ ଦେବାପାଇଁ ଭଗବାନଙ୍କ ଇଚ୍ଛାଦ୍ୱାରା ଏହା ସମ୍ଭବ ହୋଇଥିଲା । ଥରେ ଚାଟଶାଳୀରେ ପରିଦର୍ଶକଙ୍କର ପରିଦର୍ଶନ ସମୟରେ ଶୁତ୍ରଲିଖନରେ ସେ ଗୋଟାଏ ଭୁଲ କରିଥିଲେ । ଅନ୍ୟ ପିଲାର ଖାତା ଦେଖି ତାହା ସଂଶୋଧନ କରିବାପାଇଁ ଶିକ୍ଷକ ସଂକେତ ଦେଲେ; କିନ୍ତୁ ଗୁରୁଭକ୍ତ ଶିଶୁ ମୋହନ ଦାସ ଏହି ପରାମର୍ଶ ଅମାନ୍ୟ କରିଥିଲେ । ସେ ପରେ କହିଥିଲେ ମିଥ୍ୟାଯୋଗ୍ୟତା ଦେଖାଇ ବଡ଼ ହେବାକୁ ଚେଷ୍ଟା କରିବା ଏକ ଅପକର୍ମ । ଗୁରୁ କିଏ ? ସେ ହୁଏତ ପରମ ଗୁରୁ ।

 

ସେ ଅହମଦାବାଦ ବିଶ୍ୱବିଦ୍ୟାଳୟରେ ପଢ଼ିବା ସମୟରେ ବାରିଷ୍ଟର ପଢ଼ିବାପାଇଁ ବିଲାତ ଯିବା ପ୍ରସ୍ତାବ ହେଲା । ସେହି ସମୟରେ ଧର୍ମପ୍ରାଣା ମାତା ପୁତୁଳିବାଇ ତାହାଙ୍କୁ କହିଥିଲେ, ଭାରତୀୟ ଧର୍ମ ଭୁଲିବୁ ନାହିଁ । ଶ୍ରୀକୃଷ୍ଣ ଗୋପପୁର ଭୁଲିଯାଇଥିଲେ, ପ୍ରହ୍ଳାଦ ଶ୍ରୀକୃଷ୍ଣଙ୍କୁ ଭୁଲିଯାଇଥିଲେ, ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ମଧ୍ୟ ଭୁଲି ଯାଇଥିଲେ; କିନ୍ତୁ ଏହି ମହାପୁରୁଷ ମାତାଙ୍କ ନିର୍ଦ୍ଦେଶ ମନେରଖି ବିଲାତରେ ଆମିଷ ଭୋଜନ କରି ନ ଥିଲେ, କୌଣସି ପ୍ରଲୋଭନରେ ପଡ଼ି ନ ଥିଲେ । ବରଂ ସେ ଭାବୁଥିଲେ, ବିଲାତର ତିନିକୋଟି ଜନତା ସ୍ୱାଧୀନ, କିନ୍ତୁ ଭାରତର ୪୦ କୋଟି ଜନତା ପରାଧୀନ । କି ଦୋଷରୁ ଏ ଅବିଚାର ? ସେ ସେ ପର୍ଯ୍ୟନ୍ତ ବଡ଼ ଲାଜକୁଳା ଥିଲେ, ସଭା ସମିତିଗୁଡ଼ିକରେ ଲିଖିତ ବକ୍ତୃତା ମଧ୍ୟ ପଢ଼ିବାକୁ ସେ ଅସମର୍ଥ ଥିଲେ । ତଥାପି ତାଙ୍କ ମନରେ ଏହି ଭାବାନ୍ତର ଆସିବାରୁ ସେ ଜଣେ ଆଦର୍ଶ ବକ୍ତା ଓ ସଂଗଠକ ହୋଇପାରିଥିଲେ ।

 

ସେ ବିଲାତରୁ ଫେରି ବମ୍ବେରେ ଆଇନ ବ୍ୟବସାୟ କଲେ; କିନ୍ତୁ ଯାହାର ମନ ଏଡ଼େ ମହତ୍‌, ଯାହାର ଚିନ୍ତା ଏଡ଼େ ଉଦାର ସେ ମୂଲ୍ୟହୀନ ପାର୍ଥିବ ଭୋଗ ବିଳାସରେ କାହିଁକି ବା ଆସକ୍ତ ହୁଅନ୍ତେ ? ଭଗବତ୍‌ ଗୀତାରେ ଶ୍ରୀକୃଷ୍ଣ ସ୍ପଷ୍ଟ କହିଛନ୍ତି ‘‘ଯାନିଶା ସର୍ବଭୂତାନାଂ ତସ୍ୟାଂ ଜାଗର୍ତ୍ତି ସଂଯମୀ, ଯସ୍ୟାଂ ଜାଗର୍ତ୍ତି ଭୂତାନି ସାନିଶା ପଶ୍ୟତୋ ମୁନେଃ ।’’ ଯେଉଁମାନେ ମହାପୁରୁଷ, ସେମାନେ କଦାପି ପାଥିବ ବସ୍ତୁରେ ଆସକ୍ତ ନୁହନ୍ତି । ଏଣୁ ମହାତ୍ମାଗାନ୍ଧି କିଛି ଗୋଟେ ମହତ୍‌ କାମ କରିବାପାଇଁ ଜଣେ ଲୋକର ଅନୁରୋଧରେ ୧୮୯୩ରେ ଦକ୍ଷିଣ ଆଫ୍ରିକା ଗଲେ । ସେଠାରେ ମଧ୍ୟ ସେ ସତ୍ୟର ମହିମା ଭୁଲି ନ ଥିଲେ । ଥରେ ଅଦାଲତରେ ଗୋଟିଏ ମକଦମାର ବିଚାର ଚାଲିଥିବା ସମୟରେ ତାହା ମିଥ୍ୟା ମକଦମା ବୋଲି ଜାଣିବା ସଙ୍ଗେ ସଙ୍ଗେ ତାହା ଖାରଜ କରି ଦେବାପାଇଁ ବିଚାରପତିଙ୍କୁ କହିଥିଲେ । ଏଥିରେ ସମସ୍ତେ ବିସ୍ମିତ ହୋଇ ଯାଇଥିଲେ । ବିଚାରପତି ମଧ୍ୟ ଏକଥା ଦେଖି କେତେ ସମୟ ପର୍ଯ୍ୟନ୍ତ ନିର୍ବାକ୍‌ ହୋଇ ରହି ଯାଇଥିଲେ । ସେହି ସମୟରେ ସେଠାର ଗୋରାମାନେ ଭାରତୀୟମାନଙ୍କ ଉପରେ ଅତ୍ୟାଚାର କରୁଥିଲେ । ସତ୍ୟାଗ୍ରହ ଆନ୍ଦୋଳନ ଦ୍ୱାରା ସେ ତାହାର ପ୍ରତିରୋଧ କରିଥିଲେ । ଏଣୁ ଭାରତୀୟମାନେ ସେଠାରେ ନାଗରିକ ଅଧିକାର ପାଇଲେ । ଆଫ୍ରିକାରେ ଦୀର୍ଘ ୨୦ବର୍ଷ ରହିଲା ପରେ ସେ ୧୯୧୫ ରେ ଭାରତକୁ ଫେରି ଦେଖିଲେ ଯେ, ଭାରତୀୟମାନେ ଏକ ପ୍ରକାର ନିର୍ଜୀବ ଅବସ୍ଥାରେ ଅଛନ୍ତି ।

 

ସେ ଭାରତରେ ପ୍ରବେଶକଲା ପରେ ଅହମ୍ମଦାବାଦ ଉପକଣ୍ଠ ସାବରମତୀଠାରେ ଗୋଟିଏ ସତ୍ୟାଗ୍ରହ ଆଶ୍ରମ ପ୍ରତିଷ୍ଠା କରି ସେଠାରୁ ଆଫ୍ରିକା ଅନୁକରଣରେ ଭାରତର ସ୍ୱାଧୀନତା ଆନ୍ଦୋଳନ ଚଳାଇଥିଲେ । ପ୍ରଥମ ବର୍ଷ ସେ ସମଗ୍ର ଭାରତବର୍ଷ ଭ୍ରମଣକରି ଲୋକଙ୍କର ଅବସ୍ଥା ଲକ୍ଷ୍ୟ କରିଥିଲେ । ତା’ପରେ ନିଷ୍କ୍ରିୟ କଂଗ୍ରେସର ନେତୃତ୍ୱ ନେଇ ତାହାକୁ ଗୋଟାଏ ଗଣ ଅନୁଷ୍ଠାନରେ ପରିଣତ କରିଥିଲେ । ତଥାପି ପ୍ରଥମ ମହାସମର ବେଳେ ଯୁଦ୍ଧରେ ବାଧା ସୃଷ୍ଟି ହେଲାପରି କୌଣସି ଆନ୍ଦୋଳନ କରାଯାଇ ନଥିଲା । କିନ୍ତୁ ଯୁଦ୍ଧ ପରେ ବ୍ରିଟିଶ ସରକାର ଭାରତର ମନ କଥା ହୃଦୟକୁ ନ ନେବାରୁ ୧୯୨୦ରେ ସ୍ୱାଧୀନତାପାଇଁ ଆରମ୍ଭ ହେଲା ପ୍ରବଳ ସତ୍ୟାଗ୍ରହ ଆନ୍ଦୋଳନ ।

 

ବାଜିଲା ସତ୍ୟାଗ୍ରହର ଶୁଭଶଙ୍ଖ । ବୁଲିଲା ଚରଖା ସୁଦର୍ଶନ ଚକ୍ର । ଆରମ୍ଭ ହେଲା ଧର୍ମ ଯୁଦ୍ଧ । ବାହାରି ପଡ଼ିଲେ ଭୀମ ଅର୍ଜ୍ଜୁନଙ୍କ ପରି ବହୁ ରଥୀ, ମହାରଥୀ । ଏହି ଯୁଦ୍ଧରେ ଆଗୁଆ ବୀର ହେଲେ ନେହେରୁ ସୁଭାଷ,ରାଜାଜୀ, ଲାଲାଜୀ ଚିତ୍ତରଞ୍ଜନଙ୍କ ଭଳି ଅସଂଖ୍ୟ ଯୋଗ୍ୟ ସନ୍ତାନ । ଏ କି ଆନ୍ଦୋଳନ କେଜାଣି; ଗୋଟେ ପକ୍ଷରୁ ଲାଠି ଗୁଳି ପ୍ରହାର ଚାଲିଥିବ, ଅନ୍ୟ ପକ୍ଷ ବିନା ଦ୍ୱିଧାରେ ତାହା ସହ୍ୟ କରୁଥିବେ । ଗୁଳି ଆଗରେ ଛାତି, ଲାଠି ଆଗରେ ପିଠି ଦେଖାଇ ସତ୍ୟାଗ୍ରହୀମାନେ ସହିଯିବେ ସବୁ କଥା । ଯଦି କେହି ଏହା ଅମାନ୍ୟ କରେ, ସେ ଦଳରୁ ବିତାଡ଼ିତ ହେବ । ସେହି ପିଠିରେ କେତେ ଲାଠି ଭାଙ୍ଗିଛି, ସେହି ପେଟ କେତେ ଭୋକ ଉପବାସ ସହିଛି । ବର୍ଷ ବର୍ଷ ଅଜ୍ଞାତ ବନବାସପରି ସେ ଭୋଗିଛନ୍ତି କାରାଦଣ୍ଡ । କୌଣସି କଥାରେ ଅନୁଶୋଚନା ନାହିଁ, ଦୁଃଖ ନାହିଁ, ଭୟ ନାହିଁ । ସେ ସତ୍ୟପାଇଁ କରୁଥିଲେ ସତ୍ୟାଗ୍ରହ, ସ୍ୱର୍ଥପାଇଁ ନୁହେ । ସେ ବେଳେ ବେଳେ ଚିତ୍ତଶୁଦ୍ଧିପାଇଁ କରୁଥିଲେ ଅନଶନ । ୧୯୨୪ରେ ସେ ଏକୋଇଶ ଦିନ ପର୍ଯ୍ୟନ୍ତ ଅନଶନ କରିଥିଲେ । ଏଥିରେ ବ୍ରିଟିଶ ସାମ୍ରାଜ୍ୟ ଥରହର ହୋଇଥିଲା । କିନ୍ତୁ ମହାମେରୁ ପରି ସେ ନିଜେ ନିଜ ବିଶ୍ୱାସରେ ଅଟଳ ।

 

ଏହିପରି କେତେ ଆନ୍ଦୋଳନ ପରେ ୧୯୩୦ରେ ଆରମ୍ଭ ହେଲା ଲବଣ ସତ୍ୟାଗ୍ରହ । କରାଚିଠାରୁ ଚିଟାଗଞ୍ଜ ପର୍ଯ୍ୟନ୍ତ ତିନିହଜାର ମାଇଲ ଉପକୂଳ ଏକ ମୁହୂର୍ତ୍ତରେ ଲୋକାର୍ଣ୍ଣବ । ସୂତାକଟା ପରେ କେତେ ମୁଠା ଲୁଣପାଇଁ ଲଢ଼େଇ । ଏଥିରେ କିପରି ସ୍ୱାଧୀନତା ମିଳିବ, ସେ କଥା କେହି କଳ୍ପନା ସୁଦ୍ଧା କରିପାରୁ ନ ଥିଲେ-। ଏପରି ତାହାଙ୍କର ଅନେକ କଥା କେହି ବୁଝିପାରନ୍ତି ନାହିଁ-। ତଥାପି ‘‘ଆଜ୍ଞା ଗୁରୁଣାମବିଚାରଣୀୟା’’ ନୀତିରେ ନିର୍ଦ୍ଦେଶ ମାନିବାକୁ ହେବ । ଏଣୁ ସମସ୍ତେ ଚାଲନ୍ତି ସେହି ବାଟରେ । ଆଜି ଜଣାପଡ଼ିଲା, ତାହାର ପ୍ରଭାବ । ପୁଣି ଜେଲ, ପୁଣି ଲାଠି, ତା’ପରେ ବ୍ରିଟିଶ ସରକାର ବାଧ୍ୟ ହେଲେ ସମାଧାନ ବିଚାର ଚଳାଇବାପାଇଁ । ଏଣୁ ମହାତ୍ମାଗାନ୍ଧି ୧୯୩୧ରେ ଭାରତର ପ୍ରତିନିଧି ରୂପେ ପାର୍ଲାମେଣ୍ଟରେ ଯୋଗ ଦେଲେ । କିନ୍ତୁ ସେ ପିଠି ଆଉଁଷା କଥାରେ ତ’ ଭୁଲିଯିବା ଲୋକ ନୁହନ୍ତି; ଏଣୁ ସେ ରିକ୍ତ ହସ୍ତରେ ବିଲାତରୁ ଫେରିଲେ । ପୁଣି ଆରମ୍ଭ ହେଲା ଆନ୍ଦୋଳନ । ୧୯୩୪ ବମ୍ବେ କଂଗ୍ରେସ କମିଟିରେ ମତଭେଦ ଯୋଗୁଁ ସେ କଂଗ୍ରେସରୁ ଅନ୍ତର ହୋଇ ଗ୍ରାମ ସଂଗଠନ, ହରିଜନମାନଙ୍କର ଉନ୍ନତି ଏବଂ କୁଟୀରଶିଳ୍ପର ପୁନରୁଦ୍ଧାର ପାଇଁ ମନୋନିବେଶ କରିଥିଲେ । ଦ୍ୱିତୀୟ ମହାସମର ବେଳେ ଯୁଦ୍ଧରେ ବାଧା ସୃଷ୍ଟି ନକରି କଂଗ୍ରେସକୁ ବଞ୍ଚାଇ ରଖିବାପାଇଁ ସେ ଏକ ଅଭିନବ ସତ୍ୟାଗ୍ରହ ଆରମ୍ଭ କରିଥିଲେ । ତାହାର ପ୍ରଥମ ସତ୍ୟାଗ୍ରହୀ ସନ୍ଥ ବିନୋବା ବାଭେ । ଏହିପରି ସବୁ ନେତା ଜଣକପରେ ଜଣେ ରହିଲେ ବନ୍ଦିଶାଳରେ । ଏହାର ଉଦ୍ଦେଶ୍ୟ ମଧ୍ୟ ଦେଶବାସୀ ବୁଝିଲେ ଫଳପ୍ରାପ୍ତି ପରେ । ଯୁଦ୍ଧପରେ ସବୁ ବନ୍ଦୀ ମୁକ୍ତ ହେଲେ । ପୁଣି ଆରମ୍ଭ ହେଲା ଆନ୍ଦୋଳନ । ୧୯୪୨ରେ ଆରମ୍ଭ କରିଥିଲେ ‘ଭାରତ ଛାଡ଼’ ଆନ୍ଦୋଳନ । ଏହା ତାହାଙ୍କର ଲୋକଙ୍କର ଅବସ୍ଥା ଲକ୍ଷ୍ୟ କରିଥିଲେ । ତା’ପରେ ନିଷ୍କ୍ରିୟ କଂଗ୍ରେସର ନେତୃତ୍ୱ ନେଇ ତାହାକୁ ଗୋଟିଏ ଗଣ ଅନୁଷ୍ଠାନରେ ପରିଣତ କରିଥିଲେ । ତଥାପି ପ୍ରଥମ ମହାସମର ବେଳେ ଯୁଦ୍ଧରେ ବାଧା ସୃଷ୍ଟି ହେଲାପରି କୌଣସି ଆନ୍ଦୋଳନ କରାଯାଇ ନଥିଲା । କିନ୍ତୁ ଯୁଦ୍ଧ ପରେ ବ୍ରିଟିଶ ସରକାର ଭାରତର ମନ କଥା ହୃଦୟକୁ ନ ନେବାରୁ ୧୯୨୦ରେ ସ୍ୱାଧୀନତାପାଇଁ ଆରମ୍ଭ ହେଲା ପ୍ରବଳ ସତ୍ୟାଗ୍ରହ ଆନ୍ଦୋଳନ ।

 

ସେ ଏକାଧାରରେ ଥିଲେ ଜଣେ ପରମ ଭଗବତ୍‌ବିଶ୍ୱାସୀ, ଶ୍ରେଷ୍ଠ ଭାରତୀୟ ଓ ଅଦ୍ୱିତୀୟ ରାଜନୀତିଜ୍ଞ । ସତ୍ୟ ଓ ଅହିଂସା ବଳରେ ସେ ବିଶ୍ୱବିଜୟୀ ହୋଇ ପାରିଥିଲେ । ସେ ନିଜେ ନିଃସ୍ୱ ହୋଇ ନିଃସ୍ୱର ସେବା କରୁଥିଲେ, ନିଜେ ସର୍ବହରା ହୋଇ ଦୀନର ବନ୍ଧୁଥିଲେ । ଜୀବିତାବସ୍ଥାରେ ହିଁ ତାହାଙ୍କୁ ବହୁଲୋକ ଦେବତା ରୂପେ ପୂଜା କରୁଥିଲେ । ସେ ସ୍ୱାଧୀନ ଭାରତରେ ରାମରାଜ୍ୟ ପ୍ରତିଷ୍ଠାପାଇଁ ଯେଉଁ ପରିକଳ୍ପନା କରିଥିଲେ, ତାହା ସଫଳ ହେବାର ସଚନା ନ ଦେଖି ଦେହାନ୍ତରର ଅବ୍ୟବହିତ ପୂର୍ବରୁ ବହୁବାର କ୍ଷୋଭ ପ୍ରକାଶ କରିଥିଲେ । ସେ ପରମାଣୁ ଯୁଗର ମହାପୁରୁଷ, ଏଣୁ ପରମାଣୁ ଶକ୍ତିପରି ଶକ୍ତିଶାଳୀ ଥିଲେ । ସେ ଥିଲେ ଜାତିର ପିତା । ଏଣୁ ସେ ସମସ୍ତଙ୍କର ନମସ୍ୟ ।

Image

 

ଗୋଟିଏ ଐତିହାସିକ ସ୍ଥାନର ବର୍ଣ୍ଣନା

 

ଯେଉଁ ସ୍ଥାନଟି ସ୍ୱନାମଧନ୍ୟ ନରପତି, ସୁଶାସକ, ପୁଣ୍ୟତ୍ମା, ତ୍ୟାଗୀ ଓ ପୁଣ୍ୟଶ୍ଳୋକ ସାଧକମାନଙ୍କର ଉଦାର ଚରିତ୍ରରେ ମହନୀୟ ହୋଇଥାଏ, ସେହି ସ୍ଥାନଟିକୁ ଏକ ଐତିହାସିକ ସ୍ଥାନ କୁହାଯାଏ । ଏପରି ବହୁତ ସ୍ଥଳ ତୀର୍ଥ ସ୍ଥାନରେ ମଧ୍ୟ ପରିଣତ ହୁଏ । ଶ୍ରୀକୃଷ୍ଣଙ୍କର ଲୀଳାସ୍ଥଳୀ ଗୋପ ଓ ମଥୁରା, ଶ୍ରୀରାମଙ୍କର ଆର୍ବିଭାବପୀଠ ଅଯୋଧ୍ୟା, ମହାଭାରତର ରଣଭୂମି କୁରୁକ୍ଷେତ୍ର ଓ ଭାରତରେ ଏପରି କେତେ ପୁଣ୍ୟ ଭୂମି ହିନ୍ଦୁଜଗତର ପ୍ରଧାନ ତୀର୍ଥସ୍ଥାନରେ ପରିଣତ ହୋଇଛି । ସ୍ଥାନଟି ମହାତ୍ମାମାନଙ୍କର ପୁଣ୍ୟଚରିତ୍ରରେ ଏପରି ପୂତ ହୋଇଯାଇଥାଏ ଯେ, ଏହାର ଧ୍ୱଂସସ୍ତୂପରୁ ମଧ୍ୟ ଦିବ୍ୟ ଆଲୋକ ବିଚ୍ଛୁରିତ ହୁଏ । ଏହା ଧ୍ୱଂସସ୍ତୂପ ହେଉ, ପତନଶୀଳ ହେଉ ବା ସମୃଦ୍ଧ ହେଉ, ସବୁ ଅବସ୍ଥାରେ ମନୁଷ୍ୟର ଉପଦେଷ୍ଟା । ସବୁ ସମୟରେ ଏଥିରେ କିଛି ନା କିଛି ଶିକ୍ଷଣୀୟ ବିଷୟ ଥାଏ । ଏଣୁ ବହୁ ସମୟରେ ନାନା ଉଦ୍ଦେଶ୍ୟରେ ଲୋକେ ବିଶେଷତଃ ଶିକ୍ଷକ ଓ ଛାତ୍ରମାନେ ଆମୋଦ ପ୍ରମୋଦପାଇଁ ଏହି ସ୍ଥାନଗୁଡ଼ିକୁ ଯାତ୍ରା କରନ୍ତି ।

 

ଦିନେ ଆମ ବିଦ୍ୟାଳୟର କେତେ ଶିକ୍ଷକ ଓ ଛାତ୍ର ଓଡ଼ିଶାର ଏପରି ଏକ ଆଧୁନିକ ଓ ପୁରାତନ ଇତିହାସର ରଙ୍ଗମଞ୍ଚ ଓ ପୁରାଣପ୍ରସିଦ୍ଧ ତୀର୍ଥସ୍ଥାନକୁ ଯାତ୍ରା ଆରମ୍ଭ କଲୁ । ଜୀବନର କେତେ ସମୟର କେତେ ଘଟଣା ଚିରସ୍ମରଣୀୟ ହୋଇ ରହିଯାଏ । ସେହିପରି ଏହି ଯାତ୍ରାଟି ମୋ ମନରେ ଅବିସ୍ମରଣୀୟ ହୋଇ ରହିଛି । ଯାତ୍ରା ସମୟରେ ଗାଡ଼ିଟି କୌଣସି ଷ୍ଟେସନରେ କ୍ଷଣେ ଅଟକିଗଲେ ମୁଁ ଉଦ୍‌ବିଗ୍ନ ହୋଇଯାଏ । ମୋର ଇଚ୍ଛା, ମନର ଗତିରେ ଗାଡ଼ିଟି ଦ୍ରୂତବେଗରେ ଯାଇଁ ଲକ୍ଷ୍ୟସ୍ଥଳରେ ପ୍ରବେଶ କରୁ । ମୋର ଏହିପରି ଭାବନାର ଦିର୍ଘ ସମୟ ପରେ ମୋର କେତେ ସଙ୍ଗୀ ଚଳନ୍ତା ଗାଡ଼ିରେ ବସି ଭକ୍ତିପୂତ ହୃଦୟରେ ହାତ ଦୁଇଟି ଯୋଡ଼ି ଉପରକୁ ଚାହିଁବାର ଦେଖାଗଲା । ସେମାନେ କାହିଁକି ଏପରି କରୁଛନ୍ତି, ମୁଁ ଜାଣେ ନାହିଁ । ତଥାପି କିଛି ନ ଜାଣିଲେ ମଧ୍ୟ ସବୁ ଜାଣିଲାପରି ଅଭିନୟ କରିବା ଅଭ୍ୟାସ ମୋର ଥିଲା । ଏଣୁ ମୁଁ ମଧ୍ୟ କୀର୍ତ୍ତନରେ ନାଦ ଧରିଲା ପରି ଅନ୍ୟମାନଙ୍କ ଅନୁକରଣରେ ହାତଯୋଡ଼ି ଉପରକୁ ଚାହିଁବାକୁ ଆରମ୍ଭକଲି । ସମସ୍ତଙ୍କର ଦୃଷ୍ଟି ନିଜ ଲକ୍ଷ୍ୟ ସ୍ଥଳରେ । ମୋର ଦୃଷ୍ଟି କେବଳ ମହାଶୂନ୍ୟକୁ । କିନ୍ତୁ କିଛି କ୍ଷଣପରେ ମୁଁ ମଧ୍ୟ ଦେଖିପାରିଲି, ହିମାଳୟର ଗୋଟିଏ ଶୃଙ୍ଗ ପରି ପବିତ୍ର ଲିଙ୍ଗରାଜ ମନ୍ଦିରର ଚଡ଼ା । ସେତେବେଳେ ମୁଁ ଭାବିଲି ‘‘ଦୃଢ଼େ ତରନ୍ତି, ମୂଢ଼େ ତରନ୍ତି’’ ରୀତିରେ ମୋପ୍ରତି ମଧ୍ୟ ସ୍ୱୟଂ ଲିଙ୍ଗରାଜ ପ୍ରସନ୍ନ ହେଲେ-। ତାହାପରେ ମୋ ମନରେ ମଧ୍ୟ ଆରମ୍ଭ ହେଲା ଏକ ନୂତନ ଆଲୋଚନା ଓ ନୂତନ ଚିନ୍ତା-

 

କିଛି କ୍ଷଣ ପରେ ସମସ୍ତେ ଗାଡ଼ିରୁ ଅବତରଣ କରି ଧର୍ମଶାଳାକୁ ଯିବାପାଇଁ ସମବେତ ହେଲୁ । ସେତେବେଳେ ମୁଁ ଦେଖିବାକୁ ପାଇଲି, ଏକଦିଗରେ ଶୈଳଖଣ୍ଡ ପରି ଦିଗନ୍ତବିସ୍ତାରୀ, ବୃହଦାକାର, ତରଙ୍ଗାୟିତ ଶ୍ୱେତାଙ୍ଗ ସୌଧମାଳା ଓ ଅନ୍ୟ ଦିଗରେ ଦେଖାଯାଏ ଗୈରିକ ବସ୍ତ୍ରଧାରୀ ଧୀର ପ୍ରଶାନ୍ତ ତପସ୍ୱୀ ପରି କେଉଁ ସନାତନ ଯୁଗର ମନ୍ଦିରମାଳା । ହଠାତ୍ ମନେ ହେଲା, ସତେଯେପରି ଏହା ହିମାଳୟ ଓ ବିନ୍ଧ୍ୟପର୍ବତର ଅପୂର୍ବ ମିଳନ ।

 

ଧର୍ମଶାଳାରେ କିଛି ସମୟ ବିଶ୍ରାମ ନେଇ ବାହାରିଲୁ ସ୍ନାନ ଉଦ୍ଦେଶ୍ୟରେ କେଦାରଗୌରୀ ଅଭିମୁଖରେ । ସେ ମଧ୍ୟ ଗୋଟିଏ ଇତିହାସପ୍ରସିଦ୍ଧ ତୀର୍ଥ । ତଥାପି ତାହାର ନିଜର ଆକର୍ଷଣ ମଧ୍ୟ ନିଊନ ନୁହେଁ । ସମସ୍ତେ ଏଥିରେ ସ୍ନାନକରି ଶୁଚିମନ୍ତ ହୋଇ ଲିଙ୍ଗରାଜ ଦର୍ଶନ ଉଦ୍ଦେଶ୍ୟରେ ବାହାରିଲୁ । ଯିବା ବାଟରେ ଦେଖିଲୁ ଅସଂଖ୍ୟ ମନ୍ଦିର । ସେ ମଧ୍ୟରୁ କେତେ ଭଗ୍ନ, କେତେ ଅର୍ଦ୍ଧଭଗ୍ନ, କେତେ ବିକଳାଙ୍ଗ ଓ କେତେ ଅଭଗ୍ନ । ଏମଧ୍ୟରୁ କେତେ ଦ୍ୱାରପାଳ ପରି ଲିଙ୍ଗରାଜ ମନ୍ଦିରର ଦ୍ୱାର ଦେଶରେ ଦଣ୍ଡାୟମାନ । କେତେ ଚତୁଃପାର୍ଶ୍ୱରେ ପ୍ରହରୀ ପରି ମସ୍ତକ ଉତ୍ତୋଳନ କରି ଠିଆ ହୋଇଥାନ୍ତି । ଶିକ୍ଷକଙ୍କଠାରୁ ଶୁଣିପାରିଲୁ, ଏସବୁ ପୁରାତନ ମନ୍ଦିର ହେଲେ ମଧ୍ୟ ଏକା ସମୟରେ ନିର୍ମିତ ନୁହେ । ଷଷ୍ଠଶତାବ୍ଦୀ ବା ତା’ ଆଗରୁ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ କେତେବେଳେ କେଉଁ ମନ୍ଦିରଟି ନିର୍ମିତ ।

 

କେଶରୀ ବଂଶର ରାଜାମାନଙ୍କର ଶାସନ କାଳରେ ଭୁବନେଶ୍ୱର ସଭ୍ୟତାର ଗୋଟିଏ ପ୍ରଧାନ ପୀଠ ଥିଲା । ଏହି ପୀଠଟି ଏକାମ୍ର ରୂପେ ମଧ୍ୟ ପରିଚିତ । ସେହି ବଂଶର ଅନ୍ୟତମ ନରପତି ଲଲାଟେନ୍ଦୁକେଶରୀ ଲିଙ୍ଗରାଜ ମନ୍ଦିର ନିର୍ମାଣ କରିଥିଲେ । ଯେଉଁ ମସିହାରେ ତିନୋଟି ଛ(୬୬୬) ଥିଲା, ମନ୍ଦିରଟି ସେହି ସମୟରେ ନିର୍ମିତ ହୋଇଥିଲା । ଏହାର ସ୍ଥାପତ୍ୟ ଯୁଗେ ଯୁଗେ ଶିଳ୍ପନୈପୁଣ୍ୟର ପରମ ଆଦର୍ଶ ହୋଇ ରହିଛି । ଏହା କେବଳ ବିଳାସାମଗ୍ରୀ ବା ହସ୍ତ ଲାଘବତାର ନିଦର୍ଶନ ନୁହେ, ଏଗୁଡ଼ିକ ଦର୍ଶନ, ଯୋଗ, ଆଧ୍ୟାତ୍ମିକତା ଓ ଜାତୀୟତାର ମଧ୍ୟ ପ୍ରତିନିଧିତ୍ୱ କରନ୍ତି । ମନ୍ଦିର ଭିତରେ ଶିବ ଓ ବିଷ୍ଣୁ ଉଭୟଙ୍କର ପୂଜା ହୁଏ ।

 

ଅନ୍ୟ ମନ୍ଦିର ଗୁଡ଼ିକ ଦେଖିଲେ ହୃଦୟରେ ବିଷାଦର ଛାୟା ଘୋଟିଯାଏ । କେତୋଟିର ଶିରଃଚ୍ଛେଦ ଓ କେତୋଟିର ଗଳାକଟା ହୋଇଛି । ଏହା କଳାପାହାଡ଼ର କୀର୍ତ୍ତି ବୋଲି ଶିକ୍ଷକ କହିଲେ । ଏ ମଧ୍ୟ ଗୋଟିଏ ଇତିହାସ । କେତେ ମନ୍ଦିର ବଡ଼ ବଡ଼ ବୃକ୍ଷ ଓ ଶୈବାଳ ଦ୍ୱାରା ବିକଳାଙ୍ଗ ଦେଖାଯାଏ । ଏଗୁଡ଼ିକର ନିର୍ମାତାମାନେ ନିଜ କୀର୍ତ୍ତି ପ୍ରତି ନିଜ ଦାୟାଦମାନଙ୍କର ଉଦାସୀନତା ଦେଖି ସ୍ୱର୍ଗରେ ଥାଇ କ’ଣ ଭାବୁଥିବେ କେଜାଣି । ଏଗୁଡ଼ିକ ବିଭିନ୍ନ ଦେବଦେବୀର ପୀଠ ସତ; ତଥାପି କେତୋଟିରୁ ତତ୍‌କାଳୀନ ସଭ୍ୟତାର ମଧ୍ୟ ସଂକେତ ମିଳେ ।

 

ତା’ ପରେ ଦେଖିବାକୁ ଗଲୁ ଧଉଳି ପାହାଡ଼, ଖଣ୍ଡଗିରି, ଉଦୟଗିରି ଓ ଶିଶୁପାଳଗଡ଼ । ଧଉଳି ପାହାଡ଼ଟି ସତ୍ୟ ଓ ଅହିଂସା ମହାମନ୍ତ୍ରରେ ଦୀକ୍ଷିତ ହୋଇ ଧର୍ମାଶୋକ ବିଶ୍ୱକଲ୍ୟାଣପାଇଁ ଯୋଗାସନରେ ଆସୀନ ପରି ଦେଖାଯାଏ । ଖଣ୍ଡଗିରି ଓ ଉଦୟଗିରି ମାନବଧର୍ମର ଏକ ସମନ୍ୱୟ ସ୍ଥଳୀ । ସତେ କ’ଣ ମଗଧବିଜୟୀ ଖାରବେଳ ରାଜଭୋଗ ପରିତ୍ୟାଗ କରି ଏହି ଗିରିକନ୍ଦରରେ ବନବାସ କରିଥିଲେ ? ସତେ କ’ଣ ଭୀଷ୍ମଙ୍କର ଶରଶଯ୍ୟା ପରି ଏହି ବିଜୟୀବୀର ଏହି ଅକର୍ମଣ୍ୟ ଶିଳାଉପରେ ଶରଶଯ୍ୟା କରିଥିଲେ । ନିର୍ବାଣପାଇଁ ଏହି ବ୍ୟାକୁଳତା ? ରିକ୍ତହସ୍ତରେ ଆସି ରିକ୍ତ ହସ୍ତରେ ଯିବା କେବଳ ଚରମ ଆଦର୍ଶ ? ଏତେବେଳେ ଧନୁ, ଶର, ତୋପ, କମାଣ, ସେନା ଓ ସେନାପତି କେହି ରକ୍ଷକ ନ ଥିଲେ ? ତା’ ପରେ ଦେଖିଲୁ ତୋଷାଳି ଗଡ଼ର ଏକ ଭଗ୍ନସ୍ତୂପ । ଯେଉଁ ସ୍ଥାନଟି ଦିନେ ଅସୂର୍ଯ୍ୟଂପଶ୍ୟା ରାଜନନ୍ଦିନୀମାନଙ୍କର କ୍ରୀଡ଼ାସ୍ଥଳୀ ଥିଲା, ସେହି ସ୍ଥାନଟି ଆଜି ଶ୍ୱାପଦମାନଙ୍କ ବିହାରଭୂମିରେ ପରିଣତ ହୋଇଛି ।

 

ତା’ ପରେ ଆମେ ଦେଖିବାକୁ ଗଲୁ ନବଯୁଗର ଇତିହାସ । ଏହା ଦୟା ମାୟା ସ୍ନେହ ସହାନୁଭୂତି ବର୍ଜିତ ଭୋଗବିଳାସମୟ ଚିନ୍ତାରୁ ଉତ୍ପନ୍ନ । ମହାକାଳ ଫଳପରି ଏହାର ବାହ୍ୟ ଚାକଚକ୍ୟରେ ମନ ମୁଗ୍‌ଧ ହୋଇଯାଏ । କିନ୍ତୁ ସେ ଭିତରେ ପୂରି ରହିଛି କେତେ ଉନ୍ନାଦନା ଓ କେତେ ଅହମିକା । ହଠାତ୍‌ କଳାମେଘରେ ବିଜୁଳି ପରି ଦେଖିବାକୁ ପାଇଲୁ ପୁଣ୍ୟାତ୍ମା ଗୋପବନ୍ଧୁଙ୍କର ପ୍ରତିମୂର୍ତ୍ତି । ସେ ନିଜେ ଜଣେ ଇତିହାସର ସ୍ରଷ୍ଟା । ମନେ ହେଲା, ସତେ ଯେପରି ନିଜ ସ୍ୱାର୍ଥରେ ଜଡ଼ିତ ନ ହୋଇ ମାନବଧର୍ମ ପାଳନ କରିବାପାଇଁ ଅଙ୍ଗୁଳି ନିର୍ଦ୍ଦେଶ କରି ସେ ସମସ୍ତଙ୍କୁ ଉପଦେଶ ଦିଅନ୍ତି ।

 

ସେ ଭିତରେ ରାଜ୍ୟପାଳଙ୍କର ନିବାସଠାରୁ ଆରମ୍ଭ କରି ସଚିବାଳୟ, ବିଧାନସଭା, ବିଭିନ୍ନ ବିଦ୍ୟାଳୟ ପ୍ରଭୃତି ଅନେକ ଅନୁଷ୍ଠାନ ଓ କୋଠାବାଡ଼ି ପୂରି ରହିଛି । ପ୍ରଥମେ ସଚିବାଳୟ ଦେଖିବାକୁ ଆମର ଆଗ୍ରହ ହେଲା । କିନ୍ତୁ ସେଥିରେ ସର୍ବସାଧାରଣ ଅବାଧରେ ପ୍ରବେଶ କରିବା ନିଷିଦ୍ଧ । ଏଣୁ ଆମେ ମଧ୍ୟ ଯଥା ସ୍ଥାନରୁ ଅନୁମତି ନେଇ ଭିତରେ ପ୍ରବେଶ କଲୁ ।

 

ସଚିବାଳୟଟି ଗୋଟିଏ ଛୋଟ ସଦର ପରି ଦେଖାଯାଏ । ସେଠାରେ ବିଭିନ୍ନ ମହଲାକୁ ଉଠିବାପାଇଁ ଅନେକ ଲିଫଟ୍‌ ରହିଛି । ଆମେ ବି ସେଥିରେ ବସି ଉପରକୁ ଉଠିଲୁ । ଏଥିରେ ବସି ଉପରକୁ ଉଠିବାକୁ ମୋ ମନରେ ବିଶେଷ କୌତୂହଳ ଜାତହେଲା । ପ୍ରତ୍ୟେକ କାର୍ଯ୍ୟାଳୟର ଫାଟକ ସାମନାରେ ଗୋଟିଏ ଗୋଟିଏ ଫଳକ ଝୁଲୁଥାଏ ଏବଂ ସେଥିରେ ଅର୍ଥ, ଶିକ୍ଷା, ପଞ୍ଚାୟତ, ଜଙ୍ଗଲ, ବାଣିଜ୍ୟ, ଲୋକସଂପର୍କ ଏହିପରି କାର୍ଯ୍ୟାଳୟର ନାମ ମଧ୍ୟ ଉଲ୍ଲେଖ ଥାଏ । ଏଣୁ ଯେ କୌଣସି ବିଭାଗକୁ ଯିବାପାଇଁ କୌଣସି ଅସୁବିଧା ହୁଏନାହିଁ । ଏହି ବିଭାଗ ଗୁଡ଼ିକ ବିଭିନ୍ନ ଦାୟିତ୍ୱରେ ଥିବା ମନ୍ତ୍ରୀମାନଙ୍କରଦ୍ୱାରା ପରିଚାଳିତ ହୁଏ ।

 

ତା’ପରେ ଚାଲିଲୁ ବିଧାନସଭା ଦେଖିବାକୁ । ସେଠାରେ ମଧ୍ୟ ସେହିପରି କଟକଣା । ତଥାପି କୌଣସିମତେ ଦର୍ଶକ ଭାବରେ ଭିତରକୁ ଯିବାପାଇଁ ଅନୁମତି ପାଇଲୁ । ସେଠାରେ ଦର୍ଶକ ଗେଲେରି ଥାଏ । ସେଥିରେ ସମସ୍ତେ ବସି ଅତି ଆଗ୍ରହରେ ବିଧାନ ସଭାର ଆଲୋଚନା ଦେଖିଲୁ-। ଏହି ଅନୁଷ୍ଠାନଟି ଆମ ଦେଶର ନିୟନ୍ତା । ଏଣୁ ସମସ୍ତେ ଏହି ସଭା ସଂପର୍କରେ ଆଲୋଚନା କରିବାର ମୁଁ ଶୁଣେ । ଏଥିରେ ସରକାରୀ ଦଳ ଓ ବିରୋଧୀ ଦଳ ରହନ୍ତି । ସରକାରୀ ଦଳ ଗୋଟିଏ ପକ୍ଷରେ ଏବଂ ବିରୋଧୀ ଦଳ ଅନ୍ୟ ପକ୍ଷରେ ବସନ୍ତି । ମନ୍ତ୍ରୀମାନେ ବିରୋଧୀ ଦଳର ବିଭିନ୍ନ ସମାଲୋଚନାର ସମ୍ମୁଖୀନ ହୁଅନ୍ତି । ସେମାନେ ଅନ୍ୟ ସଭ୍ୟମାନଙ୍କର ପ୍ରଶ୍ନର ଉତ୍ତର ଦିଅନ୍ତି-। ବାଚଷ୍ପତି ସଭାକାର୍ଯ୍ୟ ପରିଚାଳନା କରନ୍ତି । ବାଚଷ୍ପତିଙ୍କ ବିନାଅନୁମତିରେ ସଭ୍ୟମାନେ ଯେ କୌଣସି କାର୍ଯ୍ୟ କରିବା ନିଷିଦ୍ଧ । ଅବଶ୍ୟ ହଠାତ୍‌ କେତେ ସମୟ ଆମେ ବିଶେଷ କୌତହଳୀ ହୋଇ ଆଲୋଚନା ଦେଖିଲୁ । କିନ୍ତୁ କ୍ରମେ ଅବସ୍ଥା ବିଶେଷ ଅପ୍ରୀତିକର ଓ ଅରୁଚିକର ଦେଖାଗଲା-

 

ମୁଁ କଳ୍ପନା କଲାପରି ଶୃଙ୍ଖଳା ମଧ୍ୟ ସେଥିରେ ଦେଖିପାରିଲି ନାହିଁ । ଏଣୁ ବିଶେଷ ଆନନ୍ଦ ଓ ଉତ୍ସାହରେ ଭିତରକୁ ଯାଇ ନୈରାଶ୍ୟରେ ଫେରିଲା ପରି ଅନୁଭବ କଲି । ଏହିପରି ମୁକ୍ତ ବାତାବରଣ ମଧ୍ୟରେ ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ କରି ଗୃହକୁ ଫେରିଲୁ ।

 

ଏହି ଶିକ୍ଷା ଛାତ୍ରମାନଙ୍କୁ ମଧ୍ୟ ଆବଶ୍ୟକ ଯୋଗ୍ୟତା ଅର୍ଜନ କରିବାରେ ବିଶେଷ ସାହାଯ୍ୟ କରେ । ଏଣୁ ଛାତ୍ର, ଶିକ୍ଷକ ଓ ସାଧାରଣ ନାଗରିକ ସମସ୍ତେ ଏହିପରି ଐତିହାସିକ ସ୍ଥାନଗୁଡ଼ିକର ପରିଦର୍ଶନପାଇଁ ଉତ୍ସାହିତ ହେବା ଉଚିତ ।

Image

 

ସ୍ୱାସ୍ଥ୍ୟ ହିଁ ସମ୍ପଦ

 

ସୁସ୍ଥର ଭାବ ସ୍ୱାସ୍ଥ୍ୟ । ଅର୍ଥାତ୍‌ ସୁସ୍ଥ ରୋଗରହିତ ଅବସ୍ଥାକୁ ସ୍ୱାସ୍ଥ୍ୟ କୁହାଯାଏ । ସ୍ୱାସ୍ଥ୍ୟ ଠିକ୍‌ ରହିଲେ ମନୁଷ୍ୟ ନିଜ ଜୀବନକୁ ଉପଭୋଗ କରିପାରେ । ଅନ୍ୟଥା ତାହା ପକ୍ଷରେ ସବୁ ଶୂନ୍ୟ ଓ ସବୁ ଅସାର । ଏଣୁ ଜଣେ କବି କହିଛନ୍ତି, ‘‘ଶରୀରମାଦ୍ୟଂ ଖଳୁ ଧର୍ମ ସାଧନମ୍‌ ।’’ ଜଣେ ସ୍ୱାସ୍ଥ୍ୟବାନ କୁଟୀରବାସୀ ଜଣେ ଭଗ୍ନସ୍ୱାସ୍ଥ୍ୟ କୋଟିପତିଠାରୁ ସୁଖୀ ।

 

ଦେହ ଓ ମନ ଘନିଷ୍ଠଭାବରେ ସଂପୃକ୍ତ । ଦେହ ଯଦି ଅସୁସ୍ଥ, ମନ ମଧ୍ୟ ଅସୁସ୍ଥ ଓ ଅସ୍ଥିର ରହେ । ପ୍ରଥମେ ଦେହ ଓ ପରେ ମନ । ସବୁବେଳେ ଦେହର ଭଲ ମନ୍ଦ ପ୍ରଭାବ ମନ ଉପରେ ପଡ଼େ । ଏଣୁ ବ୍ୟାଧିଗ୍ରସ୍ତ ଲୋକ କେବେ ସୁଖଶାନ୍ତିରେ ଚଳିପାରେ ନାହିଁ । ବ୍ୟାଧି ମନୁଷ୍ୟର ପରମ ଶତ୍ରୁ । ‘‘ନ ତୁ ବ୍ୟାଧିସମୋ ରିପୁଃ’’ ବୋଲି ନୀତିବାକ୍ୟ ଅଛି । ଲେଖକ ଶତ୍ରୁକୁ ଶତ୍ରୁ ନ କହି ବ୍ୟାଧିକୁ ଶତ୍ରୁ ଆଖ୍ୟା ଦେଇଛନ୍ତି । ଏହି ଦୁଷ୍ଟାନ୍ତ ଅତି ବାସ୍ତବ ଓ ସମସ୍ତଙ୍କର ଅନୁଭୂତିର ବିଷୟ । ଯଦି କେହି ନିଜର ଶତ୍ରୁତା ଆଚରଣ କରେ, ତେବେ ନାନା ଉପାୟରେ ତାହାର ପ୍ରତିକାର କରାଯାଇ ପାରେ । ଯଦି କୌଣସି ପ୍ରତିକାର ସମ୍ଭବ ନ ହୁଏ, ତେବେ ସେହି ସଂପର୍କ ତୁଟିଲେ ବା ସେହି ସ୍ଥାନରୁ ଅନ୍ତର ହେଲେ ବିପଦର ଆଶଙ୍କା ଦୂର ହୋଇଯାଏ । କିନ୍ତୁ ଅସୁସ୍ଥତା ମନୁଷ୍ୟର ପ୍ରବଳ ଶତ୍ରୁ । ସେ ସବୁବେଳେ ଦେହରେ ରହେ ଓ ସବୁବେଳେ ମନୁଷ୍ୟର ଆଗରେ ଥାଏ । ଏପରି କି ସେ ଶୋଇଲା ବେଳେ ଆଖିରେ, ଚାଲିଲା ବେଳେ ଗୋଡ଼ରେ ଓ ଖାଇବା ବେଳେ ପେଟରେ ରହେ । ଏଣୁ ତା’ଠାରୁ ଅନ୍ତର ହେବା ବା ତାହାଠାରୁ ମୁକ୍ତି ପାଇବାର ଉପାୟ ନାହିଁ ।

 

ଗୋଟିଏ କଥା ସବୁବେଳେ ସମସ୍ତଙ୍କର ମନେ ରଖିବା ଉଚିତ ଯେ, ଯଦି ଥରେ ମନୁଷ୍ୟକୁ କୌଣସି ରୋଗ ଆକ୍ରମରଣ କରେ, ତେବେ ସେ ସହଜରେ ଛାଡ଼ି ଚାଲିଯାଏ ନାହିଁ । ଏଣୁ ଯେପରି କେବେ କୌଣସି ରୋଗ ଆକ୍ରମଣ ନ କରେ, ସେପରି ସମସ୍ତଙ୍କର ଯତ୍ନ ନେବା ଉଚିତ । Prevention is better than cure ବୋଲି ନୀତିବାକ୍ୟ ଅଛି । ସ୍ୱାସ୍ଥ୍ୟରକ୍ଷାପାଇଁ ଏହି ନୀତି ଗୁରୁବଚନ ପରି ଗ୍ରହଣ କରିବା ଉଚିତ । ବାସ୍ତବିକ୍‌ କୌଣସି ରୋଗ ଆକ୍ରମଣ କଲେ ସେଥିରୁ ମୁକ୍ତି ପାଇବା ଯେପରି ଦୁରୂହ, ଆଗରୁ ତାହାର ପ୍ରତିକାର କରିବା ସେପରି ସହଜ ।

 

ସାଧାରଣତଃ ଅମିତ ଆହାର ବିହାର ଓ ଯୌବନସୁଲଭ ଉନ୍ମାଦନାରୁ ମନୁଷ୍ୟକୁ ରୋଗ ଆକ୍ରମଣ କରେ । ଯେଉଁମାନେ ଖାଦ୍ୟପେୟରେ ସଂଯତ ହୁଅନ୍ତି, ବାଲ୍ୟ ଓ ଯୌବନ ସମୟରେ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତି, ସେମାନଙ୍କୁ ସହଜରେ ରୋଗ ଆକ୍ରମଣ କରେ ନାହିଁ । ସେମାନେ ସବୁବେଳେ ସ୍ୱାସ୍ଥ୍ୟବାନ୍‌ ହୋଇ ରହନ୍ତି । ଏ ସଂପର୍କରେ ଜଣେ ଲେଖକ କହିଛନ୍ତି :– In the days of my youth * * * I remembered that youth would fly first and I abused not my health and my vigour at first that I never might need them at last. ମୋଟ ଉପରେ ଯେ ସବୁବେଳେ ସଂଯତ, ସ୍ୱାସ୍ଥ୍ୟପ୍ରତି ଯତ୍ନବାନ୍‌; ସେ ସାଧାରଣତଃ ରୋଗ ବ୍ୟାଧିରେ ପୀଡ଼ିତ ହୁଏ ନାହିଁ ।

 

ସ୍ୱାସ୍ଥ୍ୟରକ୍ଷାର ଅନ୍ୟାନ୍ୟ ବ୍ୟବସ୍ଥା ସଙ୍ଗେ ସଙ୍ଗେ ଅନ୍ୟତମ ପ୍ରଧାନ କାରଣ ହେଲା ଖାଦ୍ୟ । ପୁଷ୍ଟିକର ଓ ସୁଷମ ଖାଦ୍ୟ ଖାଇଲେ ଦେହ ସୁସ୍ଥ ଓ ସବଳ ରହେ । ଏଣୁ ସହଜରେ ଦେହରେ ରୋଗ ପ୍ରବେଶ କରିପାରେ ନାହିଁ । ତଥାପି କୌଣସି ଏକ ସ୍ୱତନ୍ତ୍ର ଖାଦ୍ୟକୁ ପୁଷ୍ଟିକର ମନେକରି ନିରାଶ ହେବା ଉଚିତ ନୁହେ । ମନେ ରଖିବା ଉଚିତ ଯେ, ଯାହା ସୁଷମ ଖାଦ୍ୟ, ଯାହା ସମୟ ଓ ଅବସ୍ଥାର ଅନୁକୂଳ ତାହା କେବଳ ଉପଯୁକ୍ତ ଖାଦ୍ୟ । ପୁଷ୍ଟିକର ଖାଦ୍ୟ ଖାଇବା ମାତ୍ରେ ମନୁଷ୍ୟ ସ୍ୱାସ୍ଥ୍ୟବାନ୍‌ ହୋଇଯାଏ ବୋଲି ଭାବିବା ଏକ ଅବାସ୍ତବ ଚିନ୍ତା । ଅନେକ ସମୟରେ ଏପରି ଏକ ଉତ୍‌କୃଷ୍ଟ ଖାଦ୍ୟ ମଧ୍ୟ ନାନା ରୋଗର କାରଣ ହୁଏ । ‘‘ଅନଭ୍ୟାସେ ବିଷଂ ବିଦ୍ୟା ଅଜୀର୍ଣ୍ଣେ ଭୋଜନଂ ବିଷଃ’’ ବୋଲି କଥା ଅଛି । ଅମିତାହାର ସବୁବେଳେ ସ୍ୱାସ୍ଥ୍ୟଭଙ୍ଗର କାରଣ ହୁଏ । ପୁଷ୍ଟିକର ଖାଦ୍ୟ ଅବଶ୍ୟ ଅଧିକ ଶକ୍ତିପ୍ରଦ । କିନ୍ତୁ ମିତାହାର ଏବଂ ସମୟୋପଯୋଗୀ ସାଧାରଣ ଖାଦ୍ୟଦ୍ୱାରା ହିଁ ମନୁଷ୍ୟ ସ୍ୱାସ୍ଥ୍ୟବାନ୍‌ହୁଏ ।

 

 

ଖାଦ୍ୟ ପରି ଶାରୀରିକ ବ୍ୟାୟାମ ମଧ୍ୟ ସ୍ୱାସ୍ଥ୍ୟରକ୍ଷାର ପ୍ରଧାନ ଅଙ୍ଗ । ଏହାଦ୍ୱାରା ଅଙ୍ଗ ପ୍ରତ୍ୟଙ୍ଗ ସବଳ ଓ ସତେଜ ରହେ ଏବଂ ମନୁଷ୍ୟ ବିଶେଷ କାର୍ଯ୍ୟକ୍ଷମ, ନିରଳସ ଓ ପ୍ରଫୁଲ୍ଲ ରହେ । ଏଣୁ ଶାରୀରିକ ବ୍ୟାୟାମକୁ ଶିକ୍ଷାର ଅଙ୍ଗରୂପେ ଧରାଯାଇଛି । ସବୁ ଶ୍ରେଣୀର ଲୋକଙ୍କପାଇଁ ବିଭିନ୍ନ ପ୍ରକାର ବ୍ୟାୟାମ ରହିଛି । ବିଦ୍ୟାଳୟମାନଙ୍କରେ ଛାତ୍ରମାନଙ୍କପାଇଁ ବିଭିନ୍ନ ପ୍ରକାର ଖେଳର ମଧ୍ୟ ବ୍ୟବସ୍ଥା ରହିଛି । ଯେଉଁ ଛାତ୍ରମାନେ ଏଥିରେ ଅଂଶ ଗ୍ରହଣ କରନ୍ତି, ସେମାନେ ଅନ୍ୟ କ୍ଷେତ୍ରରେ ମଧ୍ୟ ବିଚକ୍ଷଣ କାମ କରନ୍ତି । ବୟସାଧିକ ଲୋକ ପକ୍ଷରେ ସାଧାରଣତଃ ଭ୍ରମଣ ଉତ୍‌କୃଷ୍ଟ ବ୍ୟାୟାମ । ଏମାନେ ସକାଳେ ଓ ସନ୍ଧ୍ୟାରେ ଭ୍ରମଣ କରି ସୁଖରେ ରହନ୍ତି । “Early to bed and early to rise” ନୀତି ଛାତ୍ରମାନଙ୍କୁ ଶିକ୍ଷା ଦିଆଯାଏ । ଯଥାସମୟରେ ଶୋଇ ଯଥାସମୟରେ ଶଯ୍ୟା ତ୍ୟାଗକଲେ ସାଧାରଣତଃ ସ୍ୱାସ୍ଥ୍ୟ ଭଙ୍ଗର ଆଶଙ୍କା ନଥାଏ । ଯଦି କେହି ଶୋଇବା ସମୟରେ ଚେତା ରହି ଅନ୍ୟ ସମୟରେ ଶୋଇ ରହେ, ସେ ସୁସ୍ଥ ଜୀବନର ମାଧୁର୍ଯ୍ୟ ଉପଭୋଗ କରିପାରେ ନାହିଁ ।

 

ସର୍ବୋପରି ସ୍ୱାସ୍ଥ୍ୟ ରକ୍ଷାପାଇଁ ଆସନ ବିଶେଷ ଉପକାରୀ । ଏହା ଅନ୍ୟ ଯେ କୌଣସି ବ୍ୟାୟାମ ଅପେକ୍ଷା ଶ୍ରେଷ୍ଠ ବିବେଚିତ ହୁଏ । ବ୍ୟାୟାମଦ୍ୱାର ସ୍ୱାସ୍ଥ୍ୟ ସୁରକ୍ଷିତ ହୁଏ; କିନ୍ତୁ ଆସନଦ୍ୱାରା ସ୍ୱାସ୍ଥ୍ୟ ସୁରକ୍ଷିତ ହେବା ସଙ୍ଗେ ସଙ୍ଗେ କେତେ ଶ୍ରେଣୀର ଆସନଦ୍ୱାରା କେତେକ ନିର୍ଦ୍ଦିଷ୍ଟ ରୋଗ ମଧ୍ୟ ଦୂର ହୋଇଯାଏ । ଏଣୁ ଆସନଗୁଡ଼ିକ ଭାରତର ପରମ୍ପରା ବା ସାଂସ୍କୃତିକ ବ୍ୟାପାର ରୂପେ ଗ୍ରହଣ କରାଯାଇଛି । ନାଗା ଓ କେତେ ଶ୍ରେଣୀର ସନ୍ନ୍ୟାସୀ ଏହି ଆସନ କରି ସବୁବେଳେ ସୁସ୍ଥ ରହନ୍ତି । ଏହି ଆସନଯୋଗୁଁ ସେମାନେ ଅତି କଠୋର ଶାରୀରିକ ଓ ମାନସିକ ଶ୍ରମ କରି ସୁଦ୍ଧା ରୋଗବ୍ୟାଧିରେ ପୀଡ଼ିତ ହୁଅନ୍ତି ନାହିଁ ।

 

ଏ ସବୁ ସତ୍ତ୍ୱେ ଅନେକ ସମୟରେ ମନର ପ୍ରଭାବ ମଧ୍ୟ ଦେହ ଉପରେ ପଡ଼େ । ମନରେ ଯଦି କୌଣସି ପ୍ରକାର ଦୁଃଖ ବା ଅଶାନ୍ତି ନ ଥାଏ, ମନୁଷ୍ୟ ଅତି ଆରାମରେ କାଳଯାପନ କରିପାରେ । କିନ୍ତୁ ଯେ ସବୁବେଳେ ମାନସିକ ଅଶାନ୍ତିରେ ପୀଡ଼ିତ, ସେ ଶାରୀରିକ ଶାନ୍ତି ମଧ୍ୟ ଉପଭୋଗ କରିପାରେ ନାହିଁ । ଏହି ଶ୍ରେଣୀର ବ୍ୟକ୍ତି ହୁଏ ତ ବହୁ ସମୟ ଅସୁସ୍ଥ ରହେ ବା ସର୍ବଦା ଅସୁସ୍ଥତା ଅନୁଭବ କରେ । ଏଣୁ ଯେ କୌଣସି ସମସ୍ୟାର ସରଳ ସମାଧାନ କରି ମନ ଉପରୁ ଚାପ ହ୍ରାସ କରିବା ଉଚିତ ।

 

ଏହି ବିଷୟଗୁଡ଼ିକ ଯଥାଯଥ ଭାବରେ ପାଳନ କଲେ ସ୍ୱାସ୍ଥ୍ୟ ନଷ୍ଟ ହେବାର ଆଶଙ୍କା ରହେ ନାହିଁ । ଯେଉଁମାନେ ଏଥିରେ ଅବହେଳା କରନ୍ତି, ସେମାନେ ସବୁବେଳେ ପୀଡ଼ିତ ହୁଅନ୍ତି । ଏଣୁ ଜୀବନର ସୁଖଶାନ୍ତିପାଇଁ ସର୍ବଦା ସ୍ୱାସ୍ଥ୍ୟ ପ୍ରତି ତୀକ୍ଷ୍‌ଣ ଦୃଷ୍ଟି ଦେଇ ଚଳିବା ଉଚିତ ।

Image

 

ଶାରୀରିକ ବ୍ୟାୟାମ

 

ସ୍ୱାସ୍ଥ୍ୟରକ୍ଷା ପାଇଁ ବିଭିନ୍ନ ପ୍ରଣାଳୀରେ ଯେଉଁ ଅଙ୍ଗ ଚାଳନା କରାହୁଏ, ତାହାକୁ ବ୍ୟାୟାମ କହନ୍ତି । ଖେଳ, କୁସ୍ତି କସରତ, ଦଣ୍ଡ ବୈଠକ, ଆସନ, ସନ୍ତରଣ, ପର୍ବତାରୋହଣ, ଭ୍ରମଣ ସବୁ ବ୍ୟାୟାମର ଅନ୍ତର୍ଗତ । ବାକକ ଓ ବୟସ୍କ ସମସ୍ତଙ୍କପାଇଁ ବ୍ୟାୟାମ ଆବଶ୍ୟକ । ବ୍ୟାୟାମଦ୍ୱାରା ସ୍ୱାସ୍ଥ୍ୟ ସୁରକ୍ଷିତ ହୁଏ । ଯେଉଁମାନେ ବ୍ୟାୟାମକୁ ଗୌଣ ମନେ କରନ୍ତି, ସେମାନେ ଶେଷରେ ନାନା ରୋଗରେ ପୀଡ଼ିତ ହୋଇ କଷ୍ଟ ଅନୁଭବ କରନ୍ତି ।

 

ଅତି ପୁରାକାଳରୁ ସ୍ୱାସ୍ଥ୍ୟରକ୍ଷାପାଇଁ ବ୍ୟାୟାମ କରିବା ବିଧି ଭାରତରେ ପ୍ରଚଳିତ ଅଛି । ଭାରତରେ ଯେଉଁ ବିଭିନ୍ନ ପ୍ରକାର ଆସନ ରହିଛି, ସେଗୁଡ଼ିକ ଉତ୍କୃଷ୍ଟ ବ୍ୟାୟାମ ଓ ପ୍ରଧାନତଃ ସ୍ୱାସ୍ଥ୍ୟରକ୍ଷା ପାଇଁ ଉଦ୍ଦିଷ୍ଟ । ଏପରି କି ମନୁଷ୍ୟ ନିୟମ ଅନୁସାରେ କେତୋଟି ଆସନ କଲେ କେତେ ମାରାତ୍ମକ ରୋଗରୁ ମଧ୍ୟ ମୁକ୍ତ ହୁଏ । ଅତି ପୁରକାଳରୁ ଭାରତରେ ବ୍ୟାୟାମ କିପରି ପ୍ରଧାନ ଥିଲା, ଏକଲବ୍ୟର ଆଖଡ଼ା ଓ କଂସର ଅଷ୍ଟମଲ୍ଲ ବର୍ଣ୍ଣନାରୁ ସ୍ପଷ୍ଟ ପ୍ରମାଣିତ ହୁଏ ।

 

ପିଲାମାନେ ବୋହୁଚୋରୀ, ଡୁଡୁ ପ୍ରଭୃତି ଯେଉଁ ପୁରାତନ ଖେଳ ଖେଳନ୍ତି, ସ୍ୱାସ୍ଥ୍ୟ ପକ୍ଷରେ ସେ ଗୁଡ଼ିକ ବିଶେଷ ଉପଯୋଗୀ । ଏହି ଖେଳରେ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ସଂଚାଳିତ ହୁଏ-। ବର୍ତ୍ତମାନ ସୁଦ୍ଧା ପିଲାମାନଙ୍କର ସ୍ୱାସ୍ଥ୍ୟରକ୍ଷାପାଇଁ ସ୍କୁଲକଲେଜ ପ୍ରଭୃତି ଶିକ୍ଷାନୁଷ୍ଠାନରେ ଭଲି, ଟେନିସ୍‌, ରିଙ୍ଗଟେନିସ୍‍, ଫୁଟବଲ୍‌ ପ୍ରଭୃତି ଖେଳର ବ୍ୟବସ୍ଥା ରହିଛି । ସ୍କୁଲ ସମୟ ପରେ ପିଲାମାନେ ଯେ କୌଣସି ଖେଳ ଖେଳନ୍ତି । ସନ୍ତରଣ ପର୍ବତାରୋହଣ ଓ ଦୌଡ଼ ପ୍ରଭୃତି ଯେ କୌଣସି ଖେଳ ଅପେକ୍ଷା ଉତ୍କୃଷ୍ଟ ବ୍ୟାୟାମ । ଏଥିରେ ଅତ୍ୟଧିକ ଅଙ୍ଗ ଚାଳନା ହୁଏ । କୁସ୍ତି, କସରତ, ଦଣ୍ଡ ବୈଠକ ମଧ୍ୟ ବ୍ୟାୟମ । କିନ୍ତୁ ଗୋଟିଏ ନିର୍ଦ୍ଧିଷ୍ଟ ଶ୍ରେଣୀର ଲୋକ କେବଳ ଏହି ବ୍ୟାୟମ କରନ୍ତି । ପ୍ରଭାତ ଓ ସନ୍ଧ୍ୟା ଭ୍ରମଣ ମଧ୍ୟ ବ୍ୟାୟାମର ଅନ୍ତର୍ଗତ । ଅସୁସ୍ଥ, ଦୁର୍ବଳ ଓ ବୟସାଧିକ ବ୍ୟକ୍ତିମାନେ ଏ ବ୍ୟାୟାମ କରନ୍ତି । ସେମାନଙ୍କ ପକ୍ଷରେ ଭ୍ରମଣ ନିତାନ୍ତ ଆବଶ୍ୟକ । ଯେ କୌଣସି ବ୍ୟାୟାମ ବିନା ମନୁଷ୍ୟ ଅଧିକ ଦୁର୍ବଳ ହୋଇଯାଏ । କିନ୍ତୁ ଏହିପରି ଦୁର୍ବଳ ବ୍ୟକ୍ତିମାନଙ୍କ ପକ୍ଷରେ ଅନ୍ୟ ବ୍ୟାୟାମ କ୍ଷତିକାରକ ।

 

ନିୟମିତ ରୂପେ ବ୍ୟାୟାମ କରିବା ବ୍ୟକ୍ତିର କାୟିକ ଶକ୍ତିର ଅଭିବୃଦ୍ଧି ସଙ୍ଗେ ସଙ୍ଗେ ସବୁ କ୍ଷେତ୍ରରେ ସାହସ ଓ ଉତ୍ସାହ ମଧ୍ୟ ଯଥେଷ୍ଟ ବୃଦ୍ଧିପାଏ । ରୋଗ ତାହା ଦେହରେ ସହଜରେ ପ୍ରବେଶ କରିପାରେ ନାହିଁ ଏବଂ ଆଳସ୍ୟ ମଧ୍ୟ ତାହାକୁ କେବେ ସ୍ପର୍ଶ କରେ ନାହିଁ । ଏଣୁ ସ୍ୱାସ୍ଥ୍ୟ ଦିଗରୁ ସେ ଯେ କୌଣସି ବ୍ୟକ୍ତି ଅପେକ୍ଷା ସୁଖୀ । ସେ ବିପଦକୁ ଭୟକରି କେବେ ନିଜ କର୍ତ୍ତବ୍ୟରେ ତ୍ରୁଟି କରେ ନାହିଁ; ବରଂ ଯେ କୌଣସି ଅସାଧ୍ୟ କାର୍ଯ୍ୟରେ ମଧ୍ୟ ସାହିସିକ ପଦକ୍ଷେପ ନିଏ । ବ୍ୟାୟାମ କରିବା ବ୍ୟକ୍ତିର ଶାରୀରିକ ଶକ୍ତି ପରି ମାନସିକ ଶକ୍ତି ମଧ୍ୟ ଅଧିକ ଦୃଢ଼ ଓ ବଳବାନ୍‌ହୁଏ । କାରଣ ଦେହ ଓ ମନ ଘନିଷ୍ଠ ଭାବରେ ସଂପୃକ୍ତ । ଏଣୁ ମାନସିକ ଶକ୍ତିର ବିକାଶପାଇଁ ମଧ୍ୟ ଶାରୀରିକ ବ୍ୟାୟାମ ଆବଶ୍ୟକ । ବ୍ୟାୟାମ କରିବା ବ୍ୟକ୍ତି ଦୀର୍ଘ ସମୟ ଶାରୀରିକ ବା ମାନସିକ ଶ୍ରମ କରି ସୁଦ୍ଧା କ୍ଲାନ୍ତି ଅନୁଭବ କରେ ନାହିଁ ଏବଂ ସେ ସମସ୍ତଙ୍କ ଅପେକ୍ଷା ସବୁ କ୍ଷେତ୍ରରେ ଅଧିକ ଶୃଙ୍ଖଳିତ ଓ କର୍ମଠ । ବ୍ୟାୟାମ ଦ୍ୱାରା ଦେହର ଆନୁପାତିକ ସୈାଷ୍ଠବ ବୃଦ୍ଧିପାଏ । ଏହି ବ୍ୟାୟାମ କେବଳ ସୈନିକ, ଯୋଦ୍ଧା ଓ ବୀର ପୁରୁଷମାନଙ୍କର ଜନ୍ମଦାତା । ଏଣୁ ସମସ୍ତଙ୍କ ପକ୍ଷରେ ଶାରୀରିକ ବ୍ୟାୟାମ କରିବା ନିତାନ୍ତ ଆବଶ୍ୟକ ।

 

ଯେ କୌଣସି ସମୟରେ ବା ଯେ କୌଣସି ଅବସ୍ଥାରେ ବ୍ୟାୟମ କରିବା ଉଚିତ ନୁହେ-। ବେନିୟମରେ ବ୍ୟାୟାମ କଲେ ବରଂ ଉପକାର ପରିବର୍ତ୍ତେ ଅପକାର ହୁଏ । ସକାଳ ସନ୍ଧ୍ୟା କେବଳ ବ୍ୟାୟାମପାଇଁ ଉପଯୁକ୍ତ ସମୟ । ମଧ୍ୟାହ୍ନ ସମୟରେ, ଭୋଜନ ପରେ ଏବଂ ରୁଗ୍‌ଣ ଓ ଦୁର୍ବଳ ଅବସ୍ଥାରେ ବ୍ୟାୟାମ କଲେ ଦେହ ଅଧିକ ରୁଗ୍‌ଣ ଓ ଦୁର୍ବଳ ହୋଇଯାଏ ।

 

ବାୟୁ ଗତାଗତ କରୁଥିବା ଖୋଲା ଜାଗାରେ ବ୍ୟାୟାମ କରିବା ଉଚିତ । ଗୃହ ମଧ୍ୟରେ ବ୍ୟାୟମ କଲେ କବାଟ ଓ ଝରକା ଖୋଲା ରହିବା ଉଚିତ । ବ୍ୟାୟାମ କଲା ସମୟରେ ଢିଲା ପୋଷାକ ପରିଧ୍ୟାନ କରିବାକୁ ହୁଏ ।

 

ଏଥିପାଇଁ ଉପଯୁକ୍ତ ପୃଷ୍ଟିକର ଖାଦ୍ୟ ମଧ୍ୟ ଆବଶ୍ୟକ । ଗଜାମୁଗ, ବୁଟ ଏହି ଶ୍ରେଣୀର ପୁଷ୍ଟିକର ଓ ମୂଲ୍ୟବାନ ଖାଦ୍ୟ । ସମସ୍ତଙ୍କ ପକ୍ଷରେ ମଧ୍ୟ ଏହା ସହଜଲଭ୍ୟ ।

 

ଏହିପରି ବ୍ୟାୟାମ କରିବା ବ୍ୟକ୍ତି ସୁଖରେ ଜୀବନ ଯାପନ କରେ । ଏଣୁ ସମସ୍ତଙ୍କ ପକ୍ଷରେ ବ୍ୟାୟାମ ନିତାନ୍ତ ଆବଶ୍ୟକ ।

Image

 

ଖେଳ

 

ମନୁଷ୍ୟ ସର୍ବଦା ନାନା ଜଞ୍ଜାଳରେ ମଗ୍ନ ହୋଇ ନୀରସ ଓ ଶୁଷ୍କ ଜୀବନ ଯାପନ କରେ-। ଏଣୁ ସେ ଜୀବନକୁ ସରସ ଓ ସକ୍ରିୟ କରିବାପାଇଁ କେତେ ସମୟରେ ନାନାପ୍ରକାର ଖେଳ ଖେଳେ । ଇଂରାଜୀରେ ଗୋଟିଏ ପ୍ରବାଦ ଅଛି, “All work and no play makes jack a dull boy.” କେବଳ ସେତିକି ନୁହେ, ଉତ୍ତମ ସ୍ୱସ୍ଥ୍ୟ ଅର୍ଜନ କରିବାପାଇଁ ମଧ୍ୟ କେତେକ ଖେଳ ଖେଳିବା ଆବଶ୍ୟକ ହୁଏ ।

 

ଖେଳ ଘରୋଇ ଓ ବାହ୍ୟ–ଏହିପରି ଦୁଇଭାଗରେ ବିଭକ୍ତ । କେରମ୍‌ ବୋର୍ଡ, ତାସ, ପଶା ପ୍ରଭୃତି ଖେଳଗୁଡ଼ିକୁ ଘରୋଇ ଖେଳ କୁହାଯାଏ । ଏଗୁଡ଼ିକ ଅବସର ବିନୋଦନ ବା ଏକ ଶ୍ରେଣୀର ବ୍ୟସନ । ଏହାଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ, ଦେହ ଓ ମନ କାହାରି କୌଣସି ଉପକାର ସାଧିତ ହୁଏନାହିଁ । ବରଂ ଏଗୁଡ଼ିକରେ ଆଶକ୍ତି ଅତି ମାତ୍ରାରେ ବୃଦ୍ଧି ପାଇଲେ କେତେକ ଉନ୍ନତିପଥ ରୁଦ୍ଧ ହୋଇଯାଏ । ଅନେକ ସମୟରେ କେତେକ ବ୍ୟକ୍ତି କଉଡ଼ି ଓ ତାସ ଦ୍ୱାରା ଜୂଆ ଖେଳନ୍ତି । ଏହି ଖେଳଦ୍ୱାରା ଲୋକର ଚରିତ୍ର ନଷ୍ଟ ହୋଇଯାଏ । ଏହି ଶ୍ରେଣୀର ଖେଳାଳିମାନେ କ୍ରମେ ଅସାମାଜିକ ବା ସମାଜର ଅବାଞ୍ଛିତ ବ୍ୟକ୍ତିରୂପେ ପରିଗଣିତ ହୁଅନ୍ତି ।

 

ସ୍ୱାସ୍ଥ୍ୟରକ୍ଷା ଏବଂ ଦେଶ ବିଦେଶରେ ଖ୍ୟାତି ଆର୍ଜନପାଇଁ ଯେଉଁ ଖେଳଗୁଡ଼ିକ ଉଦ୍ଦିଷ୍ଟ, ସେଗୁଡ଼ିକ ଆମର ଆଲୋଚିତ ଖେଳ । ଏହି ଖେଳଦ୍ୱାରା ମନୁଷ୍ୟ ନିଜକୁ ଜଣେ ଉନ୍ନତ ସାମାଜିକ ପ୍ରାଣୀ ରୂପେ ଗଠନ କରେ ଏବଂ ଚିରଦିନ ସ୍ୱାସ୍ଥ୍ୟବାନ୍‌ ହୋଇ ସୁଖମୟ ଜୀବନଯାପନ କରେ ।

 

ସଭ୍ୟତାର ବିକାଶ ସହିତ ଖେଳର ମଧ୍ୟ ଅଭ୍ୟୁଦୟ ଘଟିଛି । ଭାରତରେ ଏହାର ଆଦରର ଅଭାବ କୌଣସି କାଳେ ନ ଥିଲା । ଭାରତୀୟସମାଜରେ ଡୁଡୁ, ବୋହୁଚୋରୀ, ଲୁଚୁଲୁଚାଣି ପ୍ରଭୃତି ଅନେକ ସୁନ୍ଦର ମନୋମୁଗ୍‌ଧକର ଖେଳର ପ୍ରଚଳନ ରହିଛି । ବର୍ତ୍ତମାନ ସୁଦ୍ଧା ପିଲାମାନେ ଅତି ଆଗ୍ରହରେ ଏହି ଖେଳ ଖେଳନ୍ତି । ଆଜିକାଲି ଖେଳକୁ ସମାଜରେ ଉଚ୍ଚସ୍ଥାନ ଦିଆଯାଇଛି ଏବଂ ବିଦ୍ୟାଳୟଗୁଡ଼ିକରେ ଭଲି, କ୍ରିକେଟ୍‌, ରିଙ୍ଗଟେନିସ୍‌, ଟେନିସ୍‌, ଫୁଟବଲ, ବ୍ୟାଡମିଣ୍ଟନ ପ୍ରଭୃତି ଅନେକ ଖେଳର ବ୍ୟବସ୍ଥା ରହିଛି । ଏହାଛଡ଼ା ଲମ୍ବଡିଆଁ, ଉଚ୍ଚଡିଆଁ, ସାଇକେଲ ଚାଳନା ଓ ଦୌଡ଼ ମଧ୍ୟ ଖେଳର ଅନ୍ତର୍ଗତ । ଛାତ୍ରମାନେ ସ୍କୁଲ ସମୟ ପରେ ଏ ମଧ୍ୟରୁ ଯେ କୌଣସି ଗୋଟିଏ ଖେଳ ଖେଳନ୍ତି । ସାଧାରଣତଃ ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟ ଗୁଡ଼ିକରେ ଏପରି ଖେଳର ବ୍ୟବସ୍ଥା ଥାଏ ।

 

ବର୍ତ୍ତମାନ ଖେଳକୁ ଶିକ୍ଷାର ଗୋଟିଏ ବିଶିଷ୍ଟ ଅଙ୍ଗରୂପେ ଧରାଯାଇଛି । ଏଣୁ ବିଦ୍ୟାଳୟ ଗୁଡ଼ିକରେ ଏହି ଶିକ୍ଷା ଦେବାପାଇଁ ଜଣେ ଜଣେ ବ୍ୟାୟାମ ଶିକ୍ଷକ ନିଯୁକ୍ତି ହୋଇଛନ୍ତି । ଏହାର ପରିଚାଳନାପାଇଁ ସେଥିରେ ପ୍ରଧାନଶିକ୍ଷକଙ୍କ ତତ୍ତ୍ୱାବଧାନରେ ଗୋଟିଏ କ୍ରୀଡ଼ା ପରିଚାଳନା ସମିତି ଥାଏ । ଏଥିରେ ଛାତ୍ରମାନେ ମଧ୍ୟ ଅଂଶ ଗ୍ରହଣ କରିଥାନ୍ତି । ଶିକ୍ଷାର ଅନ୍ୟାନ୍ୟ ଅଙ୍ଗ ପରି ଏହି ବିଭାଗ ଏକ ସ୍ୱତନ୍ତ୍ର କାର୍ଯ୍ୟଳୟ ପକ୍ଷରୁ ସରକାରଙ୍କଦ୍ୱାରା ପରିଚାଳିତ ହୁଏ ।

 

ବିଦ୍ୟାଳୟଗୁଡ଼ିକରେ ନିୟମିତ ରୂପେ ଏହା ଶିକ୍ଷା ଦିଆଯାଏ ଏବଂ ଏହି ଦିଗରେ ଛାତ୍ରମାନଙ୍କ ମନରେ ଅଧିକ ଆଗ୍ରହ ଜନ୍ମାଇବା ପାଇଁ ସେଗୁଡ଼ିକରେ ବର୍ଷରେ ଅନେକ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ହୁଏ । ଅଞ୍ଚଳ, ଜିଲ୍ଲା, ରାଜ୍ୟ ଓ ସର୍ବ ଭାରତୀୟ ସ୍ତରରେ ପ୍ରତି ଯୋଗିତାରେ ବିଜୟୀ ଛାତ୍ରମାନେ ପୁରସ୍କୃତ ହୁଅନ୍ତି । ବାର୍ଷିକ ଉତ୍ସବ ବା ଅନ୍ୟ ଯେ କୌଣସି ଜାତୀୟ ପର୍ବଗୁଡ଼ିକରେ ମଧ୍ୟ ଆନୁଷ୍ଠାନିକ ଭାବରେ କ୍ରିଡ଼ା ପ୍ରତିଯୋଗିତା ହୁଏ । ସେଥିରେ ଏହି ସମୟରେ ମଧ୍ୟ ପୁରସ୍କାର ବିତରଣ କରାଯାଏ । କ୍ରୀଡ଼ାରେ ଅଧିକ ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀମାନେ କେତେକ କ୍ଷେତ୍ରରେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଯୋଗ୍ୟ ବିବେଚିତ ହୁଅନ୍ତି । ଏହା ହେଲା ବିଦ୍ୟାଳୟଗୁଡ଼ିକର କ୍ରୀଡ଼ା-କୌତୁକ ।

 

ବିଦ୍ୟାଳୟ ବାହାରେ ମଧ୍ୟ କ୍ରୀଡ଼ାର ପ୍ରାଧାନ୍ୟ ଗୌଣ ନୁହେ । ସର୍ବ ଭାରତୀୟ ସ୍ତରରେ ଏବଂ ବିଶ୍ୱର ବିଭିନ୍ନ ଦେଶ ବା ମହାଦେଶ ସ୍ତରରେ ଅନେକ କ୍ରୀଡ଼ା ଅନୁଷ୍ଠାନ ରହିଛି । ସର୍ବଭାରତୀୟ ସ୍ତରରେ ବିଶେଷ ଭାବରେ ଟେନିସ୍‌, ହକି, କ୍ରିକେଟ ଓ ଫୁଟବଲ ଖେଳର ପ୍ରତିଯୋଗିତା ହୁଏ । କିନ୍ତୁ ଆନ୍ତର୍ଜାତିକ ସ୍ତରରେ ହକି ଓ କ୍ରିକେଟ ପ୍ରତିଯୋଗିତାର ବିଶେଷ ପ୍ରାଧାନ୍ୟ ଥାଏ । ଆନ୍ତର୍ଜାତିକ ସ୍ତରରେ ଭାରତର ହକି ଖେଳରେ ବିଶେଷ ଖ୍ୟାତି ରହିଛି । କ୍ରିକେଟ ଆଧୁନିକ ଯୁଗର ଏକ ପ୍ରସିଦ୍ଧ ଓ ସମ୍ମାନଜନକ ଖେଳ । ଭାରତୀୟ ଖେଳାଳୀ ମାନେ ପ୍ରତିବର୍ଷ ପୃଥିବୀର ବିଭିନ୍ନ ଦେଶକୁ ଯାଇ ଖେଳନ୍ତି ଏବଂ ପୃଥିବୀର ଅନ୍ୟ ଦେଶର ଖେଳାଳିମାନେ ମଧ୍ୟ ଖେଳିବା ଉଦ୍ଦେଶ୍ୟରେ ବର୍ଷର ବିଭିନ୍ନ ସମୟର ଭାରତକୁ ଆସନ୍ତି । ଏହା ବ୍ୟତୀତ ଲମ୍ବଡିଆଁ, ଉଚ୍ଚଡିଆଁ, ସନ୍ତରଣ, ଦଉଡ଼ ପ୍ରଭୃତି ଖେଳରେ ମଧ୍ୟ ଭାରତୀୟମାନେ ବିଶେଷ ଦକ୍ଷତା ଅର୍ଜନ କରି ଚାମ୍ପିୟାନ୍‌ ହୋଇ ପାରୁଛନ୍ତି । ଭାରତରେ ମାଡ୍ରାସ୍‌ କ୍ରିକେଟପାଇଁ ପ୍ରସିଦ୍ଧ ଏବଂ ପଞ୍ଜାବୀମାନେ ଡିଆଁ, ଦଉଡ଼ ଓ ସନ୍ତରଣରେ ବିଶେଷ ଦକ୍ଷ ।

 

ଖେଳର ସୁବିଧାପାଇଁ କଲିକତା, ବମ୍ବେ, ମାନ୍ଦ୍ରାଜ, ଦିଲ୍ଲୀ, କଟକ ଓ ଭାରତର ବଡ଼ବଡ଼ ସହରଗୁଡ଼ିକରେ ଅନେକ ଷ୍ଟାଡ଼ିୟମ୍‌ ରହିଛି । ଏ ମଧ୍ୟରୁ କଟକର ଷ୍ଟାଡ଼ିୟାମଟି ଅଧିକ ସୁନ୍ଦର ଓ ବଡ଼ ବୋଲି ଜଣାଯାଏ । ବର୍ଷର ଯେ କୌଣସି ସମୟରେ ଭାରତର ଓ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଖେଳାଳିମାନେ ଆସି ଏଠାରେ ଖେଳନ୍ତି । ଖେଳାଳୀମାନଙ୍କ ରହିବାପାଇଁ ଷ୍ଟାଡ଼ିୟମରେ ସକଳ ପ୍ରକାର ସୁବିଧା ଥାଏ ଏବଂ ଏଥିରେ ଖେଳିବାପାଇଁ ବିଶାଳ ପଡ଼ିଆ ଏବଂ ଦର୍ଶକ ଗ୍ୟାଲେରି ମଧ୍ୟ ଥାଏ । ଖେଳର ସ୍ରୋତ କୌଣସି ମତେ ବାଧାପ୍ରାପ୍ତ ନ ହେବାପାଇଁ ଏପରି ବ୍ୟବସ୍ଥା ରଖାଯାଇଛି ।

 

ଖେଳର ମହତ୍ତ୍ୱ କେଡ଼େ ବଡ଼, ପ୍ରାଚୀନ ଓଲିମ୍ପିକ କ୍ରିଡ଼ାରୁ ତାହା ଜଣାଯାଏ । ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀରେ ଗ୍ରୀସ୍‌ରେ ସର୍ବପ୍ରଥମ ଓଲିମ୍ପିକ ଖେଳ ଆରମ୍ଭ ହୋଇଥିଲା । ଏହି ଖେଳ ପ୍ରତି ଚାରିବର୍ଷରେ ଥରେ ହୁଏ । ଗ୍ରୀସ୍‍ ଛଡ଼ା ଅନ୍ୟାନ୍ୟ ଦେଶର ପ୍ରତିନିଧିମାନେ ମଧ୍ୟ ଏଥିରେ ଯୋଗ ଦିଅନ୍ତି । ସେହି ସମୟରେ ଗ୍ରୀସ୍‌ ଅନେକ ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇଥିଲା । ସେମାନଙ୍କ ପରସ୍ପର ମଧ୍ୟରେ ସର୍ବଦା ଯୁଦ୍ଧ ବିଗ୍ରହ ମଧ୍ୟ ଚାଲିଥାଏ । ତଥାପି ଯେଉଁ ବର୍ଷ ଓଲିମ୍ପିକ ଖେଳ ହୁଏ, ସେହି ବର୍ଷ ଲୋକେ ଯୁଦ୍ଧକଥା ଚିନ୍ତା ନ କରି ଶାନ୍ତିବାର୍ତ୍ତା ପ୍ରଚାର କରନ୍ତି । ଯେଉଁମାନେ ଏହି ପ୍ରତିଯୋଗିତାରେ ଯୋଗ ଦିଅନ୍ତି, ସେମାନେ ଶୁଦ୍ଧପୂତ ଏବଂ ସତ୍ୟ, ଧର୍ମ ଓ ନ୍ୟାୟ ପଥରୁ ବିଚ୍ୟୁତ ନ ହେବାପାଇଁ ଶପଥ ନିଅନ୍ତି । ଯେଉଁମାନେ ଏହି କ୍ରୀଡ଼ାରେ ପୁରସ୍କୃତ ହୁଅନ୍ତି, ସେମାନେ ଦେଶର ପରମ ଆଦର୍ଶ ବ୍ୟକ୍ତି ରୂପେ ସମ୍ମାନିତ ହୁଅନ୍ତି । ବର୍ତ୍ତମାନ ସୁଦ୍ଧା ପୃଥିବୀର ବିଭିନ୍ନ ଦେଶରେ ଏହି ଓଲିମ୍ପିକ ଖେଳ ହୁଏ । କିନ୍ତୁ ତାହା ସେହି ଆଦର୍ଶରେ ପରିଚାଳିତ ହେଲେ ପୃଥିବୀରେ ଶାନ୍ତିପ୍ରତିଷ୍ଠାର ସହାୟକ ହୁଅନ୍ତା ।

 

ଖେଳଦ୍ୱାରା ଏହିପରି ବିଭିନ୍ନ ଦିଗରୁ ମନୁଷ୍ୟ ଉପକୃତ ହୁଏ । ଏଣୁ ଏକ ଶୃଙ୍ଖଳିତ ସୀମା ଭିତରେ ଖେଳ ଉତ୍ସାହିତ ହେବା ବାଞ୍ଛନୀୟ ।

Image

 

ଦେଶାଟନର ଉପକାରିତା

 

ପୃଥିବୀ ମଧ୍ୟରେ ଅବସ୍ଥିତ ଗୋଟିଏ ପ୍ରାକୃତିକ ଅଞ୍ଚଳ ବା ଏକ ସରକାରଙ୍କଦ୍ୱାରା ଶାସିତ ଏକ ବିଶାଳ ବା କ୍ଷୁଦ୍ର ଭୂଖଣ୍ଡକୁ ଗୋଟିଏ ଦେଶ କୁହାଯାଏ । ପୃଥିବୀ ମଧ୍ୟରେ ଏପରି ଅନେକ ଗୁଡ଼ିଏ ଦେଶ ଅଛି । ଅବଶ୍ୟ ଏ ମଧ୍ୟରୁ କେତୋଟି ଦେଶର କେତୋଟି ବିଷୟରେ ପରସ୍ପର ମଧ୍ୟରେ ସାମଞ୍ଜସ୍ୟ ରହିପାରେ; କିନ୍ତୁ ଜଳବାୟୁ, ଉଦ୍ଭିଦ, ଭାଷା, ପୋଷାକ, ଖାଦ୍ୟ ପ୍ରଭୃତି ବହୁ ଦିଗରୁ ଗୋଟିଏ ଦେଶ ଅନ୍ୟ ଦେଶଠାରୁ ସଂପୂର୍ଣ୍ଣ ଭିନ୍ନ ।

 

ବିଦ୍ୟାଳୟମାନଙ୍କରେ ଇତିହାସ ଓ ଭୂଗୋଳଦ୍ୱାରା ବିଭିନ୍ନ ଦେଶ ବିଷୟରେ ଅନେକ ଶିକ୍ଷା ଦିଆଯାଏ । କିନ୍ତୁ ମନୁଷ୍ୟ ନିଜେ ଗୋଟିଏ ଦେଶ ଦେଖି ସେ ବିଷୟରେ ଯେଉଁ ଜ୍ଞାନ ଅର୍ଜନ କରେ, ପୁସ୍ତକଦ୍ୱାରା ତାହା ପାଇବା ଆଦୌ ସମ୍ଭବ ନୁହେ । ପୁସ୍ତକଲବ୍‌ଧ ଜ୍ଞାନ ଓ ଚାକ୍ଷୁଷ ଜ୍ଞାନ ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ରହିଛି । ପ୍ରତ୍ୟେକ ଇତିହାସପାଠକ ତାଜମହଲ ସମ୍ବନ୍ଧରେ ଗେଟିଏ ସଠିକ ଚିତ୍ର ଦେଇପାରନ୍ତି । କିନ୍ତୁ ଦର୍ଶକ ହୃଦୟରେ ସେହି ଭାବ ଯେପରି ପ୍ରତିଫଳିତ ହୁଏ, ପାଠକ ପକ୍ଷରେ ତାହା ଆଦୌ ସମ୍ଭବ ନୁହେ । ଏଣୁ ବ୍ୟାପକ ଜ୍ଞାନ ଅର୍ଜନ କରିବାକୁ ହେଲେ ଦେଶ ଭ୍ରମଣ କରିବା ନିତାନ୍ତ ଆବଶ୍ୟକ ।

 

ଦେଶ ଭ୍ରମଣ କରିବା ସମସ୍ତଙ୍କ ପକ୍ଷରେ ସହଜ ନୁହେ । ଏଥିପାଇଁ ଆବଶ୍ୟକ ଅର୍ଥ, ସାହସ, ଉତ୍ସାହ ଓ କେତେକ ବିଶେଷ ଯୋଗ୍ୟତା । ତଥାପି ଯେଉଁମାନେ ଉତ୍ସାହୀ, ଯେଉଁମାନେ ଭ୍ରମଣର ମୂଲ୍ୟ ଜାଣନ୍ତି, ସେମାନଙ୍କ ଯାତ୍ରାରେ ଏହି ବାଧାବିଘ୍ନଗୁଡ଼ିକ ବିଶେଷ ପ୍ରତିବନ୍ଧକ ସୃଷ୍ଟି କରିପାରେ ନାହିଁ । ଏହା ଛଡ଼ା ଦେଶର ବଡ଼ବଡ଼ ଧନୀ, ବଡ଼ବଡ଼ ବ୍ୟବସାୟୀ ଓ ଶାସକଦଳ ବହୁ ସମୟରେ ନାନା ଉଦ୍ଦେଶ୍ୟରେ ବିଦେଶ ଯାତ୍ରା କରନ୍ତି । ଶାସନ କ୍ଷେତ୍ରରେ ବିଶେଷ ଯୋଗ୍ୟତା ଅର୍ଜନ କରିବା ପାଇଁ ବଡ଼ବଡ଼ ନେତା, ନିଜ କାର୍ଯ୍ୟରେ ବିଶେଷ ଯୋଗ୍ୟତା ଅର୍ଜନପାଇଁ କେତେକ ବଡ଼ବଡ଼ ଅଫିସର, ବିଭିନ୍ନ ଜ୍ଞାନ ଅର୍ଜନ କରିବାପାଇଁ ଶିଳ୍ପପତି ବା ଶିଳ୍ପ ବିଭାଗ କର୍ମଚାରୀମାନେ, କୃଷି ବିଭାଗରେ ବିଶେଷ ଯୋଗ୍ୟତା ଅର୍ଜନ କରିବାପାଇଁ କୃଷି ବିଭାଗ କର୍ମଚାରୀମାନେ, ବାଣିଜ୍ୟର ଅଭିବୃଦ୍ଧିପାଇଁ ବଡ଼ବଡ଼ ବ୍ୟବସାୟୀ, ବିଳାସବ୍ୟସନ ଓ ଆମୋଦ ପ୍ରମୋଦପାଇଁ ବଡ଼ବଡ଼ ଧନୀ ବ୍ୟକ୍ତି ପୃଥିବୀର ବିଭିନ୍ନ ସ୍ଥାନ ଭ୍ରମଣ କରନ୍ତି । ଅବଶ୍ୟ ଏପରି ବ୍ୟାପକ ଯାତ୍ରା ସମସ୍ତଙ୍କ ପକ୍ଷରେ ସମ୍ଭବ ନ ହୋଇପାରେ; କିନ୍ତୁ ଯେଉଁମାନେ ଉତ୍ସାହୀ, ସେମାନେ ନିଜ ଦେଶ ମଧ୍ୟରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରି କେତେକ ବିଶେଷ ଯୋଗ୍ୟତା ଅର୍ଜନ କରିପାରିବେ ଓ ନିଜ ଜ୍ଞାନର ପରିସର ଅଧିକ ବ୍ୟାପକ କରିପାରିବେ ।

 

ଏହି ବିଶାଳ ପୃଥିବୀରେ କେତେ ଯେ ଦର୍ଶନୀୟ ସ୍ଥାନ ଅଛି ଓ କେତେ ଶିକ୍ଷଣୀୟ ବିଷୟ ଅଛି, ତାହା କଳନା କରିବା ଆଦୌ ସମ୍ଭବ ନୁହେ । ଏହି ଯୁଗରେ ଯେ ଯେଡ଼େ କ୍ଷୁଦ୍ର ରାଷ୍ଟ୍ର ହେଲେ ମଧ୍ୟ କୌଣସି ନା କୌଣସି ଦିଗରେ ତାହାର ପ୍ରାଧାନ୍ୟ ଥାଏ । ଏଣୁ ଅନେକ ସମୟରେ ପୃଥିବୀର ବଡ଼ବଡ଼ ରାଷ୍ଟ୍ରଗୁଡ଼ିକ ମଧ୍ୟ ସେଥିପାଇଁ ତା’ ଉପରେ ନିର୍ଭର କରନ୍ତି । ପୃଥିବୀର ଆମେରିକା କୁବେରପୁରୀ ସତ; ତଥାପି ତୈଳ ସଂପଦପାଇଁ ବର୍ମା ଓ ମଧ୍ୟ ଏସିଆର ପ୍ରାଧାନ୍ୟକୁ ଅସ୍ୱୀକାର କରାଯାଇ ନ ପାରେ ।

 

ଦେଶ ଭ୍ରମଣଦ୍ୱାରା ପର୍ଯ୍ୟଟକ ସେହି ସେହି ଦେଶର ଶିକ୍ଷା ଓ ସଂସ୍କୃତିରୁ ଯାହା ଗ୍ରହଣ ଯୋଗ୍ୟ, ତାହା ଗ୍ରହଣ କରି ନିଜ ଦେଶରେ ପ୍ରଚଳନ କରେ; ପୁଣି ସେହି ସାହିତ୍ୟରେ ଥିବା ଉଚ୍ଚକୋଟିର ଲେଖା ଗୁଡ଼ିକ ନିଜ ଭାଷାରେ ଭାଷାନ୍ତର କରି ନିଜ ସାହିତ୍ୟର ଉନ୍ନତି ସାଧନ କରେ-। ଏହାଦ୍ୱାରା ଉଭୟ ଦେଶର ସଭ୍ୟତା ଓ ସଂସ୍କୃତି ପରସ୍ପର ଅଧିକ ନିକଟବର୍ତ୍ତୀ ହୁଅନ୍ତି । ଏଣୁ ଉଭୟ ଦେଶ ଉପକୃତ ହୁଅନ୍ତି । ଏହା ସାଙ୍ଗକୁ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ନଦୀ, ହ୍ରଦ, ଉଦ୍ୟାନ, ଧର୍ମପୀଠ, ବଡ଼ବଡ଼ ପ୍ରାସାଦ, ବାଣିଜ୍ୟକେନ୍ଦ୍ର, ସହର, ଶିଳ୍ପକେନ୍ଦ୍ର, କଳକାରଖାନା, ବିଭିନ୍ନ ପ୍ରକାର ଜାତି, ବର୍ଣ୍ଣ, ଭାଷା, ବିଭିନ୍ନ ପ୍ରକାର ଜୀବଜନ୍ତୁ ଓ ଆଚାର ବ୍ୟବହାର ଦେଖି ଅପାର ଆନନ୍ଦ ଅନୁଭବ କରେ ଓ ଅସୀମ ଅଭିଜ୍ଞତା ମଧ୍ୟ ଅର୍ଜନ କରେ । ଅଷ୍ଟେଲିଆର ଜୀବଜନ୍ତୁ, ଦକ୍ଷିଣର ରାଣୀ ନିଉୟର୍କର ଗଗନଭେଦୀ ପ୍ରାସାଦ, ମିଶରର ପିରାମିଡ଼, ଭାରତର ତାଜମହଲ, ଆମେଜନ୍‌ ନଦୀ ଓ ସାହାରା ମରୁଭୂମି ଭଳି ଅଦ୍ଭୁତ ଓ ରୋମାଞ୍ଚକର ସ୍ଥାନଗୁଡ଼ିକ ଦେଖିବାଦ୍ୱାରା ମନରେ ଯେଉଁ ନୂତନ ପ୍ରେରଣା ଆସେ, ପୁସ୍ତକ ସାହାଯ୍ୟରେ ତାହା ପାଇବା କଦାପି ସମ୍ଭବ ନୁହେ-। ପୃଥିବୀ କଥା ଦୂରେ ଥାଉ, ଏକା ଭାରତରେ ପୃଥିବୀର ଅନେକ କଥା ଦେଖିପାରିବା । ଭାରତର ଏକା ହିମାଳୟରେ ସବୁ ପ୍ରକାର ଜଳବାୟୁ, ଏକା କଶ୍ମୀରରେ ସକଳ ପ୍ରକାର ସୁନ୍ଦର ଉଦ୍ୟାନ, କଲିକତା, ଦିଲ୍ଲୀ, ବମ୍ବେଇ, ମାନ୍ଦ୍ରାଜ, ପ୍ରଭୃତି ବଡ଼ବଡ଼ ସହରମାନଙ୍କରେ ପୃଥିବୀର ସକଳ ପ୍ରକାର ଭାଷା ଓ ସକଳ ପ୍ରକାର ସଭ୍ୟତା ଶିକ୍ଷା କରିପାରିବା । ଆଜି କାଲିର ବଡ଼ବଡ଼ ସହରିଗୁଡ଼ିକ ଗୋଟିଏ ଗୋଟିଏ କ୍ଷୁଦ୍ର ବିଶ୍ୱ ।

 

ଏହା ଛଡ଼ା ଯାତ୍ରା ସମୟରେ ମଧ୍ୟ ଅନେକ ଶିକ୍ଷା ମିଳେ । ଅବଶ୍ୟ ଆଜିକାଲିର ଯାତ୍ରା ବିଶେଷ ସୁବିଧାଜନକ । ଜଳ ସ୍ଥଳ ଆକାଶ ସବୁବେଳେ ସମସ୍ତଙ୍କପାଇଁ ଉନ୍ନୁକ୍ତ । ଏଥିପାଇଁ ଯାତାୟାତର ସୁବିଧାଜନକ ପଥ ଅଛି । ପୂର୍ବକାଳ ପରି ଚୋର ଡକାୟତ ଭୟ ଓ ହିଂସ୍ରଜନ୍ତୁ ଆକ୍ରମଣର ଆଶଙ୍କା ମଧ୍ୟ ନାହିଁ । ସବୁସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ଯାତ୍ରା ଭାବିବାଭଳି ନିରାପଦ ନୁହେ । ଯାତ୍ରା ସମୟରେ ବେଳେବେଳେ ଅନେକ ଅସମ୍ଭବ ଓ ଅବାଞ୍ଛିତ ବିପଦ ମଧ୍ୟ ଘଟେ । ସେହି ସମୟରେ ଟିକିଏ ଅସତର୍କ ହେଲେ ଲୁଗାପଟା ବା ଟଙ୍କା ପଇସା ଚୋରି ହେବାର ଆଶଙ୍କା ଥାଏ । ଦୂର ଦେଶକୁ ଗଲା ସମୟରେ ଅର୍ଥାଭାବ ମଧ୍ୟ ଘଟେ । ଅନେକ ସମୟରେ କୌଣସି ଅଜ୍ଞାତ ଓ ଅପରିଚିତ ସ୍ଥାନରେ ପ୍ରବେଶ କଲେ, ସେହି ସ୍ଥାନର ଖାଦ୍ୟପେୟ, ଚାଲିଚଳନ ସହିତ ଅଭ୍ୟସ୍ତ ହେବା ପର୍ଯ୍ୟନ୍ତ ଏବଂ ଲୋକଙ୍କ ସହିତ ସଂପର୍କ ସ୍ଥାପନ କଲା ପର୍ଯ୍ୟନ୍ତ କେତେକ ଅସୁବିଧା ମଧ୍ୟ ଘଟେ । ଏହି ସମୟରେ ସ୍ୱାସ୍ଥ୍ୟ ହାନି ଘଟିବାର ମଧ୍ୟ ଆଶଙ୍କା ରହିଛି । ଏଣୁ ପ୍ରତି ସ୍ଥଳରେ ଆତ୍ମରକ୍ଷାପାଇଁ ବୁଦ୍ଧି ପ୍ରୟୋଗ କରିବାକୁ ପଡ଼େ । ଏହା କମ ଶିକ୍ଷା ନୁହେ ।

 

ଦେଶଭ୍ରମଣ ସମୟରେ ପର୍ଯ୍ୟଟକ ନାନା ଅଭାବ ଅସୁବିଧା ଓ ଆପଦ ବିପଦର ସମ୍ମୁଖୀନ ହେବା ସ୍ୱାଭାବିକ । ଏଣୁ ସେ ସବୁ ବିପଦରୁ ନିଜକୁ ରକ୍ଷା କରିବାପାଇଁ ନିଶ୍ଚୟ ଯତ୍ନ କରେ । ତଦ୍ଦ୍ୱାରା ନିଜର କାର୍ଯ୍ୟ ସାଧିତ ହେବା ସଙ୍ଗେ ସଙ୍ଗେ ନିଜଠାରେ କ’ଣ ଗୋଟେ ଶକ୍ତି ରହିଥାଏ, ତଦ୍ଦ୍ୱାରା ନିଜର ଚିନ୍ତାଶକ୍ତି, ସାହସିକତା ଓ ସାଧାରଣ ଜ୍ଞାନ ଯଥେଷ୍ଟ ବୃଦ୍ଧି ପ୍ରାପ୍ତ ହୁଏ । ଏହାଦ୍ୱାରା ହୃଦୟ ଉଦାର, ମନ ବିଶାଳ ଓ ଦୃଷ୍ଟି ବ୍ୟାପକ ହୁଏ । ଦେଶ ଭ୍ରମଣଦ୍ୱାରା ପୁସ୍ତକଗତ ଶିକ୍ଷା ପୂର୍ଣ୍ଣଙ୍ଗପ୍ରାପ୍ତ ହୁଏ ଏବଂ ଏହାଦ୍ୱାରା ମନୁଷ୍ୟ ବହୁ ଭାଷାଭାଷୀ ଓ ମହାନ୍‌ ବ୍ୟକ୍ତିମାନଙ୍କ ସଂପର୍କରେ ଆସିବା ଫଳରେ ଭାଷା ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାହାର ଦୃଷ୍ଟିକୋଣ ବଦଳିଯାଏ । ଦେଶ ଭ୍ରମଣ ଦ୍ୱାରା ମନୁଷ୍ୟର କୂପମଣ୍ଡୂକତ୍ୱ ଦୂର ହୁଏ ।

 

ଦେଶଭ୍ରମଣ ମନୁଷ୍ୟର ବିଶେଷ ଉପକାରୀ ସତ; କିନ୍ତୁ ତାହା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେ । ପର୍ଯ୍ୟଟକର ଶିକ୍ଷା ଦୀକ୍ଷାରେ ଅନ୍ତତଃ ସାଧାରଣଜ୍ଞାନ ଥିବା ଆବଶ୍ୟକ । ତା’ପରେ ସେ ଯେଉଁ ଦେଶକୁ ଯିବ, ସେହି ଦେଶର ଐତିହାସିକ ଓ ଭୌଗାଳିକ ପରିସ୍ଥିତି ସମ୍ବନ୍ଧରେ କିଛି ଅଭିଜ୍ଞତା ଅର୍ଜନ କରିଥିବା ଆବଶ୍ୟକ । ଏହାଛଡ଼ା ସେ ଦେଶର ଭାଷା, ସାହିତ୍ୟ ଓ ଆଚାର ବ୍ୟବହାର ସମ୍ବନ୍ଧରେ ପୂର୍ଣ୍ଣଜ୍ଞାନ ନ ହେଲେ ମଧ୍ୟ ଆଂଶିକ ଜ୍ଞାନ ଥିବା ଉଚିତ । ଏହାଦ୍ୱାରା ପର୍ଯ୍ୟଟକ ଅତି ସହଜରେ ନିଜ ଯାତ୍ରାର ସୁଫଳ ଭୋଗ କରେ । ଅନ୍ୟଥା ଗଧ ଚନ୍ଦନ କାଠ ବୋହିଲା ପରି ‘ଗଲେ ଆସିଲେ’ ଏତିକି ଛଡ଼ା ଆଉ କୌଣସି ବିଶେଷତ୍ୱ ନଥାଏ ।

 

ଯେଉଁମାନେ ପ୍ରକୃତରେ ଏହି ରୀତିରେ ଦେଶ ଭ୍ରମଣ କରନ୍ତି, ସେମାନେ ସମାଜର ଜଣେ ଜଣେ ଆଦର୍ଶ ବ୍ୟକ୍ତି ଏବଂ ବହୁଦର୍ଶୀ । ସେମାନେ ଏହିପରି ମହତ୍‌ କାମ କରି ନିଜେ କୃତକୃତ୍ୟ ହୁଅନ୍ତି ଏବଂ ସେମାନଙ୍କର କଥା ଶୁଣି ଅନ୍ୟମାନେ ମଧ୍ୟ ଉପକୃତ ହୁଏନ୍ତି । ଏଣୁ ଦେଶଭ୍ରମଣ ସମସ୍ତଙ୍କ ପକ୍ଷରେ ଅତି ମୂଲ୍ୟବାନ୍‌ ।

Image

 

ଗୋଟିଏ ନିର୍ବାଚନକେନ୍ଦ୍ରର ଦୃଶ୍ୟ

 

ନିର୍ବାଚନ ସମୟରେ ଯେଉଁ ସ୍ଥାନରେ ଭୋଟ ଗ୍ରହଣ କରାଯାଏ, ତାହାକୁ ନିର୍ବାଚନକେନ୍ଦ୍ର କହନ୍ତି । ଭାରତ ଗୋଟିଏ ବିଶାଳ ଗଣତନ୍ତ୍ର ରାଷ୍ଟ୍ର ଏବଂ ସେଥିରେ ସାବାଳକ ଭୋଟ ପ୍ରଥା ପ୍ରଚଳିତ । ଏଣୁ ସାଧାରଣ ନିର୍ବାଚନ ସମୟରେ ସେଠାରେ ଅନେକ ନିର୍ବାଚନ କେନ୍ଦ୍ର ସ୍ଥାପିତ ହୁଏ । ପ୍ରାୟ ଏକହଜାରରୁ ତେରଶହ ପର୍ଯ୍ୟନ୍ତ ଭୋଟର ସଂଖ୍ୟାବିଶିଷ୍ଟ ଗୋଟିଏ ଗ୍ରାମ ବା କେତୋଟି କ୍ଷୁଦ୍ର ଗ୍ରାମର କେନ୍ଦ୍ରସ୍ଥଳ ବା ଗୋଟିଏ ବଡ଼ଗ୍ରାମ ବା ସହରର ଗୋଟିଏ ଅଂଶପାଇଁ ଗୋଟିଏ ଗୋଟିଏ ନିର୍ବାଚନକେନ୍ଦ୍ର ସ୍ଥାପିତ ହୁଏ ।

 

ସାଧାରଣତଃ ଗ୍ରାମପ୍ରାନ୍ତରେ ଥିବା ବିଭିନ୍ନ ବିଦ୍ୟାଳୟ ବା ସେପରି କୌଣସି ସର୍ବସାଧାରଣ ଅନୁଷ୍ଠାନକୁ ଏହି କେତେଦିନ ସକାଶେ ନିର୍ବାଚନ-କେନ୍ଦ୍ରରେ ପରିଣତ କରାଯାଏ । ଏହି ସମୟରେ ଏପରି କେତୋଟି ସ୍ଥାନର ଭାଗ୍ୟ ବଦଳି ଯାଏ। ସ୍ଥାନଟି ପରିଷ୍କାର ପରିଚ୍ଛନ୍ନ କରି ଯାତାୟାତକ ସୁବିଧାପାଇଁ ବିଭିନ୍ନ ମାର୍ଗର ମଧ୍ୟ ସୁବିଧା କରାଯାଏ । ଭୋଟଦାତାମାନେ କେନ୍ଦ୍ରକୁ ଯିବାପାଇଁ ଗୋଟିଏ ମାର୍ଗ ଏବଂ ଭୋଟ ଦେଲାପରେ କେନ୍ଦ୍ରରୁ ଫେରିବାପାଇଁ ଅନ୍ୟ ଗୋଟିଏ ମାର୍ଗ–ଏହିପରି କେନ୍ଦ୍ରଟି ଦୁଇଟି ମାର୍ଗଦ୍ୱାରା ସଂଯୁକ୍ତ ହୋଇଥାଏ । ବିଭିନ୍ନ ସ୍ଥାନରେ ବିଭିନ୍ନ ଉଦ୍ଦେଶ୍ୟ ବା ସଂକେତ କାଗଜରେ ଲେଖି ଟଙ୍ଗା ଯାଇଥାଏ ।

 

ନିର୍ବାଚନକେନ୍ଦ୍ରର ଚତୁର୍ଦ୍ଦିଗରେ ଶହେଗଜ ପର୍ଯ୍ୟନ୍ତ କେନ୍ଦ୍ର ସୀମା ନିର୍ଦ୍ଧାରିତ ହୋଇ ସ୍ଥାନଟି ଅସ୍ଥାୟୀ ବାଡ଼ଦ୍ୱାରା ଆବୃତ ହୋଇଥାଏ । ଏହି ଅଞ୍ଚଳଟି ପୁଲିସ୍‌ ତତ୍ତ୍ୱାବଧାନରେ ଥାଏ । କେବଳ ଭୋଟଦାତା ଛଡ଼ା ସେହି ସ୍ଥଳକୁ ଅନ୍ୟମାନେ ଯିବା ନିଷେଧ । ସେହି ସ୍ଥାନରେ ଭୋଟଦାତାମାନେ ଅପେକ୍ଷା କରି ଜଣକ ପରେ ଜଣେ କେନ୍ଦ୍ରକୁ ଯାଇ ଭୋଟ ଦିଅନ୍ତି । ସେଠାରେ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ବିଶେଷ ଦୃଷ୍ଟି ଦିଆଯାଏ । ଏଥି ସକାଶେ ପୁଲିସ୍‌ ଓ ପ୍ରିଜାଇଡିଙ୍ଗ ଅଫିସର ବିଶେଷ ସତର୍କ ହୋଇ ରହନ୍ତି । ସକାଳ ଆଠଘଣ୍ଟାଠାରୁ ସନ୍ଧ୍ୟା ପାଞ୍ଚଘଣ୍ଟା ପର୍ଯ୍ୟନ୍ତ ଭୋଟ ଦେବାପାଇଁ ସମୟ ନିର୍ଦ୍ଧାରିତ ହୋଇଥାଏ । ତା’ପରେ ଯେଉଁମାନେ ଯାନ୍ତି, ସେମାନେ ଭୋଟ ଦାନରୁ ବଞ୍ଚିତ ହୁଅନ୍ତି । କିନ୍ତୁ ଯେଉଁମାନେ ନିର୍ଦ୍ଦିଷ୍ଟ ସମୟ ଭିତରେ ନିର୍ବାଚନ ସୀମା ଭିତରେ ପ୍ରବେଶ କରିଥାନ୍ତି, ସେମାନେ ଭୋଟ ଦେବା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିଥାଏ । ବେଳେବେଳେ ବିଶେଷ ଲୋକ ଗହଳି ହୋଇଯାଏ । ଏଣୁ ଅଶାନ୍ତି ବା ସଂଘର୍ଷ ଉପୁଜିବାର ଆଶଙ୍କା ଦେଖାଯାଏ । କିନ୍ତୁ ପ୍ରିଜାଇଡିଂ ଅଫିସର, ପୁଲିସ ଓ ପ୍ରତିନିଧିମାନଙ୍କର ମିଳିତ ଉଦ୍ୟମତରେ ତାହା କୌଣସି ମତେ ସ୍ଥିତାବସ୍ଥାକୁ ଆସିଯାଏ ।

 

ଗୋଟିଏ ନିର୍ବାଚନ କେନ୍ଦ୍ରରେ ଜଣେ ପ୍ରଧାନ ପରିଚାଳକ (Presiding Officer) ଥାନ୍ତି । ତାହାଙ୍କୁ ଜରୁରିକାଳୀନ କ୍ଷମତା ଦିଆଯାଇଥାଏ । ଏହାଛଡ଼ା ଚାରିଜଣ ପୋଲିଙ୍ଗ ଅଫିସର, କେତେ ଜଣ ପୁଲିସ୍‌ ଏବଂ ଜଣେ ଗ୍ରାମରକ୍ଷୀ ମଧ୍ୟ ଗୋଟିଏ କେନ୍ଦ୍ରପାଇଁ ନିଯୁକ୍ତ ହୋଇଥାନ୍ତି । ପ୍ରଥମ ପୋଲିଙ୍ଗ ଅଫିସରଙ୍କର ଦାୟିତ୍ୱ ଅତ୍ୟଧିକ । ସେ ପ୍ରଥମେ ଭୋଟଦାତାଙ୍କର ନାମ ଓ ଠିକଣା ଖଣ୍ଡିଏ କାଗଜରେ ଲେଖି ତାହାଙ୍କୁ ଦିଅନ୍ତି । ଦ୍ୱିତୀୟ ପୋଲିଙ୍ଗ ଅଫିସରଙ୍କଠାରେ ଭୋଟ କାଗଜ ଥାଏ । ଏହି ଅଫିସର ସେହି କାଗଜଟି ରଖି ଭୋଟଦାତାଙ୍କୁ ଖଣ୍ଡିଏ ଭୋଟ କାଗଜ ଦିଅନ୍ତି-। ତୃତୀୟ ପୋଲିଙ୍ଗ ଅଫିସର ଏହି ବ୍ୟକ୍ତିର ବାମହାତର ତର୍ଜନୀ ଆଙ୍ଗୁଠିରେ ଗୋଟିଏ କଳା ଦାଗ ଦିଅନ୍ତି । ଏହାର ଉଦ୍ଦେଶ୍ୟ ଏହି ବ୍ୟକ୍ତି ଅନ୍ୟତ୍ର ଛଦ୍ମ ନାମରେ ଆଉ ଭୋଟ ଦେଇପାରିବେ ନାହିଁ । ଏହି ଦାଗଟି ପନ୍ଦର ଦିନ ପର୍ଯ୍ୟନ୍ତ ରହେ । ଚତୁର୍ଥ ପୋଲିଙ୍ଗ ଅଫିସର ତାହାଙ୍କୁ ଗୋଟିଏ ସିଲ୍‌ ଦିଅନ୍ତି-। ଭୋଟଦାତା ଯାହାଙ୍କୁ ଭୋଟ ଦେବାକୁ ଇଚ୍ଛୁକ, ସେହି ନାମ ଆଗରେ ସିଲ୍‌ମାରି କାଗଜଟି ଯଥାରୀତି ଭଙ୍ଗ ପକାଇ ସର୍ବସାଧାରଣଙ୍କ ଆଗରେ ଥିବା ଗୋଟିଏ ବାକ୍‌ସରେ କାଗଜଟି ଭର୍ତ୍ତିକରି ଚାଲିଯାନ୍ତି ।

 

ଏହି ସମୟରେ ନିର୍ବାଚନ କେନ୍ଦ୍ରରେ ବିଭିନ୍ନ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥାନ୍ତି । ଯଦି କୌଣସି ସ୍ଥଳରେ କୌଣସି ପ୍ରାର୍ଥୀପକ୍ଷରେ କୌଣସି ଅବିଚାର ହେଲାପରି ଜଣାଯାଏ, ପ୍ରତିନିଧିମାନେ ସଙ୍ଗେ ସଙ୍ଗେ ସେହି କଥା ପ୍ରିଜଇଡ଼ିଙ୍ଗ ଅଫିସରଙ୍କୁ ଜଣାନ୍ତି ଓ ସେ ତାହାର ବିହିତ ପ୍ରତିକାର କରନ୍ତି । ପ୍ରିଜାଇଡ଼ିଙ୍ଗ ଅଫିସରଠାରୁ ଆରମ୍ଭ କରି ଏଜେଣ୍ଟମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହସ୍ତରେ ଗୋଟିଏ ଗୋଟିଏ ଭୋଟର ତାଲିକା ଥାଏ । ଭୋଟ ଦେବା ସମୟରେ ସମସ୍ତେ ଏହି ତାଲିକା ତନ୍ନ ତନ୍ନ କରି ଦେଖନ୍ତି ।

 

ଭୋଟକାଗଜ ଓ ସିଲ୍‌ମାରିବା ସ୍ଥାନଟି ବିଶେଷ କୌତୁହଳ ପୂର୍ଣ୍ଣ । ଭୋଟ କାଗଜଟିରେ ବିଭିନ୍ନ ସରଳ ରେଖା ମଧ୍ୟରେ ପ୍ରାର୍ଥୀମାନଙ୍କର ନାମ ଛପାଯାଇଥାଏ । ଏହି ସରଳରେଖା ମଧ୍ୟରେ ନିଜ ମନୋନୀତ ସଭ୍ୟଙ୍କର ନାମ ନିକଟରେ ସିଲ୍‌ ଦିଆଯାଏ । କେତେ ସରଳ ରେଖା ଉପରେ ସିଲ୍‌ମାରି କାଗଜଟି ନଷ୍ଟ କରି ଦିଅନ୍ତି । ଏହି ସିଲ୍‌ ସମସ୍ତଙ୍କ ସମକ୍ଷରେ ଦିଆଯାଏ ନାହିଁ । ଏଥିସକାଶେ କିଛି ଦୂରରେ ପର୍ଦ୍ଦାଦ୍ୱାରା ଭୋଟ କାଗଜଟି ଉପରେ ସିଲ୍‌ ଦିଅନ୍ତି । କିଏ କାହାକୁ ଭୋଟ ଦେଲେ, ଏହିକଥା ଜଣାପଡ଼ିଲେ କାଳେ ପରସ୍ପର ମଧ୍ୟରେ ତିକ୍ତତା ବୃଦ୍ଧି ପାଇବ, ଏହି ଆଶଙ୍କାରେ ଏପରି ଗୁପ୍ତଭୋଟ ଦାନ ପ୍ରଥା ରଖାଯାଇଛି ।

 

ଭୋଟ ଦେବା ସମୟରେ ଯଦି କୌଣସି ପ୍ରତିନିଧି କାହା ଉପରେ ଛଦ୍ମନାମ ବୋଲି ଅଭିଯୋଗ କରନ୍ତି, ତାହାକୁ ଚେଲେଞ୍ଜ ଭୋଟ କୁହାଯାଏ । କିନ୍ତୁ ଏଥିସକାଶେ ଯଦି ନିର୍ଦ୍ଦିଷ୍ଟ ଟଙ୍କା ଯମା ରଖାଯାଏ, ତେବେ ଅଭିଯୋଗଟି ବିଚାରାଧୀନ ରହେ । ଅନ୍ୟଥା ମୌଖିକ ଅଭିଯୋଗ ଗୃହୀତ ହୁଏନାହିଁ । କାର୍ଯ୍ୟଟିକୁ ଅଧିକ ତ୍ୱରାନ୍ୱିତ କରିବାପାଇଁ ଭୋଟଦାନ ସମୟରେ ଏପରି କେତେକ ବ୍ୟବସ୍ଥା ରଖାଯାଇଛି ।

 

ଅଫିସରମାନଙ୍କର ସାମୟିକ ସୁବିଧା ଅସୁବିଧା ବୁଝିବାପାଇଁ ଏବଂ ସର୍ବୋପରି ସେମାନଙ୍କର ନିରାପତ୍ତା ସକାଶେ ଦଳେ ପୁଲିସ୍‌ ଓ ପୁଲିସ୍‌ ଅଫିସର, ବି.ଡ଼ି.ଓ, ଆର୍‍, ଡ଼ି. ଓ. ପ୍ରଭୃତି ଅଫିସରମାନେ ମୁହୁର୍ମୂହୁ କାର ଓ ଜୀପ୍‌ରେ ଭୋଟକେନ୍ଦ୍ରକୁ ଆସି ପରିଦର୍ଶନ କରୁଥାନ୍ତି । ଏହାଛଡ଼ା ଏମାନଙ୍କର ରହିବାପାଇଁ ସମସ୍ତ ସୁବିଧା କରାଯାଇଥାଏ ଏବଂ ପ୍ରାଥମିକ ଚିକିତ୍ସାପାଇଁ କେତେ ଔଷଧ ମଧ୍ୟ ଦିଆଯାଇଥାଏ । ନିର୍ବାଚନ ସମୟରେ ଚବିଶଘଣ୍ଟା ପୂର୍ବରୁ ପ୍ରଚାର ବା କୌଣସି ଶାନ୍ତି ଭଙ୍ଗ ବେଆଇନ ହୋଇଥିବାରୁ ସାଧାରଣତଃ ଏହି ସମୟରେ ଅବସ୍ଥା ଶାନ୍ତି ଥାଏ । ନିର୍ବାଚନର ବହୁପୂର୍ବରୁ ବଡ଼ବଡ଼ ଅଭିଜ୍ଞ କର୍ମଚାରୀମାନେ ସଂପୃକ୍ତ ଅଫିସରମାନଙ୍କୁ ଏହି ସଂପର୍କରେ ତାଲିମ ଦିଅନ୍ତି । ଯେଉଁମାନେ ଏଥିରେ ନିୟମିତ ରୂପେ ଯୋଗ ଦେଇଥାନ୍ତି, ସେମାନଙ୍କ ପକ୍ଷରେ କୌଣସି ଅସୁବିଧା ସୃଷ୍ଟି ହୁଏନାହିଁ ।

 

ତା’ପରେ ସମସ୍ତଙ୍କ ସମାନାରେ ଭୋଟ ବାକ୍‌ସଟି ସିଲ୍‌ହୋଇ ଅଫିସକୁ ଗଲା ପର୍ଯ୍ୟନ୍ତ ଅଫିସରମାନେ ଦାୟିତ୍ୱରୁ ମୁକ୍ତ ନୁହନ୍ତି । ଭୋଟବାକ୍‌ସ ଧରି ଫେରିବା ସମୟରେ ସଶସ୍ତ୍ର ପୁଲିସ ସହାୟତାରେ ଆସିବାକୁ ହୁଏ ।

 

ବିଷୟଟି ଅତି ଦାୟିତ୍ୱପୂର୍ଣ୍ଣ ହେଲେ ମଧ୍ୟ ନିଯୁକ୍ତ ବ୍ୟକ୍ତିମାନଙ୍କ ପକ୍ଷରେ ଏହା ଗୋଟିଏ ସୁନ୍ଦର ବନ୍ଧୁମିଳନ । ଗୋଟିଏ କେନ୍ଦ୍ରରେ ଏକାଧିକ ଅନୁଷ୍ଠାନର କର୍ମଚାରୀ ମିଳିତ ହୋଇ କାର୍ଯ୍ୟ ନିର୍ବାହ କରନ୍ତି । ଏମାନଙ୍କ ମଧ୍ୟରେ ହୁଏତ ପୂର୍ବରୁ ବନ୍ଧୁତା ଥାଏ, ନତୁବା ସେଠାରେ ନୂତନ ବନ୍ଧୁତା ସ୍ଥାପିତ ହୁଏ । ଏହା ସେମାନଙ୍କ ପକ୍ଷରେ ଏକ ନୂତନ ସୁଯୋଗ । ଏଣୁ ଭୋଟ ଯେପରି ଦେଶର ଭାଗ୍ୟ ନିୟନ୍ତ୍ରଣ କରେ, ଭୋଟ କେନ୍ଦ୍ରଟି ମଧ୍ୟ ସେହିପରି କର୍ମଚାରୀମାନଙ୍କର କୌତୁହଳୋଦୀପକ ଅଟେ ।

Image

 

ଜାତୀୟ ସଂହତି

 

ଜାତି ଶବ୍ଦଟି ବିଭିନ୍ନ ସ୍ଥଳରେ ବିଭିନ୍ନ ଅର୍ଥରେ ବ୍ୟବହୃତ ହେଉଥିଲେ ମଧ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଯେଉଁ ଦେଶର ଅଧିବାସୀ ସେହି ଦେଶର ଜାତିରୂପେ ପରିଚିତ । ଅର୍ଥାତ୍‌ ଭାରତରେ ବାସ କରୁଥିବା ସବୁ ଶ୍ରେଣୀର ଅଧିବାସୀ ଏକ ଭାରତୀୟ ଜାତି । ଏତାଦୃଶ ବ୍ୟାପକ ଜାତି ବିଚାରରେ ସଂକୀର୍ଣ୍ଣ ସଂପ୍ରଦାୟ, ବର୍ଣ୍ଣ ବା ଭାଷାଗତ ଶ୍ରେଣୀବିଭାଗ ଅନ୍ତରାୟ ସୃଷ୍ଟି କରି ନପାରେ-। ମାହାତ୍ମା ଗାନ୍ଧୀ ଏହି ଜାତିବିଭାଗର ପୂର୍ଣ୍ଣ ସମର୍ଥକ ଥିଲେ । ଆମର ଆଲୋଚ୍ୟ ଜାତି ଏହି ଜାତିର ଅନ୍ତର୍ଗତ ।

 

ସଂହତି ଅର୍ଥ ସଂଘବଦ୍ଧ ଜୀବନ । ଉଲ୍ଲିଖିତ ଜାତିର ଏତାଦୃଶ ଆଦର୍ଶ ଜୀବନକୁ ଜାତୀୟ ସଂହତି କୁହାଯାଏ । ଯେଉଁ ଦେଶର ଜାତୀୟ ସଂହତି ଥାଏ, ସେହି ଦେଶବାସୀ ନିଜର ବ୍ୟକ୍ତିଗତ ସ୍ୱାର୍ଥ, ବାଦବିବାଦ ଓ ମାନ ସମ୍ମାନ ବଳିଦେଇ ଏକ ମନ ଓ ଏକ ପ୍ରାଣରେ ଦେଶ ବା ଜାତିର ଆହ୍ୱାନକୁ ସ୍ୱାଗତ କରନ୍ତି । ସେମାନଙ୍କ ମତରେ ଦେଶରେ ଏକତା ବା ଅଖଣ୍ଡତା ବାଧାପ୍ରାପ୍ତ ହେଲାପରି ଯେ କୌଣସି କାର୍ଯ୍ୟ କରିବା ଅମାନବିକତାର ପରିଚାୟକ । ‘‘ତ୍ୟଜେତ୍‌ କୁଳାର୍ଥେ ପୁରୁଷଂ, ଗ୍ରାମସ୍ୟାର୍ଥେ କୁଳଂ ତ୍ୟଜେତ୍‌’’ ଏହି ନୀତିକୁ ସର୍ବଦା ମହାମନ୍ତ୍ର ରୂପେ ପାଳନ କରନ୍ତି । ଯେଉଁ ଦେଶବାସୀର ମନୋଭାବ ଉନ୍ନତ ଓ ଦେଶାତ୍ମବୋଧୀ ସେହି ଦେଶର ଜାତୀୟ ସଂହତି କେବେ ବିପନ୍ନ ହୁଏନାହିଁ ।

 

ଅତୀତ ଭାରତ ଏହି ଗୌରବରେ ଗୌରବନ୍ୱିତ ଥିଲା । ସଭ୍ୟତା, ସଂସ୍କୃତି, ପରଂପରା, ଆଚାର ବ୍ୟବହାର, ଧର୍ମ ଓ ସାହିତ୍ୟ ସମସ୍ତଙ୍କର ସମାନ ଥିଲା । ବିଭିନ୍ନ କଥିତ ଭାଷାର ପ୍ରଚଳନ ଥିଲେ ମଧ୍ୟ ସେଗୁଡ଼ିକର କୌଣସି ପ୍ରାଧାନ୍ୟ ନଥିଲା । ଗୋଟିଏ ସ୍ୱତନ୍ତ୍ର ଶ୍ରେଣୀର ଭାଷା ଥିଲା ରାଜଭାଷା । ତାହା ଥିଲା ସାର୍ବଜନୀନ ଓ ଜନପ୍ରିୟ । ବିଭିନ୍ନ ଉଚ୍ଚ କୋଟିର ସାହିତ୍ୟ ଗ୍ରନ୍ଥ, ଧର୍ମଶାସ୍ତ୍ର ଓ ପୁରାଣ ପ୍ରଭୃତି ଏହି ଭାଷାରେ ରଚିତ ହେଉଥିଲା । ଏହି ଭାଷା ଥିଲା ଜାତୀୟ ସଂହତିର ପବିତ୍ର ବନ୍ଧନ । ‘‘ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ’’ ଏହି ଭାବ କାହାର ଊଣା ନ ଥିଲା । ମାତୃଭୂମିର ପ୍ରତି ଅଣୁ ପରମାଣୁ ପବିତ୍ର ଏବଂ ପ୍ରତି ପ୍ରାନ୍ତର ପ୍ରତି ବିନ୍ଦୁ ସ୍ୱର୍ଗଠାରୁ ବଡ଼ ବୋଲି ହିମାଳୟଠାରୁ କୁମାରିକା ପର୍ଯ୍ୟନ୍ତ ସମସ୍ତେ ଭାବୁଥିଲେ । ଫଳରେ ସେହି ସମୟରେ ଭାରତ ଏକ ଗୌରବୋଜ୍ଜ୍ୱଳ ଅଧ୍ୟାୟ ସୃଷ୍ଟି କରିଥିଲା ।

 

ଇତିହାସରୁ ଜଣାଯାଏ ଯେ, ଅଶୋକଙ୍କ ପରେ ଶାସକମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିରହିବା କାରଣରୁ ବେଳେବେଳେ ଭାରତର ଜାତୀୟ ସଂହତି ବିଶେଷ ବିପର୍ଯ୍ୟସ୍ତ ହୁଏ । ସେହି ସୁଯୋଗ ନେଇ ହୁଣ, କୁଶାଣ ପ୍ରଭୃତି କେତେ ବୈଦେଶିକ ଶକ୍ତି ବାରମ୍ବାର ଭାରତ ଆକ୍ରମଣ କରିଥିଲେ । ତଥାପି କି ଗୋଟିଏ ଅନ୍ତର୍ନିହିତ ଶକ୍ତି ସେତେବେଳେ କାମ କରୁଥିଲା କେଜାଣି, ଯାହା ବଳରେ ସେମାନେ ଭାରତରେ ରହି ଭାରତର ସଭ୍ୟତା ଓ ସଂସ୍କୃତି ଗ୍ରହଣ କରି ନିଜକୁ ଭାରତୀୟ ବୋଲି ପରିଚୟ ଦେଲେ ।

 

ତା’ପରେ ଗୁପ୍ତଯୁଗ କାଳୀନ ଭାରତର ଜାତୀୟ ସଂହତି ଏକ ଉଜ୍ଜ୍ୱଳ ଇତିହାସ ସୃଷ୍ଟି କରିଛି । ଆଜି ବିଶ୍ୱରେ ଭାରତୀୟ ସଭ୍ୟତାର ଯେଉଁ ସ୍ୱାତନ୍ତ୍ର୍ୟ ରହିଛି, ତାହାକୁ ଗୁପ୍ତଯୁଗର ଦାନ କହିଲେ ଅସମୀଚୀନ ହେବନାହିଁ । ଏହି ଆଦର୍ଶକୁ ଆଖି ଆଗରେ ରଖି ଦେଶ ବା ଜାତି ଗଠନ କରାଗଲେ ଦେଶରେ ଜାତୀୟ ସଂହତିର ଅଭାବ ଘଟିବ ନାହିଁ । ଏହିପରି ଅତୀତ ଭାରତ ବିଭିନ୍ନ ସମୟ ଓ ବିଭିନ୍ନ ଅବସ୍ଥାରେ ବହୁ ଉତ୍‌ଥାନ ପତନର ମଧ୍ୟଦେଇ ଗତି କରିଥିଲେ ମଧ୍ୟ ତାହାର ମୌଳିକ ଚିନ୍ତାଧାରା ଅପରିବର୍ତ୍ତତ ଥିଲାପରି ଜଣାଯାଏ । କେବଳ ଭାରତ ନୁହେ, ସେହି ସମୟରେ ପୃଥିବୀର ଅନ୍ୟ କୌଣସି ଦେଶରେ ଆଭ୍ୟନ୍ତରୀଣ ବ୍ୟାପାର ଓ ମୌଳିକ ଚିନ୍ତାଧାରା ମଧ୍ୟ ସହଜରେ ବାହ୍ୟ ପ୍ରଭାବଦ୍ୱାରା ପ୍ରଭାବିତ ହେଉ ନଥିଲା । ବର୍ତ୍ତମାନର ନୂତନ ଚିନ୍ତାଧାରା ପ୍ରଳୟକାଳୀନ ଝଡ଼ପରି ଦ୍ରୁତବେଗରେ ପ୍ରବାହିତ ହେବାଯୋଗୁଁ ସଭ୍ୟତା ଓ ରାଜନୀତିରେ ମୁହୁର୍ମୁହୁ ପରିବର୍ତ୍ତନ ପରିଲକ୍ଷିତ ହୁଏ । ଏହି ସଭ୍ୟତା କେବଳ ତୁଳସୀ ପତ୍ର ନୁହେ କିମ୍ବା କେବଳ ବୁଛିଆତି ନୁହେ । ଏଥିରେ ବିଶ୍ୱପ୍ରେମ ରହିଛି । ଏହାଦ୍ୱାରା ଜାତି, ଧର୍ମ, ଭାଷା ଭଳି ସଂକୀର୍ଣ୍ଣ ସ୍ୱାର୍ଥ ନେଇ ମଧ୍ୟ କନ୍ଦଳ ସୃଷ୍ଟି ହୁଏ । ଯେଉଁମାନଙ୍କର ଏ ସମସ୍ତ ସୁବିଧା ରହିଛି, ହୁଏ ତ’ ସେମାନଙ୍କର ଜାତୀୟ ସଂହିତ ସହଜରେ ବିପନ୍ନ ହୁଏନାହିଁ । କିନ୍ତୁ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଏଥିରେ ଅଭ୍ୟସ୍ତ ହେବାକୁ ପଡ଼ିବ ଏବଂ ସକଳ ପ୍ରକାର ମୂଲ୍ୟ ଦେଇ ଜାତୀୟ ସଂହତି ରକ୍ଷା କରିବାକୁ ପଡ଼ିବ ।

 

ଅବଶ୍ୟ ଭାଷା, ଧର୍ମ ଓ ସଂପ୍ରଦାୟ ଏକ ହେଲେ ସହଜରେ ଜାତୀୟ ସଂହତି ବିପନ୍ନ ହୁଏନାହିଁ ସତ; ତଥାପି ଏହି ଯୁଗରେ ଏହା ଆଉ ଉଚ୍ଚସ୍ତରର ଚିନ୍ତା ନୁହେ, ପୁଣି ଏଥିପାଇଁ ଏହାକୁ ଅନିବାର୍ଯ୍ୟ କାରଣରୂପେ ଧରାଯାଇ ନପାରେ । ବହୁ ଭାଷାଭାଷୀ ଓ ବହୁ ବର୍ଣ୍ଣର ଦେଶ ହେଲେ ମଧ୍ୟ ଋଷିଆରେ ଦୃଢ଼ ଜାତୀୟ ସଂହତି ରହିଛି । ଅଥଚ ଆୟାରଲ୍ୟାଣ୍ଡ ଏକ ଭାଷାଭାଷୀ ଓ ଏକ ସଂପ୍ରଦାୟର ଦେଶ ହେଲେ ମଧ୍ୟ ଦକ୍ଷିଣ ଓ ଉତ୍ତର ଆୟାରଲ୍ୟାଣ୍ଡ ମଧ୍ୟରେ ପ୍ରବଳ ଶତ୍ରୁତା ରହିଛି । ସବୁ ସତ୍ତ୍ୱେ କାଳ୍ପନିକ ଚିନ୍ତା ଛାଡ଼ି ବାସ୍ତବ ଚିନ୍ତା କରିବାକୁ ହେବ । ଭାରତ ବହୁ ଦିନରୁ ଗୋଟିଏ ବହୁ ଭାଷାଭାଷୀ, ବହୁମତାଲମ୍ବୀ ଓ ବହୁବର୍ଣ୍ଣର ଦେଶ । ଏଣୁ ଯେଉଁ ନୀତିଦ୍ୱାରା ଏହାର ସଂହତି ସୁରକ୍ଷିତ ହେବ, ସେହି ଦୃଷ୍ଟିରଖି କାମ କରିବା ସମସ୍ତଙ୍କର କର୍ତ୍ତବ୍ୟ ।

 

ଭାରତ ଏକ ବହୁ ଭାଷାଭାଷୀ ଦେଶ । ଏଣୁ ଏଠାରେ ଗୋଟିଏ ପ୍ରଧାନ ଭାଷାଭାଷୀ ଅଞ୍ଚଳକୁ ନେଇ ଗୋଟିଏ ଗୋଟିଏ ରାଜ୍ୟ ଗଠିତ ହୋଇଛି । ଏହାକୁ ଭାଷାସୂତ୍ରରେ ରାଜ୍ୟଗଠନ କୁହାଯାଏ । ଶାସନ ଓ ଦେଶବାସୀଙ୍କର ସୁବିଧାସକାଶେ ଏହି ନୀତି ଅବଲମ୍ବନ କରାଯାଇଛି । ଏଣୁ କାଳକ୍ରମେ ଏହା ଯେପରି ମତଭେଦର କାରଣ ନହୁଏ, ସେଥିପ୍ରତି ଅବହିତ ହେବା ପ୍ରତ୍ୟେକ ଦେଶବାସୀର କର୍ତ୍ତବ୍ୟ । ରାଷ୍ଟ୍ରାଭାଷା ସମସ୍ୟାଦ୍ୱାରା ମଧ୍ୟ ବେଳେବେଳେ ଜାତୀୟ ସଂହତି କ୍ଷୁଣ ହେଲାପରି କେତେ ଘଟଣା ଘଟିଯାଏ । ଏଡ଼େବଡ଼ ଦେଶରେ ଆତ୍ମମର୍ଯ୍ୟାଦା ରକ୍ଷା ଦୃଷ୍ଟିରୁ ଦେଶର ଗୋଟିଏ ଭାଷା ଯେ ରାଷ୍ଟ୍ରଭାଷା ହେବା ଉଚିତ, ଏଥିରେ କାହାରି ମତଦ୍ୱୈଧ ନାହିଁ । ତଥାପି ‘‘ହିନ୍ଦି’’ ରାଷ୍ଟ୍ରାଭାଷା ହେବା ବିରୁଦ୍ଧରେ କେତେକ ମତ ଦିଅନ୍ତି । ଋଷିଆରେ ଅସଂଖ୍ୟ ଭାଷାର ପ୍ରଚଳନ ଥିଲେ ମଧ୍ୟ ଅର୍ଦ୍ଧାଧିକ ଲୋକ କହୁଥିବା ଋଷଭାଷାକୁ, ରାଷ୍ଟ୍ରାଭାଷାରୂପେ ଗ୍ରହଣ କରାଯାଇଛି । ଯଦି ଏହା ସମ୍ଭବ ନହୁଏ, ତେବେ ଅନ୍ୟ ଏକ ‘‘ସର୍ବ ଭାରତୀୟ ଭାଷା’’ କୁ ଏହି ସ୍ଥାନରେ ଗ୍ରହଣ କରାଯାଇ ପାରେ । ପୃଥିବୀର ବଡ଼ ସଭ୍ୟଜାତି ଇହୁଦିମାନେ ‘‘ହିବୃ’’ ଭାଷାଭଳି ଏକ ପୁରାତନ ଭାଷାକୁ ନିଜର ରାଷ୍ଟ୍ରାଭାଷା ରୂପେ ଗ୍ରହଣ କରି ନିଜକୁ ଗୌରବାନିତ ମନେ କରନ୍ତି । ଯାହାହେଉ, ଯେ କୌଣସି ଗୋଟିଏ ଭାରତୀୟ ଭାଷାକୁ ରାଷ୍ଟ୍ରଭାଷା ରୂପେ ଗ୍ରହଣ କରି ଭାରତର ଜାତୀୟ ସଂହତି ଅଧିକ ସୁଦୃଢ଼ କରିବା ସମସ୍ତଙ୍କର କର୍ତ୍ତବ୍ୟ ।

 

ବର୍ତ୍ତମାନ ଭାରତରେ ଯେଉଁ ବିଭିନ୍ନ ସେନାବଳ ଗଠିତହୁଏ, ସେମାନଙ୍କର ସକଳ ଶକ୍ତି ଯଦି ଜାତୀୟ ସଂହତିରେ ବିନିଯୋଗ କରାଯାଏ, ତାହା ଦେଶପକ୍ଷରେ ଏକ ସୌଭାଗ୍ୟର ବିଷୟ ହେବ । କେବଳ ସେତିକ ନୁହେ, ବିଭିନ୍ନ ରାଜନୈତିକ ଦଳ, ସବୁ ଭାଷାଭାଷୀ, ଧର୍ମ ଓ ସଂପ୍ରଦାୟ ସମସ୍ତଙ୍କର ଜାତୀୟ ସଂହତି ବାଧାପ୍ରାପ୍ତ ହେଲାପରି କୌଣସି କାର୍ଯ୍ୟ କରିବା ଉଚିତ ନୁହେ । ଜାତୀୟ ସଂହତି ଉପରେ କେବଳ ଦେଶର ଉନ୍ନତି ନିର୍ଭର କରେ । ଏହାଦ୍ୱାରା ଦେଶ ଶକ୍ତିଶାଳୀ ହୁଏ ଏବଂ ଯେ କୌଣସି କଠିନ କାର୍ଯ୍ୟ ମଧ୍ୟ ସାଧିତ ହୋଇପାରେ । ‘‘ସଂହତିଃ କାର୍ଯ୍ୟ ସାଧିକା’’ ‘‘ଯୋଡାକୁ ଘୋଡ଼ା ସରିନୁହେ’’ ପ୍ରଭୃତି ଏହା ସପକ୍ଷରେ ଅନେକ ନୀତିବାକ୍ୟ ଅଛି । ଏହାର ସୁଫଳ ଦେଶବାସୀ କେବଳ ଭୋଗକରନ୍ତି ।

 

ସଂହତି ଅସଂହତିର ଫଳାଫଳର ଦୃଷ୍ଟାନ୍ତ ମଧ୍ୟ ବିରଳ ନୁହେ । କ୍ଷୁଦ୍ର ବିଲାତ ଦ୍ୱୀପ ପୃଥିବୀରେ ସଂହତିର ପରମ ଆଦର୍ଶ ଅଟେ । ଏହି ସଂହତି ଯୋଗୁଁ ସେ ସବୁ ପ୍ରତିଯୋଗିତାରେ ଜୟଯୁକ୍ତ ହୁଏ । ବଳବାନ୍‌ ରାଜ୍ୟଗୁଡ଼ିକ ଧର୍ମ, ଶିକ୍ଷା, ସଂସ୍କୃତି ସକଳ ଦିଗରୁ ଏକ ହେଲେ ମଧ୍ୟ କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ପରସ୍ପରଠାରୁ ବିଚ୍ଛିନ୍ନ ହେଲେ । ସେମାନେ ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟିରେ ନଗଣ୍ୟ ଏବଂ ଅବହେଳିତ । ନିଜର ଅତୀତ ଦୋଷରୁ ଏହା ଘଟିବା କଥା ସେମାନେ ଜାଣିଲେ ମଧ୍ୟ ପ୍ରତିକାରର ଉପାୟ ନାହିଁ । ‘‘ଆପଣା ଦୋଷେ ପ୍ରାଣୀ ମରେ’’ ନୀତିରେ ଏପରି ଘଟଣା ଘଟେ । ଏଣୁ ଜାତୀୟ ସଂହତି କ୍ଷୁଣ୍ଣ ହେଲାପରି ପାପକାର୍ଯ୍ୟରେ ଲିପ୍ତ ହେବା ଆଦୌ ଉଚିତ ନୁହେ । ଏହାଦ୍ୱାରା କେବଳ ବ୍ୟକ୍ତିତ୍ୱର ବିକାଶ ଘଟେ ଓ ଦେଶ ସମ୍ମାନିତ, ସୁଖୀ ଓ ସମୃଦ୍ଧିଶାଳୀ ହୁଏ ।

Image

 

ବାଣିଜ୍ୟ

 

ବାଣିଜ୍ୟ ଅର୍ଥ ମୁଦ୍ରା ବିନିମୟରେ ପଦାର୍ଥର କ୍ରୟ ବିକ୍ରୟ । ଅତୀତରେ ବାଣିଜ୍ୟ ଥିଲା, ବର୍ତ୍ତମାନ ରହିଛି, ଭବିଷ୍ୟତରେ ମଧ୍ୟ ରହିବ । ଏହା ମାନବ ସମାଜର ଗୋଟିଏ ଅଙ୍ଗ । ଏଣୁ ସମାଜର ଉତ୍‌ଥାନ ପତନ ସଙ୍ଗେ ଏହାର ମଧ୍ୟ ପରିବର୍ତ୍ତନ ଘଟୁଥାଏ । ଆଦିମ ଯୁଗରେ ପଦାର୍ଥ ବିନିମୟରେ ବାଣିଜ୍ୟ କାରବାର ହେଉଥିଲା । ଏଣୁ ଏହା ସେପରି ଉନ୍ନତ ବା ସୁବିଧାଜନକ ନଥିଲା । କିନ୍ତୁ ମୁଦ୍ରା ଆବିଷ୍କୃତ ହେବାପରେ ବାଣିଜ୍ୟର ଯଥେଷ୍ଟ ଉନ୍ନତି ଘଟିଛି । ବାଣିଜ୍ୟ ବିଶେଷ ଲାଭଜନକ । ଏଣୁ କୁହାଯାଏ ‘‘ବାଣିଜ୍ୟେ ବସତେ ଲକ୍ଷ୍ମୀଃ’’, ବାଣିଜ୍ୟ ଲକ୍ଷ୍ମୀଙ୍କର ଆଳୟ ଅର୍ଥାତ୍‌ ଧନାଗମର ପ୍ରଧାନ ପନ୍ଥା ।

 

ବାଣିଜ୍ୟକୁ ଅନ୍ତର୍ବାଣିଜ୍ୟ ଓ ବହିର୍ବାଣିଜ୍ୟ ଏହିପରି ଦୁଇ ଭାଗରେ ବିଭକ୍ତ କରାଯାଇପାରେ । ଯେଉଁ ବାଣିଜ୍ୟ ଦେଶ ମଧ୍ୟରେ ହୁଏ, ତାହାକୁ ଅନ୍ତର୍ବାଣିଜ୍ୟ ଏବଂ ଯାହା ବିଦେଶ ସହିତ ହୁଏ, ତାହାକୁ ବହିର୍ବାଣିଜ୍ୟ କୁହାଯାଏ । ଉଭୟ ବାଣିଜ୍ୟର ପ୍ରାଧାନ୍ୟ ସମାନ । ଯେ କୌଣସି ଗୋଟିକର ଅଭାବରେ ଦେଶର ଅବସ୍ଥା ଅଚଳ ହେବାର ସମ୍ଭାବନା ରହିଛି । ଅନ୍ତର୍ବାଣିଜ୍ୟଦ୍ୱାରା ଦେଶର ଆର୍ଥିକ ଅବସ୍ଥା ଓ ଖାଦ୍ୟ ସମସ୍ୟାରେ ଉନ୍ନତି ଘଟେ; କିନ୍ତୁ ବହିର୍ବାଣିଜ୍ୟଦ୍ୱାରା ଦେଶ ବିଶେଷ ଲାଭବାନ୍‌ହୁଏ ।

 

ସାଧାରଣତଃ ଦେଶ ମଧ୍ୟରେ ସବୁସ୍ଥାନରେ ସବୁ ପଦାର୍ଥ ସମାନ ଭାବରେ ଉତ୍ପନ୍ନ ହୁଏନାହିଁ । ଗୋଟିଏ ସ୍ଥାନରେ ଗୋଟିଏ ପଦାର୍ଥ ପ୍ରଚୁର ପରିମାଣରେ ଉତ୍ପନ୍ନ ହେବାସ୍ଥଳେ ଅନ୍ୟତ୍ର ତାହାର ଅଭାବ ଘଟେ । ଏଣୁ ଏହାର ବିନିମୟ ନ ଘଟିଲେ ଉଭୟ ଅଞ୍ଚଳ ଅସୁବିଧାରେ ପଡ଼ନ୍ତି । ପଞ୍ଜାବ ଓ ଉତ୍ତର ପ୍ରଦେଶରେ ପ୍ରଚୁର ଗହମ ଉତ୍ପନ୍ନ ହେଉଥିବାସ୍ଥଳେ ବଙ୍ଗଳାରେ ଅଧିକ ଧାନ ଓ ଝୋଟ, କେରଳରେ ଅଧିକ ମସଲା ଜିନିଷ ଓ ନଡ଼ିଆ, ଆସାମରେ ଚା ଉତ୍ପନ୍ନ ହୁଏ । କେବଳ ସେତିକି ନୁହେ ମାଳଭୂମିଗୁଡ଼ିକରେ ଯେଉଁ ଖନିଜ ପଦାର୍ଥ, ବନଜାତ ଦ୍ରବ୍ୟ ମିଳେ, ତାହା ଅତି ମୂଲ୍ୟବାନ୍‍ । ଏଗୁଡ଼ିକ ଉତ୍କୃଷ୍ଟ କଞ୍ଚାମାଲ । ଏହାଦ୍ୱାରା ଦେଶରେ ବଡ଼ବଡ଼ ଜଳ କାରଖାନା ଚଳେ ଏବଂ ବୈଦେଶିକ ବାଣିଜ୍ୟପାଇଁ ଏହା ନିତାନ୍ତ ଆବଶ୍ୟକ । ଅଥଚ ଏହି ଅଞ୍ଚଳର ଲୋକମାନେ କେତେକ ଖାଦ୍ୟ ପଦାର୍ଥ ଓ ବସ୍ତ୍ରପାଇଁ ଅନ୍ୟ ଉପରେ ନିର୍ଭର କରନ୍ତି । ଏଣୁ ପଦାର୍ଥ ଗୁଡ଼ିକର ଅବାଧ ବିନିମୟ ହେବା ଫଳରେ ଅଭାବଗ୍ରସ୍ତ ଅଞ୍ଚଳର ଲୋକଙ୍କର ସୁବିଧା ହୁଏ ଏବଂ ଉତ୍ପାଦକକାରୀମାନେ ନିଜ ପରିଶ୍ରମର ଫଳ ପାଇ ଉତ୍ସାହିତ ହୁଅନ୍ତି ।

 

ଅତୀତରେ ଲଦନ ସାହାଯ୍ୟରେ ବା ଶଗଡ଼ରେ ଅନ୍ତର୍ବାଣିଜ୍ୟ ଚଳୁଥିଲା । ସେତେବେଳେ ଯାତାୟାତ ପଥର ବିଶେଷ ସୁବିଧା ନଥିଲା ଏବଂ ଯାନବାହନର ବହୁଳ ପ୍ରସାର ନଥିଲା । ବର୍ତ୍ତମାନ ଜାଲପରି ସଡ଼କଗୁଡ଼ିକ ବିଭିନ୍ନ ସ୍ଥାନ ସହିତ ସଂଯୁକ୍ତ ଏବଂ ଯାନବାହନର ବହୁଳ ପ୍ରସାର ନଥିଲା । ବର୍ତ୍ତମାନ ଜାଲପରି ସଡ଼କଗୁଡ଼ିକ ବିଭିନ୍ନ ସ୍ଥାନ ସହିତ ସଂଯୁକ୍ତ ଏବଂ ଯାନ ବାହନର ବାହୁଲ୍ୟଯୋଗୁଁ ଅନ୍ତର୍ବାଣିଜ୍ୟ ମଧ୍ୟ ବିଶେଷ ସୁବିଧାରେ ଚଳେ । ବେଶି ଦୂର ସ୍ଥାନମାନଙ୍କ ସହିତ ମାଲଗାଡ଼ିରେ, ଜଳପଥର ସୁବିଧା ଥିବା ସ୍ଥଳସହିତ ନୌକା ବା ଜାହାଜରେ ଏବଂ ଅପେକ୍ଷାକୃତ ନିକଟବର୍ତ୍ତୀ ସ୍ଥାନ ସହିତ ଟ୍ରକରେ ବାଣିଜ୍ୟ କାରବାର ହୁଏ । ଏଣୁ ବର୍ତ୍ତମାନ ଆଉ କୌଣସି ସ୍ଥାନରେ କୌଣସି ପଦାର୍ଥ ନଷ୍ଟ ହେଉ ନାହିଁ ବା କାହାର କୌଣସି ଅଭାବ ହେଉ ନାହିଁ । ବର୍ତ୍ତମାନ ବାଣିଜ୍ୟର ସୁବିଧା ଦୃଷ୍ଟିରୁ ଆଉ ଦେଶ ଭିତରେ କୌଣସି ସ୍ଥାନରେ ନଅଙ୍କର ପୁନରାବୃତ୍ତିର ଆଶଙ୍କା ମଧ୍ୟ ରହେନାହିଁ ।

 

ବହିର୍ବାଣିଜ୍ୟ ସାଧାରଣତଃ ଜାହାଜଦ୍ୱାରା ହୁଏ । ବଡ଼ବଡ଼ ମାଲବାହୀ ଜାହାଜଗୁଡ଼ିଜରେ ଅତ୍ୟଧିକ ପଦାର୍ଥ ରତ୍ପାନି କରାଯାଇ ପାରେ, ପୁଣି ଜଳପଥଗୁଡ଼ିକ ଅପେକ୍ଷାକୃତ ସରଳ । ଏଣୁ ଏହି ବାଣିଜ୍ୟ ବିଶେଷ ଲାଭଜନକ ଓ ବିଶେଷ ସୁବିଧାରେ ମଧ୍ୟ ଚଳେ । ଅବଶ୍ୟ ଭାରତ ଓ ପାକିସ୍ଥାନ ଭଳି ପଡ଼ୋଶୀ ଦେଶଗୁଡ଼ିକରେ ମାଲଗାଡ଼ିଦ୍ୱାରା ବାଣିଜ୍ୟ ହୁଏ । ତଥାପି ଏଥିରେ ସେଭଳି ଉଲ୍ଲେଖ ଯୋଗ୍ୟ ଲାଭ ବା ସୁବିଧା ନଥାଏ । ଯେଉଁ ଦେଶରେ ପ୍ରଚୁର କଞ୍ଚାମାଲ ମିଳେ ଏବଂ ଯେଉଁ ଦେଶ ଶିଳ୍ପପ୍ରଧାନ, ସେହି ଦେଶ ବାଣିଜ୍ୟରେ ବିଶେଷ ଲାଭବାନ୍‌ ହୁଏ । ଆମେରିକା ସକଳ ଦିଗରୁ ସ୍ୱାବଲମ୍ବୀ ଓ ବିଭବଶାଳୀ । ଏଣୁ ସେ ଆଜି ପୃଥିବୀର ବିଭିନ୍ନ ସ୍ଥାନକୁ ବହୁ କଞ୍ଚାମାଲ, ଶିଳ୍ପଜାତ ଦ୍ରବ୍ୟ, ଖାଦ୍ୟ ପଦାର୍ଥ ଓ ନାନାପ୍ରକାର ସାମରିକ ସରଞ୍ଜାମ ରତ୍ପାନିକରି ବହୁ ଅର୍ଥ ଉପାର୍ଜନ କରେ । ଏଣୁ ସେ ଆଜି ପୃଥିବୀରେ ଅଳକାପୁରୀ । ଶିଳ୍ପପ୍ରଧାନ ଯୋଗୁଁ ଇଉରୋପ ଦେଶଗୁଡ଼ିକ ବାଣିଜ୍ୟରେ ଶୀର୍ଷସ୍ଥାନ ଲାଭ କରିଛନ୍ତି । ଏହି ବାଣିଜ୍ୟଯୋଗୁ ଇଉରୋପୀୟମାନେ ପୃଥିବୀରେ ବହୁ ଉପନିବେଶ ସ୍ଥାପନ କରିଥିଲେ । ନୌବଳରେ ବଳୀୟାନ୍‌ ହୋଇଥିବା ଯୋଗୁଁ କ୍ଷୁଦ୍ର ଇଂଲାଣ୍ଡସାମ୍ରାଜ୍ୟରେ ସୂର୍ଯ୍ୟଙ୍କର ଉଦୟ ଅସ୍ତ ନଥିଲା । ବର୍ତ୍ତମାନ ସୁଦ୍ଧା ବିଲାତ ଓ ଯାପାନ ପୃଥିବୀରେ ନୌବଳରେ ପ୍ରସିଦ୍ଧ ।

 

ବାଣିଜ୍ୟର ଉନ୍ନତିପାଇଁ ଆବଶ୍ୟକ ପ୍ରଚୁର କଞ୍ଚାମାଲ, ଉନ୍ନତ ଶିଳ୍ପ କୌଶଳ ଓ ସୁନ୍ଦର ପ୍ରାକୃତିକ ପୋତାଶ୍ରୟ ଓ ନୌବଳ । ଇଉରୋପରେ ଏ ସବୁର ବିଶେଷ ସୁବିଧା ରହିଛି । ଏଣୁ ଇଉରୋପୀୟମାନେ ବାଣିଜ୍ୟରେ ଉଲ୍ଲେଖଯୋଗ୍ୟ ଅଗ୍ରଗତି କରି ପାରିଛନ୍ତି ।

 

ପ୍ରାଚୀନ ଭାରତ ବାଣିଜ୍ୟରେ ଏକ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥିଲା । ସେ ସ୍ଥଳପଥ ଓ ଜଳପଥରେ ମଧ୍ୟ-ଏସିଆ, ମିଶର, ଇଉରୋପ, ସିଂହଳ, ଚୀନ ଓ ଯାପାନ ପ୍ରଭୃତି ପୃଥିବୀର ବିଭିନ୍ନ ରାଷ୍ଟ୍ର ସହିତ ବାଣିଜ୍ୟ କରୁଥିଲା । ଏଥିରେ କଳିଙ୍ଗ ଓ ତାମିଲ ପ୍ରଥମ ସ୍ଥାନ ଅଧିକାର କରିଥିଲେ । କିନ୍ତୁ ବହୁଦିନ ପର୍ଯ୍ୟନ୍ତ ଭାରତ ପରାଧୀନ ହେବାଫଳରେ ଅନ୍ୟାନ୍ୟ ସଭ୍ୟତା ସହିତ ବାଣିଜ୍ୟର ମଧ୍ୟ ପତନ ଘଟିଥିଲା । ବର୍ତ୍ତମାନ ସ୍ୱାଧୀନ ଭାରତ ଏହାର ପୁନରୁଦ୍ଧାର ପାଇଁ ଆପ୍ରାଣ ଚେଷ୍ଟା କରୁଛି । ଏଠାରେ ବହୁତ ବୃହତ୍‌ ଓ କ୍ଷୁଦ୍ରଶିଳ୍ପ ସ୍ଥାପିତ ହେଉଛି ଏବଂ ପୁରାତନ ବନ୍ଦରଗୁଡ଼ିକର ସଂପ୍ରସାରଣ ମଧ୍ୟ କରାଯାଉଛି । ନୌବଳରେ ମଧ୍ୟ ସ୍ୱାବଲମ୍ବୀ ହେବାପାଇଁ ଭାରତ ପକ୍ଷରୁ ଉଦ୍ୟମ ଚାଲିଛି । ଏଠାରେ ଅଧିକରୁ ଅଧିକ କଞ୍ଚାମାଲ ମଧ୍ୟ ସଂଗୃହୀତ ହେଉଛି । ଖାଦ୍ୟଭାବର ଚାପ ବାଣିଜ୍ୟ ଉପରେ ପଡ଼େ; ଏଣୁ ଉତ୍ପାଦନର ଅଭିବୃଦ୍ଧିପାଇଁ ମଧ୍ୟ ଯତ୍‌ପରୋନାସ୍ତି ପରିଶ୍ରମ କରାଯାଉଛି । ବର୍ତ୍ତମାନ ତାହାର ଏହି ଉଦ୍ୟମ ବହୁକ୍ଷେତ୍ରରେ ସଫଳ ହେଲାଣି । ଅଳ୍ପଦିନ ମଧ୍ୟରେ ଭାରତ ମଧ୍ୟ ଅନ୍ୟ ଉନ୍ନତ ରାଷ୍ଟ୍ରମାନଙ୍କ ସହିତ ଏହି କ୍ଷେତ୍ରରେ ସମାନ ଆସନ ପାଇବାର ସମ୍ଭାବନା ରହିଛି ।

 

ବର୍ତ୍ତମାନ ବିଶ୍ୱର ଅବସ୍ଥା ଯାହା, ଏଥିରେ କୌଣସି ଦେଶ ପକ୍ଷରେ ବାଣିଜ୍ୟ ନ କରି ରହିବା ସମ୍ଭବ ନୁହେ । ଯେଉଁ ଦେଶ ଏଥିରେ ବିଫଳ ହୁଏ, ସେ ସର୍ବଦା ପଛରେ ଥାଏ। ବାଣିଜ୍ୟର ଉନ୍ନତିପାଇଁ ଆବଶ୍ୟକ ପ୍ରଚୁର ବୈଦେଶିକ ମୁଦ୍ରା । ରପ୍ତାନି ବାଣିଜ୍ୟର ଅଭିବୃଦ୍ଧିକରି ଏହା ସଞ୍ଚୟ କରିବାକୁ ହୁଏ । ଏହିପରି ବହୁମୁଖୀ ଯୋଜନାଦ୍ୱାରା ବାଣିଜ୍ୟର ବିଶେଷ ଉନ୍ନତି ହୁଏ ।

Image

 

ଦୁର୍ଭିକ୍ଷ

 

ଅତିବୃଷ୍ଟି, ଅନାବୃଷ୍ଟି କିମ୍ବା କୌଣସି ପ୍ରାକୃତିକ ବିପଦ ଯୋଗୁଁ ଶସ୍ୟହାନି ଘଟିଲେ ଦେଶରେ ଖାଦ୍ୟାଭାବ ପଡ଼େ । ତାହାକୁ ଦୁର୍ଭିକ୍ଷ କହନ୍ତି । ଦୁର୍ଭିକ୍ଷ ଦୁର୍ଦ୍ଦିନର ଅଗ୍ରଦୂତ ଓ ପ୍ରଳୟର ବାର୍ତ୍ତାବହ । ପୁରାକାଳରୁ ବିଭିନ୍ନ ପୁରାଣ ଓ ଇତିହାସରେ ଏହାର ବିଭୀଷିକା ବର୍ଣ୍ଣିତ ହୋଇଅଛି ।

 

ସାଧାରଣତଃ ଅନାବୃଷ୍ଟି ଓ ଅତିବୃଷ୍ଟିଦ୍ୱାରା ଦୁର୍ଭିକ୍ଷ ପଡ଼େ । ‘‘ଜଳ ବିହୀନେ ପୃଥ୍ୱୀ ନାଶ’’ ବୋଲି କଥା ଅଛି । ଜଳାଭାବରୁ ଶସ୍ୟ କ୍ଷେତ୍ରଗୁଡ଼ିକ ଶୁଷ୍କ ମରୁଭୂମିପରି ଦେଖାଯାଏ । ପ୍ରଚଣ୍ଡ ସୂର୍ଯ୍ୟ କିରଣରେ କ୍ଷୁଦ୍ର ବୃକ୍ଷଲତାଗୁଡ଼ିକ ଶୁଖି ମୁରୁଜ ହୋଇଯାଏ ଓ ବଡ଼ବଡ଼ ବୃକ୍ଷଗୁଡ଼ିକ ମଧ୍ୟ ସନ୍ନିପାତ ରୋଗୀ ଶେଷ ନିଃଶ୍ୱାସ ତ୍ୟାଗ କଲାପରି ଦେଖାଯାନ୍ତି । ଏହି ସମୟରେ କେତେ ପ୍ରାଣୀ ଖଦ୍ୟାଭାବରେ ମରନ୍ତି ଓ କେତେ ଜଳାଭାବରେ ମଧ୍ୟ ପ୍ରାଣତ୍ୟାଗ କରନ୍ତି । ଏହି ସମୟରେ ଚତୁର୍ଦ୍ଦିଗରେ ହାହାକାର ପଡ଼ିଯାଏ ଓ ଦିଗ୍‌ବଳୟଗୁଡ଼ିକ ଅର୍ଦ୍ଧଦଗ୍‌ଧ ଶରୀରୀ ପରି ବିଭୀଷିକାର ବାର୍ତ୍ତା ପ୍ରେରଣ କରନ୍ତି । ଚିରସ୍ରୋତା ନଦୀ ଓ ସୁଗଭୀର ଜଳାଶୟଗୁଡ଼ିକ ମଧ୍ୟ ବାଲୁକାପ୍ରାନ୍ତର ପରି ଦେଖାଯାଏ ।

 

ଅନାବୃଷ୍ଟି ପରି ଅତିବୃଷ୍ଟି ମଧ୍ୟ ଦୁର୍ଭିକ୍ଷର କାରଣ ହୁଏ । ‘‘ଜଳଗହଳେ ପୃଥ୍ୱୀନାଶ’’ ବୋଲି କଥା ଅଛି । ଅତି ବୃଷ୍ଟିଦ୍ୱାରା ଦେଶ ବନ୍ୟାପ୍ଲାବିତ ହୁଏ । ଏହାଦ୍ୱାରା କେତେ ଶସ୍ୟକ୍ଷେତ୍ର ଭାଷିଯାଏ ଓ କେତେ କ୍ଷେତ୍ରରେ ବାଲିପଡ଼ି ଅକାମୀ ହୋଇଯାଏ । ପ୍ରବଳ ବନ୍ୟାରେ କେତେ ଗାଈଗୋରୁ ଓ ମନୁଷ୍ୟ ମଧ୍ୟ ପ୍ରାଣ ହରାନ୍ତି । କେତେ ସ୍ଥଳରେ ଘରଦ୍ୱାର ବା ଗାଁ ଗଣ୍ଡା ମଧ୍ୟ ଭାସିଯାଏ । ଏହିପରି ଅତିବୃଷ୍ଟିଦ୍ୱାରା ସବୁ ଦିଗରୁ ଅପୂରଣୀୟ କ୍ଷତି ହୁଏ । ଏଣୁ ଦୁର୍ଭିକ୍ଷ ପଡ଼େ ।

 

ଏହା ବ୍ୟତୀତ ପଙ୍ଗପାଳ ଦଳ, ମୂଷା ଓ ଏକ ଶ୍ରେଣୀର ପତଙ୍ଗଦ୍ୱାରା ମଧ୍ୟ ଦୁର୍ଭିକ୍ଷପଡ଼େ-। ପଙ୍ଗପାଳ ଦଳ ଏତେ ଅଧିକ ସଂଖ୍ୟାରେ ଆକାଶ ମାର୍ଗରେ ଉଡ଼ିଉଡ଼ି ଆସନ୍ତି ଯେ, ଏହି ଦଳ ଉଡ଼ିବା ସମୟରେ ଦୁର୍ଦ୍ଦିନର ମେଘପରି ଆକାଶ ଅନ୍ଧକାରାଚ୍ଛନ୍ନ ହୋଇଯାଏ । ଏଗୁଡ଼ିକ ବସିପଡ଼ିଲେ ମୁହୂର୍ତ୍ତକରେ ବୃକ୍ଷଲତାଗୁଡ଼ିକ ନରକଙ୍କାଳ ପରି ଦେଖାଯାଏ ଏବଂ ଏକ ବିଶାଳ ଶସ୍ୟକ୍ଷେତ୍ରରେ କଳାକନା ବୁଲିଯାଏ । ମୂଷାମାନଙ୍କଦ୍ୱାରା କିପରି ପ୍ରତିବର୍ଷ ବହୁତ ଶସ୍ୟ ନଷ୍ଟହୁଏ, ତାହା ପ୍ରତିବର୍ଷର ସରକାରୀ ରିପୋର୍ଟରୁ ଜଣାଯାଏ । ଏଗୁଡ଼ିକ ବିଲବାଡ଼ି ବଗିଚାରେ ଗାତକରି ସେଥିରେ ଲୁଚିରହି ଶସ୍ୟକ୍ଷେତ୍ର ନଷ୍ଟକରି ଦିଅନ୍ତି । ଏମାନେ ଅର୍ଦ୍ଧପକ୍ୱ ଶସ୍ୟଗୁଡ଼ିକ ନଷ୍ଟକରି ଦିଅନ୍ତି ଏବଂ ପକ୍ୱ ଶସ୍ୟଗୁଡ଼ିକ କାଟିନେଇ ଗର୍ତ୍ତ ମଧ୍ୟରେ ଭର୍ତ୍ତିକରି ରଖନ୍ତି । ପୁଣି ଦଳେ ପତଙ୍ଗ ଅଛନ୍ତି, ଯେଉଁଗୁଡ଼ିକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶସ୍ୟର ଅପକାରୀ । ଏଣୁ ଏଗୁଡ଼ିକୁ ଦୁର୍ଭିକ୍ଷ ପତଙ୍ଗ ଆଖ୍ୟା ଦେବା ସମୀଚୀନ ହେବ । ଏମାନେ ଦୁର୍ଭିକ୍ଷର ଅନ୍ୟ ଏକ କାରଣ । ଏହା ବ୍ୟତୀତ ବେଳେବେଳେ ଜଳସେଚନ ସୁବିଧା ନ ଥିବା ସ୍ଥଳରେ ଗୋଟେ ଯୋଡ଼େଅସ୍ରା ବର୍ଷା ଅପେକ୍ଷାରେ ଆୟ ହେବାକୁ ଯାଉଥିବା ଶସ୍ୟ ମଧ୍ୟ ନଷ୍ଟ ହୋଇଯାଏ । କୃଷକ ନିଜ ହାତରେ ଥିବା ଧନ ସାରିଦେଇ ବସିଥାଏ । ଏହିପରି ଅବସ୍ଥା ଘଟିଲେ କୃଷକକୁ ଉଭୟ ଦିଗରୁ କ୍ଷତି ସହ୍ୟ କରିବାକୁ ପଡ଼େ । ଏହାଦ୍ୱାରା ବ୍ୟାପକ ନ ହେଲେ ମଧ୍ୟ ଖଣ୍ଡପ୍ରଳୟ ପରି ଅବସ୍ଥା ସୃଷ୍ଟି ହୁଏ ।

 

ଦୁର୍ଭିକ୍ଷ ମାନବ ସଭ୍ୟତା ପ୍ରତି ଏକ ଆହ୍ୱାନ । ଏହାଦ୍ୱାରା ମନୁଷ୍ୟର ମାନବିକତା ଲୋପ ପାଇଯାଏ । ଏହି ସମୟରେ ମନୁଷ୍ୟ ପଶୁଠାରୁ ହୀନ ହୋଇଯାଏ, କେତେସ୍ଥଳରେ ସେ ପିଶାଚପରି ମଧ୍ୟ ଆଚରଣ କରେ । ‘‘ବୁଭୁକ୍ଷିତଃ କିଂ ନ କରୋତି ପାପମ୍‌’’ କ୍ଷୁଧାର୍ତ୍ତ ବ୍ୟକ୍ତି ସକଳ ପ୍ରକାର ଅପକର୍ମ କରିପାରେ । ଏହି ସମୟରେ ରୂପବନ୍ତ ନରନାରୀ ମଧ୍ୟ କାଙ୍ଗାଳ ପରି ଦେଖାଯାନ୍ତି । ଲୋକେ ଏପରି ହୃଦୟ ହୀନ, ନୀରସ ଓ ନିର୍ମମ ହୋଇଯାନ୍ତି ଯେ, ମାତା ସନ୍ତାନକୁ ଭୁଲିଯାଏ, ପ୍ରଭୁ ଦାସ ଏକ ହୋଇଯାନ୍ତି ଏବଂ ବୁଭୁକ୍ଷୁର ଆର୍ତ୍ତନାଦରେ ଦିଗ୍‌ବଳୟ ପ୍ରତିଧନିତ ହେଉଥାଏ । ଏହି ଦୃଶ୍ୟ ଦେଖି ପାଷାଣ ହୃଦୟ ମଧ୍ୟ ତରଳିଯାଏ ଏବଂ ନରକଙ୍କାଳମାନ ପୁରାଣବର୍ଣ୍ଣିତ ଶ୍ମଶାନବାସୀ ଭୂତପ୍ରେତଗୁଡ଼ିକ ନିଜରୂପ ଧାରଣ କରି ବିଚରଣ କଲାପରି ଦେଖାଯାନ୍ତି ବା ସତେ ଯେପରି ନିୟତି ଜଣାଇ ଦିଏ, ପୂର୍ଣ୍ଣିମା ଚନ୍ଦ୍ରର ନିର୍ମଳ ଜ୍ୟାତ୍ସାର ଅପର ପାର୍ଶ୍ୱ ଘନ ତମସାଚ୍ଛନ୍ନ ।

 

ପୂର୍ବେ ଦୁର୍ଭିକ୍ଷ ପଡ଼ିଲେ ଗୋଟିଏ ଗୋଟିଏ ଅଞ୍ଚଳ ଜନଶୂନ୍ୟ ହୋଇଯାଉଥିଲା । ବର୍ତ୍ତମାନ ସୁଦ୍ଧା ନଅଙ୍କ ଦୁର୍ଭିକ୍ଷର କରାଳ ଛାୟା ଇତିହାସରେ ଲିପିବଦ୍ଧ ହୋଇ ରହିଅଛି । ଅବଶ୍ୟ ଯାତାୟାତ ଓ ଯାନବାହନର ବିଶେଷ ସୁବିଧା ଥିବାରୁ ବର୍ତ୍ତମାନ ଅବସ୍ଥା ସେତେଶୋଚନୀୟ ହୁଏନାହିଁ; ତଥାପି ବାଘ ମୁହଁରୁ ରକ୍ଷା ପାଇବା ବ୍ୟକ୍ତିର ଗୋଟିଏ କ୍ଷତଚିହ୍ନ ରହିଲାପରି ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳରେ ଗୋଟିଏ ଚିହ୍ନ ରହିଯାଏ ।

 

ଦୁର୍ଭିକ୍ଷପୀଡ଼ିତ ଅଞ୍ଚଳକୁ ସରକାରୀଭାବରେ ଘୋଷଣା କରିବାପାଇଁ କିଛି ସମୟ ଅତୀତ ହୋଇଯାଏ । ସେହି ସମୟକୁ ଲୋକଙ୍କର ଧୈର୍ଯ୍ୟଚ୍ୟୁତି ହୋଇଯାଇଥାଏ ଏବଂ ଅବସ୍ଥା ଏପରି ଆକାର ଧାରଣ କରିଥାଏ ଯେ, ତାତିଲା ଲୁହାରେ ପାଣି ପଡ଼ିଲାପରି ସାହାଯ୍ୟ ଦାନ ବ୍ୟର୍ଥ ହୋଇଯାଏ । ଦଳେ ଖାଦ୍ୟାଭାବରୁ ପ୍ରାଣ ହରାନ୍ତି । ଯେଉଁମାନେ ନାନା ଅଖାଦ୍ୟ ଖାଇ ଜୀବନ ଧାରଣ କରିଥାନ୍ତି, କିଛି ଖାଇବାକୁ ପାଇଲେ ସେମଧ୍ୟରୁ କେତେ ନାନା ପ୍ରକାର ସଂକ୍ରାମକ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାନ୍ତି । ମୋଟ ଉପରେ ଦୁର୍ଭିକ୍ଷ କବଳରେ ପଡ଼ିବା ବ୍ୟକ୍ତିକୁ ରକ୍ଷା କରିବା ସହଜସାଧ୍ୟ ନୁହେ ।

 

ତଥାପି ରକ୍ଷା ପାଇଥିବା ଲୋକମାନଙ୍କର ପ୍ରାଣ ବଞ୍ଚାଇବାକୁ ସରକାର ତତ୍‌ପର ହୁଅନ୍ତି-। ହଠାତ୍‌ ବିଭିନ୍ନ ପ୍ରକାର ଧନ୍ଦାମୂଳକ ଯୋଜନା ଆରମ୍ଭ ହୋଇଯାଏ । ଏହି ସମୟରେ ରାସ୍ତାଘାଟ ଓ ବନ୍ଧ ପ୍ରଭୃତିର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଦୁର୍ଭିକ୍ଷ ପ୍ରପୀଡ଼ିତ ବ୍ୟକ୍ତି ମାନଙ୍କୁ ସେଥିରେ ନିଯୁକ୍ତ କରାଯାଏ । କୃଷିର ଉନ୍ନତିପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହୁଏ ଏବଂ ନାନା ଉପାୟରେ ଲୋକଙ୍କୁ ଋଣ ଦିଆଯାଏ । ବିଭିନ୍ନ ଦେଶରୁ ଖାଦ୍ୟପଦାର୍ଥ ଓ ଲୁଗାପଟା ସାହାଯ୍ୟ ଆସେ । ଅବସ୍ଥାର ସମ୍ମୁଖୀନ ହେବାପାଇଁ ଏପରି ସାହାଯ୍ୟ ମଧ୍ୟ ବିଶେଷ ସହାୟକ ହୁଏ । ତଥାପି ଚିହ୍ନଟି ସହଜରେ ଲିଭେ ନାହିଁ । ଏପରି ଅବସ୍ଥା ଘଟିଗଲେ ଦେଶବାସୀ ଓ ସରକାର ଏହାର ସ୍ଥାୟୀ ପ୍ରତିକାର ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତି ।

 

ସାଧାରଣତଃ କୃଷିପ୍ରଧାନ ଦେଶଗୁଡ଼ିକରେ ଦୁର୍ଭିକ୍ଷ ପଡ଼େ । ଏଣୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ହୀରାକୁଦ ଭଳି ଯୋଜନା ପ୍ରସ୍ତୁତ ହୁଏ । ଏହାଦ୍ୱାରା ଜଳ ସେଚନ ଓ ବନ୍ୟା ନିୟନ୍ତ୍ରଣ ଉଭୟ ଦିଗରେ ଉପକାର ହୁଏ । ଏହା ସାଙ୍ଗକୁ କ୍ଷୁଦ୍ର ଜଳସେଚନ ଯୋଜନା ଗୁଡ଼ିକ ମଧ୍ୟ କାର୍ଯ୍ୟକାରୀ କରାଯାଏ । କୃଷିର ସର୍ବାଙ୍ଗୀନ ଉନ୍ନତି ପାଇଁ ଆପ୍ରାଣ ଚେଷ୍ଟା ରହିବା ସଙ୍ଗେ ସଙ୍ଗେ ଖାଦ୍ୟ ପଦାର୍ଥ ଗୁଡ଼ିକ ଅଯଥା ନଷ୍ଟ ନ ହେଲାପରି ଦୃଷ୍ଟି ଦିଆଯାଏ ଏବଂ ସରକାର ମଧ୍ୟ ଏହିପରି ଆକସ୍ମିକ ବିପଦର ସମ୍ମୁଖୀନ ହେବାପାଇଁ ଖାଦ୍ୟପଦାର୍ଥ ସଂଗ୍ରହ କରି ରଖନ୍ତି । ପୁଣି ବିଶେଷଜ୍ଞମାନଙ୍କର ସାହାଯ୍ୟରେ ଅନ୍ୟାନ୍ୟ ପ୍ରାକୃତିକ ବିପଦର ପ୍ରତିକାର ପାଇଁ ମଧ୍ୟ ବ୍ୟବସ୍ଥା କରାଯାଏ । ଏଣୁ ଦେଶ ସହଜରେ ଦୁର୍ଭିକ୍ଷପୀଡ଼ିତ ହୁଏ ନାହିଁ । ତଥାପି ପ୍ରକୃତି ବଳୀୟାନ । ଏଣୁ ସବୁ କ୍ଷେତ୍ରରେ ତାହାକୁ କେବଳ ପ୍ରଥମ ସ୍ଥାନ ଦେବା ଉଚିତ ।

Image

 

କୃଷକ ଜୀବନ

 

କୃଷି ଯେଉଁମାନଙ୍କର ଜୀବିକା, ସେମାନଙ୍କୁ କୃଷକ କୁହାଯାଏ । ଭାରତ ଏକ କୃଷିପ୍ରଧାନ ଦେଶହେତୁ ଏଠାରେ ଅଧିକାଂଶ ଅଧିବାସୀ କୃଷିଜୀବୀ । ସେମାନେ ମଧ୍ୟ ଅନ୍ୟମାନଙ୍କ ପରି ସୁଖଶାନ୍ତି, ଆନନ୍ଦ ଉତ୍ସବ ଓ ବିଳାସ ବ୍ୟସନରେ ଜୀବନକୁ ଉପଭୋଗ କରନ୍ତି । ତଥାପି କର୍ମକ୍ଷେତ୍ରରେ ସେମାନେ ଅନ୍ୟମାନଙ୍କଠାରୁ ଅଧିକ କର୍ମନିପୁଣ ପରି ଜଣାଯାଏ ।

 

ଭାରତୀୟ କୃଷକ ବହୁ କଷ୍ଟସହିଷ୍ଣୁ, ନିଳରସ, ନିରାଡ଼ମ୍ବର, ମିତବ୍ୟୟୀ । ସେ ଖରା ବର୍ଷା ଶୀତ କାକର କୌଣସି ଦୁଃଖ ଅସୁବିଧାକୁ ଶୋଚନା ନ କରି ନିଜ କର୍ମରେ ଯେପରି ତତ୍‌ପରତା ପ୍ରଦର୍ଶନ କରେ, ତାହା ଅନ୍ୟତ୍ର ଦେଖିବା ବିରଳ । ସେତିକିବେଳେ କ୍ଷେତଟି ତାହାର ନିବାସ, ବଳଦ ହଳ ତାହାର ସାଥୀ ଓ ଲଙ୍ଗଳ ମଇ ତା’ର ଖେଳନା, ମାଟି ପାଣି ପବନ ତା’ର ବିଳାସ ସାମଗ୍ରୀ । ବିଲବାଡ଼ିରେ କାମ ଲାଗିବା ସମୟରେ ଖାଇବା ଓ ଶୋଇବା ଘଡ଼ିକ କେବଳ ସେ ଘରବୋଲି ଜାଣେ । ସେ ଜଣେ ଅନାସକ୍ତ କର୍ମୀ । ସେ ମୁଣ୍ଡକୁ ଛତା ଓ ପାଦକୁ ଯୋତା କରି ଲାଗିଥାଏ ନିଜ ଧନ୍ଦାରେ । ପ୍ରବଳ ବର୍ଷା ବା ପ୍ରଚଣ୍ଡ ଖରା ଅତି ଅସହ୍ୟ ହେଲେ ମୁହୂର୍ତ୍ତେ ମାତ୍ର ସେ ଗଛ ମୂଳରେ ଆଶ୍ରୟ ନିଏ । ଏତିକି କେବଳ ତାହାର ବିଶ୍ରାମ । କେବଳ ସେ ନିଜେ ନୁହେ ତାହାର ପିଲାଛୁଆ ଓ ସହଧର୍ମିଣୀ ମଧ୍ୟ ଏଥିରେ ତାହାକୁ ସାହାଯ୍ୟ କରନ୍ତି ।

 

କର୍ମତତ୍ପର ଥିବା ସମୟରେ ଖାଇବାକୁ ବି ତାହାର ତର ନଥାଏ । ଏଣୁ ତାହାର ସ୍ତ୍ରୀ ଘୋଟଣା ଆଣିଲେ ବଳଦ ହଳ ଓ ଲଙ୍ଗଳ ବିଲମଝିରେ ଛାଡ଼ି ହିଡ଼ରେ ବସି ଖାଏ । ଏତିକିବେଳେ ସେ ନିଜ ସ୍ତ୍ରୀ ସହିତ ନିଜ ଘର ବିଷୟରେ ଭଲ ମନ୍ଦ ଦି’ପଦ କଥା ହୋଇଥାଏ । ଏକ ଦିଗରେ କ୍ଷୁଧା, ଅନ୍ୟ ଦିଗରେ କର୍ମର ଚାପ ଓ ପାରିବାରିକ ପ୍ରେମାଳାପ ମଧ୍ୟରେ ସେ ଲୁଣି ଅଲଣା କଥା କହିବାକୁ ମଧ୍ୟ ଭୁଲିଯାଏ । ଯେ କୌଣସି ଅରସିକ ଦର୍ଶକ ପକ୍ଷରେ ଏଗୁଡ଼ିକ ନୀରସ ଓ ଶୁଷ୍କ ବୋଧ ହୋଇପାରେ; କିନ୍ତୁ ଭାବୁକ ପକ୍ଷରେ କୃଷକ ଏଠାରେ ଯେଉଁ ଅକୃତ୍ରିମ ଆନନ୍ଦ ଲାଭକରେ, ତାହା ଯେ କୌଣସି ରାଜପ୍ରାସାଦରେ ମଧ୍ୟ ଦୁର୍ଲ୍ଲଭ । ରୁଆ ବେଉଷା ସମୟରେ ବା ଶସ୍ୟ ଅମଳ ସମୟରେ କୃଷକ ରମଣୀର ଯେଉଁ ମଧୁର ସଙ୍ଗୀତରେ ଗଗନ ପ୍ରକମ୍ପିତ ହୁଏ, ତାହା ଯେକୌଣସି ଭାବୁକର ହୃଦୟରେ ଆଲେଖ୍ୟ ପରି ରହିଯାଏ । କବିୱଡ଼ସୱର୍ଥ ଏହି ସମୟର ଜଣେ କୃଷକ ବାଳିକାର ମଧୁର ସଙ୍ଗୀତକୁ ଲକ୍ଷ୍ୟକରି କହିଛନ୍ତି–“A voice so thrilling never was heard, in spring time from the cuckoo bird ।’’

 

ବର୍ଷାଦିନଟି ତାହା ପକ୍ଷରେ ପ୍ରଧାନ ଉତ୍ସବର ଦିନ । ଯେଉଁ ମେଘର ଗର୍ଜନ ଓ ବିଜୁଳି ଅନ୍ୟ ମନରେ ଭୟ ସୃଷ୍ଟିକରେ, ତାହା ପକ୍ଷରେ ତାହା ଶୀତଳଷଷ୍ଠୀ । ଘଣ୍ଟତାଳ ବାଜି ଚନ୍ଦ୍ରଦୀପ ଲାଗିଲେ ଲୋକେ ଯେପରି ଆନନ୍ଦରେ ଡେଇଁପଡ଼ନ୍ତି, ଏହି ବର୍ଷା ଦିନଟି ତାହାପକ୍ଷରେ ସେହିପରି ।

 

ରୁଆ ବେଉଷା ସରିଲେ ତାହାକୁ ଟିକିଏ ବିଶ୍ରାମ ମିଳେ । ସେତେବେଳେ ହଳ ଲଙ୍ଗଳ ପରିବର୍ତ୍ତେ ତାହା ହାତରେ ଦେଖାଦିଏ କୋଡ଼ି, ଖଣତା ଓ କାତୁଆ । ପାଣି ଯଦି ଅଭାବ ହୁଏ, ଲାଗିଯାଏ ରାତିଦିନ କେଉଁଠାରୁ କିପରି ପାଣି ଆଣି ବିଲରେ ମଡ଼ାଇବ । ଯଦି ଅଧିକ ବର୍ଷା ହୁଏ, ବିଲବାଡ଼ିରୁ ପାଣି କାଟି ଦିଏ ଶସ୍ୟ ପଚିଯିବା ଆଶଂକାରେ । ଶସ୍ୟ କ୍ଷେତରେ ଥିବା ପର୍ଯ୍ୟନ୍ତ ବିଲ ତାହାର ଗୃହ ଓ ଶସ୍ୟ ତାହାର ପ୍ରାଣ । ଅନ୍ୟ କାମ ନ ଥିଲେ ସେ ବିଲରୁ ଘାସ ବାଛି ସମୟ କଟାଏ ।

 

ମା ପିଲାକୁ ଜଗିଲାପରି ସେ କ୍ଷେତକୁ ଜଗିଥାଏ । ସେ ଶସ୍ୟଶ୍ୟାମଳ କ୍ଷେତ ଛାଡ଼ି କୌଣସି ଯାନିଯାତ୍ରାକୁ ଯିବା ଇଚ୍ଛାକରେ ନାହିଁ । ଗଲେ ମଧ୍ୟ ଦିନେ ଓଳିଏରେ ଫେରିଯାଏ । ତାହାର ଗୃହଟି ଲକ୍ଷ୍ମିଙ୍କର ଭଣ୍ଡାର । ତାହାର ଘରଟି କୁଣ୍ଡା ଚଷୁ ଠାରୁ ଆରମ୍ଭ କରି ବିହନ ଓଳିଆ ପର୍ଯ୍ୟନ୍ତ ନାନା କୃଷିଜାତ ଦ୍ରବ୍ୟରେ ପୂର୍ଣ୍ଣ ହୋଇଥାଏ । ଅନ୍ୟମାନଙ୍କ ପକ୍ଷରେ ଏ ଗୁଡ଼ିକ ଅସ୍ୱାସ୍ଥ୍ୟକର ବିବେଚିତ ହୋଇପାରେ । ତଥାପି କୃଷକ ବରଂ ଏଗୁଡ଼ିକୁ ଅତି ଯତ୍ନରେ ରଖିଥାଏ ।

 

ବାରମାସରେ ତେରଯାତ ପରି ଜଳର ସୁବିଧା ହେଲେ ଯେ ବର୍ଷତମାମ କ୍ଷେତର କାମ କରି ନାନା ଶସ୍ୟ ଉତ୍ପାଦନ କରିବାପାଇଁ ପ୍ରସ୍ତୁତ ହୁଏ । ତାହାର ପରିଶ୍ରମର ଫଳ ସେ ନିଜେ ଭୋଗକରେ ବା ତାଦ୍ଦ୍ୱାରା ଅନ୍ୟମାନଙ୍କର ସୁବିଧା ହୁଏ, ସେ କଥା ସେ ଚିନ୍ତା କରେ ନାହିଁ । ବିଲରେ କାମ କରି ଶସ୍ୟ ଉତ୍ପାଦନ କରିବା ତାହାର ଦାୟିତ୍ୱ । ଏଣୁ ସେ ସବୁବେଳେ ନିଜ ଦାୟିତ୍ୱ ପ୍ରତି ଅବହିତ ରହେ । ଅନ୍ୟମାନେ ଛାଇତଳେ ବସି ତାହାର ଶ୍ରମର ଫଳ ଭୋଗ କରନ୍ତି । କିନ୍ତୁ ଏଥିରେ ସେ ନିଜେ ମଧ୍ୟ ଆନନ୍ଦ ଅନୁଭବ କରେ ।

 

ଅନ୍ୟ ଶିକ୍ଷିତ ଦେଶ ତୁଳନାରେ ଭାରତୀୟ କୃଷକ ବହୁ ପଛରେ ପଡ଼ିଛି । ଏଣୁ ମୋଟ ଉପରେ ଭାରତୀୟ କୃଷକ ଶ୍ରେଣୀକୁ ଅଶିକ୍ଷିତ ଓ ଦରିଦ୍ର ବୋଲି ଧରାଯାଏ । ତଥାପି ସ୍ୱାଧୀନତା ପରେ ସେମାନଙ୍କ, ଅବସ୍ଥାରେ ବହୁ ପରିବର୍ତ୍ତନ ଦେଖାଦେଇଛି । ସରକାରଙ୍କର ବିଭିନ୍ନ ଆଇନ ଫଳରେ କୃଷକ ସମାଜରେ ମଧ୍ୟ ଦ୍ରୁତ ପରିବର୍ତ୍ତନ ପରିଲକ୍ଷିତ ହୁଏ । ଦେଶରେ ବିଭିନ୍ନ ଯୋଜନା ଓ ବିଭିନ୍ନ ଆଇନ କୃଷି ଓ କୃଷକକୁ କେନ୍ଦ୍ରକରି କରାଯାଏ । ଏଣୁ କୃଷକ ସମାଜରେ ମଧ୍ୟ ବହୁଲୋକର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେଲାଣି । ନୂତନ କୃଷିପ୍ରଣାଳୀ ପ୍ରଚଳିତ ହେବା ଫଳରେ ଉତ୍ପାଦନ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଉଛି । ପୁଣି କୃଷକ ସମାଜରେ ମଧ୍ୟ ବହୁ ଉଚ୍ଚଶିକ୍ଷିତ ବାହାରିଲେଣି । ତଥାପି ଏହି ଶିକ୍ଷାଦ୍ୱାରା ମୌଳିକ ଉଦ୍ଦେଶ୍ୟ ସାଧିତ ହୁଏ ନାହିଁ । ଅନ୍ୟମାନଙ୍କ ପରି କୃଷକ ମଧ୍ୟ ପାଠପଢ଼ି ଚାକିରି ଖୋଜେ । ତଦ୍ଦ୍ୱାରା ନିଜର ବା ଦେଶର କୌଣସି ଉପକାର ହୁଏନାହିଁ । ସେ ଯଦି ଉଚ୍ଚଶିକ୍ଷା ଲାଭ କରି ନିଜର ବିଶେଷ ଯୋଗ୍ୟତାକୁ କୃଷି କ୍ଷେତ୍ରରେ ବିନିଯୋଗ କରନ୍ତା, ତଦ୍ଦ୍ୱାରା ଦେଶ ବିଶେଷ ଉପକୃତ ହୁଅନ୍ତା ।

 

ବର୍ତ୍ତମାନ ଅନ୍ୟାନ୍ୟ ଦେଶରେ ଟ୍ରାକ୍‌ଟର ପ୍ରଭୃତି ନାନା କୃତ୍ରିମ ପ୍ରଣାଳୀରେ କୃଷିକରି ଯଥେଷ୍ଟ ଅଧିକ ଶସ୍ୟ ଉତ୍ପାଦନ କରିବାର ଦେଖାଯାଏ । ବର୍ତ୍ତମାନ ଭାରତରେ ଏହି ନୂତନ ପ୍ରଣାଳୀର ବ୍ୟାପକ ପ୍ରସାର ଦେଖାଯାଏ ନାହିଁ । ପରଂପରା ରୀତିରେ ସେହି ବଳଦ, ସେହି ଲଙ୍ଗଳରେ ଚାଷ ଚାଲିଥିବା ଯୋଗୁଁ ଭାରତୀୟମାନେ ଦୁଃଖୀ । ଟ୍ରାକ୍‌ଟର ଦ୍ୱାରା ଭୂମି ଗଭୀର ପର୍ଯ୍ୟନ୍ତ ଚାଷ ହୁଏ । ଏଣୁ ସହଜରେ ଶସ୍ୟ ବୃଦ୍ଧିପାଏ । କିନ୍ତୁ ସେହି ପାଶ୍ଚାତ୍ୟ ଦେଶଦ୍ୱାରା ଭାରତର କୃଷିପ୍ରଣାଳୀ ପ୍ରଶଂସିତ । ସେମାନଙ୍କ ମତରେ ନୂତନ ପ୍ରଣାଳୀଦ୍ୱାରା ବର୍ତ୍ତମାନ ଅଧିକ ସୁବିଧା ମିଳେ ସତ; ତଥାପି ଏହାର ସୁଦୂର ପରିଣତି ତମସାଚ୍ଛନ୍ନ । ଏପରି ଅତି ଗଭୀର ଚାଷଦ୍ୱାରା ଚଞ୍ଚଳ ଜମି ସ୍ୱତ୍ୱହୀନ ହୋଇଯାଏ । ତଥାପି ସମସ୍ତେ ଏକମତ ଯେ, ବର୍ତ୍ତମାନର କୃଷି ପ୍ରଣାଳୀରେ ବିଶେଷ କିଛି ଉନ୍ନତି ସାଧନ କରିବା ନିତାନ୍ତ ଆବଶ୍ୟକ ।

 

ବର୍ତ୍ତମାନ ଭାରତର ଖାଦ୍ୟ ସମସ୍ୟା ବିଶେଷ ଉଦ୍‌ବେଗଜନକ । ଏଣୁ ଏଥିପ୍ରତି ସରକାରଙ୍କର ତୀକ୍ଷ୍‌ଣ ଦୃଷ୍ଟି ରହିଛି । ଏହାର ଉନ୍ନତି ସକାଶେ ରାଜକୋଷରୁ ଅଜସ୍ର ଟଙ୍କା ବ୍ୟୟ ହୁଏ । ଏଥିସକାଶେ ବିଭିନ୍ନ ନୂତନ ଯୋଜନା ମଧ୍ୟ ପ୍ରସ୍ତୁତ ହୁଏ । ଏଣୁ ବର୍ତ୍ତମାନ କୃଷିକ୍ଷେତ୍ରରେ କେତେକ ବୈପ୍ଲବିକ ପରିବର୍ତ୍ତନ ଦେଖାଯାଉଛି । ତଥାପି ଶ୍ରମ, ବ୍ୟୟ ଓ ଅଭାବ ଦୃଷ୍ଟିରୁ ଏହା ଯଥେଷ୍ଟ ନୁହେ । ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇ ଦେଶ ଏକ ନିଶ୍ଚିତ ଅବସ୍ଥାରେ ଉପନୀତି ହେବା ଉଚିତ ।

Image

 

ଦଶହରା ପର୍ବ

 

ବର୍ଷର ବିଭିନ୍ନ ସମୟରେ ଯେଉଁ କେତେ ଉତ୍ସବ ବା ବ୍ରତ ପାଳିତ ହୁଏ, ସେଗୁଡ଼ିକୁ ପର୍ବ କୁହାଯାଏ । ବର୍ଷରେ ସାନ ବଡ଼ ଏହିପରି ଅନେକ ପର୍ବ ପଡ଼େ । ଏମଧ୍ୟରୁ କେତେକ ଆଞ୍ଚଳିକ ପର୍ବ ଓ କେତେକ ସାର୍ବଜନିକ ବା ଜାତୀୟ ପର୍ବ । ଭାରତର ଦଶହରା ପର୍ବ ଏପରି ଏକ ଜାତୀୟ ପର୍ବରୂପେ ପରିଚିତ । ଆଶ୍ୱିନ ଶୁକ୍ଲ ପକ୍ଷରେ ଏହି ପର୍ବ ପଡ଼େ । ବଙ୍ଗଦେଶରେ ଅତି ସମାରୋହରେ ଏହି ଉତ୍ସବ ପାଳିତ ହୁଏ । ବର୍ତ୍ତମାନ ଦଶହରା ସମୟରେ ଏଲାହାବାଦରେ ଯେଉଁ ଉତ୍ସବ ପାଳିତ ହୁଏ, ସଂସ୍କୃତର ରତ୍ନାବଳୀ ନାଟିକାରେ ତାହାର ଅବିକଳ ଚିତ୍ରଟି ବର୍ଣ୍ଣିତ ହୋଇଅଛି-

ଭାରତରେ ଏପରି ସାନ ବଡ଼ ଯେତେ ପର୍ବ ପଡ଼େ, ସେ ପ୍ରତ୍ୟେକଟିର ପୃଷ୍ଠଭୂମିରେ କୌଣସି ନା କୌଣସି ଗୋଟିଏ ପୌରାଣିକ ବା ଐତିହାସିକ ବା ସାମାଜିକ ତଥ୍ୟ ଥାଏ । ହୁଏତ ଦେବ ଦେବୀମାନଙ୍କର ମହିମାମୟ ଲୀଳାର ବା ମହାପୁରୁଷମାନଙ୍କର ସ୍ମୃତିପୂଜା ବା ସମାଜକୁ ଏକ ଉଚ୍ଚ ଆଦର୍ଶରେ ଗଠନ କରିବାର ମହତ୍‌କଳ୍ପନା ଏଥିରେ ନିହିତ । ଦଶହରା ମଧ୍ୟ ଏପରି ଗୋଟିଏ ପୁରାଣ ପ୍ରସିଦ୍ଧ ପର୍ବ । ମହିଷାସୁର ନାମକ ଜଣେ ମହା ପ୍ରତାପୀ ରାକ୍ଷସର ଅତ୍ୟାଚାରରେ ଉତ୍ପୀଡ଼ିତ ହୋଇ ଇନ୍ଦ୍ର ସ୍ୱର୍ଗପୁର ପରିତ୍ୟାଗ କରି ଅନାଥ ହୋଇ ବୁଲିଲେ । ସେତେବେଳେ ଦେବତାମାନଙ୍କର କାତର ପ୍ରାର୍ଥନା ଶୁଣି ଆଦିଶକ୍ତି ଦୁର୍ଗା ମହିଷାସୁର ମର୍ଦ୍ଦୀନୀରୂପେ ଆବିର୍ଭୂତା ହୋଇ ମହିଷାସୁରକୁ ବଧକରି ଦେବତାମାନଙ୍କର ଦୁର୍ଗତି ଦୂର କରିଥିଲେ । ଏହି ଦିନରୁ ମହାବିପର୍ଯ୍ୟୟର ମୁକ୍ତି ଦିବସରୂପେ ଏହି ଉତ୍ସବ ପାଳିତ ହୁଏ । ଅନ୍ୟ ମତରେ ଶ୍ରୀରାମଚନ୍ଦ୍ର ଆଶ୍ୱିନ ଶୁକ୍ଲ ଦଶମୀ ଦିନ ଦୁର୍ଗାଙ୍କୁ ଉପାସନା କରି ରାବଣକୁ ବଧ କରିଥିଲେ । ଏଣୁ ଏହା ବିଜୟା ଦଶମୀ ନାମରେ ଖ୍ୟାତ । ଏହି ଉପଲକ୍ଷେ ହିନ୍ଦୁ ସମାଜରେ ଏହି ଉତ୍ସବ ପାଳିତ ହୁଏ ।

ଏହା ଏକ ଶକ୍ତି ଉପାସନା । ଆଶ୍ୱିନ ଶୁକ୍ଳ ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ ତିନିଦିନ ସର୍ବତ୍ର ଏହି ଉତ୍ସବ ସମାରୋହରେ ପାଳନ କରାଯାଏ । ଏହା ସଙ୍ଗେ ସଙ୍ଗେ କେତେ ସ୍ଥଳରେ ନବରାତ୍ର ପୂଜା ଓ କେତେ ସ୍ଥଳରେ ପୋଡ଼ଶଦିନର ପୂଜା ମଧ୍ୟ ହୁଏ । ଏହି ଅଷ୍ଟମୀକୁ ମହାଷ୍ଟମୀ, ନବମୀକୁ ମହାନବମୀ ଏବଂ ଏହି ପୂଜାକୁ ମହାପୂଜା କୁହାଯାଏ ।

ବିଶେଷ ଭାବରେ ରାଜା ମହାରାଜା ଓ ଜମିଦାରମାନଙ୍କର ରାଜପ୍ରାସାଦମାନଙ୍କରେ ଏହି ଉତ୍ସବ ଅତି ସମାରୋହ ଓ ଶୁଦ୍ଧପୂତ ଭାବରେ ପାଳନ କରାଯାଉଥିଲା । ରାଜା ମହାରାଜା ଓ ଜମିଦାରମାନେ ଏହି ସମୟରେ ନିଜ ଇଷ୍ଟଦେବୀଙ୍କ ମନ୍ଦିରରେ ନୈଷ୍ଠିକ ବ୍ରାହ୍ମଣମାନଙ୍କ ଦ୍ୱାରା ଷୋଡ଼ଶ ଉପଚାର ବିଧିରେ ପୂଜା କରନ୍ତି । ପୂର୍ବେ ଏହି ସମୟରେ ଦେବୀଙ୍କ ନିକଟରେ ଛାଗ ବା ମେଷବଳି ମଧ୍ୟ ଦିଆ ଯାଉଥିଲା । କିନ୍ତୁ ମହାତ୍ମାଗାନ୍ଧିଙ୍କର ଅହିଂସା ଆନ୍ଦୋଳନ ଓ ସତ୍ୟାଗ୍ରହ ଫଳରେ ଏହି ବଳିପ୍ରଥା ଅନେକାଂଶରେ ବନ୍ଦହୋଇ ସେହି ସ୍ଥାନରେ ସାତ୍ତ୍ୱିକ ବିଧିରେ ପୂଜା କରାଯାଏ ।

ଧନୀ, ଦରିଦ୍ର, ଶିଳ୍ପୀ, ଶ୍ରମିକ ସମସ୍ତେ ଭକ୍ତି, ଶ୍ରଦ୍ଧା ଓ ବିଶ୍ୱାସରେ ଏହି ପୂଜା କରନ୍ତି । ବ୍ରାହ୍ମଣମାନେ ତିନିଦିନ ପୁସ୍ତକ ବସାଇ ପୂଜା କରନ୍ତି । ବଢ଼େଇ, କମାର ତନ୍ତୀ, ତାପିଆ ପ୍ରଭୃତି ଗ୍ରାମ୍ୟ କାରିଗରମାନେ ନିଜନିଜର ଯନ୍ତ୍ରସହ ହତିଆର ଓ ଶିଳ୍ପ ଉପରକରଣଗୁଡ଼ିକ ଗୋଟିଏ ସ୍ଥାନରେ ରଖି ପୂଜା କରନ୍ତି । ଏହାକୁ ସଜବସା କୁହାଯାଏ । ଏହି ତିନିଦିନ ପୁସ୍ତକପଢ଼ା ମଧ୍ୟ ନିଷିଦ୍ଧ। କାରିଗରମାନେ ମଧ୍ୟ ନିଜର ଶିଳ୍ପଉପକରଣ ବ୍ୟବହାର କରି କୌଣସି କାମ କରିବା ଦେଷାବହ ବୋଲି ବିଶ୍ୱାସ କରନ୍ତି । ଏହି ସଜ ଉଠିଲା ପରେ ସେମାନେ ଗୋଟିଏ ଶୁଭଦିନ ଦେଖି ନିଜର କାମ ଆରମ୍ଭ କରନ୍ତି । ସେମାନଙ୍କ ମତରେ ଦେବୀଙ୍କ ପ୍ରସାଦରୁ ପୁଣି ଏକବର୍ଷ ପାଇଁ ସେମାନଙ୍କ କାର୍ଯ୍ୟ ଆରମ୍ଭର ଏହା ପ୍ରଥମ ଦିନ । ଦଶମୀଦିନ ସୋମନାଥଙ୍କର ପୂଜା ହୁଏ । ଏହାକୁ ମଧ୍ୟ ଦଶହରା ପୂଜା କହନ୍ତି । ଏହି ପୂଜା ଗୁଜରାଟରେ ପ୍ରସିଦ୍ଧ । ଦଶହରା ଦିନ କେତେକ ନୂତନ ବସ୍ତ୍ର ମଧ୍ୟ ପରିଧାନ କରନ୍ତି ।

ଏହି ଉତ୍ସବକୁ କେତେକ ଲୋକ ଶାରଦୀୟ ଉତ୍ସବ ମଧ୍ୟ କହନ୍ତି । ପ୍ରକୃତରେ ଏତାଦୃଶ ଏକ ରମଣୀୟ ଋତୁପ୍ରତି ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ଉତ୍ସବଟିକୁ ଅତି ଆଡ଼ମ୍ବର ଓ ଜନପ୍ରିୟ କରିବା ପରିକଳ୍ପନା ଯଥାର୍ଥ ପରି ମନେହୁଏ । ବସନ୍ତ ଋତୁକୁ ଋତୁରାଜ ଆଖ୍ୟା ଦିଆଯାଇଛି ସତ; ତଥାପି ଏହି ଋତୁକୁ ଋତୁରାଜାଧିରାଜ ଉପାଧି ଦେଲେ ମଧ୍ୟ ଅତିରଞ୍ଜିତ ହେବନାହିଁ । ଏହି ଋତୁର ବାୟୁ ମଣ୍ଡଳ ବିଶେଷ ଆନନ୍ଦଦାୟକ ଓ ଶାନ୍ତିପ୍ରଦ । ଶାରଦୀୟ ଚନ୍ଦ୍ର କେବଳ କବିମାନଙ୍କ କବିତାର ପ୍ରଧାନ ଉପାଦାନ । ଫଳପୁଷ୍ପ ପୂର୍ଣ୍ଣ ବୃକ୍ଷଲତାଗୁଡ଼ିକ ମର୍ତ୍ତ୍ୟରେ ସ୍ୱର୍ଗଶୋଭାର ଭ୍ରମ ସୃଷ୍ଟିକରେ । ଏହି ଋତୁରେ ଜଳଗହଳ ବା ଜଳାଭାବ ନଥାଏ । ପୁଣି ଉପରେ ନିର୍ମଳ ଆକାଶ ଓ ତଳେ ନିର୍ମଳ ଜଳରାଶି ପରସ୍ପର ପରସ୍ପରର ପ୍ରତିବିମ୍ବ ପରି ଶୋଭା ପାଉଥାନ୍ତି । ଏହି ଋତୁର ଏହିପରି ଏକ ସୌଷ୍ଠବର ସ୍ୱାତନ୍ତ୍ର୍ୟ ରହିଛି । ଏଣୁ ଏହା ସମ୍ମାନିତ ହେବା ସର୍ବଥା ବିଧେୟ ।

ଏହି ସମୟରେ ବିଭିନ୍ନ ଦେବୀ ମନ୍ଦିର ଏବଂ ଅନ୍ୟାନ୍ୟ ସ୍ଥାନରେ ଲୋକମାନେ ସୁନ୍ଦର ମେଢ଼ ନିର୍ମାଣ କରି ସେଥିରେ ସୁନ୍ଦର ଦଶଭୁଜା ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରି ପୂଜା କରନ୍ତି । ଦେବୀଙ୍କର ଉଭୟ ପାଶ୍ୱରେ ଲକ୍ଷ୍ମୀ, ଗଣେଶ, କାର୍ତ୍ତିକେୟ ଓ ସରସ୍ୱତୀ ପ୍ରଭୃତି ପାର୍ଶ୍ୱଦେବତାମାନେ ଯଥାବିଧି ସ୍ଥାପିତ ହୋଇଥାନ୍ତି । ଶାସ୍ତ୍ରାନୁମୋଦିତ ନିୟମାନୁଯାୟୀ ମୂର୍ତ୍ତିଗୁଡ଼ିକ ନିର୍ମିତ ଓ ପ୍ରତିଷ୍ଠିତ ହୋଇଥାଏ । ପ୍ରାଣପ୍ରତିଷ୍ଠା ପରେ ଘଣ୍ଟ, ବାଦ୍ୟ, ଶଙ୍ଖ, ତାଳ, ମୃଦଙ୍ଗ ଧ୍ୱନି ମଧ୍ୟରେ ଦେବୀଙ୍କର ପୂଜାବିଧି ହୁଏ । ଏହି ସମୟରେ ସେହି ସ୍ଥାନଟି ଗନ୍ଧ, ପୁଷ୍ପ, ଧୂପ, ଦୀପ ଓ ନୈବେଦ୍ୟରେ ପରିପୂର୍ଣ୍ଣ ହୋଇ ଅପୂର୍ବ ଶୋଭା ଧାରଣ କରିଥାଏ । ଦଶମୀ ଦିନ ପୂଜାର ଶେଷ ଦିବସ । ଏଣୁ ସେହିଦିନ ଦେବୀଙ୍କୁ କୌଣସି ଜଳାଶୟ ବା ନଦୀ ସ୍ରୋତରେ ବିସର୍ଜନ କରାଯାଏ । ସେହି ସମୟରେ ମଧ୍ୟ ବାଦ୍ୟ ଓ ଶଙ୍ଖ ନାଦରେ ଗ୍ରାମ ବା ନଗର ଉଛୁଳି ପଡ଼ୁଥାଏ । ବିସର୍ଜନ ସମୟରେ ଶୋଭାଯାତ୍ରାରେ ଯାଉଥିବା ଲୋକଙ୍କର କୋଳାହଳରେ ଦିଗ୍‌ବଳୟ ମୁଖରିତ ହୋଇଯାଏ । ଓଡ଼ିଶାର କଟକ ସହରର ଉତ୍ସବ ବିଶେଷ ଦର୍ଶନୀୟ । ଏହି ମେଢ଼ଗୁଡ଼ିକ ଦେଖିଲେ ମହାଭାରତ ଯୁଦ୍ଧର ରଥୀ ମହାରଥୀମାନଙ୍କର ରଥକଥା ଆଖି ଆଗରେ ଖେଳିଯାଏ । ଓଡ଼ିଶାର ଅନ୍ୟତମ ସହର ଜୟପୁରରେ ମଧ୍ୟ ଦୀର୍ଘଦିନବ୍ୟାପୀ ଆଡ଼ମ୍ବର ସହକାରେ ଏହି ଉତ୍ସବ ପାଳିତ ହୁଏ ।

ଦଶହରା ସମୟରେ ଭାରତରେ ସ୍କୁଲ, କଲେଜ, କଚେରୀ ଗୁଡ଼ିକ ବନ୍ଦ ହୋଇଯାଏ । ଏହାକୁ ଦଶହରା ଛୁଟି କହନ୍ତି । ଏହି ଛୁଟି କେତେ ସ୍ଥଳରେ ଦୀର୍ଘ ପନ୍ଦରଦିନ ପର୍ଯ୍ୟନ୍ତ ହୁଏ । ଖ୍ରୀଷ୍ଟଜଗତର ବଡ଼ଦିନ ଛୁଟିପରି ଭାରତର ଦଶହରା ଛୁଟି ଅତି ପ୍ରସିଦ୍ଧ । ରେଳ ବା ସେପରି କେତେ ଅନୁଷ୍ଠାନ କେତେଦିନ ବନ୍ଦ ହେଲେ ସବୁ କାମ ଅଚଳ ହୋଇଯାଏ । ଏଣୁ ଏହି କର୍ମଚାରୀମାନଙ୍କ ମଧ୍ୟରୁ ଯେଉଁମାନେ ଇଚ୍ଛା କରନ୍ତି, ଛୁଟି ଅନୁଭବ କରିବାପାଇଁ, ସେମାନେ ଘରକୁ ଯାନ୍ତି ଓ ଯେଉଁମାନେ ଏହି ସମୟରେ କାମ କରନ୍ତି, ସେମାନଙ୍କୁ ଅଧିକ ଦରମା ଦିଆଯାଏ-। ଦୂର ଦୂରାନ୍ତରେ କାମ କରୁଥିବା ବହୁ କର୍ମଚାରୀ ଏହି ସମୟରେ ଘରକୁ ଆସି ଉତ୍ସବ ପାଳନ କରନ୍ତି । ଏଣୁ ଦଶହରା ଉତ୍ସବ ଆରମ୍ଭ ଓ ଶେଷରେ ଯାନବାହାନଗୁଡ଼ିକରେ ବିଶେଷ ଗହଳ ହୁଏ ।

ଏହି ସମୟରେ ସବୁ ଶ୍ରେଣୀର ଲୋକମାନେ ନାନାଦିଗରୁ ବିଶେଷ ସୁବିଧା ଉପଭୋଗ କରନ୍ତି । ଛୁଟିଯୋଗୁଁ କର୍ମଚାରୀମାନଙ୍କୁ ବିଶ୍ରାମ ମିଳେ ଓ ଛାତ୍ରମାନେ ମଧ୍ୟ ବିଭିନ୍ନ କ୍ରୀଡ଼ା କୌତୁକରେ ରତ ହୁଅନ୍ତି । ଦଶହରା ସମୟରେ ଦେଶ ଭ୍ରମଣ କରିବା ବ୍ୟକ୍ତିମାନଙ୍କୁ ରେଳ ଟିକଟରେ କେତକ ସୁବିଧା ମିଳେ । ଏଣୁ ଅନେକ ଶିକ୍ଷକ, ଛାତ୍ର ଓ କେତେ ସାଧାରଣ ବ୍ୟକ୍ତି ମଧ୍ୟ ଏହି ସମୟରେ ଦେଶ ଭ୍ରମଣ କରନ୍ତି । ଚିକିତ୍ସା ଓ କାରିଗରୀ ବିଭାଗ ଛାତ୍ରମାନଙ୍କ ପକ୍ଷରେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ବିଭିନ୍ନ ଅନୁଷ୍ଠାନ ଦେଖିବା ନିତାନ୍ତ ଆବଶ୍ୟକ । ଏହି ଶ୍ରେଣୀର ଛାତ୍ରମାନେ କେବଳ ବିଶେଷ ଯୋଗ୍ୟତା ଅର୍ଜନ କରିପାରନ୍ତି । ଏଣୁ ଏଥିସକାଶେ ବିଭିନ୍ନ ଅନୁଷ୍ଠାନକୁ ସରକାରୀ ସାହାଯ୍ୟ ମଧ୍ୟ ମିଳେ ।

ଏହି ସମୟରେ ବ୍ୟବସାୟ ବାଣିଜ୍ୟ ମଧ୍ୟ ଭଲ ଚଳେ । ଏଣୁ ବ୍ୟବସାୟୀମାନେ ବିଶେଷ ଆନନ୍ଦିତ । ଏହି ସମୟରେ ଗଚ୍ଛିତ ପଦାର୍ଥର ବିନିମୟପାଇଁ ବ୍ୟବସାୟୀମାନେ କେତେ ପଦାର୍ଥ ଉଚିତ ଦରରୁ କମରେ ବିକ୍ରି କରାଯାଏ ବୋଲି ବିଜ୍ଞାପନ ଦିଅନ୍ତି । କେତେ କେତେ ଗ୍ରାହକ ଏହି ସୁଯୋଗକୁ ଅପେକ୍ଷା କରିଥାନ୍ତି । ଏହି ସୁଯୋଗ ପାଇବା ଯୋଗୁଁ ସେମାନେ ମଧ୍ୟ ଆନନ୍ଦିତ । ଏହି ସମୟରେ ମାସିକ ଓ ଦୈନିକ ପ୍ରତ୍ରିକାଗୁଡ଼ିକର ଅନେକ ବିଶେଷାଙ୍କ ପ୍ରକାଶ ପାଏ । ଏଗୁଡ଼ିକରେ ଅତି ଉଚ୍ଚ କୋଟିର କବିତା, ପ୍ରବନ୍ଧ, ଗଳ୍ପ ଓ ଉପନ୍ୟାସ ପ୍ରକାଶିତ ହୁଏ । ଏଣୁ ଲେଖକ, ପାଠକ ଓ ଗ୍ରହକମାନେ ମଧ୍ୟ ନିଜ ନିଜ କାମରେ ବ୍ୟସ୍ତ ।

ଏହିପରି ଦଶହରା ସମୟରେ ଭାରତର ସବୁ ଶ୍ରେଣୀର ଲୋକେ ବିଶେଷ ସୁଖ, ଶାନ୍ତି ଓ ଆନନ୍ଦରେ ସମୟ ଅତିବାହିତ କରନ୍ତି । ଏଣୁ ଭାରତରେ ଦଶହରା ପର୍ବ ନବଜୀବନଦାତା ରୂପେ ପରିଚିତ ଓ ପ୍ରସିଦ୍ଧ ।

Image

 

ସମବାୟ ଚାଷ

 

ବହୁଲୋକର ସହଯୋଗରେ ଗଠିତ ଅନୁଷ୍ଠାନକୁ ସମବାୟ ଅନୁଷ୍ଠାନ କୁହାଯାଏ । ସମବାୟ ଚାଷ ଏ ମଧ୍ୟରୁ ଅନ୍ୟତମ । ଏହାକୁ କୋଠଚାଷ ମଧ୍ୟ କୁହାଯାଏ । କେତେକଙ୍କ ମତରେ ସମବାୟ ଚାଷଦ୍ୱାରା ଉତ୍ପାଦନ ବୃଦ୍ଧିପାଏ । ଏହି ଆଇନ ପ୍ରଚଳିତ ହେଲେ ଏଥିସକାଶେ ଗୋଟିଏ ସ୍ୱତନ୍ତ୍ର ସମବାୟ ଅନୁଷ୍ଠାନ ଗଠିତ ହେବ । ଜମି ମାଲିକମାନେ ହେବେ ଏହାର ଅଂଶୀଦାର ଏବଂ ନିଜନିଜ ଜମିର ପରିମାଣ ଅନୁସାରେ ସେଥିରେ ସେମାନଙ୍କର ଅଂଶ ରହିବ ଓ ସମସ୍ତେ ମିଳିମିଶି ଏକାଠି ଚାଷ କରିବେ ।

 

ସମସ୍ତଙ୍କର ସହଯୋଗ ରହିବାଯୋଗୁଁ ସଂଘଟି ମଧ୍ୟ ଶକ୍ତିଶାଳୀ ହେବ । ପୁଣି ଏପରି ଅନୁଷ୍ଠାନଗୁଡ଼ିକୁ ସରକାରଙ୍କ ପକ୍ଷରୁ ଯଥେଷ୍ଟ ସମର୍ଥନ, ସହଯୋଗ, ଉତ୍ସାହ ଏବଂ ଅବଶ୍ୟକୀୟ ଅର୍ଥ ମଧ୍ୟ ସାହାଯ୍ୟ ମିଳେ । ଏହା ସମବାୟ ଯୁଗ । ନିଷ୍ଠାପୂତ ସମବାୟ ନୀତିଯୋଗୁଁ । ପାଶ୍ଚାତ୍ୟ ଦେଶଗୁଡ଼ିକ ଅର୍ଥ ନୈତିକ ଏବଂ ଉନ୍ନତ ସାମାଜିକ ଜୀବନ ଯାପନ କରନ୍ତି । ଜମିଗୁଡ଼ିକ ମୁହୁମୁହୁ ଭାଗ ଭାଗ ହେବାଯୋଗୁ ଚକଗୁଡ଼ିକ ଅତି ଛୋଟ ଛୋଟ ହୋଇଯାଏ । ଏଣୁ ହିଡ଼ତଳେ ବହୁତ ଉର୍ବର ସ୍ଥାନ ରହିଯାଏ । ସମବାୟ ଚାଷଦ୍ୱାରା କିଆରୀଗୁଡ଼ିକ ବଡ଼ବଡ଼ ହୋଇପାରିବ । ଅତଏବ ହିଡ଼ତଳେ ଅଯଥା ବହୁତ ସ୍ଥାନ ରହି ନଷ୍ଟ ହେବନାହିଁ ଏବଂ କିଆରୀଗୁଡ଼ିକ ବଡ଼ବଡ଼ ହେବା ଫଳରେ ଚାଷ, ଜଳସେଚନ ଓ ସାର ଦେବା ବିଷୟରେ ବିଶେଷ ସୁବିଧାଜନକ ହେବ । ଏହି ଧରଣର କିଆରୀଗୁଡ଼ିକରେ ଚଞ୍ଚଳ ଜଳ ଶୁଖେ ନାହିଁ । ଏଣୁ ବହୁତ ଶସ୍ୟ ଉତ୍ପନ୍ନ ହୁଏ ।

 

ଏହିପରି ଅନୁଷ୍ଠାନ ଗଠିତ ହେଲେ ଚାଷର ରୂପ ସଂପୂର୍ଣ୍ଣ ବଦଳିଯିବ । ଛୋଟିଆ ହଳବଳଦ, ଲଙ୍ଗଳ ଓ ଅସଂଖ୍ୟ ଲୋକର କୌଣସି ଆକଶ୍ୟକତେ ରହିବ ନାହିଁ, ଚାଲିଯିବାକୁ ପଡ଼ିବ ସଂପୂର୍ଣ୍ଣ ଯନ୍ତ୍ର ଯୁଗକୁ । ଆସିଯିବ ବଡ଼ବଡ଼ କଳଲଙ୍ଗଳ ଏବଂ ବଡ଼ବଡ଼ ଲୁହାମଇ । କଳ ଗୋଟିଏ ମୋଡ଼ି ଦେଲେ ସେଗୁଡ଼ିକ ଡାକଦେବେ କ’ଣ କରିବି । ଚାହିଁ ରହିବେ ନିର୍ଦ୍ଦେଶକୁ । କୁମ୍ଭକର୍ଣ୍ଣ ନିଦରୁ ଉଠିଲା ପରି ତାହାର ଅବସ୍ଥା । ସେ ଥରେ ନିଦରୁ ଉଠିଲେ ଯାହା ଖାଏ, ସେତକ ସହସ୍ରାଧିକ ଲୋକର ବହୁ ଦିନର ଖାଦ୍ୟ । ସେହିପରି ଏହି ଯନ୍ତ୍ରଗୁଡ଼ିକ ଦ୍ୱାରା ଦିନକରେ ଯାହା ହୁଏ, ତାହା ଶତାଧିକ ଲୋକର ମାସ ମାସକରେ କାମ । ଏହି ନୀତିଦ୍ୱାରା କେତେଦିନ ପରେ ମନୁଷ୍ୟ ସଂପୂର୍ଣ୍ଣ ପଙ୍ଗୁ ହେବାର ଆଶଙ୍କା ମଧ୍ୟ ରହିଛି । ତଥାପି ଏହାଦ୍ୱାରା ବର୍ତ୍ତମାନ ବିଶେଷ ସୁବିଧା ହୁଏ । ଏହି ପ୍ରଣାଳୀଦ୍ୱାରା ଗଭୀର ଚାଷ ହୁଏ ଏବଂ ବିଲରେ ଘାସ ବା ବଡ଼ବଡ଼ ଟେକା ରହେ ନାହିଁ । ଏଣୁ ଆଶାନୁ ରୂପ ଶସ୍ୟ ଉତ୍ପନ୍ନ ହୁଏ । କିନ୍ତୁ ଆଧୁନିକ ଯାନ୍ତ୍ରିକ କୃଷିପ୍ରଣାଳୀ ଅପେକ୍ଷା ଭାରତର ପାରଂପରିକ କୃଷିପ୍ରଣାଳୀ ଉନ୍ନତ ବୋଲି ଆମେରିକାର ବହୁ କୃଷିବିଶାରଦ ମତ ଦେଲେଣି । ତଥାପି ଅଗ୍ନିର ଦାହିକାଶକ୍ତି ଜାଣି ସୁଦ୍ଧା ପତଙ୍ଗ ଅଗ୍ନିକୁ ଡିଏଁ ।

 

ଯାନ୍ତ୍ରିକ ପ୍ରଣାଳୀରେ କୃଷି ଅଧିକ ସୁଲଭ ଓ ଲାଭଜନକ ହେବା ସତ; କିନ୍ତୁ ଏଗୁଡ଼ିକର ଆମଦାନି ଓ ବ୍ୟବହାର କୌଣସି ବ୍ୟକ୍ତି ବିଶେଷ ପକ୍ଷରେ ବିଶେଷ ବ୍ୟୟସାପେକ୍ଷ । ତଥାପି ଯଦି କେହି ସାହସ କରି କିଣନ୍ତି, ତେବେ ଯନ୍ତ୍ରଗୁଡ଼ିକ ବହୁ ସମୟ ବ୍ୟବହୃତ ନ ହେବା ଫଳରେ ଚଞ୍ଚଳ ଅକାମୀ ହୋଇଯାଏ । ଗୋଟିଏ ସମବାୟ ଅନୁଷ୍ଠାନ ପକ୍ଷରୁ ଯଦି ଏପରି ଉଦ୍ୟମ ହୁଏ, ତେବେ କୌଣସି ବ୍ୟକ୍ତିବିଶେଷ ଉପରେ ଏହାର ଅର୍ଥଚାପ ପଡ଼ିବ ନାହିଁ ଏବଂ ଯନ୍ତ୍ରଗୁଡ଼ିକୁ ମଧ୍ୟ ସବୁବେଳେ କାମରେ ବିନିଯୋଗ କରାଯାଇ ପାରିବ । କେବଳ କୃଷି ଉପକରଣ ନୁହେ, ଜଳାଭାବ ଥିବା ସ୍ଥଳରେ ଜଳ ଉତ୍ତୋଳନ ପମ୍ପ ବ୍ୟବହାର କରିବାକୁ ପଡ଼େ । ଏପରି ଅନେକ ଗୁଡ଼ିଏ ଉପକରଣ ଆବଶ୍ୟକ ହୁଏ । ଏଗୁଡ଼ିକ ଯେପରି ବିଶେଷ ଉପକାରୀ, ସେହିପରି କ୍ରୟ କରିବାପାଇଁ ବହୁତ ମୂଲ୍ୟ ଦେବାକୁ ହୁଏ । ଏଣୁ ବ୍ୟକ୍ତିବିଶେଷ ପକ୍ଷରେ ଏହା ଗୋଟିଏ ସମସ୍ୟା । କିନ୍ତୁ କୌଣସି ଅନୁଷ୍ଠାନ ବା ସଂଘ ପକ୍ଷରେ ଏହା ଆଉ ସମସ୍ୟା ନୁହେ । ବର୍ତ୍ତମାନ ଏ କ୍ଷେତ୍ରରେ ମଧ୍ୟ ଅନେକ ନୂଆ ନୂଆ ଉଦ୍ଭାବନ ଚାଲିଛି । ସରକାରଙ୍କର ମଧ୍ୟ ଏହି ଅନୁଷ୍ଠାନ ସହିତ ଘନିଷ୍ଠ ସଂପର୍କ ଓ ଶୁଭଦୃଷ୍ଟି ରହିବ । ଏଣୁ ଏପରି ଘଟଣାଗୁଡ଼ିକ ମଧ୍ୟ ସରକାର ଚଞ୍ଚଳ ଜାଣିବାରେ ସୁବିଧା ହୁଏ ।

 

ଏଥିରେ ଆହୁରି ଅନେକ ସୁବିଧା ମଧ୍ୟ ରହିଛି । ସଂପଦ ପାଖରେ ବିପଦ ଥାଏ । ଅନେକ ସମୟରେ ଶସ୍ୟକ୍ଷେତ୍ରଗୁଡ଼ିକ କୀଟ ପତଙ୍ଗ ଓ ନାନାପ୍ରକାର ଜୀବାଣୁଦ୍ୱାରା ନଷ୍ଟ ହୋଇଯାଏ । ବ୍ୟକ୍ତି ବିଶେଷ ପକ୍ଷରେ ଏହାର ପ୍ରତିକାର ଚିନ୍ତା ବହୁ ଶ୍ରମ ଓ ବ୍ୟୟ ସାଧ୍ୟ । ଏଥିସକାଶେ ନାନା ଉପାୟ ଅନୁସରଣ କରିବାକୁ ପଡ଼େ । କିନ୍ତୁ ସମବାୟ ଅନୁଷ୍ଠାନ ଯଦି ହୁଏ, ତେବେ ନିଜ ହାତରେ ସବୁ ଥାଏ । ଏଣୁ ଏଥିସକାଶେ କିଛି ଖୋଜିବାକୁ ପଡ଼େ ନାହିଁ ଓ ଏହାଦ୍ୱାରା ଶସ୍ୟହାନି ଘଟିବାର ଆଶଙ୍କା ଆଦୌ ଉପୁଜେ ନାହିଁ । ବହୁଲୋକର ସଂପର୍କ ଥିବାଯୋଗୁଁ ଗାଈ ଗୋରୁଦ୍ୱାରା କିମ୍ବା ଜଳାଭାବରୁ ମଧ୍ୟ ଶସ୍ୟ ନଷ୍ଟ ହେବାର କାରଣ ରହେନାହିଁ । ଏଣୁ କେତେ କହନ୍ତି, ସମବାୟ ଚାଷଦ୍ୱାରା ଦେଶର ଅଶେଷ ମଙ୍ଗଳ ହୁଏ ।

 

ବର୍ତ୍ତମାନ କୃଷିର ଉନ୍ନତି ଓ ଉତ୍ପାଦନ ବୃଦ୍ଧି ଉଦ୍ଦେଶ୍ୟରେ କୃଷକମାନଙ୍କ ମନରେ ଅଧିକ ଉତ୍ସାହ ଓ ବିଶ୍ୱାସ ଜନ୍ମାଇପାଇଁ ଓଡ଼ିଶା ପ୍ରଭୃତି କେତେ ରାଜ୍ୟରେ ଭୂରାଜସ୍ୱ ଉଠାଇ ଦେଲେଣି । ଏହାଦ୍ୱାରା ମଧ୍ୟ କୋଠଚାଷର ପଥ ସୁଗମ ହୋଇଛି । ପୁଣି ସର୍ବୋଦୟ ନେତା ସନ୍ଥ ବିନୋବା ବାଭେ ପ୍ରଚାର କରୁଛନ୍ତି, ‘‘ପାଣି ପବନରେ ଯେପରି ସମସ୍ତଙ୍କର ଅଧିକାର ରହିଛି, ଜମି ଉପରେ ମଧ୍ୟ ସେହିପରି ଅଧିକାର ରହିବା ଉଚିତ ।’’ ସନ୍ଥ ବିନୋବା ଏହି ନୀତି ଉପରେ ଭୂଦାନଯଜ୍ଞ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହାହିଁ ସର୍ବୋଦୟର ମୂଳନୀତି । ସେ ଗ୍ରାମଦାନ ଉପରେ ବିଶେଷ ଗୁରୁତ୍ୱ ଆରୋପ କରନ୍ତି । ଏହି ନୀତି ମଧ୍ୟ ସମବାୟ ଚାଷପାଇଁ କ୍ଷେତ୍ର ପ୍ରସ୍ତୁତ କରେ ।

 

ଆଜିକାଲି ଜାଣିବା ନଜାଣିବା ସବୁ ବ୍ୟକ୍ତି ଚିତ୍କାର କରନ୍ତି, ସାବ୍ୟବାଦ ଓ ସମାଜବାଦ ଆବଶ୍ୟକ । ଏହି ପ୍ରସ୍ତାବ ମଧ୍ୟ ଏହି ଚିତ୍କାରର ଫଳ । ତଥାପି ଭାରତ ପକ୍ଷରେ ଏହା କେତେଦୂର ଅନୁକୂଳ, ଚିନ୍ତାକରି କାର୍ଯ୍ୟକରିବା ଉଚିତ । ‘‘ଦିଅଁ ଗଢ଼ୁ ଗଢ଼ୁ ମାଙ୍କଡ଼’’ ଯଦି ହୁଏ, ନେଇ ଆଣି ଥୋଇବା କଷ୍ଟକର ବ୍ୟାପାର ହେବ ।

 

ଆମ ଦେଶରେ ‘‘ସରକାର କା ମାଲ, ଦରିଆମେ ଡାଲ’’ ନୀତି ସହିତ ଲୋକେ ବିଶେଷ ସୁପରିତ । ଏହା ଅନୁମାନ ନୁହେ, ପ୍ରତ୍ୟକ୍ଷ । କ୍ଷୁଦ୍ର ଟାଟାକମ୍ପାନି ବର୍ଷକୁ କୋଟି କୋଟି ଟଙ୍କା ଲାଭ କରୁଥିବା ସ୍ଥଳେ ବୃହଦାକାର ରାଉରକେଲା ଓ ଭିଲାଇ ପ୍ରଭୃତି କାରଖାନା କ୍ଷତିରେ ଚାଲେ । ଆମର କଳ୍ପିତ ସମବାୟ ଚାଷ ମଧ୍ୟ ଏକ ଶ୍ରେଣୀର ସରକାର । ପୁଣି ଏହା ବହୁଲୋକର କାମ । ଲୋକେ ନିଜ କାମପରି ଏହି କାମ କରିବେ ତ ? ଯେଉଁ ଋଷିଆ ପ୍ରଥମେ ଏହି ନୀତି ପ୍ରଚଳନ କରିଥିଲା, ଉତ୍ପାଦନ ହ୍ରାସ ପାଇବାରୁ ସେହି ଦେଶରେ ଆଜି ବ୍ୟକ୍ତିଗତ ଭୂମି ରୂପେ ଗୋଟିଏ ପରିବାର ପିଛା ପାଞ୍ଚ ଏକର ଜମି ଲୋକଙ୍କ ଉପରେ ଛାଡ଼ି ଦିଆଯାଇଛି । ଏହିକଥା ମଧ୍ୟ ବିଚାରକୁ ନେବା ଆବଶ୍ୟକ । ‘‘ବୁଝି ବିଚାରି କର୍ମ କଲେ, ପ୍ରମାଦ ନ ପଡ଼ଇ ଭଲେ ।’’

Image

 

ସମୟ ଓ ତାହାର ସଦ୍‌ବ୍ୟବହାର

 

ଏକ କ୍ଷଣଠାରୁ ଆରମ୍ଭ କରି ପ୍ରତିଦଣ୍ଡ ଘଡ଼ି ପ୍ରହର ମାସ ଓ ବର୍ଷ ଏପରି କି ଯୁଗପର୍ଯ୍ୟନ୍ତ ସବୁ ସମୟର ଅନ୍ତର୍ଗତ । ସମୟର ଏକମାସ ବା ଏକବର୍ଷ ଯେପରି ମୂଲ୍ୟବାନ, ଏକ କ୍ଷଣ ମଧ୍ୟ ସେହିପରି ମୂଲ୍ୟବାନ୍‌; କାରଣ ଯେପରି କେତୋଟି ଜଳବିନ୍ଦୁରେ ଅନନ୍ତ ମହାସାଗର ଗଠିତ, ସେହିପରି କେତୋଟି କ୍ଷଣରେ ସମୟ ସ୍ରୋତ ଗଠିତ । ଏଣୁ ସମୟର ପ୍ରତିକ୍ଷଣର ଯଥାଯଥ ବ୍ୟବହାରକୁ ସମୟର ସଦ୍‌ବ୍ୟବହାର କୁହାଯାଏ । ଯଦି ଏହାର ଏକକ୍ଷଣ ଅବହେଳିତ ହୁଏ, ସାରାଜୀବନ ଅବହେଳିତ ହେଲା ବୋଲି କହିବାକୁ ହେବ ।

 

ଭୋଜନ, ଶୟନ, କ୍ରୀଡ଼ା କୌତୁକପାଇଁ ଯେପରି ଜୀବନର କେତେ ସମୟ ଉଦ୍ଦିଷ୍ଟ, ସେହିପରି ନିଜର ଉନ୍ନତି ଚିନ୍ତା କରିବାପାଇଁ କେତେ ସମୟ ବ୍ୟୟିତ ହେବା ଆବଶ୍ୟକ । ଯେଉଁମାନେ ଏହି ଧାରାବାହିକ ଜୀବନ-ସ୍ରୋତକୁ ସମ୍ମାନ ଦିଅନ୍ତି, ସେମାନେ କେବଳ ଏହାର ସୁଫଳ ଭୋଗ କରନ୍ତି । ଅନ୍ୟମାନଙ୍କ ପକ୍ଷରେ ଏହା ମୂଲ୍ୟହୀନ । ଯେଉଁମାନେ ସମୟର ମୂଲ୍ୟ ଜାଣନ୍ତି ନାହିଁ, ସେମାନେ ଜୀବନର ମୂଲ୍ୟ ମଧ୍ୟ ଜାଣନ୍ତି ନାହିଁ ।

 

ସମୟ କିପରି ମୂଲ୍ୟବାନ୍‌, ଗୋଟିଏ ଗଳ୍ପରୁ ତାହା ଜଣାଯାଏ । ଥରେ ଜଣେ ଗ୍ରାହକ ଜଣେ ବ୍ୟବସାୟୀଙ୍କୁ ଗୋଟିଏ ବହିର ଦାମ ପଚାରିଲେ । ବ୍ୟବସାୟୀ ଗ୍ରାହକଙ୍କୁ ତାହାର ଦାମ କେତେ କହିଲେ । କେତେ ସମୟ ପରେ ଗ୍ରାହକ ତାହାଙ୍କୁ ପୁଣି ପଚାରିଲେ, ‘‘ବହିଟି ପ୍ରକୃତରେ କେତେ ଦାମରେ ଦେବେ କହନ୍ତୁ ।’’ ବ୍ୟବସାୟୀ ଦ୍ୱିତୀୟ ଥର ବହିଟିର ଦାମ କିଛି ଅଧିକ କରି କହିଲେ । ଗ୍ରାହକ ବିସ୍ମିତ ହୋଇ ପଚାରିଲେ, ‘‘ଆପଣ ନିଜେ ଅଳ୍ପ ସମୟପୂର୍ବେ ଗୋଟେ କଥା କହିଥିଲେ, ବର୍ତ୍ତମାନ ଅନ୍ୟ ପ୍ରକାର କହୁଛନ୍ତି ?’’ ବ୍ୟବସାୟୀ ଉତ୍ତର ଦେଲେ, ‘‘ମୋର ସମୟର ମୂଲ୍ୟ ଅଛି । ଆପଣଙ୍କ ଯୋଗୁଁ ମୋର ଏତେ ସମୟ ଅଯଥା ବ୍ୟୟ ହେଲା । ଏଣୁ ଏକଥା କହିଲି-। ଯଦି ଆଉ କିଛି ସମୟ ବିଳମ୍ବ କରନ୍ତି, ତେବେ ଆପଣଙ୍କୁ ଆଉ କିଛି ଅଧିକା ଦେବାକୁ ପଡ଼ିବ ।’’ କଥାଟି ପରିହାସ ପରି ବୋଧ ହେଲେ ମଧ୍ୟ ଅତି ମୂଲ୍ୟବାନ୍ ।

 

ସମୟ ସମସ୍ତଙ୍କର ସୁପରିଚିତ । ଏଣୁ ସମସ୍ତେ ତାହାକୁ ଜାଣିଲାପରି ଭାବନ୍ତି । କିନ୍ତୁ କେହି ତାହାକୁ ଜାଣନ୍ତି ନାହିଁ । ସେ ଯେପରି କ୍ଷୁଦ୍ର ବୋଧହୁଏ, ସେପରି ବିରାଟ । ସେ ମହାକାଶପରି ଅନାଦି ଓ ଅନନ୍ତ । ଅନନ୍ତ ମହାସାଗର ଗୁଡ଼ିକ ଏହି ସମୟସ୍ରୋତର ଗୋଟିଏ ଗୋଟିଏ ପରମାଣୁ ମାତ୍ର । ଏହାର ଆଦି ଅନ୍ତ ନିର୍ଣ୍ଣୟ କରିବାପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଦାର୍ଶନିକ ବା ବୈଜ୍ଞାନିକ ଜନ୍ମଗ୍ରହଣ କରିନାହିଁ, ଭବିଷ୍ୟତରେ ମଧ୍ୟ ଜନ୍ମଗ୍ରହଣ କରିବାର ସମ୍ଭାବନା ନାହିଁ । ଏହାକୁ ଆୟତ୍ତ କରିବାପାଇଁ କିମ୍ବା ଏହାର ଗତିପଥ ନିୟନ୍ତ୍ରିତ କରିବାପାଇଁ ଏପର୍ଯ୍ୟନ୍ତ କୌଣସି ସାଧକ ଆବିର୍ଭୂତ ହୋଇନାହିଁ ବରଂ ଅଗଣିତ ମହାମହା ଦାର୍ଶନିକ ଓ ସାଧକ ଏହାର ଅନନ୍ତ ଗର୍ଭରେ ଲୀନହୋଇ ଯାଇଛନ୍ତି ।

 

ସମୟର ଗତି ତୀରର ଗତିପରି ସରଳ । ସେ ପୃଷ୍ଠଭଙ୍ଗ ଦେବାର ଜାଣେନାହିଁ କିମ୍ବା ତାହାର ଗତି ପରିବର୍ତ୍ତନ ହୁଏ ନାହିଁ । ତାହାର ପୁନରାବୃତ୍ତି କଳ୍ପନା ସଂପୂର୍ଣ୍ଣ ଅବାସ୍ତବ ଏବଂ ଗତି ନିୟମିତ ଓ ଚିରସ୍ଥାୟୀ । ମେରୁ ମହାମେରୁ ମଧ୍ୟ ତାହାର ଗତିରେ ବାଧାଦେଇ ପାରେ ନାହିଁ । ଯୁଧିଷ୍ଠିରଙ୍କର ସ୍ୱର୍ଗାରୋହଣ ପରି ସର୍ବଦା ତାହାର ଦୂରଦୃଷ୍ଟି ଓ ଅଗ୍ରଗତି ଚାଲିଥାଏ । ଯେଉଁମାନେ ତାହାର ଉପାସକ, ସେମାନେ ସିଦ୍ଧି ଲାଭ କରନ୍ତି । ଅନ୍ୟମାନଙ୍କ ପକ୍ଷରେ ଏହା କଳ୍ପନାର ବସ୍ତୁ ହୋଇ ରହେ । ସମୟ କାହରି ଇଙ୍ଗିତରେ ଚଳେ ନାହିଁ, କିନ୍ତୁ ସମସ୍ତଙ୍କୁ ସେ ଇଙ୍ଗିତ ଦିଏ । ସେ କାହାକୁ ଅପେକ୍ଷା କରେ ନାହିଁ କିନ୍ତୁ ସମସ୍ତେ ତାହାକୁ ଅପେକ୍ଷା କରିବାକୁ ବାଧ୍ୟ ।

 

ଲେଖକ, କବି, ବୈଜ୍ଞାନିକ ପ୍ରଭୃତି ସାଧକମାନେ ସମୟର ଯେ କୌଣସି ମୁହୂର୍ତ୍ତ ବ୍ୟର୍ଥ କରନ୍ତି ନାହିଁ । ସେମାନେ ଚନ୍ଦ୍ର ସହିତ ଜ୍ୟୋତ୍ସାପରି ସମୟର ଅନୁଧାବନ କରନ୍ତି । ସେମାନଙ୍କର ତପସ୍ୟା ଅତି କଠୋର, ସେମାନଙ୍କର ବ୍ରତ ଅତି ଦୁଃସାଧ୍ୟ । ଏଥିପାଇଁ ସେମାନଙ୍କୁ ଆବଶ୍ୟକ ଦୀର୍ଘ ସମୟ । ସେମାନଙ୍କର ମହତ୍‌ଚିନ୍ତାକୁ ରୂପ ଦେବାପାଇଁ ଆବଶ୍ୟକ ସମୟର ଦୀର୍ଘତା । ସେମାନଙ୍କର ବ୍ୟାକୁଳତା, ଆଉ ଟିକିଏ ସମୟ ପାଇଲେ ଆଉ ଟିକିଏ ଅଧିକ ଚିନ୍ତା କରନ୍ତେ, କେତେ ବଡ଼ ବଡ଼ ଅଧ୍ୟୟନ କରି ଅଧିକ ଶକ୍ତି ସଂଚୟ କରନ୍ତେ । ସେମାନେ ପାର୍ଥିବ ଭୋଗବିଳାସରେ ଆସକ୍ତ ନୁହନ୍ତି । ଏଗୁଡ଼ିକ ସେମାନଙ୍କ ପକ୍ଷରେ ସାରହୀନ, ମରୀଚିକା । ସେମାନେ ସର୍ବଦା ଚିନ୍ତିତ, ସେମାନଙ୍କର କଳ୍ପନା କିପରି ବାସ୍ତବରେ ପରିଣତ ହେବ ।

 

ଏହିପରି ବଡ଼ବଡ଼ ସାଧକମାନଙ୍କର ଜୀବନୀ ଅନୁଧ୍ୟାନ କଲେ ସମୟ ସହିତ ସେମାନେ କିପରି ଓତଃପ୍ରୋତ ଭାବରେ ଜଡ଼ିତ ସେକଥା ଜଣାଯାଏ । ମହାକବି ବାଲ୍ମୀକି ସମୟର ସଦ୍‌ବ୍ୟବହାର କରି ନିଜେ ବଲ୍ମୀକି ପାଲଟି ଯାଇଥିଲେ । ବୈଜ୍ଞାନିକ ଆର୍କିମେଡିସ ଯାହା ଚିନ୍ତା କରୁଥିଲେ., ସ୍ନାନକଲା ସମୟରେ ସେକଥା ତାଙ୍କର ସ୍ମରଣ ହେଲା । ଏଣୁ ସେ ଅର୍ଦ୍ଧସ୍ନାନ ଅବସ୍ଥାରେ ‘‘ପାଇଲି ପାଇଲି’’ ବୋଲି ଚିତ୍‌କାର କରି ପଦାକୁ ଆସି ବହୁ ସମୟ ପର୍ଯ୍ୟନ୍ତ ଛୋଟ ଶିଶୁମାନଙ୍କପରି ନୃତ୍ୟ କରିଥିଲେ । ଏପରିକି ସେ ଅତି ଆନନ୍ଦରେ ନିଜକୁ ମଧ୍ୟ ଭୁଲିଯାଇଥିଲେ । ମହାକବି କାଳିଦାସ ‘‘କାର୍ଯ୍ୟଂ ବା ସାଧୟତେ୍‌, ଶରୀରଂ ବା ପାତୟେତ୍‌’’ ଏହି ପଣ କରି ଆଜି ପୃଥିବୀର ଜଣେ ଶ୍ରେଷ୍ଠ ମହାକବି ରୂପେ ପରିଚିତ । ଏପରି କେତେ ଯୁଗଜନ୍ମା ସମୟର ସଦ୍‌ବ୍ୟବହାର କରି ଅମର କୀର୍ତ୍ତି ରଖିଯାଇଛନ୍ତି ।

 

କୃତୀ ଛାତ୍ରମାନଙ୍କ ପକ୍ଷରେ ମଧ୍ୟ ସମୟ ଅତି ମୂଲ୍ୟବାନ୍‌ । ସେମାନେ ସମୟରେ ଏକ ମୁହୂର୍ତ୍ତ କଥା ବ୍ୟୟ କରନ୍ତି ନାହିଁ । ସେମାନେ ସର୍ବଦା ଅଧ୍ୟୟନରତ । ସେମାନଙ୍କ ଜୀବନର ଲକ୍ଷ୍ୟ ହେଲା, ସେମାନେ ଅଧିକ ସମୟ ପାଇଲେ ନୂତନ ବହି ନୂତନ ଜ୍ଞାନ ଅର୍ଜନ କରିବେ, ମହାପୁରୁଷଙ୍କର ଜୀବନୀ ପଢ଼ି ସେହି ଆଦର୍ଶରେ ନିଜର ଜୀବନକୁ ମହତ୍‌କରି ଗଠନ କରିବେ । ସେମାନେ ବିଳାସବାସନା ଓ ନିଦ୍ରାରେ ଆସକ୍ତି ନୁହନ୍ତି । ‘‘ବିଦ୍ୟାତୁରାଣାଂ ନ ସୁଖଂ ନ ନିଦ୍ରା’’ ବୋଲି ଯେଉଁ ନୀତିବାକ୍ୟ ଅଛି, ତାହା ସେମାନଙ୍କ ଜୀବନରେ ପ୍ରତିଫଳିତ ହୋଇଥାଏ ।

 

ସମୟର ଗତି ସେମାନଙ୍କ ମନରେ ଉଦ୍‌ବେଗ, ଅସନ୍ତୋଷ ଓ ଅସ୍ଥିରତା ସୃଷ୍ଟିକରେ । ସେମାନେ ଦିନର ଅପରାହ୍‌ଣଟି ଦେଖି ବିଶେଷ ଦୁଃଖିତ ହୁଅନ୍ତି; କାରଣ ସେମାନଙ୍କର ସେହି ଦିନର ପୂର୍ବହ୍‌ଣଟି ଅତୀତ ହୋଇଯାଇଛି । ବିଳାସବ୍ୟସନ କଥା ଦୂରେଥାଉ, ସେମାନେ ବେଳେବେଳେ ନିଦ୍ରାହାର କଥା ବି ଭୁଲିଯାନ୍ତି । ସମୟର ପ୍ରତିମୁହୂର୍ତ୍ତର ସଦ୍‌ବିନିଯୋଗ କେବଳ ସେମାନଙ୍କର ବିଳାସ ଓ ସେମାନଙ୍କର ବ୍ୟସନ ।

 

ଜଣେ ଆଳସ୍ୟପରାୟଣ ବ୍ୟକ୍ତି ପକ୍ଷରେ ସୂର୍ଯ୍ୟୋଦୟଠାରୁ ପୁଣି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସମୟ ଦୀର୍ଘପରି ମନେହୁଏ । ଦିନେ ଦିନେ ତାହାର ସମୟ ଆଦୌ ନ କଟିଲାପରି ବୋଧ କରେ । ସେ ମସୟ କଟାଇବା ପାଇଁ ବହୁବାର ନିଦ୍ରାଯାଏ ଓ ବହୁ ବିଳାସ ବ୍ୟସନରେ ମଧ୍ୟ ଯୋଗଦିଏ । ବେଳେବେଳେ ସମୟର ଦୀର୍ଘତା ନେଇ ସେ ବହୁ ବିରକ୍ତି ମଧ୍ୟ ପ୍ରକାଶ କରେ । ଏପରି କି ସେ ନାନା ଅପକର୍ମ କରି ସମୟଟି ବୃଥା କଟାଇ ଦିଏ । ସେ ଜାଣେ ନାହିଁ ଯେ, ତାହାର ଭବିଷ୍ୟତ ନିଜର ଅଜ୍ଞତାଦ୍ୱାରା ଅବରୁଦ୍ଧ । କିନ୍ତୁ ଜଣେ ସାଧକ ଏପରି ଜୀବନକୁ ଅଭିଶପ୍ତ ଜୀବନ ମନେକରେ ।

 

ସମୟର ସ୍ରୋତ ସହିତ ମାନବ ଜୀବନ ଜଡ଼ିତ । ସେ ଯଦି ସମୟ ସ୍ରୋତର ଗତି ସହିତ ସନ୍ତରଣ କରେ କିଛି ଉପକାର ପାଏ । ସେ ଏହି ସ୍ରୋତର ପ୍ରତିରୋଧ କଲେ କୁଳ କିନାରା ପାଏ ନାହିଁ । ଏଣୁ ସମୟର ସଦ୍‌ବ୍ୟବହାର ଦ୍ୱାରା କେବଳ ଉନ୍ନତି ସମ୍ଭବ । ଅନ୍ୟଥା ମନୁଷ୍ୟ କେବଳ ଆାହାର ନିଦ୍ରାବିଳାସୀ ଏକ ନିଦ୍ରାବିଳାସୀ ଏକ ଜୀବ ବିଶେଷ ଛଡ଼ା ଅନ୍ୟ କିଛି ନୁହେ ।

Image

 

ଛାତ୍ରଜୀବନରେ ଶୃଙ୍ଖଳାର ସ୍ଥାନ

 

ନିୟମାନୁମୋଦିତ କର୍ତ୍ତବ୍ୟ ପାଳନକୁ ଶୃଙ୍ଖଳା କୁହାଯାଏ । ଜୀବଜଗତଠାରୁ ଆରମ୍ଭ କରି ଜଡ଼ ପ୍ରକୃତି ପର୍ଯ୍ୟନ୍ତ ସମସ୍ତ ବିଶ୍ୱବ୍ରହ୍ମାଣ୍ତ ସୁନିର୍ଦ୍ଦିଷ୍ଟ ନିୟମରେ ଚାଳିତ । ଭୂପୃଷ୍ଠର ଋତୁଗୁଡ଼ିକ ଯେପରି ଶୃଙ୍ଖଳିତ, ସୌରଜଗତର ଗ୍ରହମଣ୍ତଳ ଏବଂ ମହାକାଶର ଜ୍ୟୋତିଷ୍କ ଗୁଡ଼ିକର ଗତିବିଧି ମଧ୍ୟ ଅନୁରୂପ ଶୃଙ୍ଖଳାବଦ୍ଧ । ମନୁଷ୍ୟ ବୁଦ୍ଧିଜୀବୀ ହୋଇ ସୁଦ୍ଧା ବହୁ ସ୍ଥଳରେ ଶୃଙ୍ଖଳା ଭଙ୍ଗ କରେ; କିନ୍ତୁ ଏ କ୍ଷେତ୍ରରେ ପ୍ରକୃତିରେ ବିନ୍ଦୁମାତ୍ର ବ୍ୟତିକ୍ରମ ଦେଖାଯାଏ ନାହିଁ । ପ୍ରକୃତିରେ ମନୁଷ୍ୟଠାରୁ ବହୁଗୁଣରେ ଶକ୍ତିଶାଳୀ ଏବଂ ମନୁଷ୍ୟର ବହୁ ଶିକ୍ଷଣୀୟ ବିଷୟ ପ୍ରକୃତିଠାରେ ନିହିତ । କି ଶିକ୍ଷକ, କି ଛାତ୍ର, ଯେଉଁମାନେ ଶୃଙ୍ଖଳାର ମହତ୍ତ୍ୱ ଉପଲବ୍‌ଧି କରନ୍ତି, ସେମାନେ ସବୁ କ୍ଷେତ୍ରରେ ସଫଳକାମ ହୁଅନ୍ତି । ଶୃଙ୍ଖଳା ଜ୍ଞାନ ମନୁଷ୍ୟର ଏକ ମହତ୍‌ଗୁଣ ଓ ମହତ୍‌ଜୀବନ ଗଠନର ପ୍ରଧାନ ସହାୟକ । ଏଣୁ ପ୍ରତି କ୍ଷେତ୍ରରେ ଶୃଙ୍ଖଳା ମାନି ଚଳିବା ସମସ୍ତଙ୍କର କର୍ତ୍ତବ୍ୟ ।

 

ବିଶେଷ ଭାବରେ ଉନ୍ନତ ଭବିଷ୍ୟତ ଗଠନ କରିବାପାଇଁ ଛାତ୍ରପକ୍ଷରେ ଶୃଙ୍ଖଳା ଜ୍ଞାନ ନିତାନ୍ତ ଆବଶ୍ୟକ । ଏହି ସମୟରେ ତାହାର ଭାବୀଜୀବନର ମୂଳଦୁଆ ପଡ଼େ । ଏଣୁ ଛାତ୍ରବସ୍ଥାରେ ଯଦି ମନୁଷ୍ୟ ଶୃଙ୍ଖଳିତ ହୁଏ, ସେ ସାରାଜୀବନ ସୁଖୀ ଓ ମହାନ୍‌ ହୋଇପାରିବ । ‘‘ଯାହା ହୋଇନି ବାଳ କାଳେ, ତାହା ହେବ ନି କାଳେ କାଳେ’’ ବୋଲି ନୀତି ବାକ୍ୟ ଅଛି । ମନୁଷ୍ୟ ବାଲ୍ୟ ଜୀବନରେ ଯାହା ଶିକ୍ଷାକରେ, ସେ ସାରା ଜୀବନ ତାହାର ସୁଫଳ ବା କୁଫଳ ଭୋଗ କରେ-। ମନୁଷ୍ୟର ବାଲ୍ୟାବସ୍ଥାକୁ କୁମ୍ଭକାରର ମାଟି ସହିତ ତୁଳନା କରାଯାଇଛି । କଞ୍ଚାମାଟିକୁ କୁମ୍ଭକାର ଯେପରି ଚକ ଉପରେ ଥୋଇ ନାନା ରୂପଦିଏ, ସେଗୁଡ଼ିକ ଚିରଦିନ ସେହିପରି ରହେ । ତା’ପରେ ତାହାର ଆଉ କୌଣସି ପରିବର୍ତ୍ତନ ହୁଏନାହିଁ । ସେହିପରି ବାଲ୍ୟାବସ୍ଥାରୁ ଶିଶୁର ଚରିତ୍ର ଯେପରି ଗଠିତ ହଏ, ତାହା ଶେଷ ପର୍ଯ୍ୟନ୍ତ ସେପରି ରହେ ।

 

ପ୍ରାଚୀନ ଭାରତରେ ଛାତ୍ରମାନେ ଗୁରୁକୁଳ ଆଶ୍ରମରେ ରହି ଯେପରି କଠୋର ଶୃଙ୍ଖଳା ମଧ୍ୟରେ ଜୀବନ ଗଠନ କରୁଥିଲେ, ତାହା ଯୁଗେ ଯୁଗେ ଭାରତର ପରମ ଆଦର୍ଶ ହୋଇ ରହିଅଛି-। ଏହି ଛାତ୍ରମାନଙ୍କୁ ବ୍ରହ୍ମଚାରୀ ବା ବିଦ୍ୟାର୍ଥୀ ବୋଲି କୁହାଯାଉଥିଲା । ଏହି ବ୍ରହ୍ମଚାରୀମାନେ ଥିଲେ ଅଧ୍ୟୟନପଟୁ, କର୍ମନିପୁଣ, ନିୟମାନୁବର୍ତ୍ତୀ, ଦେଶାତ୍ମବୋଧୀ, ନିରଳସ ଓ ନିରାଡ଼ମ୍ବର । ଏହି ଆଚରଣଗୁଡ଼ିକ ଶୃଙ୍ଖଳାଜ୍ଞାନର ନାମାନ୍ତର ମାତ୍ର । ବର୍ତ୍ତମାନ ସୁଦ୍ଧା ବିଦ୍ୟାଳୟଗୁଡ଼ିକରେ ଶିକ୍ଷା ଓ ଶୃଙ୍ଖଳାକୁ ସମାନ ସ୍ଥାନ ଦିଆଯାଇଛି । ଏଣୁ ଛାତ୍ରମାନେ ଶିକ୍ଷା କରିବା ସଙ୍ଗେ ସଙ୍ଗେ ଶୃଙ୍ଖଳିତ ଜୀବନଯାପନ କରିବାକୁ ମଧ୍ୟ ବାଧ୍ୟ । ଶୃଙ୍ଖଳାରହିତ ଶିକ୍ଷାକୁ ଅଶିକ୍ଷା ବା କୁଶିକ୍ଷା କହିଲେ ଅସମୀଚୀନ ହେବନାହିଁ । ଉଚ୍ଛୃଙ୍ଖଳ ବିଦ୍ୟା ବୁଦ୍ଧି ବରଂ ବିପଦର କାରଣ । ଚାଣକ୍ୟ ଯଥାର୍ଥରେ କହିଛନ୍ତି, ‘‘ଦୁର୍ଜନଃ ପରିହର୍ତ୍ତବ୍ୟଃ ବିଦ୍ୟୟାଳଂକୃତୋପି ସନ । ମଣିନା ଭୂଷିତଃ ସର୍ପଃ କିମସୌ ନ ଭୟଙ୍କରଃ’’ ।

ଛାତ୍ରର ଶିକ୍ଷାପାଇଁ ବିଶାଳ କ୍ଷେତ୍ର ରହିଛି । ତଥାପି ଗୃହ ଓ ବିଦ୍ୟାଳୟ ଯାହାର ପ୍ରଧାନ ଶିକ୍ଷାପୀଠ, ସେ ଏ ଉଭୟ ସ୍ଥଳରେ ଶିକ୍ଷା ସଙ୍ଗେ ସଙ୍ଗେ ଶୃଙ୍ଖଳା ମଧ୍ୟ ଶିକ୍ଷା କରେ । ଶିକ୍ଷା ଓ ଶୃଙ୍ଖଳା ପରସ୍ପର ପରିପୂରକ । ରାତ୍ରିଯୋଗୁ ଚନ୍ଦ୍ର ଓ ଚନ୍ଦ୍ରଦ୍ୱାରା ରାତ୍ରି ଶୋଭା ପାଇଲା ପରି ଗୋଟିଏ ଯୋଗୁଁ ଅନ୍ୟଟି ଶୋଭାପାଏ ।

ମନୁଷ୍ୟ ପ୍ରଥମେ ନିଜ ଗୃହରେ ନିଜର ଚରିତ୍ର ଗଠନ କରେ । ନିଜ ଗୃହରେ ତାହାର ଗୁରୁଜନମାନଙ୍କ ଆଦେଶ ପାଳନ କରିବା, ଗୁରୁଜନମାନଙ୍କୁ ଯଥାଯୋଗ୍ୟ ସମ୍ମାନ ପ୍ରଦର୍ଶନ କରିବା, ସାନମାନଙ୍କୁ ସ୍ନେହ ଓ ଆଦର କରିବା ପ୍ରଭୃତି ମହତ୍‌ଗୁଣଗୁଡ଼ିକ ଅଙ୍କୁରିତ ହୁଏ । ସେ ସେତେବେଳେ ବାହ୍ୟ ଜଗତ ସହିତ ସଂପର୍କ ପ୍ରତିଷ୍ଠା କରେ, ସେତେବେଳେ ସେଗୁଡ଼ିକ ଅଧିକ ପଲ୍ଲବିତ ହୁଏ ।

ବିଦ୍ୟାଳୟ ହେଲା ଛାତ୍ରର ଅନ୍ୟତମ ଶିକ୍ଷାକେନ୍ଦ୍ର । ସେ ସେଠାରେ ତାହାର ଅଭାବ ପୂରଣ କରେ । ସେ ବିଦ୍ୟାଳୟରେ ଗୁରୁଙ୍କଠାରୁ ଯେପରି ପର୍ଣ୍ଣଙ୍ଗ ଶିକ୍ଷା ପ୍ରାପ୍ତ ହୁଏ, ସେହିପରି ପ୍ରାର୍ଥନା ସଭା, ବିଭିନ୍ନ ଉତ୍ସବ, ବିଭିନ୍ନ ଜାତୀୟ ପର୍ବ, ଜାତୀୟ ସମରଶିକ୍ଷା ଓ ବାଳଚର ସଂସ୍ଥାରେ ଯୋଗଦେଇ କଠୋର ଶୃଙ୍ଖଳା ଜ୍ଞାନ ମଧ୍ୟ ଅର୍ଜନ କରିପାରେ । ବିଦ୍ୟାଳୟର ପ୍ରତିକ୍ଷଣ ଓ ପ୍ରତି ପ୍ରାନ୍ତ ଶିକ୍ଷା ଓ ଶୃଙ୍ଖଳାର ବାହକ ।

ବିଦ୍ୟାଳୟଗୁଡ଼ିକରେ ପାଠ ଆରମ୍ଭ ହେବା ପୂର୍ବରୁ ଶିକ୍ଷକ ଓ ଛାତ୍ରମାନଙ୍କର ଯେଉଁ ମିଳିତ ପ୍ରାର୍ଥନା ସଭା ହୁଏ, ଅତି ଅଳ୍ପ ସମୟ ହେଲେ ମଧ୍ୟ କିପରି ଏକାଗ୍ରଚିତ୍ତରେ ସଂଯମ ହୋଇ ରହିବାକୁ ହେବ, ଶିଶୁ ସେଠାରେ ତାହା ଶିକ୍ଷାକରେ । କେବଳ ସେତିକି ନୁହେ, ଶୃଙ୍ଖଳିତ ଭାବରେ ଆସି ପୁଣି ଶୃଙ୍ଖଳିତ ହୋଇ ଶ୍ରେଣୀକୁ ଯିବା କମ୍‌ଶିକ୍ଷଣୀୟ ବିଷୟ ନୁହେ । ଶ୍ରେଣୀରେ ସେ ଶିକ୍ଷକଙ୍କଠାରୁ ସବୁ ଶୁଣେ, ସବୁକଥା ରକ୍ଷାକରେ । ଶିକ୍ଷକ ଶ୍ରେଣୀରେ ଆସି ଉପସ୍ଥିତ ହେବା ସଙ୍ଗେ ସଙ୍ଗେ ଏବଂ ଶ୍ରେଣୀ ଛାଡ଼ିବା ସମୟରେ ମଧ୍ୟ ଠିଆ ହୋଇ ତାହାଙ୍କୁ ସମ୍ମାନ ପ୍ରଦର୍ଶନ କରେ ଏବଂ ଶିକ୍ଷକଙ୍କ ଅନୁପସ୍ଥିତିରେ ବଡ଼ଚାଟର ନିର୍ଦ୍ଦେଶ ମଧ୍ୟ ମାନି ଚଳେ । ସଙ୍ଗ ଦୋଷରେ ମଧ୍ୟ ମନୁଷ୍ୟର ଚରିତ୍ର ଉନ୍ନତ ହୁଏ ବା ନଷ୍ଟ ହୋଇଯାଏ । ‘‘ସଂସର୍ଗଜା ଦୋଷଗୁଣା ଭବନ୍ତି’’ ବୋଲି ନୀତିବାକ୍ୟ ଅଛି । ଗୋଟିଏ ଶ୍ରେଣୀରେ ଏପରି ବିଭିନ୍ନ ସ୍ୱଭାବର ଛାତ୍ର ଥାନ୍ତି । ଚିନ୍ତାଶୀଳ ଛାତ୍ରମାନେ ଆଗରୁ ଏହି କଥା ଜାଣି କୁସଙ୍ଗ ତ୍ୟାଗକରି ସୁସଙ୍ଗ କରନ୍ତି । ଏଣୁ ସେମାନଙ୍କ ଆଗରେ ଏକ ଉଜ୍ଜ୍ୱଳ ଭବିଷ୍ୟତ ପଥପ୍ରଦର୍ଶନ କରି ଚାଲିଥାଏ । ଏମାନେ ଛାତ୍ର ବିଶୃଙ୍ଖଳା ସୃଷ୍ଟି କରିବା ମହପାପ ମନେ କରନ୍ତି ।

ଏହି ଶ୍ରେଣୀର ଛାତ୍ରମାନଙ୍କର ଗୁରୁଜନମାନଙ୍କ ଗୁରୁଜନମାନଙ୍କ ପ୍ରତି ଅଚଳା ଭକ୍ତି, ଅନୁଷ୍ଠାନ ପ୍ରତି ମମତା ଓ ନିଜ ଚରିତ୍ର ପ୍ରତି ତୀକ୍ଷ୍‌ଣ ଦୃଷ୍ଟି ଥାଏ । ଏଣୁ ସେମାନେ ଶିକ୍ଷକଙ୍କର ଅନୁପସ୍ଥିତିରେ ମଧ୍ୟ ଖେଳକୌତୁକ, ପର୍ବ ପର୍ବାଣି ବା ଅନ୍ୟ ଯେ କୌଣସି କ୍ଷେତ୍ରରେ ଶୃଙ୍ଖଳା ଭଙ୍ଗ ହେଲାପରି କାର୍ଯ୍ୟ କରନ୍ତି ନାହିଁ । ଜାତୀୟ ସମର ଶିକ୍ଷା ବା ବାଳଚର ସଂସ୍ଥାରେ ମଧ୍ୟ ଯନ୍ତ୍ରଚାଳିତ ବତ୍‌ ନ ହୋଇ, ଶୃଙ୍ଖଳା ଶିକ୍ଷାପାଇଁ ଏଗୁଡ଼ିକ ଉଦ୍ଦିଷ୍ଟ, ଏକଥା ଜାଣି ନିଜର କର୍ତ୍ତବ୍ୟ କରନ୍ତି । ଏପରି କି ଛାତ୍ରମାନେ କୌଣସି ସ୍ଥାନରେ କୌଣସି ପ୍ରାକୃତିକ ବିପଦ ଦେଖାଦେଲେ, ଦୁର୍ନୀତିଗ୍ରସ୍ତ କର୍ମଚାରୀକୁ ଘେରାଉ କଲାପରି ସ୍ଥାନଟିକୁ ଘେରିଯାଇ ତାହାର ପ୍ରତିକାର କରନ୍ତି । ଏଣୁ ଏହି ଶ୍ରେଣୀର ଛାତ୍ରମାନେ କେବଳ ଭବିଷ୍ୟତରେ ଦେଶସେବକ ବା ନେତା ହୁଅନ୍ତି । କେବଳ ସେତିକି ନୁହେ, ଆଜିର ଛାତ୍ର କାଳିର ଗୁରୁ । ସେ ସହସ୍ରାଧିକ ଛାତ୍ରଙ୍କୁ ଯୋଗ୍ୟ ନାଗରିକ କରିବାର ଗୁରୁ ଦାୟିତ୍ୱ ବହନ କରେ । ଯେ ନିଜ ଜୀବନରେ ଶୃଙ୍ଖଳାର ମହତ୍ତ୍ୱ ଉପଲବ୍‌ଧି କରିଥାଏ, ସେ କେବଳ ଏଥିପାଇଁ ଯୋଗ୍ୟ ।

ଏହା କଥାରେ ହୋଇଯାଏ ନାହିଁ, ଉଚିତ ଶିକ୍ଷା ଦିଆଯିବା ଆବଶ୍ୟକ । ଶିକ୍ଷକ ଓ ଅଭିଭାବକମାନଙ୍କର ତୀକ୍ଷ୍‌ଣ ଦୃଷ୍ଟି ରହିଲେ ଭବିଷ୍ୟତରେ ଛାତ୍ରମାନେ ସୁନାଗରିକ ହୋଇ ଦେଶରେ ସୁନାମ ଅର୍ଜନ କରନ୍ତି ।

Image

 

Unknown

ଆଦର୍ଶ ଛାତ୍ର

 

ଯେଉଁମାନେ ଚାଟଶାଳୀଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରନ୍ତି, ସେମାନଙ୍କୁ ଛାତ୍ର କୁହାଯାଏ । ଯେଉଁ ଛାତ୍ର ଚରିତ୍ରବାନ୍‌ ଏବଂ ଯାହାଠାରେ ଅନୁକରଣଯୋଗ୍ୟ ସଦ୍‌ଗୁଣ ଥାଏ, ସେ ଆଦର୍ଶ ଛାତ୍ର । ଯେଉଁମାନେ ଆଦର୍ଶ ଛାତ୍ର, ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ଏବଂ ସେମାନଙ୍କ ଦ୍ୱାରା ଦେଶର ମଧ୍ୟ ମୁଖ ଉଜ୍ଜୁଳ ହୁଏ ।

 

ଦର୍ପଣରେ ପ୍ରତିବିମ୍ବ ପଡ଼ିଲା ପରି ତାହା ହୃଦୟରେ କର୍ତ୍ତବ୍ୟ ପ୍ରତିବିମ୍ବିତ ହୋଇଯାଏ । ଏଣୁ ସେ ଜୀବନରେ କେବେ କର୍ତ୍ତବ୍ୟଚ୍ୟୁତ ହୁଏ ନାହିଁ । ‘‘ଅକୃତ୍ୟଂ ନୈବ କର୍ତ୍ତବ୍ୟଂ ପ୍ରାଣତ୍ୟାଗେପି ସଂସ୍ଥିତେ’’ ଏ କଥା ସେ କେବେ ଭୁଲିଯାଏ ନାହିଁ । ନିଦ୍ରା, ତନ୍ଦ୍ରା, ଭୟ, କ୍ରୋଧ, ଆଳସ୍ୟ, ଦୀର୍ଘସୂକ୍ରିତା ମନୁଷ୍ୟର ଏହି ଛ’ଟି ଶତ୍ରୁ ତାହାକୁ କେବେ ସ୍ପର୍ଶ କରିପାରନ୍ତି ନାହିଁ । ନିଜର ସାଧୁତା, ସୌଜନ୍ୟ ଏବଂ ସୁଚରିତ୍ର ଯୋଗୁ ନିଜ ପରିବାରରେ, ବିଦ୍ୟାଳୟରେ ଏପରି କି ସମାଜରେ ମଧ୍ୟ ସେ ଶୀର୍ଷସ୍ଥାନ ଲାଭ କରେ । ସେ ଶୃଙ୍ଖଳାକୁ ନିଜ ହୃଦୟରେ ପ୍ରଥମ ସ୍ଥାନ ଦିଏ ଏବଂ ଦେଶର ସମ୍ମାନ ରକ୍ଷା ତାହାର ପ୍ରଥମ କର୍ତ୍ତବ୍ୟ ମନେ କରେ । ବିଭିନ୍ନ ପୁସ୍ତକ ପଠନକୁ ସେ ନିତ୍ୟକର୍ମରୂପେ ଗ୍ରହଣ କରିଥାଏ । ସର୍ବୋପରି ବଡ଼ ବଡ଼ ମହାପୁରୁଷମାନଙ୍କର ଜୀବନୀ ଅଧ୍ୟୟନ କରି ନିଜକୁ ସେହି ପନ୍ଥାରେ ଗଠନ କରିବାପାଇଁ ସେ ସତତ ଯତ୍ନଶୀଳ । ସେ କୌଣସି ଅସାମାଜିକ କାର୍ଯ୍ୟରେ ଲିପ୍ତ ନ ହୋଇ ବରଂ ଏପରି ନିନ୍ଦନୀୟ କାର୍ଯ୍ୟର ବିରୋଧ କରେ ଏବଂ ଏହା ଯେପରି ସମାଜରୁ ଲୋପପାଇବ, ସେଥିପ୍ରତି ଆପ୍ରାଣ ଚେଷ୍ଟା କରେ । ସେ କେବେ କୁସଙ୍ଗରେ ଲିପ୍ତ ହୁଏ ନାହିଁ । ଯଦି କୌଣସି ଅବାଞ୍ଚିତ ପରିସ୍ଥିତିରେ ପଡ଼ି ପଥଭ୍ରଷ୍ଟ ହେବାକୁ ଯାଏ, ପରମୁହୂର୍ତ୍ତରେ ସେଥିରୁ କ୍ଷାନ୍ତହୋଇ ସେ ତାହାକୁ ଏକ ଶିକ୍ଷାରୂପେ ଗ୍ରହଣ କରେ । ନିଜ କର୍ତ୍ତବ୍ୟ କର୍ମରେ ତାହାର ଗୁରୁଲଘୁ ବିଚାର ନ ଥାଏ । ସେ ସବୁ କର୍ତ୍ତବ୍ୟକୁ ସମାନ ଦୃଷ୍ଟିରେ ଦେଖେ । ସେ ଅଭିଭାବକ ଓ ଗୁରୁଜମାନଙ୍କର ନିର୍ଦ୍ଦେଶକୁ କେବେ ଅବଜ୍ଞା କରେ ନାହିଁ, ‘‘ଆଜ୍ଞା ଗୁରୁଣାମବିଚାରଣୀୟା’’ ହେଲା ତାହାର ନିତି ।

 

ଏପରି ଉଚ୍ଚ ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକ କିପରି ବିପଦମୁକ୍ତ ଓ ମହାନ୍‌ ହୋଇପାରେ, ତାହା ତଳଲିଖିତ କେତୋଟି ଉଦାହରଣରୁ ଜଣାଯାଏ । ଆରୁଣି ଥିଲେ ପରମ ଗୁରୁଭକ୍ତ । ଏଣୁ ସେ ସମସ୍ତ ପ୍ରକାର ବିପଦରୁ ମୁକ୍ତିଲାଭ କରିପାରିଥିଲେ । ମହାତ୍ମାଗାନ୍ଧି ଥରେ କୁସଙ୍ଗରେ ପଡ଼ି ପଥଚ୍ୟୁତ ହୋଇଥିଲେ । କିନ୍ତୁ ପରେ ପିତାମାତାଙ୍କ ମନରେ ଦୁଃଖ ହେବାର ଜାଣି ସେ ଭବିଷ୍ୟତରେ ଆଉ କୌଣସି ଅପକର୍ମ କରିବେ ନାହିଁ ବୋଲି ଶପଥ ଗ୍ରହଣ କରିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଏହି ଦୃଢ଼ତାରୁ ସେ ବିଚ୍ୟୁତ ହୋଇ ନ ଥିଲେ । ଏପରି କି ସେ ଶୈଶବାବସ୍ଥାରେ ମଧ୍ୟ ଗୁରୁଙ୍କ ନିର୍ଦ୍ଦେଶ ପାଇ ସୁଦ୍ଧା ଅନ୍ୟ ପିଲାର କପି କରି କୃତିତ୍ୱ ଅର୍ଜନ କରିବାକୁ ଅଯୌକ୍ତିକ ମନେ କରିଥିଲେ । ଏଣୁ ସେ ଯେପରି ଆଦର୍ଶ ଛାତ୍ର ଥିଲେ, ସେହିପରି ଆଦର୍ଶ ମହାପୁରୁଷ ମଧ୍ୟ ହୋଇପାରିଥିଲେ । ଭବିଷ୍ୟତରେ କିଏ କ’ଣ ହେବ, ଛାତ୍ରବସ୍ଥା ହିଁ ବହୁ ସ୍ଥଳରେ ତାହା ସୁଚାଇ ଦିଏ-

 

ଅବଶ୍ୟ ମନୁଷ୍ୟର କେତେକ ସହଜାତ ପ୍ରବୃତ୍ତି ରହିଛି, ଯାହା ବଳରେ ମନୁଷ୍ୟ ଭବିଷ୍ୟତରେ ସାନ ବା ବଡ଼ ହୋଇପାରେ । ତଥାପି ଉଚ୍ଚ ଆଦର୍ଶର ଅନୁଧାବନ ରହିତ ପରିବେଷ୍ଟନୀ, ସୁସଂପର୍କ ଓ ଅଭିଭାବକମାନଙ୍କର ତୀକ୍ଷ୍‌ଣ ଦୃଷ୍ଟି ଆଦର୍ଶ ଜୀବନ ଗଠନର ପୂର୍ଣ୍ଣ ସହାୟକ-ଏକଥା ଅସ୍ୱୀକାର କରାଯାଇ ନପାରେ । କେତେକଙ୍କ ମତରେ ପ୍ରକୃତି ଅପରିବର୍ତ୍ତନୀୟ । ସେମାନେ କହନ୍ତି ‘‘ଘୁଷୁରି ପ୍ରକୃତି ପଙ୍କେ ଲୋଟେ, ମନୁଷ୍ୟ ପ୍ରକୃତି ମଲେ ତୁଟେ ।’’ ତଥାପି ଛାତ୍ରାବସ୍ଥା ପାଇଁ ଏହା ସଂପୂର୍ଣ୍ଣ ପ୍ରଯୁଜ୍ୟ ନୁହେ । ଛାତ୍ରାବସ୍ଥାଟି ଗୋଟିଏ କୋମଳ ଲତା ସହିତ ତୁଳନୀୟ । ଲତାର ତଳେ ଉର୍ବର ମୃତ୍ତିକା ଓ ଉପରେ ଯଦି ବିଶାଳ ବୃକ୍ଷ ଥାଏ, ସେ ପଲ୍ଲବିତ ହୋଇ ବଢ଼େ । କିନ୍ତୁ ଯଦି ତଳେ ଅନୁର୍ବର ମୃତ୍ତିକା ଓ ଉପରେ ଗୋଟିଏ କ୍ଷୁଦ୍ର ବୃକ୍ଷ ବା ବୃକ୍ଷର ଅଭାବ ରହେ, ତେବେ ସେ ଯେଡ଼େ ବଡ଼ ଲତା ହେବାର ସମ୍ଭାବନା ଥିଲେ ମଧ୍ୟ ଅତି ନିର୍ଜୀବ ହୋଇ ବଢ଼େ ଓ ଶେଷରେ ଲୋକଙ୍କ ପାଦତଳେ ଦଳିଚକଟି ହୋଇ ନଷ୍ଟ ହୋଇଯାଏ । ଏଣୁ ଆଦର୍ଶ ଛତ୍ରଜୀବନ ଗଠନ କରିବାପାଇଁ ସୁସ୍ଥ ପାରିପାର୍ଶ୍ୱିକ ଅବସ୍ଥା ମଧ୍ୟ ବହୁ ପରିମାଣରେ ଦାୟୀ । ଶିବାଜୀ ବାଲ୍ୟକାଳରେ ନିଜ ମାତାଙ୍କଠାରୁ ରାମାୟଣ ମହାଭାରତ ବର୍ଣ୍ଣିତ ବୀର ପୁରୁଷମାନଙ୍କର କଥା ଶୁଣି ନିଜେ ସେହିପରି ଜଣେ ବୀର ହେବାପାଇଁ କଳ୍ପନା କରିଥିଲେ । ସେ ଏପରି ଦୃଢ଼କଳ୍ପନା କରିଥିଲେ ଯେ, କଳ୍ପନାଟି ଶେଷରେ ବାସ୍ତବରେ ପରିଣତ ହେଲା ।

 

ସବୁ ସତ୍ତ୍ୱେ ଯେଉଁମାନେ ନିଜ ଆସନର ମହତ୍ତ୍ୱ ଉପଲବ୍‌ଧି କରନ୍ତି, ସେମାନଙ୍କ ପାଇଁ ଆଦର୍ଶର ଦ୍ୱାର ସର୍ବଦା ଉନ୍ମୁକ୍ତ । ବିଦ୍ୟାଳୟଟି ତାହାର ଯେପରି ପ୍ରଧାନ ଶିକ୍ଷା କେନ୍ଦ୍ର, ଆଦର୍ଶ ଶିକ୍ଷା କରିବା ପାଇଁ ମଧ୍ୟ ସେହିପରି ପ୍ରଧାନ ପୀଠ । ଏହା ଗୋଟିଏ ବିଶାଳ ପରିବାର । ଏଥିରେ ଗୁରୁବର୍ଗ ହେଲେ ଅଭିଭାବକ ଓ ଛାତ୍ରମାନେ ହେଲେ ପରସ୍ପର ଭାଇ ବନ୍ଧୁ । ଏହି ବିଶାଳ ପରିବାର ମଧ୍ୟରେ ନିଜର କର୍ତ୍ତବ୍ୟ ନିର୍ଣ୍ଣୟ କରି ଚଳିବା ହେଲା ଗୋଟିଏ ଆଦର୍ଶ । ବିଭିନ୍ନ ପଜାବିଧି ଓ ପର୍ବପର୍ବାଣି ହେଲା ଆଦର୍ଶ ଜୀବନର ନିର୍ଦ୍ଦେଶକ ଓ କର୍ତ୍ତବ୍ୟ ଜ୍ଞାନ ପରୀକ୍ଷାର କଷଟି ପଥର । ଏଠାରେ କୁସଙ୍ଗରେ ପଡ଼ି ଚରିତ୍ର ନଷ୍ଟ ହେବାର ଆଶଙ୍କା ରହିଛି ଏବଂ ସୁସଙ୍ଗରେ ପଡ଼ି ଜୀବନକୁ ମହାନ୍‌କରିବା ସୁଯୋଗ ମଧ୍ୟ ରହିଛି । ଏଥିରୁ ସେ ଗୋଟିଏ ଯୋଗ୍ୟ ସ୍ଥାନ ବାଛିନିଏ । ନିଜର ସବୁ ସନ୍ଦେହ ମୋଚନ କରି ପୂର୍ଣ୍ଣତା ପ୍ରାପ୍ତ ହେବାପାଇଁ ଆଦର୍ଶ ଛାତ୍ରର ଏ ଏକମାତ୍ର ସହାୟକ । ପୁଣି ଶୃଙ୍ଖଳିତ ଜ୍ଞାନ ଅର୍ଜନ କରି ଏହି ସ୍ଥାନରେ କେବଳ ଜୀବନକୁ ସଂଯତ କରିବାକୁ ହୁଏ । ଯେଉଁମାନେ ଏହିପରି ସୁସ୍ଥ ଓ ଅନାବିଳ ବାତାବରଣରେ ପରିପୁଷ୍ଟ, ଆଦର୍ଶ ସେମାନଙ୍କ ଜୀବନ ସହିତ ସଂଲଗ୍ନ ।

 

ଆଦର୍ଶ କାହାର ଅନୁଗ୍ରହଣ ଫଳ ବା ଦତ୍ତ ଶକ୍ତି ନୁହେ । ନିଜର ସାଧୁତା, ସତ୍‌ଚରିତ୍ର ଓ କର୍ତ୍ତବ୍ୟ ଜ୍ଞାନର ପୂର୍ଣ୍ଣ ବିକାଶ ହିଁ ଆଦର୍ଶ । ଏହି ସମାଜରୁ ବାହାରିଛନ୍ତି ରାବଣ ଓ ହିରଣ୍ୟ କଶିପୁ ଭଳି କେତେ ଅବାଞ୍ଛିତ ବ୍ୟକ୍ତି ଏବଂ ଏହି ସମାଜ ଗଠନ କରିପାରିଛନ୍ତି କାଳିଦାସ, ସେକ୍‌ସପିଓର, ମାର୍କୋନି, ମହାତ୍ମାଗାନ୍ଧି ଓ ବିବେକାନନ୍ଦଙ୍କ ପରି ମହାପୁରୁଷ । ଏହା କିପରି ସଂଭବ ହୁଏ ? ଯେଉଁମାନେ ଆବାଲ୍ୟରୁ ଏହି ବିଷୟ ଚିନ୍ତାକରି ପ୍ରତି କ୍ଷେତ୍ରରେ ଆତ୍ମପରୀକ୍ଷା କରନ୍ତି, ସେମାନଙ୍କ ଜୀବନରେ କୌଣସି ତ୍ରୁଟି ପରିଲକ୍ଷିତ ହୁଏ ନାହିଁ । ସେମାନେ ଛାତ୍ରବସ୍ଥାରେ ଯେପରି ବିଶ୍ୱସ୍ତ, ଭବିଷ୍ୟତରେ ମଧ୍ୟ ସେହିପରି ଆଦର୍ଶ ପୁରୁଷ ରୂପେ ପରିଚିତ । ଏତାଦୃଶ ଆଦର୍ଶ ଅନୁସରଣ ହିଁ ଜୀବନର ଚରମ ସଫଳତା ।

Image

 

ଛାତ୍ରବାସ ଜୀବନ ଶିକ୍ଷାର ବିଶଷ୍ଟ ଅଙ୍ଗ

 

ବିଦ୍ୟାଳୟ ଗୁଡ଼ିକରେ ଛାତ୍ରମାନଙ୍କର ରହିବାପାଇଁ କେତୋଟି ସ୍ୱତନ୍ତ୍ର ନିବାସ ଥାଏ । ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରମାନେ ଏହି ନିବାସଗୁଡ଼ିକରେ ରହନ୍ତି । ଏଣୁ ଏଗୁଡ଼ିକୁ ଛାତ୍ରବାସ କୁହାଯାଏ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ୱ ବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରତ୍ୟେକ ଅନୁଷ୍ଠାନରେ ଏହି ବ୍ୟବସ୍ଥା ରହିଛି । ଏଗୁଡ଼ିକ କେବଳ ଛାତ୍ରମାନଙ୍କର ଶିକ୍ଷାର ସୁବିଧାପାଇଁ ଉଦ୍ଦିଷ୍ଟ ନୁହେ, ଏହାଦ୍ୱାରା ଶୃଙ୍ଖଳିତ ନାଗରିକ ମଧ୍ୟ ଗଠିତ ହୁଅନ୍ତି । କେବଳ ବର୍ତ୍ତମାନ ନୁହେ, ଅତି ପୁରାକାଳରୁ ଭାରତରେ ଏହି ବ୍ୟବସ୍ଥା ରହିଛି । ପ୍ରାଚୀନ ଭାରତରେ ନାଳନ୍ଦାରେ ଏପରି ଏକ ଆଦର୍ଶ ଛାତ୍ରାବାସ ଥିଲା । ବର୍ତ୍ତମାନ ସୁଦ୍ଧା ବିଲାତର କେମ୍ୱ୍ରିଜ ଓ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ନିୟମ ଅଛି ଯେ, ବିଶ୍ୱବିଦ୍ୟାଳୟରେ ଶିକ୍ଷାର୍ଥୀ ଛାତ୍ରମାନେ ଛାତ୍ରାବାସରେ ରହିବାକୁ ବାଧ୍ୟ । ଯଦି କେହି ଛାତ୍ରାବାସରେ ରହିବାକୁ ଅନିଚ୍ଛୁକ ହୁଏ ବା ଛାତ୍ରାବାସରେ ସ୍ଥାନାଭବ ହୁଏ, ସେପରି ଅବସ୍ଥାରେ ବିଶ୍ୱ ବିଦ୍ୟାଳୟରେ ଅଧିକ ଛାତ୍ର ଗ୍ରହଣ କରାଯାଏ ନାହିଁ । ଭାରତର ବେନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଛାତ୍ରାବାସଗୁଡ଼ିକ ମଧ୍ୟ ଆଦର୍ଶ ଛାତ୍ରାବାସ ରୂପେ ପରିଚିତ । ପ୍ରାଚୀନ ଗୁରୁକୁଳ ଆଶ୍ରମଗୁଡ଼ିକ ଏଦିଗରେ ଅତୁଳନୀୟ । ଏହି ଛାତ୍ରାବାସରେ ରହିବା କେବଳ ବଡ଼ କଥା ନୁହେ, ଶିକ୍ଷା ଶେଷ ପର୍ଯ୍ୟନ୍ତ ଛାତ୍ରମାନେ ନିଜ ଗୃହକୁ ଯିବା ମଧ୍ୟ ନିଷିଦ୍ଧ ଥିଲା ।

 

ଛାତ୍ରାବାସଗୁଡ଼ିକ ସାଧାରଣତଃ ବିଦ୍ୟାଳୟ ନିକଟରେ ବା ସେହି ସୀମାଭିତରେ ଥାଏ । କେତେ ଛାତ୍ରାବାସ ବିଭିନ୍ନ ତରୁଲତା ପୂର୍ଣ୍ଣ ଉଦ୍ୟାମ ପରିଶୋଭିତ ହୋଇ ଅପୂର୍ବ ଶୋଭା ପରିବେଷଣ କରେ । ସାଧାରଣତଃ ଛାତ୍ରାବାସଗୁଡ଼ିକ ଜନବସତିର କିୟତ୍‌ଦୂରରେ ରହି ସ୍ୱାତନ୍ତ୍ର୍ୟ ଉପଭୋଗ କଲାପରି ଜଣାଯାଏ ।

 

ଏଥିରେ ବିଭିନ୍ନ ସ୍ଥାନରୁ ବିଭିନ୍ନ ଶ୍ରେଣୀର ଛାତ୍ର ଆସି ରହନ୍ତି । କେତେକ ଛାତ୍ର ମଧ୍ୟରେ ପରସ୍ପର ସହଯୋଗ ବା ବନ୍ଧୁତା ମଧ୍ୟ ନଥାଏ । ସେ ମଧ୍ୟରେ କେତେ ଅବାଧ୍ୟ ଛତ୍ର ଥାନ୍ତି, ଯେଉଁମାନଙ୍କର ସମସ୍ୟା ନେଇ ଆଣି ଥୋଇବା କାଠିକର ପାଠ ହୁଏ । ଏ ସମସ୍ତଙ୍କୁ ଏକା ସ୍ତରକୁ ଆଣି ସୁଚାରୁ ରୂପେ କାର୍ଯ୍ୟ ପରିଚାଳିତ ହେବା ପର୍ଯ୍ୟନ୍ତ ପରିଚାଳକଙ୍କୁ ବିଶେଷ ଶ୍ରମ ସ୍ୱୀକାର କରିବାକୁ ହୁଏ ।

 

ବିଦ୍ୟାଳୟର ମୁଖ୍ୟ ପ୍ରଧାନ ତତ୍ତ୍ୱାବଧାରକ । ତଥାପି ଜଣେ ଅଭିଜ୍ଞ ଶିକ୍ଷକ ଏହାର ପରିଚାଳକ ରୂପେ ନିଯୁକ୍ତ ହୋଇଥାନ୍ତି । ତାହାଙ୍କୁ ଓ୍ୱାଡ଼େନ କୁହାଯାଏ । ସରକାରଙ୍କ ପକ୍ଷରୁ ତାହାଙ୍କୁ କିଛି ପାରିଶ୍ରମିକ ମଧ୍ୟ ଦିଆଯାଏ ।

 

ଏଠାରେ ଛାତ୍ରମାନଙ୍କର ବସବାସ ଓ ଖାଦ୍ୟପେୟର ସମସ୍ତ ପ୍ରକାର ସୁବନ୍ଦୋବସ୍ତ ଥାଏ । ଦୈନନ୍ଦିନ ପ୍ରତ୍ୟେକ କାର୍ଯ୍ୟପାଇଁ ସମୟ ନିର୍ଦ୍ଧାରିତ ହୋଇଥାଏ । ଏଥିସକାଶେ ସଂକେତ ଦିଆଯାଏ । ସେହି ସମୟରେ ସମସ୍ତ ଛାତ୍ର ଯାଇ ନିତ୍ୟକର୍ମ କରନ୍ତି । ଛାତ୍ରମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷାପାଇଁ ଜଣେ ଚିକିତ୍ସକ ମଧ୍ୟ ଥାନ୍ତି । ଏଣୁ ଏଠାରେ ସ୍ୱାସ୍ଥ୍ୟଭଙ୍ଗର କୌଣସି ଆଶଙ୍କା ନଥାଏ-। କେବଳ ନିର୍ଦ୍ଦିଷ୍ଟ ସମୟ ବ୍ୟତୀତ ଅନ୍ୟ ସମୟର ପଦାକୁ ଯିବା ନିଷିଦ୍ଧ । ଯଦି ଯିବାପାଇଁ ସେପରି ଅନିବାର୍ଯ୍ୟ କାରଣ ଘଟେ, ତେବେ ଶିକ୍ଷକଙ୍କଠାରୁ ଅନୁମତି ନେଇ ଯିବାକୁ ହୁଏ । ନିଜ ଗୃହକୁ ଯିବାପାଇଁ ମଧ୍ୟ ଏହିପରି କଟକଣା ଥାଏ । ଯଦି କେହି ଏହି ନିୟମ ଲଙ୍ଘନ କରେ, ସେ ଦଣ୍ତିତ ହୁଏ । ସ୍ୱେଚ୍ଛାଚାରୀ ଛାତ୍ରମାନଙ୍କୁ ଏଥିରୁ ଅନ୍ତର କରାଯାଏ । ବାରମ୍ବାର ଓ୍ୱାଡ଼େନ ଓ ପ୍ରଧାନ ଶିକ୍ଷକଙ୍କର ପରିଦର୍ଶନ ଫଳରେ ସହଜରେ ଏଠାରେ ବିଶୃଙ୍ଖଳତା ପ୍ରବେଶ କରିପାରେ ନାହିଁ, ପୁଣି ଏଠାର ବାୟୁମଣ୍ତଳ ସର୍ବଦା ବିଦ୍ୟାଭିମୁଖୀ । ଏହାଦ୍ୱାରା ନିଜର ସନ୍ଦେହ ମୋଚନ କରିବାପାଇଁ ମଧ୍ୟ ଛାତ୍ରମାନଙ୍କୁ ସୁଯୋଗ ମିଳେ ଏବଂ ଏଠାରେ ଯେଉଁ ଅଭିଜ୍ଞ ଛାତ୍ରମାନେ ଥାନ୍ତି, ସେମାନଙ୍କ ସଂପର୍କରେ ଅନ୍ୟ ଛାତ୍ରମାନେ ମଧ୍ୟ ଉପକୃତ ହୁଅନ୍ତି ।

 

ଛାତ୍ରମାନଙ୍କ ପକ୍ଷରେ ଛାତ୍ରବାସଟି ଯେପରି ଗୋଟିଏ ଶିକ୍ଷା କ୍ଷେତ୍ର, ସେହିପରି ଏକ ଅପୂର୍ବ ବନ୍ଧୁ ମିଳନସ୍ଥଳ ବୋଲି କହିଲେ ଅସମୀଚୀନ ହେବନାହିଁ । ଯେଉଁ ଛାତ୍ରମାନେ ଏହାକୁ ଏକ ପବିତ୍ର ପୀଠରୂପେ ଗ୍ରହଣ କରନ୍ତି, ସେମାନଙ୍କର ଉନ୍ନତ ସାମାଜିକ ଜୀବନ ଗଠନର ମୂଳଦୁଆ ଏଠାରେ ପଡ଼େ ଏବଂ ସ୍ନେହ ସହାନୁଭୂତି ଓ ସୌଜନ୍ୟ ପ୍ରଭୃତି ମାନବିକ ସଦ୍‌ଗୁଣଦ୍ୱାରା ନିଜର ବ୍ୟକ୍ତିତ୍ୱ ମଧ୍ୟ ପ୍ରକଟିତ ହୁଏ । ଛାତ୍ରାବାସଗୁଡ଼ିକରେ ସାଧାରଣତଃ ସାଧୁ ଅସାଧୁ, ଧନୀ ଦରଦ୍ର ସବୁ ଶ୍ରେଣୀର ଛାତ୍ର ରହନ୍ତି । ତଥାପି ମିଳିମିଶି ରହିବାପାଇଁ କେତେ ବିଷୟରେ ସମସ୍ତଙ୍କୁ ଗୋଟିଏ ସ୍ତରକୁ ଆସିବାକୁ ହୁଏ । ମନୁଷ୍ୟ ପକ୍ଷରେ ଏ ଗୋଟିଏ ଅତି ବଡ଼ ଶିକ୍ଷା । ଏହି ଚିନ୍ତାଦ୍ୱାରା ମନୁଷ୍ୟର ସାଧୁତା ଓ ନମ୍ରତା ମଧ୍ୟ ବୃଦ୍ଧିପାଏ । ଯେଉଁ ସ୍ଥଳରେ ବହୁ ଲୋକର ସମାଗମ ହୁଏ, ସେହି ସ୍ଥଳରେ ପରସ୍ପର ମଧ୍ୟରେ ପୂର୍ଣ୍ଣ ସହଯୋଗ ରହିବା ଆବଶ୍ୟକ । ଅନ୍ୟଥା ସମସ୍ତଙ୍କର କାମ ଅଚଳ ହୋଇଯାଏ । ଏଥିରୁ ସଂହତି କିପରି ମୂଲ୍ୟବାନ୍‌, ଏହି କଥା ମଧ୍ୟ ଜଣାଯାଏ ।

 

ଏ ସବୁ କଥା ମଧ୍ୟରେ ଛାତ୍ରାବାସର ଆହୁରି ଗୋଟିଏ ଅପୂର୍ବ ମୂଲ୍ୟ ବୋଧ ରହିଛି । ସ୍ନେହ ମମତା, ଆଶକ୍ତି, ପ୍ରଲୋଭନ ଓ ବିଳାସ ଶିକ୍ଷାର ପରିପନ୍ଥୀ । ‘‘ବିଦ୍ୟତୁରାଣାଂ ନ ସୁଖଂ ନ ନିଦ୍ରା’’ ବୋଲି କଥା ଅଛି । ଅଧ୍ୟୟନ ଏକ କଠୋର ସାଧନା ବା ତପସ୍ୟା । ନିଜ ଗୃହରେ ଅଭିଭାକମାନଙ୍କର ଅତିରିକ୍ତ ସ୍ନେହ, ମମତା ଓ ପାରିବାରିକ ଆଶକ୍ତି ଏହି ସାଧନାରେ ଅନ୍ତରାୟ ସୃଷ୍ଟି କରେ । ଏଣୁ ସବୁ ଯୁଗରେ ଛାତ୍ରମାନଙ୍କୁ ଅଧ୍ୟୟନପାଇଁ ଏକ ଅନାଶକ୍ତ ନିକାଞ୍ଚନ ସ୍ଥାନକୁ ପଠାଯାଏ । ଅତୀତରେ ଏହା ଏକ ସାମାଜିକ ବିଧିରୂପେ ଗୃହୀତ ହୋଇଥିଲା । ବର୍ତ୍ତମାନ ଅବଶ୍ୟ ଏହା ସେପରି ନିୟମବଦ୍ଧ ନ ହେଲେ ମଧ୍ୟ ଏଥିରେ ସେହି ଭାବ ହିଁ ନିହିତ । ଏହି ଉଦ୍ଦେଶ୍ୟରେ କେତେ ଗୁଣୀ ଛାତ୍ର ଛାତ୍ରାବାସରେ ରହିବାକୁ ଆଗ୍ରହୀ ଓ କେତେ ଅଭିଭାବକ ମଧ୍ୟ ଏଥିରେ ଏକମତ ହୁଅନ୍ତି । ଏହା ଏପରି ଏକ ସାଧନାପୀଠ ହେଲେ ମଧ୍ୟ ଏଠାରେ ସୁଦ୍ଧା ଆବଶ୍ୟକୀୟ ଆମୋଦ ପ୍ରମୋଦର ଅଭାବ ନଥାଏ ।

 

ଏଠାରେ କେତେ ଜାତୀୟ ପର୍ବ ଓ ସାମାଜିକ ଉତ୍ସବ ପାଳନ କରାଯାଏ । ଛାତ୍ରାବାସଗୁଡ଼ିକରେ ପଠନାଗାର ଥାଏ । ଏଠାକୁ ବିଭିନ୍ନ ସାହିତ୍ୟ ଓ ଦୈନିକ ପତ୍ରିକା ଆସେ । ପୁଣି କେତେ ବଡ଼ ବଡ଼ ଛାତ୍ରାବାସରେ ସାହିତ୍ୟ ପତ୍ରିକା ମଧ୍ୟ ପ୍ରକାଶ ପାଏ । ଏହାଦ୍ୱାରା ସାହିତ୍ୟ ଓ ସାଧାରଣଜ୍ଞାନର ବିଶେଷ ଉନ୍ନତି ହୁଏ । କେତେ ମହାବିଦ୍ୟାଳୟ ବା ବିଶ୍ୱବାଦ୍ୟାଳୟର ଉଚ୍ଚସ୍ତରର ଛାତ୍ରାବାସ ଗୁଡ଼ିକରେ ମକ୍‌ ଆସେମ୍ବ୍ଲି ମଧ୍ୟ ଗଠିତ ହୁଏ । ଏହାଦ୍ୱାରା ପ୍ରଚଳିତ ରାଜନୀତିରେ ଛାତ୍ରମାନେ ଦକ୍ଷତା ଅର୍ଜନ କରନ୍ତି ।

 

ଏହିପରି ସକଳ ଦିଗରୁ ଛାତ୍ରାବାସରେ ସୁବିଧା ରହିଛି ସତ; ତଥାପି ଏହି ସୁବିଧାଗୁଡ଼ିକ ଆପେ ଆପେ ଲଭ୍ୟ ହୋଇଯାଏ ନାହିଁ । ଯେଉଁମାନେ ସଂଘବଦ୍ଧ ଜୀବନର ମୂଲ୍ୟ ଜାଣନ୍ତି, ଯେଉଁ ଛାତ୍ରମାନେ ଚିନ୍ତାଶୀଳ ଓ ଦୂରଦୃଷ୍ଟିସଂପନ୍ନ, ସେହିମାନେ କେବଳ ଏଠାରେ ଉଭୟ ଦିଗରୁ ଉପକୃତ ହୁଅନ୍ତି ।

Image

 

ପୁସ୍ତକ କୀଟ

 

ଯେ ସର୍ବଦା କେବଳ ପୁସ୍ତକ ପଢ଼ାରେ ରତ, ସେ ‘‘ପୁସ୍ତକ କୀଟ’’ ରୂପେ ପରିଚିତ । ତାହାର ଜଗତରେ ପୁସ୍ତକ ଛଡ଼ା ଅନ୍ୟ କାହା ସହିତ ସଂପର୍କ ନଥାଏ । ସେ ଜାଣେ ପୁସ୍ତକ, ପୁସ୍ତକ ଜାଣେ ତାହାକୁ । କେତେ ପ୍ରକାର କୀଟ ଅଛନ୍ତି, ଯେଉଁମାନେ ସର୍ବଦା ପୁସ୍ତକାଗାରରେ ରହି ପୁସ୍ତକଗୁଡ଼ିକୁ କାଟି ନଷ୍ଟ କରିଦିଅନ୍ତି । ଏଥି ସକାଶେ ସେମାନଙ୍କୁ ବହୁ ଶ୍ରମ କରିବାକୁ ପଡ଼େ; ଅଥଚ ସେମାନେ ଏହାଦ୍ୱାରା କୌଣସି ଦିଗରୁ ଉପକୃତ ହୁଅନ୍ତି ନାହିଁ । ତଥାପି ସେଥିରୁ ସେମାନେ କ୍ଷଣେ ସୁଦ୍ଧା ନିବୃତ୍ତ ହେବାର ଦେଖାଯାଏ ନାହିଁ । ଆମର ଆଲୋଚିତ ପୁସ୍ତକକୀଟ ମଧ୍ୟ ଏମାନଙ୍କ ସହିତ ତୁଳନୀୟ । ସେ ଅତ୍ୟଧିକ ଶ୍ରମ କରେ, ତଥାପି ତାହାର ସବୁ ଶ୍ରମ ବ୍ୟର୍ଥ, ଜୀବନ ଶୁଷ୍କ ଓ ନୀରସ ।

 

ପୁସ୍ତକ ଜ୍ଞାନାଲୋକ ବିତରଣ କରେ ସତ; କିନ୍ତୁ ଏହି ଧରଣର ଅଧ୍ୟୟନ ଦ୍ୱାରା ଜ୍ଞାନ ପରିବର୍ତ୍ତେ ଅଜ୍ଞତା କେବଳ ବୃଦ୍ଧି ପାଏ । ବାହ୍ୟ ଜ୍ଞାନଦ୍ୱାରା ପୁସ୍ତକଗତ ଜ୍ଞାନ ବିକଶିତ ହୁଏ । କିନ୍ତୁ ବାହ୍ୟ ଜ୍ଞାନର ଅଭାବରେ ପୁସ୍ତକଗତ ଜ୍ଞାନ ବରଂ ଅଧିକ ଅନର୍ଥ ସୃଷ୍ଟି କରେ । ଏହି ସମ୍ପର୍କରେ ଗୋଟିଏ ସୁନ୍ଦର ଗଳ୍ପ ଅଛି । ‘‘ଜଣେ ଜ୍ୟୋତିଷୀ ନିଜ ପୁତ୍ରକୁ ଜ୍ୟୋତିଷ ଶାସ୍ତ୍ର ଶିକ୍ଷାଦେଇ ରାଜାଙ୍କ ନିକଟକୁ ନେଲେ । ତାହାର ଶାସ୍ତ୍ରଜ୍ଞାନ ପରୀକ୍ଷା କରିବାପାଇଁ ରାଜା ନିଜ ହାତମୁଠାରେ ଗୋଟିଏ ସ୍ୱର୍ଣ୍ଣମୁଦ୍ରା ଧରି ଗଣକପୁତ୍ରକୁ ପ୍ରଶ୍ନ କଲେ । ସେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସାଧନା କରି ଜାଣିପାରିଲେ ଯେ, ରାଜାଙ୍କ ହସ୍ତରେ ଗୋଟିଏ ଗୁରୁପଦାର୍ଥ ଅଛି । ତାହାର ମଧ୍ୟ ଭାଗରେ ଗୋଟିଏ ଛିଦ୍ର ଅଛି । ତା’ପରେ ନିଜ ବୁଦ୍ଧି ପ୍ରୟୋଗ କରି ସେ କହିଲେ–‘‘ଏ ଗୋଟିଏ ଘୋରଣା ଚକି-।’’ ଶାସ୍ତ୍ର ଜ୍ଞାନ ଥିଲେ ମଧ୍ୟ ସାଧାରଣ ଜ୍ଞାନ ନ ଥିବାରୁ ଘୋରଣା ଚକିଟେ ଯେ ହାତ ମୁଠାରେ ରହିବା ଅସମ୍ଭବ, ଏକଥା ତାଙ୍କ ମନକୁ ସ୍ପର୍ଶ କଲା ନାହିଁ । ପୁସ୍ତକ ଜ୍ଞାନ ହେଲା ରଥର ସାରଥୀ । ଅନ୍ୟାନ୍ୟ ସାଂସାରିକ ଜ୍ଞାନ ହେଲା ରଥର ଅନ୍ୟାନ୍ୟ ଅଙ୍ଗ । ରଥର ଚାଳନା ପାଇଁ ଯେପରି ବିଚକ୍ଷଣ ସାରଥୀ ଆବଶ୍ୟକ, ସେହିପରି ଦ୍ରୁତବେଗରେ ଗତି କରିବାପାଇଁ ରଥର ଅନ୍ୟାନ୍ୟ ଅଙ୍ଗ ଗୁଡ଼ିକ ମଧ୍ୟ ସୁଦୃଢ଼ ରହିବା ଆବଶ୍ୟକ । ଅର୍ଥାତ୍‌ ସାଧାରଣ ଜ୍ଞାନରହିତ ପୁସ୍ତକ ଜ୍ଞାନ ବରଂ ବିପଦର କାରଣ ଅଟେ ।

 

ସଂସାରରେ ଚଳିବାପାଇଁ ଯେଉଁ ଜ୍ଞାନ ଆବଶ୍ୟକ, ତାହା ସାଧାରଣ ଜ୍ଞାନ । ପୁସ୍ତକ ମାର୍ଗ ଦେଖାଇଦିଏ । ଅନ୍ୟାନ୍ୟ ବିଷୟ ବାହାରୁ ଅର୍ଜନ କରିବାକୁ ହୁଏ । ପୁସ୍ତକ ପ୍ରସ୍ତୁତ କରିଦିଏ ଜ୍ଞାନ ବିପଣୀର ଗୋଟିଏ କଙ୍କାଳ । ସେଥିରେ ଅନ୍ୟାନ୍ୟ ସାଂସାରିକ ବିଷୟ ଯୋଗ କରି ତାହାକୁ ସଜ୍ଜିତ କରିବାକୁ ହୁଏ, ତାହାକୁ ସର୍ବାଙ୍ଗସୁନ୍ଦର କରିବାକୁ ହୁଏ । ସମୁଦ୍ର ହିମାଳୟ ପ୍ରଭୃତି ବହୁତ କଥା ପୁସ୍ତକରେ ପଢ଼ୁ । କିନ୍ତୁ ସମୁଦ୍ର ନ ଦେଖିଥିଲେ ସୁଦ୍ଧା ଛୋଟ ବଡ଼ ହ୍ରଦଟିଏ ଦେଖି ସମୁଦ୍ର ସମ୍ବନ୍ଧରେ ଧାରଣା କରିବାକୁ ହୁଏ । ସାନ ବା ବଡ଼ ପର୍ବତଟିଏ ଦେଖି ନ ଥିଲେ ହିମାଳୟ ସମ୍ବନ୍ଧରେ ସ୍ଥୂଳ ଧାରଣା ମଧ୍ୟ ହୋଇପାରିବ ନାହିଁ । ସମାଜରେ ଚଳିବାପାଇଁ ପୁସ୍ତକ ପଢ଼ା ସଙ୍ଗେ ସଙ୍ଗେ ସମାଜର ଚାଲିଚଳନ ସହିତ ଅଭ୍ୟସ୍ତ ହେବାକୁ ହୁଏ ଏବଂ ସମାଜର ବିଭିନ୍ନ ଅବସ୍ଥା ସହିତ ସଂପର୍କ ସ୍ଥାପନ କରି ଚଳିବାକୁ ହୁଏ; ଏହି ବିଷୟରେ ସେ ସଂପର୍ଣ୍ଣ ଉଦାସୀନ; ବରଂ ସଙ୍ଗହୀନ ଜୀବନକୁ ସେ ଅଧିକ ସୁଖ ପାଏ । ଏଣୁ ପରିଣାମରେ ସେ ଜଣେ ସ୍ୱାର୍ଥପର ରୂପେ ପରିଚିତ ହୁଏ । କାଳକ୍ରମେ ସମାଜରେ ତାହାର ଜୀବନ ଦୁର୍ବହ ହୋଇପଡ଼େ । ମୋଟ ଉପରେ ସମାଜର ସଂଘର୍ଷମୟ ଜୀବନରୁ ଆସେ ସାଂସାରିକ ଜ୍ଞାନ । କିନ୍ତୁ ଯେ ସମାଜ ସହିତ ସଂପର୍କ ସ୍ଥାପନ ନ କରି ଗୋଟିଏ ଆବଦ୍ଧ କୋଠରୀରେ ରହି ପୁସ୍ତକ ପଢ଼ି ସମୟ କଟାଏ, ତାହାର ଭବିଷ୍ୟତ ଜୀବନ ସୁଖମୟ ହୁଏ ନାହିଁ । ସେ ଜଣେ ଅସାମାଜିକ ଜୀବରୂପେ ଗଣ୍ୟ ହୁଏ ।

 

ପୁସ୍ତକକୀଟ କେବେ ସ୍ୱାସ୍ଥ୍ୟବାନ୍‌ ହୋଇପାରେ ନାହିଁ । ସ୍ୱାସ୍ଥ୍ୟରକ୍ଷାପାଇଁ ଆବଶ୍ୟକ ଉପଯୁକ୍ତ କାୟିକ ଶ୍ରମ, ମୁକ୍ତ ବାୟୁ, ସାଧୁଚିନ୍ତା ଓ ହସ, ଖେଳ, କୌତୁକ । କିନ୍ତୁ ଏମଧ୍ୟରୁ ଯେ କୌଣସି ଗୋଟିକ ସହିତ ସୁଦ୍ଧା ତାହାର ସଂପର୍କ ନ ଥାଏ । ସେ କେବେ କୌଣସି ବାହ୍ୟ ଖେଳ କୌତୁକରେ ଯୋଗ ଦିଏ ନାହିଁ । କୌଣସି ଆନନ୍ଦ ଉତ୍ସବ ପ୍ରତି ମଧ୍ୟ ସେ ଆକୃଷ୍ଟ ନୁହେ । ସେ ଜାଣେ, କେବଳ ପୁସ୍ତକ । ପୁସ୍ତକ ନ ଧରିବା ସମୟଟି କେବଳ ତାହାର ଜୀବନର ବ୍ୟର୍ଥତା । ଏଣୁ ସେ ବହୁ ସମୟ ନାନା ରୋଗରେ ପୀଡ଼ିତ ହେବା ସ୍ୱାଭାବିକ । କେବଳ ସେତିକି ନୁହେ, କ୍ରମେ ତାହାର ମାନସିକ ଶକ୍ତି ମଧ୍ୟ ଦୁର୍ବଳ ହୋଇପଡ଼େ, କାରଣ ଦେହ ଓ ମନ ଘନିଷ୍ଠ ଭାବରେ ସଂପୃକ୍ତି-। ପୁଣି କିଛି ସମୟ ବିଶ୍ରାମ ପରେ ଅଧ୍ୟୟନ କେବଳ ମନରେ ରହେ । ନିରବଚ୍ଛିନ୍ନ ଅଧ୍ୟୟନ ଆତ୍ମସନ୍ତୋଷ ଛଡ଼ା ମନର ସନ୍ତୋଷ ନୁହେ କିମ୍ବା ଜ୍ଞାନର ସନ୍ତୋଷ ନୁହେ ।

 

ପୁସ୍ତକକୀଟ ବିଦ୍ୟାୟଳରେ ଥିବା ପର୍ଯ୍ୟନ୍ତ କେବଳ ଜୀବନ ଉପଭୋଗ କରେ । ସେତେବେଳେ ସେ ଜାଣିଥାଏ, ସେହି ପରିବେଶଟି କେବଳ ତାହାର ଜଗତ । ବାହାରେ ଆଉ ଗୋଟିଏ ଜଗତ ଅଛି, ଦିନେ ସେଥିରେ ତାହାକୁ ଚଳିବାକୁ ହେବ, ଏକଥା ସେ ଜାଣି ନଥାଏ ବା ଜାଣିବାକୁ ତାହାର ଆଗ୍ରହ ମଧ୍ୟ ନଥାଏ । ଏଣୁ ବିଦ୍ୟାଳୟରେ ଥିବା ପର୍ଯ୍ୟନ୍ତ ସେ କୌଣସି ମତେ ଚଳିଯାଏ; କିନ୍ତୁ ସେ ଯେତେବେଳେ ଅନ୍ୟ ଜଗତରେ ପଦାର୍ପଣ କରେ; ଅନୁଭବ କରେ ଅସହାୟ ଅବସ୍ଥା । ସେତେବେଳେ ସେ ଜଳର ବାହାରେ ମୀନ ଛଟପଟ ହେଲାପରି ଛଟପଟ ହୁଏ । ଏଣୁ ପୁସ୍ତକ ପଢ଼ା ସଙ୍ଗେ ସଙ୍ଗେ ସମାଜରେ ଚଳିବାପାଇଁ ଅନ୍ୟ ଯାହା ଆବଶ୍ୟକ, ଯଥା ସମୟରେ ସେହି ଜ୍ଞାନ ମଧ୍ୟ ଅର୍ଜନ କରିବା ଆବଶ୍ୟକ । ଅନ୍ୟଥା ପୁସ୍ତକ କୀଟପରି ଅବସ୍ଥା ହୁଏ ।

Image

 

ସମାଜସେବା

 

ସମାଜ ଅର୍ଥ ଡାକ୍ତର, ଚିକିତ୍ସକ, କୃଷକ, ଶିଳ୍ପୀ, ବ୍ୟବସାୟୀ ପ୍ରଭୃତି ବିଭିନ୍ନ ଶକ୍ତିର ଗୋଟିଏ ଗୋଷ୍ଠୀ । ଏଣୁ ଏ ସମସ୍ତେ ସାମାଜିକ ପ୍ରାଣୀ । ଏହି ସମାଜ କ୍ଷୁଦ୍ର ହେଉ ବା ବ୍ୟାପକ ହେଉ, ସମସ୍ତେ ସମସ୍ତଙ୍କ ଉପରେ ନିର୍ଭରକରି ଚଳନ୍ତି; ଚଳିବାକୁ ବାଧ୍ୟ । ଯେ ଯାହାଠାରୁ ସାହାଯ୍ୟ ନପାଏ, ସେହି ଦିଗଟି ତାହାର ଅପୂର୍ଣ୍ଣ ରହେ । ସମାଜରେ ସମସ୍ତେ ପ୍ରଧାନ ଓ ସମସ୍ତେ ସମସ୍ତଙ୍କର ଉପକାରୀ । ଏହି ଜ୍ଞାନ ଯେଉଁମାନଙ୍କର ଥାଏ, ସେମାନଙ୍କର ପ୍ରକୃତ ସାମାଜିକ ଜ୍ଞାନ ଅଛି ବୋଲି କୁହାଯିବ । ନିଜ ପରିବାର ଓ ନିଜ ସ୍ୱାର୍ଥ ପ୍ରତି ଯେପରି ନିଜର କର୍ତ୍ତବ୍ୟ ରହିଛି, ସେହିପରି ସମାଜ ପ୍ରତି ମଧ୍ୟ ନିଜର କେତେକ କର୍ତ୍ତବ୍ୟ ଥିବାକଥା କାହାରି ଭୁଲିଯିବା ଉଚିତ ନୁହେ-। ମନେରଖିବା ଉଚିତ ଯେ, ସମାଜର ବାତାବରଣ ଯଦି ଶାନ୍ତ, ସେ ଶାନ୍ତି ଅନୁଭବ କରେ । ସମାଜରେ ଯଦି ଉପଦ୍ରବ ସୃଷ୍ଟି ହୁଏ, ସେ ସେଥିରୁ କଦାପି ମୁକ୍ତି ପାଇପାରେ ନାହିଁ । ସମାଜରୁ ଏତେ ଉପକାର ପାଇ ସମାଜ ପ୍ରତି ଯଦି କେହି ନିଜ କର୍ତ୍ତବ୍ୟ ଭୁଲିଯାଏ, ସେ ସମାଜଠାରେ ଚିରଋଣୀ । ଯେଉଁମାନେ ଆଜନ୍ମ ସମାଜସେବକ, ସେମାନଙ୍କର ସେବାଦ୍ୱାରା ସମାଜର ବିଶେଷ ଉପକାର ସାଧିତ ହୁଏ ।

 

ସମାଜସେବା ଅର୍ଥ ସମାଜ ମଙ୍ଗଳ କାର୍ଯ୍ୟ । ଏହା ଏକ ଶ୍ରେଣୀର ନିଷ୍କାମ କର୍ମ ଓ ପବିତ୍ର କର୍ତ୍ତବ୍ୟ । ଏଥିରେ ସେବକର କୌଣସି ସ୍ୱାର୍ଥ ନଥାଏ, ଥାଏ କେବଳ ଆତ୍ମତୃପ୍ତି ଓ ଆନନ୍ଦ । ଏହାଦ୍ୱାରା ସମାଜର ଅଶେଷ ମଙ୍ଗଳ ହୁଏ ଏବଂ ସକଳ ଦିଗରୁ ସମାଜ ଉପକୃତ ହୁଏ । ବିପୁଳ ତ୍ୟାଗ, ଦେଶାତ୍ମବୋଧ ଓ ଉଦାର ମନୋଭାବର ପ୍ରେରଣା ବଳରେ କେବଳ ଏପରି ଏକ ମହାନ୍‌ ଆଦର୍ଶର ସୃଷ୍ଟି । କୌଣସି ପ୍ରତିଦାନ ପାଇବା ଆଶାରେ ଯେଉଁମାନେ ଏଥିରେ ପ୍ରବୃତ୍ତ ହୁଅନ୍ତି, ସେମାନେ ଛଦ୍ମବେଶୀ, ପରିଣାମରେ ସେମାନଙ୍କୁ ହତାଶ ହେବାକୁ ପଡ଼େ ।

 

ଗୋଟିଏ ସମାଜରେ ଧନୀ, ଦରିଦ୍ର, ନିଃସ୍ୱ, କାଙ୍ଗାଳ, ବିଜ୍ଞ, ଅଜ୍ଞ, ନିରକ୍ଷର ପ୍ରଭୃତି ସବୁ ଶ୍ରେଣୀର ଲୋକ ବାସ କରନ୍ତି । ଏ ମଧ୍ୟରୁ କେତେକ ଆତ୍ମନିଭରଶୀଳ ଓ କେତେକ ଆତ୍ମରକ୍ଷାପାଇଁ ସଂପୂର୍ଣ୍ଣ ଅନ୍ୟ ଉପରେ ନିର୍ଭର କରନ୍ତି । ଦରିଦ୍ର ଓ ରୁଗ୍‌ଣ ବ୍ୟକ୍ତିମାନେ ଅନ୍ୟର ବିନା ସାହାଯ୍ୟରେ ଆତ୍ମସମ୍ମାନ ହରାଇ ଶୋଚନୀୟ ଦୁର୍ଦ୍ଦଶା ଭୋଗ କରନ୍ତି । ଏହି ଅବସ୍ଥାରେ ଦଳେ ଲୋକ ନିଜ ହୃଦୟରୁ ପ୍ରେରଣା ପାଇ ଏହି ବିପନ୍ନ ଓ ଦୁଃସ୍ଥ ଲୋକମାନଙ୍କ ସାହାଯ୍ୟପାଇଁ ଆତ୍ମୋତ୍ସର୍ଗ କରନ୍ତି । ଏମାନଙ୍କୁ କୁହାଯାଏ, ଦେଶସେବକ । ମହାତ୍ମା ଗାନ୍ଧି ଏହି ଦୁର୍ଦ୍ଦଶାଗସ୍ତ ଲୋକଙ୍କ ଅବସ୍ଥା ଦେଖି ନିଜେ ଅର୍ଦ୍ଧନଗ୍ନ ଫକୀର ବେଶ ଧାରଣା କରି ଏହାର ପ୍ରତିକାର ସକାଶେ ପ୍ରାଣପାତ କରିଥିଲେ ।

 

ଏହା ସାଙ୍ଗକୁ ବେଳେବେଳେ ହଇଜା, ମହାମାରୀ, ବସନ୍ତ ଓ ବନ୍ୟାଭଳି କେତେକ ପ୍ରାକୃତିକ ବିପଦ ଓ କେତେ ସଂକ୍ରାମକ ରୋଗଦ୍ୱାରା ମଧ୍ୟ ବହୁ ସମୟରେ ସମାଜ ଆକ୍ରାନ୍ତ ହୁଏ । ଏତିକି ବେଳେ ଆବଶ୍ୟକ ହୁଏ, ପ୍ରକୃତ ସମାଜସେବା । ଏହି ସମୟରେ ବ୍ୟକ୍ତିଗତ ଉଦ୍ୟମ ଓ ସରକାରୀ ସାହାଯ୍ୟ ଅପେକ୍ଷା ସମାଜ ସେବକମାନଙ୍କର କାର୍ଯ୍ୟଦ୍ୱାରା କେବଳ ଲୋକଙ୍କର ଅଧିକ ମଙ୍ଗଳ ହୁଏ । ସେମାନେ ସକଳ ଦିଗରୁ ଏପରି ପ୍ରବଳ ପ୍ରତିରୋଧ କରନ୍ତି ଯେ, ରୋଗ ଆଉ ସହଜରେ ନିଜର ପ୍ରଭାବ ବିସ୍ତାର କରିପାରେ ନାହିଁ । କେବଳ ସେତିକି ନୁହେ, ଏକାନେ ଆସନ୍ନ ବିପଦର ପ୍ରତିକାର କରିବା ସଙ୍ଗେ ସଙ୍ଗେ ରୋଗ ନିରାକରଣର ସକଳପ୍ରକାର ବ୍ୟବସ୍ଥା ମଧ୍ୟ ଅବଲମ୍ବନ କରନ୍ତି । ଏପରି ସହାଯ୍ୟ ନ ପାଇଲେ କେତେ ରୋଗୀ ଭୟଭୀତ ହୋଇ ମୃତ୍ୟୁମୁଖରେ ପଡ଼ନ୍ତି ଓ କେତେ ଆବଶ୍ୟକୀୟ ସେବା ଶୁଶ୍ରୁଷା ଅଭାବରୁ ଦାରୁଣ ଦୁର୍ଦ୍ଦଶା ଭୋଗ କରନ୍ତି । ଅନ୍ୟାନ୍ୟ ସାହାଯ୍ୟ ସଙ୍ଗେ ସଙ୍ଗେ ସମାଜସେବକମାନେ ପହରା ଦେଲାପରି ସେମାନଙ୍କୁ ଜଗି ବସନ୍ତି । ଏହାଦ୍ୱାରା ଦୁଃସ୍ଥ ଲୋକମାନଙ୍କ ମନରୁ ଆତଙ୍କ ଦୂର ହୁଏ, ପୁଣି ଉପଯୁକ୍ତ ଶୁଶ୍ରୂଷା ପାଇବାଦ୍ୱାରା ଚଞ୍ଚଳ ରୋଗ ଉପଶମ ହୁଏ । ଏଣୁ ଏମାନେ ଲୋକମୁଖରେ ପ୍ରାଣଦାତା ବା ଦେବଦୂତ ରୂପେ ପରିଚିତ । ପୁଣ୍ୟାତ୍ମା ଗୋପବନ୍ଧୁ ଦାଶ ବନ୍ୟାକ୍ଳିଷ୍ଟ ଲୋକଙ୍କପାଇଁ ଯେଉଁ ତ୍ୟାଗ ସ୍ୱୀକାର କରିଥିଲେ, ତାହା ଆଜି ଆମ ଜାତିର ଇତିହାସ ହୋଇ ରହିଅଛି ।

 

ଏହା ଛଡ଼ା ସମାଜରେ କେତେ ବ୍ୟକ୍ତି ବିଭିନ୍ନ ମାରାତ୍ମକ ରୋଗରେ ପୀଡ଼ିତ ହୋଇ ବହୁ କଷ୍ଟ ଭୋଗ କରନ୍ତି । ଏ ମଧ୍ୟରୁ ଚିକିତ୍ସାପାଇଁ କେତେକଙ୍କର ପଇସା ଅଭାବ ଓ କେତେ ଚିରରୋଗୀ ଯୋଗୁଁ ଅବହେଳିତ ହୁଅନ୍ତି । ଅନେକ ସମୟରେ ଏହାର ପ୍ରଭାବ ଅନ୍ୟ ଉପରେ ପଡ଼େ । ଏଣୁ ଏହି ଶ୍ରେଣୀର ଲୋକଙ୍କର ସେବାପାଇଁ ମଧ୍ୟ ସେବାଦଳ ଆବଶ୍ୟକ । ଯିଶୁଖ୍ରୀଷ୍ଟ ନିଜର ଯୌବନାବସ୍ଥାରେ କୁଷ୍ଠ ରୋଗୀମାନଙ୍କର ସେବାକରି ସେମାନଙ୍କୁ ରୋଗମୁକ୍ତ କରୁଥିଲେ । ଏଥିପାଇଁ ସେ କେତେ ସ୍ଥଳରେ ଅନାଦ୍ରୂତ ହେଉଥିଲେ । ଏହି ମାରାତ୍ମକ ରୋଗରୁ ରୋଗୀମାନଙ୍କୁ ରକ୍ଷା କରିବାପାଇଁ ବହୁ ବଦାନ୍ୟ ବ୍ୟକ୍ତି ବିପୁଳ ଦାନ କରନ୍ତି । ଏମାନଙ୍କର ଚିକିତ୍ସାପାଇଁ ବର୍ତ୍ତମାନ ସୁଦ୍ଧା ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସ୍ଥାପିତ ହୋଇଛି ।

 

ଯୁଦ୍ଧ କ୍ଷେତ୍ରରେ ମଧ୍ୟ ଆହତ ବ୍ୟକ୍ତିମାନଙ୍କର ସେବାପାଇଁ ଦଳେ ଲୋକ ତୋପକମାଣକୁ ଭୟ ନ କରି ବିଚରଣ କରନ୍ତି । ଏମାନଙ୍କର ସଂଯମ, ତ୍ୟାଗ ଓ ସାହସ ଅତୁଳନୀୟ । ଏମାନେ ପ୍ରକୃତରେ ଦେବଦୂତ । ଫ୍ଳୋରେନ୍‌ସ ନାଇଟିଙ୍ଗେଲ ଏହିପରି ଏକ ସେବାକାର୍ଯ୍ୟର ଅୟମାରମ୍ଭ କରି ଆଜି ଅମର ହୋଇଛନ୍ତି । ସେହିଦିନଠାରୁ ଏହିପରି ବିପନ୍ନ ଲୋକଙ୍କ ସାହାଯ୍ୟ ଉଦ୍ଦେଶ୍ୟରେ ରେଡ଼କ୍ରସ ନାମକ ଏକ ସେବାଦଳ ଗଠିତ ହୋଇଅଛି । ଏହା ସଙ୍ଗେ ସଙ୍ଗେ ସମାଜର ସେବାପାଇଁ ଭାରତ ସମାଜସେବକ ଦଳ ପରି ଅନ୍ୟ କେତେକ ସେବାଦଳ ମଧ୍ୟ ରହିଅଛି । ଏହି ସମାଜ ସେବକମାନଙ୍କଦ୍ୱାରା ଦେଶରୁ କୁସଂସ୍କାର, ଅନ୍ଧ ବିଶ୍ୱାସ, କୁଶିକ୍ଷା ଓ ନିରକ୍ଷରତା ଦୂର ହୋଇ ଏକ ସୁସ୍ଥ ଓ ଉନ୍ନତ ସମାଜ ଗଠିତ ହୁଏ ।

 

ଅବଶ୍ୟ ଏପରି ଆକସ୍ମିକ ବା ପ୍ରାକୃତିକ ବିପଦବେଳେ ସମାଜ ସେବା କାର୍ଯ୍ୟ ନିତାନ୍ତ ଆବଶ୍ୟକ । ତଥାପି ଅନ୍ୟ ସମୟରେ ମଧ୍ୟ ଏହାର ଆବଶ୍ୟକତା କମ ନୁହେ । ମନୁଷ୍ୟ ଯେତେ ଜ୍ଞାନୀ, ଯେତେ ବୁଦ୍ଧିମାନ ହେଲେ ମଧ୍ୟ ତାହାର ସାଧାରଣ ଦୁର୍ବଳତା ରହିଯାଏ । ତାହାର କଥା ଓ କାର୍ଯ୍ୟ, ଶିକ୍ଷା, ଆଚାର ମଧ୍ୟରେ ମଧ୍ୟ ଅଳ୍ପ ବା ବହୁତ ପାର୍ଥକ୍ୟ ଦେଖାଯାଏ । ଯେଉଁମାନେ ଆତ୍ମନିର୍ଭରଶୀଳ ବା ନିଜକୁ ରକ୍ଷା କରିବାକୁ କ୍ଷମ, ସେମାନେ ହୁଏତ ନିଜ କଥା ଚିନ୍ତା କରି ପାରନ୍ତି-। କିନ୍ତୁ ନିଜ ଘର ଚାରିପାଖରେ ଯେଉଁ କେତେ ଅସ୍ୱାସ୍ଥ୍ୟକର ଘଟଣା ଘଟିଥାଏ, ସେଥିପ୍ରତି ତାହାର ଦୃଷ୍ଟି ପଡ଼େ ନାହିଁ । ଏହି କ୍ଷୁଦ୍ର ଅସୁସ୍ଥ ବୀଜଟି କାଳକ୍ରମେ ପଲ୍ଲବିତ ହୋଇ ସମାଜକୁ ଦୂଷିତ କରେ ଏବଂ ଏହାଦ୍ୱାରା ସମାଜର ଅପୂରଣୀୟ କ୍ଷତି ହୁଏ । ଏତାଦୃଶ ଅପ୍ରତ୍ୟାଶିତ ଘଟଣାଗଡ଼ିକରୁ ମଧ୍ୟ ସମାଜକୁ ରକ୍ଷାକରିବା ପାଇଁ ସବୁ ସମୟରେ ସମାଜସେବକ ଆବଶ୍ୟକ । ଯେଉଁମାନେ ମାନବ ଜୀବନ ସାର୍ଥକ କରିବାପାଇଁ ନିଜକୁ ଏହି କାର୍ଯ୍ୟରେ ବିନିଯୋଗ କରନ୍ତି, ସେମାନେ ସମାଜର ମହାନ୍‌ ବ୍ୟକ୍ତି। ସେମାନଙ୍କଦ୍ୱାରା କେବଳ ସମାଜର ମଙ୍ଗଳ ହୁଏ ।

Image

 

ବର୍ଷାଋତୁରେ ପଲ୍ଲୀର ଦୃଶ୍ୟ

 

ଭାରତ୍ ବର୍ଷରେ ବାରମାସ ଓ ଛଅଟି ଋତୁ ହୁଏ । ଏ ମଧ୍ୟରୁ ଆଷାଢ଼ ଓ ଶ୍ରାବଣ ଏହି ଦୁଇ ମାସକୁ ବର୍ଷାଋତୁ କହନ୍ତି । ଏହି ଋତୁରେ ପ୍ରବଳ ବର୍ଷା ହୁଏ । ତଥାପି ଭାରତରେ ଆଷାଢ଼ଠାରୁ କାର୍ତ୍ତିକ ପର୍ଯ୍ୟନ୍ତ ବର୍ଷା ଲାଗିଥାଏ । ଏଣୁ ଏହି ସମୟକୁ ବର୍ଷାକାଳ ବା ଚତୁର୍ମାସ୍ୟା କୁହାଯାଏ । ବର୍ଷାକଳାର ଅନ୍ୟ ନାମ ଦୁର୍ଦ୍ଦିନ । ଏହି ସମୟରେ ବ୍ରତ ବିବାହାଦି ଶୁଭକାର୍ଯ୍ୟ ମଧ୍ୟ ହୁଏନାହିଁ । ବୋଧହୁଏ ଅନ୍ୟାନ୍ୟ କେତେ ଅସୁବିଧା ଯୋଗୁଁ ଏହାକୁ ଏପରି ଆଖ୍ୟା ଦିଆଯାଇଛି । କିନ୍ତୁ ଭାରତ ଭଳି କୃଷିପ୍ରଧାନ ଦେଶ ପକ୍ଷରେ ବର୍ଷାକାଳ ଦୁର୍ଦ୍ଦିନ ପରିବର୍ତ୍ତେ ସୁଦିନ ଅଟେ ।

 

ଏହି ଋତୁର ଆଗମନରେ ମହାପୁରୁଷମାନଙ୍କର ଆବିର୍ଭାବରେ ଦୁର୍ନୀତି ଦୂର ହେଲାପରି ନିଦାଘ କାଳର ପ୍ରଚଣ୍ତ ଉତ୍ତାପ ଦୂର ହୋଇଥାଏ । ଏଣୁ ତରୁଲତା, ପଶୁପକ୍ଷୀ, କୀଟପତଙ୍ଗ ଏପରି କି ମନୁଷ୍ୟ ଦେହରେ ମଧ୍ୟ ନୂତନ ପ୍ରାଣର ସଂଚାର ହୁଏ । ଭାରତବାସୀ ସବୁବେଳେ ବର୍ଷାକୁ ସ୍ୱାଗତ କରନ୍ତି । ଜଳର ଅନ୍ୟ ନାମ ଜୀବନ । ପ୍ରକୃତରେ ଜୀବନ ରକ୍ଷାପାଇଁ ସବୁ ସମୟରେ ଜଳ ସମସ୍ତଙ୍କର ଆବଶ୍ୟକ । ‘‘ଜଳ ବିହୀନେ ପୃଥ୍ୱୀ ନାଶ’’ ବୋଲି କଥା ଅଛି ।

 

ବର୍ଷାଯୋଗୁ ଭାରତରେ ବିବିଧପ୍ରକାର ଉତ୍ପନ୍ନ ହୁଏ । ବିଶେଷ ଭାବରେ ଭାରତୀୟମାନଙ୍କର ପ୍ରଧାନ ଖାଦ୍ୟ ପଦାର୍ଥ ଧାନ୍ୟ ଶସ୍ୟର ଏହି ଋତୁରେ କେବଳ ରୁଆ ବେଉଷା ହୁଏ । ଏହି ଦିଗନ୍ତବିସ୍ତାରୀ ଧାନ୍ୟ କ୍ଷେତ୍ରଗୁଡ଼ିକୁ ମହାଲକ୍ଷ୍ମୀଙ୍କର ଆସ୍ଥାନ ବୋଲି କହନ୍ତି । ଏହି ସମୟରେ ପଲ୍ଲୀପୁଡ଼ିକର ପରିବେଷ୍ଟନୀ ବିଭିନ୍ନ ଫଳପୁଷ୍ପ ପରିଶୋଭିତ ବୃକ୍ଷଲତା ଓ ବିଭିନ୍ନ ଶ୍ୟାମଳ ଶସ୍ୟକେଦାରରେ ପରିପୂର୍ଣ୍ଣ ହୋଇଥିବାଯୋଗୁ ପ୍ରକୃତିଦେବୀଙ୍କର ଶୋଭାବିପଣୀ ପରି ଦେଖା ଯାଏ । ମାଳତୀ, ଚମ୍ପା, କିଆ, କେତକୀ, ଛୁରୀଅନା, କଦମ୍ବ ପ୍ରଭୃତି ବିଭିନ୍ନ ରଙ୍ଗ ବେରଙ୍ଗ ପୁଷ୍ପର ସୌନ୍ଦର୍ଯ୍ୟ ଦେଖି ଭାବୁକ ନିଜକୁ ମଧ୍ୟ ଭୁଲିଯାଏ । ଏ ମଧ୍ୟରୁ କେତେ ସୁବାସିତ ଫୁଲର ସୁବାସରେ ପଲ୍ଲୀଗୁଡ଼ିକ ଚହଟି ଯାଉଥାଏ । ଜହ୍ନିଫୁଲ ପରି କେତେ ଫୁଲର ଶୋଭା ମର୍ତ୍ତ୍ୟରେ ଦ୍ୱିତୀୟ ନନ୍ଦନର ଶୋଭା ସୃଷ୍ଟି କରନ୍ତି । ଏହି ଫୁଲର ଚିତ୍ତାକର୍ଷକ ଶୋଭାକୁ ସମ୍ମାନ ଦେବାପାଇଁ ବୋଧହୁଏ ଛୋଟ ବାଳିକାମାନଙ୍କର ଏହି ସମୟରେ ପର୍ବପର୍ବାଣି, ଓଷା ଓ ପୂଜା ବିଧିଗୁଡ଼ିକରେ ସାଧାରଣତଃ ଫୁଲଫଳର ପ୍ରାଧାନ୍ୟ ବେଶି । ପ୍ରସିଦ୍ଧ ଶ୍ରୀଗୁଣ୍ତିଚା ଯାତ୍ରା, ଗହ୍ମାପୂର୍ଣ୍ଣିମା, ଓଷାକୁଟି ଓ ଚିତାଲାଗି ଅମାବାସ୍ୟା ପ୍ରଭୃତି ପର୍ବଦ୍ୱାରା ମଧ୍ୟ ପଲ୍ଲୀଗୁଡ଼ିକ ଅଧିକ ସକ୍ରିୟ, ସରସ ଓ ଜୀବନ୍ତ ଦେଖାଯାଏ । ଏହି ସମୟଟି କୃଷକର ଗୋଟିଏ ପର୍ବଦିନ । ସେ ଭୋକ ଉପବାସ ବା ଦିନରାତି ନ ଜାଣି କ୍ଷେତରେ କାମକରେ । ଏହି ଋତୁରେ ରୁଆ ବେଉଷା ସମୟରେ ଗ୍ରାମ ପ୍ରାନ୍ତଗୁଡ଼ିକ କୃଷକ ମହିଳାର ମଧୁର ସଙ୍ଗୀତରେ ମୁଖରିତ ହେଉଥାଏ । ଏହି ସମୟରେ ସର୍ବତ୍ର ପ୍ରଚୁର ତୃଣ ଜନ୍ମେ । ଏଣୁ ଗାଈ ଗୋରୁ ସୁଖରେ ରହନ୍ତି ।

 

ନଦୀ, ନାଳ, ବିଲ, ପୋଖରୀ ସର୍ବତ୍ର ଜଳର ସ୍ରୋତ ଛୁଟୁଥାଏ । ପୁଣି ବିଭିନ୍ନ ଲଟାବୁଦା ଦ୍ୱାରା କେତେ ଯାତାୟାତ ପଥ ମଧ୍ୟ ରୁଦ୍ଧ ହୋଇଯାଏ । ଏଣୁ ଗମନାଗମନରେ ବାଧା ସୃଷ୍ଟି ହୁଏ । ଏହା ସାଙ୍ଗକୁ କେତେ ବିଷଧର ଜନ୍ତୁର ସଂଚାର ମଧ୍ୟ ମନୁଷ୍ୟ ମନରେ ଭୟ ସୃଷ୍ଟିକରେ । ବେଙ୍ଗ, ଝିଙ୍କାରି ପ୍ରଭତି କେତେ ଜନ୍ତୁଙ୍କର ଚିତ୍କାରେ ରାତି ଦିନ ଗ୍ରାମାଞ୍ଚଳଗୁଡ଼ିକ ପଡ଼ୁଥାଏ ଉଠୁଥାଏ । ବେଳେବେଳେ ପ୍ରବଳ ବନ୍ୟା ଯୋଗୁଁ ବିଲବାଡ଼ି ନଦୀନାଳ ଏକାକାର ହୋଇଯାଏ । ପଲ୍ଲୀଗ୍ରାମଗୁଡ଼ିକ ମହା ପ୍ରଳୟରେ ବଟପତ୍ରରେ ବିଷ୍ଣୁ ଭାସିଲାପରି ଦେଖାଯାଉଥାଏ । ତଥାପି ଏହି ସମସ୍ତ ବିଭୀଷିକା ମଧ୍ୟରେ ରହିଛି ଗୋଟିଏ, ସୌନ୍ଦର୍ଯ୍ୟ ବୋଧ ।

 

ଏହି ଋତୁରେ ଆକାଶ ମଣ୍ତଳରେ ବର୍ଷା, ପବନ, ମେଘଗର୍ଜନ ଓ ବିଜୁଳିର ଅବିରାମ ଗତି ଚାଲିଥାଏ । କେତେବେଳେ କାହାର ଆବିର୍ଭାବ ଘଟିବ, ଜାଣି ହୁଏନାହିଁ । ଏଣୁ ଏହା ସହିତ ତାଳ ପକାଇ ପଲ୍ଲୀବାସୀମାନେ ଚଳନ୍ତି । କେତେବେଳେ କଳା ମଚମଚ ମେଘ ଖଣ୍ତଗୁଡ଼ିକ ବାୟୁର କ୍ରୀଡ଼ନକପରି ଇତସ୍ତତଃ ହେଉଥାନ୍ତି । କେତେ ବେଳେ ସେ ସବୁ ଏକତ୍ରିତ ହୋଇ ଏକ ଘନକୃଷ୍ଣ ଚନ୍ଦ୍ରାତପପରି ଅନନ୍ତ ଅକାଶକୁ ଆଚ୍ଛାଦନ କରନ୍ତି । ବେଳେବେଳେ ଏହି ମେଘମାଳା ଭୂପୃଷ୍ଠର ଏପରି ନିକଟବର୍ତ୍ତୀ ହୋଇଯାଏ ଯେ, ମନୁଷ୍ୟର ମସ୍ତକ ଉପରେ ଆଘାତ କଲାପରି ଆଶଙ୍କା ହୁଏ-। ଏତିକିବେଳେ ଦିବସର ମଧ୍ୟାହ୍ନ ସମୟରେ ମଧ୍ୟ ଅର୍ଦ୍ଧରାତ୍ରିର ଭ୍ରମ ସୃଷ୍ଟିହୁଏ । ପର ମୁହୂର୍ତ୍ତରେ ଏହି ମେଘମାଳା କେଉଁ ଅନନ୍ତ ଆକାଶରେ ଉଭେଇ ଯାଏ । ଚନ୍ଦ୍ରଦୀପ ପରି ସୂର୍ଯ୍ୟୋଲୋକ ପଡ଼େ-। ସେତେବେଳେ ମନୁଷ୍ୟ ପିଞ୍ଜରାମୁକ୍ତ ପକ୍ଷୀପରି ନିଜକୁ ସ୍ୱେଚ୍ଛାଚାରୀ ମନେକରେ । ମେଘର ଅବସ୍ଥାକୁ ଦେଖି କାଳିଦାସ ନିଜ ମେଘଦୂତ କାବ୍ୟରେ ‘‘କାମରୂପୀ’’ ବା ‘ମାୟାବୀ’ ବୋଲି ବର୍ଣ୍ଣନା କରିଛନ୍ତି । ଏହି ସମୟରେ ମନୁଷ୍ୟ ଭୟ ଓ ଆନନ୍ଦମିଶ୍ରିତ କୌତୂହଳ ଅନୁଭବ କରେ ।

 

ଦୀର୍ଘଦିନ ଝଡ଼ି ବର୍ଷା ହେଲେ କେତେଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖାଯାନ୍ତି ନାହିଁ । ଏଣୁ ସୂର୍ଯ୍ୟଦର୍ଶନ ପାଳନ ବ୍ରତ କରିବା ବ୍ୟକ୍ତିମାନେ ଉପବାସରେ ରହନ୍ତି । ମହାତ୍ମାଗାନ୍ଧିଙ୍କ ମାତା ଏହି ବ୍ରତ ପାଳନ କରୁଥିଲେ । ଏଣୁ ମହାତ୍ମାଗାନ୍ଧି ସୂର୍ଯ୍ୟଦର୍ଶନ ପାଇଁ କିପରି ବୃକ୍ଷ ଶାଖା ଓ ଘରଛାତ ଉପରେ ଅପେକ୍ଷା କରୁଥିଲେ, ତାହା ନିଜ ଜୀବନୀରେ ବର୍ଣ୍ଣନା କରିଛନ୍ତି । ବେଳେବେଳେ ପ୍ରବଳ ବର୍ଷା ଓ ତୋଫାନ ହେବା ଫଳରେ ଗାଁଗଣ୍ତା ଗାଈଗୋରୁ ଓ ମନୁଷ୍ୟ ମଧ୍ୟ ଭାସିଯାନ୍ତି । ଏତିକିବେଳେ ଗ୍ରାମରେ ଆତଙ୍କ ଖେଳିଯାଏ । କେତେଦିନ ପର୍ଯ୍ୟନ୍ତ ଲୋକମାନେ ନାନା ଦୁଃଖ ଯନ୍ତ୍ରଣା ଭୋଗ କରନ୍ତି । କିନ୍ତୁ ଗରିବ ଲୋକମାନେ ସାଧାରଣତଃ ଏହି ଋତୁରେ ଅର୍ଥାଭାବଯୋଗୁଁ ଉତ୍ପୀଡ଼ିତ ହୁଅନ୍ତି । ଅବଶ୍ୟ ଏଥିରେ ସୁଖଦୁଃଖ ରହିଥିଲେ ମଧ୍ୟ ଭାରତୀୟମାନେ ବର୍ଷାଋତୁରେ ବର୍ଷାକୁ ଚାହିଁ ବସିଥାନ୍ତି ।

 

ଭୌଗୋଳିକ ନିୟମରେ ଗ୍ରୀଷ୍ମକାଳର ପ୍ରବଳ ଉତ୍ତାପ ଫଳରେ ଲଗୁଚାପ କେନ୍ଦ୍ର ସୃଷ୍ଟିହୁଏ । ଏଣୁ ସେହି ସମୟରେ ମୌସୁମୀ ବାୟୁ ପ୍ରବାହିତ ହେବା ଫଳରେ ବର୍ଷା ହୁଏ । ତଥାପି ଏହି ବର୍ଷା ହେବା ବିଷୟରେ କେତେକ ଧର୍ମବିଶ୍ୱାସ ମଧ୍ୟ ରହିଛି । ଅନାବୃଷ୍ଟି ହେଲେ ଭାରତରେ ବର୍ଷା ହେବାପାଇଁ ହୋମ ଯାଗ, ଇନ୍ଦ୍ରପୂଜା ମହାଦେବଙ୍କୁ ଜଳମଗ୍ନ କରିବା ଓ ଜଳଶାୟୀ ପ୍ରଭୃତି ଅନେକ ଶାସ୍ତ୍ରୀୟ ଅଶାସ୍ତ୍ରୀୟ ବିଧି ମଧ୍ୟ ପାଳନ କରାଯାଏ । ଏଥିରୁ ହୋମ ପ୍ରଭୃତି କେତେ ବିଧି ଆଧୁନିକ ବିଜ୍ଞାନ ମଧ୍ୟ ସମର୍ଥନ କରେ । ଲୋମପାଦ ରାଜାଙ୍କ ଦେଶରେ ଅନାବୃଷ୍ଟି ଯୋଗୁଁ ବାରବର୍ଷ ପର୍ଯ୍ୟନ୍ତ ଦୁର୍ଭିକ୍ଷ ପଡ଼ିବାରୁ ବୃଷ୍ଟି ଉଦ୍ଦେଶ୍ୟରେ ଋଷ୍ୟଶୃଙ୍ଗଙ୍କୁ ଆଣି ତାଙ୍କଦ୍ୱାରା ଯାଗ କରାଇଥିଲେ । ଏହି ପରି ବର୍ଷାକାଳର ଦୃଶ୍ୟ ସଙ୍ଗେ ସଙ୍ଗେ ବର୍ଷାର ମଧ୍ୟ ବହୁ ପ୍ରାଧାନ୍ୟ ରହିଛି ।

Image

 

ଦାଣ୍ତର ଭିକାରୀ

 

ଯେ ଦ୍ୱାରଦ୍ୱାର ବୁଲି ଭିକ୍ଷା ମାଗି ଜୀବିକା ନିର୍ବାହ କରେ, ସେ ଭିକାରୀ । ଭିକ୍ଷା କେବଳ ତାହାର : ଜୀବିକା । ପ୍ରକୃତ ଭିକାରୀ ପକ୍ଷରେ ଭିକ୍ଷା ବୃତ୍ତିବିନା ବଞ୍ଚିବା ଅସମ୍ଭବ ।

 

ଭିକାରୀମାନଙ୍କୁ ପ୍ରକୃତ ଭିକାରୀ ଓ ଛଦ୍ମବେଶୀ, ଏହିପରି ଦୁଇଭାଗରେ ବିଭକ୍ତ କରାଯାଇପାରେ । ଦଳେ ଆଳସ୍ୟପରାୟଣ; ମଦ୍ୟପ ଓ ଶ୍ରମକାତର ଛଦ୍ମବେଶ ଧାରଣକରି ଏହି ବୃତ୍ତି ଅବଲମ୍ବନ କରନ୍ତି । ପ୍ରକୃତରେ ଏହା ସେମାନଙ୍କର ଏକମାତ୍ର ଜୀବିକା ନୁହେ । ସେମାନେ ଅବସ୍ଥାଭେଦରେ ସବୁ କାମ କରିପାରନ୍ତି । ସେମାନଙ୍କୁ ବହୁରୂପୀ ଆଖ୍ୟା ଦେଲେ ଅସମୀଚୀନ ହେବନାହିଁ । ଏମାନେ ସମୟରେ ଯେପରି ଦୀନତା ସ୍ୱୀକାର କରନ୍ତି, ସୁବିଧା ପାଇଲେ ଚୌର୍ଯ୍ୟବୃତ୍ତି ଅବଲମ୍ବନ କରିବାପାଇଁ ତତୋଧିକ ସାହସ ଅବଲମ୍ବନ କରନ୍ତି । ଏମାନଙ୍କ ଯୋଗୁଁ ପ୍ରକୃତ ଭିକାରୀ ଅବହେଳିତ ଓ ଅଧିକ ତିରସ୍କୃତ ହୁଏ । କିନ୍ତୁ ଅକର୍ମଣ୍ୟ, ପଙ୍ଗୁ, ନିଃସ୍ୱ ଓ କାର୍ଯ୍ୟ କରିବାକୁ ଅକ୍ଷମ କେବଳ ପ୍ରକୃତ ଭିକାରୀ । ସେ ଉପଯୁକ୍ତ ଖାଦ୍ୟଭାବରୁ ଅଧିକ ଦୁର୍ବଳ ଓ ରୁଗ୍‌ଣ । ଏଣୁ ସେ ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ।

 

ଭିକାରୀ ଏକ ଅଭିଶପ୍ତ ଜୀବ । ତାହା ହସ୍ତରେ ଗୋଟିଏ ଭିକ୍ଷାପାତ୍ର ଏବଂ ଗୋଟିଏ ଝୁଲିମୁଣା ଥାଏ । ଭିକ୍ଷା ପାତ୍ରଟି ତାହାର ଆଶ୍ରୟ ଓ ମୁଣାଟି ତାହାର ଗନ୍ତାଘର । ସେ ଯାହା ପାଏ, ସେହି ମୁଣାଟିରେ ରଖେ । ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦ୍ୱାରଦ୍ୱାର ବୁଲି ଭିକ୍ଷା ମାଗି ଯାହା ପାଏ, ସେଥିରେ ଚଳେ, କିଛି ନ ପାଇଲେ ନିରାହାରରେ ରହେ । ତାହାର ଦୁଃଖ ନିବାରଣ କରିବାପାଇଁ ଜଗତରେ କେହି ନ ଥାଏ । ସେ କେତେ ସ୍ଥଳରେ ଅପମାନିତ ଓ ତିରସ୍କୃତ ହୁଏ ଏବଂ ବହୁସ୍ଥଳରୁ ନିରାଶ ହୋଇ ଫେରିଯାଏ । ସେତିକିବେଳେ ତାହା ମନରେ ଯେଉଁ ନୈରାଶ୍ୟ ଜାତହୁଏ, ସେ ଦୀର୍ଘ ନିଶ୍ୱାସ ତ୍ୟାଗ କରି ତାହା ଉପଶମ କରେ । ନିଜ ରକ୍ଷଣେ ଅସଂଭବ ଯୋଗୁଁ ସେ ପରିବାରର ଦୁଃଖ କଷ୍ଟ ଶୁଣିବାକୁ ମଧ୍ୟ ଅସମର୍ଥ । ସେତିକି ବେଳେ ସେ କି ମାନସିକ ପୀଡ଼ା ଅନୁଭବ କରୁଥିବ, ତାହା ସହଜେ ଅନୁମେୟ ।

 

ତାହାର ଯେଉଁ ବାସଗୃହ ଥାଏ, ତାହା ବାସୋପଯୋଗୀ ନୁହେ । ଗରିବର କୁଟୀରଠାରୁ କୋଟିପତିର ଗଗନଭେଦୀ ପ୍ରାସାଦ ପର୍ଯ୍ୟନ୍ତ ସବୁଦ୍ୱାର ତାହାପାଇଁ ମୁକ୍ତ । ସେ ଯେତେବେଳେ ଯହିଁ ଇଚ୍ଛା ତହିଁ ଶ୍ରମାପନୋଦନ କରେ । ଯଦି କାହାଦ୍ୱାରା ବିତାଡ଼ିତ ହୁଏ, ସେଥିପାଇଁ ସେ ଶୋଚନା କରେ ନାହିଁ । ସେ ଜାଣେ, ଏହି ବିଶ୍ୱରେ ତା’ର କେହି ନାହିଁ । ତଥାପି ସେ ବିଶ୍ୱବନ୍ଧୁ । ବିଶ୍ୱ ଦରବାର ତହାପାଇଁ ରହିଛି । ସେ ଶୀତଳ ତରୁଛାୟା ଓ ତଟିନୀର ତଟରେ ବହୁସମୟ ଆଶ୍ରୟ ନିଏ । ମନୁଷ୍ୟର ଉଷ୍ମ ନିଃଶ୍ୱାସରେ କ୍ଳାନ୍ତ ନ ହୋଇ ଶୀତଳ ତରୁଚ୍ଛାୟା ତଳେ ସୁଖନିଦ୍ରା କରେ । ତାହାର ନିବାସ ଉପରେ ଅନନ୍ତ ଆକାଶ ବିଶାଳ କାୟା ବିସ୍ତାର କରି ରହିଥାଏ । ତଟିନୀର କଳନାଦ ଓ ବିହଙ୍ଗର କାକଳିରେ କି ମଧୁର ସଙ୍ଗୀତ ଅଛି, ତାହା ସେ କେବଳ ଉପଭୋଗ କରେ । ସେ ପ୍ରକୃତି ଦେବୀଙ୍କର ପ୍ରିୟ ସନ୍ତାନ, ସେ ପ୍ରକୃତିରୁ ଜାତ ହୋଇ ପ୍ରକୃତିରେ କେବଳ ଲୀନ ହୋଇଯାଏ ।

 

ତାହାର ପୋଷାକ ପରିଚ୍ଛଦ ଅତି ଅନିର୍ମଳ ଓ ଜୀର୍ଣ୍ଣଶୀର୍ଣ୍ଣ । ନିର୍ମଳ ବସ୍ତ୍ର ଖଣ୍ତିଏ ପରିଧାନ କରିବା ତାହା ଭାଗ୍ୟରେ କ୍ୱଚିତ୍‌ଘଟେ । କୌଣସି ସ୍ଥଳରେ ଭଲମନ୍ଦ ବାଛବିଚାର ତାହାର ନଥାଏ । ତାହା ପକ୍ଷରେ ସବୁ ଭଲ । ଯେଉଁଦିନ ସେ ଭଲଭାବରେ ମୁଠେ ପାଇଯାଏ, ସେ ଦିନଟି ତାହା ପକ୍ଷରେ ମହାବାରୁଣୀ ଯୋଗ ଓ ବିଶେଷ ଉପଭୋଗ୍ୟ । ସେହି ଦିନଟିପାଇଁ ସେ ସୁଖୀ ଓ ଭାଗ୍ୟବାନ୍‌ । ଯେଉଁଦିନ ସେ କିଛି ପାଏ ନାହିଁ, ସେ ଅନ୍ୟକୁ ନିନ୍ଦା ନ କରି ନିଜ ଭାଗ୍ୟକୁ ଦୋଷ ଦିଏ । ସେ ଭାବେ, ସେହିଦିନ ସେ ଭଗବାନଙ୍କ କରୁଣାରୁ ବଞ୍ଚିତ । ‘‘ଅଳପ ବହୁତେ ସନ୍ତୋଷ, ନ ମିଳେ କରେ ଉପବାସ’’, ଏହି ଭଗବତ ବାଣୀ ସେ ଅକ୍ଷରେ ଅକ୍ଷରେ ପାଳନ କରେ ।

 

ସେ ଚିରଦୁଃଖୀ ଓ ଚିର ମନ୍ଦକର୍ମା । ଏଣୁ ସେ ଦୁଃଖକୁ ହିଁ ସୁଖ ବୋଲି ବରଣ କରେ । ଋତୁ ପରିବର୍ତ୍ତନର ସୁଖ ଦୁଃଖ ତାହା ଉପରେ ପ୍ରଭାବ ବିସ୍ତାର କରିପାରେ ନାହିଁ । ଗ୍ରୀଷ୍ମକାଳର ପ୍ରଚଣ୍ତ ଉତ୍ତାପ ତାହା ଦେହରେ ଲୀନ ହୋଇଯାଏ । ବର୍ଷାକାଳର ଅବିରାମ ବାରିଧାରା ତାହା ହୃଦୟରୁ ଦୁଃଖ କ୍ଳାନ୍ତି ପ୍ରକ୍ଷାଳନ କଲାପରି ମନେହୁଏ । ସେ କୌଣସି ଅବଜ୍ଞା, ଅପମାନ ବା ତିରସ୍କାର ପ୍ରତି କର୍ଣ୍ଣପାତ କରେନାହିଁ । ସେ ଖୋଜେ ନାହିଁ କିଏ ତାହାର ଶତ୍ରୁ । ସେ ଖୋଜେ ତାହାର ମିତ୍ର, ତାହାର ଆଶ୍ରୟଦାତା । ଯଦି ପାଇଯାଏ କାହାଠାରୁ ଟିକିଏ ସରଳ ବ୍ୟବହାର, ସ୍ନେହ ସହାନୁଭୂତି, କ୍ଷଣକପାଇଁ ଭୁଲିଯାଏ ଜୀବନର ସବୁ ଦୁଃଖ ଓ ନିର୍ଯ୍ୟାତନା । ଏଣୁ ଜଣେ କବି ଲେଖିଛନ୍ତି, ‘‘ଧନ୍ୟ ସେ ଦାତା ଜାଣେ ଯାଚକ ମନ’’ ।

 

ସେ ହିଂସା ଓ ପ୍ରତିହିଂସା କ’ଣ ଜାଣେ ନାହିଁ; ବରଂ ସେ ଅହିଂସାର ଉପାସକ । ସେ ଦାତା ଉପରେ ବିଶେଷ ସନ୍ତୁଷ୍ଟ ହୁଏ, ଶତ ଅବ୍ୟକ୍ତ ଆଶୀର୍ବାଦ ବର୍ଷଣ କରେ । କିନ୍ତୁ ଅଦାତା ଉପରେ ଅସନ୍ତୁଷ୍ଟ ହୁଏ ନାହିଁ ବା ତାହାକୁ ଅଭିଶାପ ଦିଏ ନାହିଁ । ‘‘କର୍ମ ଆଦରି ସହେ ଦୁଃଖ, କେବେ ହେଁ ନୁହଇ ବିମୁଖ’’, ଏହି ମହାମନ୍ତ୍ରରେ ସେ ଦୀକ୍ଷିତ ହେଲାପରି ଜଣାଯାଏ ।

 

ସେ କ୍ରୋଧ ଅହଂକାର ଓ ଅସୂୟାର ବହୁ ଦୂରରେ । ତାହାର ସରଳ ବ୍ୟବହାର ଓ ମଧୁର ବଚନରେ ଜଳରେ ଅଗ୍ନିପରି ଏ ସବୁ ନିର୍ବାପିତ ହୋଇଯାଏ । ସେ ଆତ୍ମସମ୍ମାନପାଇଁ ସଂଘର୍ଷ କରି ଅଯଥା ଶକ୍ତି କ୍ଷୟ କରେନାହିଁ । ସେ ଯୋଗ ନ ଜାଣି ଜଣେ ପରମ ଯୋଗୀ । ସେ ଜଣେ ଅଦ୍ୱିତୀୟ କର୍ମଯୋଗୀ ଓ ନିରଳସ ନିରାଡ଼ମ୍ବର ସାଧକ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ କେବେ କର୍ମରୁ ନିବୃତ୍ତ ହୁଏନାହିଁ । ସେ ସବୁ ଜାଣି ନ ଜାଣିଲା ପରି ରହେ । ସବୁ ଦେଖି ନ ଦେଖିଲା ପରି ରହେ । ଏଣୁ ମନେହୁଏ, ସେ କୌଣସି କର୍ମରେ ଲିପ୍ତ ନୁହେ । କୌଣସି କ୍ଷେତ୍ରରେ କାହା ସହିତ କେବେ ସେ ପ୍ରତିଯୋଗିତା କରେ ନାହିଁ । ଆତ୍ମରକ୍ଷାପାଇଁ ଯେତିକି ଦୂର ଯିବା ଆବଶ୍ୟକ, ସେ ସେତିକି ଦୂର କେବଳ ଯାଏ ।

 

ବର୍ତ୍ତମାନ ବିଭିନ୍ନ ଉନ୍ନତିକାର୍ମୀ ରାଷ୍ଟ୍ରଗୁଡ଼ିକରେ ଅନାନ୍ୟ ଉନ୍ନତିକର ଯୋଜନାର ପରିକଳ୍ପନା ସଙ୍ଗେ ସଙ୍ଗେ ଭିକାରୀ ପ୍ରଥା ଲୋପ କରିବା ବିଷୟରେ ମଧ୍ୟ ଚିନ୍ତା କରାଯାଉଛି । ଏହା ବନ୍ଦ ହୋଇ ପାରିଲେ ଦେଶ ବିଶ୍ୱରେ ଏକ ସମ୍ମାନଜନକ ଆସନ ଅଧିକାର କରିବ, ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଏହା କଥାରେ କହିବା ଯେପରି ସହଜ, କାର୍ଯ୍ୟରେ କରିବା ସେପରି ସହଜ ମନେହୁଏ ନାହିଁ ।

 

ଦେଶରେ ବିଭିନ୍ନ ଶ୍ରେଣୀର ଲକ୍ଷାଧିକ ଭିକାରୀ ଅଛନ୍ତି । କେବଳ କଥା ବା ଆଇନ ବଳରେ ଏହା ବନ୍ଦ କରାଯାଇ ପାରିବ ନାହିଁ । ଏମାନଙ୍କର ଥଇଥାନପାଇଁ ଏକ ଯୋଜନା କଲାପରେ ଭିକ୍ଷା ନିଷିଦ୍ଧ କରାଯାଇ ପାରେ । ଏହି ଯୋଜନା କାର୍ଯ୍ୟକାରୀ ହୋଇ ପାରିଲେ ଦେଶ ସମ୍ମାନିତ ହେବ ଏବଂ ଆର୍ଥିକ ଦିଗରୁ ମଧ୍ୟ ଦେଶ ବିଶେଷ ଉପକୃତ ହେବ । କିନ୍ତୁ ଏଥିପାଇଁ ଆବଶ୍ୟକ ସୁଚିନ୍ତିତ ଯୋଜନା, ସର୍ବୋପରି ଅର୍ଥ ।

 

ସବୁ ଭିକାରୀ ସମାନ ନୁହନ୍ତି । ଏଣୁ ସମସ୍ତେ ଏକ ପ୍ରକାର କାମ କରିପାରିବେ ନାହିଁ । ଏଣୁ ବିଭିନ୍ନ ଶ୍ରେଣୀର ଭିକାରୀପାଇଁ ବିଭିନ୍ନ ପ୍ରକାର ସଂସ୍ଥା ଗଠନ କରିବା ଆବଶ୍ୟକ । ଏମାନଙ୍କଦ୍ୱାରା କାୟିକ ଶ୍ରମ ଆଦୌ ସମ୍ଭବ ନୁହେ । କେବଳ କେତେକ ସକ୍ଷ୍ମ ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା କରିବାକୁ ହେବ । ସେମାନେ ସେଥିରେ ରହି କାମ କରିବେ, ତଦ୍ଦ୍ୱାରା ଉଭୟ ଦିଗରୁ ଦେଶ ଉପକୃତ ହେବ ।

 

ଭିକାରୀମାନଦ୍ୱାରା ଦେଶରେ ନାନା ପ୍ରକା ସଂକ୍ରାମକ ରୋଗ ବ୍ୟାପିଯାଏ । ସ୍ଥଳବିଶେଷରେ ଚୋର ଡକାୟତି ମଧ୍ୟ ହୁଏ । ଏଥିରୁ ଦେଶ ରକ୍ଷାପାଇବ । ଏଣୁ ଏହି ପ୍ରଥା ବନ୍ଦ ହେବା ବାଞ୍ଛନୀୟ ।

 

ଜଣାଯାଏ, କେବଳ ଆମେରିକା ଏ ଦିଗରେ ସଫଳ କାମ ହୋଇ ପାରିଛି । ଭାରତ ଯଦି ଏଥିରେ ଦ୍ୱିତୀୟ ସ୍ଥାନ ଅଧିକାର କରେ, ତେବେ ଏହା ଏକ ଅଦ୍ୱିତୀୟ ରାଜନୈତିକ ବିଜୟ ହେବ ।

 

ଭିକ୍ଷା ସବୁଠାରୁ ନୀଚବୃତ୍ତି । ଏଣୁ ‘‘ଭିକ୍ଷା ନୈବ ଚ ନୈବ ଚ’’ ବୋଲି ଆମର ଶାସ୍ତ୍ରକାରମାନେ ପରାମର୍ଶ ଦେଇଛନ୍ତି ।

Image

 

ପାଠାଗାର

 

ପାଠାଗାର ଅର୍ଥ ବିଭିନ୍ନ ଶ୍ରେଣୀର ବହିର ଏକ ସଂଗ୍ରହାଳୟ । ଏଥିରେ ନାନା ଉପାୟରେ ଅସଂଖ୍ୟ ବହି ରଖା ଯାଇଥାଏ । ଏହା କ୍ଷୁଦ୍ର ହେଉ ବା ବିରାଟ ହେଉ, ବ୍ୟକ୍ତିର ବ୍ୟକ୍ତିତ୍ୱର ବିକାଶପାଇଁ ଏହା ଏକ ପ୍ରଧାନ ପୀଠ । ଆଜିକାଲି ଅନ୍ୟାନ୍ୟ କ୍ଷେତ୍ରରେ ଶିକ୍ଷା କ୍ଷେତ୍ରରେ ମଧ୍ୟ ବ୍ୟାପକ ଉନ୍ନତି ଘଟିଥିବାରୁ ପାଠାଗାରର ଆଦର ଓ ପ୍ରସାର ମଧ୍ୟ ବୃଦ୍ଧି ପାଉଛି ।

 

ପାଠାଗାର ଗୁଡ଼ିକୁ ସରକାରୀ ବେସରକାରୀ ଓ ଘରୋଇ ଏହିପରି ତିନି ଶ୍ରେଣୀରେ ବିଭକ୍ତ କରିବା ସମୀଚୀନ ହେବ। ସରକାରୀ ପାଠାଗାର ଗୁଡ଼ିକ ସରକାରଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୁଏ । ଏଣୁ ଏଗୁଡ଼ିକ ଅଧିକ ଶୃଙ୍ଖଳିତ । ଏହି ଶ୍ରେଣୀର ପାଠାଗାରଗୁଡ଼ିକରେ ଅଧିକ ମୂଲ୍ୟବାନ୍‌ବହି ଥାଏ । କଲିକତାର ଜାତୀୟ ପାଠାଗାର “National library” ଭାରତର ଏକ ବୃହଦାକାର ପାଠାଗାର । ଏଥିରେ ବିଭିନ୍ନ ଭାଷାର ଲକ୍ଷାଧିକ ମୂଲ୍ୟବାନ୍‌ବହି ରହିଛି । ବେସରକାରୀ ପାଠାଗାରଗୁଡ଼ିକ ସାଧାରଣତଃ ସର୍ବ ସାଧାରଣଙ୍କ ଚାନ୍ଦାରେ ପରିଚାଳିତ ହୁଏ । ଏଗୁଡ଼ିକ ରେଜିଷ୍ଟ୍ରିଭୁକ୍ତ ହେଲେ ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ ମିଳେ । ଗ୍ରାମର କେତେ ବିଶିଷ୍ଟ ବ୍ୟକ୍ତି ଏହାର ସଭାପତି ଓ ସଂପାଦକ ନିଯୁକ୍ତ ହୋଇ ପରିଚାଳନା ଦାୟିତ୍ୱରେ ରହନ୍ତି । କେତେ ବଦାନ୍ୟ ବ୍ୟକ୍ତିଙ୍କ ଦାନରେ ମଧ୍ୟ ଏପରି କେତେ ପାଠାଗାର ସ୍ଥାପିତ ହୁଏ । କେତେ ଧନୀ ବା ଉତ୍ସାହୀ ବ୍ୟକ୍ତି ବ୍ୟକ୍ତିଗତଭାବରେ କେତେ ପାଠାଗାର ସ୍ଥାପନ କରନ୍ତି । ଏଗୁଡ଼ିକୁ ଘରୋଇ ପାଠାଗାର କୁହାଯାଏ ।

 

ଅତୀତରେ ଜିଲାବୋର୍ଡ଼ ଓ ଲୋକାଲ ବୋର୍ଡ଼ ପକ୍ଷରୁ କେତେ ମଧ୍ୟ ପାଠାଗାର ସ୍ଥାପିତ ହେଉଥିଲା । ଏବେ ପଞ୍ଚାୟତ ସମିତି ପକ୍ଷରୁ ମଧ୍ୟ କେତେ ପାଠାଗାର ସ୍ଥାପିତ ହେଉଛି । ଏହା ବ୍ୟତୀତ ପ୍ରତ୍ୟେକ ବିଦ୍ୟାଳୟରେ ଗୋଟିଏ ଗୋଟିଏ ପାଠାଗାର ରହେ । ଏଗୁଡ଼ିକ ବିଦ୍ୟାଳୟର ମୂଳପିଣ୍ତ । ଏହିପରି ବହୁସ୍ଥଳରେ ବିଭିନ୍ନ ପ୍ରକାର ପାଠାଗାର ଦେଖାଯାଏ ।

 

ଏଗୁଡ଼ିକ ଗୋଟିଏ ଗୋଟିଏ ଜ୍ଞାନଭଣ୍ତାର । ଏଣୁ ଯେଉଁମାନେ ଜ୍ଞାନପିପାସୁ, ଏଗୁଡ଼ିକ ସେମାନଙ୍କର ପରମ ବନ୍ଧୁ । ପାଠାଗାର ସହିତ ସଂପର୍କ ସ୍ଥାପନ ନ କରି କେହି ନିଜକୁ ଶିକ୍ଷିତ ବୋଲି ପରିଚୟ ଦେଇ ନପାରେ । ବିଦ୍ୟାଳୟ ଗୁଡ଼ିକରେ ଯେଉଁ ଶିକ୍ଷା ଦିଆଯାଏ, ତାହା ପୂର୍ଣ୍ଣାଙ୍ଗ ଶିକ୍ଷା ନୁହେ, ଅନନ୍ତ ମହାସାଗରର ବେଳାଭୂମି ପରି ଶିକ୍ଷା କ୍ଷେତ୍ରରେ ପ୍ରବେଶ କରିବାପାଇଁ ଏହା ପ୍ରଥମ ସୋପାନ ମାତ୍ର । ଯେଉଁମାନେ ଏତିକିରେ ନିଜକୁ ବହୁଦର୍ଶୀ ବୋଲି ପରିଚୟ ଦିଅନ୍ତି, ସେମାନେ ଏକ ଶ୍ରେଣୀର କୂପମଣ୍ତୂକ, ପୁଣି ‘‘ସ୍ୱଳ୍ପ ବିଦ୍ୟା ଭୟଙ୍କରୀ’’ ନୀତିରେ ସମାଜର ମଧ୍ୟ ଏକ ଶ୍ରେଣୀର ବିପଦ । ବ୍ୟକ୍ତିଗତ ଯତ୍ନରେ ଏହି ସୁବିଧା ପାଇବା ଅସମ୍ଭବ । ବିଶ୍ୱ ସମାଜରେ ଯେଉଁ ଜ୍ଞାନଭଣ୍ତାର ବିକ୍ଷିପ୍ତ ହୋଇ ପଡ଼ିଛି, ପାଠାଗାର ସହିତ ନିବିଡ଼ ସଂପର୍କ ସ୍ଥାପନ କଲେ, କେବଳ ସେଥିରୁ କିଞ୍ଚିତ୍‌ ସଂଗ୍ରହ କରାଯାଇ ପାରେ ।

 

ମନୁଷ୍ୟ ମହାଜ୍ଞାନୀ ବା ସୂକ୍ଷ୍ମବୁଦ୍ଧିସମ୍ପନ୍ନ ହୋଇପାରେ । କିନ୍ତୁ ଉପଯୁକ୍ତ ଶିକ୍ଷା ନ ପାଇଲେ ବେକାମୀ ହୋଇ ପଡ଼ିଥିବା କଳ କଳଙ୍କିତ ହେଲା ପରି ତାହାର ବୁଦ୍ଧି ମଉଳିଯାଏ । ଏଣୁ ଏହିପରି ମେଧାବୀ ବ୍ୟକ୍ତିମାନଙ୍କ ସକାଶେ ଆବଶ୍ୟକ ପାଠାଗାର । ଏଥିରେ ବିଭିନ୍ନ ସାହିତ୍ୟର ଉଚ୍ଚକୋଟିର ଆଲୋଚନା ମୂଳକ ସାହିତ୍ୟ ଗ୍ରନ୍ଥ ଏବଂ ବଡ଼ବଡ଼ ମହାପୁରୁଷମାନଙ୍କର ଜୀବନୀ ମଧ୍ୟ ଥାଏ । ଏହିପରି ବିଭିନ୍ନ ବହି ପଢ଼ିବାଦ୍ୱାରା ଧୀଶକ୍ତିର ବିକାଶ ଘଟେ ଏବଂ ସଂକୀର୍ଣ୍ଣତା ଦୂର ହୁଏ । ଏହା ଦ୍ୱାରା ମନୁଷ୍ୟ ସୁବକ୍ତା, ସୁଲେଖକ ଓ ସୁନାଗରିକ ହୋଇପାରେ । ଶିକ୍ଷିତ ବ୍ୟକ୍ତି ପାଖରେ ବିଭିନ୍ନ ବହି ଅଧ୍ୟୟନ ଏକ ବିଳାସ ସାମଗ୍ରୀ । ଏହି ବିଳାସ ବା ଆନନ୍ଦ ତାହାକୁ ସ୍ୱାର୍ଥରହିତ ଶାନ୍ତି ପ୍ରଦାନ କରେ । ଏହାଦ୍ୱାରା ମନୁଷ୍ୟ ଅଧିକ ସଂଯତ ଓ ଶୃଙ୍ଖଳିତ ହୁଏ ଏବଂ ତାହାର ଦୃଷ୍ଟିକୋଣ ବ୍ୟାପକ ହେବା ଫଳରେ ସେ କୌଣସି ପ୍ରକାର ପାପକାର୍ଯ୍ୟ ବା ସମାଜ-ବିରୋଧୀ କାର୍ଯ୍ୟରେ ଲିପ୍ତ ହୁଏ ନାହିଁ ।

 

ଛାତ୍ରମାନଙ୍କୁ ଏହି ଦିଗରେ ପ୍ରେରଣା ଦେବାପାଇଁ ବିଦ୍ୟାଳୟଗୁଡ଼ିକରେ ବିଶେଷ ବ୍ୟବସ୍ଥା ଥାଏ । ଛାତ୍ରମାନଙ୍କୁ ପାଠାଗାର ବହି ଦେବାପାଇଁ ଜଣେ କର୍ମଚାରୀ ନିଯୁକ୍ତ ହୋଇଥାନ୍ତି । ଏଥିସକାଶେ ସପ୍ତାହର ଗୋଟିଏ ସମୟ ନିର୍ଘଣ୍ଟର ବ୍ୟବସ୍ଥା ହୋଇଥାଏ । ଶିକ୍ଷକଏହି ସମୟରେ ଛାତ୍ରମାନଙ୍କୁ ବହି ଦିଅନ୍ତି ବା ପାଠାଗାର ସଂପର୍କରେ କିଛି ପରାମର୍ଶ ଦିଅନ୍ତି । ଯେଉଁ ଛାତ୍ର ଏହାକୁ ଜ୍ଞାନାଲୋକର ଅରୁଣୋଦୟ ମନେକରି ସମୟ ବ୍ୟୟ କରେ, ସେ ଜୀବନରେ ପ୍ରକୃତ ଜ୍ଞାନଲୋକର ସନ୍ଧାନ ପାଏ । ‘‘ଯାହା ହୋଇନି ବାଳକାଳେ, ତାହା ହୁଏନାହିଁ କାଳେ କାଳେ’’, ଏ ହେଲା ନୀତି ବାକ୍ୟ । ପୁଣି ଏହି ଅଭ୍ୟାସ ମଧ୍ୟ ଭବିଷ୍ୟତରେ ଏହି ପନ୍ଥାରେ ଜୀବନ ଗଠନ କରିବାପାଇଁ ସାହାଯ୍ୟ କରେ ।

 

କେବଳ ସେତିକି ନୁହେ । ପାଠାଗାର ଗୁଡ଼ିକରେ ଅନ୍ୟାନ୍ୟ ଅନେକ ସୁବିଧା ମଧ୍ୟ ରହିଛି । ଏଠାରେ ରେଡ଼ିଓ ଥାଏ । ଏଣୁ ଦୈନିକ ସଜ ସମ୍ବାଦ ଶୁଣିବାରେ ସୁବିଧା ହୁଏ । ଏଠାକୁ ବିଭିନ୍ନ ପ୍ରକାର ଅନେକ ମାସିକ ସାହିତ୍ୟ ପତ୍ରିକା, ସାପ୍ତାହିକ ଓ ଦୈନିକ ସମ୍ବାଦ ପତ୍ର ମଧ୍ୟ ଆସେ-। ଏଗୁଡ଼ିକ ମଧ୍ୟ ନିଜକୁ ଯୁଗୋପଯୋଗୀ କରିବାପାଇଁ ନିତାନ୍ତ ଆବଶ୍ୟକ । ବ୍ୟକ୍ତିଗତ ଉଦ୍ୟମରେ ଏହି ସୁବିଧା ପାଇବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେ ।

 

ପାଠାଗାର ସକାଶେ ଗୋଟିଏ ସ୍ୱତନ୍ତ୍ର ଗୃହ ଥାଏ । ଅଧ୍ୟୟନ ପାଇଁ ଗୃହ ଚାରିପଟେ ଗୋଟିଏ ବାରଣ୍ତା ବା ଗୋଟିଏ ସ୍ୱତନ୍ତ୍ର ବଖରା ଥାଏ । ସାଧାରଣତଃ ପାଠାଗାରଟି ଦିନତମାମ, ଏପରି କି ରାତି ଦଶଘଣ୍ଟା ପର୍ଯ୍ୟନ୍ତ ଖୋଲାଥାଏ । ଏଣୁ ଯେ କୌଣସି ବ୍ୟକ୍ତି ଏଠାକୁ ନିଜର ସୁବିଧା ସମୟରେ ଆସି ବହି ପଢ଼ନ୍ତି । ପାଠକମାନଙ୍କର ସୁବିଧାପାଇଁ କେତେଜଣ କର୍ମଚାରୀ ମଧ୍ୟ ନିଯୁକ୍ତ ହୋଇଥାନ୍ତି । ଏହା ଛଡ଼ା କର୍ମଚାରୀମାନେ ବିଭିନ୍ନ ପ୍ରକାଶକମାନଙ୍କ ସହିତ ସଂପର୍କ ସ୍ଥାପନ କରିଥାନ୍ତି; ଏଣୁ ଯେତେବେଳେ ଯେଉଁ ନୂତନ ବହି ପ୍ରକାଶିତ ହୁଏ, ତାହା ସଙ୍ଗେ ସଙ୍ଗେ ଜଣାଯାଏ-। ଏହିପରି ସକଳ ଦିଗରୁ ପାଠାଗାର ସମାଜର କଲ୍ୟାଣ ସାଧନ କରେ ।

Image

 

ସମାଜ ଓ ସାହିତ୍ୟ

 

କେତେ ବ୍ୟଷ୍ଟିର ସମଷ୍ଟିକୁ ସମାଜ କୁହାଯାଏ । ଅର୍ଥାତ୍‌ ସମାଜ ଅର୍ଥ ବହୁଲୋକର ଏକ ମିଳିତ ସଂଘ । ଏହି ସମାଜରେ ଥିବା ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ପରସ୍ପର ଉପରେ ନିର୍ଭର କରି ଚଳନ୍ତି । ସେମାନଙ୍କର ଭାଷା, ଖାଦ୍ୟ, ପରିଧେୟ ଓ ଅନ୍ୟାନ୍ୟ ଅନେକ ଆଚାର ବ୍ୟହାର, ପ୍ରତ୍ୟେକଟି ନ ହେଲେ ମଧ୍ୟ ଅଧିକାଂଶ ଏକ ଏବଂ ସେମାନଙ୍କର ସାଧାରଣ ସାମାଜିକ ରୀତିନୀତି ଓ ଚାଳିଚଳନ ପ୍ରାୟ ସମାନ ଥାଏ ।

 

ଏହି ସମାଜ ସ୍ଥଳବିଶେଷରେ ଅତି କ୍ଷୁଦ୍ର ଓ ସ୍ଥଳବିଶେଷରେ ଅତି ବ୍ୟାପକ ଅର୍ଥ ପ୍ରକାଶ କରେ । ଓଡ଼ିଆ ସମାଜ, ଉତ୍କଳୀୟ ସମାଜ, ଭାରତୀୟ ସମାଜ ଓ ମାନବ ସମାଜ ଏକ ନୁହେ । ଆବଶ୍ୟକତା ନେଇ ସମାଜରେ ଏତାଦୃଶ ବ୍ୟବହାର ଦେଖାଯାଏ । ଏହି ପ୍ରବାହକୁ ରୋକିବା କାହାର ସାଧ୍ୟ ନୁହେ । ତଥାପି ବ୍ୟାପକ ଦୃଷ୍ଟି କୋଣରୁ ବିଚାର କରିବାକୁ ଗଲେ ଜଣାଯାଏ, ଏକ ଭାଷାଭାଷୀ ଦେଶ, କିମ୍ବା ଏକ ସଭ୍ୟତା ଓ ସଂସ୍କୃତିରେ ପରିପୁଷ୍ଟ ଗୋଟିଏ ଗୋଷ୍ଠୀ ବା ଜାତି ଗୋଟିଏ ସମାଜ ରୂପରେ ପରିଚିତ ।

 

ଏମାନେ ପରସ୍ପର ମଧ୍ୟରେ ଭାବ ବିନିମୟପାଇଁ ଯାହା କହନ୍ତି, ତାହା ସେମାନଙ୍କର ଭାଷା । ଏହି ଭାଷାରୁ ସାହିତ୍ୟ ଗଠିତ । କିନ୍ତୁ ଭାଷା ଓ ସାହିତ୍ୟ ଏକ ନୁହେ । ଭାଷାର ଏକ ମାର୍ଜିତ ଓ ଶୃଙ୍ଖଳିତ ସ୍ତରରେ ଯେଉଁ ଉନ୍ନତ ଭାବ ପ୍ରକାଶ କରାଯାଏ, ତାହା ସାହିତ୍ୟ । ଏହାକୁ ସଭ୍ୟତା ପ୍ରକାଶର ବିକାଶ ମଧ୍ୟ କହନ୍ତି । ଏହିପରି ସମାଜ ଓ ସାହିତ୍ୟ ଅଙ୍ଗାଙ୍ଗୀଭାବରେ ଜଡ଼ିତ ।

 

ସମାଜର ସଭ୍ୟତା ଉପରେ ସାହିତ୍ୟର ଉନ୍ନତି ନିର୍ଭର କରେ । ଯେଉଁ ସମାଜର ସଭ୍ୟତା ଯେଡ଼େ, ସେହି ସମାଜର ସାହିତ୍ୟ ସମାନ୍ତରାଳ ଭାବରେ ଅଗ୍ରଗତି ହୁଏ । କିନ୍ତୁ କେତେଦିନ ପରେ କାଳସ୍ରୋତରେ ପଡ଼ି ସମାଜର ପରିବର୍ତ୍ତନ ଘଟିଯାଏ; ଅଥଚ ସାହିତ୍ୟ ପଛେଇଯାଏ । ଭାରତୀୟ ବୈଦିକ ସମାଜ, ମିସର, ଗ୍ରୀକ୍‌, ବାବିଲୋନ ପ୍ରଭାତି ସମାଜ କେବଳ ଏହାର ଜ୍ୱଳନ୍ତ ପ୍ରମାଣ । କେବଳ ସେତିକି ନୁହେ, ଅଳ୍ପଦିନ ପୂର୍ବେ ଯେଉଁ ଇଂରେଜ ସାମ୍ରାଜ୍ୟରେ ସୂର୍ଯ୍ୟ ସୀମାବଦ୍ଧ । ଅଥଚ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ସାହିତ୍ୟର ବ୍ୟାପକ ପ୍ରଭାବ ରହିଛି । ଭବିଷ୍ୟତରେ ମଧ୍ୟ ସେ ଏକ ସମୃଦ୍ଧ ସାହିତ୍ୟ ରୂପେ ରହିଥିବ ।

 

ସାଧାରଣତଃ ସମାଜର ସନ୍ଧିକ୍ଷଣରେ ସାହିତ୍ୟର ରୂପ ବଦଳି ଯାଏ । ଅନେକ ସମୟରେ ଏହି ଅବସ୍ଥାରେ ଅନେକ ଉନ୍ନତ, ସମୃଦ୍ଧ ଓ ନୂତନ ସାହିତ୍ୟର ମଧ୍ୟ ସୃଷ୍ଟି ହୁଏ । ମହାଭାରତ ଯୁଦ୍ଧର ଆବଶ୍ୟକତା ପ୍ରତିପାଦନ କରିବା ଦୃଷ୍ଟିରୁ କେତେ ସମୟ ମଧ୍ୟରେ ‘‘ଭାଗବତ୍‌ଗୀତା’’ ଭଳି ବିଶ୍ୱର ଏକ ଶ୍ରେଷ୍ଠ ସାହିତ୍ୟର ସୃଷ୍ଟି ହୋଇ ପାରିଥିଲା । ଚୈତନ୍ୟଙ୍କ ଆଗମନର ଅବ୍ୟବହିତ ପରେ ଉତ୍କଳ ସାହିତ୍ୟରେ ତୁମୁଳ ପରିବର୍ତ୍ତନ ସଂଗଠିତ ହୋଇଥିଲା, ଯଦ୍ଦ୍ୱାରା ସମାଜ ବିଶେଷ ପ୍ରଭାବିତ ହୋଇଥିଲା ।

 

ସମାଜ ସାହିତ୍ୟ ସୃଷ୍ଟି କରେ । କିନ୍ତୁ ପରେ ସାହିତ୍ୟ ସମାଜକୁ ନିୟନ୍ତ୍ରଣ କରେ, ପ୍ରେରଣା ଦିଏ, ଏପରି କି ବେଳେବେଳେ ନେତୃତ୍ୱ ଦେଇ ପରିଚାଳନା କରେ । ପ୍ରଥମେ ସମାଜରେ ଏକ ନୂତନ ଚିନ୍ତା ପ୍ରବେଶ କରେ । ଏଥିଲାଗି ଅନେକ ସମୟ ପର୍ଯ୍ୟନ୍ତ ସମାଜରେ ତୁମୂଳ ଆଲୋଡ଼ନ ସୃଷ୍ଟିହୁଏ । କିନ୍ତୁ କାଳକ୍ରମେ ସାହିତ୍ୟ ମାଧ୍ୟମରେ ଏହି ବୈପ୍ଳବିକ ଚିନ୍ତାଧାରା ଶୃଙ୍ଖଳିତ ହୁଏ । କିନ୍ତୁ ସାହିତ୍ୟଆଡ଼ୁ ଏହି ପଦକ୍ଷେପ କ୍ୱଚିତ୍‌ ଦେଖାଯାଏ । ଖ୍ରୀଷ୍ଟପୂର୍ବ ସପ୍ତମ ଶତାଦ୍ଦୀରେ ବିପଥଗାମୀ ଶାସକମାନଙ୍କୁ ସତ୍‌ପଥକୁ ଆଣିବାପାଇଁ ଚାଣକ୍ୟ ପ୍ରଭୃତି କେତେ ନୀତିଜ୍ଞ ହିତୋପଦେଶ ଭଳି ଅନେକ ନୀତି-ସାହିତ୍ୟ ରଚନା କରିଥିଲେ । ସପ୍ତମ ଶତାଦ୍ଦୀରେ ଇଉରୋପରେ ଧର୍ମଯାଜକମାନଙ୍କର ପ୍ରବଞ୍ଚନାରୁ ସମାଜକୁ ମୁକ୍ତ କରିବାପାଇଁ ମାର୍ଟିକ ଲୁଥର ପ୍ରଭୃତି ବହୁ ସଂସ୍କାରବାଦୀ ସାହିତ୍ୟ ମାଧ୍ୟମରେ ବିପ୍ଳବ ସୃଷ୍ଟି କରିଥିଲେ । ରୁଷୋ ଓ ଭଲଟେୟାରଙ୍କ ଯୋଗୁଁ ଫରାସୀ ବିପ୍ଳବ ଆରମ୍ଭ ହୋଇଥିଲା । ଏହିପରି ବୈଦିକ ଯୁଗରୁ ଆଧୁନିକ ଯୁଗପର୍ଯ୍ୟନ୍ତ ସମାଜ ଓ ସାହିତ୍ୟ ମଧ୍ୟରେ ନିବିଡ଼ ସଂପର୍କ ରହିଆସିଛି । ଗୋଟିଏ ପାଖୁଡ଼ା ହେଲେ ଅନ୍ୟଟି ପରାଗ । ଗୋଟିଏ ଆଲୋକ ହେଲେ ଅନ୍ୟଟି ରଶ୍ମି ।

 

ଓଡ଼ିଆ ସାହିତ୍ୟରେ ଶାରଳା ମହାଭାରତକୁ ଯୁଗସ୍ରଷ୍ଟା କୁହାଯାଏ । ଅବଶ୍ୟ ଗ୍ରନ୍ଥଟି ମହାଭାରତର କଥାବସ୍ତୁକୁ ନେଇ ରଚିତ । କିନ୍ତୁ ଏହା ମୂଳ ଗ୍ରନ୍ଥର ଅନୁବାଦ ନୁହେ । ଏଥିରେ ମୂଳଗ୍ରନ୍ଥର ବହୁତ ବିଷୟ ବାଦ ଦିଆଯାଇଛି । କେତେ ବିଷୟ ସଂପୂର୍ଣ୍ଣ ପରିବର୍ତ୍ତିତ ଆକାରରେ ବର୍ଣ୍ଣିତ ହୋଇଛି ଓ ଉପାଖ୍ୟାନ ଛଳରେ ଅନେକ ନୂତନ ବିଷୟ ବି ଦେଖିବାକୁ ମିଳେ । ଗ୍ରନ୍ଥଟି ତତ୍‌କାଳୀନ ସମାଜର ଏକ ପ୍ରତିବିମ୍ବ । ସମାଜରେ କେତେକ ଅନିଶ୍ଚିତ ଅବସ୍ଥା ପ୍ରବେଶ କରିଥିବା ଯୋଗୁଁ ଆକସ୍ମିତ ଭାବରେ ଏଡ଼େ ବଡ଼ ଗ୍ରନ୍ଥ ରଚିତ ହୋଇପାରି ଥିଲା । କପିଳେନ୍ଦ୍ର ଦେବଙ୍କ ସମୟରେ ଉତ୍କଳ ବହୁ ସମୟ ଯୁଦ୍ଧରେ ବ୍ୟାପୃତ ରହୁଥିଲା । ଏଣୁ ଶାରଳା ମହାଭାରତରେ ଯୁଦ୍ଧବର୍ଣ୍ଣନାରେ ପ୍ରାଧାନ୍ୟ ଦେଖିବାକୁ ମିଳେ । ପୁଣି ଯୁଦ୍ଧଯୋଗୁଁ ସମାଜରେ ମଧ୍ୟ କେତେ ଦୋଷ ଦୁର୍ବଳତା ପ୍ରବେଶ କରିଥିଲା । ଏହି ସାମାଜିକ କାର୍ଯ୍ୟ କଳାପରୁ ଏଥିରେ ବିଶେଷ ଭାବରେ ସ୍ଥାନ ଦିଆଯାଇଛି । ଏଣୁ ଏହା ଓଡିଆର ପ୍ରଧାନ ଜାତୀୟ ଗ୍ରନ୍ଥରୂପେ ପରିଚିତ ।

 

ତା’ପରେ ଚୈତନ୍ୟଙ୍କ ଆଗମନରେ ଉତ୍କଳର ସାମାଜିକ ଅବସ୍ଥା ସଂପୂର୍ଣ୍ଣ ନୂତନ ରୁପ ଧାରଣ କଲା । ବୈଷ୍ଣବ ଧର୍ମର ପ୍ରଭାବରେ ଅନେକ ସୁନ୍ଦର ଓ ସରଳ ସାହିତ୍ୟଗ୍ରନ୍ଥ ରଚିତ ହୋଇଥିଲା । ସାହିତ୍ୟ ଦୃଷ୍ଟିରୁ ବିଚାର କଲେ ଏହି ଯୁଗକୁ ଉଲ୍ଲେଖ-ଯୋଗ୍ୟ ଅଗ୍ରଗତି ବୋଲି କୁହାଯାଇପାରେ । ରାଧାକୃଷ୍ଣଙ୍କର ଲୀଳା ବର୍ଣ୍ଣନା କେବଳ ସାହିତ୍ୟର ପ୍ରଧାନ କଥାବସ୍ତୁ ଥିଲା । କିନ୍ତୁ ପରକୀୟା ପ୍ରୀତି ବର୍ଣ୍ଣନା ଯୋଗୁଁ ସମାଜରେ କେତେକ ନୈତିକ ଅଧଃପତନ ଦେଖାଗଲା । ଏଣୁ ତାହାପରେ ଆରମ୍ଭ ହେଲା ଭଞ୍ଜ ସାହିତ୍ୟ । ସୀତାରାମ ହେଲେ ଏହି ସାହିତ୍ୟର ପ୍ରଧାନ କଥାବସ୍ତୁ । ଏକ ପତ୍ନୀବ୍ରତୀ ଶ୍ରୀରାମ ଓ ସତୀ ସାଧ୍ୱୀ ସୀତା ହେଲେ ସମାଜର ପ୍ରଧାନ ଆଦର୍ଶ । ସେହି ସମୟରେ ଏକମାତ୍ର ସଂସ୍କୃତ ସାହିତ୍ୟ ସମାଜରେ ବିଶେଷ ଆଦୃତ ହେଉଥିବାରୁ ଅନେକ କଠିନ ସାହିତ୍ୟ ଗ୍ରନ୍ଥ ରଚିତ ହୋଇଥିଲା ।

 

ତା’ପରେ ସମାଜର ପରିବର୍ତ୍ତନ ସଂଘଟିତ ହେଲା, ସମାଜରେ ନୂତନ ଚିନ୍ତାଧାରା ପ୍ରବେଶ କଲା । ସେତିକିବେଳେ କବିସୂର୍ଯ୍ୟ ସାହିତ୍ୟ ପୁରାତନ ଓ ଆଧୁନିକ ଯୁଗର ଯୋଗସୂତ୍ର ରୁପେ ଆତ୍ମ-ପ୍ରକାଶ କଲା । କବିସୂର୍ଯ୍ୟ ହିଁ ଆଧୁନିକ ସାହିତ୍ୟର ପଥପ୍ରଦର୍ଶକ । ତା’ପରେ ଇଂରାଜି ସାହିତ୍ୟର ପ୍ରଭାବରୁ ସମାଜରେ କେବଳ ନୂତନ ଚିନ୍ତା ଓ ନୂତନ ଭାବ ପ୍ରବେଶ କରିଥିଲା । ଏଣୁ ଏହି ଅବସ୍ଥାକୁ ଲକ୍ଷ୍ୟକରି ରାଧାନାଥ ସାହିତ୍ୟ ରଚନାରେ ସଂପୂର୍ଣ୍ଣ ନୂତନ ପନ୍ଥା ଗ୍ରହଣ କରିଥିଲେ । ଏହି ସାହିତ୍ୟ ଅପେକ୍ଷାକୃତ ସରଳ ଏବଂ ଗତାନୁଗତିକ ପନ୍ଥାରେ ସେହି ପୁରାଣଯୁଗରେ ନାୟକ ନାୟିକାଙ୍କୁ ସାହିତ୍ୟର କଥାବସ୍ତୁରୂପେ ଗ୍ରହଣ ନ କରି ଚିଲିକା, ଦରବାର ପରି ବିଷୟବସ୍ତୁର ଅବଲମ୍ୱନରେ ସାହିତ୍ୟ ରଚନା କଲେ । ଏହି ସାହିତ୍ୟ ଆଧୁନିକ ସାହିତ୍ୟ ନାମରେ ପରିଚିତ ।

 

ପୃଷ୍ଠଭାଗରେ ଆଲୋକର ପରିଧିର ବୃଦ୍ଧି ସଙ୍ଗେ ସଙ୍ଗେ ଅନ୍ଧକାରର ପରିଧି ମଧ୍ୟ ବୃଦ୍ଧି ପାଉଥାଏ । ଆଧୂନିକତାର ବିକାଶ ସଙ୍ଗେ ସଙ୍ଗେ ପରସ୍ପର ପ୍ରତି ପରସ୍ପରର ସନ୍ଦେହ, ସଂକୀର୍ଣ୍ଣ ଜାତିଗତ ଓ ଭାଷାଗତ ସ୍ୱାର୍ଥ ମଧ୍ୟ ବୃଦ୍ଧିପାଇଲା । ଯେତେବେଳେ ଉତ୍ତରରୁ ବଙ୍ଗଭାଷା ଓ ସଂସ୍କୃତି ଏବଂ ଦକ୍ଷିଣରୁ ତୈଲଙ୍ଗ ଭାଷା ଓ ସଂସ୍କୃତି ଉତ୍କଳକୁ ଗ୍ରାସ କରିବାକୁ ବସିଲା, ସେତିକି ବେଳେ ଦୁଇଟି ମେରୁପରି ଫକୀର ମୋହନ ସେନାପତି ଓ ଗୋପୀନାଥ ନନ୍ଦ କେତେକ ଚାଞ୍ଚଲ୍ୟକର ସାହିତ୍ୟ ସୃଷ୍ଟି କରି ଏହି ପ୍ରଭାବକୁ ପ୍ରତିହତ କରିଥିଲେ ।

 

ତା’ପରେ ସାହିତ୍ୟ କ୍ଷେତ୍ରରେ ଅତି ଆଧୁନିତ ଯୁଗ ସୃଷ୍ଟି କରିବାପାଇଁ ଯେଉଁ ସବୁଜ ସାହିତ୍ୟ ସୃଷ୍ଟି ହୋଇଥିଲା, ସେ ନିଜର ଅଶ୍ଳୀଳାତା ଦୋଷଯୋଗୁଁ ଉଭେଇଗଲା । ତାହାର ପ୍ରଭାବ ସ୍ୱରୁପ ବର୍ତ୍ତମାନ ସାହିତ୍ୟ କ୍ଷେତ୍ରରେ ଦେଖା ଦେଇଛି ଏକ ଅତ୍ୟାଧୁନିକ ଯୁଗ । ଏପର୍ଯ୍ୟନ୍ତ ଏହାର ଗତି ନିର୍ଣ୍ଣୀତ ହୋଇପାରି ନାହିଁ । ଅନ୍ୟ ଯୁଗରେ ସମାଜ ମଧ୍ୟ କେତେକ ଉଚ୍ଛୃଙ୍ଖଳ ଓ ଅସାମାଜିକ କାର୍ଯ୍ୟ କଳାପରେ ଅସ୍ଥିର । ବର୍ତ୍ତମାନ ସନ୍ଦେହ, ସ୍ୱାର୍ଥପରତା, ଦୁର୍ନୀତି ଓ ପଦବୀ ଲାଳସାଦ୍ୱାରା ସମାଜ ଇତସ୍ତତଃ ହୁଏ । ବର୍ତ୍ତମାନର ସାହିତ୍ୟ ନିଜେ ଶୃଙ୍ଖଳିତ ନୁହେ ଏବଂ ଏଥିରେ ମତାନୈକ୍ୟ ରହିଛି । ଏଣୁ ସମାଜ ଓ ସାହିତ୍ୟର ସଂପର୍କ ଚ୍ଛିନ୍ନ ହେଲାପରି ଜଣାଯାଏ । ଦିନେ ସମାଜକୁ ଆୟତ୍ତ କଲାପରି ଶୃଙ୍ଖଳିତ ସାହିତ୍ୟର ସୃଷ୍ଟି ହେବ, ଯାହାର ପ୍ରଭାବରେ ସମାଜ ସ୍ଥିର, ସଂଯତ ଓ ସୁଖୀ ହୋଇପାରିବ ।

Image

 

ଉପନ୍ୟାସ ପାଠ

 

ଆଦିମ ଯୁଗରୁ ମନୁଷ୍ୟର କଥୋପକଥନରେ ଯେଉଁ ମାଧୁର୍ଯ୍ୟ, ଚାତୁର୍ଯ୍ୟ ଓ କୌତୁହଳ ରହିଛି, ତାହାର ଏକ ମାର୍ଜିତ ସ୍ତରରୁ ଉପନ୍ୟାସର ସୃଷ୍ଟି । ଉପନ୍ୟାସକୁ କଥାକାବ୍ୟ ମଧ୍ୟ କୁହାଯାଏ-। ଏଥିରେ କେତେ କାବ୍ୟଲକ୍ଷଣ ପରିଲକ୍ଷିତ ହେଉଥିବାରୁ ଏହାକୁ କାବ୍ୟଶ୍ରେଣୀଭୁକ୍ତ କରାଯାଇଛି । ଉପନ୍ୟାସକୁ ଐତିହାସିକ, ସାମାଜିକ ଓ ରହସ୍ୟାତ୍ମକ–ଏହିପରି ତିନି ଭାଗରେ ବିଭକ୍ତ କରାଯାଇପାରେ ।

 

ଉପନ୍ୟାସ କେଉଁ ଯୁଗର ସୃଷ୍ଟି, ତାହା ବିଚାର୍ଯ୍ୟ । କିନ୍ତୁ ସପ୍ତମ ଶତାଦ୍ଦୀରେ ରଚିତ ବାଣଭଟ୍ଟଙ୍କର ‘କାଦମ୍ୱରୀ’ କାବ୍ୟଟି ଗୋଟିଏ ଅତି ଉଚ୍ଚ କୋଟୀର ଉପନ୍ୟାସ । ସମାଲୋଚକମାନେ ଏହା ଉପରେ ମତାମତ ଦେଇ କହିଛନ୍ତି ‘‘କାଦମ୍ୱରୀ ରସଜ୍ଞାନ ମାହେରୋଗୀ ସରୋଚତେ’’, ‘‘ବାଣୋଚ୍ଛିଷ୍ଟ ମିଦଂ ଜଗତ୍’’ ଏହାର ଭାଷାର ଶୈଳୀ ଓ ବିଭିନ୍ନ ବର୍ଣ୍ଣନାରେ ମୁଗ୍‌ଧ ହୋଇ ଏପରି ମତ ପ୍ରକାଶ ପାଇଛି ।

 

ଉପନ୍ୟାସ ଅନ୍ୟାନ୍ୟ ସାହିତ୍ୟ ପରି ସାହିତ୍ୟ ହେଲେ ସୁଦ୍ଧା ଏହାର ଭାଷା, କଥାବସ୍ତୁ ଓ ଆଭିମୂଖ୍ୟ ଅନ୍ୟ ସାହିତ୍ୟଠାରୁ ଭିନ୍ନ । ଏହାର ଭାଷା ସହଜ ଓ କଥାବସ୍ତୁ ସାର୍ବଜନୀନ । ଏଣୁ ଉପନ୍ୟାସ ପଢ଼ିଲେ କୌଣସି ଭାବ ଖୋଜିବାକୁ ପଡ଼େ ନାହିଁ । ସମତଳ ଭୂମିରେ ବାଟି ଗଢ଼ିଲାପରି ଭାଷା ଓ ଭାବ ଗଡ଼ି ଗଡ଼ି ଚାଲିଥାଏ ଏବଂ ରଙ୍ଗମଞ୍ଚରେ ନାଟକ ଅଭିନୀତ ହେଲାପରି ପର୍ଦ୍ଦା ପଡ଼ୁଥାଏ ଉଠୁଥାଏ ।

 

ସାହିତ୍ୟରେ ଅତି ସାଧାରଣ ଜ୍ଞାନ ଥିବା ବ୍ୟକ୍ତି ପକ୍ଷରେ ମଧ୍ୟ ଉପନ୍ୟାସର ଭାବ ଅତି ସୁବୋଧ୍ୟ ଓ ଆକର୍ଷଣୀୟ । ଏଣୁ ଅଧିକାଂଶ ପାଠକ ଉପନ୍ୟାସ ପଢ଼ିବାକୁ ଆଗ୍ରହୀ । ସୁନ୍ଦର ଉପନ୍ୟାସ-ଗୁଡ଼ିକ ବିଶେଷ ଉପଭୋଗ୍ୟ; ଅଥଚ ଏଥିସକାଶେ ଅତିରିକ୍ତ ମସ୍ତିଷ୍କ ଚାଳନା କରିବାକୁ ପଡ଼େ ନାହିଁ । ଏଗୁଡ଼ିକ ପଢ଼ିବା ଦ୍ୱାରା ଭାଷା ସଂଯତ, ମାର୍ଜିତ ଓ ଶୃଙ୍ଖଳିତ ହୁଏ; ପୁଣି ଭାଷାର ଶୈଳୀରେ ମଧ୍ୟ ଅନେକ ଉନ୍ନତ ପରିବର୍ତ୍ତନ ଘଟେ । ଉପନ୍ୟାସର ଭାଷା ଓ ଭାବରେ ଆକର୍ଷଣ ଥିବରୁ ଲୋକେ ଏକାଗ୍ରଚିତ୍ତରେ ଉପନ୍ୟାସ ପଢ଼ନ୍ତି, ପୁଣି ବହୁ ସମୟ ପଢ଼ିଲେ ମଧ୍ୟ କାନ୍ତି ଅନୁଭୁତ ହୁଏ ନାହିଁ । ଏଣୁ ମନେ ହୁଏ, ଏହାଦ୍ୱାରା ଗ୍ରାହ୍ୟ ଶକ୍ତି ଓ ଏକାଗ୍ରତା ମଧ୍ୟ ବୃଦ୍ଧିପାଏ । ଅଧିକାଂଶ ଉପନ୍ୟାସ ସମାଜ ଓ ଜୀବନଦର୍ଶନ ସହିତ ଜଡିତ ଥିବାରୁ ସାମାଜିକ ଜୀବନ ମଧ୍ୟ ନିର୍ମଳ ଓ ସୁସ୍ଥ ହୁଏ । କେତେକ ପାଠକଙ୍କର ଉପନ୍ୟାସ ଏକ ବିଶ୍ରାମ । ସେମାନେ ଛୁଟି ସମୟରେ ବା ଗାଡ଼ିରେ ଯାତ୍ରା କଲା ସମୟରେ ଏପରି ଗୋଟିଏ ଉପନ୍ୟାସ ବହି ଧରି ସମୟ କଟାନ୍ତି । ଏହାଦ୍ୱାରା ଲିଖନ ଶକ୍ତି ଓ କହିବା ଶକ୍ତି ମଧ୍ୟ ବୃଦ୍ଧିପାଏ ।

 

ଅନ୍ୟାନ୍ୟ ସାହିତ୍ୟ ପରି ସମାଜିର ଦନ୍ଧିକ୍ଷଣରେ ଉଚିତ ଉପନ୍ୟାସଗୁଡ଼ିକ ଅଧିକ ଉପାଦେୟ । ଫକିର ମୋହନଙ୍କର ଉପନ୍ୟାସ ଗୁଡ଼ିକ ଓଡିଆ ଜାତିକୁ ପତନ ମୂଖରୁ ରକ୍ଷା କରିଥିଲା । ସେହିପରି ରବୀନ୍ଦ୍ରନାଥଙ୍କ ଗୋରା ଉପନ୍ୟାସ ଓ ଓଡ଼ିଆର ମାଟିର ମଣିଷ ଉପନ୍ୟାସ ଦ୍ୱାରା କେତେକ ବିଶେଷ ଉଦ୍ଦେଶ୍ୟ ସାଧିତ ହୁଏ ।

 

ବ୍ୟାସକବି ଫକୀର ମୋହନ ଓଡ଼ିଆ ଉପନ୍ୟାସର ଜନ୍ମଦାତା । ତାହାଙ୍କର ମାମୁ, ପ୍ରାୟଶ୍ଚିତ୍ତ, ଛମାଣ ଆଠଗୁଣ୍ଠ ପ୍ରଭୁତି ଉପନ୍ୟାସ-ଗୁଡ଼ିକ ସାଧାରଣତଃ ସମାଜର ରୀତିନୀତିକୁ ଭିର୍ତ୍ତିକରି ରଚିତ । ଏଣୁ ଏଗୁଡ଼ିକ ଅତି ଉପାଦେୟ । ଏଗୁଡ଼ିକ ପଢ଼ିଲେ ସମାଜର ଗୋଟିଏ ପ୍ରତିଚ୍ଛବି ମନରେ ପ୍ରତିବିମ୍ବିତ ହୁଏ । ଏଣୁ ଏଗୁଡ଼ିକ ସୁସ୍ଥ ସାମାଜିକ ଜୀବନ ଯାପନ କରିବାପାଇଁ ବିଶେଷ ସାହିଯ୍ୟ କରେ । ଏହାଛଡ଼ା ମାଟିର ମଣିଷ, ଅମୃତର ସନ୍ତାନ, କା ପ୍ରଭୃତି ଯେଉଁ ଅନ୍ୟ କେତେ ଉପନ୍ୟାସ ରହିଛି, ସେଗୁଡିକ ମଧ୍ୟ ସମାଜର ମେରୁଦଣ୍ତ । ମାଟିର ମଣିଷ ବର୍ଣ୍ଣିତ ବରଜୁ ପରି ଜଣେ ବ୍ୟକ୍ତି ଯଦି କୌଣସି ଗୋଟିଏ ଗ୍ରାମରେ ବା ଗୋଟିଏ ଗ୍ରାମ ଗୋଷ୍ଠୀରେ ଥାଏ, ତେବେ ସେହି ସମାଜ ନିଶ୍ଚିତ ପବିତ୍ର ହୋଇଯାଏ । ଅମୃତର ସନ୍ତାନ ଉପନ୍ୟାସରୁ ଗୋଟିଏ ଅନୁନ୍ନତ ସମାଜର ଦିଗ୍‌ଦର୍ଶନ ହୁଏ ଏବଂ ‘‘କା’’ ଉପନ୍ୟାସଟି ହାଣ୍ତିଶାଳାରେ ଘଟିବା ଶାନ୍ତି ଓ ଅଶାନ୍ତିର ସଙ୍କେତ ଦିଏ । ‘‘ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର’’ ଉପନ୍ୟାସଟି ଏହି ପବିତ୍ର ଭାବରେ ଗୋଟିଏ ବିଶ୍ଳେଷଣ କହିଲେ ଚଳେ । ଏହିପରି ଏହି ଜ୍ଞାନଭଣ୍ତାର ଭିତରେ କେଉଁଠି କ’ଣ ରହିଛି, ଅନୁସନ୍ଧିତ୍ସୁ କେବଳ କିୟତ୍ ପରିମାଣରେ ଜାଣିପାରେ-

 

ଏହାଛଡ଼ା କମଳକୁମାରୀ, ବାଲିରାଜା, ମୁକ୍ତାଗଡ଼ର କ୍ଷୁଧା ପ୍ରଭୃତି ଉପନ୍ୟାସଗୁଡ଼ିକ ନାମକୁ ମାତ୍ର ଐତିହାସିକ, ସେଥିରେ ଇତିହାସର ଛାୟାପାତ ମାତ୍ର ହୋଇଥାଏ । ଏଗୁଡ଼ିକ ମଧ୍ୟ ଅତି ଉପାଦେୟ । ଏହିପରି ଉପନ୍ୟାସ ଅଧ୍ୟୟନ କରିବାଦ୍ୱାରା ମଧ୍ୟ ମାନସିକ ଶକ୍ତିର ବିକାଶ ଘଟେ ଏବଂ ବିଭିନ୍ନ ଦିଗରୁ ଉନ୍ନତି ହୁଏ । ପର୍ଲ ବାକ, ସମରସେଟ୍ ମେଗାମ୍, ବାରନାଡ଼ ସ ଓ ରବୀନ୍ଦ୍ର ନାଥଙ୍କ ଭଳି ବିଶ୍ୱବିଖ୍ୟାତ ଲେଖମାନଙ୍କ ଉପନ୍ୟାସଗୁଡ଼ିକ ଗୋଟିଏ ଗୋଟିଏ ଜ୍ଞାନଭଣ୍ତାର-। ଏଗୁଡ଼ିକ ମନୁଷ୍ୟର ଗୁରୁତୁଲ୍ୟ ଉପକାର କରେ । ଏଗୁଡ଼ିକ ସମାଜର ଗୋଟିଏ ଗୋଟିଏ ଆଲୋକ-ସ୍ତମ୍ଭ । ଏଣୁ ଜାତି ଗଠନରେ ଏମାନଙ୍କର ଦାନ ଅତୁଳନୀୟ ।

 

ଯେଉଁ ସାହିତ୍ୟ ପାରିବାରିକ ଓ ସାମାଜିକ ଜୀବନର ସଫଳତାପାଇଁ ଉଦ୍ଦିଷ୍ଟ, ସେଗୁଡ଼ିକ କେବଳ ଯଥାର୍ଥ ସାହିତ୍ୟ । ତାହାହିଁ ହେଲା ରଚନାର ବିଶେଷତ୍ୱ । ଏହାଦ୍ୱାରା ଯେଉଁମାନେ ସମାଜକୁ ପଥପ୍ରଦର୍ଶନ କରନ୍ତି, ସେମାନଙ୍କଠାରେ ସମାଜ ଋଣୀ । ଏହାଦ୍ୱାରା ଅସତ୍ୟ ଭିତରେ ସତ୍ୟ ଓ କଳ୍ପନା ଭିତରେ ବାସ୍ତବତାର ସନ୍ଧାନ ମିଳେ ।

 

ଆଜି କାଲି ଅନେକ ନଗ୍ନ ଓ ଅଶ୍ଳୀଳ ଉପନ୍ୟାସ ପ୍ରକାଶ ପାଏ । ଆଧୁନିକ ଅଶ୍ଳୀଳ ଚଳଚ୍ଚିତ୍ର ପରି ଏଗୁଡ଼ିକ ମଧ୍ୟ ସମେଜର କଳଙ୍କ । ଏହାଛଡ଼ା ଅନେକ ଅସାମାଜିକ ରହସ୍ୟାତ୍ମକ ଉପନ୍ୟାସ ମଧ୍ୟ ପ୍ରକାଶ ପାଉଛି । ଛାତ୍ରମାନେ ଏହି ଶ୍ରେଣୀର ଉପନ୍ୟାସ ପ୍ରତି ଆକୃଷ୍ଟ ହୁଅନ୍ତି । ଏହାଦ୍ୱାରା ସେମାନଙ୍କର ଜୀବନ ନଷ୍ଟ ହୁଏ ଏବଂ ସମାଜର ଅମଙ୍ଗଳ ହୁଏ ।

 

ଏଣୁ ବିଜ୍ଞ ଲୋକମାନଙ୍କର ପରାମର୍ଶରେ ବା ଶିକ୍ଷକମାନଙ୍କ ପରାମର୍ଶରେ ଛାତ୍ରମାନଙ୍କର ଉପନ୍ୟାସ ନିର୍ବାଚନ କରିବା ଉଚିତ । ଏହାଦ୍ୱାରା ଉପନ୍ୟାସ ପାଠର ଉଦ୍ଦେଶ୍ୟ ସାର୍ଥକ ହୁଏ । ଏଣୁ ସର୍ବଦା ଉଚ୍ଚକୋଟୀର ଉପନ୍ୟାସ ପଢ଼ିବା ଉଚିତ ।

Image

 

ସ୍ୱାଧୀନତା ଦିବସ ପାଳନ

 

୧୯୪୭ ଅଗଷ୍ଟ ୧୫ ଭାରତର ଗୋଟିଏ ସ୍ମରଣୀୟ ଦିବସ । ଏହିଦିନ ଭାରତ ଇଂରାଜମାନଙ୍କ ହସ୍ତରୁ ମୁକ୍ତ ହୋଇ ସ୍ୱାଧୀନ ହେଲା । ଏଣୁ ଅନ୍ୟ ଯେ କୌଣସି ଦିନ ଅପେକ୍ଷା ଏହାର ସ୍ପନ୍ଦନ ଓ ମାଦକତା ଅତ୍ୟଧିକ । ଏଥିସକାଶେ ଯେଉଁ ଦେଶପ୍ରାଣ ନେତାମାନେ ପ୍ରାଣପାତ କରିଛନ୍ତି, ସେମାନେ ଆଜି ସହୀଦରୁପେ ସମାଜରେ ପୂଜିତ । ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ସେମାନଙ୍କର ନାମ ଲିପିବଦ୍ଧ ହୋଇ ରହିଅଛି ।

 

ଭାରତ ଇତିହାସରୁ ଜଣାଯାଏ ଯେ, ଭାରତ ବାରଂବାର ବିଦେଶୀମାନଙ୍କଦ୍ୱାରା ଆକ୍ରାନ୍ତ ହୋଇ ଲାଞ୍ଚ୍ଥିତ, ଦଳିତ ଓ ଖଣ୍ତ ବିଖଣ୍ତ ହୁଏ । ଅବଶ୍ୟ କେତେ ବଡ଼ ବଡ଼ ଶାସକଙ୍କର ଶାସନ-କାଳରେ ଅଖଣ୍ତ ଭାରତ ଗଠନ ସ୍ୱପ୍ନ ସଫଳ ହୋଇଥିଲା । ତଥାପି ଏହି ଅବସ୍ଥା ବେଶୀଦିନ ସ୍ଥାୟୀ ହୋଇ ରହିନାହିଁ । ସର୍ବଦା ଏକତା ଓ ଅଖଣ୍ତତାର ଅଭାବରୁ ଭାରତ ଦୁର୍ଦ୍ଦିନର ମଧ୍ୟ ଦେଇ ଗତି କରୁଥାଏ । ଶେଷରେ ବିଲାତର ଗୋଟିଏ ବଣିକ ଦଳ ବାଣିଜ୍ୟ ଉଦ୍ଦେଶ୍ୟରେ ଭାରତରେ ପ୍ରବେଶ କରି ଭାରତୀୟମାନଙ୍କ ମଧ୍ୟରେ ପାରସ୍ପରିକ ଅସହଯୋଗ ଓ ଅନୈକ୍ୟର ସୁଯୋଗ ନେଇ ଭାରତ ଅଧିକାର କରିଥିଲେ । ଏଥିରେ ଭାରତୀୟମାନେ ମର୍ମାହତ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ଅନେକ ଛୋଟ ବଡ ବିଦ୍ରୋହ ମଧ୍ୟ କରିଥିଲେ । ୧୮୫୭ରେ ଯେଉଁ ବଡ ଧରଣର ବିଦ୍ରୋହ ହୋଇଥିଲା,ତାହା ସିପାହୀବିଦ୍ରୋହ ନାମରେ ଖ୍ୟାତ । ଏକ ଦିଗରେ ଉପଯୁକ୍ତ ସଂଗଠନ ଏବଂ ନେତୃତ୍ୱର ଅଭାବ ଏବଂ ଅନ୍ୟ ଦିଗରେ ଆଧୁନିକ ଅସ୍ତ୍ରଶସ୍ତ୍ର ବଳୀୟାନ ପ୍ରତିପକ୍ଷ । ଏଣୁ ଭାରତରୁ ଇଂରାମାନଙ୍କୁ ତଡ଼ିବା ଉଦ୍ୟମ ବ୍ୟର୍ଥ ହେଲା ।

 

ଏହି ସମସ୍ତ ଆନ୍ଦୋଳନର ନିର୍ଯ୍ୟାସସ୍ୱରୂପ ଭାରତରେ ଜନ୍ମଗ୍ରହଣ କଲେ ମହାମାନବ ମହାତ୍ମାଗାନ୍ଧି । ସେ ବିନା ରକ୍ତ-ପାତରେ ସ୍ୱାଧୀନତା ଆଣିବାପାଇଁ ଆରମ୍ଭ କଲେ ଏକ ଅପୂର୍ବ ଆନ୍ଦୋଳନ । ସତ୍ୟ ଓ ଅହିଂସା ଥିଲା ତାହାଙ୍କ ଆନ୍ଦୋଳନର ପ୍ରଧାନ ଅସ୍ତ୍ର । ଶେଷରେ ତାହାଙ୍କର ଉଦ୍ଦେଶ୍ୟ ସଫଳ ହୋଇଥିଲା ଓ ଇଂରେଜମାନେ ଭାରତ ଛାଡ଼ି ଚାଲିଯିବାକୁ ବାଧ୍ୟ ହେଲେ ।

 

ସେହିଦିନଠାରୁ ଭାରତର ପ୍ରତି ଗ୍ରାମ, ସହର, ଅଫିସ ଓ ବିଦ୍ୟାଳୟ ପ୍ରଭୃତିରେ ଅତି ଆଡ଼ମ୍ୱର ସହକାରେ ସ୍ୱାଧୀନତା ଦିବସ ପାଳନ କରାଯାଏ । ବିଶେଷ ଭାବରେ ଭାରତର ରାଜଧାନୀ ଦିଲ୍ଲୀ ଏବଂ ପ୍ରାଦେଶିକ ରାଜଧାନୀଗୁଡିକରେ ସ୍ୱାଧୀନତା ଦିବସରେ ପ୍ରକୃତ ଉତ୍ସାହ ଓ ଉନ୍ମାଦନା ଦେଖାଯାଏ । ଏହି ସ୍ଥାନଗୁଡିକରେ ପ୍ରଧାନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନେ ପତାକା ଉତ୍ତୋଳନ କରନ୍ତି । ସୈନ୍ୟମାନଙ୍କର ପରେଡ଼ ହୁଏ । ସୈନ୍ୟ ଓ ଜନସାଧାରଣଙ୍କ ପକ୍ଷରୁ ଅଭିବାଦନ ଜ୍ଞାପନ କରିବା ଦୃଶ୍ୟ ବଡ଼ ହୃଦୟସ୍ପର୍ଶୀ ।

 

କିଛିଦିନ ପୂର୍ବରୁ ପତ୍ରପତ୍ରିକା ଏବଂ ଅନ୍ୟ ପନ୍ଥାରେ ଲୋକଙ୍କୁ ସ୍ୱାଧୀନତା ଦିବସର କାର୍ଯ୍ୟକ୍ରମ ଜଣାଇ ଦିଆଯାଏ । ଲୋକମାନେ ନିଜ ଦୁଆର ଆଗରେ ଲିପାପୋଛା କରି ସେଥିରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରନ୍ତି ଏବଂ ଦ୍ୱାରଦେଶରେ ତୋରଣ ଓ ଫୁଲମାଳ ବାନ୍ଧି ନାନା ସାଜସଜ୍ଜା କରନ୍ତି-

 

ବିଦ୍ୟାଳୟଗୁଡ଼ିକରେ ଏହି ଉତ୍ସବ ଅତି ଆଡ଼ମ୍ୱର ସହକାରେ ପାଳନ କରାଯାଏ । ଅନେକ ସ୍ଥଳରେ ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକ ମଧ୍ୟ ଏଥିରେ ସହଯୋଗ କରନ୍ତି । ଏଣୁ ଜନତାର ମିଳିତ ଉଦ୍ୟମରେ ଉତ୍ସବଟି ସର୍ବାଙ୍ଗସୁନ୍ଦର ହୁଏ । ସକାଳ ସାତ ଘଣ୍ଟାଠାରୁ ରାତି ଦଶଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଜନା ଥାଏ ।

 

ସର୍ବପ୍ରଥମେ ଆରମ୍ଭ ହୁଏ ପତାକା ଉତ୍ତୋଳନ । ଏହି ସମୟରେ ଶିକ୍ଷକ, ଛାତ୍ର, ବିଭିନ୍ନ ଅନୁଷ୍ଠାନର କର୍ମଚାରୀ ଓ ବିଶିଷ୍ଟ ଭଦ୍ରବ୍ୟକ୍ତିମାନେ ଏବଂ ଜାତୀୟ ସମରଶିକ୍ଷାର୍ଥୀ ବାହିନୀ ଓ ବାଳକଚରମାନେ ନିଜନିଜର ପୋଷକ ପରିଧାନ କରି ବୃତ୍ତାକାରରେ ଧାଡ଼ି ଧାଡ଼ି ଠିଆହୋଇ ଥାନ୍ତି-। କେତେବେଳେ କୌଣସି ପ୍ରକାର ଅଶାନ୍ତି, ବିଶୃଙ୍ଖଳା ବା ବେନିୟମ କାର୍ଯ୍ୟ ଦେଖିଲେ ମାଇକ୍ ସାହାଯ୍ୟରେ ସେମାନଙ୍କୁ ସତର୍କ କରି ଦିଆଯାଏ । ଯଥା ସମୟରେ କୌଣସି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କଦ୍ୱାରା ପତାକା ଉତ୍ତୋଳନ ହୁଏ । ସଙ୍ଗେ ସଙ୍ଗେ ଜନତା ପତାକା ଉପରେ ପୁଷ୍ପବୃଷ୍ଟି କରି ଅଭିବାଦନ ଜଣାନ୍ତି । ଏତିକିବେଳେ ଜାତୀୟ ସଂଗୀତ ଗାନ କରାଯାଏ ।

 

ଏହି ସମବେତ ଜନତା ପକ୍ଷରୁ ଆରମ୍ଭ ହୁଏ ନଗର ପରିକ୍ରମା । ପଟୁଆରରେ ଛାତ୍ରଛାତ୍ରୀମାନେ ଧାଡ଼ିବାନ୍ଧି ଚାଲିଥାନ୍ତି। ବଡ଼ବଡ଼ ଛାତ୍ରମାନେ ପଥପ୍ରଦର୍ଶନ କରି ନାନା ଉନ୍ନାଦନାପୂର୍ଣ୍ଣ ଧ୍ୱନି ଦେଇ ଚାଲିଥାନ୍ତି । ଆଗରେ ବ୍ୟାଣ୍ତବାଜା ବାଜୁଥାଏ ଓ ମହାତ୍ମାଙ୍କର ବିରାଟ ଚିତ୍ରପଟ ଚାଲିଥାଏ । ଏହିପରି ସମସ୍ତେ ନଗର ପରିକ୍ରମା କରି ବିଦ୍ୟାଳୟକୁ ଫେରନ୍ତି । ସେତିକିବେଳେ ଭବିଷ୍ୟତ କାର୍ଯ୍ୟକ୍ରମ ବିଷୟରେ ପୁଣି ଥରେ ସମସ୍ତଙ୍କୁ ସ୍ମରଣ କରାଇଦିଆଯାଏ ।

 

ମାଧ୍ୟହ୍ନରେ ଆରମ୍ଭ ହୁଏ ଛାତ୍ରମାନଙ୍କ ମଧ୍ୟରେ ଖେଳ କୌତୁକ ପ୍ରଭୃତିର ପ୍ରତିଯୋଗିତା-। ସେଥିରେ କୃତୀଛାତ୍ରଛାତ୍ରୀମାନେ ପୁରସ୍କୃତ ହୁଅନ୍ତି । ତା’ପରେ ସନ୍ଧ୍ୟାରେ ଆରମ୍ଭ ହୁଏ, ସର୍ବସାଧାରଣଙ୍କର ଏକ ମିଳନ ବୈଠକ । ସେଥିରେ ଜଣେ ବିଶିଷ୍ଟ ବ୍ୟକ୍ତି ସଭାପତିତ୍ୱ କରନ୍ତି-। ସଭାରେ ସ୍ୱାଧୀନତା ମହତ୍ତ୍ୱ ସଂପର୍କରେ ବିଭିନ୍ନ ଦିଗରୁ ଆଲୋଚନା ହୁଏ । ଏହି ଆଲୋଚନା ବହୁ ଛାତ୍ର ମଧ୍ୟ ଅଂଶ ଗ୍ରହଣ କରନ୍ତି ।

 

ଭାରତ ଗୋଟିଏ ଗଣତନ୍ତ୍ର ରାଷ୍ଟ୍ର । ଏଥିରେ ସମସ୍ତେ ସମାନ ନାଗରିକ ଅଧିକାର ଉପଭୋଗ କରନ୍ତି । ଯେଉଁ ଦେଶର ନାଗରିକମାନଙ୍କର ଦେଶାତ୍ମବୋଧ ଓ କର୍ତ୍ତବ୍ୟଜ୍ଞାନ ନ ଥାଏ, ସେହି ଦେଶର ସ୍ୱାଧୀନତା କ୍ରମେ ଏକ ପ୍ରହସନରେ ପରିଣତ ହୁଏ । ଯେତେବେଳେ ଗଣତନ୍ତ୍ର ବ୍ୟର୍ଥ ହୁଏ, ପୁଣି ଆସିଯାଏ ଅନ୍ୟ କିଛି ଗୋଟିଏ ଅବସ୍ଥା ସୃଷ୍ଟି ହୁଏ, ଯାହା ଫଳରେ ଲୋକେ ଅନ୍ୟ ପ୍ରକାରେ ପରାଧୀନ ଜୀବନ ଯାପନ କରନ୍ତି । ଯେଉଁ ଦେଶବାସୀଙ୍କର ଏହି ଦାୟିତ୍ୱ ଜ୍ଞାନ ଥାଏ. ସେମାନେ କେବଳ ଗଣତନ୍ତ୍ର ଶାସନର ପ୍ରକୃତ ମାଧୁର୍ଯ୍ୟ ଉପଭୋଗ କରନ୍ତି । ଏଣୁ ଭାରତବାସୀ ମଧ୍ୟ ଏଥିପ୍ରତି ଅବହିତ ହୋଇ ଗଣତନ୍ତ୍ରର ସୁରକ୍ଷାପାଇଁ ଏହି ପବିତ୍ର ଦିବସରେ ଶପଥ ନିଅନ୍ତି । ଏହିପରି ଅତି ଉତ୍ସାହପୂର୍ଣ୍ଣ ବାତାବରଣ ମଧ୍ୟରେ ପ୍ରତିବର୍ଷ ସ୍ୱାଧୀନତା ଦିବସ ପାଳିତ ହୁଏ ।

Image

 

ଭାରତର ସାଧାରଣତନ୍ତ୍ର ଦିବସ

 

୧୯୫୦ ଜାନୁୟାରୀ ୨୬ରେ ଭାରତ ଏକ ‘‘ସାର୍ବଭୌମ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ ହୋଇଛି । ଏଣୁ ପ୍ରତିବର୍ଷ ଜାନୁୟାରୀ ୨୬ ତାରିଖଟି ଭାରତରେ ମହା ସମାରୋହରେ ସାଧାରଣତନ୍ତ୍ର ଦିବସରୂପେ ପାଳିତ ହୁଏ ।

 

୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହେଲା ସତ; ତଥାପି ତାହାର ନିଜର ସ୍ୱାଧୀନ ସମ୍ବିଧାନ ନଥିଲା । ସ୍ୱାଧୀନତା ପାଇଲା ପରେ ତାହାର ନିଜର ସମ୍ୱିଧାନ ରଚିତ ହୋଇ ଗୃହୀତ ହେଲା ଏବଂ ଭାରତ ଏକ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ ହେବା କଥା ଘୋଷିତ ହେଲା ।

 

ଭାରତ ସମ୍ୱିଧାନର ନିୟମ ଅନୁସାରେ ଦେଶ ଭିତରେ ବା ବାହାରେ କେହି ବ୍ୟକ୍ତି ସମ୍ୱିଧାନ-ବିରୋଧୀ କାମ କରିପାରିବେ ନାହିଁ ବା କୌଣସି ବାହ୍ୟ ଶକ୍ତି ଭାରତର ସ୍ୱାଧୀନତା ଉପରେ ହସ୍ତକ୍ଷେପ କରିପାରିବେ ନାହିଁ । ଜାତି ଧର୍ମ ନିର୍ବିଶେଷରେ ସମସ୍ତ ନାଗରିକ ସମାନ ସୁବିଧା ସୁଯୋଗ ଉପଭୋଗ କରିପାରିବେ । ସ୍ୱାଧୀନତା ପାଇଲା ପରେ ସମସ୍ତ ଭାରତବାସୀ ମୁକ୍ତ ଓ ସ୍ୱାଧୀନ ଜୀବନ ଯାପନ କରିବା ସୁଯୋଗ ଲାଭ କରିପାରିଲେ । ଅନ୍ୟ ଏକ ବିଶେଷ କାରଣ ଯୋଗୁଁ ଜାନୁୟାରୀ ୨୬ଟିକୁ ସାଧାରଣତନ୍ତ୍ର ଦିବସ ରୂପେ ଗ୍ରହଣ କରାଯାଇଛି ।

 

୧୯୨୯ ଜାନୁୟାରୀ ୨୬ଦିନ ତତ୍‌କାଳୀନ ମୁକୁଟହୀନ ସମ୍ରାଟ ପୂଜ୍ୟ ନେତା ପଣ୍ତିତ ନେହୁରୁଙ୍କ ସଭାପତିତ୍ୱରେ ପଞ୍ଜାବରେ ଅନୁଷ୍ଠିତ ନିଖିଳ ଭାରତ କଂଗ୍ରେସ କମିଟି ଅଧିବେଶନରେ ଔପନିବେଶିକ ସ୍ୱାଧୀନତାକୁ ଅଗ୍ରାହ୍ୟ କରି ପୂର୍ଣ୍ଣ ସ୍ୱାଧୀନତା ଭାରତର ଲକ୍ଷ୍ୟ ବୋଲି ଘୋଷଣା କରାଯାଇଥିଲା । ଏଣୁ ଜାନୁୟାରୀ ୨୬ ଦିବସଟିକୁ ପ୍ରାଧାନ୍ୟ ଦିଆଯାଇଛି ।

 

ପତାକା ଉତ୍ତୋଳନଠାରୁ ଅନ୍ୟାନ୍ୟ କାର୍ଯକ୍ରମ ସ୍ୱାଧୀନତା ଦିବସ ପରି ପାଳିତ ହୁଏ ।

Image

 

ଶିଶୁ ଦିବସ

 

ଦେଶପ୍ରାଣ ଏବଂ ପୂଜ୍ୟ ନେତାମାନଙ୍କର ମହନୀୟ କୀର୍ତ୍ତିର ସ୍ମୃତିଚିହ୍ନ ସ୍ୱରୁପ ସେମାନଙ୍କର ଜନ୍ମତିଥି ଗୋଟିଏ ଗୋଟିଏ ବିଶିଷ୍ଟ ଜାତୀୟ ଦିବସରୂପେ ପାଳନ କରାଯାଏ । ଏହି ମର୍ମରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାରତର ଅପ୍ରତିଦ୍ୱନ୍ଦୀ ନେତା, ତ୍ୟାଗବୀର ସ୍ୱର୍ଗତ ପଣ୍ତିତ ନେହୁରୁଙ୍କ ଜନ୍ମତିଥି ପାଳନ ପ୍ରସ୍ତାବ ଉତ୍‌ଥାପିତ ହେବାରୁ, ସେ ନିଜେ ପରାମର୍ଶ ହେଲେ ଯେ, କେବଳ ତାହାଙ୍କର ସମ୍ମାନ ଉଦ୍ଦେଶ୍ୟରେ ଏପରି ଗୋଟିଏ ଦିବସ ପାଳନ ନ କରି ତାହାକୁ ଶିଶୁ ଦିବସରୂପେ ପାଳନ କରାଯାଉ। ଏଣୁ ସେହି ଦିନରୁ ତାହାଙ୍କର ଜନ୍ମତିଥି ନଭେମ୍ୱର ୧୪ ତାରିକ ଦିନଟି ସାରା ଭାରତରେ ଶିଶୁଦିବସରୁପେ ପାଳିତ ହେଉଅଛି ।

 

ପଣ୍ତିତ ନେହୁରୁ ଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ । ସେ ଜଣେ ଏପରି ଜନପ୍ରିୟ ଓ ଅପ୍ରତିଦ୍ୱନ୍ଦୀ ନେତା ଥିଲେ ଯେ, ତାହାଙ୍କର ନେତୃତ୍ୱ ସହିତ ପ୍ରତିଦ୍ୱନ୍ଦୀତା କରିବାକୁ ଇଚ୍ଛା ବା ସାହସ କରିବା ଦୂରେ ଥାଉ ସେକଥା କେବେ କେହି ଚିନ୍ତା କରିଥିବା ମଧ୍ୟ ଜଣାଯାଏ ନାହିଁ-। ଏହାର ମୂଳରେ ଅଛି, ତାହାଙ୍କର ନିଷ୍କଳଙ୍କ ଚରିତ୍ର, ବିରାଟ ବ୍ୟକ୍ତିର ଓ ଦେଶପାଇଁ ଅନନ୍ୟ-ସାଧାରଣ ତ୍ୟାଗ । ସେ ଅତି ସଭ୍ରନ୍ତ ବଂଶରେ ସନ୍ତାନ ହେଲେ ମଧ୍ୟ ଦେଶପାଇଁ ଯେଉଁ ଦୁଃଖ ଦୁର୍ଦ୍ଦଶା ଭୋଗ କରିଥିଲେ, ତାହା ଇତିହାସରେ ବିରଳ । ଅନ୍ଧକାରଚ୍ଛନ୍ନ ବନ୍ଦିଶାଳା ଥିଲା ତାହାଙ୍କର ଆନନ୍ଦଭବନ ଓ ବନ୍ଧୁର ମୃର୍ତ୍ତିକା ଆସ୍ତରଣ ଥିଲା ତାହାଙ୍କର ହଂସତୁଳୀ ଶଯ୍ୟା । ଲାଠି ପ୍ରହାର ଓ ତିରସ୍କାରକୁ ସେ ଅଭିନନ୍ଦନ ରୂପେ ଗ୍ରହଣ କରୁଥିଲେ ।

 

କେବଳ ସେତିକି ନୁହେ, ସେ ମହାତ୍ମା ଗାନ୍ଧୀଙ୍କର ପରମ ବିଶ୍ୱସ୍ତ ଓ ପ୍ରିୟଶିଷ୍ୟ ଥିଲେ । ଶିକ୍ଷା କ୍ଷେତ୍ରରେ ମଧ୍ୟ ତାହାଙ୍କର ଅଗାଧ ପାଣ୍ତିତ୍ୟ ଥିଲା । ତାହାଙ୍କର ମତାମତ ଉପରେ ବିଶ୍ୱବାସୀ ବିଶେଷ ଗୁରୁତ୍ୱ ଆରୋପ କରୁଥିଲେ । ସେ ଜଣେ ସ୍ପଷ୍ଟବାଦୀ ଓ ନିର୍ଭୀକ ବକ୍ତା ଥିଲେ । ବିଶ୍ୱରେ ଶାନ୍ତି ପ୍ରତିଷ୍ଠାପାଇଁ ତାହାଙ୍କର ଦାନ ଅତୁଳନୀୟ । ତାହାଙ୍କ ଯୋଗୁଁ ବିଶ୍ୱଦରବାରରେ ଭାରତର ସମ୍ମାନ ଅତିମାତ୍ରାରେ ବୃଦ୍ଧିପାଇଥିଲା ।

 

ସେ ଜଣେ ଦୂରଦ୍ରଷ୍ଟା ଏବଂ ସବୁବେଳେ ଦେଶକଥା ଚିନ୍ତା କରୁଥିଲେ । ତାହାଙ୍କର ଲକ୍ଷ୍ୟ ଥିଲା, ଦେଶର ଶିଶୁକୂଳ ଏକ ଉଚ୍ଚ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ମୂଖ ଉଜ୍ଜଳ କରନ୍ତୁ । ସେ ଶିଶୁମାନଙ୍କର ପରମ ବନ୍ଧୁ ଥିଲେ । ଯେ କୌଣସିଠାକୁ ଗଲେ ସେ ଶିଶୁମାନଙ୍କ ସହ ଆଳାପ କରୁଥିଲେ, ସେମାନଙ୍କ ସହିତ ମିଳିମିଶି ରହୁଥିଲେ ଓ ସର୍ବଦା ସେମାନଙ୍କର ଭବିଷ୍ୟତ ଚିନ୍ତା କରୁଥିଲେ । ଶିଶୁମାନେ ମଧ୍ୟ ତାଙ୍କ ଅନୁରୂପ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରୁଥିଲେ ଏବଂ ସର୍ବଦା ‘‘ଚାଚା ନେହୁରୁ ଜିନ୍ଦାବାଦ’’ ଧ୍ୱନିଦେଇ ତାହାଙ୍କର ଦିର୍ଘ ଜୀବନ କାମନା କରୁଥିଲେ ।

 

ଏହି ଶିଶୁଦିବସଟି ବିଭିନ୍ନ ବିଦ୍ୟାଳୟ ଏବଂ ବିଭିନ୍ନ ଶିଶୁଅନୁଷ୍ଠାନ ପକ୍ଷରୁ ମହା ସମାରୋହରେ ପାଳିତ ହୁଏ । ଏଥିରେ ଅନ୍ୟାନ୍ୟ ଅଫିସର ପ୍ରଧାନ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରନ୍ତି । ପ୍ରଭାତଫେରି ପରେ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଯେ କୌଣସି ଗୋଟିଏ ବିଦ୍ୟାଳୟରେ ସମବେତ ହୋଇ ଏକ ବିରାଟ ପଟୁଆରରେ ନଗର ପରିକ୍ରମା କରି ଫେରନ୍ତି । ସେତେବେଳେ ଶିଶୁମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ ହୁଏ । ଏହି ସମୟରେ ସେମାନଙ୍କ ମଧ୍ୟରେ ଏକ ଆନନ୍ଦର ଢେଉ ଖେଳିଯାଏ । ଏକ ତୁମୁଳ କୋଳାହକ ମଧ୍ୟରେ ମିଷ୍ଠାନ୍ନ ବିତରଣ କାର୍ଯ୍ୟ ଶେଷ ହୁଏ ତା’ପରେ ଶିଶୁମାନେ ଅତି ଆନନ୍ଦରେ ଗୃହକୁ ଫେରନ୍ତି ।

 

ମଧ୍ୟାହ୍ନରେ ଶିକ୍ଷକମାନଙ୍କର ତତ୍ତ୍ୱାବଧାନରେ ଛାତ୍ରମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା କୌତୁକ ପ୍ରତିଯୋଗିତା ଆରମ୍ଭ ହୁଏ। ସେତେବେଳେ ପୁରସ୍କାର ବିତରଣ ଉତ୍ସବ ଅପେକ୍ଷା ଅଧିକ ଉନ୍ନାଦନା ଓ ଉତ୍ସାହ ଦେଖାଯାଉଥାଏ । ବିଭିନ୍ନ କ୍ରୀଡ଼ା ବା ସାହିତ୍ୟ ପ୍ରତି-ଯୋଗିତାରେ କୃତୀ ଶିଶୁମାନଙ୍କୁ ପୁରସ୍କାର ଦିଆଯାଏ । ଏହି ସମୟରେ ଶୃଙ୍ଖଳା ରକ୍ଷାପାଇଁ ଶିକ୍ଷକମାନେ ବିଶେଷ ତତ୍‌ପର ରହନ୍ତି ।

 

ଏହାପରେ ସର୍ବସାଧାରଣଙ୍କ ପକ୍ଷରୁ ଗୋଟିଏ ବୈଠକ ହୁଏ । କୌଣସି ଜଣେ ଉଚ୍ଚ କର୍ମଚାରୀ ବା ଜଣେ ପଦସ୍ଥ ବ୍ୟକ୍ତି ଏଥିରେ ସଭାପତିତ୍ୱ କରନ୍ତି । ଏଥିରେ ନେହେରୁଙ୍କର ଆଦର୍ଶ ଜୀବନଚରିତ ଏବଂ ଶିଶୁକୁଳର ଉନ୍ନତ ଭବିଷ୍ୟତ ସମ୍ୱନ୍ଧରେ ଆଲୋଚନା ହୁଏ । ବାସ୍ତବିକ ଯେଉଁ ସମାଜକୁ ଶିଶୁ ଅବସ୍ଥାରୁ ଏକ ଉଚ୍ଚ ଆଦର୍ଶର ଅନୁଗାମୀ ହେବାକୁ ସୁଯୋଗ ମିଳେ, ସେହି ସମାଜ ଭଗ୍ୟବାନ୍, ତାହା କେବଳ ପୃଥିବୀରେ ସୁନାମ ଅର୍ଜନ କରିପାରେ । ଶିଶୁଦିବସର ଉଦ୍ଦେଶ୍ୟ ଯଦି ଚରିତାର୍ଥ ହୁଏ, ଭାରତର ସ୍ୱପ୍ନ ଦିନେ ନିଶ୍ଚୟ ସଫଳ ହେବ ଏବଂ ନେହୁରୁ ଆତ୍ମପ୍ରକାଶ କରି ଭାରତର ସୁନାମ ବର୍ଦ୍ଧନ କରିବେ ।

Image

 

ଗୁରୁଦିବସ

 

ସ୍ୱାଧୀନ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ସ୍ୱନାମଧନ୍ୟ ଦାର୍ଶନିକ ଡାକ୍ତର ଶ୍ରୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମତିଥି ସେପ୍ଟେମ୍ୱର ୫ତାରିଖ ଗୁରୁଦିବସରୂପେ ସାରା ଭାରତରେ ପାଳିତ ହୁଏ-। ସେ ନିଜେ ଜଣେ ଆଦର୍ଶ ଗୁରୁ । ଏପରି କି ଆଧୁନିକ ଯୁଗର ସୁସଭ୍ୟ ଦେଶ ବିଲାତଦ୍ୱାରା ମଧ୍ୟ ସେ ଆମତ୍ରିତ ହୋଇ ସେଠାରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ଉଚ୍ଚ ଶିକ୍ଷା ପ୍ରଦାନ କରିଥିଲେ । ଦେଶରେ ଆଦର୍ଶ ପୃରୁଷ ଓ ପୂଜ୍ୟ ନେତାମାନଙ୍କୁ ଏହିପରି ବିଭିନ୍ନ ପନ୍ଥାରେ ସମ୍ମାନ ପ୍ରଦର୍ଶନ କରାଯାଏ । ଏଣୁ ଜଣେ ଆଦାର୍ଶ ଗୁରୁଙ୍କର ଜନ୍ମ ତିଥିରେ ଗୁରୁଦିବସ ପାଳନ ତାହାଙ୍କ ପ୍ରତି ଯଥାର୍ଥ ସମ୍ମାନ ପ୍ରଦର୍ଶନ ଅଟେ ।

 

ସେ ଜଣେ ଋଷିପ୍ରତିମ ବ୍ୟକ୍ତି । ପାଶ୍ଚାତ୍ୟ ଶିକ୍ଷାରେ ଉଚ୍ଚ ଶିକ୍ଷିତ ହେଲେ ମଧ୍ୟ ସେ ପ୍ରାଚ୍ୟ ସଭ୍ୟତା ଓ ସଂସ୍କୃତିରେ ସଂପୂର୍ଣ୍ଣ ଅଟଳ ଥିଲେ । ଶିକ୍ଷା ଓ ଶିକ୍ଷକ ଏ ଉଭୟର ଉନ୍ନତି ଉପରେ କେବଳ ଦେଶର ସାମୂହିକ ଉନ୍ନତି ନିର୍ଭର କରେ । ଶିକ୍ଷକ ଯଦି ସମାଜରେ ଉଚ୍ଚ ଆସନ ଲାଭ ନ କରନ୍ତି, ଶିକ୍ଷକର ଚଳାଚଳ ଯଦି ସଚ୍ଛଳ ନ ହୁଏ, ତେବେ ଏହାର କୁପ୍ରଭାବ ସମାଜ ଉପରେ ପଡ଼େ । ଏଣୁ ସମାଜରେ ଅସ୍ଥିରତା ଦେଖାଯାଏ ।

 

ଅତି ପୁରାକାଳରୁ ଭାରତରେ ଗୁରୁଙ୍କୁ ସମାଜର ଅଗ୍ରପୂଜ୍ୟ ବୋଲି ଗ୍ରହଣ କରାଯାଇଛି-। ବ୍ରହ୍ମବୈବର୍ତ୍ତ ପୁରାଣରେ ଲେଖା ଅଛି, ‘‘ଗୁରୁର୍ବ୍ରହ୍ମା ଗୁରୁର୍ବିଷ୍ଣୁ ଗୁରୁର୍ଦେବ ମହେଶ୍ୱରଃ, ଗୁରୁରେବ ପରଂବ୍ରହ୍ମ ନାସ୍ତିପୂଜ୍ୟୋ ଗୁରୋଃ ପରଃ ।’’ ଏଥିରେ ଗୁରୁଙ୍କ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏପରି କି ପରଂବ୍ରହ୍କଙ୍କ ସହିତ ଯେଉଁ ତୁଳନା କରାଯାଇଛି, ତାହା ଅବାନ୍ତର ବା କଳ୍ପିତ ନୁହେ । ତାତ୍‌କାଳିକ ଗୁରୁକୁଳ ସମାଜର ସ୍ରଷ୍ଟା ଓ ପାଳନ ଥିଲେ । ସେମାନଙ୍କଠାରୁ ଶିକ୍ଷାପାଇ ଶିକ୍ଷିତ ବ୍ୟକ୍ତିମାନେ ସମାଜକୁ ସାଧୁ ମାର୍ଗରେ ପରିଚାଳନା କରୁଥିଲେ ଏବଂ ଶାସକମାନେ ନିଜକୁ ପ୍ରଜାମାନଙ୍କର ସେବକ ବା ରକ୍ଷକ ମନେକରି ଦେଶ ଶାସନ କରୁଥିଲେ । ତାହା ସଙ୍ଗେ ସଙ୍ଗେ ଗୁରୁଙ୍କଠାରୁ ଉତ୍ତମ ଶିକ୍ଷା ପାଇ ନିଜର ସମସ୍ତ ମାନବିକ ଦୋଷ ଦୁର୍ବଳତାକୁ ସଂହାର କରୁଥିଲେ । ଏଣୁ ସମାଜରେ ତିର ସୁଖଶାନ୍ତି ଦେଖାଯାଉଥିଲା । ଗୁରୁଙ୍କ ପରଂବ୍ରହ୍ମଙ୍କ ସହିତ ତୁଳନା କରିବାର ମଧ୍ୟ ଯାଥର୍ଥ୍ୟ ଅଛି-। ପରଂବ୍ରହ୍ମ ସକଳ ସୃଷ୍ଟିର ସ୍ରଷ୍ଟା, ଅଥଚ ସର୍ବତ୍ର ନିର୍ଲିପ୍ତ । ସେହିପରି ଗୁରୁଙ୍କ ଇଙ୍ଗିତରେ ସମାଜ ପରିଚାଳିତ, ଅଥଚ ସେମାନେ ନିଜ ଚିନ୍ତା ବା ନିଜ ସ୍ୱାର୍ଥ କ’ଣ ଜାଣନ୍ତି ନାହିଁ । ସେମାନେ ସମାଜର ସ୍ରଷ୍ଟା ହେଲେ ମଧ୍ୟ ନିର୍ଲିପ୍ତ ଥିଲେ ।

 

ଏହି ପୁରାତନ ଗୌରବର ପୁନରୁଦ୍ଧାର ଏବଂ ଆଧୁନିକ ଶିକ୍ଷାର ଅଗ୍ରଗତି ଉଦ୍ଦେଶ୍ୟରେ ପ୍ରତିବର୍ଷ ସାରା ଭାରତରେ ଏପରି ଏକ ଦିବସ ପାଳିତ ହୁଏ । ଅନ୍ୟାନ୍ୟ ଜାତୀୟ ପର୍ବପରି ଏହିଦିନ ମଧ୍ୟ ପ୍ରଭାତଫେରି ପରେ ପୂର୍ବାହ୍ନ ସାତଘଣ୍ଟା ସମୟରେ ବା ତାହା ପୂର୍ବରୁ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ର କୌଣସି ଏକ ବିଦ୍ୟାଳୟରେ ସମବେତ ହୋଇ ସେଠାରୁ ବାହାରି ଏକ ବିରାଟ ପଟୁଆରରେ ନଗର ପରିକ୍ରମା କରନ୍ତି । ଛାତ୍ରମାନେ ଶୋଭାଯାତ୍ରା କରିବା ସମୟରେ ଗୁରୁବନ୍ଦନା, ଶିକ୍ଷାର ଆବଶ୍ୟକତା, ଉତ୍ସବର ଉଦ୍ଦେଶ୍ୟ ଲେଖାଯାଇଥିବା ଅନେକ ଫଳକ ଧରିଥାନ୍ତି-। ପଟୁଆରଟି ବିଭିନ୍ନ ମଧୂର ଧ୍ୱନିରେ ମୁଖରିତ ହେଉଥାଏ । ଏପରି ଏକ ପ୍ରବଳ ଉତ୍ସାହ ଓ ଉନ୍ମାଦନା ମଧ୍ୟରେ ପଟୁଆର ଶେଷକରି ସମସ୍ତେ ପୁଣି ଏକତ୍ର ରୁଣ୍ତ ହୁଅନ୍ତି । ସେତେବେଳେ ଭବିଷ୍ୟତ କାର୍ଯ୍ୟକ୍ରମପାଇଁ ସମସ୍ତଙ୍କୁ ପୁଣି ସାମାନ୍ୟ ସୂଚନା ଦିଆଯାଏ । ତାପରେ ସମସ୍ତେ ଯଥା ସମୟରେ ନିଜ ନିଜ କର୍ତ୍ତବ୍ୟରେ ଯୋଗ ଦିଅନ୍ତି ।

 

ଛାତ୍ରଛାତ୍ରୀମାନେ ଦଳଦଳ ହୋଇ ‘‘ଶିକ୍ଷକ ସାହାଯ୍ୟ ପାଣ୍ଠି’’ ପାଇଁ ଅର୍ଥ ସଂଗ୍ରହ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନକୁ ଯାନ୍ତି । କେନ୍ଦ୍ର ସରକାରଙ୍କ ଅଧୀନରେ ଏପରି ଏକ ପାଣ୍ଠି ରହିଛି । ପ୍ରତିବର୍ଷ ଏପରି ବିଭିନ୍ନ ଅନୁଷ୍ଠାନରୁ ଅର୍ଥ ସଂଗ୍ରହ କରି ପଠାଯାଏ । ତଦ୍ଦ୍ୱାରା ଏହି ପାଣ୍ଠି କ୍ରମେ ବୃଦ୍ଧିପାଉଛି । ଏହାର ବର୍ଦ୍ଧିତ ଧନ ଦୁଃସ୍ଥ ଓ ଅକର୍ମଣ୍ୟ ଶିକ୍ଷକମାନଙ୍କୁ ଦିଆଯାଏ । କାର୍ଯ୍ୟକାଳ ମଧ୍ୟରେ କୌଣସି ଶିକ୍ଷକଙ୍କର ଅକାଳବିୟୋଗ ଘଟିଲେ ମଧ୍ୟ ତାହାଙ୍କ ପରିବାରକୁ ଏହି ପାଣ୍ଠିରୁ କିଛି ସାହାଯ୍ୟ ଦିଆଯାଏ । ଏପରି ଏକ ସୁବ୍ୟବସ୍ଥା ଥିଲେ ଅଧିକ ଯୋଗ୍ୟ ବ୍ୟକ୍ତିମାନେ ଏଥିପ୍ରତି ଆକୃଷ୍ଟ ହେବେ । ଏଣୁ ଏହି ବିଭାଗ ଅଧିକ ସକ୍ରିୟ ଓ ଉଜ୍ଜଳ ହେବା ସ୍ୱାଭାବିକ ।

 

ଛାତ୍ରଛାତ୍ରୀମାନେ ସଂଗୃହୀତ ଅର୍ଥ ଆଣି ନିଜନିଜ ବିଦ୍ୟାଳୟର ମୁଖ୍ୟ ବ୍ୟକ୍ତିଙ୍କ ହସ୍ତରେ ଅର୍ପଣ କରନ୍ତି । ସେମାନେ ସେହି ଅର୍ଥ କେନ୍ଦ୍ର ସରକାରଙ୍କ ନିକଟକୁ ପଠାନ୍ତି ।

 

ଦିନରେ ଏପରି କେତେ କାର୍ଯ୍ୟକ୍ରମ ଶେଷ ହେଲାପରେ ସନ୍ଧ୍ୟାରେ କୌଣସି ଜଣେ ବିଶିଷ୍ଟ ଶିକ୍ଷାବିତ୍, ନେତା ବା ବିଶିଷ୍ଟ ଭଦ୍ରବ୍ୟକ୍ତିଙ୍କ ସଭାପତିତ୍ୱରେ ଏକ ସାଧାରଣ ଅଧିବେଶନ ହୁଏ । ଏଥିରେ ଅନେକ ବିଶିଷ୍ଟ ଭଦ୍ରବ୍ୟକ୍ତି ଏବଂ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରନ୍ତି । ଏଥିରେ ପ୍ରାଚୀନ ଗୁରୁକୁଳ ଆଶ୍ରମଠାରୁ ଆରମ୍ଭ କରି ଆଧୁନିକ ଶିକ୍ଷା ପଦ୍ଧତିର ବିଭିନ୍ନ ଦିଗ, ଶିକ୍ଷା ଓ ଶିକ୍ଷକ ବିଷୟରେ ବହୁ ଆଲୋଚନା ହୁଏ ।

 

ଯେଉଁ ଶିକ୍ଷା ସମାଜକୁ ସୁଖଶାନ୍ତି ପ୍ରଦାନ କରିବାକୁ କ୍ଷମ, ଯଦ୍ଦ୍ୱାରା ସମାଜ କର୍ମକକ୍ଷ ଓ ଅନାବିଳ ହୁଏ, ଯାହା ନିଜ ପରଂପରା, ସଭ୍ୟତା ଓ ସଂସ୍କୃତିର ପରିପୋଷକ, ଯଦ୍ଦ୍ୱାରା ମନୁଷ୍ୟ ଆଧ୍ୟାତ୍ମିକ ଶକ୍ତିରେ ବଳୀୟାନ ହୋଇ ସମାଜର ଯୋଗ୍ୟ ନାଗରିକ ହୋଇପାରେ, ତାହାହିଁ ପ୍ରକୃତ ଶିକ୍ଷା । ତଦ୍ଦ୍ୱାରା କେବଳ ସମାଜର ମଙ୍ଗଳ ହୁଏ । ଯେଉଁ ମହାନ୍ ଦାର୍ଶନିକଙ୍କ ଜନ୍ମତିଥିରେ ଏହା ପାଳନ କରାଯାଏ, ତାହାଙ୍କର ଶିକ୍ଷା ଓ ସାଧୁ ପନ୍ଥା ଯଦି ସ୍ମରଣ କରାଯାଏ, ଅଚିରେ ଶିକ୍ଷା ଓ ଶିକ୍ଷକ ସମାଜର ମହତ୍ତ୍ୱ ପ୍ରକଟିତ ହେବ ଏବଂ ଦେଶର ଗୁରୁଦିବସର ସାର୍ଥକତା ପ୍ରତିପାଦିତ ହେବ-। ଏଣୁ ଏହି ଦିବସଟି ଗତାନୁଗତିକ ରୀତିରେ ପାଳନ ନ କରି ଏହାର ଉଚ୍ଚ ଆଦର୍ଶକୁ ଆଖି ଆଗରେ ରଖି ଆନ୍ତରିକତା ସହ ପାଳନ କରାଯିବା ଉଚିତ ।

Image

 

ଉତ୍କଳର ପର୍ବପର୍ବାଣି

 

ବର୍ଷର ବିଭିନ୍ନ ସମୟରେ ହିନ୍ଦୁ ଗୃହରେ ଯେଉଁ ବିଭିନ୍ନ ପୂଜା ଉତ୍ସବ ପ୍ରଭୃତି ପାଳନ କରାଯାଏ, ତାହାକୁ ପର୍ବପର୍ବାଣି କହନ୍ତି । ବର୍ଷ ମଧ୍ୟରେ ଏହିପରି ଯେଉଁ ଅନେକ ପର୍ବପର୍ବାଣି ପଡ଼େ, ସେମଧ୍ୟରୁ କୌଣସିଟି ଅର୍ଥହୀନ ନୁହେ । ପ୍ରତ୍ୟେକଟିର ପୃଷ୍ଠ-ଭୂମିରେ ପୌରାଣିକ, ଐତିହାସିକ, ସାମାଜିକ ବା ସଂହତି,ସହଯୋଗ କୃଷି, ବାଣିଜ୍ୟ ଏବଂ ଧର୍ମଗତ ଉଦ୍ଦେଶ୍ୟ ପ୍ରଭୃତି ବିଭିନ୍ନ ତଥ୍ୟ ନିହିତ । ଏହି ଦିନମାନଙ୍କରେ ଏକ ସାମାଜିକ ମିଳନ ଘଟେ ଏବଂ ଲୋକେ ସକଳ ପ୍ରକାର ଦୁଃଖ ଭୁଲିଯାଇ ଆମୋଦ ପ୍ରମୋଦରେ ସମୟ କଟାନ୍ତି । ଶ୍ରାନ୍ତ କ୍ଳାନ୍ତ ଜୀବନ ପକ୍ଷରେ ଏହି ସମୟଗୁଡ଼ିକ ଗୋଟିଏ ଗୋଟିଏ ବିଶ୍ରାମ ସମୟ କହିଲେ ଚଳେ । ଯେ ଯେଡ଼େ ଦୁଃଖୀ ବା ଶ୍ରମଜୀବୀ ହେଲେ ମଧ୍ୟ ସେହିଦିନ ଗୁଡ଼ିକରେ ସେ ଜୀବନକୁ ସମ୍ୟକ୍ ଉପଭୋଗ କରେ ଏବଂ ନିଜ ଦୈନନ୍ଦିନ ଜୀବନରେ କିଛି ନୂତନତା ମଧ୍ୟ ଅନୁଭବ କରେ ।

 

ଏହି ପର୍ବପର୍ବାଣିଗୁଡ଼ିକ ଦୃଢ଼ ଧର୍ମବିଶ୍ୱାସ ଓ ଅଟଳ ଈଶ୍ୱର ଭକ୍ତି ସହିତ ଜଡ଼ିତ ଥିଲା । ସେଗୁଡ଼ିକ ପ୍ରତ୍ୟେକ କାର୍ଯ୍ୟରେ ଐଶ୍ୱରିକ ସତ୍ତା ଅନୁଭବ କରି ସମାଜର କଠୋର ଶୃଙ୍ଖଳା ରକ୍ଷା କରିପାରିଥିଲେ । ‘‘ଯତ୍ କରୋଷି ଯଦଶ୍ନାସି ଯତ୍ ଜୁହୋଷି ଦଦାସିଯତ୍, ଯତ୍ ତପସ୍ୟସି କୌନ୍ତେୟ ତତ୍ କୁରୁଷ୍ୱ ମଦର୍ପଣମ୍’’ । ଗୀତାର ଏହି ମହତ୍ ଭାବ ଭାରତୀୟମାନଙ୍କର ମହାନ୍ ପରମ୍ପରା ବା ସଂସ୍କୃତି ହୋଇ ରହିଛି । ବର୍ତ୍ତମାନ ସୁଦ୍ଧା ସେମାନେ ପ୍ରଥମ ଫଳ, ପ୍ରଥମ ଫୁଲ ଓ ପ୍ରଥମ ଶସ୍ୟ କୌଣସି ଦେବଦେବୀଙ୍କୁ ଅର୍ପଣ କରିବାପରେ ଉତ୍ନନ୍ନ ପଦାର୍ଥ ଘରକୁ ନିଅନ୍ତି । ଏହି ପର୍ବପର୍ବାଣିଗୁଡ଼ିକ ଏପରି ଶକ୍ତିଶାଳୀ ଯେ, ଏଗୁଡ଼ିକ ଭାରତୀୟ ସଭ୍ୟତା ବା ଐତିହ୍ୟର ଆଧାର । ସମାଜ ଉପରେ ଛୋଟ ବଡ଼ କୌଣସିଟିର ପ୍ରଭାବ ଗୌଣ ନୁହେ । ଭାରତ ପରି ଉତ୍କଳରେ ମଧ୍ୟ ବର୍ଷରେ ଏପରି ଅନେକଗୁଡ଼ିଏ ପର୍ବ ପାଳନ କରାଯାଏ ।

 

ମାର୍ଗଶିର ଚାନ୍ଦ୍ରବର୍ଷର ପ୍ରଥମ ମାସ । ଏହି ସମୟରେ ପକ୍ୱ ଶସ୍ୟରେ ପରିପୂର୍ଣ୍ଣ କ୍ଷେତଗୁଡ଼ିକ ଲକ୍ଷ୍ମୀଙ୍କର ଭଣ୍ତାର ପରି ଦେଖାଯାଏ । ବିଶେଷ ଭାବରେ ଏହି ସମୟରେ ପ୍ରଧାନ ଶସ୍ୟ ଧାନ । ଏଣୁ ମାଣରେ ନୂଆ ଧାନ ରଖି ଗୁରୁବାର ଦିନ ଧନର ଅଧିଷ୍ଠାତ୍ରୀ ଦେବୀ ଲକ୍ଷ୍ମୀଙ୍କୁ ସମସ୍ତେ ପୂଜା କରନ୍ତି । ଏହି ମାସରେ କୃଷ୍ଣ ଅଷ୍ଟମୀ ପ୍ରଥମାଷ୍ଟମୀ ଭାବରେ ଖ୍ୟାତ । ଏହିଦିନ ଜ୍ୟେଷ୍ଠପୁତ୍ର ଆୟୁବୃଦ୍ଧି କାମନାରେ ପୂଜା କରାଯାଏ । ପୌଷ ଶୁକ୍ଳ ଦଶମୀ ଶାମ୍ୱଦଶମୀ ନାମରେ ପରିଚିତ । ଏହିଦିନ ବିଭିନ୍ନ ପିଷ୍ଟକାଦି ପ୍ରସ୍ତୁତ କରି ସୂର୍ଯ୍ୟଙ୍କର ପୂଜା କରାଯାଏ ।

 

ମାଘ ଶୁକ୍ଳ ପଞ୍ଚମୀକୁ ବସନ୍ତ ପଞ୍ଚମୀ କୁହାଯାଏ । ଏହିଦିନ ବିଦ୍ୟାର୍ଥୀମାନେ ଶୁଦ୍ଧପୂତ ମନରେ ବିଦ୍ୟାର ଅଧିଷ୍ଠାତ୍ରୀ ସରସ୍ୱତୀଙ୍କୁ ପୂଜା କରନ୍ତି । ମାଘମାସ ଶୁକ୍ଳ ସପ୍ତମୀ ଦିନ କୋଣାର୍କ ନିକଟରେ ଚନ୍ଦ୍ରଭାଗା ମେଳା ହୁଏ । ଲୋକେ ସେଠାରେ ସେହିଦିନ ସୂର୍ଯ୍ୟୋଦୟ ଦର୍ଶନପାଇଁ ରୁଣ୍ତ ହୁଅନ୍ତି । ଫାଲ୍‌ଗୁନ ମାସରେ କୃଷ୍ଣ ଚତୁର୍ଦ୍ଦଶୀ ଶିବରାତ୍ର ଦିନ ଶିବଙ୍କୁ ପୂଜା କରାଯାଏ । ବ୍ରତୀମାନେ ରାତି ଉଜାଗର ରହନ୍ତି । ଏହିଦିନ ବିଶେଷ କରି ଶିବମନ୍ଦିରମାନଙ୍କରେ ବଡ଼ ଉତ୍ସବ ହୁଏ । ଫାଲ୍‌ଗୁନ ପୂର୍ଣ୍ଣମା ଦିନ ରାଧାକୃଷ୍ଣଙ୍କୁ ଦୋଳରେ ବିଜେ କରାଇ ପୂଜା କରାଯାଏ । ଏହା ଦୋଳ ଉତ୍ସବ ନାମରେ ପରିଚିତ । ପୂର୍ଣ୍ଣିମା ପରଦିନକୁ ହୋଲି କୁହାଯାଏ । ଏହି ଦିନ ଲୋକେ ଫଗୁ ଓ ରଙ୍ଗପାଣିରେ ଖେଳନ୍ତି । ଏହିଦିନ ଜ୍ୟୋତିଷମାନେ ନୂତନ ପଞ୍ଜିକା ପଢ଼ି ଆଗାମୀ ବର୍ଷର ଫଳାଫଳ କହନ୍ତି ।

 

ମେଷ ସଂକ୍ରାନ୍ତିକୁ ମହାବିଷୂବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି କହନ୍ତି । ସୌରମାନ ଅନୁସାରେ ଏହି ବର୍ଷର ପ୍ରଥମ ମାସ । ଏହା ବୈଶାଖମାସର ପ୍ରଥମ ଦିନ । ଏହି ଦିନ ପଣାପାଣି ଓ ନୂତନ ବସ୍ତ୍ର ଦାନ କରାଯାଏ । ଏହି ମାସର ଶୁକ୍ଳ ତୃତୀୟା ଅକ୍ଷୟ ତୃତୀୟା ନାମରେ ଖ୍ୟାତ । ଭାରତ ଭଳି ଗୋଟିଏ କୃଷି ପ୍ରଧାନ ଦେଶରେ ଏ ଗୋଟିଏ କୃଷିପର୍ବ । କୃଷକମାନେ ଏହି ଦିନ ‘‘ଧାନମୁଠି’’ କରନ୍ତି; ଅର୍ଥାତ୍‍ ଧାନ ବୁଣା ଆରମ୍ଭ କରନ୍ତି ।

 

ମିଥୁନ ସଂକ୍ରାନ୍ତିର ପୂର୍ବ ପର ତିନିଦିନବ୍ୟାପୀ ଉତ୍କଳରେ ରଜ ଉତ୍ସବ ପାଳିତ ହୁଏ । ଏ ମଧ୍ୟ ଗୋଟିଏ ପ୍ରଧାନ କୃଷିପର୍ବ । ଏହି ତିନିଦିନ ଭୂମି ଖୋଳିବା ବା ଚାଷ କରିବା ନିଷିଦ୍ଧ । ଏହାକୁ ଭୂମିର ‘‘ରଜସ୍ୱାଳା’’ ଅବସ୍ଥା କହନ୍ତି । ରଜ ପର୍ବରେ ଲୋକେ ନାନା ଖେଳ କୌତୁକରେ ସମୟ କଟାନ୍ତି । ଏହି ପର୍ବରେ ଘରେ ଘରେ ପିଠାପଣା ଓ ଭୋଜିଭାତ ହୁଏ ଏବଂ ଚତୁର୍ଥ ଦିନ ମହାଲକ୍ଷ୍ମୀ ପୂଜା ହୁଏ ।

 

ଆଷାଢ଼ ମାସର ଗୁଣ୍ତିଚା ଯାତ୍ରା ଉତ୍କଳର ଗୋଟିଏ ପ୍ରସିଦ୍ଧ ପର୍ବ । ଏହା ଆଷାଢ଼ ଶୁକ୍ଳ ଦ୍ୱତୀୟା ଦିନ ଆରମ୍ଭ ହୋଇ ନ’ଦିନ ପର୍ଯ୍ୟନ୍ତ ଯାତ୍ରା ହୁଏ । ଏହି ଉତ୍ସବରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ତିନିଠାକୁରଙ୍କୁ ରଥରେ ବିଜେ କରାଇ ରଥ ଟଣାଯାଏ । ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ତିଚା ଏହି ଯାତ୍ରା ଆରମ୍ଭ କରିଥିବାରୁ ଏହାର ନାମ ଗୁଣ୍ତିଚା ଯାତ୍ରା ହୋଇଅଛି । ସାରା ଭାରତରେ ଏହି ଯାତ୍ରା ଅତି ପ୍ରସିଦ୍ଧ । ପୁରୀର ଆଦର୍ଶରେ ଓଡ଼ିଶାର ବହୁ ପୁରପଲ୍ଲୀରେ ଏବଂ ପଡ଼ୋଶୀ ରାଜ୍ୟମାନଙ୍କରେ ମଧ୍ୟ ଏହି ପର୍ବ ଅଳ୍ପ ବହୁତେ ପାଳିତ ହୁଏ । ବର୍ତ୍ତମାନ କଲିକତା ଓ ଦିଲ୍ଲୀରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠିତ ହୋଇ ସେଠାରେ ମଧ୍ୟ ଗୁଣ୍ତିଚାଯାତ୍ରା କରାଯାଉଛି ।

 

ଶ୍ରାବଣ ପୂର୍ଣ୍ଣିମାକୁ ଗହ୍ମା ପୁର୍ଣ୍ଣିମା କହନ୍ତି । ଏହିଦିନ କୃଷକମାନେ ଲଙ୍ଗଳ ଧୁଅନ୍ତି । ଅର୍ଥାତ୍ ଏହି ସମୟକୁ ଧାନରୁଆ ବେଉସା ଶେଷ ହୋଇଥାଏ । ଏହିଦିନ ଗୋରୁମାନଙ୍କୁ ମଧ୍ୟ ହଳଦୀ ଲଗାଇ ଗାଧୋଇ ଦିଆଯାଏ ଏବଂ କେତେ ପ୍ରକାର ସୁଖାଦ୍ୟ ଦେଇ ପୂଜା କରାଯାଏ । ଭାଦ୍ରବ କୃଷ୍ଣ ଅଷ୍ଟମୀ ରାତ୍ରିରେ କୃଷ୍ଣ ଜନ୍ମ ଉତ୍ସବ ପାଳିତ ହୁଏ । ରାତ୍ରିରେ ଶ୍ରୀକୃଷ୍ଣଙ୍କୁ ପୂଜାକରି ଭାଗବତର ଦଶମ ସ୍କନ୍ଧ ପଢ଼ନ୍ତି । ସେହି ମାସ ଶୁକ୍ଳ ଚତୁର୍ଥୀରେ ଗଣେଶ ଚତୁର୍ଥୀ ଓ ଅଷ୍ଟମୀରେ ରାଧାଷ୍ଟମୀ ପୂଜା ହୁଏ । ଚତୁର୍ଥୀ ଦିନ ଘରେ ଘରେ ଗଣେଶ ମୂର୍ତ୍ତି ସ୍ଥାପିନ କରି ପୂଜା କରନ୍ତି । ଗଣେଶ ହେଉଛନ୍ତି ବିଦ୍ୟାଦାତା । ଏଣୁ ବିଦ୍ୟାର୍ଥୀମାନେ ବିଶେଷ ଆଗ୍ରହରେ ଏ ପୂଜା କରନ୍ତି ।

 

ଆଶ୍ୱିନ ମାସ ଶୁକ୍ଳ ସପ୍ତମୀଠାରୁ ଦଶମୀ ପର୍ଯ୍ୟନ୍ତ ଦୁର୍ଗାପୂଜା ହୁଏ । ଏହାକୁ ଦଶହରା ବା ଶାରଦୀୟ ଉତ୍ସବ କୁହାଯାଏ । ଏ ଗୋଟିଏ ସର୍ବଭାରତୀୟ ପର୍ବ । ପୂରାଣରୁ ଜଣାଯାଏ ଯେ, ଏହିଦିନ ଦୁର୍ଗା ମହିଷାସୁରକୁ ବଧ କରିଥିଲେ, ଅନ୍ୟ ପକ୍ଷରେ ରାମଚନ୍ଦ୍ର ଦୁର୍ଗା ପୂଜାକରି ରାବଣକୁ ଜୟ କରିଥିବା ବର୍ଣ୍ଣିତ ଅଛି । ଏଣୁ ଏହାକୁ ବିଜୟା ଦଶମୀ କୁହାଯାଏ । ଏହିଦିନ କ୍ଷତ୍ରିୟମାନେ ନିଜର ଅସ୍ତ୍ରଶସ୍ତ୍ର, ବ୍ରହ୍ମଣମାନେ ପୁସ୍ତକ ଏବଂ ଅନ୍ୟମାନେ ମଧ୍ୟ ନିଜ ନିଜ ବ୍ୟବସାୟ ଉପକରଣଗୁଡ଼ିକୁ ପୂଜା କରନ୍ତି । ଏହି ମାସର ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା ବା କୁମାର ଉତ୍ସବ କୁହାଯାଏ । ଏହି ଦିନ ସମସ୍ତେ ନୂତନ ବସ୍ତ୍ର ପରିଧାନ କରନ୍ତି । ଏହା ଉତ୍କଳର ଗୋଟିଏ ଉଲ୍ଲେଖଯୋଗ୍ୟ ପର୍ବ । ଆଶ୍ୱିନ ଅମାବାସ୍ୟାକୁ ମହାଳୟା ଅମାବାସ୍ୟା କୁହାଯାଏ । ଏହି ଦିନ ସମସ୍ତେ ପିତୃଶ୍ରାଦ୍ଧ କରନ୍ତି ।

 

କାର୍ତ୍ତିକ ଅମାବାସ୍ୟାକୁ ଦୀପାବଳୀ ଅମାବାସ୍ୟା କୁହାଯାଏ । ଏହା ମଧ୍ୟ ଗୋଟିଏ ସର୍ବଭାରତୀୟ ପର୍ବ । ଭାରତର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଏହି ଦିନଟି ବିଶେଷ ଆନନ୍ଦ ଓ ଉନ୍ନାଦନା ଭିତରେ ପାଳିତ ହୁଏ । ଏହି ଦିନ ରାତ୍ରିରେ ଦୀପାବଳୀରେ ଗ୍ରାମଗୁଡ଼ିକ ଛାୟାପଥ ପରି ଦେଖାଯାଏ ଓ ବିଭିନ୍ନ ପ୍ରକାର ବାଣ, ଦୀପ ଓ ଚନ୍ଦ୍ରଦୀପଦ୍ୱାରା ଚତୁର୍ଦ୍ଦିଗ ମଧ୍ୟାହ୍ନପରି ଆଲୋକିତ ଦେଖାଯାଏ । ବୈଜ୍ଞାନିକମାନଙ୍କ ମତରେ ଏହା ମଶା, ମାଛି ଓ ଅନିଷ୍ଟକାରୀ କୀଟ ପତଙ୍ଗ ମାରିବାରେ ସାହାଯ୍ୟ କରେ । ଏହି ଦିନ ପିତୃଶ୍ରାଦ୍ଧ ମଧ୍ୟ ହୁଏ । ପିତୃପୁରୁଷ ଦୀପାଲୋକରେ ସ୍ୱର୍ଗକୁ ଯାନ୍ତି ବୋଲି ଭାରତୀୟ-ମାନଙ୍କର ବିଶ୍ୱାସ । କାର୍ତ୍ତିକମାସ ଧର୍ମମାସ ରୁପେ ପରିଚିତ ।

 

ଏହିପରି ଭାରତର ପର୍ବପର୍ବାଣିଗୁଡ଼ିକ ଶିକ୍ଷା, ସ୍ୱାସ୍ଥ୍ୟ, ସଭ୍ୟତା ସକଳ ଦିଗରୁ ବିଶେଷ ଉପକାରୀ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଯେଉଁ ବୋଇତ ଭସା ଉତ୍ସବ ହୁଏ, ତାହା ଅତୀତ ନୌବାଣିଜ୍ୟର ସ୍ମୃତିକୁ ଉଜ୍ଜୀବିତ କରେ । ସେହିପରି ସ୍ୱାସ୍ଥ୍ୟରକ୍ଷା ସକାଶେ ଦୀପାବଳୀ, କୃଷିର ଉନ୍ନତି ସକାଶେ ଅକ୍ଷୟତୃତୀୟା, ଶୀତଳ ଷଷ୍ଠୀ ଓ ରଜପର୍ବ, ଗୋ-ସଂପଦର ଉନ୍ନତିପାଇଁ ଗହ୍ମା ପୂର୍ଣ୍ଣିମା, ଛାତ୍ରମାନଙ୍କୁ ଶିକ୍ଷାଦିଗରେ ପ୍ରେରଣା ଦେବାପାଇଁ ବସନ୍ତ ପଞ୍ଚମୀ ଓ ଗଣେଶ ପୂଜା ପ୍ରଭୃତି ଅନେକ ପର୍ବ ଉତ୍କଳରେ ପାଳିତ ହୁଏ ।

 

ଏହାଛଡା ଭାରତର ମୁସଲମାନମାନେ ଇଦୁଦ୍‌ଜୁହା, ଇଦୁଲ ଫିତର, ମହରମ ଇତ୍ୟାଦି ପର୍ବ ପାଳନ କରନ୍ତି ଏବଂ ଖ୍ରୀଷ୍ଟିୟାନ୍‌ମାନେ ବଡ଼ଦିନ, ନୂଆବର୍ଷ ଓ ଇଷ୍ଟର ପ୍ରଭୃତି ପର୍ବ ପାଳନ କରନ୍ତି । ଏହାଛଡ଼ା ପ୍ରତିବର୍ଷ ଗାନ୍ଧି ଜୟନ୍ତୀ, ସ୍ୱାଧୀନତା ଉତ୍ସବ, ସାଧାରଣତନ୍ତ୍ର ଦିବସ, ଗୁରୁ ଦିବସ ଓ ଶିଶୁଦିବସ ପ୍ରଭୃତି ଅନେକ ଜାତୀୟ ପର୍ବ ମଧ୍ୟ ପାଳନ ହୁଏ ।

 

ଏହି ପର୍ବ ଗୁଡିକରେ ଯେପରି ଆମୋଦ ଉନ୍ନାଦନା ରହିଛି, ସେହିପରି ଜାତି ଗଠନର ଉପାଦାନ ଓ ସମାଜରେ ଶୃଙ୍ଖଳା ରକ୍ଷା ଏବଂ ସଭ୍ୟତାର ବିକାଶପାଇଁ ବହୁ ପ୍ରେରଣା ରହିଛି । ଏଗୁଡ଼ିକ ଦୁର୍ବଳ ହେଲେ ସମାଜର ମୂଳଦୁଆ ଦୋହଲିଯିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଏଣୁ ଏହା ଯଥାରୀତି ପାଳିତ ହେବା ଉଚିତ ।

Image

 

ଓଡ଼ିଶାର ଗୋଟିଏ ବିଶିଷ୍ଟ ପର୍ବ

 

ଓଡ଼ିଶାରେ ବର୍ଷ ମଧ୍ୟରେ ଅନେକ ପର୍ବପର୍ବାଣି ପଡ଼େ । ସେ ପ୍ରତ୍ୟେକଟିର ବିଭିନ୍ନ ଦିଗରୁ ପ୍ରାଧାନ୍ୟ ଥିଲେ ମଧ୍ୟ ଗୁଣ୍ତିଚାଯାତ୍ରା ଓଡ଼ିଶାର ଗୋଟିଏ ବିଶିଷ୍ଟ ପର୍ବ । ଉତ୍କଳରେ ଇନ୍ଦ୍ରଦ୍ୟୁମ୍ନ ନାମକ ଜଣେ ପ୍ରସିଦ୍ଧ ନରପତି ଥିଲେ । ସେ ଗୋଟିଏ ମନ୍ଦିର ନିର୍ମାଣ କରି ସେଥିରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ତିନିମୂର୍ତ୍ତି ସ୍ଥାପନ କରିଥିଲେ । ତାହାଙ୍କର ମହିଷୀ ଗୁଣ୍ତିଚା ଗୋଟିଏ ନିଜ ନାମରେ ଏକ ମନ୍ଦିର ନିର୍ମାଣ କରି ଏହି ତିନିମୂର୍ତ୍ତିଙ୍କର ଗୋଟିଏ ଯାତ୍ରା ଆରମ୍ଭ କରିଥିଲେ । ତାଙ୍କ ନାମାନୁସାରେ ଏହାର ନାମ ହେଲା ଗୁଣ୍ତିଚା ଯାତ୍ରା । ତିନୋଟି ରଥରେ ଏହି ଯାତ୍ରା ହୁଏ । ଏଣୁ ଏହାକୁ ରଥଯାତ୍ରା ମଧ୍ୟ କହନ୍ତି ।

କେତେକ କହନ୍ତି, ମହାଯାନପନ୍ଥୀ ବୌଦ୍ଧମାନେ ବୁଦ୍ଧ ଦେବଙ୍କର ମୂର୍ତ୍ତି ରଥରେ ବସାଇ ଯାତ୍ରା କରୁଥିଲେ ଏବଂ ଜୈନ ତୀର୍ଥଙ୍କରମାନେ ମଧ୍ୟ ରଥଯାତ୍ରା କରନ୍ତି । ଏହାର ଅନୁକରଣରେ ପୁରୀରେ ଏହି ଯାତ୍ରା ହୁଏ । ବର୍ତ୍ତମାନ ସୁଦ୍ଧା ଜଗନ୍ନାଥ ମନ୍ଦିରରେ ଏହି ଧର୍ମର ପ୍ରଭାବ ଦେଖାଯାଏ-। କେତେକଙ୍କ ମତରେ ଶ୍ରୀକୃଷ୍ଣଙ୍କ ମଥୁରା ଯାତ୍ରା ଉଦ୍ଦେଶ୍ୟ ନେଇ ଏହି ଯାତ୍ରା ହୁଏ । ସିସିଲି ଦ୍ୱୀପରେ ଏବେ ମଧ୍ୟ ମାତା ମେରିଆଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ । ଜଗନ୍ନାଥ ଧର୍ମ ଆଲୋଚନା କଲେ ଜଣାଯାଏ, ଏହା କେବଳ ଉତ୍କଳୀୟ ନୁହେ, ସର୍ବ ଭାରତୀୟ ଧର୍ମ ବା ବିଶ୍ୱ ଧର୍ମର ସମନ୍ୱୟ ପରି ମନେ ହୁଏ । ଏଦିଗରୁ ମଧ୍ୟ ଏହାର ପ୍ରାଧାନ୍ୟ ରହିଛି ।

ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଏହି ଯାତ୍ରା ଆରମ୍ଭ ହୋଇ ନ’ଦିନ ପର୍ଯ୍ୟନ୍ତ ହୁଏ । ପ୍ରଥମ ଦିନକୁ ଶ୍ରୀଗୁଣ୍ତିଚା ଓ ଶେଷଦିନକୁ ବାହୁଡ଼ା ଯାତ୍ରା କୁହାଯାଏ । ଶ୍ରୀଗୁଣ୍ତିଚା ଦିନ ତିନି ଠାକୁରଙ୍କୁ ରଥରେ ପହଣ୍ତି ବିଜେ କରାଇ ରଥଗୁଡ଼ିକୁ ମନ୍ଦିରଠାରୁ ଗୁଣ୍ତିଚା ଘରକୁ ଟାଣି ନିଆଯାଏ । ରଥ ନିର୍ମାଣ ପ୍ରଭୃତି ସକଳ ପ୍ରକାର ବିଧି ଶାସ୍ତ୍ରୀୟ ନିୟମାନୁସାରେ ହୁଏ । ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଶୁଭାରମ୍ଭ ହୁଏ । ପ୍ରଥମ ରଥର ନାମ ତାଳଧ୍ୱଜ, ଦ୍ୱିତୀୟ ରଥର ନାମ ଦର୍ପଦଳନ ଓ ତୃତୀୟ ରଥର ନାମ ନନ୍ଦିଘୋଷ । ପ୍ରଥମ ରଥରେ ଜ୍ୟେଷ୍ଠଭ୍ରାତା ବଳଭଦ୍ର, ଦ୍ୱିତୀୟ ରଥରେ ଭଗିନୀ ସୁଭଦ୍ରା ଓ ତୃତୀୟ ରଥରେ କନିଷ୍ଠଭ୍ରାତା ଜଗନ୍ନାଥଙ୍କୁ ବିଜେ କରାନ୍ତି । ତାଳଧ୍ୱଜ ରଥରେ ୧୪ଟି ଚକ, ଦର୍ପଦଳନ ରଥରେ ୧୨ଟି ଚକ ଏବଂ ନନ୍ଦିଘୋଷ ରଥରେ ୧୬ଟି ଚକ ଲାଗିଥାଏ । ନନ୍ଦିଘୋଷ ରଥ ସବୁଠାରୁ ବଡ଼ । ଏହାର ଉଚ୍ଚତା ୪୫ଫୁଟ: ପ୍ରସ୍ଥ ୩୫ଫୁଟ । ଏହାର ଚକର ବ୍ୟାସ ୭ଫୁଟ ।

ଶ୍ରୀଗୁଣ୍ତିଚା ଦିନ ଠାକୁର ଦର୍ଶନ ଅତି ପ୍ରଧାନ । ଏଣୁ ଭକ୍ତ ଓ ଦର୍ଶକମାନେ ଠାକୁରଙ୍କର ପହଣ୍ତି ଦେଖିବାକୁ ଅପେକ୍ଷା କରି ରହିଥାନ୍ତି । ପହଣ୍ତି ପୂର୍ବରୁ ପୂରୀର ରାଜା ରଥଉପରେ ‘ଛେରା ପହଁରା’ ଦିଅନ୍ତି । ତା’ପରେ ପଣ୍ତାମାନେ ଠାକୁରଙ୍କୁ ରଥରେ ପହଣ୍ତି ବିଜେ କରାନ୍ତି । ଏହି ସମୟରେ ପୁରୀ ବଡ଼ଦାଣ୍ତଟି ଲୋକାର୍ଣ୍ଣବ ହୋଇଥାଏ । ଲୋକମାନଙ୍କର ଆନନ୍ଦ କୋଳାହଳରେ ଆକାଶମଣ୍ତଳ ଉଚ୍ଛୁଳି ପଡ଼ୁଥାଏ ।

ପହଣ୍ତି ପରେ ରଥ ଟଣଯାଏ । ଏପରି ଅସମ୍ଭବ ଧରଣର ଲୋକସମାଗମ ଭିତରେ ରଥଗୁଡ଼ିକୁ ଟାଣିନେବା ଦୃଶ୍ୟ ବଡ଼ ଚମତ୍କାର । ଚତୁର୍ଦ୍ଦିଗରେ କଡ଼ା ପୁଲିସ ପହରା ଥାଏ । ସେମାନେ ବିଶେଷ ସତର୍କତା ଅବଲମ୍ୱନ କରି ଲୋକଙ୍କୁ ଆୟତ୍ତ କରନ୍ତି । ପ୍ରଥମେ ପୁଲିସ ପଥ ପରିଷ୍କାର କଲାପରେ ରଥ ଟଣାହୁଏ । ରଥ ଉପରେ ତାଳ, ମୃଦଙ୍ଗ, ଘଣ୍ଟ ବାଜୁଥାଏ । ଡାହୁକ ନାନା ପ୍ରକାର ଗୀତ ଗାଇ ରଥ ଟାଣିବାକୁ ନିର୍ଦ୍ଦେଶ ଦେଉଥାଏ । ଏଥିରେ ଲୋକେ ଅଧିକ ଉତ୍ସାହିତ ହୋଇ ରଥ ଟାଣନ୍ତି ।

ତିନୋଟି ଯାକ ରଥ ସନ୍ଧ୍ୟା ସମୟକୁ ଗୁଣ୍ତିଚା ଘରକୁ ଟାଣି ନିଆଯାଏ । ଗୁଣ୍ତିଚା ଘରେ ତିନିଠାକୁର ସାତଦିନ ରହନ୍ତି । ସେତକ ଦିନ ସେଠାରେ ମନ୍ଦିରରେ ପ୍ରଚଳିତ ସକଳ ପ୍ରକାର ପୂଜାବିଧି ହୁଏ । ଏହି ସାତଦିନ ପ୍ରତିଦିନ ରାତିରେ ଠାକୁରଙ୍କ ଦଶ ଅବତାର ଓ କାଞ୍ଚିବିଜୟ ପ୍ରଭୃତି ବିଭିନ୍ନ ବେଶ କରାଯାଏ । ଏହାକୁ ଆଡ଼ପ ଦର୍ଶନ କହନ୍ତି ।

ପୂରୀ ଅନୁକରଣରେ ଓଡ଼ିଶାର ଅନ୍ୟାନ୍ୟ ପୁରପଲ୍ଲୀ, ସହର ଏବଂ ପଡ଼ୋଶୀ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହି ଉତ୍ସବ ଆଡ଼ମ୍ୱର ସହକାରେ ପାଳିତ ହୁଏ । କେତେ ସ୍ଥଳରେ ଗୋଟିଏ ରଥ ଓ କେତେ ସ୍ଥଳରେ ତିନୋଟି ରଥ ମଧ୍ୟ ହୁଏ । ପାରଳାଖେମଣ୍ତି ସହରରେ ତିନୋଟି ରଥ ନିର୍ମିତ ହୋଇ ପୁରୀ ନିୟମରେ ଅତି ଆଡ଼ମ୍ୱର ସହିତ ଯାତ୍ରା ଅନୁଷ୍ଟିତ ହୁଏ । ବର୍ତ୍ତମାନ ଦିଲ୍ଲୀ ଓ କଲିକତାରେ ଜଗନ୍ନାଥ ମନ୍ଦିର ସ୍ଥାପିତ ହୋଇ ସେହି ସେହି ନଗରଗୁଡ଼ିକରେ ମଧ୍ୟ ରଥଯାତ୍ରା ହେଉଅଛି ।

ମନୁଷ୍ୟ ସର୍ବଦା ନାନା ଦୁଃଖ ଜଞ୍ଜାଳରେ ମଗ୍ନ ହୋଇ ବହୁ ସମୟରେ ଅପକର୍ମ ମଧ୍ୟ କରେ । ତାହା ଜୀବନରେ କେବେ ସୁଖଶାନ୍ତି ବା ବିଶ୍ରାମ ନ ଥାଏ । ତେଣୁ ମନୁଷ୍ୟକୁ ଟିକିଏ ଶାନ୍ତି ଦେବାପାଇଁ ଏବଂ ସତ୍ୟ ଓ ନ୍ୟାୟମାର୍ଗକୁ ତାହାର ମନ ଟାଣି ଆଣିବାପାଇଁ ସମାଜରେ ଏପରି ଅନେକ ଆନନ୍ଦ ଉତ୍ସବର ବ୍ୟବସ୍ଥା ରହିଛି । ଏହିପରି ରଥଯାତ୍ରା ଓଡ଼ିଶାର ଗୋଟିଏ ବିଶିଷ୍ଟ ପର୍ବ । ସର୍ବ ପ୍ରଥମେ ଏହା ପୂରୀ ଧାମରୁ ଆରମ୍ଭ ହୋଇ ଭାରତର ଅନ୍ୟତ୍ର ମଧ୍ୟ ପାଳିତ ହେଉଛି ।

Image

 

Unknown

ଏକତା ହିଁ ବଳ

 

ଯେ କୌଣସି ବିଷୟରେ ସମସ୍ତେ ଏକମତ ହୋଇ ଯେଉଁ କାମ କରନ୍ତି, ତାହାକୁ ଏକତା କୁହାଯାଏ । ଏହା କ୍ଷୁଦ୍ର ପରିବାର ଓ କ୍ଷୁଦ୍ର ପଲ୍ଲୀଠାରୁ ଆରମ୍ଭ କରି ବୃହତ୍ତର ସମାଜ, ଜାତି ବା ଦେଶ, ପ୍ରତି କ୍ଷେତ୍ରରେ ସମାନ ଉପାଦେୟ ।

 

ପରିବାରରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଯଦି ପାରସ୍ପରିକ ସହଯୋଗ ଥାଏ, ସମସ୍ତେ ଯଦି ସବୁକଥାରେ ଏକମନ ଓ ଏକପ୍ରାଣ ହୋଇ ଚଳନ୍ତି, ତେବେ ସେହି ପରିବାର ସକଳ ଦିଗରୁ ସମାଜରେ ସମ୍ମାନିତ ହୁଏ । ସେ ହୁଏ ସମାଜରେ ଗୋଟିଏ ଆଦର୍ଶ ପରିବାର ଏବଂ ସକଳ ଦିଗରୁ ତାହର ବିଶେଷ ଅଭ୍ୟୁଦୟ ହୁଏ । ଏହିପରି ଅସଂଖ୍ୟ ବ୍ୟକ୍ତି ବା ଗ୍ରାମ ମିଶି ଗୋଟିଏ ଦେଶ ହୁଏ । ଏପରି ଗୋଟିଏ ଦେଶକୁ ମହାସମୁଦ୍ର ସହିତ ତୁଳନା କରାଯାଇପାରେ । ଯେଉଁ ମହାସମୁଦ୍ରଟି ଅନନ୍ତ ଓ ଅପାର, ତାହା ଅସଂଖ୍ୟ କ୍ଷୁଦ୍ର ଜଳବିନ୍ଦୂର ସମଷ୍ଟି ମାତ୍ର । ଏହି ଜଳବିନ୍ଦୁଗୁଡ଼ିକ ଏକତ୍ର ରହିବା ଯୋଗୁ ଏତେ ଶକ୍ତିଶାଳୀ । ଯଦି ସେଗୁଡ଼ିକ ଭିନ୍ନ ଭିନ୍ନ ହୁଅନ୍ତି, ତେବେ କେତେ ବାୟୁମଣ୍ତଳରେ ଲୀନ ହୋଇଯିବେ ଓ କେତେ ପାଦତଳ ଧୂଳି କଣାରେ ମିଳିତ ହୋଇଯିବେ। ଗୋଟିଏ କ୍ଷୁଦ୍ର ବା ଦୁର୍ବଳ ବସ୍ତୁ ମଧ୍ୟ ଏକତା ବଳରେ କିପରି ବିଶେଷ ଶକ୍ତିଶାଳୀ ହୁଏ, ତାହାର ଅସଂଖ୍ୟ ଉଦାହରଣ ଦେଖିବାକୁ ମିଳେ ।

 

ଯେଉଁମାନେ ଏକଥା ବୁଝନ୍ତି, ସେମାନେ ସୁଖୀ ଓ ଭାଗ୍ୟବାନ୍‍ । ସେମାନଙ୍କଦ୍ୱାରା ସମାଜ ମଧ୍ୟ ସୁଖୀ ଓ ଭାଗ୍ୟବାନ୍‍ ହୁଏ । ଯେଉଁମାନେ ଦେଶକୁ ବିପଦରେ ପକାଇ ବା ଦେଶର ଏକତା ନଷ୍ଟ କରି ନିଜ ସ୍ୱାର୍ଥ ସାଧନ କରନ୍ତି, ସେମାନେ ଦେଶର ଶତ୍ରୁ । ଜୟଚନ୍ଦ୍ରଙ୍କର ଏହିପରି ସ୍ୱାର୍ଥପର କର୍ମ ଯୋଗୁଁ ଭାରତ ପରାଧୀନ ହୋଇଥିଲା ଓ ସେ ନିଜେ ଆତ୍ମହତ୍ୟା କରିଥିଲେ ।

 

ଏକତା ଏକ ଦୁର୍ଜେୟ ଶକ୍ତି । ଏହି ଶକ୍ତି ସହଜରେ ପରାସ୍ତ ହୁଏନାହିଁ । ପୁଣି ଯେତେ ବଡ଼ ଶକ୍ତିଶାଳୀ ଦେଶ ପକ୍ଷରେ ମଧ୍ୟ ଏହାକୁ ଜୟ କରିବା ସହଜ ନୁହେ । ଏକତା ବଳରେ ଗୋଟିଏ କ୍ଷୁଦ୍ର ଦେଶ ଏକତାରହିତ ଗୋଟିଏ ବିଶାଳ ଦେଶକୁ ସହଜରେ ପରାସ୍ତ କରିପାରେ । ବିଲାତ ଭାରତ ତୁଳନାରେ ଗୋଟିଏ ଅତି କ୍ଷୁଦ୍ର ଦେଶ । କିନ୍ତୁ ଏକତା ଅଭାବରୁ ଭାରତ ଭଳି ବିଶାଳ ଦେଶ ମଧ୍ୟ ବିଲାତ ଅଧୀନରେ ରହିଥିଲା । କେବଳ ଭାରତ ନୁହେ, ଯେଉଁ ବିଲାତ ଏହି ସୁଯୋଗ ନେଇ ଦିନେ ପୃଥିବୀରେ ଏକଛତ୍ରାଧିପତି ହୋଇଥିଲା, ଅନ୍ୟ ବିଜିତ ଦେଶମାନେ ଐକ୍ୟବଦ୍ଧ ହେବା ଯୋଗୁଁ ଆଜି ପୁଣି ସେ ପୁନର୍ମୂଷିକ ହୋଇଯାଇଛି ।

 

କେବଳ ସେତିକି ନୁହେ, ଜନ୍ଦା, ପିମ୍ପୁଡ଼ି ଓ ଉଇ ପ୍ରଭୃତି କ୍ଷୁଦ୍ର କୀଟପତଙ୍ଗଠାରୁ ଆରମ୍ଭ କରି ମଇଁଷୀ ହସ୍ତୀ ଭଳି ବଡ଼ ଜୀବ ମଧ୍ୟରେ ପ୍ରତି କ୍ଷେତ୍ରରେ ଏକତାର ମହତ୍ତ୍ୱ ଦେଖିବାକୁ ମିଳେ । ନିଜ ଅବସ୍ଥା ବିପନ୍ନ ହେଲେ ଜନ୍ଦା ପିମ୍ପୁଡ଼ି ନିଜଠାରୁ ବହୁଗୁଣରେ ବଡ଼ ଜନ୍ତୁକୁ ବେଢ଼ି ମାରିପକାନ୍ତି । ଯଦି ମହିଷ ପଲରେ ମହାବଳ ପ୍ରବେଶ କରେ, ତେବେ ସେମାନେ ସଂଗଠିତ ହୋଇ ତାହାର ପ୍ରତିରୋଧ କରନ୍ତି; ଯାହା ଫଳରେ ବାଘ ନିରାଶ ହୋଇ ଫେରିଯାଏ ବା ପରାସ୍ତ ହୁଏ । କଥାରେ ଅଛି ‘‘ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ ଗୋଟା’’ ।

 

କୁଟା ଗୋଟିଏ ହେୟ ବସ୍ତୁ । ଅତି ନଗଣ୍ୟ ବସ୍ତୁର ପରିଚୟ ଦେବାକୁ ହେଲେ କୁଟାର ଉଦାହରଣ ଦିଆଯାଏ । ତଥାପି ସେପରି କେତୋଟି କୁଟାରେ ଗୋଟିଏ ଦଉଡି ବଳି, ଯଦି ଗୋଟିଏ ମତ୍ତହସ୍ତୀକୁ ବନ୍ଧାଯାଏ, ସେ ମଧ୍ୟ ଅଚଳ ହୋଇ ରହିଯାଏ । କ୍ଷୁଦ୍ରରୁ କ୍ଷୁଦ୍ରତମ ଓ ଅତି ଦୁର୍ବଳ, ଏକତା ବଳରେ ଏଡ଼େ ଶକ୍ତିଶାଳୀ ହୋଇଯାନ୍ତି । ‘‘ଯୋଡ଼ାକୁ ଘୋଡ଼ା ସରିନୁହେ’’ ବୋଲି କଥା ଅଛି । ଏଣୁ କେତୋଟି କ୍ଷୁଦ୍ର ଜନ୍ଦା ବା ପିମ୍ପୁଡ଼ି ଗୋଟିଏ ସର୍ପକୁ ମଧ୍ୟ ମାରିଦିଅନ୍ତି ।

 

ଏକତା କେତୋଟି ଅକ୍ଷର ସମଷ୍ଟିର ଗୋଟିଏ ଧ୍ୱନି ନୁହେ । ଏହା ଏକ ବିରାଟ ବ୍ୟକ୍ତିତ୍ୱର ମହତ୍ତ୍ୱ । ଯେଉଁ ସମାଜ ବା ଜାତି ଉଚ୍ଚ ଆଦର୍ଶରେ ଅନୁପ୍ରାଣିତ, ଯେଉଁମାନଙ୍କର ଚିନ୍ତା ସଂକୀର୍ଣ୍ଣ ସ୍ୱାର୍ଥର ଗଣ୍ତି ମଧ୍ୟରେ ଆବଦ୍ଧ ନୁହେ, ଯେଉଁମାନେ ନିଜ ଦେଶପ୍ରତି ନିଜ କର୍ତ୍ତବ୍ୟ ନିର୍ଣ୍ଣୟ କରିବାକୁ କ୍ଷମ, ସେମାନେ କେବଳ ଏକତାର ମହତ୍ତ୍ୱ ଉପଲବ୍‌ଧ କରିପାରିଥାନ୍ତି ।

 

ଶତ ଉତ୍‌ଥାନ ପତନ ମଧ୍ୟରେ ବ୍ରିଟିଶ ଜାତି ଏକତା ରକ୍ଷା କରିଥିବାରୁ ପୃଥିବୀପୃଷ୍ଠରେ ଆଜି ମଧ୍ୟ ତାହାର ଅସ୍ତିତ୍ୱ ରହିଛି । ଗତ ଚୀନ ଆକ୍ରମଣ ଓ ପାକିସ୍ଥାନ ଯୁଦ୍ଧ ସମୟରେ ଭାରତରେ ଯେଉଁ ଅଖଣ୍ତ ଏକତା ଦେଖା ଦେଇଥିଲା, ତାହା ଭାରତର ଏକ ଗୌରବମୟ ଆଧ୍ୟାୟ । ଏଣୁ ପ୍ରତି ସମୟରେ ଓ ପ୍ରତି ସ୍ଥଳରେ ଏକତା ରକ୍ଷାକରି ଚଳିବା ସମସ୍ତଙ୍କର କର୍ତ୍ତବ୍ୟ । ଏକତା ହିଁ ପ୍ରକୃତ ବଳ-। ଏକତାଦ୍ୱାରା କେବଳ ଜାତି ଓ ଦେଶ ସୁରକ୍ଷିତ ହୁଏ ।

Image

 

ସମୟାନୁବର୍ତ୍ତିତା

 

ସମୟ ଅନୁଯାୟୀ କାର୍ଯ୍ୟ ସମ୍ପାଦନ କରିବାକୁ ସମୟାନୁବର୍ତ୍ତିତା କୁହାଯାଏ । ସମୟାନୁବର୍ତ୍ତିତା ମନୁଷ୍ୟର ଏକ ସାଧୁ ଆଚରଣ ଏବଂ ଉଚ୍ଚ ଆଦର୍ଶ ବା ସୁସ୍ଥ ସାମାଜିକ ଜୀବନଗଠନର ପ୍ରଥମ ସୋପାନ । ପାଶ୍ଚାତ୍ୟ ଜାତି ଏହାର ମୂଲ୍ୟ ଜାଣନ୍ତି ଏବଂ ଏହା ଜୀବନର ପ୍ରଥମ କର୍ତ୍ତବ୍ୟ ମନେକରି ନିଷ୍ଠାର ସହିତ ପାଳନ କରନ୍ତି । ଏଣୁ ସେମାନେ ଆଜି ଶିକ୍ଷା ସଭ୍ୟତାରେ ବିଶ୍ୱବିଜୟୀ ହୋଇ ପାରିଛନ୍ତି । ଏ କ୍ଷେତ୍ରରେ ଭାରତୀୟମାନଙ୍କର ନୀତି ଓ ଆଚରଣ ଦୁର୍ବଳ ପରି ମନେ ହୁଏ । ଏଣୁ ‘‘Indian Punctuality’’ ବୋଲି ଗୋଟିଏ ପ୍ରବାଦ ରହିଛି । ଏହାର ଅର୍ଥ ଭାରତୀୟମାନଙ୍କର ସମୟ ପ୍ରତି ଶିଥିଳ ମତି ଦେଖାଯାଏ ।

 

ସମୟ ଅତି ବଳବାନ୍ ଓ ଜୀବନ ସହିତ ଏହା ଓତଃପ୍ରୋତ ଭାବରେ ଜଡ଼ିତ । ମନୁଷ୍ୟର ପ୍ରତି କାର୍ଯ୍ୟକଳାପରେ ସମୟର ପ୍ରଭାବ ଅତ୍ୟଧିକ । ଯେ ସମୟର ଯେତେ ସଦ୍‌ବ୍ୟବହାର କରେ, ସେ ଉନ୍ନତିର ସେତେ ନିକଟବର୍ତ୍ତୀ ହୁଏ । ଯେ ସମୟର ବଳ ଜାଣେ, ସେ କେବଳ ନିଜକୁ ବଳବାନ୍‌କରି ଗଠନ କରିପାରେ । ସମୟର ହିସାବ ନ ରଖି ଯେଉଁ ସ୍ଥଳରେ ଯେତକି ଶ୍ରମ କରିବା କଥା, ତାହା ଅପେକ୍ଷା ବହୁଗୁଣରେ ଅଧିକ ଶ୍ରମ କଲେ ମଧ୍ୟ ସବୁ ନିରର୍ଥକ-। ବରଂ ତାହାଦ୍ୱାରା ନିଜର ଅମଙ୍ଗଳ ହୋଇପାରେ ।

 

ଦିନେ ଗୋଟିଏ ଶଶକ ଓ ଗୋଟିଏ କଚ୍ଛପ ପ୍ରତିଦ୍ୱନ୍ଦିତା କରି ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନକୁ ଯାତ୍ରା ଆରମ୍ଭ କଲେ । ଶଶକଟି ଭାବିଲା, ସେ କଚ୍ଛପଠାରୁ ବହୁଗୁଣ ଦ୍ରୁତ ବେଗରେ ଯାଇପାରେ । ଏଣୁ କଚ୍ଛପଟିକୁ ଆଗରେ ଛାଡ଼ି ଗୋଟିଏ ବୃକ୍ଷମୁଳରେ ଶୋଇପଡ଼ିଲା । ପରେ ଯାଇ ଦେଖେ ତ କଚ୍ଛପଟି ବହୁ ପୂର୍ବରୁ ଲକ୍ଷ୍ୟ ସ୍ଥଳରେ ଉପନୀତ ହୋଇ ସାରିଛି ।

 

ରେଳ ମୋଟର ପ୍ରଭୃତି ଯାନବାହାନ, ବିଭିନ୍ନ କାର୍ଯ୍ୟଳୟ, ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସଭାସମିତି ପ୍ରଭୃତି ପ୍ରତ୍ୟେକ କ୍ଷେତ୍ରରେ ଯେ ସମୟକୁ ଆଖିଆଗରେ ରଖି କାର୍ଯ୍ୟ କରେ, ସେ କେବଳ ନିଜ ଲକ୍ଷ୍ୟରେ ସିଦ୍ଧିଲାଭ କରେ । ଯଦି କୌଣସି ରେଳ ବା ମଟରରେ ଯିବାକୁ ହୁଏ, ତେବେ ଯଥାସମୟରେ ଷ୍ଟେସନରେ ଉପସ୍ଥିତ ହେବାକୁ ପଡ଼େ । ସେହି ମୁହୁର୍ତ୍ତଟି ଯେ ହରାଇଦିଏ, ସେଥିପାଇଁ ତାହାକୁ ପୁଣି ଚବିଶ ଘଣ୍ଟା । ଅପେକ୍ଷା କରିବାକୁ ହୁଏ ଏବଂ ଅଭାବ ଅସୁବିଧା ଓ ଅଶାନ୍ତି ମଧ୍ୟ ଭୋଗ କରିବାକୁ ପଡ଼େ । ଅନ୍ୟ ପକ୍ଷରେ ବିଭିନ୍ନ ଯାନବାହାନ ଯଦି ସମୟାନୁବର୍ତ୍ତୀ ନ ହୁଅନ୍ତି, ତେବେ ସେଗୁଡ଼ିକ ପ୍ରତି ମଧ୍ୟ ଲୋକଙ୍କର ଆସ୍ଥା ଓ ବିଶ୍ୱାସ ରହେନାହିଁ । ଫଳରେ ସେଗୁଡ଼ିକ କ୍ଷତିଗ୍ରସ୍ତ ହୁଅନ୍ତି, ତାହା ସଙ୍ଗେ ଲୋକମାନେ ମଧ୍ୟ ଭୟଙ୍କର ଅସୁବିଧାର ସମ୍ମୁଖୀନ ହୁଅନ୍ତି । ସମୟାନୁବର୍ତ୍ତୀ ନ ହେଲେ ପ୍ରତି କ୍ଷେତ୍ରରେ ଏପରି ଅସୁବିଧା ଘଟେ ।

 

ପ୍ରତ୍ୟେକ କାର୍ଯ୍ୟଳୟ ବା ଅନୁଷ୍ଠାନରେ ଗୋଟିଏ ସମୟ ନିର୍ଦ୍ଧାରିତ ହୋଇଥାଏ ଓ କେତେକ ନିୟମ ମଧ୍ୟ ଥାଏ । ଯେଉଁ କର୍ମଚାରୀମାନେ ସମୟାନୁବର୍ତ୍ତୀ ନୁହନ୍ତି ଓ ଏହି ନିୟମ ଲଘନ କରନ୍ତି, ସେମାନେ ଉପର ହାକିମଙ୍କର ଅବିଶ୍ୱାସଭାଜନ ହୁଅନ୍ତି ଏବଂ ଏପରି ବେନିୟମ କାର୍ଯ୍ୟକଳାପ ଯୋଗୁଁ ସେମାନଙ୍କର କର୍ତ୍ତବ୍ୟରେ ମଧ୍ୟ ତ୍ରୃଟି ପରିଲକ୍ଷିତ ହୁଏ । ଫଳରେ ସେମାନେ ଅସାଧୁ ଓ ଅସଂଯତରୂପେ ପରିଚିତ ହୁଅନ୍ତି ଏବଂ ସେମାନଙ୍କର ଏହି ଆଚରଣ ବୃଦ୍ଧିପାଇଲେ ଦଣ୍ତିତ ମଧ୍ୟ ହୁଅନ୍ତି । କିନ୍ତୁ ଯେଉଁମାନେ ସମୟାନୁବର୍ତ୍ତୀ, ସେମାନଙ୍କୁ ନିରାଶ ବା ଅପଦସ୍ଥ ହେବାକୁ ପଡ଼େ ନାହିଁ । ସଭା ସମିତିମାନଙ୍କରେ ଆଗନ୍ତୁକମାନେ ଯଦି ଯଥା ସମୟରେ ଉପସ୍ଥିତ ନହୁଅନ୍ତି, ସଭାକାର୍ଯ୍ୟ ପଣ୍ତ ହୋଇଯାଏ ଏବଂ ସେମାନେ ସମ୍ମାନିତ ହେବା ପରିବର୍ତ୍ତେ ତିରସ୍କୃତ ହୁଅନ୍ତି ।

 

ବିଦ୍ୟାର୍ଥୀ ପକ୍ଷରେ ସମାୟାନୁବର୍ତ୍ତୀତା ସର୍ବାପେକ୍ଷା ଅତି ଆବଶ୍ୟକ । ଯେଉଁ ଛାତ୍ର ସମୟାନୁବର୍ତ୍ତୀ, ସେ କେବଳ ଜୀବନରେ ଉନ୍ନତି କରିପାରେ । ସେ ଜାଣେ ଖାଇବା, ବସିବାଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ସମୟ ଅତି ମୂଲ୍ୟବାନ । ଗୋଟିଏ ସ୍ଥଳରେ ଯଦି ସେ ନିୟମ ଲଘଂନ କରେ, ସେଦିନର ତାହାର ସବୁ କାର୍ଯ୍ୟ ବେନିୟମ ହୋଇଯାଏ । ପୁଣି ଏ ହେଲା ତାହାର ଶିକ୍ଷା କରିବା ସମୟ । ଏତିକିବେଳେ ସେ ଏକଥା ଯଦି ଶିକ୍ଷା ନ କରେ, ତେବେ ସାରା ଜୀବନ ଏହାର କୁଫଳ ଭୋଗକରେ । ଏଣୁ ଯେଉଁ ଛାତ୍ର ଉତ୍ତମ ନାଗରିକ ହେବାକୁ ଇଚ୍ଛାକରେ, ସେ ଛାତ୍ର ଜୀବନର ଆରମ୍ଭରୁ ହିଁ ସମୟାନୁବର୍ତ୍ତୀ ହେବା ଆବଶ୍ୟକ ।

 

ମୋଟ ଉପରେ ଯେ ସମୟାନୁବର୍ତ୍ତୀ ନୁହେ, ତାହାର ସବୁ ଶ୍ରମ ଓ ସବୁ ଉଦ୍ୟମ ପଣ୍ତ ହୋଇଥାଏ, ସେ ସବୁ କ୍ଷେତ୍ରରେ ନିରାଶ ଓ ବିଫଳ ହୁଏ । ଏପରି କେତେ ଲୋକ ଥାନ୍ତି, ଯେଉଁ ମାନେ ସମୟାନୁବର୍ତ୍ତୀ ନ ହୋଇ ଖାଇବା ସମୟରେ ଶୋଇବା, ଶୋଇବା ସମୟରେ ଖେଳିବା ଓ ଖେଳିବା ସମୟରେ ପଢ଼ିବା କାମ କରି ଶେଷରେ ନିଜ ଭାଗ୍ୟକୁ ଦୋଷ ଦିଅନ୍ତି । ପ୍ରକୃତରେ ଏହା ଭାଗ୍ୟ ଦୋଷ ନୁହେ, ନିଜର ଦୋଷ । ଯେଉଁମାନେ ସମୟାନୁବର୍ତ୍ତୀ, ସେମାନଙ୍କ ଜୀବନରେ ବିଫଳତା କ୍ୱଚିତ୍‌ ଦେଖାଯାଏ। ଭଗବାନ୍‌ ସମୟର ସୃଷ୍ଟି କରିବା ସଙ୍ଗେ ସଙ୍ଗେ ମନୁଷ୍ୟକୁ କର୍ତ୍ତବ୍ୟଜ୍ଞାନ ମଧ୍ୟ ଦାନ କରନ୍ତି । ଯେ ଏକଥା ଜଣେ, ସେ କେବଳ ଭାଗ୍ୟବାନ୍‌ । ଯେ ଏଥିରେ ଅବହେଳା କରେ, ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥ ଓ ସମ୍ମାନ ସକଳ ଦିଗରୁ ତାହାର ଅପୂରଣୀୟ କ୍ଷତି ହୁଏ ।

 

ଏପରି ସାଧୁ ଆଚରଣଗୁଡ଼ିକ ଆପେ ଆପେ ଆସିଯାଏ ନାହିଁ । ବାଲ୍ୟଜୀବନରେ ପରିବାରରେ, ଛାତ୍ର ଜୀବନରେ ଶିକ୍ଷାକ୍ଷେତ୍ରରେ ଓ କର୍ମମୟ ଜୀବନରେ କର୍ମକ୍ଷେତ୍ରରେ ମନୁଷ୍ୟକୁ ଏହା ଶିକ୍ଷା କରିବାକୁ ହୁଏ । ଯେଉଁମାନେ ଏହାର ମୂଲ୍ୟ ଜାଣନ୍ତି, ସେମାନେ କେବଳ ସମାଜରେ ସାର୍ଥକ ଜୀବନ ଯାପନ କରନ୍ତି । ଏଣୁ ସମୟାନୁବର୍ତ୍ତୀ ହୋଇ ଚଳିବା ସମସ୍ତଙ୍କର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ୍‌ ।

Image

 

ଶରତ୍‌କାଳୀନ ସନ୍ଧ୍ୟା

 

ଭାରତରେ ବର୍ଷରେ ଛ’ଟି ୠତୁ ଅନୁଭୂତ ହୁଏ । ସେ ମଧ୍ୟରୁ ଭାଦ୍ରବ ଓ ଆଶ୍ୱିନ ଏହି ଦୁଇମାସ ଶରତ ୠତୁ । ବିଭିନ୍ନ ୠତୁରେ ପ୍ରକୃତି ବିଭିନ୍ନ ରୂପ ଧାରଣ କରେ । ଏହି ଅବସ୍ଥାକୁ ନେଇ ବର୍ଷା ୠତୁକୁ ଦୁର୍ଦ୍ଦିନ ଓ ବସନ୍ତ ୠତୁକୁ ୠତୁରାଜ ଆଖ୍ୟା ଦିଆଯାଇଛି । କିନ୍ତୁ ଶରତ୍‌ୠତୁର ପ୍ରାକୃତିକ ଶୋଭାସଂପଦ ଦେଖିଲେ ଏହା ପ୍ରକୃତିର ଶୋଭାବିପଣୀ ଆଖ୍ୟା ପାଇବା ଉଚିତ ମନେହୁଏ । ମନୁଷ୍ୟର ବିଭିନ୍ନ ଅବସ୍ଥାକୁ ଲକ୍ଷ୍ୟକରି ଜଣେ କବି କହିଛନ୍ତି ‘‘ଚକ୍ରବତ୍ ପରିବର୍ତ୍ତନ୍ତେ ସୁଖାନି ଚ ଦୁଃଖାନି ଚ ।’’ ମନୁଷ୍ୟ ଜୀବନରେ ଯେପରି ସୁଖଦୁଃଖର ପରିବର୍ତ୍ତନ ଘଟିଥାଏ; ୠତୁ ପରିବର୍ତ୍ତନରେ ମଧ୍ୟ ସେହିପରି ଅବସ୍ଥା ଦେଖାଯାଏ ।

 

ବର୍ଷାୠତୁ ପରେ ଶରତ୍‌ୠତୁର ଆବିର୍ଭାବ ଘଟେ । ଧାରା ଶ୍ରାବଣରେ ଅବିରାମ ବର୍ଷାଯୋଗୁଁ ଏହି ସମୟକୁ ନିଦାଘର ସଂତାପ ଉଭେଇ ଯାଇଥାଏ ଏବଂ ଦୁର୍ଦ୍ଦିନର ବିଭୀଷିକା ମଧ୍ୟ ମଉଳିଯାଏ । ଏଣୁ ଶରତ୍‌ୠତୁର ବାୟୁମଣ୍ତଳ ମୃଦୁ ଓ ଆମୋଦଦାୟକ । ସତେ ଯେପରି ସେ ନିଦାଘର ବିଭୀଷିକା ଓ ଶୈତ୍ୟର ପ୍ରକୋପରୁ ନିଜକୁ ଦୂରରେ ରଖି ଦେଶସେବାପାଇଁ ଗ୍ରହଣ କରିଛି ସାମ୍ୟନୀତି । ଏହି ସମୟରେ ଫଳପୁଷ୍ପ ପରିଶୋଭିତ ବୃକ୍ଷଲତା, ଦର୍ପଣ ସଦୃଶ ସ୍ୱଚ୍ଛନୀରା ଜଳାଶୟ ଓ ତାହାର ପ୍ରତିବିମ୍ୱ ତୁଲ୍ୟ ନିର୍ମଳ ଆକାଶର ଦୃଶ୍ୟ ଅତ୍ୟନ୍ତ ଉପଭୋଗ୍ୟ ।

 

ସର୍ବୋପରି ଏହି ୠତୁରେ ସନ୍ଧ୍ୟା ବିଶେଷ ରମଣୀୟ ଓ ଆଦରଣୀୟ । ସମୟର ବାୟୁମଣ୍ତଳ ସମଭାବାପନ୍ନ ହେତୁ ବହୁତ ଲୋକ ସାନ୍ଧ୍ୟା ଭ୍ରମଣପାଇଁ ଆଗ୍ରହୀ ହୁଅନ୍ତି । ଏହି ସନ୍ଧ୍ୟା କବିର କଳ୍ପନାକୁ ରୂପ ଦେବାପାଇଁ ସମର୍ଥ । ଏହି ୠତୁରେ ଧରା ଓ ଆକାଶ ମଧ୍ୟରେ ଗୋଟିଏ ସୌନ୍ଦର୍ଯ୍ୟର ପ୍ରତିଯୋଗିତା ଚାଲିଥିଲା ପରି ମନେହୁଏ । ଶାରଦୀୟ ସନ୍ଧ୍ୟାରେ ନିର୍ମଳ ଆକାଶର ଶୋଭାକୁ ଲକ୍ଷ୍ୟକରି କବି କାଳିଦାସ କହିଛନ୍ତି ‘‘ ତାରାଗଣ ପ୍ରବର ଭୂଷଣ ମୃଦ୍‌ବହନ୍ତି, ମେଘାବରୋଧ ପରିମୁକ୍ତ ଶଶାଙ୍କ ବକ୍ତା, ଜ୍ୟୋତ୍ସ୍ମା ଦୁକୁଳମମଳଂ ରଜନୀ ଦଧାନା,ବୃଦ୍ଧି ପ୍ରୟାତ୍ୟନୁଦିନଂ ପ୍ରମଦେବ ବାଳା ।’’ ନାନା ଅଳାଙ୍କର ବିଭୂଷିତା ବାଳା ପରି ବେଳୁବେଳ ଆକାଶର ସୌନ୍ଦର୍ଯ୍ୟ ବୃଦ୍ଧିପାଏ ।

 

ଏହି ସମୟରେ ଧରଣୀ ରାଣୀର ଶୋଭା ମଧ୍ୟ ଶାରଦୀୟ ଆକାଶରେ ଶୋଭାକୁ ବଳିପଡ଼େ । ବିଶ୍ୱସ୍ରଷ୍ଟାଙ୍କ ସୃଷ୍ଟିରେ ଯେତେ ବର୍ଣ୍ଣ ଅଛି, ସେ ସବୁ ବର୍ଣ୍ଣର ଫୁଲ ଏହି ୠତୁରେ ଫୁଟେ । କେବଳ ସେତିକି ନୁହେ, ସେ ମଧ୍ୟରୁ ଅଧିକାଂଶ ଫୁଲ ସନ୍ଧ୍ୟାସମୟରେ ଫୁଟେ । ଶରତ ୠତୁଟି ୠତୁରାଜାଧିରାଜ ଆଖ୍ୟା ପାଇବାପାଇଁ ଏକମାତ୍ର ଜହ୍ନିଫୁଲର ଶୋଭା ଯଥେଷ୍ଟ ପରି ମନେହୁଏ । ଏହି ଫୁଲକୁ ସ୍ୱତନ୍ତ୍ର ସମ୍ମାନ ଦେବାପାଇଁ ବୋଧହୁଏ ଏହାର ଗୋଟିଏ ସ୍ୱତନ୍ତ୍ର ଓଷା ରହିଛି । ବାଳିକାମାନେ ଏହି ୠତୁର ସନ୍ଧ୍ୟାରେ ‘‘ଜହ୍ନି ଜହ୍ନିଲୋ ଜହ୍ନି ଆଞ୍ଜୁଳି, ନିତିର ପୂଜା ତିନି ଆଞ୍ଜୁଳି’’ ଗୀତ ଗାଇ ଶୁଦ୍ଧପୂତ ହୋଇ ଓଷା ପାଳନ କରନ୍ତି । ଏହାର ନାମ ଜହ୍ନି ଓଷା ହେଲେ ମଧ୍ୟ ବିଭିନ୍ନ ବର୍ଣ୍ଣର ଅନେକ ଫୁଲ ଏକାଠି କରି ଏହା ପୂଜା କରାଯାଏ । ମୋଟ ଉପରେ ବିଭିନ୍ନ ପ୍ରକାର ଫୁଲର ବିଶ୍ୱବିମୋହିନୀ ଶୋଭାକୁ ସମ୍ମାନ ଦେବାପାଇଁ ଏପରି ଏକ ବ୍ରତର ବ୍ୟବସ୍ଥା କରାଯାଇଛି । ଏହି ସମୟରେ ଜହ୍ନି, ଗଙ୍ଗଶିଉଳି, କାଶତଣ୍ତି, ମାଳତୀ ଓ କଇଁ ପ୍ରଭୃତି ଫୁଲରେ ଧରଣୀ ଅତି ଶୋଭାପାଏ ।

 

ଏହି ରୁତୁରେ କ୍ଷେତଗୁଡ଼ିକ ବିଭିନ୍ନ ଶସ୍ୟରେ ପରିପୂର୍ଣ୍ଣ ହୋଇ ଲକ୍ଷ୍ମୀଙ୍କ ନିବାସ ପରି ଦେଖାଯାଏ । ତାହା ସନ୍ଧ୍ୟା ସମୟରେ ଧୀର ବାୟୁର ସଂସ୍ପର୍ଶରେ ଆସି ଅଧିକ ସୁନ୍ଦର, ସରସ ଓ ସତେଜ ଦେଖାଯାଏ । ଏହି ସମୟରେ ବେଳେବେଳେ ଏହା ଉପରେ ଯେଉଁ ତରଙ୍ଗ ଖେଳିଯାଏ, ତାହା ନର୍ତ୍ତକୀର ମୃଦୁଲାସ୍ୟ ସହିତ ତୁଳନୀୟ । ଏ ଭିତରେ ଯେଉଁ ଅବ୍ୟକ୍ତ ଆନନ୍ଦ, ତୃପ୍ତି ଓ ପ୍ରେରଣା ରହିଛି, ତାହା ଭାଷାରେ ବ୍ୟକ୍ତ ହେବା ସଂଭବ ନୁହେ । କେବଳ ଆଖି ଦେଖେ ଓ ମନ ଅନୁଭବ କରେ ଅନୁଭୂତି ହିଁ ଏହାର ରୂପ, ଭାବନାହିଁ ଏହାର ଚିନ୍ତା । ଅନ୍ୟ ପକ୍ଷରେ ଏହି ଦୃଶ୍ୟ ନୀରସ ଜୀବନକୁ ସରସ କରିବାପାଇଁ ଏକ ଶୁଭ ଆଶିଷ । ଏପରି ଏକ ଅବର୍ଣ୍ଣନୀୟ ଶୋଭା କେବଳ ଉଚ୍ଛୃଙ୍ଗଳ ମନକୁ ବାନ୍ଧିରଖିପାରେ ।

 

ଏହି ୠତୁରେ ପଶ୍ଚିମ ଆକାଶଟି ମାୟାମୃଗ ପରି କ୍ଷଣକ୍ଷଣକେ ନବ ନବ ରୂପ ଧାରଣ କରେ । ଏଣୁ ଦର୍ଶକ ସେଠାରେ ସବୁବେଳେ ନୁତନ ଦୃଶ୍ୟ ଦେଖି ଆନନ୍ଦିତ ହୁଏ ।

 

ଏହି ୠୁତୁର ପର୍ବପର୍ବାଣିଗୁଡ଼ିକ ଅତି ପ୍ରସିଦ୍ଧ । ଏଗୁଡ଼ିକ ପ୍ରାୟ ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୁଏ ଏବଂ ଅସଂଖ୍ୟ ଫୁଲ ଓ ଫଳର ସମାହାରରେ ଏହି ପୂଜାବିଧି ପାଳିତ ହୁଏ । ଗଣେଶ ପୂଜା, ଦୁର୍ଗାପୂଜା, କୁମାରପୂର୍ଣ୍ଣିମା ପ୍ରଭୃତି ଉତ୍ସବ ଗୁଡ଼ିକ ଅତି ଜନପ୍ରିୟ । ଏହି ସମୟରେ ଭାରତୀୟମାନେ ସବୁ ଦୁଃଖକଷ୍ଟ ଭୁଲିଯାଇ ସେହି ଉତ୍ସବରେ ନିଜକୁ ମିଶାଇ ଦିଅନ୍ତି । କୁମାର ପୂର୍ଣ୍ଣମା ଦିନ କୁମାରୀମାନେ ନାନା ପ୍ରକାର ଗୀତଗାଇ ଅତି ଆନନ୍ଦରେ ଉତ୍ସବ ପାଳନ କରନ୍ତି । କୁମାର ପୂର୍ଣ୍ଣିମା ଚନ୍ଦ୍ରର ଶୋଭା ଅବର୍ଣ୍ଣନୀୟ ।

 

ଏହିପରି ସକଳ ଦିଗରୁ ଶାରଦୀୟ ସନ୍ଧ୍ୟା ସୁଖଶାନ୍ତି, ଆନନ୍ଧ ଓ ବିଳାସର ସମୟ । ଏଣୁ ଏହି ସନ୍ଧ୍ୟା ଜୀବଜଗତଦ୍ୱାରା ବିଶେଷ ଆଦୃତ । ବୋଧହୁଏ ମନୁଷ୍ୟର ନୀରସ ଜୀବନକୁ ସରସ ଓ ଶୁଷ୍କ ଜୀବନକୁ ସତେଜ କରିବାପାଇଁ ବିଶ୍ୱସ୍ରଷ୍ଟାଙ୍କ ସୃଷ୍ଟିରେ ଏପରି ଏକ ସୁନ୍ଦର ସନ୍ଧ୍ୟାର ଆବିର୍ଭାବ ହୁଏ ।

Image

 

ବୈଷୟିକ ଶିକ୍ଷା

 

ବୈଷୟିକ ଶିକ୍ଷା ଅର୍ଥ ଧନ୍ଦାମୂଳକ ଶିକ୍ଷା । ଏହି ଶିକ୍ଷାଦ୍ୱାରା ଯେ କୌଣସି ବ୍ୟକ୍ତି ସ୍ୱାଧୀନ ଭାବରେ କିଛି କାର୍ଯ୍ୟକରି ଜୀବିକା ନିର୍ବାହ କରିବାକୁ କ୍ଷମ ହୋଇପାରେ । ଏହାଦ୍ୱାରା ମନୁଷ୍ୟ ବ୍ୟକ୍ତିଗତ ଉଦ୍ୟମରେ ଆତ୍ମରକ୍ଷା କରିପାରେ ଏବଂ ମିଳିତ ଉଦ୍ୟମରେ ଯୋଗଦେଇ ମଧ୍ୟ ଉପକୃତ ହୁଏ ।

 

ବର୍ତ୍ତମାନ ଆମ ଦେଶରେ ଯେଉଁ ଶିକ୍ଷା ପ୍ରଚଳିତ ହେଉଅଛି, ତଦ୍ଦ୍ୱାରା ଯଥାର୍ଥ ଜ୍ଞାନ ଅର୍ଜନ ହୁଏ ନାହିଁ ଏବଂ ସେଥିରେ ଅନ୍ୟ ଯୋଗ୍ୟତା ବୃଦ୍ଧି ପାଇବା ଆଶା ମଧ୍ୟ କ୍ଷୀଣ । ଏହା ଦେଶ ବା ସମାଜର ଆବଶ୍ୟକତା ପୂର୍ଣ୍ଣ କରିବାକୁ ସମ୍ପୂର୍ଣ୍ଣ ଅସମର୍ଥ । ଏହି ଶିକ୍ଷାଦ୍ୱାରା ବୃଦ୍ଧି ସଙ୍କିର୍ଣ୍ଣ ଏବଂ ଜୀବନ ଅପୂର୍ଣ୍ଣ ହେବାର ଆଶଙ୍କା ରହିଛି । ମୋଟ ଉପରେ ଏହି ଶିକ୍ଷା ଚାକିରିପାଇଁ କେବଳ ଉଦ୍ଦିଷ୍ଟ-। ଏଣୁ ବିଦ୍ୟାର୍ଥୀମାନେ ଯେ କୌଣସି ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେବା ସଙ୍ଗେ ସଙ୍ଗେ ଚାକିରୀ ପାଇବାପାଇଁ ଚାହିଁ ବସନ୍ତି । ଚାକିରୀ ନ ପାଇଲେ ସେମାନେ ହୁଅନ୍ତି ବେକାର । ଏହି ଅବସ୍ଥାରେ ଯେ ଯେତେ ବଡ଼ ଶିକ୍ଷିତ ହୁଏ, ଦେଶର ସେ ସେତେ ବଡ଼ ବୋଝ । ଏଣୁ ଭାରତର ବଡ଼ବଡ଼ ଶିକ୍ଷାବିତ୍‌ମାନେ ପ୍ରଚଳିତ ଶିକ୍ଷାକୁ ଦାସତ୍ୱ ଶିକ୍ଷା ଆଖ୍ୟା ଦିଅନ୍ତି । ସେମାନଙ୍କ ମତରେ ବୈଷୟିକ ଶିକ୍ଷା ପ୍ରଣାଳୀଦ୍ୱାରା କେବଳ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ।

 

ଏଥିରେ ସମସ୍ତେ ଏକମତ; ତଥାପି ପ୍ରଚଳିତ ଶିକ୍ଷାପ୍ରଣାଳୀର ପରିବର୍ତ୍ତନ ସହଜ ନୁହେ-। ଏଥିପାଇଁ ଆବଶ୍ୟକ ପ୍ରଚୁର ଅର୍ଥ, ସମୟ ଯୁଗୋପଯୋଗୀ ଯୋଜନା । ଏଣୁ ଏହାକୁ ସେପରି ଅପରିବର୍ତ୍ତିତ ରଖି, ସେଥିରେ ଯୋଗ କରାଯାଇଛି ବୈଷୟିକ ଶିକ୍ଷା । ଏହି ଶିକ୍ଷାଦ୍ୱାରା କେବଳ ବ୍ୟକ୍ତିତ୍ୱର ବିକାଶ, ସମାଜର ସୁରକ୍ଷା ଓ ଅର୍ଥ ନୈତିକ ଉନ୍ନତି ସମ୍ଭବ । ବେକାର ସମସ୍ୟର ସମାଧାନ ପାଇଁ ଏହି ଶିକ୍ଷା ନିତାନ୍ତ ପ୍ରୟୋଜନ । ଏହି ଶିକ୍ଷା ମନୁଷ୍ୟକୁ ସବୁ ଦିଗରୁ ସାହାଯ୍ୟ କରେ । ଏହା ମନୁଷ୍ୟର ସହଚର । କେବଳ ବୈଷୟିକ ଶିକ୍ଷାଦ୍ୱାରା ମନୁଷ୍ୟ ସ୍ୱାଧୀନ ଓ ସମ୍ମାନଜନକ ଜୀବନ ଯାପନ କରିପାରେ ବା ତାହାକୁ ଉପକର୍ମରୂପେ ଗ୍ରହଣ କରି ନିଜର ଆର୍ଥିକ ଅଭାବ ଆଂଶିକ ପୂର୍ଣ୍ଣ କରିପାରେ । ମୋଟ ଉପରେ ଏହାଦ୍ୱାରା ମନୁଷ୍ୟ ଅର୍ଥ ଦିଗରୁ ଅଳ୍ପ ବା ବହୁତ ଉପକୃତ ହୁଏ ଏବଂ ସବୁବେଳେ କର୍ମ ତତ୍‌ପର ହୋଇ ରହେ ।

 

ଯେଉଁମେନେ ବେକାର ହୋଇ ବସିରହନ୍ତି, ସେମାନଙ୍କର ମାନସିକ ଶକ୍ତି ଓ ନୈତିକ ଶକ୍ତି କ୍ରମେ ଦୁର୍ବଳ ହୋଇଯାଏ ଏବଂ ସେମାନଙ୍କ ମନରେ ନାନା ଦୁଶ୍ଚିନ୍ତା ପ୍ରବେଶ କରେ । ଏଣୁ ସେମାନଙ୍କଦ୍ୱାରା ସମାଜର ସ୍ଥିତି ଦୋହଲିଯାଏ । ଯେଉଁମୋନେ ସର୍ବଦା କର୍ମରତ ସେମାନଙ୍କ ମନରେ ସହଜରେ କୈଣସି ଦୁଶ୍ଚିନ୍ତା ପ୍ରବେଶ କରେନାହିଁ । ଏହି ଦିଗରୁ ମଧ୍ୟ ଏହା ସମାଜର ଉପକାରୀ । ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧି କହୁଥିଲେ, ‘‘ସୂତା ଖିଅରେ ସ୍ୱାରାଜ୍ୟ ଝୁଲୁଛି ।’’ ତାହାଙ୍କର ସେହି ଉକ୍ତିରେ ଏହି ସାଧୁଚିନ୍ତା ନିହିତ ଥିଲା ।

 

ବର୍ତ୍ତମାନ ଯନ୍ତ୍ରଶିଳ୍ପର ଯେଉଁ ସ୍ରୋତ ଚାଲିଛି, ତାହା ବନ୍ଦ କରିବା କାହାର ସାଧ୍ୟ ନୁହେ, ବନ୍ଦ କରିବା କାମ୍ୟ ମଧ୍ୟ ନୁହେ । କିନ୍ତୁ ମନୁଷ୍ୟ ଅକର୍ମଣ୍ୟ ହେଲାପରି ତାହାର ପ୍ରସାର ହେବା ଉଚିତ ନୁହେ । ପ୍ରତିରକ୍ଷା, ଯାତାୟାତ, ବାଣିଜ୍ୟ ଓ ସମ୍ବାଦ ସରବରାହ ପ୍ରଭୃତି କେତେକ ଅତ୍ୟାବଶ୍ୟକୀୟ କ୍ଷେତ୍ରରେ ଯନ୍ତ୍ରଶିଳ୍ପ ବ୍ୟବହାର କରି ସମାଜର ଅନ୍ୟ ଅଭାବ ଯଦି ବୈଷୟିକ ଶିକ୍ଷଦ୍ୱାରା ପୂରଣ ହୁଅନ୍ତା, ତେବେ ସମାଜ ଅର୍ଥ ଓ ଶାନ୍ତି ଉଭୟ ଦିଗରୁ ଉପକୃତ ହୁଅନ୍ତା ।

 

ବର୍ତ୍ତମାନ ବୈଷୟିକ ଶିକ୍ଷାର ପ୍ରସାରପାଇଁ ବିଦ୍ୟାଳୟମାନଙ୍କରେ କେତେ କ୍ରାଫ୍‌ଟ ଶିକ୍ଷକ ନିଯୁକ୍ତି କରି ସେମାନଙ୍କଦ୍ୱାରା ପିଲାମାନଙ୍କୁ କାଠକାମ, ଢଳେଇ, ବନ୍ଧେଇ, ସୁତାକାଟା, ଲୁଗାବୁଣା ଓ ସିଲେଇ ପ୍ରଭୃତି କାମ ଶିକ୍ଷା ଦିଆଯାଏ । କେତେକ ସ୍ଥଳରେ ବଗିଚା କାମ ମଧ୍ୟ ରହିଛି-। ଗୁରୁ ତାଲିମ କେନ୍ଦ୍ରଗୁଡ଼ିକରେ ମଧ୍ୟ ଏପରି ଅନେକ ବୈଷୟିକ ଶିକ୍ଷା ଦିଆଯାଏ। ଏହାର ଉଦ୍ଦେଶ୍ୟ ଅତି ସାଧୁ । କିନ୍ତୁ କର୍ଯ୍ୟକ୍ଷେତ୍ରରେ ବିଶେଷ କିଛି ଅଗ୍ରଗତି ହେଲାପରି ଦେଖାଯାଏ ନାହିଁ-। ଏହା ଉପରେ ଯଦି ବିଶେଷ ଗୁରୁତ୍ୱ ଦିଆଯାଏ ଓ କାରଣ ଅନୁସନ୍ଧାନ କରି ବିହିତ ପ୍ରତିକାର କରାଯାଏ, ତେବେ ଏହା ବିଶେଷ ଫଳପ୍ରଦ ହେବ ।

ସ୍ୱାଧୀନତା ଲାଭ ପରେ ସରକାରଙ୍କର ଲୋକଙ୍କୁ ବୈଷୟିକ ଶିକ୍ଷା ଦେବାପାଇଁ ଏପରି ଅନେକ ବ୍ୟାପକ କ୍ଷେତ୍ର ପ୍ରସ୍ତୁତ କରାଯାଇଛି । କେତେକ ଶିକ୍ଷା ଦେବାପାଇଁ ବିଭିନ୍ନ ସ୍ଥାନରେ ବହୁ ପରାମର୍ଶଦାତା ମଧ୍ୟ ନିଯୁକ୍ତି କରାଯାଇଛି ଓ ଲୋକଙ୍କୁ ଅତ୍ୟାବଶ୍ୟକ ଜିନିଷ ଯୋଗାଇବାପାଇଁ କେତେ ଅନୁଷ୍ଠାନ ମଧ୍ୟ ଖୋଲାଯାଇଛି । ଏମାନେ ମାଛଚାଷ, କୁକୁଡ଼ା ପାଳନ ଓ ମହୁମାଛି ପାଳନ ଭଳି କେତେ ବ୍ୟବସେୟରେ ଲୋକଙ୍କୁ ସାହାର୍ଯ୍ୟ କରନ୍ତି ଏବଂ ଶିଙ୍ଗ କାମ, ଚମଡ଼ା କାମ, ମାଟିପାତ୍ର ନିର୍ମାଣ, ଲୁଗାରେ ବିଭିନ୍ନ ରଙ୍ଗ ଦେବା ପ୍ରଭୃତି କ୍ଷୁଦ୍ର ଓ ସୂକ୍ଷ୍ମ କାରିଗରୀ କାମ ବିଷୟରେ ମଧ୍ୟ ଲୋକଙ୍କୁ ଶିକ୍ଷା ଦିଅନ୍ତି ।

ଏହା ବ୍ୟତିତ ଆଉ ଟିକିଏ ଉଚ୍ଚସ୍ତରରେ ଆଇ.ଟି.ଆଇ.,ଇଞ୍ଜିନିୟରିଙ୍ଗ,ବିଭିନ୍ନ ଯନ୍ତ୍ରପାତି ନିର୍ମାଣ ପ୍ରଭୃତି କେତେ ଶିକ୍ଷା ଦିଆଯାଏ । ଏହି ଶିକ୍ଷାଦ୍ୱାରା ମନୁଷ୍ୟ ବିଭିନ୍ନ ଶିଳ୍ପକ୍ଷେତ୍ରରେ ବିଶେଷ ଦକ୍ଷତା ଅର୍ଜନ କରେ । ସେ ପୁସ୍ତକକୀଟ ନ ହୋଇ କାର୍ଯ୍ୟ ମାଧ୍ୟମରେ ଯୋଗ୍ୟତା ଅର୍ଜନ କରେ । ଏଣୁ ସେ ଜାଣେ ନିଜ ଶ୍ରମଦ୍ୱାରା ମନୁଷ୍ୟ କିପରି ସ୍ୱାବଲମ୍ୱୀ ହୋଇପାରେ । ଏହି ଦିଗରେ ଲୋକଙ୍କୁ ଉପଯୁକ୍ତ ପ୍ରେରଣା, ଆବଶ୍ୟକୀୟ ସାହାଯ୍ୟ ଏବଂ ତଥ୍ୟ ଯୋଗାଇବାପାଇଁ ସରକାରଙ୍କ ପକ୍ଷରୁ ଏକ ‘‘small industries’’ ବା କ୍ଷୁଦ୍ରଶିଳ୍ପ ସଂସ୍ଥା ରହିଅଛି । ଏଥିସକାଶେ ସରକାରଙ୍କ ପକ୍ଷରୁ ଉଦ୍ୟୋକ୍ତାମାନଙ୍କୁ ସାହାର୍ଯ୍ୟ ଏବଂ ରୁଣ ମଧ୍ୟ ଦିଆଯାଏ ।

ଏହି କ୍ଷେତ୍ରରେ ବିଭିନ୍ନ ପ୍ରକାର ଶିକ୍ଷାଦେବାପାଇଁ ସରକାରଙ୍କ ପକ୍ଷରୁ ଓ ବିଭିନ୍ନ ବଡ଼ ବଡ଼ କମ୍ପାନୀ ପକ୍ଷରୁ ଅନେକ ତାଲିମ୍‌କେନ୍ଦ୍ର ମଧ୍ୟ ରଖାଯାଇଛି । ଯେଉଁମାନେ ଯେଉଁ ଶିକ୍ଷାପ୍ରତି ଆକୃଷ୍ଟ, ସେମାନେ ସେହି ତାଲିମ୍‌ ପାଇବାପାଇଁ ଅନୁଷ୍ଠାନରେ ଯୋଗଦିଅନ୍ତି । ଏପରି ଅନେକ ଶିକ୍ଷିତ କାରିଗର ବିଭିନ୍ନ କ୍ଷେତ୍ରରେ ଉତ୍ତୀର୍ଣ୍ଣ ହେଲେଣି । ତଥାପି ଯେଉଁ ଉଦ୍ଦେଶ୍ୟରେ ଏହାର ପ୍ରସାର ଚାଲିଛି, କାର୍ଯ୍ୟରେ ତାହା ସଫଳ ହେଲାପରି ଜଣାଯାଏ ନାହିଁ । ଏମାନେ ଯଦି ଚାକିରୀ ନ ପାଇ ବେକାର ହେବେ, ତେବେ ଆଉ ବୈଷୟିକ ଶିକ୍ଷାର ମୂଲ୍ୟ କ’ଣ ?

ଏ କ୍ଷେତ୍ରରେ ଅତୀତ ଭାରତର ସୁଚିନ୍ତିତ ଯୋଜନା କଥା ଚିନ୍ତାକଲେ ବିସ୍ମିତ ହେବାକୁ ପଡ଼େ । ଏହି ଉଦ୍ଦେଶ୍ୟ ନେଇ ସେଥିରେ ବର୍ଣ୍ଣ ବିଭାଗର ସୃଷ୍ଟି ହୋଇଥିଲା । ବଢ଼େଇ, ତନ୍ତୀ, ତେଲି, କମାର, ବଣିଆ ପ୍ରଭୃତି ବିଭିନ୍ନ ଶ୍ରେଣୀର ଲୋକ ବଂଶପରମ୍ପରା କ୍ରମେ ନିଜର କୌଳିକ କର୍ମରେ ଚରମ ଦକ୍ଷତା ଅର୍ଜନ କରି ନିତ୍ୟ ବ୍ୟବହାର୍ଯ୍ୟ ଶିଳ୍ପ ପ୍ରସ୍ତୁତ କରୁଥିଲେ । ଏମାନଙ୍କୁ ଗ୍ରାମ କାରିଗର କୁହାଯାଏ । ଏପରି ବିଭିନ୍ନ ଶ୍ରେଣୀରେ କେତେ ଲୋକ ନେଇ ଗୋଟିଏ ଗ୍ରାମ ଗଠିତ ହୁଏ । ସେମାନଙ୍କର ପରସ୍ପର ସହଯୋଗରେ ଗ୍ରାମଟି ସ୍ୱାବଲମ୍ୱୀ ହୋଇ ଚଳିପାରୁଥିଲା ।

ବର୍ତ୍ତମାନ ଆଧୁନିକ ଓ ପୁରାତନ ଏ ଉଭୟର ସମ୍ମିଶ୍ରଣରେ ଯଦି ବୈଷୟିକ ଶିକ୍ଷାର ଉନ୍ନତିପାଇଁ ଏକ ନୂତନ ସଂସ୍ଥା ଗଠିତ ହୁଅନ୍ତା, ତେବେ ହୁଏତ ତାହାଦ୍ୱାରା ସମାଜର ଅଧିକ କଲ୍ୟାଣ ସାଧିତ ହୁଅନ୍ତା ।

Image

 

ମୌଳିକ ଶିକ୍ଷା

 

ଯେଉଁ ଶିକ୍ଷାଦ୍ୱାରା ମନୁଷ୍ୟର ମୌଳିକ ଶକ୍ତିର ବିକାଶ ଘଟେ, ତାହା ମୌଳିକ ଶିକ୍ଷା । ବହୁ ପୂର୍ବରୁ ନେତୃସ୍ଥାନୀୟ ବ୍ୟକ୍ତି ଏହି ବିଷୟରେ ଚିନ୍ତା କରୁଥିଲେ । କିନ୍ତୁ ମହାତ୍ମା ଗାନ୍ଧି ଏହାର ପ୍ରକୃତ ପ୍ରବର୍ତ୍ତକ । ସେ ୧୯୩୭ ରେ ଓ୍ୱାର୍ଦ୍ଧାରେ ଗୋଟିଏ କମିଟି ଡାକି ସେଥିରେ ଭାରତପାଇଁ ଗୋଟଏ ନୂତନ ଶିକ୍ଷା ଯୋଜନା ଆଗତ କଲେ ଏବଂ ଆହୂତ କମିଟିଦ୍ୱାରା ଯୋଜନାଟି ଅନୁମୋଦିତ ହେଲା । ଏହାର ନାମ ହେଲା ମୌଳିକ ଶିକ୍ଷା ଏବଂ ଓ୍ୱାର୍ଦ୍ଧାଠାରେ ଏହା ଗୃହୀତ ହୋଇଥିବା ଯୋଗୁଁ ଏହାକୁ ‘‘ଓ୍ୱାର୍ଦ୍ଧାଶିକ୍ଷା ପଦ୍ଧତି’’ ମଧ୍ୟ କୁହାଯାଏ ।

 

ତାହାଙ୍କ ମତରେ ପ୍ରଚଳିତ ଶିକ୍ଷା ପ୍ରଣାଳୀ ସଂପୂର୍ଣ୍ଣ ନିଷ୍କ୍ରିୟ ଓ ନିର୍ଜୀବ । ଏଥିରେ ସେମାନ୍ୟ କେତୋଟି ପୁସ୍ତକଗତ ବିଷୟ ଜାଣିବା ଛଡ଼ା ଅନ୍ୟ ଶକ୍ତିର ବିକାଶ ଘଟେ ନାହିଁ । ନିଜ ଦେଶ ବା ଅନୁଷ୍ଠାନ ପ୍ରତି ଆନୁଗତ୍ୟ,ପାରିବାରିକ ଶୃଙ୍ଖଳାରକ୍ଷା, ଦେଶାତ୍ମାବୋଧ ଏବଂ ଭଗବାନଙ୍କଠାରେ ଆତ୍ମସମର୍ପଣ କଲାଭଳି କୌଣସି ବ୍ୟବସ୍ଥା ବା ନିର୍ଦ୍ଦେଶ ଏଥିରେ ନାହିଁ । ଏଣୁ ଏହି ଶିକ୍ଷାଦ୍ୱାରା ପିଲାର କର୍ମନୈପୂଣ୍ୟ ବା ବ୍ୟକ୍ତିତ୍ୱର ବିକାଶ ଘଟେନାହିଁ ବରଂ ସେ ଶିକ୍ଷା ସମାପ୍ତି ପରେ ସ୍ୱାବଲମ୍ୱୀ ହେବା ପରିବର୍ତ୍ତେ ଚାକିରି ଖୋଜି ବୁଲେ,ଚାକିରୀ ନ ପାଇଲେ ବେକାର ହୋଇ ସମାଜବିରୋଧୀ କାମ କରିବାକୁ ମଧ୍ୟ କୁଣ୍ଠାବୋଧ କରେନାହିଁ । ଅନ୍ୟ ପକ୍ଷରେ ଏହାଦ୍ୱାରା ତାହାର ଆଳସ୍ୟ ଓ କର୍ତ୍ତବ୍ୟବିରୋଧୀ ମନୋଭାବ ବୃଦ୍ଧିପାଏ । ଏହି ଶିକ୍ଷାପ୍ରଣାଳୀ ଏତେ ଦୁର୍ବଳ ଯେ,ଛାତ୍ର ଅନ୍ୟ କୌଣସି ଦିଗପ୍ରତି ଦୃଷ୍ଟି ନ ଦେଇ କେବଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାମାତ୍ରେ ନିଜର ଉଦ୍ଦେଶ୍ୟ ଚରିତାର୍ଥ ହେଲା ବୋଲି ମନେ କରେ । ଏଣୁ ଏହି ଶିକ୍ଷା ପ୍ରଣାଳୀ ଯେ କୌଣସି ଦିଗରୁ ପିଲାର ମିତ୍ର ବା ଦେଶର ବନ୍ଧୁ ନୁହେ । ପ୍ରଚଳିତ ଶିକ୍ଷା ପ୍ରଣାଳୀରେ ଏ ସମସ୍ତ ଦୋଷତ୍ରୃଟି ଦେଖି ମହାତ୍ମା ଗାନ୍ଧି ଏକ ଶିକ୍ଷା ପଦ୍ଧତି ପ୍ରସ୍ତୁତ କରିଥିଲେ ।

 

ଏହି ନୂତନ ପଦ୍ଧତି ‘‘Head, Heart, Hand’’ ଏହିପରି ତିନୋଟି ‘‘H’’ ରେ ପରିବ୍ୟାପ୍ତ । ବାସ୍ତବିକ ଏହି ତିନୋଟି ଅଙ୍ଗର ଯଥାର୍ଥ ଉନ୍ନତି ଏବଂ ସମନ୍ୱୟ ଫଳରେ ଶିକ୍ଷା ପୂର୍ଣ୍ଣାଙ୍ଗପ୍ରାନ୍ତ ହୁଏ । ଯାହା ମାନସିକ ଶକ୍ତିର ବିକାଶ ସଙ୍ଗେ ସଙ୍ଗେ ବିଦ୍ୟାର୍ଥୀକୁ କର୍ମକ୍ଷେତ୍ରରେ ଯଥାର୍ଥ ପ୍ରେରଣା ଦେବାକୁ ଅସମର୍ଥ, ଯାହାପ୍ରତି ବିଦ୍ୟାର୍ଥୀର ଆନ୍ତରିକ ଶ୍ରଦ୍ଧା ବା ବିଶ୍ୱାସ ନ ଥାଏ, ଯାହାର ଭବିଷ୍ୟତ ଅନିଶ୍ଚିତ, ତାହା ଶିକ୍ଷାପଦବାଚ ନୁହେ ।

 

ଶିକ୍ଷାକ୍ଷେତ୍ରରେ ଏ ସମସ୍ତ ଅଭାବ ଅସୁବିଧା କଥା ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚିତ ହୋଇ ମୌଳିକ ଶିକ୍ଷାର ପ୍ରବର୍ତ୍ତନ କରାଯାଇଛି । ଏଥିରେ ଶିକ୍ଷା ସମାପ୍ତି ପରେ ଚାକିରୀ ନ ଖୋଜି ମନୁଷ୍ୟ ସ୍ୱାବଲମ୍ୱୀ ହୋଇପାରିବା ଭଳି ବ୍ୟବସ୍ଥା ରହିଛି । ଏହି ଶିକ୍ଷାଦ୍ୱାରା ମନୁଷ୍ୟ ପ୍ରକୃତ ନାଗରିକ ଓ ଦେଶାତ୍ମାବୋଧୀ ହେବା ସୁନିଶ୍ଚିତ ଏବଂ ଏଥିରେ ଇଶ୍ୱରବିଶ୍ୱାସୀ ଓ କର୍ମନିପୁଣ ହେବାପାଇଁ ଯଥେଷ୍ଟ ପ୍ରେରଣା ରହିଛି ।

 

ଏହି ନୂତନ ପ୍ରଣାଳୀରେ ଜ୍ଞାନ ସହିତ କର୍ମକୁ ମଧ୍ୟ ସମାନ ସ୍ଥାନ ଦିଆଯାଇଛି । ଚଞ୍ଚଳମତି ଶିଶୁକୁ କେବଳ ପୁସ୍ତକଗତ ଶିକ୍ଷା ଦେବାଦ୍ୱାରା ତାହାର ପ୍ରଗତିଶୀଳ ମାନସିକ ଶକ୍ତି ଦୁର୍ବଳ ହୋଇଯାଏ । ଏଣୁ ତାହାକୁ ସବୁ ଅବସ୍ଥାରେ ସକ୍ରିୟ ରଖିବାପାଇଁ ଏଥିରେ ସୁତାକଟା, ସିଲେଇ, କାଠକାମ, ପ୍ରଭୃତି କେତେ ପ୍ରକାର ହସ୍ତଶିଳ୍ପର ବ୍ୟବସ୍ଥା ରହିଛି । ଖେଳ କୌତୁକ ମାଧ୍ୟମରେ ଦିଆଯିବା ଶିକ୍ଷା ଶିଶୁର ଅଧିକ ଗ୍ରହଣୀୟ ହେବା ନିଶ୍ଚିତ । ଅବଶ୍ୟ ପିଲାଙ୍କୁ କେତୋଟି ମାତ୍ର ଖେଳଣା ଦେବାଦ୍ୱାରା ଅଯଥା ଅଧିକ ଅର୍ଥ ବ୍ୟୟ ହେବ । ଏଣୁ ସବୁ ଦିଗକୁ ଦୃଷ୍ଟି ରଖି ଏଥିରେ, ଏପରି ବ୍ୟବସ୍ଥା ରଖାଯାଇଛି ଯେ, ଯଦ୍ଦ୍ୱାରା ଶିଶୁ ସକ୍ରିୟ ରହିବ; ଅଥଚ ଅଳ୍ପ ବା ବହୁତ ଅର୍ଥ ଦିଗରୁ ମଧ୍ୟ ବେଶ୍‌ ଉପକୃତ ହେବ । କେବଳ ସେତିକି ନୁହେ, ଶିକ୍ଷା ଶେଷ କରି ବିଦ୍ୟାର୍ଥୀ ସମାଜରେ ଯେପରି ସରଳ, ସମ୍ମାନଜନକ ଓ ସ୍ୱାଧୀନ ଜୀବନ ଯାପନ କରିବାକୁ ଆଗ୍ରହୀ ଓ ସମର୍ଥ ହୋଇପାରିବ, ସେଥିପ୍ରତି ମଧ୍ୟ ତୀକ୍ଷ୍‌ଣ ଦୃଷ୍ଟି ଦିଆଯାଇଛି ।

 

ଭାରତୀୟମାନେ ସବୁ କ୍ଷେତ୍ରରେ କର୍ମକୁ ପ୍ରଥମ ସ୍ଥାନ ଦିଅନ୍ତି । ଗୀତାରେ ମଧ୍ୟ କର୍ମଯୋଗ ପ୍ରଧାନ । କେବଳ ସେତିକି ନୁହେ, କର୍ମଯୋଗ ବଳରେ ମନୁଷ୍ୟ ଭଗବାନଙ୍କ ସାନ୍ନିଧ୍ୟ ଲାଭ କରିପାରେ ବୋଲି ଗୀତା ନିର୍ଦ୍ଧେଶ ଦିଏ । ଏ ସବୁ ଦୃଷ୍ଟିରୁ ବିଦ୍ୟାଳୟରେ ଜ୍ଞାନପରି କର୍ମକୁ ମଧ୍ୟ ପ୍ରଥମ ସ୍ଥାନ ଦିଆଯାଇଛି । କେବଳ କେତୋଟି କାରିଗର ସୃଷ୍ଟି କରିବା ଏହି କର୍ମର ଲକ୍ଷ୍ୟ ନୁହେ । ସେହି ଯୋଜନାରେ ଏପରି ବ୍ୟବସ୍ଥା ରହିଛି, ଯଦ୍ଦ୍ୱାରା ବିଦ୍ୟାର୍ଥୀ ଜ୍ଞାନାର୍ଜନ କରିବା ସଙ୍ଗେ ସଙ୍ଗେ ଶିକ୍ଷା ସମାପ୍ତି ପରେ ସମାଜ କଲ୍ୟାଣରେ ବ୍ରତୀ ହେବ ଏବଂ ଜଣେ ସ୍ୱାଧୀନ ଚେତା ଓ ସୁନାଗରିକ ହୋଇ ପବିତ୍ର ଜୀବନ ଯାପନ କରିବାକୁ ସମର୍ଥ ହେବ ।

 

ଏହି ଶିକ୍ଷାଦ୍ୱାରା ଧର୍ମ, ନ୍ୟାୟ ଓ ଅହିଂସା ପ୍ରଭୃତି ସଦ୍‌ଗୁଣଗୁଡ଼ିକର ଅଭିବୃଦ୍ଧି ଘଟେ । ଏଣୁ ସହଜରେ ମନୁଷ୍ୟ ମନୁଷ୍ୟ ମଧ୍ୟରେ ବୈଷମ୍ୟ ଦୂର ହୁଏ ଓ ଅସ୍ପୃଶ୍ୟତା ଭଳି ସଂକୀର୍ଣ୍ଣ ଭାବ ମନରୁ ଲୋପପାଇଯାଏ । କେବଳ ସେତିକି ନୁହେ, ଏପର୍ଯ୍ୟନ୍ତ ସମାଜରେ ଯେଉଁ କାମଗୁଡ଼ିକ ଗୌଣ ବିବେଚିତ ହେଉଥିଲେ, ଏଥିରେ ସେହି କାମଗୁଡ଼ିକର ମଧ୍ୟ ପ୍ରାଧାନ୍ୟ ସ୍ୱୀକାର କରାଯାଇଛି। ନିଜ ଘର, ନିଜ ଦାଣ୍ତ ଓ ନିଜ ପରିବେଷ୍ଟନୀ ନିଜେ ସଫା କରିବା ଏବଂ ନିଜ ପାଇଖାନା ନିଜେ ପରିଷ୍କାର କରିବା କାର୍ଯ୍ୟ ମଧ୍ୟ ନିଜର ପ୍ରଧାନ କର୍ତ୍ତବ୍ୟ ବୋଲି ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ମୋଟ ଉପରେ କୁହାଯାଇଛି, ନିଜ କର୍ତ୍ତବ୍ୟର ସୀମା ଭିତରେ ଥିବା ସବୁ କାର୍ଯ୍ୟର ଗୁରୁତ୍ୱ ସମାନ । ସବୁ ନିଜପାଇଁ ହୁଏ । ଏଣୁ ଏଥିରେ ଗୁରୁଲଘୁ ବିଚାର ଏକ ନିର୍ବୋଧତା । ଏପରି ବିଚାରଦ୍ୱାରା ମନୁଷ୍ୟ ପରମୁଖାପେକ୍ଷୀ ଓ ସ୍ୱାର୍ଥପର ହୋଇଯାଏ । ଅନ୍ୟ ପକ୍ଷରେ ଏପରି କରିବା ଏକ ପାପ କାର୍ଯ୍ୟ ।

 

ମହାତ୍ମା ଗାନ୍ଧିଙ୍କ ମତରେ ମନୁଷ୍ୟ ସବୁ ବିଷୟରେ ସ୍ୱାବଲମ୍ୱୀ ହେବା ଉଚିତ, ଯେ କୌଣସି ବିଷୟରେ ପର ଉପରେ ନିର୍ଭର କରିବା ଉଚିତ ନୁହେ । ସେ ନିଜର ସମସ୍ତ କାମ ନିଜେ କରୁଥିଲେ ଏବଂ ଅନ୍ୟକୁ ମଧ୍ୟ ସେହି ପରାମର୍ଶ ଦେଉଥିଲେ । ତାହାଙ୍କର ଏହି ଉଦାର ଓ ଶୃଙ୍ଖଳିତ ମନୋଭାବ ମଧ୍ୟ ଏହି ଯୋଜନାରେ ନିହିତ । ଏହି ଯୋଜନା ପ୍ରସ୍ତୁତ କଲା ସମୟରେ ନିଜର ପରଂପରା ପ୍ରତି ମଧ୍ୟ ବିଶେଷ ଦୃଷ୍ଟି ଦିଆଯାଇଛି ।

 

ବାସ୍ତବିକ ଏହି ଶିକ୍ଷା ଦ୍ୱାରା ଭାରତର ସଭ୍ୟତା ଓ ସଂସ୍କୃତିର ପୂର୍ଣ୍ଣ ବିକାଶ ଘଟିବ, କର୍ମଯୋଗର ପ୍ରାଧାନ୍ୟ ବୃଦ୍ଧିପାଇବା ହେତୁ ସମାଜର ସର୍ବାଙ୍ଗୀନ ଉନ୍ନତି ହେବ, ଏହା ଫଳରେ, ଏକ ସୁସ୍ଥ ସମାଜ ଗଠିତ ହୋଇପାରିବ । ଏଣୁ ଏହାହିଁ ଭାରତର ଜାତୀୟ ଶିକ୍ଷାରୂପେ ଗୃହୀତ ହେବା ଉଚିତ ।

Image

 

ଭାରତର ଖାଦ୍ୟ ସମସ୍ୟା

 

ଅନେକ ଗୁରୁତର ସମସ୍ୟା ମଧ୍ୟରେ ଭାରତରେ ଖାଦ୍ୟ ସମସ୍ୟା ଅଧିକ ଗୁରୁତର ଅଟେ-। ଏ ଦେଶରେ ପ୍ରତି ଶହେ ଜଣରେ ଚାଳିଶ ଜଣ ମାତ୍ର ସୁଷମ ଖାଦ୍ୟ ଖାଇବାକୁ ପାନ୍ତି ଓ ଅନ୍ୟମାନଙ୍କ ମଧ୍ୟରୁ କେତେ ମିତାହାରୀ, କେତେକ ଅର୍ଦ୍ଧାହାରୀ, କେତେକ ଅଳ୍ପହାରୀ ଓ କେତେକ ଅନାହାରୀ ହୋଇ ଦିନ କାଟନ୍ତି । ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବା ଯୋଗୁଁ କୃଷି ସାହାର୍ଯ୍ୟରେ କେବଳ ଏହାର ସମାଧାନ ସମ୍ଭବ । କିନ୍ତୁ କୃଷି କରିବାପାଇଁ ଏଠାରେ ପ୍ରଚୁର ପରିମାଣରେ ଜମି ମଧ୍ୟ ନାହିଁ; ଯାହା ଅଛି, ତାହା ଜଣ ପିଚ୍ଛା ଏକ ଏକରରୁ କମ୍‌ ପଡ଼େ । ଏଣୁ ଯେତେ ଚେଷ୍ଟା କଲେ ମଧ୍ୟ ସହଜରେ ଖାଦ୍ୟାଭାବ ଦୂର ହୋଇପାରୁ ନାହିଁ ।

 

ଆଧୁନିକ କୃଷିପ୍ରଣାଳୀ ଦ୍ୱାରା ଉତ୍ପାଦନ କିୟତ୍‌ ପରିମାଣରେ ବୃଦ୍ଧି ପାଇଥିଲେ ସୁଦ୍ଧା କେତେକ ଅପ୍ରତ୍ୟାଶିତ ବିପଦ ଯୋଗୁଁ ତାହା ‘‘ସମୁଦ୍ରକୁ ଶଙ୍ଖେ ପାଣି’ ’ପରି । ଭାରତରେ ଜନ୍ମହାର ଯଥେଷ୍ଟ ବୃଦ୍ଧି ପାଉଛି, ପୁଣି ପାକିସ୍ଥାନ ଓ ବର୍ମା ପ୍ରଭୃତି ଦେଶରୁ ବିତାଡ଼ିତ ଆଶ୍ରୟପ୍ରାର୍ଥମାନଙ୍କର ସ୍ରୋତ ଚାଲିଥିବା ଫଳରେ ବର୍ଷରେ ଅଶିଲକ୍ଷ ପର୍ଯ୍ୟନ୍ତ ଜନସଂଖ୍ୟା ବୃଦ୍ଧି ପାଉଛି । ଏଣୁ ଖାଦ୍ୟ ସମସ୍ୟାରେ ସନ୍ତୋଷଜନକ ଅଗ୍ରଗତି ଦେଖାଯାଉ ନାହିଁ । ତଥାପି କୃଷିର ଉନ୍ନତି ପ୍ରତି ଅଧିକରୁ ଅଧିକ ଧ୍ୟାନ ଦିଆଯାଇଛି । ଏକ ବୈପ୍ଳବିକ ପରିବର୍ତ୍ତନଦ୍ୱାରା ଏହାର ସମାଧାନ ପାଇଁ ପ୍ରବଳ ଉଦ୍ୟମ ଚାଲିଛି । କୃଷକମାନେ ମଧ୍ୟ ଏହି ପଦକ୍ଷେପକୁ ସ୍ୱାଗତ କରି କାମ କରିଛନ୍ତି ।

 

ବର୍ତ୍ତମାନ ଗୋଟିକ ପରେ ଗୋଟିଏ ଯେଉଁ ତିନୋଟି ପଞ୍ଚବାର୍ଷିକ ଯୋଜନା ହେଲା, ସେ ପ୍ରତ୍ୟେକ ଯୋଜନାରେ ଶସ୍ୟ ଉତ୍ପାଦନକୁ ଅଗ୍ରାଧିକାର ଦିଆଯାଇଛି । କୃଷି ସକାଶେ ଆବଶ୍ୟକ ସମୟାନୁଯାୟୀ ଜଳସେଚନ। ବିଶେଷତଃ ଭାରତର ପ୍ରଧାନ କୃଷିଜାତ ଦ୍ରବ୍ୟ ଧାନପାଇଁ ପ୍ରଚୁର ଜଳ ଆବଶ୍ୟକ । ଅନ୍ୟତମ ପ୍ରଧାନ ଶସ୍ୟ ଗହମ ସକାଶେ ମଧ୍ୟ ଜଳ ନିତାନ୍ତ ଆବଶ୍ୟକ । ଏଣୁ ବହୁ ଅର୍ଥ ବ୍ୟୟକରି ସରକାରଙ୍କ ପକ୍ଷରୁ ଭକ୍ରାନଙ୍ଗଲ, ହୀରାକୁଦ, ନାଗାର୍ଜ୍ଜୁନ ଭଳି ବଡ଼ ବଡ଼ ବନ୍ଧ ଏବଂ ଅନେକ କ୍ଷୁଦ୍ର ଜଳସେଚନ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଉଛି । କେବଳ ସେତିକି ନୁହେ, କେତେକ ସ୍ଥଳରେ ଜଳସେଚନ ସକାଶେ କୂପ ଓ ଜଳାଶୟ ନିର୍ମାଣପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ସାହାଯ୍ୟ ଦିଆଯାଉଛି । ବର୍ତ୍ତମାନ ଜଳ ଉତ୍ତୋଳକ ପମ୍ପ ଦ୍ୱାରା ମଧ୍ୟ ଜଳସେଚନର ବିଶେଷ ସୁବିଧା ହୁଏ । କେବଳ ସେତିକି ନୁହେଁ, ବହୁ ଅର୍ଥ ବ୍ୟୟକରି ଅନେକ ସାର କାରଖାନା ପ୍ରତିଷ୍ଠା କରାଯାଉଛି ଏବଂ ଅବଶିଷ୍ଟ ଅଭାବ ପୂର୍ଣ୍ଣ କରିବାପାଇଁ ବିଦେଶରୁ ଉନ୍ନତ ସାର ଆଣି କୃଷକମାନଙ୍କୁ ଦିଆଯାଉଛି ।

 

ସର୍ବୋପରି କୃଷିପରାମର୍ଶଦାତା ରୂପେ କୃଷିବିଶେଷଜ୍ଞମାନଙ୍କୁ ନିଯୁକ୍ତ କରାଯାଇଛି । ଆବଶ୍ୟକ ସ୍ଥଳରେ କୃଷକମାନେ ସେମାନଙ୍କ ପରାମର୍ଶ ନିଅନ୍ତି । ବିହନ ମଧ୍ୟ କୃଷିର ଗୋଟିଏ ଉପାଦେୟ ଉପକରଣ । ଏଣୁ ପୃଥିବୀର ଯେଉଁ ଅଞ୍ଚଳରେ ଉନ୍ନତ କୃଷି ହୁଏ, ସେହି ସ୍ଥାନରୁ ବିହନ ଆଣି ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ଯୋଗାଇ ଦିଆଯାଏ । ମାରାତ୍ମକ ଜୀବାଣୁ କବଳରୁ ଶସ୍ୟ କ୍ଷେତ୍ରକୁ ରକ୍ଷା କରିବାପାଇଁ କୃଷକମାନଙ୍କୁ ବିଭିନ୍ନ ପ୍ରତିଷେଧକ ଔଷଧ ମଧ୍ୟ ଯୋଗାଇ ଦିଆଯାଏ । ଏପରି ପ୍ରବଳ ଉତ୍ସାହରେ ଯଦି ଅଗ୍ରଗତି ହୁଏ, ତେବେ ଅତି ଅଳ୍ପ ସମୟ ମଧ୍ୟରେ ଭାରତ ଖାଦ୍ୟପଦାର୍ଥରେ ସ୍ୱାବଲମ୍ବୀ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି । ଆବଶ୍ୟକ ସ୍ଥଳେ ଅନ୍ୟାନ୍ୟ ସାହାଯ୍ୟ ସଙ୍ଗେ ସଙ୍ଗେ କୃଷକମାନଙ୍କୁ ଟଙ୍କା ମଧ୍ୟ ଋଣ ସୂତ୍ରରେ ସାହାର୍ଯ୍ୟ ଦିଆଯାଏ । ବର୍ତ୍ତମାନର ଜାପାନୀ ଋଷ ପ୍ରଣାଳୀ କୃଷି ଉନ୍ନତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ।

 

ଦେଶରେ ଅନେକ ପତିତ ଜମି ପଡ଼ିରହିଛି । ସେ ମଧ୍ୟରୁ କେତେକ କର୍ଷିତ ଜମିରେ ପରିଣତ କରାଗଲାଣି । ତଥାପି ଆହୁରି ବହୁତ ଅଣଉଠିଆ ହୋଇ ପଡ଼ିରହିଛି । ସେଗୁଡ଼ିକୁ ମଧ୍ୟ କର୍ଷିତ ଜମିରେ ପରିଣତ କରିବାପାଇଁ ବ୍ୟବସ୍ଥା ଚାଲିଛି । ତାହା ପୂରା କାର୍ଯ୍ୟକାରୀ ହୋଇଗଲେ ଖାଦ୍ୟ ସମସ୍ୟାରେ ବିଶେଷ ଅଗ୍ରଗତି ଦେଖାଯିବ ।

 

କଟା ଆଙ୍ଗୁଟି ଉପରେ ସାମାନ୍ୟ ଆଘାତ ମଧ୍ୟ ଅଧିକ ପୀଡ଼ାଦାୟକ ଅଟେ । ଏଣୁ ଏତିକିବେଳେ ଖାଦ୍ୟପଦାର୍ଥର କୌଣସି ପ୍ରକାର ଅପବ୍ୟବହାର ନ ହେଲା ପରି ସମସ୍ତେ ସଚେଷ୍ଟ ହେବା ଉଚିତ ଏବଂ ତାହାର ସୁରକ୍ଷା ଓ ସମବଣ୍ଟନ ହେବା ମଧ୍ୟ ନିତାନ୍ତ ଆବଶ୍ୟକ । ପୁଣି ଯେଉଁମାନଙ୍କ ଠାରେ ପ୍ରଚୁର ଖାଦ୍ୟ ପଦାର୍ଥ ଥାଏ, ସେମାନେ ଯଦି ଅଭାବ ସମୟରେ ଉଚିତ ଦରରେ ଲୋକଙ୍କୁ ବିକ୍ରି କରନ୍ତି, ତାହା ମଧ୍ୟ ଅବସ୍ଥା ଉପଶମ କରିବାରେ ସାହାର୍ଯ୍ୟ କରିବ । ଏଣୁ ଏହି ସର୍ବନିମ୍ନ ସାଧୁଚିନ୍ତା ବିକ୍ରେତାମାନଙ୍କ ମନରେ ଜାତ ହେଲାପରି ପ୍ରଚାର ଆବଶ୍ୟକ ।

 

ଆହୁରି ଗୋଟିଏ ବଡ଼ କଥା ହେଲା ପତିତ ଜମିର ଉଦ୍ଧାର ସଙ୍ଗେ ସଙ୍ଗେ ଉର୍ବର ଜମିଗୁଡ଼ିକ ଯେପରି ନଷ୍ଟ ନ ହୁଏ, ସେଥିପ୍ରତି ବିଶେଷ ସତର୍କ ରହିବା ଆବଶ୍ୟକ । ଅବଶ୍ୟ ବର୍ତ୍ତମାନ ଦେଶର ବହୁମୁଖୀ ଉନ୍ନତି କଳ୍ପେ ସରକାରଙ୍କ ପକ୍ଷରୁ ନୂତନ କଳକାରଖାନା ପ୍ରତିଷ୍ଠା, ଗୃହନିର୍ମାଣ ଓ ବିଦ୍ୟାଳୟ ସ୍ଥାପନପାଇଁ ଲୋକଙ୍କୁ ପରାମର୍ଶ ଓ ପ୍ରେରଣା ଦିଆଯାଉଛି ଏବଂ ଏଥି ସକାଶେ ନାନା ସୂତ୍ରରେ ଅର୍ଥ ମଧ୍ୟ ସାହାଯ୍ୟ ଦିଆଯାଉଛି । ତଥାପି ଏହି ଅନୁଷ୍ଠାନଗୁଡ଼ିକ ଅଧିକ ଉତ୍ପାଦନକ୍ଷମ ଉର୍ବର ଜମିରେ ବ୍ୟବହୃତ ନ ହୋଇ ଅନୁର୍ବର ଓ ପତିତ ଜମିରେ ଯଦି ବ୍ୟବହୃତ ହୁଏ, ତେବେ ଉଭୟ ଦିଗରୁ ଦେଶର ଅମଙ୍ଗଳ ହେବ । ପୁଣି ଅଧିକ ଲାଭ ପାଇବା ଉଦ୍ଦେଶ୍ୟରେ ପ୍ରଧାନ ଶସ୍ୟ ଉତ୍ପନ୍ନ ହେବା ଜମିରେ ଅନ୍ୟ ଶସ୍ୟ ମଧ୍ୟ କରାଯାଉଛି । ଅବଶ୍ୟ ଏଥିରେ ଯେଉଁ ଅନ୍ୟ ଶସ୍ୟ ଉତ୍ପନ୍ନ ହୁଏ, ତାହା ମଧ୍ୟ ଅନାବଶ୍ୟକ ନୁହେ । ତଥାପି ବର୍ତ୍ତମାନ ଖାଦ୍ୟସମସ୍ୟା ଜଟିଳ ହୋଇଥିବା ଦୃଷ୍ଟିରୁ ଏପରି ବିଷୟ ପ୍ରତି ମଧ୍ୟ ସମସ୍ତଙ୍କର ଦୃଷ୍ଟି ରହିବା ଉଚିତ । ପୁଣି ଦେଶରୁ ସଂପୂର୍ଣ୍ଣ ଭାବରେ ଖାଦ୍ୟାଭାବ ଦୂର ହେବା ପର୍ଯ୍ୟନ୍ତ ନିତାନ୍ତ ଆବଶ୍ୟକତା ନ ପଡ଼ିଲେ ଉର୍ବର ଜମି ଅନ୍ୟ କାମରେ ବ୍ୟବହୃତ ହେବା ଉଚିତ ନୁହେ । ଏହି ଉଦ୍ଦେଶ୍ୟ ରଖି କାମ ହେବା ଉଚିତ । ଏଣୁ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଏପରି ଉର୍ବର ଜମିର ଅନ୍ୟଥା ବ୍ୟବହାର ପାଇଁ ସରକାରୀ କଟକଣା ରହିଲେ ଫଳ ଭଲ ହେବା ଆଶା କରାଯାଏ ।

 

ପରମ୍ପରା ପ୍ରତି ଦୃଷ୍ଟି ଦେଲେ କେବଳ ବର୍ତ୍ତମାନ ନୁହେ, ଖାଦ୍ୟ ସମସ୍ୟା ଭାରତର ଚିର ସହଚର ପରି ମନେ ହୁଏ । କିନ୍ତୁ ଅତୀତରେ ଭାରତୀୟମାନେ ଦାଣ୍ତରେ ନ ଗଡ଼ି ନାନା ଉପାୟରେ ତାହାର ସମାଧାନ କରିପାରୁଥିଲେ ।

 

ଭାରତର ବହୁତ କଥା ଧର୍ମ ସହିତ ଜଡ଼ିତ । ବର୍ତ୍ତମାନ ଯୁଗରେ ଏହା ଅର୍ବାଚୀନ ହୋଇପାରେ । ତଥାପି ଏହାର ଅନ୍ୟ ଉଦ୍ଦେଶ୍ୟ ବା ଫଳ ଯାହା ଥାଉନା କାହିଁକି, ମନୁଷ୍ୟର ମନକୁ ଆୟତ୍ତ କରିବାପାଇଁ ଏ ଗୋଟିଏ ପ୍ରକୃଷ୍ଟ ପନ୍ଥା । ଭାରତୀୟମାନଙ୍କର ପ୍ରତ୍ୟେକ ପର୍ବ ପର୍ବାଣି ଓ ବାର ବ୍ରତର ମୂଳରେ ରହିଲା ଉପବାସ । ଶୈବ, ବୈଷ୍ଣବ ଓ ଶାକ୍ତ ମତରେ ମଧ୍ୟ ଲୋକେ କେତେ ବିଶେଷ ଉପବାସ କରନ୍ତି । ‘‘ଏକ ସୂର୍ଯ୍ୟେ ଦ୍ୱି ଭୋଜନଂ ନାସ୍ତି’’ ଏହି ବିଧି ଆମର ଶାସ୍ତ୍ରସମ୍ମତ । ବର୍ତ୍ତମାନର ଅଭାବ ଓ ଏହି ପରଂପରାକୁ ଆଖି ଆଗରେ ରଖି ଆମର ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ ବାହାଦୁର ଶାସ୍ତ୍ରୀ ପ୍ରତି ସୋମବାର ଦିନ ଗୋଟିଏ ବେଳା ମାତ୍ର ଖାଇବାକୁ ପରାମର୍ଶ ଦେଇଥିଲେ । ଆମ ଦେଶର ଶ୍ରମିକମାନଙ୍କର ପଖାଳ ଥିଲା ଜାତୀୟ ଖାଦ୍ୟ । ଏହା ଯେପରି ମିତବ୍ୟୟୀ ସେପରି ଶକ୍ତିପ୍ରଦ । ‘‘ଅନ୍ତେ ତିକ୍ତ ଦନ୍ତେ ଲୁଣ, ପେଟ ଭରିବ ତିନି କୋଣ ।’’ ବହୁ ଅଭିଭାବକ ଏହାର ଅର୍ଥ ନ ବୁଝି ମଧ୍ୟ ଅଳ୍ପ ଊଣାକରି ଖାଇବାକୁ ପିଲାମାନଙ୍କୁ ପରାମର୍ଶ ଦିଅନ୍ତି । ସମାଜରେ କେତେ ଲୋକ ଦିନକୁ ଥିରେ ମାତ୍ର ଖାନ୍ତି । ଏହା ସେମାନଙ୍କର ବ୍ରତ । ‘‘ଘୃତ ହୀନଂ କୁଭୋଜନଂ’’ ଏହାକୁ ଆମ ସମାଜ ଗ୍ରହଣ କରିଛି । ଘିଅ ଗୋଟିଏ ପୁଷ୍ଟିକର ଖାଦ୍ୟ । ଏହାଦ୍ୱାରା ସ୍ୱାସ୍ଥ୍ୟର ଉନ୍ନତି ହୁଏ, ଅଥଚ ଅନ୍ୟ ଖାଦ୍ୟ ପଦାର୍ଥର ପରିମାଣ ସାମାନ୍ୟ କମିଯାଏ । କ୍ଷୀର ଓ ଘୃତ ଭଳି ପୁଷ୍ଟିକାରକ ଖାଦ୍ୟ ନଷ୍ଟ ନ କରିବା ପାଇଁ କଲିକତାରେ ସରକାରଙ୍କ ପକ୍ଷରୁ ରସଗୋଲା କରିବା ନିଷିଦ୍ଧ ହୋଇଥିଲା । ବର୍ତ୍ତମାନ ଖାଦ୍ୟଭାବ ପଡ଼ିବାରୁ ଚାଉଳ ଅଞ୍ଚଳକୁ ଗହମ ଓ ଗହମ ଅଞ୍ଚଳକୁ ଚାଉଳ ରପ୍ତାନୀ ହେବାଦ୍ୱାରା ସମସ୍ୟା ଯେତେଦୂର ସମାଧାନ ହେଉ ପଛେ ଖାଦ୍ୟ ପଦାର୍ଥ ଅତ୍ୟଧିକ ବ୍ୟୟ ହୁଏ । ଅନଭ୍ୟସ୍ତ ଅଞ୍ଚଳରେ ସେଗୁଡ଼ିକରୁ ଅଧିକାଂଶ ପର୍ବଦିନର ପିଠାପଣା ପରି ବ୍ୟବହୃତ ହୋଇଯାଏ। ସାଧାରଣତଃ ଭାରତର ଆଦିବାସୀମାନେ ବନଜାତ ଫଳମୂଳ ଓ କନ୍ଦାଖାଇ ଜୀବନ ଯାପନ କରୁଥିଲେ। ସେଥିରେ ସେମାନଙ୍କର ତୃପ୍ତିର ଅଭାବ ନ ଥିଲା । ବର୍ତ୍ତମାନ ସେ ଅବସ୍ଥା ମଧ୍ୟ ପରିବର୍ତ୍ତିତ ହୋଇଗଲା ।

 

ବର୍ତ୍ତମାନ ନୂତନ କୃଷି ପ୍ରଣାଳୀରେ ଉତ୍ପାଦନ ଯଥେଷ୍ଟ ବୃଦ୍ଧିପାଉଥିଲେ ମଧ୍ୟ ସୋଲ ଭିତରେ ପାଣି ପଶିଲାପରି ଖାଦ୍ୟ ପଦାର୍ଥ ନିଅଣ୍ଟ ପଡ଼ିଯାଏ । ଦିନକୁ ଦିନ କୃଷି ଦିଗରେ ଯେପରି ଅଭୂତପୂର୍ବ ଉନ୍ନତି ଦେଖାଯାଉଛି, ସେଥିରୁ ବିଶ୍ୱାସ ହୁଏ ଯେ, ଅଳ୍ପ ସମୟ ମଧ୍ୟରେ ଏହି ଅଭାବ ପୂର୍ଣ୍ଣ ହୋଇପାରିବ । ତଥାପି ଖାଦ୍ୟ ସମସ୍ୟା ଚିନ୍ତା କଲା ସମୟରେ ଉଲ୍ଲିଖିତ ବିଷୟ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ ।

 

ଏହା ଗୋଟିଏ ଜାତୀୟ ସମସ୍ୟା । ଏଣୁ କୌଣସି ପକ୍ଷରୁ ଏହା ଅବହେଳିତ ହେବା ଉଚିତ ନୁହେ । ବର୍ତ୍ତମାନ ଦେଶର ଖାଦ୍ୟ ପରିସ୍ଥିତି ସମ୍ଭାଳିବା ପାଇଁ ବିଦେଶରୁ କୋଟି କୋଟି ଟଙ୍କାର ଖାଦ୍ୟ ପଦାର୍ଥ ଆମଦାନି କରାଯାଏ । ଏହାଦ୍ୱାରା ଦେଶର ଅର୍ଥନୀତି ଉପରେ ପ୍ରବଳ ଚାପ ପଡ଼ିବା ଫଳରେ ବହୁ ଊନ୍ନତିକର ଯୋଜନା ବାଧାପ୍ରାପ୍ତ ହୁଏ । ଏପରି ଏକ ଶୁଭଦିନ ଆସିବ, ଆଉ ଖାଦ୍ୟପାଇଁ ଭାରତକୁ ଅନ୍ୟର ଦ୍ୱାରସ୍ଥ ହେବାକୁ ପଡ଼ିବ ନାହିଁ । ତଥାପି ଏ କ୍ଷେତ୍ରରେ ସଂଯମ, ସହିଷ୍ଣୁତା, ସହଯୋଗ ଓ ଉଦ୍ୟମ ଅବ୍ୟାହତ ରହିବା ଉଚିତ ।

Image

 

ଓଡ଼ିଶାର ବନ୍ୟା ସମସ୍ୟା ଓ ତାହାର ପ୍ରତିକାର

 

ଓଡ଼ିଶା ଗୋଟିଏ ନଦୀମାତୃକ ଦେଶ । ଏଥିରେ ମହାନଦୀ, ସୂବର୍ଣ୍ଣରେଖା, ବ୍ରାହ୍ମଣୀ, ବୈତରଣୀ, ୠଷିକୁଲ୍ୟା, ବଂଶଧାରା, ନାଗାବଳୀ ଓ ଇନ୍ଦ୍ରାବତୀ ପ୍ରଭୃତି ନଦୀ ଏବଂ ଏଗୁଡ଼ିକର ଉପନଦୀ ଓ ଶାଖାନଦୀ ଗୁଡ଼ିକ ଜାଲପରି ଚତୁର୍ଦ୍ଦିଗରେ ବିସ୍ତୃତ । ନଦୀ ନ ଥିବା ଦେଶ ବାସୋପଯୋଗୀ ନୁହେ ବୋଲି ହିତୋପଦେଶରେ ଅଛି । ଏଣୁ ନଦୀ ବିଶେଷ ଉପକାରୀ । ଏହାଦ୍ୱାରା ଜଳ ସେଚନର ସୁବିଧା ହୁଏ, ପଟୁମାଟି ପଡ଼ି ଜମି ଉର୍ବର ହୁଏ ଓ ଅନ୍ୟାନ୍ୟ ଅନେକ ଉପକାର ମଧ୍ୟ ହୁଏ । ଏଣୁ ନଦୀଗୁଡ଼ିକ ଦେଶ ପକ୍ଷରେ ଆର୍ଶିବାଦ । ତଥାପି ବେଳବେଳେ ସେଗୁଡ଼ିକରେ ପ୍ରବଳ ବନ୍ୟା ହୋଇ ମହାପ୍ରଳୟର ସଙ୍କେତ ଦିଏ । ଏଣୁ ସେତିକିବେଳେ ସେଗୁଡ଼ିକ ଦେଶର ଅଭିଶାପ ହୁଅନ୍ତି । ଓଡ଼ିଶାରେ ଆଶୀର୍ବାଦ ଅପେକ୍ଷା ଅଭିଶାପଟା ଟିକିଏ ଅଧିକ ପରି ମନେ ହୁଏ ।

 

ଦକ୍ଷିଣ ଭାରତର ନଦୀଗୁଡ଼ିକ ସାଧାରଣତଃ ବୃଷ୍ଟିପୁଷ୍ଟ । ଓଡ଼ିଶାର ନଦୀଗୁଡ଼ିକ ମଧ୍ୟ ଏହି ଶ୍ରେଣୀର । ଏ ମଧ୍ୟରୁ ବହୁତ ନଦୀ ପଶ୍ଚିମ ଓଡ଼ିଶାର ପର୍ବତ ବା ମାଳଭୂମିରୁ ବାହାରି ସମତଳ ଶଯ୍ୟା ଦେଇ ବଙ୍ଗୋପସାଗରରେ ପଡ଼ନ୍ତି । ମହାନଦୀ ଭଳି ଅଳ୍ପ କେତେ ନଦୀ ମାଳଭୂମି ଅତିକ୍ରମ କରି ସମତଳ ଭୂମିରେ ପ୍ରବାହିତ ହୁଅନ୍ତି । ଓଡ଼ିଶାରେ ମୌସୁମୀ ବାୟୁର ଆରବସାଗର ଶାଖା ଓ ବଙ୍ଗୋପସାଗର ଶାଖା ଉଭୟ ଶାଖାରୁ ବୃଷ୍ଟିହୁଏ । ବେଳେବେଳେ ଅତି ପ୍ରବଳ ବର୍ଷା ହେବାଫଳରେ ପାର୍ବତ୍ୟ ଶଯ୍ୟାର ଜଳ ଦ୍ରୁତ ବେଗରେ ଗଡ଼ିଆସି ନଦୀର ସମତଳଶଯ୍ୟାରେ ଜମାହୋଇ ପ୍ରବଳ ବନ୍ୟା ବିତ୍‌ପାତ ସୃଷ୍ଟିକରେ ।

 

ଏଥିସକାଶେ ବହୁପରିମାଣରେ ଏହାର ପ୍ରାକୃତିକ ଅବସ୍ଥିତି ଦାୟୀ । ନଦୀଗୁଡ଼ିକରେ ପ୍ରାୟ ଅର୍ଦ୍ଧାଧିକ ଭାଗ ପର୍ବତ ବା ମାଳ ଭୂମିରେ ରହିଛି । ଏହି ଅଞ୍ଚଳ ସମତଳ ଭୂମିଠାରୁ ଅତି ଉଚ୍ଚରେ ଥିବାରୁ ବୃଷ୍ଟି ହେବା ସଙ୍ଗେ ସଙ୍ଗେ ଜଳ ତଳକୁ ଦ୍ରୂତବେଗରେ ଖସିଯାଏ । ନିମ୍ନ ଶଯ୍ୟାର ସ୍ରୋତ ସେପରି ପ୍ରଖର ନୁହେ ଏବଂ ନଦୀଗର୍ଭ ମଧ୍ୟ ଅଗଭୀର । ସ୍ଥଳବିଶେଷରେ ନଦୀଶଯ୍ୟା ସମତଳଭୂମି ସହିତ ମଧ୍ୟ ପ୍ରାୟ ସମାନ ଥାଏ । ଏଣୁ ବେଳେବେଳେ ପ୍ରବଳ ବର୍ଷାଯୋଗୁଁ ଯେଉଁ ଅତ୍ୟଧିକ ଜଳ ବହିଆସେ, ତାହା ନଦୀ ଗର୍ଭରେ ରହି ନ ପାରି ଉଭୟପାର୍ଶ୍ୱରେ ଥିବା ଅଞ୍ଚଳକୁ ପ୍ଳାବନ କରେ ।

 

ଏହି ବନ୍ୟା ବିପଦରୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ରକ୍ଷା କରିବାପାଇଁ ବଡ଼ ବଡ଼ ନଦୀଗୁଡ଼ିକର ଉଭୟପାର୍ଶ୍ୱରେ ବଡ଼ବଡ଼ ବନ୍ଧ ବନ୍ଧା ହୋଇଥାଏ । ସାଧାରଣ ବନ୍ୟା ସମୟରେ ଏହି ବନ୍ଧଗୁଡ଼ିକ ଲୋକଙ୍କୁ ଓ ଶସ୍ୟକ୍ଷେତ୍ରକୁ ରକ୍ଷାକରେ; କିନ୍ତୁ ଯେତେବେଳେ ପ୍ରବଳ ବନ୍ୟା ହୁଏ, ସେତେବେଳେ ବନ୍ଧ ଭାଙ୍ଗି ବନ୍ୟାଜଳ କୌଣସି ଗୋଟିଏ ପଟକୁ ମାଡ଼ିଯାଏ । ଏହି ଅବସ୍ଥା ଯେପରୀ ମର୍ମନ୍ତୁଦ, ସେପରି ଭୟଙ୍କର । ଏହି ବନ୍ୟା ଯେଉଁ ଦିଗକୁ ମାଡ଼ିଯାଏ,ସେଠାରେ କଳାକନା ବୁଲିଯାଏ । ସେତେବେଳେ ଗାଁ ଗଣ୍ଡା ଓ ଗୃହପାଳିତ ପଶୁ ଭାସିଯାନ୍ତି । ବେଳେବେଳେ ମନୁଷ୍ୟମାନଙ୍କର ମଧ୍ୟ ପ୍ରାଣହାନି ଘଟେ । ଶସ୍ୟ କ୍ଷେତ୍ରଗୁଡ଼ିକ ଧୋଇ ହୋଇଯାଏ । କେତେ ବିଲ ପଦର ଛୋଟ ନଦୀ ବା ନାଳରେ ପରିଣତ ହୁଏ, ଆଉ କେତେ ଜମିରେ ପର୍ବତାକାରରେ ବାଲି ପଡ଼ିଯାଏ । ସାମନ୍ତ ସିଂହାର ଲେଖିଲା ପରି ଏହି ବାଲି ପଡ଼ିବା ଜମିକୁ ‘‘ଚୁଚୁନ୍ଦ୍ରାକୁ ନାଗ ଧଇଲା ଦୁର୍ଯ୍ୟୋଗ’’ହୁଏ । ଏହାକୁ ମରାମତ କଲେ ଯେତିକି ବ୍ୟୟ, ଜମିରୁ ବାଲି ଉଠାଇବାରେ ସେତିକି ବ୍ୟୟ, ଅଥଚ ନ କରି ରହିହୁଏ ନାହିଁ ।

 

ଏହି ସମୟରେ ବନ୍ୟାବିପନ୍ନ ଲୋକଙ୍କ ଆର୍ତ୍ତନାଦରେ ଦିଗ୍‌ବଳୟ ପ୍ରତିଧ୍ୱନିତ ହୋଇଥାଏ । କେତେ ଗୃହଶୂନ୍ୟ ହୋଇ ବୃକ୍ଷଉପରେ କିମ୍ୱା କୌଣସି ଉଚ୍ଚ ସ୍ଥାନରେ ଆଶ୍ରୟ ନିମନ୍ତି-। ଏକ ଦିଗରେ ଅନ୍ନବତ୍ସର ଅଭାବ ଓ ଅନ୍ୟ ଦିଗରେ ବିଭୀଷିକାର ଶିକାର । ଏହାର ବିଷମ ପରିଣତି ଅନୁଭବୀ କେବଳ ଜାଣିପାରେ କେତେ ଗ୍ରାମ କେତେଦିନ ପାଇଁ ଦେଶର ଅନ୍ୟ ଅଞ୍ଚଳରୁ ବିଚ୍ଛିନ୍ନ ହୋଇ ଦ୍ୱୀପପରି ରହିଥାଏ ।

 

ଏହି ବିପଦରୁ ଲୋକଙ୍କୁ ଉଦ୍ଧାର କରିବାପାଇଁ ସରକାର ଓ ଜନସାଧାରଣଙ୍କ ପକ୍ଷରୁ ବହୁ ଉଦ୍ୟମ ହୁଏ । ବିଶେଷ ବିପଦଗ୍ରସ୍ତ ଅଞ୍ଚଳକୁ ଡଙ୍ଗା ପଠାଇ ଲୋକଙ୍କୁ ଉଦ୍ଧାର କରାଯାଏ । ଉଡ଼ାଜାହାଜରେ ମଧ୍ୟ ଖାଦ୍ୟ, ବସ୍ତ୍ର ପ୍ରଭୁତି ସାହାଯ୍ୟ ଦିଆଯାଏ । ଏହି ସମୟରେ ସରକାର ଓ ଜନସାଧାରଣଙ୍କ ସାହାଯ୍ୟର ସ୍ରୋତ ଚାଲେ,ଚୁଡ଼ା,ଚାଉଳ, ଲୁଗାପଟା ସାହାଯ୍ୟ ଦିଆଯାଏ । ବହୁ ନେତା ଓ କର୍ମୀ ନିଜ ଜୀବନକୁ ଉତ୍ସର୍ଗ କରି ବିପନ୍ନ ଲୋକଙ୍କର ସାହାଯ୍ୟ କାର୍ଯ୍ୟରେ ଲାଗିପଡ଼ନ୍ତି । ପୁଣ୍ୟାତ୍ମା ଗୋପବନ୍ଧୁ ଦାସ ବନ୍ୟା ବିପନ୍ନ ଲୋକଙ୍କୁ ସାହାଯ୍ୟ କରିବାପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।

 

ଏହି ହୃଦୟବିଦାରକ ଦୃଶ୍ୟ ଦେଖି କୌଣସି ହୃଦୟବାନ୍‌ବ୍ୟକ୍ତି ଧୈର୍ଯ୍ୟଧରି ରହି ନପାରେ । ଏହାଦ୍ୱାରା ପ୍ରଭୁତ ଧନ ଜୀବନ ନଷ୍ଟ ହୁଏ ଓ ରାସ୍ତା,ଘାଟ,ପୋଲ ଧୋଇ ହୋଇଯିବା ଫଳରେ ବହୁଦିନ ପର୍ଯ୍ୟନ୍ତ ସ୍ଥଳଟି ଅନ୍ୟାନ୍ୟ ସୁବିଧାରୁ ମଧ୍ୟ ବଞ୍ଚିତ ହୁଏ ଏବଂ ଗୋଟିଏ ଅଞ୍ଚଳର ଆୟ ମଧ୍ୟ ନଷ୍ଟ ହୋଇଯାଏ । ଏଣୁ ଦେଶକୁ ଏହି ବିପଦକୁ ରକ୍ଷା କରିବାପାଇଁ ବନ୍ୟାର ସ୍ଥାୟୀ ପ୍ରତିକାର ବିଷୟରେ ଉଦ୍ୟମ କରାଯାଇଛି ।

 

ମହାନଦୀ ବନ୍ୟାର ସ୍ଥାୟୀ ପ୍ରତିକାରପାଇଁ ହୀରାକୁଦ ବନ୍ଧ ନିର୍ମିତ ହୋଇଛି । ଏହାଦ୍ୱାରା ବନ୍ୟା ନିୟନ୍ତ୍ରିତ ହୁଏ ଏବଂ ଜଳସେଚନ ଓ ବିଦ୍ୟୁତ୍‌ ଉତ୍ପାଦନର ମଧ୍ୟ ସୁବିଧା ହୁଏ । ନଦୀର ମୁହାଣଗୁଡ଼ିକ ଖୋଳି ଟିକିଏ ଗଭୀର କରିବା ଯୋଜନା ମଧ୍ୟ ଏହାର ଅନ୍ତର୍ଗତ । ଏହାଦ୍ୱାରା ନଦୀ ଗର୍ଭରେ ଅଧିକ ଜଳ ରହିବ ଏବଂ ଅତି ଚଞ୍ଚଳ ଜଳ ନିଷ୍କାସନ ମଧ୍ୟ ହୋଇପାରିବ । ନଦୀଗୁଡ଼ିକର ଉଭୟ ପାର୍ଶ୍ୱରେ ଯେଉଁ ବଡ଼ ବଡ଼ ବନ୍ଧ ବନ୍ଧାଯାଇଛି, ତାହା ସୁଦୃଢ଼ କରାଯାଇଛି ଏବଂ ବନ୍ୟା ଭୟ ଥିବା ନଦୀ ଗୁଡ଼ିକରେ ନୂଆ ନୂଆ ବନ୍ଧ ପକାଯାଉଛି । ବର୍ତ୍ତମାନ ନୁହେ, ବହୁପୂର୍ବରୁ ବନ୍ୟାରୁ ଦେଶକୁ ଉଦ୍ଧାର କରିବାପାଇଁ ଉଦ୍ୟମ ଚାଲିଛି । ମହାନଦୀ ଓ କାଠ ଯୋଡ଼ିରେ କେଶରୀବଂଶର ରାଜତ୍ତ୍ୱ କାଳରେ ଯେଉଁ ପଥରବନ୍ଧ ନିର୍ମିତ ହୋଇଛି, ଏହା ତାହାର ପ୍ରମାଣ । ଏଥିସକାଶେ ଆବଶ୍ୟକ ହେଲେ ନୂତନ ବନ୍ଧ ନିର୍ମାଣ କରିବାକୁ ପଡ଼ିବ । ନଦୀଗୁଡ଼ିକରେ ବିଭିନ୍ନ ପୋଲ ନିର୍ମାଣ କଲା ସମୟରେ ଜଳସ୍ରୋତ ବାଧା ନ ପାଇଲା ପରି ବ୍ୟବସ୍ଥା କରିବା ଉଚିତ।

 

ସବୁ ସତ୍ତ୍ୱେ ପ୍ରକୃତି ବଳବାନ୍‌ । ଯେ କୌଣସି ମତେ ନିଜ ପ୍ରଭାବ ସେ ଦେଖାଇବା ସୁନିଶ୍ଚିତ । ଏଣୁ ଏହାର ସମ୍ମୁଖୀନ ହେବାକୁ ମଧ୍ୟ ପ୍ରସ୍ତୁତ ରହିବା ଆବଶ୍ୟକ । ଏପରି ସକଳ ଦିଗରୁ ଉଦ୍ୟମ ହେଲେ ବିପଦ ଟିକିଏ ଊଣା ହୋଇପାରେ । ପ୍ରକୃତିକୁ ଆୟତ୍ତ କରିବା ସହଜ ନୁହ-। ‘‘ଜଳ ବିହୁନେ ସୃଷ୍ଟି ନାଶ, ଜଳ ଗହଳେ ସୃଷ୍ଟି ନାଶ’’ । ଏଣୁ ମନୁଷ୍ୟ ଉଦ୍ୟମ ସଙ୍ଗେ ସଙ୍ଗେ ପ୍ରକୃତିର ଶକ୍ତିକି ମଧ୍ୟ ସ୍ୱୀକାର କରିବାକୁ ବାଧ୍ୟ ।

Image

 

ନୂଆ ଯୁଗର ଗୋଟିଏ ଜୈବିକ ଚାଷ

 

ଏ ପର୍ଯ୍ୟନ୍ତ ଜମି ବା ବାଡ଼ି ବଗିଚାରେ ହଳକରି ସେଥିରେ ବୀଜ ବା ବୃକ୍ଷରୋପଣ କରିବା କ୍ରିୟାକୁ ଚାଷ କୁହା ଯାଉଥିଲା । ବର୍ତ୍ତମାନ କିନ୍ତୁ କେତେ ଶ୍ରେଣୀର ପଶୁପକ୍ଷୀ ବା ଜୀବଜନ୍ତୁ ପାଳନ ମଧ୍ୟ ଚାଷର ଅନ୍ତର୍ଗତ । ବନ୍ଧ ବା ଗାଡ଼ିଆରେ ମାଛ ପୋଷିବା, କୁକୁଡ଼ା ପାଳନ ଓ ମହୁମାଛି ପାଳନ ପ୍ରଭୃତି ବ୍ୟବସାୟ ମଧ୍ୟ ନୂଆ ଯୁଗର ଏକ ଶ୍ରେଣୀର ଚାଷ । ଏଗୁଡ଼ିକ ଜୀବ ସଂପର୍କୀୟ ହୋଇଥିବା ଯୋଗୁଁ ଏହାକୁ ନୂଆଯୁଗର ଜୈବିକ ଚାଷ ଆଖ୍ୟା ଦିଆଯାଇପାରେ ।

 

ଅବଶ୍ୟ ଆୟ ବା ଅନ୍ୟ ଦୃଷ୍ଟିରୁ ମହୁମାଛି ପାଳନ ଅତି ସାଧାରଣ ବିବେଚିତ ହେଲେ ମଧ୍ୟ ଏହା ଅତି ଚମତ୍କାର, କୌତୁହଳପ୍ରଦ ଓ ଉପାଦେୟ । ସବୁ ଜାତିର ମହୁମାଛି ପାଳନ ସମ୍ଭବ କି ନୁହେ, ଏହି ଗବେଷଣା ଫଳରେ ସାତପୁରୀ ନାମକ ଏକ ଶ୍ରେଣୀର ମହୁ ମାଛି ପାଳନ କେବଳ ସମ୍ଭବ ହୋଇପାରିଛି ।

 

ଏହି ମାଛିର ପଛ ଭାଗରେ ସମାନ୍ତରାଳ ଭାବରେ ତନୋଟି ବୃତ୍ତାକାର ରେଖା ଦେଖାଯାଏ । ଏଗୁଡ଼ିକ ସାଧାରଣତଃ ବୃକ୍ଷର କୋରଡ଼ରେ ବା କୌଣସି କାନ୍ଥର ଖୋପରେ ବସା କରନ୍ତି । ଏହି ମାଛି ଘେରାରେ ସାତୋଟି ଫେଣା ଥାଏ । ଏଣୁ ଏଗୁଡ଼ିକୁ ସାତପୁରୀ ମହୁମାଛି କୁହାଯାଏ ।

 

ଏଗୁଡ଼ିକର ପାଳନପାଇଁ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯାଇଛି । ପ୍ରାୟ ଏକଫୁଟ ଦୈର୍ଘ୍ୟ, ଦଶଇଞ୍ଚ ପ୍ରସ୍ଥ ଓ ନଅଇଞ୍ଚ ଉଚ୍ଚତା ବିଶିଷ୍ଟ ଗୋଟିଏ କାଠ ପେଡ଼ିରେ ସାତୋଟି ଫ୍ରେମ ଥାଏ-। ଫ୍ରେମଟି ଦେଖିଥିବା ଲୋକର ଏ ବିଷୟରେ ସ୍ପଷ୍ଟ ଧାରଣା ହୋଇଯିବ । ଏହା ଉପରେ ସେହି ଦୈର୍ଘ୍ୟ, ସେହି ପ୍ରସ୍ଥ ଓ ପ୍ରାୟ ପାଞ୍ଚ ଇଞ୍ଚ ଉଚ୍ଚତା ବିଶିଷ୍ଟ କେତୋଟି ପେଡ଼ି ଗୋଟିକ ଉପରେ ଗୋଟିଏ ରଖା ହୋଇଥାଏ । ଏଗୁଡ଼ିକରେ ମଧ୍ୟ ସାତୋଟି ହିସାବରେ ଫ୍ରେମ ଥାଏ । ଏଗୁଡ଼ିକୁ ସୁପର କହନ୍ତି । ଏପରି ଏକ ପେଡ଼ିରେ ମହୁମାଛି ପାଳନ କରାଯାଏ ।

 

ପ୍ରଥମେ ମାଛି ଦଳ ଆଣି ତଳ ପେଡ଼ିରେ ଛାଡ଼ିବାକୁ ହୁଏ । ପ୍ରତ୍ୟେକ ଦଳରେ ଗୋଟିଏ ମାତ୍ର ରାଣୀ ମାଛି ଥାଏ । ଏଣୁ ଦଳ ଧରିବା ବେଳେ ରାଣୀମାଛି ପ୍ରତି ଦୃଷ୍ଟି ରହିବା ଆବଶ୍ୟକ । ରାଣୀ ମାଛିଟି ଆସିଗଲେ ଅନ୍ୟ ମାଛିମାନେ ଆପେ ଆପେ ରାଣୀମାଛି ନିକଟକୁ ଆସିଯାନ୍ତି । ରାଣୀମାଛି ନ ଥିଲେ ସାଧାରଣତଃ ଅନ୍ୟ ମାଛିଗୁଡ଼ିକ ରହନ୍ତି ନାହିଁ, ରହିଲେ ମଧ୍ୟ ସେମାନଙ୍କର ବଂଶ ବୃଦ୍ଧି ହୁଏ ନାହିଁ । ରାଣୀମାଛି ଅନ୍ୟାନ୍ୟ ମାଛିଠାରୁ ବଡ଼ । ଏ ଆକାରରେ ଗୋଟିଏ ମାଛିର ଦି’ଗୁଣ ହେବ । ଏଣୁ ଏହାକୁ ସହଜରେ ଚିହ୍ନି ହୁଏ । ରାଣୀମାଛି କେବେ ପଦାକୁ ଯାଏ ନାହିଁ । ଅନ୍ୟ ମାଛି ମଧ୍ୟରେ ବିଭିନ୍ନ ଶ୍ରେଣୀର କର୍ମୀ ଥାନ୍ତି । ଦଳେ ଗୃହରକ୍ଷୀ, ଦଳେ ପରାଗ ଆଣନ୍ତି ଓ ଦଳେ ମହୁ ଆଣନ୍ତି ।

 

କର୍ମୀମାନେ ପ୍ରଥମାବସ୍ଥାରେ ଅତି ଚଞ୍ଚଳ ପରାଗ ଆଣି ତଳଘରାରେ ଥିବା ଫ୍ରେମଗୁଡ଼ିକରେ ଫେଣା ନିର୍ମାଣ କରନ୍ତି । ରାଣୀମାଛି କେବଳ ତଳ ଘରାରେ ରହେ ଓ ସେଥିରେ ଥିବା ଫେଣାରେ ଡ଼ିମ୍ବଦିଏ । ଏହି ଫେଣାଗୁଡ଼ିକର ଉପର ଅଂଶରେ ଏକଇଞ୍ଚ ପର୍ଯ୍ୟନ୍ତ ମହୁ ଓ ଅନ୍ୟ ଅଂଶରେ ଡିମ୍ବ ଥାଏ । ରାଣୀ ଦିନକୁ ପ୍ରାୟ ପାଞ୍ଚଶହ ଡିମ୍ବଦିଏ । ନୂଆ ଫେଣାରେ ରାଣୀ ଆଗ୍ରହରେ ଡିମ୍ବଦିଏ ଓ ପୁରୁଣା ଫେଣାରେ କର୍ମୀମାନେ ମହୁ ସଞ୍ଚୟ କରନ୍ତି ।

 

ତଳଘର ପୂର୍ଣ୍ଣ ହେଲେ ସେଥିରୁ କେତୋଟି ଫେଣା କାଟି ସୁପରରେ ଥିବା ଫ୍ରେମରେ ଖଞ୍ଜାଯାଏ । ଏଥିରେ କର୍ମୀମାନେ ମହୁ ସଞ୍ଚୟ କରନ୍ତି । ଫେଣାଗୁଡ଼ିକରେ ମହୁ ପୂର୍ଣ୍ଣହେଲେ ମାଛିମାନେ ସେଗୁଡ଼ିକୁ ସିଲ୍‌କରିଦିଅନ୍ତି । ଏହି ମହୁ ଅତି ମୂଲ୍ୟବାନ୍‌ । ଏଥିରେ ଆଉ ଜଳୀୟ ଅଂଶ ନଥାଏ । ଏଣୁ ଏହା ବିଶେଷ ସ୍ୱାସ୍ଥ୍ୟପ୍ରଦ । ସେତେବେଳେ ଏହି ଫେଣାଗୁଡ଼ିକ ପଦାକୁ ଆଣି ସେଥିରୁ ମହୁ ବାହାର କରି ପୁଣି ଯଥା ସ୍ଥାନରେ ରଖି ଦିଆଯାଏ । ଏହାଦ୍ୱାରା ଫେଣାଗୁଡ଼ିକ ନଷ୍ଟ ହୁଏ ନାହିଁ-

 

ବସନ୍ତ ଋତୁରେ ବିଶେଷ ଫୁଲ ଥିବା ସମୟରେ ମହୁ ଆଦାୟ ହୁଏ । ବସନ୍ତ ଋତୁରେ ଘରାର ଅବସ୍ଥା ଅତି ଉଜ୍ଜ୍ୱଳ ଦେଖାଯାଏ । ଏହି ସମୟରେ ଅପର୍ଯ୍ୟାପ୍ତ ମହୁ ମିଳେ । ଏଣୁ ବେଶି ମହୁ ଆଦାୟ ହୁଏ । ଏପରି କି ଆମ୍ବ ବଉଳ ଥିବା ସ୍ଥଳରେ ପ୍ରତି ଚାରିଦିନରେ ଥରେ ମହୁ ଆଦାୟ ହୋଇପାରେ । ଏହି ସମୟରେ ମାଛିମାନଙ୍କର ଖାଦ୍ୟୋପଯୋଗୀ ପରାଗ ମଧ୍ୟ ପ୍ରଚୁର ମିଳେ ।

 

ଏହି ସମୟରେ ରାଣୀ ବେଶୀ ଅଣ୍ତାଦିଏ । କେତେ ଲୋକ ପଦ୍ମଫୁଲ ପୂର୍ଣ୍ଣ ପୁଷ୍କରିଣୀ ବା କୌଣସି ଉଦ୍ୟାନ ବା ରାଶି ଓ ସୋରିଷ ଫୁଲ ପୂର୍ଣ୍ଣ ପୁଷ୍କରିଣୀ ବା କୌଣସି ଉଦ୍ୟାନ ବା ରାଶି ଓ ସୋରିଷ ଫୁଲ ପୂର୍ଣ୍ଣ କ୍ଷେତ୍ର ନିକଟରେ ପେଡ଼ିରଖି ମହୁ ଆଦାୟ କରନ୍ତି । ବିଭିନ୍ନ ମହୁର ବର୍ଣ୍ଣ ଭିନ୍ନ ଓ ସ୍ୱାଦ ମଧ୍ୟ ଭିନ୍ନ । ସଜନା ମହୁର ବର୍ଣ୍ଣ ବୋତଲର ବର୍ଣ୍ଣ ସହିତ ମିଶିଯାଏ, ବଉଳ ମହୁ ଘନ ଏବଂ ନିମ୍ବ ମହୁ ପିତା । ଏହି ଭେଦ ଦେଖିଲେ ଯେ କୌଣସି ନୂତନ ବ୍ୟକ୍ତି ମନରେ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ ।

 

ସବୁଠାରୁ ବଡ଼ କଥା ହେଲା, ବିଭିନ୍ନ ଶତ୍ରୁ କବଳରୁ ଏମାନଙ୍କୁ ରକ୍ଷା କରିବା । ମହୁଘରା ଚତୁର୍ଦ୍ଦିଗରେ ସେମାନଙ୍କର ଶତ୍ରୁ ଘେରି ରହିଥାନ୍ତି । ଏଣ୍ତୁଅ ଓ ଝିଟିପିଟି ମାଛି ଖାଇବା ଉଦ୍ଦେଶ୍ୟରେ ସବୁବେଳେ ଘରାଆଗରେ ଜଗି ବସିଥାନ୍ତି । ବେଳେବେଳେ ଜନ୍ଦା ପିମ୍ପୁଡ଼ି ମଧ୍ୟ ଧାଡ଼ି ବାନ୍ଧି ପେଡ଼ି ଭିତରକୁ ଚାଲନ୍ତି । ଅନେକ ସମୟରେ ଫେଣାରେ ପୋକ ହୋଇଯାଏ । ଏଣୁ ଏ ସମସ୍ତ ବିପଦରୁ ଏହାକୁ ରକ୍ଷା କରିବାପାଇଁ ପ୍ରତି ସପ୍ତାହରେ ବା ଅନ୍ତତଃ ପ୍ରତି ପନ୍ଦର ଦିନରେ ଥରେ ଘରଗୁଡ଼ିକୁ ଖୋଲି ଦେଖିବା ଆବଶ୍ୟକ । ଅବଶ୍ୟ ଏଗୁଡ଼ିକ କୌଣସି ଶୁଣିବା ବ୍ୟକ୍ତି ପକ୍ଷରେ ଶ୍ରମସାଧ୍ୟ ପରି ଜଣାଯାଇ ପାରେ; କିନ୍ତୁ ଅଭ୍ୟସ୍ତ ହୋଇଗଲେ ଖେଳ କୌତୁକ ପରି ଗୋଟିଏ ସାଧାରଣ କର୍ମ ହୋଇଯାଏ । ଆଉ ଗୋଟିଏ କଥା, ମାଛି ବା ମହୁ ବେଶି ହେଲେ, ବିଶେଷ ଭାବରେ ବସନ୍ତ ଋତୁରେ ବେଶି ରାଣୀଖୋପ ହୁଏ । ସେତେବେଳେ ପୁରୁଣା ରାଣୀ ଦଳେ ମାଛି ଧରି ଉଡ଼ି ଚାଲିଯାଏ । କାରଣ ଗୋଟିଏ ଘରାରେ ଗୋଟିଏ ମାତ୍ର ରାଣୀ ରହେ । ଏଣୁ ଏପରି ନୂଆ ଖୋପ ହେଲେ ସେଗୁଡ଼ିକୁ ନଷ୍ଟ କରିଦେବା ଆବଶ୍ୟକ । ମାଛି ଊଣା ପଡ଼ିଗଲେ ମହୁ ଆଦାୟ କମିଯାଏ ।

 

ପେଡ଼ି ଖୋଲିଲେ ମାଛିମାନେ ଖୋଲିବା ଲୋକ ଉପରେ ବସନ୍ତି ଏବଂ ତାର ଚାରିପଟେ ଉଡ଼ନ୍ତି । ସେତିକିବେଳେ ଭୟକରି ମୁହଁ ହାତ ହଲାଇଲେ ମାଛିମାନେ ଆକ୍ରମଣ କରନ୍ତି-। ଏ ଭୟ ନ କରି କାଠ ପିତୁଳାଟି ପରି ସ୍ଥିରହୋଇ କାମ କରିବା ଆବଶ୍ୟକ । ଅତିରିକ୍ତ ଖରା, ଶୀତ ବା ବର୍ଷା ସମୟରେ ପେଡ଼ି ଖୋଲିବା ଉଚିତ ନୁହେ । ଏହି ଅବସ୍ଥାରେ ବହୁତ ମାଛି ମରିଯାନ୍ତି ଏବଂ ମାଛିମାନେ ପ୍ରବଳ ଭାବରେ ଆକ୍ରମଣ କରନ୍ତି । ରାଣୀ ଯଦି କୌଣସି କାରଣରୁ ନଷ୍ଟ ହୋଇ ଯାଏ ବା ଚାଲିଯାଏ, ତେବେ ଗୋଟିଏ ସଦ୍ୟ ଅଣ୍ତା ଅର୍ଥାର୍ଥ ଲାର୍ଭା ଅବସ୍ଥାରେ ଥିବା ଗୋଟିଏ ଫେଣା ସେ ଘରାରେ ଥୋଇଦେଲେ ମାଛିମାନେ ଗୋଟିଏ ରାଣୀ କରିଦିଅନ୍ତି । ଏଣୁ ଦୁଇ ତିନୋଟି ପେଡ଼ି ରଖିଲେ ମହୁମାଛି ପାଳନରେ ଅଧିକ ସୁବିଧା ହୁଏ ।

 

ସବୁକଥା ଲାଭ ଦୃଷ୍ଟିରୁ ବିଚାର କରାଯାଏ ନାହିଁ । ତାହାର ଉପାଦେୟତା, ସୌନ୍ଦର୍ଯ୍ୟବୋଧ ଓ କୌତୂହଳ ବିଷୟ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଏ । ମହୁ ଗୋଟିଏ ଅତି ଉପାଦେୟ ପଦାର୍ଥ । ଘରେ ପ୍ରତି ମୁହୂର୍ତ୍ତରେ ମହୁର ବ୍ୟବହାର ଥାଏ । ଏହାକୁ ଆମ ପୁରାଣ ଶାସ୍ତ୍ରରେ କବିମାନେ ଅମୃତ ବୋଲି ବର୍ଣ୍ଣନା କରନ୍ତି । ଏହା ତ୍ରିଦୋଷ ନାଶକ । ଶିଶୁ, ପ୍ରୌଢ଼, ରୁଗ୍‌ଣ ଓ ସୁସ୍ଥ ଲୋକଙ୍କ ପକ୍ଷରେ ଆବଶ୍ୟକ । ଆୟୁର୍ବେଦର କେବଳ କସ୍ତୁରୀ ଓ କର୍ପୂର ମିଶ୍ରିତ ଔଷଧ ବ୍ୟତୀତ ମହୁ ଅନ୍ୟ ସବୁ ଔଷଧର ଅନୁପାନ । ଏସବୁ ସତ୍ତ୍ୱେ ଏପରି ଏକ ମୂଲ୍ୟବାନ୍‌ ପଦାର୍ଥ ଆବଶ୍ୟକ ବେଳେ ଲୋକ ଖୋଜେ । ଅନେକ ସମୟରେ ନାନା ଅସୁବିଧା ଦର୍ଶାଇ ଏହାର ଅଭାବରେ ମଧ୍ୟ କାମ ଚଳାଇଦିଏ । କହିବାକୁ ଗଲେ ଜୀବନ ସହିତ ଏହାର ସଂପର୍କ ବେଶି । ଏଣୁ ପ୍ରତ୍ୟେକ ବ୍ୟକ୍ତି ପକ୍ଷରେ ମହୁମାଛି ପାଳନର ଉପାଦେୟତା ହୃଦୟଙ୍ଗମ କରିବା ଉଚିତ । ଏହା ସଙ୍ଗେ ସଙ୍ଗେ ଏତିକି ମଧ୍ୟ ମନେ ରଖିବା ଉଚିତ ଯେ, ଏ ଗୋଟିଏ କୁଟୀରଶିଳ୍ପ । ଏଥିରେ କୌତୂହଳ ଓ ଉପକାର ଭୟ ରହିଛି । ଏଣୁ ଘରେ ଘରେ ଏହି ଶିଳ୍ପ ରହିବା ଉଚିତ ।

Image

 

ବିଶ୍ୱଶାନ୍ତି ପ୍ରତି ଭାରତର ଦାନ

 

ବର୍ତ୍ତମାନ ପ୍ରଗତିର ଗୁଣ କୀର୍ତ୍ତନ ଯେତେ ବୃଦ୍ଧି ପାଉଛି, ବିଶ୍ୱଶାନ୍ତି ସେତେ ବିପନ୍ନ ହେବାରେ ଅନୁମିତ ହୁଏ । ଏକ ଦିଗରେ ଶିକ୍ଷା, ସଭ୍ୟତା ଓ ବିଶ୍ୱପ୍ରେମ ବୃଦ୍ଧିପାଇବା ସଙ୍ଗେ ସଙ୍ଗେ ଅନ୍ୟ ଦିଗରେ ବର୍ବର ଓ ଆନ୍ତ୍ରମଣାତ୍ମକ ମନୋଭାବରେ ମଧ୍ୟ ଅଭାବ ନାହିଁ । ପୁଣି ଧନ ଓ ବିଭିନ୍ନ ମାରାତ୍ମକ ଅସ୍ତ୍ରଶସ୍ତ୍ରରେ ବଳୀୟାନ୍ ଗଣତନ୍ତ୍ର ପକ୍ଷପାତୀ ରାଷ୍ଟ୍ର ଆମେରିକା ଏବଂ କମ୍ୟୁନିଷ୍ଟ ରାଷ୍ଟ୍ର ରୁଷିଆ ପରସ୍ପର ମଧ୍ୟରେ ନିଜ ନିଜ ମତବାଦର ପ୍ରସାର ଏବଂ ପ୍ରାଧାନ୍ୟ ପ୍ରତିଷ୍ଟା ଉଦ୍ଦେଶ୍ୟରେ ପ୍ରତିକ୍ଷେନ୍ତ୍ରରେ ପ୍ରତିଯୋଗିତା ଚଳାଇଛନ୍ତି । ତାହା ଫଳରେ ଉତ୍ତେଜନା ଓ ଅସୁସ୍ଥ ବାତାବରଣ ହ୍ରାସପାଇବା ପରିବର୍ତ୍ତେ ଅଧିକ ତୀବ୍ରତର ହେବାର ଦେଖାଯାଉଛି । ସେମାନଙ୍କ ପକ୍ଷରୁ ମଧ୍ୟ କଳେ ବଳେ କୌଶଳେ ପୃଥିବୀର ବିଭିନ୍ନ ଦୁର୍ବଳ ରାଷ୍ଟ୍ରଗୁଡ଼ିକୁ ନିଜ ପକ୍ଷକୁ ଟାଣି ନେବାପାଇଁ ବିଭିନ୍ନ ଉପାୟ ଅବଲମ୍ୱନ କରାଯାଉଛି । ଏହି ରାଷ୍ଟ୍ରମାନେ ମଧ୍ୟ ଆତଙ୍କିତ ହୋଇ ଯେ କୌଣସି ଗୋଟିଏ ପକ୍ଷକୁ ଢଳିବା ଛଡ଼ା ପରିନ୍ତ୍ରାଣ ନାହିଁ ବୋଲି ମନେ କରୁଛନ୍ତି ।

 

ଠିକ୍ ଏହି ଅବସ୍ଥା ଦେଖାଦେବା ସମୟରେ ସ୍ୱାଧୀନ ଭାରତ ନିଜକୁ ନିରପେକ୍ଷ ରାଷ୍ଟ୍ର ବୋଲି ଘୋଷଣା କରିଛି । ଏହି ଉଭୟ ରାଷ୍ଟ୍ର ମଧ୍ୟରୁ ଯେ କୌଣସି ଗୋଟିଏ ଅନୁଗତ ନ ହୋଇ ପ୍ରତି ସ୍ଥଳରେ ନିର୍ଭୀକ ଭାବରେ ନିଜର ସ୍ୱାଧୀନ ମତ ପ୍ରକାଶ କରିଛି ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କର ଅନ୍ୟାୟ ଓ ଅବାଞ୍ଚ୍ଥିତ ପ୍ରଭାବର ପ୍ରତିରୋଧ କରିବାକୁ ମଧ୍ୟ ପଶ୍ଚାତ୍‌ପଦ ହେଉ ନାହିଁ-। ଭାରତ ଗୋଟିଏ ବିରାଟ ଦେଶ, ପୁଣି ତାହାର ସୁସ୍ଥ ପରଂପରା ଓ ସସ୍କୃତିର ଯଥେଷ୍ଟ ଖ୍ୟାତ ରହିଛି-। ସେ ଅସ୍ତ୍ରଶସ୍ତ୍ରରେ ବଳୀୟାନ୍ ନ ହେଲେ ମଧ୍ୟ ଉପଯୁକ୍ତ କାରଣ ଏବଂ ନେହୁରୁଙ୍କର ବିରାଟ ବକ୍ତିତ୍ୱ ଯୋଗୁଁ ବିଶ୍ୱଦରବାରରେ ବିଶେଷ ସମ୍ମାନିତ ହେଉଛି । ଏଣୁ ପୃଥିବୀର ସବୁ ରାଷ୍ଟ୍ର ଉପରେ ଏହାର ପ୍ରଭାବ ପଡ଼ିଛି । ପୂର୍ବରୁ ଯେଉଁ ଦେଶଗୁଡ଼ିକ ନିଜକୁ ଅସହାୟ ମନେକରୁଥିଲେ, ସେମାନଙ୍କର ସାହାସ ବୃଦ୍ଧି ପାଇଛି ଓ ସେମାନେ ମଧ୍ୟ ଆବଶ୍ୟକ ସ୍ଥଳେ ନିଜର ସ୍ୱାଧୀନ ମତ ବ୍ୟକ୍ତ କରୁଛନ୍ତି । ଏଣୁ ପରୋକ୍ଷ ଭାବରେ ଭାରତର ନେତୃତ୍ତ୍ୱରେ ଗୋଟିଏ ନିରପେକ୍ଷ ଗୋଷ୍ଠୀ ଗଠିତ ହେଲା ବୋଲି କହିଲେ ଅସମୀଚୀନ ହେବନାହିଁ ।

 

ଏହାଦ୍ୱାରା ଶକ୍ତିଶାଳୀ ରାଷ୍ଟ୍ରମାନେ ବଳ ପ୍ରୟୋଗଦ୍ୱାରା ଅନ୍ୟକୁ ଗ୍ରାସ କରିବା ନୀତିରୁ କ୍ଷାନ୍ତ ହୋଇ ବିଭିନ୍ନ ରାଷ୍ଟ୍ରକୁ ନିଜ ପକ୍ଷକୁ ଟାଣି ନେବାପାଇଁ ଅନ୍ୟ କୌଶଳ ପ୍ରୟୋଗ କରୁଛନ୍ତି । ମୋଟ ଉପରେ ସାହାସର ସହିତ ଭାରତ ନିଜକୁ ନିରପେକ୍ଷ ବୋଲି ଘୋଷଣା କରି ନ୍ୟାୟମାର୍ଗରୁ ବିଚ୍ୟୁତ ନ ହେବାରୁ ଅବସ୍ଥା ବଦଳିଗଲା ।

 

ଦୁର୍ବଳ ରାଷ୍ଟ୍ରଗୁଡ଼ିକ ମଧ୍ୟ ନିଜ ଇଚ୍ଛା ଅନୁସାରେ ପରସ୍ପର ସଂପର୍କ ପ୍ରତିଷ୍ଠା କଲେ ଏବଂ ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକରେ ଯେ କୌଣସି ଅନ୍ୟାୟ ବିରୁଦ୍ଧରେ ସାହାସର ସହିତ ସ୍ୱାଧୀନ ମତ ପ୍ରକାଶ କଲେ । ବିଶ୍ୱ ଜନମତର ଏହି ଦୃଢ଼ତା ଦେଖି କୌଣସି କ୍ଷେନ୍ତ୍ରରେ ଯେ କୌଣସି ଶକ୍ତି ବଳ ପ୍ରୟୋଗ ନୀତିରୁ ନିବୃତ୍ତ ହୋଇ ବିଶ୍ୱ ଜନମତ ଉପରେ ଗୁରୁତ୍ୱ ଆରୋପ କଲେ । ଏଣୁ ଦୁର୍ବଳ ରାଷ୍ଟ୍ରଗୁଡ଼ିକର ମନରୁ ଭୟ ଓ ଆତଙ୍କ ଦୂର ହୋଇଗଲା । ଏହିପରି ପ୍ରତି କ୍ଷେତ୍ରରେ ଭାରତର ଭୂମିକା ବିଶ୍ୱଶାନ୍ତିର ସହାୟକ ହୋଇ ଆସିଛି । ଥରେ ସ୍ୱର୍ଗତ ନେହୁରୁ ସ୍ପଷ୍ଟଭାବରେ ମତ ଦେଇଥିଲେ ଯେ, ଶକ୍ତିଶାଳୀ ରାଷ୍ଟ୍ରମାନେ ଯଦି ଅସ୍ତ୍ରଶସ୍ତ୍ର ବଳରେ ବଳୀୟାନ୍ ହୋଇ ଅନ୍ୟ ଉପରେ ଚାପ ଦିଅନ୍ତି, ଆନ୍ତ୍ରାନ୍ତ ରାଜ୍ୟ ଏହା ଅନୁଚିତ ଓ ଅବୈଧ ବୋଲି କହିବାକୁ ସଂପୁର୍ଣ୍ଣ ହକଦାର । ଏଥିରେ ବିଶ୍ୱବାସୀ ଆଶ୍ୱସ୍ତ ହୋଇ ଶାନ୍ତିରେ ନିଜ କର୍ତ୍ତବ୍ୟ ସଂପାଦାନ କରିବାକୁ ଅଧିକ ଉତ୍ସାହିତ ହୋଇଛନ୍ତି ।

 

ଏହିପରି ଆନ୍ତର୍ଜାତିକ କ୍ଷେତ୍ରରେ ଅଶାନ୍ତିର କାରଣ ସ୍ୱରୁପ ଯେଉଁ ସମସ୍ୟା ଉପୁଜେ, ସହାବସ୍ଥାନ ନୀତିରେ ତାହାର ସମାଧାନ କରିବାପାଇଁ ଭାରତ ଆଗଭର ହୁଏ । ସେ ସର୍ବଦା ଜାତିସଂଙ୍ଘକୁ ଏକ ଶକ୍ତିଶାଳୀ ସଂଗଠନ ରୂପେ ଗଠନ କରିବାପାଇଁ ମତଦେଇ ଆସିଛି । ଏହି ଉଦ୍ଦେଶ୍ୟରେ କମ୍ୟୁନିଷ୍ଟ ଚୀନକୁ ଜାତିସଂଙ୍ଘର ସଭ୍ୟରୂପେ ଗ୍ରହଣ କରିବାପାଇଁ ଭାରତର ମତ ସର୍ବଦା ଅବ୍ୟାହତ ରହିଛି । ଚୀନଭଳି ଗୋଟିଏ ଶକ୍ତି ଯଦି ବାହାରେ ରହିଯାଏ, ଜାତି ସଂଙ୍ଘ ଦୁର୍ବଳ ହୋଇଯିବ, ପୁଣି ସେ ଯଦି ସଂଙ୍ଘର ସଭ୍ୟ ହୋଇ ରହେ, ସ୍ୱେଚ୍ଛାଚାରୀ ହୋଇପାରିବ ନାହିଁ ଏବଂ ତାହାକୁ ଆୟତ୍ତ କରିବା ସହଜ ହେବ ।

 

ଏହା ଛଡ଼ା ଉତ୍ତର ଓ ଦକ୍ଷିଣ କୋରିଆ, ଇଣ୍ଡୋନେସିଆ ଓ ମଧ୍ୟପ୍ରାଚ୍ୟ ସଂଘର୍ଷରେ ଭାରତ ସାହସିକ ଓ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଆସିଛି । ଏହି ସ୍ଥଳରେ ମଧ୍ୟ ଆମେରିକା ଓ ଋଷିଆ ବିଭିନ୍ନ ପକ୍ଷକୁ ସମର୍ଥନ କରି ଯୁଦ୍ଧରେ ପ୍ରବୃତ୍ତ ହେଲେ । ଏତିକି ବେଳେ ଭାରତ ମଧ୍ୟସ୍ଥ ହୋଇ ଶାନ୍ତିପ୍ରତିଷ୍ଠା କରିଥିଲା ଏବଂ ବିବାଦମାନ ଅଞ୍ଚଳରେ ନିଜର ଶାନ୍ତିସେନା ରଖି ଉଭୟ ପକ୍ଷର ମିଳାମିଶାପାଇଁ ଉଦ୍ୟମ କରିଥିଲା ।

 

ପୃଥିବୀରୁ ସାମ୍ରାଜ୍ୟବାଦର ବିଲୋପ ଏବଂ ଉପନିବେଶବାଦର ଅବସାନ ଘଟାଇବାପାଇଁ ଭାରତର ଉଦ୍ୟମ ଅବ୍ୟାହତ ରହିଛି । ଭାରତର ମତରେ ଯେ ଯେଡ଼େ କ୍ଷୁଦ୍ରରାଜ୍ୟ ହେଲେ ମଧ୍ୟ ସ୍ୱାଧୀନ ହୋଇ ରହିବ ଓ ନିଜ କଥା ନିଜେ ବୁଝିବ । ସେ ରାଜନୈତିକ ଦଳ ଗଠନ ଏବଂ ସାମରିକ ମେଣ୍ଟକୁ ନିନ୍ଦାକରେ । ଏହାଦ୍ୱାରା ଦେଶ ଦେଶ ମଧ୍ୟରେ ଅସହଯୋଗ ଓ ଅସଦ୍‌ଭାବ ବୃଦ୍ଧିପାଏ, ଶାନ୍ତି ବ୍ୟାହତ ହୁଏ ।

 

ପୃଥିବୀରୁ ଯୁଦ୍ଧ ଭୟ ଦୂର କରିବାପାଇଁ ଭାରତ ନିରସ୍ତ୍ରୀକରଣ ପ୍ରସ୍ତାବର ଅଗ୍ରଣୀ ଥିଲା-। ତାହା ଯେପରି ଯଥାଯଥ ଭାବରେ କାର୍ଯକାରୀ ହେବ, ସେଥିପାଇଁ ମଧ୍ୟ ସେ ସର୍ବଦା ସତର୍କ ଓ ତତ୍‍ପର ରହେ । ସେ ସବୁବେଳେ ମତଦେଇ ଆସିଛି କି ପରମାଣୁ ଶକ୍ତିର ଅପବ୍ୟବହାରଯୋଗୁଁ ପୃଥୀବ ଗୋଟିଏ ରଣକ୍ଷେତ୍ରରେ ପରିଣତ ହେବାକୁ ଯାଉଛି । ଏଣୁ ପରମାଣୁ ଶକ୍ତିକୁ ଜନହିତକର ଯୋଜନାରେ ବିନଯୋଗ କରିବାପାଇଁ ବିଶ୍ୱବାସୀଙ୍କୁ ନିବେଦନ କରିଆସିଛି ଏବଂ ପଡ଼ୋଶୀ ଚୀନ୍‍ ପ୍ରତିକ୍ଷେତ୍ରରେ ଭାରତର ଶତ୍ରୁତା ଆଚରଣ କରୁଛି । ଅନ୍ୟ ଦେଶ ପରମାଣୁ ବୋମା ନିର୍ମାଣ କରିବା ସତ୍ତ୍ୱେ ଭାରତ ଏପରି ବୋମା ନ କରି ଏହି ଶକ୍ତିକୁ ଦେଶହିତକର କାମରେ ବିନିଯୋଗ କରିଆସୁଛି-। ବିଶ୍ୱଶାନ୍ତିପାଇଁ ତାହାର କେତେ ଦୂର ହାର୍ଦ୍ଦିକତା ରହିଛି, ତାହା ଏଥିରୁ ସୁଚିତ ହୁଏ । ନିଜେ ବିପନ୍ନ ହୋଇ ସୁଦ୍ଧା ନିଜ ନୀତିରେ ଅଟଳ ରହିବା କମ ଗୌରବର ବିଷୟ ନୁହେ ।

 

ନେହୁରୁଙ୍କର ପଞ୍ଚଶୀଳ ନୀତି ବିଶ୍ୱଶନ୍ତିପାଇଁ ଏକ ବଳିଷ୍ଠ ପଦକ୍ଷେପ । ଏଥିରେ ସଂପୂର୍ଣ୍ଣ ଭାବରେ ସ୍ୱୀକାର କରାଯାଇଛି ଯେ, କୌଣସି ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ କେହି ହସ୍ତକ୍ଷେପ କରିବେ ନାହିଁ, ବିଭିନ୍ନ ଦେଶ ସହଯୋଗ ଓ ବୁଝାମଣା ନୀତିରେ ପାରସ୍ପରିକ ବିବାଦ ତୁଟାଇବେ । ମୋଟ ଉପରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି କେବଳ ବିଶ୍ୱଶାନ୍ତି ପ୍ରତିଷ୍ଠା ଏକମାତ୍ର ପନ୍ଥା ବୋଲି ଏଥିରେ ଦୃଢ଼ ଭାବରେ ସ୍ୱୀକାର କରାଯାଇଛି । ପୃଥିବୀର ବହୁ ରାଷ୍ଟ୍ର ଏହି ନୀତି ଗ୍ରହଣ କରିଛନ୍ତି ଓ ପ୍ରାୟ ସମସ୍ତେ ଏହାକୁ ସମ୍ମାନ ଦେବା ସଙ୍ଗେ ସଙ୍ଗେ ଏହା ବିଶ୍ୱଶାନ୍ତିର ଏକମାତ୍ର ପନ୍ଥା ବୋଲି ସ୍ୱୀକାର କରନ୍ତି ।

 

ଭାରତର ଏହି ନିରପେକ୍ଷ ନୀତି ପୃଥିବୀର ଦୁର୍ବଳ ଜାତିମାନଙ୍କ ମଧ୍ୟରେ ଆଶାର ସଂଚାର କରିଛି ଏବଂ କ୍ରମେ ଅଧିକରୁ ଅଧିକ ରାଷ୍ଟ୍ର ନିରପେକ୍ଷ ନୀତି ଗ୍ରହଣ କରିବା ଫଳରେ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କର ପ୍ରଭାବ ହ୍ରାସପାଇଛି । ଆମେରିକା ଓ ଋଷିଆ ମଧ୍ୟ ଭାରତର ନିରପେକ୍ଷ ନୀତି ପ୍ରତି ସମ୍ମାନ ପ୍ରଦର୍ଶନ କରୁଛନ୍ତି । ଏଣୁ କ୍ରମେ ପୃଥିବୀର ଅନିଶ୍ଚିତ, ଆତଙ୍କଗ୍ରସ୍ତ ବାତାବରଣ ଶାନ୍ତି ହେବାକୁ ଲାଗିଛି । ତାହା ସମୁବେଳେ ଅବ୍ୟାହତ ରହିଥିବ ।

Image

 

ଚନ୍ଦ୍ରଲୋକ

 

ଆମେ ପୁରାଣରେ ବର୍ଣ୍ଣିତ ଅଛି ଯେ, ଆମେ ଆକାଶମଣ୍ଡଳରେ ଯେଉଁ ଚନ୍ଦ୍ର ଦେଖୁ ତାହା ଦିନେ କ୍ଷୀରସାଗରରୁ ଉତ୍‌କ୍ଷିପ୍ତ ହୋଇ ମହାଶୁନ୍ୟକୁ ଚାଲିଯାଇଛି । ଚନ୍ଦ୍ରର ଶୁଭ ଓ ସ୍ୱଚ୍ଛ ରୂପେ ଦେଖି ଏପରି କଳ୍ପନା କରାଯାଇଛି ବା କ୍ଷୀରସାଗରର ଅଂଶଯୋଗୁଁ ତାହାର ଏହି ଦିବ୍ୟରୂପ, ସେକଥା ଜାଣିବାର କୌଣସି ଉପାୟ ନାହିଁ । କିନ୍ତୁ ମନେହୁଏ କ୍ଷୀରର ଘନୀଭୂତ ଅଂଶରେ କେବଳ ଚନ୍ଦ୍ରପରି ଏକ ନିର୍ମଳ ଓ ସ୍ୱଚ୍ଛ ବସ୍ତୁ ଗଠିତ ହେବା ସଂଭବ । ପ୍ରକୃତିର ମହାଶକ୍ତି ଆଗରେ କୌଣସି କଥା ଅସମ୍ଭବ ନୁହେ। ଐତିହାସିକମାନଙ୍କଦ୍ୱାରା ମଧ୍ୟ ଉକ୍ତ ପୌରାଣିକ ମତ ପ୍ରକାରନ୍ତରେ ସମର୍ଥିତ ହୁଏ । ସେମାନଙ୍କ ମତରେ ଭୂକମ୍ପ ବା ଅନ୍ୟ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପ୍ରଶାନ୍ତ ମହାସାଗରୁ ଗୋଟିଏ ବିଶାଳ ଭୂଖଣ୍ଡ ଆକାଶ ମଣ୍ଡଳକୁ ଯାଇ ପୃଥିବୀଠାରୁ ୨ଲକ୍ଷ ୪୦ ହଜାର ମାଇଲ ଦୂରରେ ମହାକର୍ଷଣ ଶକ୍ତି ବଳରେ ପୃଥିବୀ ପରିକ୍ରମା କରେ ।

 

ଏହି ଚନ୍ଦ୍ର ଅଜ୍ଞ ଶିଶୂଠାରୁ ଆରମ୍ଭ କରି ବଡ଼ବଡ଼ କବି, ସାଧକ ଓ ଦାର୍ଶନିକ ପର୍ଯନ୍ତ ସମସ୍ତଙ୍କର ପରମ ପ୍ରିୟ । ସେ ଏକାଧାରରେ ଶିଶୁର କ୍ରୀଡ଼ନକ, କବିର ଦୃଷ୍ଟାନ୍ତ ଓ କାବ୍ୟର ଆଧାର । ଭାରତରେ ଛୋଟ ବଡ଼ ଏପରି କୌଣସି କାବ୍ୟ କବିତା ନ ଥିବ, ଯହିଁରେ ଚନ୍ଦ୍ର ଉପେକ୍ଷିତ । ଚନ୍ଦ୍ର ମହାକାବ୍ୟର ଅନ୍ୟତମ ଉପାଦାନ । ତାହାର ସୌନ୍ଦର୍ଯ୍ୟ ବା ଅନ୍ୟ କୌଣସି ଗୁଣରେ ମୁଗ୍‌ଧ ହୋଇ କବିମାନେ ତାହାକୁ ଅମୃତର ଭଣ୍ଡାର ଆଖ୍ୟା ଦିଅନ୍ତି । କବିମାନଙ୍କ ମତରେ ଶୈତ୍ୟ, ସୌନ୍ଦର୍ଯ୍ୟ, ଶୁଭ୍ରତା ଓ ବର୍ତ୍ତୁଳତାର ଏକମାତ୍ର ଦୃଷ୍ଟାନ୍ତ ଚନ୍ଦ୍ର । ଏପର୍ଯ୍ୟନ୍ତ ଜ୍ୟୋତିର୍ବିଦ,ବୈଜ୍ଞାନିକ ଓ ସାଧକମାନେ ଅନୁମାନ କରି ଚନ୍ଦ୍ର ବିଷୟରେ ଅନେକ ଆଲୋଚନା କରୁଥିଲେ । ବର୍ତ୍ତମାନ ମନ୍ୟଷ୍ୟ ଚନ୍ଦ୍ର ପୃଷ୍ଠରେ ଅବତରଣ କରିପାରିଛି । ଏଣୁ ସେ ଚନ୍ଦ୍ର ସମ୍ପର୍କରେ ଅନେକ ନୁତନ ତଥ୍ୟ ପରିବେଷଣ କରିବାକୁ ସମର୍ଥ ହେବ ।

 

ଏବେ ଚନ୍ଦ୍ର ପୃଷ୍ଠରୁ ଯେଉଁ ଶିଳା ଅଣାଯାଇଛି, ସେଥିରୁ ଜଣାଯାଏ ଯେ, ଚନ୍ଦ୍ର ଅତିପୁରାତନ ଶିଳାରେ ଗଠିତ । ଚନ୍ଦ୍ରର ଉପରିଭାଗ ବନ୍ଧୁର ଏବଂ ବହୁ ଅକର୍ମଣ୍ୟ ଶିଳାରେ ପୂର୍ଣ୍ଣ । ମୁହୁର୍ମୁହୁ ଭୂମିକମ୍ପଯୋଗୁଁ ଏଠାରେ ଅନେକ ଗହ୍ୱର ଦେଖାଯାଏ । ଏହା ଛଡ଼ା ଏଥିରେ ଅନେକ ଶୁଷ୍କସାଗର ଓ ହ୍ରଦ ରହିଛି । ଏଗୁଡ଼ିକ ପୃଥିବୀକୁ କଳଙ୍କ ପରି ଦେଖାଯାଏ । ଚନ୍ଦ୍ରର ଉପରିଭାଗ ବହୁ ନରମ ଧୁଳିରେ ମଧ୍ୟ ପୁର୍ଣ୍ଣ । ଏହି ଧୁଳି ଶୁଖିଲା । ତଥାପି ତାହା ତଳେ ଥିବା ମାଟି ଓଦାଳିଆ । ଏହି ଧୁଳିରେ ସ୍ୱର୍ଣ୍ଣରେଣୁ ଥିବା ସମ୍ଭବ ବୋଲି ବୈଜ୍ଞାନିକମାନେ ଅନୁମାନ କରନ୍ତି । ଚନ୍ଦ୍ରପୃଷ୍ଠରେ ଅତି ଅଳ୍ପ ସମତଳ ଭୂମି ଦେଖାଯାଏ । ଏପରି ଭୂଭାଗ କଠିନ ଲାଭା ମୃତ୍ତିକାରେ ଗଠିତ । ଆପୋଲୋ ୧୧ଯାନଟି ଏପରି ଏକ ସମତଳ ଭୂମିରେ ଅବତରଣ କରିଥିଲା ।

ଚନ୍ଦ୍ରର ଚୁମ୍ବକୀୟ ଶକ୍ତି ପୃଥିବୀର ଚୁମ୍ବକୀୟ ଶକ୍ତିର ଶତକଡ଼ା ୧୧/୪ ଭାଗ । ଏହାର କମ୍ପନ ମଧ୍ୟ ପୃଥିବୀଠାରୁ ଊଣା ଏବଂ ଏହାର ଆକର୍ଷଣ ଶକ୍ତି ପୃଥିବୀର ଛ’ଭାଗରୁ ଏକଭାଗ । ଏଣୁ ଚନ୍ଦ୍ର ପୃଷ୍ଠରେ ଚାଲିଲା ସମୟରେ କଙ୍ଗାରୁ କୁଦାମାରିଲା ପରି ଦେଖାଯାଏ । ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରପୃଷ୍ଠରେ ଚାଲିବା ସମୟରେ କହିଛନ୍ତି ‘‘ଏହା ମନୁଷ୍ୟ ପାଇଁ ଏକ ଛୋଟିଆ ପାହୁଣ୍ଡ’’ । ଚନ୍ଦ୍ରପୃଷ୍ଠରେ ଚାଲିବା ସମୟରେ ସାମାନ୍ୟ ବଳ ପ୍ରୟୋଗ କରି ଡ଼େଇଁ ଡ଼େଇଁ ଚାଲିବାକୁ ହୁଏ । କୋଡ଼ି କାଙ୍କର ଓଜନ ମଧ୍ୟ ଏଠାରେ ଛ’ଭାଗରୁ ଏକଭାଗ । ତଥାପି ଏହାଦ୍ୱାରା ବେଶି ସମୟ କାମ କରିହେବ ନାହିଁ । ଟ୍ୟାଙ୍କ ଜୀପ ପ୍ରଭତିର ଅବସ୍ଥା ମଧ୍ୟ ଏଠାରେ ଅନୁରୂପ ଅସୁବିଧାଜନକ । ଏଣୁ ଏଠାରେ ଚଳାଚଳପାଇଁ କେତେକ ସ୍ୱତନ୍ତ୍ର ଯାନ ନିର୍ମିତ ହେବାର ଜଣାଯାଏ ।

ଚନ୍ଦ୍ରଲୋକର ପୋଷକ ମଧ୍ୟ ସଂପୂର୍ଣ୍ଣ ସ୍ୱତନ୍ତ୍ର । ଭୂପୃଷ୍ଠର ପୋଷାକ ପିନ୍ଧି ସେଠାରେ ଭ୍ରମଣ କରିବା ଆଦୌ ସଂଭବ ନୁହେଁ । ସେଠାରେ ଭ୍ରମଣ କରିବାପାଇଁ ମହାଶୁନ୍ୟ ପୋଷାକ ପିନ୍ଧିବାକୁ ହେବ । ଏହି ପୋଷାକ ପିନ୍ଧି ମଧ୍ୟ ଏଠାରେ ଏକାଦିକ୍ରମେ ତିନି ଘଣ୍ଟାରୁ ଅଧିକ ସମୟ କାମ କରିହେବ ନାହିଁ ଏବଂ ତିନିଚାରି କିଲୋମିଟରରୁ ଅଧିକ ଦୂର ଯାନ୍ତ୍ରା କରିବା ମଧ୍ୟ ସଂଭବ ନୁହେଁ। ଏଣୁ ଏଠାରେ ବହୁ ସମୟ କାମ କରିବାପାଇଁ କେତେକ ସ୍ୱତନ୍ତ୍ର ଯାନ ନିର୍ମିତ ହେବାର ଜଣାଯାଏ । ଏହି ଯାନଗୁଡ଼ିକ ବାୟୁପୁର୍ଣ୍ଣ ହୋଇଥିବ । ଏଥିରେ ରହି ଶ୍ରମିକମାନେ ଅକ୍ଳଶରେ ବହୁ ସମୟ କାମ କରିପାରିବେ ।

ଚନ୍ଦ୍ରରେ ବାୟୁ ନାହିଁ, ଜଳ ନାହିଁ ଏବଂ ସେଠାରେ କୌଣସି ଜୀବ ବା ଉଦ୍ଭିଦ ନାହିଁ । ତେବେ ସେଠାରେ ମନୁଷ୍ୟର ବସତି ସ୍ଥାପନ ଏକ ଅବସ୍ତାବ କଳ୍ପନା ବୋଲି କୁହାଯାଇପାରେ । ବିଜ୍ଞାନ ବଳରେ ବହୁ ଅସମ୍ଭବ କଥା ସମ୍ଭବ ହୋଇପାରେ । ସେଠାରେ ଭୁଗର୍ଭରେ ଓ ବାହାରେ ଏପରି ଘର ନିର୍ମିତ ହେବ, ଯେଉଥିରେ ବାୟୁ ପୂର୍ଣ୍ଣହୋଇ ରହିବ । ଏପରି ଘରେ ମନୁଷ୍ୟ ଅତି ସୁବିଧାରେ ରହିପାରେ । ଏପରି କି କାଳକ୍ରମେ ଭୂପୃଷ୍ଠରୁ ମଧ୍ୟ ଚନ୍ଦ୍ରଲୋକକୁ ଏକ ବାୟୁସ୍ରୋତ ନିଆଯାଇପାରେ । ଚନ୍ଦ୍ରପୃଷ୍ଠର ମାଟି ଓଦାଳିଆ । ଏଣୁ ଚନ୍ଦ୍ରରେ ଜଳ ଥିବା ବିଶ୍ୱାସ କରାଯାଏ । ଯଦି ସେଠାରେ ଜଳ ନଥାଏ, ତେବେ ଜଳପାଇଁ ଅନ୍ୟ ଚିନ୍ତା କରିବାକୁ ହେବ ।

ଚନ୍ଦ୍ରଲୋକ ଅଭିଯାନପାଇଁ ବହୁ ଚିନ୍ତା ହେଲାପରେ ୧୯୪୮ ଅକ୍ଟୋବର ୪ ତାରିଖ ଦିନ ପ୍ରଥମ ଉପଗ୍ରହ ଆକାଶ ମଣ୍ଡଳକୁ ଛଡ଼ା ଯାଇଥିଲା । ଏହାର କ୍ରମିକ ଉନ୍ନତି ଘଟିବା ସଙ୍ଗେ ସଙ୍ଗେ ୧୯୬୧ ମସିହା ଅପ୍ରେଲ ୧୨ତାରିଖ ଦିନ ଋଷିଆର ଜଣେ ବୈଜ୍ଞାନିକ ଗାଗାରିନ୍ ସର୍ବପ୍ରଥମେ ମହାକାଶକୁ ଯାଇ ପୃଥିବୀ କକ୍ଷରେ ପରିକ୍ରମା କରିଥିଲେ । ଏହିପରି ବିଭିନ୍ନ ସମୟରେ ଆମେରିକା ଓ ଋଷିଆ ପକ୍ଷରୁ ମହାଶୁନ୍ୟରେ ବିଭିନ୍ନ ପରୀକ୍ଷା ହେବା ମଧ୍ୟରେ ୧୯୬୯ ମେ ୧୮ ତାରିଖରେ ଆମେରିକା ଫୋର୍ଡ଼ ଓ ସାର ନାମକ ବ୍ୟକ୍ତିଦ୍ୱୟ ଆପୋଲୋ ୧୦ ଯାନରେ ମହାକାଶକୁ ଯାଇ ସେଠାରୁ ଚନ୍ଦ୍ରଯାନ ଯୋଗେ ଚନ୍ଦ୍ରପୃଷ୍ଠର ନ’ମାଇଲ ଦୂରରୁ ପରିକ୍ରମା କରିଥିଲେ-

ସେହି ବର୍ଷ ଜୁଲାଇ ୧୬ ତାରିଖ ଦିନ ଆମେରିକାର ତିନିଜଣ ମହାକାଶଚାରୀ ଆପୋଲୋ ୧୧ ଯାନରେ ଚନ୍ଦ୍ରଲୋକ ଯାନ୍ତ୍ର ଆରମ୍ଭ କରିଥିଲେ । ସେମାନଙ୍କ ମଧ୍ୟରୁ ଆର୍ମଷ୍ଟ୍ରଙ୍ଗ ୨୧ ତାରିଖ ସକାଳ ଆଠଟା ୨୭ ମିନିଟରେ ସର୍ବପ୍ରଥମେ ଚନ୍ଦ୍ରପୃଷ୍ଠରେ ପାଦ ଦେଇଥିଲେ । ଏହାପରେ ଆଲଡ଼୍ରିନ ମଧ୍ୟ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲେ । ଆର୍ମଷ୍ଟ୍ରଙ୍ଗ ତିନିଘଣ୍ଟା ଏବଂ ଆଲଡ଼୍ରିନ ଦୁଇଘଣ୍ଟା ଚନ୍ଦ୍ରପୃଷ୍ଠରେ ବୁଲି ସେଠାରୁ କୋଡ଼ିଏ ପାଉଣ୍ଡ ମାଟି ଗୋଡ଼ି ଭୂପୃଷ୍ଠକୁ ଆଣିଥିଲେ । ଚନ୍ଦ୍ରପୃଷ୍ଠରୁ ଯେଉଁ ଶିଳା ଅଣା ଯାଇଥିଲା, ତାହା ପୃଥିବୀର ବିଭିନ୍ନ ଦେଶକୁ ସରକାଙ୍କଦ୍ୱାରା ପଠାଯାଇଛି ।

ଅପୋଲୋ ୧୧ ଯାନଟିରେ ଚନ୍ଦ୍ରଯାନ ଖଞ୍ଜା ଯାଇଥିଲା । ଚନ୍ଦ୍ର ନିକଟରେ ଦୁଇଜଣ ଯାନ୍ତ୍ରୀ ଚନ୍ଦ୍ରଯାନରେ ବସି ଅପୋଲୋ ଯାନରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠକୁ ଯାଇଥିଲେ । ଏହି ଯାନଟି ୩୫ ମହଲାର ବିଶାଳ କୋଠାପରି ଗୋଟିଏ ରକେଟରେ ମହାଶୂନ୍ୟକୁ ପଠା ଯାଇଥିଲା । ଏହି ରକେଟରେ ଅନେକ କୋଠରୀ ଥାଏ ଓ ସେଥିରେ ନିଆଁ ଜଳୁଥାଏ । ଯେଉଁ ଚନ୍ଦ୍ରଲୋକ ଅଭିଯାନ କଳ୍ପନା ଦିନେ ହାସ୍ୟାସ୍ପଦ ଓ ଅବାସ୍ତବ ମନେ ହେଉଥିଲା, ଆଜି ତାହା ସତ୍ୟରେ ପରିଣତ ହୋଇଛି ।

Image

 

ପଞ୍ଚବାର୍ଷିକ ଯୋଜନା

 

ପଞ୍ଚବାର୍ଷିକ ଯୋଜନା ଅର୍ଥ ପାଞ୍ଚବର୍ଷ ମଧ୍ୟରେ ଦେଶରେ ଶିକ୍ଷା,ସ୍ୱାସ୍ଥ୍ୟ,ଶିଳ୍ପ ପ୍ରଭୃତି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବାପାଇଁ ଦେଶର ସରକାରଙ୍କ ପକ୍ଷରୁ ଯେଉଁ ସିଦ୍ଧାନ୍ତ ଗ୍ରହଣ କରାଯାଏ । ପୃଥିବୀରେ ଯେଉଁ କେତେ ଉର୍ନ୍ନତ ଓ ପ୍ରଗତୀକାମୀ ରାଷ୍ଟ୍ର ଏହି ଯୋଜନା କରୁଛନ୍ତି, ଭାରତ ସେମାନଙ୍କ ମଧ୍ୟରେ ଅନ୍ୟତମ । ସ୍ୱାଧୀନତା ପାଇଲା ପରେ ଭାରତ ସରକାରଙ୍କଦ୍ୱାରା ବହୁ ଅର୍ଥ ବ୍ୟୟରେ ଭାରତରେ ଏହିପରି ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ କରାଯାଉଛି ।

 

ଉନ୍ନତ ରାଷ୍ଟ୍ରଗୁଡ଼ିକ ଏପରି ଅନେକ ଯୋଜନା କରି ବିଶ୍ୱରେ ପ୍ରଥମଶ୍ରେଣୀ ରାଷ୍ଟ୍ରରୂପେ ଖ୍ୟାତ ଅର୍ଜନ କରିଛନ୍ତି । ୧୯୧୭ ପରେ ଋୁଷିଆ କେତୋଟି ପଞ୍ଚବାର୍ଷିକ ଯୋଜନାଦ୍ୱାରା ଶିକ୍ଷା,ଶିଳ୍ପ ଓ ଅର୍ଥ ନୀତି କ୍ଷେତ୍ରରେ ଅଭୂତପୂର୍ବ ଉନ୍ନତି କରିଥିବା ଜଣାଯାଏ । ବର୍ତ୍ତମାନ ଭାରତରେ କେତୋଟି ପଞ୍ଚବାର୍ଷିକ ଯୋଜନା କାର୍ଯକାରୀ ହେବା ଫଳରେ ବହୁ ପରିମାଣରେ ଉତ୍ପାଦନ ବୃଦ୍ଧି ପାଉଛି । ବିଭିନ୍ନ ଶିଳ୍ପ କ୍ଷେତ୍ରରେ ମଧ୍ୟ ଅଗ୍ରଗତି ହେବାର ଦେଖାଯାଏ । କେତେ ଶିଳ୍ପରେ ଭାରତ ସ୍ୱାବଲମ୍ବୀ ହୋଇ ପାରିଛି ଏବଂ ଅନେକ ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ଆୟୋଜନ ଚାଲିଛି । ଆଉ କେତୋଟି ଯୋଜନା ପରେ ଭାରତ ସବୁ ଦିଗରେ ସ୍ୱାବଲମ୍ବୀ ହେବା ସୁନିଶ୍ଚିତ । ବିଶେଷ ଭାବରେ ଅନୁନ୍ନତ ଅଞ୍ଚଳ ଗୁଡ଼ିକ ଏହି ଯୋଜନାଦ୍ୱାରା ବିଶେଷ ଉପକୃତ ହୁଏ । ଦେଶର ଜନସାଧାରଣଙ୍କର ଜୀବନ ଧାରଣର ମାନବୃଦ୍ଧି ହେଲା । ଯୋଜନାଗୁଡ଼ିକର ଲକ୍ଷ୍ୟ । ଏଣୁ କୃଷିର ଉନ୍ନତି, କର୍ମ ସଂସ୍ଥାନର ଅନୁକୂଳ ଅବସ୍ଥା ସୃଷ୍ଟିକରି ବେକାର ସମସ୍ୟା ଦୂରକରିବା, ଶିକ୍ଷା,ସ୍ୱାସ୍ଥ୍ୟ, ଗ୍ରାମ ଉନ୍ନୟନ,ଗମନାଗମନ ପଥ ପ୍ରଭୃତିର ସାଧନ, ଜାତୀୟ ଆୟର ଅଭିବୃଦ୍ଧି ପ୍ରଭୃତିର ବ୍ୟବସ୍ଥା ଏହି ଯୋଜନାର ଅନ୍ତର୍ଗତ ।

 

ଯୋଜନା ପୂର୍ବରୁ ଏକ ବିଶେଷଜ୍ଞ ଦଳ ବସି ନିର୍ଦ୍ଧାରଣ କରନ୍ତି-ବର୍ତ୍ତମାନ ଦେଶରେ କି କି ପଦାର୍ଥର ଅଭାବ ରହିଛି, ଦେଶର ନିତାନ୍ତ ଆବଶ୍ୟକତା କ’ଣ, ଏଥିପାଇଁ ଦେଶର ସମ୍ବଳ କେତେ, କେଉଁ ଉପାୟରେ ବୈଦେଶିକ ସାହାର୍ଯ୍ୟ ମିଳିବ ଓ କିପରି ତାହା ଗ୍ରହଣ କରାଯିବ,ଖାଦ୍ୟ ପଦାର୍ଥ ଓ ନିତାନ୍ତ ଆବଶ୍ୟକ ଶିଳ୍ପରେ ଦେଶ କିପରି ସ୍ୱାବଲମ୍ବୀ ହେବ, ବୃହତ୍ ଯନ୍ତ୍ରଶିଳ୍ପ ଓ ପ୍ରତିରକ୍ଷା ସରଞ୍ଜାମର କିପରି ଦ୍ରୁତ ବିକାଶ ଘଟିବ, କେଉଁ ବିଭାଗପାଇଁ କେତେ ଅର୍ଥ ବିନିଯୋଗ ହେବ ଏବଂ କେଉଁ ନିୟମରେ ଓ କାହା ଦାୟିତ୍ୱରେ ତାହା କିପରି ଖର୍ଚ୍ଚ କରାଯିବ । ଏଥିରେ କେନ୍ଦ୍ରର ଦାୟିତ୍ୱ କ’ଣ ଓ ରାଜ୍ୟର ଦାୟିତ୍ୱ କ’ଣ ଏସବୁ କଥା ପୃଙ୍ଖାନୁପୁଙ୍ଖ ଆଲୋଚନା ପରେ ଏହା ଦେଶରେ କାର୍ଯକାରୀ ହୁଏ ।

 

୧୯୫୧ ଏପ୍ରିଲ ମାସରେ ଭାରତରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନାରେ ୨୩୫୬କୋଟି ଟଙ୍କା ଖର୍ଚ୍ଚ କରିବାପାଇଁ ଅଟକଳ କରାଯାଇଥିଲା-। ଏଥିରେ କୃଷିର ଉନ୍ନତି ଓ ଗ୍ରାମଉନ୍ନୟନ ଉପରେ ବିଶେଷ ଗୁରୁତ୍ୱର ଦିଆାଯାଇଥିଲା । ଉତ୍ପାଦନ ବୃଦ୍ଧି ଓ ଗ୍ରାମ ଉନ୍ନୟନ ବିନା ଭାରତର ଉନ୍ନତି ଅସମ୍ଭବ, ଏକଥା ସମସ୍ତେ ଅନୁଭବ କରନ୍ତି । ଏହି ଯୋଜନାବେଳେ ବୈଦ୍ୟୁତିକ ଶକ୍ତିର ମଧ୍ୟ ବିଶେଷ ଉନ୍ନତି କରାଯାଇଥିଲା । ଏକାଧାରରେ ଯନ୍ତ୍ରଶିଳ୍ପ ଓ କୁଟିରଶିଳ୍ପର ଉନ୍ନତି ପ୍ରତି ଧ୍ୟାନ ଦିଆଯାଇଥିଲା । ଏହି ଯୋଜନା ଆରମ୍ଭରେ ହୀରାକୁଦ, ଦାମୋଦର,ଭନ୍ତ୍ରାନଙ୍ଗଲ ଓ ତୁଙ୍ଗଭଦ୍ରା ପ୍ରଭୃତି କେତୋଟି ବନ୍ଧର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ଏହିପରି କେତୋଟି ପ୍ରଧାନ ଆବଶ୍ୟକୀୟ ବିଷୟରେ ସର୍ବଙ୍ଗୀନ ଉନ୍ନତି କରିବା ସଙ୍ଗେ ସଙ୍ଗେ ରେଳଡ଼ବା, ରେଳ ଇଞ୍ଜିନ୍, ଉଡ଼ାଜାହାଜ, ପେନ୍‌ସିଲିନ୍‌ ପ୍ରଭୃତି କାରଖାନା ମଧ୍ୟ ସ୍ଥାପିତ ହୋଇଥିଲା ।

 

ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା ୧୯୫୬ ମେ ମାସରେ ଆରମ୍ଭ ହୋଇଥିଲା । ଏହି ଯୋଜନାର ବ୍ୟୟପାଇଁ ୭୨୦୦ କୋଟି ଟଙ୍କା ଅଟକଳ କରାଯାଇଥିଲା । ଏହି ଯୋଜନାରେ ଶିଳ୍ପକୁ ପ୍ରଥମ ସ୍ଥାନ ଦିଆଯାଇଥିଲା । ଏହି ଯୋଜନାରେ ଶିକ୍ଷା ଓ ସ୍ୱାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା । ଏଣୁ ଏହି ସମୟରେ ଅନେକ ଶିଳ୍ପ ଅନୁଷ୍ଠାନ ଓ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପିତ ହୋଇଥିଲା-। ଏହି ଯୋଜନା କାଳରେ ଯନ୍ତ୍ରଶିଳ୍ପର ଉନ୍ନତି ସଙ୍ଗେ ସଙ୍ଗେ କୁଟୀର ଶିଳ୍ପର ଉନ୍ନତି ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଥିଲା ।

 

୧୯୬୧ ଏପ୍ରିଲ ମାସରେ ତୃତୀୟ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନାରେ ୧୦୨୦୦ କୋଟି ଟଙ୍କା ଖର୍ଚ୍ଚର ଅଟକଳ କରାଯାଇଥିଲା । ଏଥିରେ ମଧ୍ୟ କୃଷ ଓ ଉତ୍ପାଦନ ବୃଦ୍ଧିକୁ ପ୍ରଥମ ସ୍ଥାନ ଦିଆଯାଇଥିଲା । ଏଣୁ କୃଷିର ଉନ୍ନତିପାଇଁ ଆବଶ୍ୟକୀୟ ଜଳସେଚନ ଓ ସାର ଉତ୍ପାଦନକୁ ଅଗ୍ରାଧିକାର ଦିଆ ଯାଇଥିଲା । ଏହି ଯୋଜନାରେ ଯେପରି ଅନ୍ୟ ଯୋଜନା ସ୍ଥାପିତ କଳକାରଖାନାଗୁଡ଼ିକର ଉତ୍ପାଦନ ବୃଦ୍ଧି ପାଇବ, ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥିଲା ।

 

ଚତୁର୍ଥ ଯୋଜନା କେବେ କିପରି କାର୍ଯ୍ୟକାରୀ କରାଯିବ, ଏହାର ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ । ଏହି ଯୋଜନାରେ ଗୋସଂପଦ ପ୍ରତି ବିଶେଷ ଧ୍ୟାନ ଦିଆଯିବା ଅବସ୍ଥା ରହିଛି । ଏଥିସକାଶେ କେଉଁଠାରୁ କିପରି ସମ୍ବଳ ସଂଗ୍ରହ କରାଯିବ, ଏହି ସିଦ୍ଧାନ୍ତରେ ଉପନୀତ ହେଲାପରେ କାର୍ଯ୍ୟ ଆରମ୍ଭ ହେବ ।

 

ବାସ୍ତବିକ ଯୋଜନାଗୁଡ଼ିକ ଦ୍ୱାରା ଦେଶର କି ଅଭୂତପୂର୍ବ ପରିବର୍ତ୍ତନ ଘଟେ, ତାହା ଭାବିଲେ ବିସ୍ମିତ ହେବାକୁ ପଡ଼େ । ଏହାଦ୍ୱାରା ଦେଶର କୌଣସି ବିଭାଗ ଅନୁନ୍ନତ ବା ପରିତ୍ୟକ୍ତ ହୋଇ ରହେ ନାହିଁ । କୃଷି, ଯନ୍ତ୍ରଶିଳ୍ପ, କୁଟୀର ଶିଳ୍ପ, ସଭ୍ୟତା, ଗ୍ରାମ ଉନ୍ନୟନ ପ୍ରଭୃତି ସମସ୍ତ ଉନ୍ନତିକର ଯୋଜନାଗୁଡ଼ିକ ସମାନ୍ତରଳ ଭାବରେ ଉନ୍ନତି ଲାଭକରେ । ଏହାଦ୍ୱାରା ଲୋକଙ୍କ ମନରେ ମଧ୍ୟ ଜାଗରଣ ଆସେ । ଏଣୁ ଦେଶର ସର୍ବାଙ୍ଗୀନ ଉନ୍ନତିପାଇଁ ଯୋଜନା ନିତାନ୍ତ ଆବଶ୍ୟକ । ଏହିପରି ବିଭିନ୍ନ ଯୋଜନା ଦ୍ୱାରାହିଁ କେବଳ ଦେଶର ଉନ୍ନତି ସଂଭବ ।

Image

 

ଜାତୀୟ ସ୍ୱଳ୍ପସଞ୍ଚୟ ଯୋଜନା

 

ସ୍ୱାଧୀନତା ପ୍ରାପ୍ତି ପରେ ଭାରତରେ ଅର୍ଥନୀତି, ପ୍ରତିରକ୍ଷା, କୃଷି, ବାଣିଜ୍ୟ ଓ ଶିଳ୍ପ ସକଳ ଦିଗରେ ଉନ୍ନତି କରିବାପାଇଁ ଅନେକ ଯୋଜନା ପ୍ରସ୍ତୁତ ହୋଇ ସେଗୁଡ଼ିକୁ ସମାନ୍ତରାଳ ଭାବରେ କାର୍ଯକାରୀ କରାଯାଉଛି । ଏ ମଧ୍ୟରୁ ଯେ କୌଣସି ଗୋଟିକର ଅଭାବରେ ଦେଶର ସର୍ବାଙ୍ଗୀନ ଉନ୍ନତି ଅସମ୍ଭବ; ପୁଣି ଏହି ଅଭାବ ପୂର୍ଣ୍ଣ କରିବାପାଇଁ ଯଦି ସର୍ବଦା ବିଦେଶ ଉପରେ ନିର୍ଭରେ କରିବାକୁ ପଡ଼େ, ତେବେ ଦେଶ ଅନ୍ତଃସାରଶୁନ୍ୟ ହୋଇପଡ଼ିବ । ବର୍ତ୍ତମାନ ପୃଥିବୀର ଉନ୍ନତ ରାଷ୍ଟ୍ରଗୁଡ଼ିକ କୃଷି, ବିଜ୍ଞାନ, ଶିଳ୍ପ, ପ୍ରତିରକ୍ଷା ପ୍ରଭୃତି କ୍ଷେତ୍ରରେ ଯେପରି ଅଭୂତପୂର୍ବ ଅଗ୍ରଗତି କରି ଚାଲିଛନ୍ତି, ତାହା ଭାବିଲେ ବିସ୍ମିତ ହେବାକୁ ପଡ଼େ । ଏପରି ପରିସ୍ଥିତିରେ ଯଦି ଭାରତଭଳି ୫୫ କୋଟି ଜନସଂଖ୍ୟାବିଶିଷ୍ଟ ପୃଥିବୀର ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ର ସର୍ବଦା ସବୁ କଥାରେ ଅନ୍ୟ ଦେଶ ଉପରେ ନିର୍ଭର କରି ଚଳେ, ତେବେ ବିଶ୍ୱରେ ତାହାର ସମ୍ମାନ କ୍ଷୁର୍ଣ୍ଣ ହେବ, ପୁଣି ତାହାର ସ୍ୱାଧୀନତା ବହୁଦିନ ରହିବ କି ନାହିଁ ସନ୍ଦେହ । ଏ ସମସ୍ତ କଥା ଚିନ୍ତାକରି ଭାରତର ନେତୃବୃନ୍ଦ ଏହି ପଦକ୍ଷେପ ନେଇଛନ୍ତି । ତୁରନ୍ତ ପ୍ରତିକ୍ଷେତ୍ରରେ ଭାରତ ଯଦି ସ୍ୱାବଲମ୍ବୀ ନ ହୁଏ, ତେବେ ତାହାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିବ ।

 

ଗତ ଭାରତ ପାକିସ୍ଥାନ ଯୁଦ୍ଧ ସମୟରେ ଭାରତ ଏହିପରି ଏକ ବିପଦର ସମ୍ମୁଖୀନ ହୋଇଥିଲା । ଅନ୍ୟ ରାଜ୍ୟରୁ ଖାଦ୍ୟପଦାର୍ଥ ଓ ପ୍ରତିରକ୍ଷା ସାମଗ୍ରୀ ଆଣିବାରେ ଘୋର ବାଧା ସୃଷ୍ଟି କରାଯାଇ ଥିଲା । ଏହା ଭାରତ ପକ୍ଷରେ ଏକ ଶିକ୍ଷା । ଏଣୁ ସେହି ଦିନଠାରୁ ଯେ କୌଣସି କ୍ଷେତ୍ରରେ ସେ ସ୍ୱାବଲମ୍ବୀ ହେବାକୁ ବାଧ୍ୟ, ତାହାର ଏହି ଭାବ ଅଧିକ ବଳବତ୍ତର ହେଲା । ପ୍ରତିରକ୍ଷା କ୍ଷେତ୍ରରେ ଦୁର୍ବଳ ହେଲେ ଦେଶ ଶତ୍ରୁଦ୍ୱାରା ଆକ୍ରାନ୍ତ ହୋଇପାରେ । ଖାଦ୍ୟ ପଦାର୍ଥର ଅଭାବରେ ଦେଶର ଶାନ୍ତି ବିପନ୍ନ ହେବ, ବିଭିନ୍ନ ଶିଳ୍ପର ଉନ୍ନତି ନ ହେଲେ ଅର୍ଥନୀତି ଉପରେ ପ୍ରବଳ ଚାପ ପଡ଼ିବ । ଏଣୁ ଏକା ସମୟରେ ସବୁ ଯୋଜନା କାର୍ଯକାରୀ କରିବାକୁ ପଡ଼ିଲା ।

 

ଏଥିସକାଶେ ବିଭିନ୍ନ ସୁତ୍ରରେ ନିଜ ଦେଶରୁ କେତେ ସମ୍ବଳ ସଂଗ୍ରହ କରାଯାଉଛି । ପୁଣି ଋଣ ସୁତ୍ରରେ ବିଦେଶରୁ ମଧ୍ୟ ବହୁତ ଟଙ୍କା ଅଣାଯାଉଛି । ଏହା ଛାଡ଼ ପୃଥିବୀର ସମୃଦ୍ଧ ରାଷ୍ଟ୍ରଗୁଡ଼ିକ ଭାରତକୁ ବହୁତ କିଛି ଅର୍ଥ ସାହାର୍ଯ୍ୟ ଦିଅନ୍ତି । ଏହି ସମସ୍ତ ଅର୍ଥ ଏହି ଯୋଜନାରେ ବ୍ୟୟହୁଏ । କାର୍ଯ୍ୟ ଓ ବ୍ୟୟରେ ଶୃଙ୍ଖଳା ରକ୍ଷା ସକାଶେ ପଞ୍ଚବାର୍ଷିକ ଯୋଜନା ମଧ୍ୟ କରାଯାଇଛି ।

 

ଏହି ଯୋଜନାଗୁଡ଼ିକରେ ପାଣିସୁଅ ପରି ଅର୍ଥ ବ୍ୟୟ ହୁଏ । ଏଣୁ ଦେଶରେ ଅତିରିକ୍ତ ମୁଦ୍ରାସ୍ଫୀତି ଦେଖା ଦେଇଛି । ଅବଶ୍ୟ ଗୋଟିକ ପରେ ଗୋଟିଏ ଯୋଜନା ହୋଇଥିଲେ ମୁଦ୍ରା ସ୍ଫୀତିର ଆଶଙ୍କା ଦେଖା ଦେଇ ନଥାନ୍ତା । ତଥାପି ଉପରୋକ୍ତ କାରଣରୁ ଏଗୁଡ଼ିକର ଦ୍ରୁତ ଉନ୍ନତି ଆବଶ୍ୟକ ହେଲା । ମୁଦ୍ରାସ୍ଫୀତିଯୋଗୁଁ ଦରଦାମ୍ ବୃଦ୍ଧିପାଏ ଓ ଅର୍ଥନୈତିକ ବୈଷମ୍ୟ ମଧ୍ୟ ଘଟେ-। ଏଣୁ ଯୋଜନାଗୁଡ଼ିକ ମଧ୍ୟ ବାଧା ପାଇବାର ଆଶାଙ୍କା ରହିଛି । ଯୋଜନା ଗୁଡ଼ିକ ଯଦି ବାଧାପ୍ରାପ୍ତ ହୁଏ, କୃଷି ଓ ଶିଳ୍ପ ଉତ୍ପାଦନ ହ୍ରାସ ପାଇଯିବ, ରପ୍ତାନି ବାଣିଜ୍ୟର ଅବନତି ଘଟିବ । ଫଳରେ ଦେଶର ଅର୍ଥନୀତ ଓ ପ୍ରତିରକ୍ଷା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ । ଏ ସମସ୍ତ କଥା ଚିନ୍ତାକରି ଦେଶର ନେତୃସ୍ଥାନୀୟ ବ୍ୟକ୍ତିମାନେ ଦେଶର ଉନ୍ନତିକର ଯୋଜନାଗୁଡ଼ିକୁ ବନ୍ଦ ନ କରି ମୁଦ୍ରାସ୍ଫୀତି ରୋକିବା ଉଦ୍ଦେଶ୍ୟରେ ସ୍ୱଳ୍ପ ସଞ୍ଚୟ ଯୋଜନା ବା ଜାତୀୟ ସଞ୍ଚୟ ଯୋଜନା ନାମକ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି ।

 

ଏହି ଯୋଜନାରେ ଏପରି ସୂକ୍ଷ୍ମବୁଦ୍ଧି ପ୍ରୋୟଗ କରାଯାଇଛି ଯେ, ଏଥିରେ ଯେଉଁମାନେ ଅର୍ଥ ଖଟାନ୍ତି ସେମାନେ ଉପକୃତ ହୁଅନ୍ତି ଓ ଦେଶ ମଧ୍ୟ ଉପକୃତ ହୁଏ । ଆଦାୟ ହେବା ସମୟରେ ମନୁଷ୍ୟ ଯଦି ଆଗ ପଛ ଦୃଷ୍ଟି ନ ରଖି ବ୍ୟୟ କରେ, ପାରିବାରିକ ଖର୍ଚ୍ଚ ବିଚାରହୀନ ଭାବରେ କଲେ ଶେଷ ଜୀବନରେ ଅର୍ଥଭାବ ଅନୁଭବ କରେ । ଏଣୁ ଏଥିରେ ବିଭିନ୍ନ ଉପାୟରେ ସଞ୍ଚୟ କରିବାପାଇଁ ବ୍ୟବସ୍ଥା ରହିଛି । ବହୁଲୋକ ଏହି ସାର୍ଟିଫିକେଟ କିଣନ୍ତି । ଏହା ଅଧିକ ଜନପ୍ରିୟ କରିବାପାଇଁ ବର୍ଷରେ ଥରେ ଦେଶରେ ଜାତୀୟ ସଞ୍ଚୟ ଯୋଜନା ସପ୍ତାହ ପାଳନ କରନ୍ତି ।

 

ଏହା ବାରବର୍ଷିଆ ଜାତୀୟ ପ୍ରତିରକ୍ଷା ସାର୍ଟିଫିକେଟ, ଦଶବର୍ଷିଆ ପ୍ରତିରକ୍ଷା ଜମା ସାର୍ଟିଫିକେଟ, କ୍ୟୁମୁଲେଟିଭ ଟାଇମ୍ ଡ଼ିପୋଜିଟ୍, ପନ୍ଦରବର୍ଷିଆ ଆନ୍ୟୁଇଟି ସାର୍ଟିଫିକେଟ୍–ଏପରି ବିଭିନ୍ନ ପ୍ରକାର ସାର୍ଟିଫିକେଟ୍ ରୁପେ ରହିଛି । ପ୍ରତ୍ୟେକ ଡ଼ାକଘରେ ଏହାର ବିସ୍ତୃତ ବିବରଣୀ ମିଳେ-

 

ବାରବର୍ଷିଆ ଜାତୀୟ ପ୍ରତିରକ୍ଷା ସାର୍ଟିଫକେଟ ୫,୧୦,୫୦,୧୦୦ ଟଙ୍କାଠାରୁ ଆରମ୍ଭ କରି ଏହାର ଗୁଣିତକ ହାରରେ ସର୍ବାଧିକ ୩୫୦୦୦ ଟଙ୍କାର ସାର୍ଟିଫିକେଟ ପର୍ଯ୍ୟନ୍ତ ଡାକ ଘରଗୁଡ଼ିକରେ ଦିଆଯାଏ । ସମବାୟ ବ୍ୟାଙ୍କ, ଭୁବନ୍ଧକ ବ୍ୟାଙ୍କ ପ୍ରଭୃତି ରେଜିଷ୍ଟ୍ରି ଭୁକ୍ତ ଅନୁଷ୍ଠାନରୁ ସର୍ବୋଚ୍ଚ ଏକଲକ୍ଷ ଟଙ୍କାର ସାର୍ଟିଫିକେଟ କିଣା ଯାଇପାରିବ । ଜଣେ ନାବାଳକ ପକ୍ଷରୁ ଜଣେ ସାବାଳକ ଏହା କିଣିପାରିବେ । ଏଥିରେ ମିଆାଦ ପୂର୍ଣ୍ଣହେବା ପରେ ଶତକଡ଼ା ୬.୨୫ ସରଳ ସୁଧ ବା ୪.୭୫ ଚକ୍ରବୃଦ୍ଧି ସୁଧ ମିଳେ । ପ୍ରୋଭିଡ଼େଣ୍ଟ ଫଣ୍ଡରୁ ମଧ୍ୟ ଯେତେ ଇଚ୍ଛା ସେତେ ସାର୍ଟିଫିକେଟ କିଣାଯାଇପାରେ । ଯଦି ଏକବର୍ଷ ପରେ ଟଙ୍କା ଉଠାଇ ନେବାକୁ ଇଚ୍ଛା କରନ୍ତି, ତେବେ ପ୍ରଥମ ବର୍ଷ ଶେଷରେ ଶତକଡ଼ା ୪ ଟଙ୍କା,ଦ୍ୱିତୀୟ ବର୍ଷ ୯, ପଞ୍ଚମ ବର୍ଷ ୨୦ ଏହି ହାରରେ ସୁଧ ମିଳେ । ଏହା ପାଞ୍ଚବର୍ଷିଆ, ସାତବର୍ଷିଆ, ଓ ଦଶବର୍ଷିଆ କରିବାପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଏହି ସୁଧ ଉପରେ ଆୟକର ଦେବାକୁ ପଡ଼େନାହିଁ । ସଞ୍ଚୟବ୍ୟାଙ୍କ କାର୍ଯ୍ୟ କରୁଥିବା ସମସ୍ତ ଡାକଘରେ ଏହି ସାର୍ଟିଫିକେଟ ମିଳେ ।

 

ଦଶବର୍ଷିଆ ପ୍ରତିରକ୍ଷା ଜମା ସାର୍ଟିଫିକେଟ ସଞ୍ଚୟ ବ୍ୟାଙ୍କ କାର୍ଯ୍ୟ କରୁଥିବା ସମସ୍ତ ଡାକଘର, ରିଜର୍ଭବ୍ୟାଙ୍କ, ଷ୍ଟେଟ୍‌ବ୍ୟାଙ୍କ ଓ ଟ୍ରେଜେରି ପ୍ରଭୃତିରେ କିଣିବାକୁ ମିଳେ । ଜଣେ ବ୍ୟକ୍ତି ୫୦ ଟଙ୍କା ଠାରୁ ୩୫୦୦୦ ଟଙ୍କାର ସାର୍ଟିଫିକେଟ କିଣିପାରେ । ଏଥିରେ ଶତକଡ଼ା ୪୧.୧/୨ ହାରରେ ସୁଧ ମିଳେ । ଖରିଦ କରାଯିବ ତାରିଖ ଠାରୁ ଏକବର୍ଷ ପରେ ଏହାକୁ ଭଙ୍ଗାଯାଇ ପାରେ-। କିନ୍ତୁ ମିଆଦ ପୂର୍ବରୁ ଭଙ୍ଗାଗଲେ କମିଶନ କଟାଯାଏ । ବର୍ଷକ ପରେ ଏହା ଅନ୍ୟକୁ ହସ୍ତାନ୍ତର ମଧ୍ୟ କରାଯାଇ ପାରେ । ଏଥିରେ ମଧ୍ୟ ସୁଧ ଉପରେ ଆୟକର ଦେବାକୁ ପଡ଼େନାହିଁ ।

 

ଦଶବର୍ଷିଆ ଜାତୀୟ ସଞ୍ଚୟ ସାର୍ଟିଫିକେଟ ସଞ୍ଚୟବ୍ୟାଙ୍କ କାର୍ଯ୍ୟ କରୁଥିବା ସମସ୍ତ ଡାକଘରେ ମିଳେ । ଏଥିରେ ଶତକଡ଼ା ୮ଟଙ୍କା ସରଳ ସୁଧା ବା ୬.୦୫ ଚକ୍ରବୃଦ୍ଧି ହାରରେ ସୁଧ ମିଳେ । ଏହି ସୁଧ ଉପରେ ଆୟକର ପଡ଼େ । ଖରିଦ କରିବା ଦିନରୁ ଦୁଇବର୍ଷ ପରେ ଏହା ଭଙ୍ଗାଯାଇ ପାରିବ । ମିଆଦ ପୂର୍ବରୁ ସାର୍ଟିଫିକେଟ ଗୁଡ଼ିକ ଭଙ୍ଗାଇଲେ ସୁଧର ହାର ଊଣା ହୁଏ ।

 

ବର୍ଦ୍ଧନଶୀଳ ସାମୟିକ ଜମା, ପରିକଳ୍ପନା ବା କ୍ୟୁମୁଲେଟିଭି ଟାଇମ୍ ଡିପୋଜିଟ ସ୍କିମ ମଧ୍ୟ ଗୋଟିଏ ସଞ୍ଚୟ ଯୋଜନା । ଏହି ସଞ୍ଚୟବ୍ୟାଙ୍କ କାର୍ଯ୍ୟ କରୁଥିବା ଯେ କୌଣସି ଡ଼ାକଘରେ ପାଞ୍ଚବର୍ଷିଆ ବା ଦଶବର୍ଷିଆ ହେଲେ ୫ଟଙ୍କାଠାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଏବଂ ପନ୍ଦର ବର୍ଷିଆ ହେଲେ ପାଞ୍ଚଟଙ୍କାଠାରୁ ୩୦୦ ଟଙ୍କା ପର୍ଯନ୍ତ ଜମା ରଖାଯାଇ ପାରିବ । ଏଥିରେ ପ୍ରତ୍ୟେକ ମାସର ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଉକ୍ତ ଉକ୍ତ ପରିମାଣର ଟଙ୍କା ଜମା ଦେବାକୁ ହୁଏ । ଯଦି ୫ଟଙ୍କା ଲେଖାଏଁ ରଖାଯାଏ, ପାଞ୍ଚବର୍ଷ ଶେଷରେ ୩୨୫ ଟଙ୍କା, ଦଶବର୍ଷ ଶେଷରେ ୭୨୫ ଓ ପନ୍ଦରବର୍ଷ ଶେଷରେ ୧୨୫୦ ଟଙ୍କା ମିଳିବ । ଏହିପରି ପାଞ୍ଚଟଙ୍କା ପରିବର୍ତ୍ତେ ୨୦୦ ଟଙ୍କା ଲେଖାଏଁ ରଖାଗଲେ ପନ୍ଦର ବର୍ଷ ପରେ ମୋଟ ୫୦୦୦୦ ଟଙ୍କା ଏବଂ ୩୦୦ ଟଙ୍କା ଲେଖାଏଁ ରଖାଗଲେ ୭୫୦୦୦ ଟଙ୍କା ମିଳିବ ।

 

ପନ୍ଦର ବର୍ଷିଆ ଆନ୍ୟୁଇଟି ସାର୍ଟିଫିକେଟ ନାମରେ ଆଉ ଏକ ଜାତୀୟ ସଞ୍ଚୟ ଯୋଜନା ରହିଛି । ରିଜର୍ଭବ୍ୟାଙ୍କ ଓ ସରକାରୀ ଟ୍ରେଜେରୀଗୁଡ଼ିକରେ ଏହି ସାର୍ଟିଫିକେଟ ମିଳେ । ଏଥିରେ ଜଣେ ବ୍ୟକ୍ତି ସର୍ବାଧିକ ୨୬୬୦୦ ଟଙ୍କା ରଖି ପାରନ୍ତି । ଏଥିରେ ୧୩୩୦ ଟଙ୍କାରେ ମାସିକ ୧୦ ଟଙ୍କା ସୁଧ ମିଳେ । ଏ ଅନୁପାତରେ ଜମା ରଖା ଯାଇଥିବା ମୂଳ ଉପରେ ସୁଧ ମିଳେ ।

 

ଏହାଛଡ଼ା ସର୍ବସାଧାରଣଙ୍କର ସୁବିଧାପାଇଁ ଡାକଘରେ ସଞ୍ଚୟ ବ୍ୟାଙ୍କ ବା ପୋଷ୍ଟ ଅଫିସ ସେଭିଂସ୍ ବ୍ୟାଙ୍କ ମଧ୍ୟ ରହିଛି। ପ୍ରଥମେ ଦୁଇଟଙ୍କା ଜମା ଦେଇ ଗୋଟିଏ ଏକାଉଣ୍ଟ ଖୋଲାଯାଇ ପାରିବ । ଏଥିରେ ଏକଟଙ୍କା କରି ମଧ୍ୟ ରଖାଯାଇ ପାରିବ । ଏଥିରେ ସର୍ବନିମ୍ନ ପାଞ୍ଚଟଙ୍କା ଏବଂ ସର୍ବାଧିକ ୨୫୦୦ ଟଙ୍କା ରଖାଯାଇ ପାରିବ । ଏହର ସୁଧ ବାର୍ଷିକ ଶତକଡ଼ା ୪ଟଙ୍କା । ଏଥିରେ ନିଜ ଇଚ୍ଛା ଅନୁସାରେ ଟଙ୍କା ଉଠାଇ ନିଆଯାଇ ପାରିବ ଏବଂ ସେହିପରି ଜମା କରିବାର ମଧ୍ୟ କୌଣସି ଅସୁବିଧା ନାହିଁ ।

 

ଏହି ସଞ୍ଚୟରେ ସଞ୍ଚୟକାରୀକୁ ବିଶେଷ ସୁବିଧା ଦିଆଯାଇଛି । ଅଧିକାଂଶ ସଞ୍ଚୟର ସୁଧ ଉପରେ ଆୟକର ଦେବାକୁ ପଡ଼େନାହିଁ । ମିଆଦ ପୂର୍ବରୁ ମଧ୍ୟ ଟଙ୍କା ଉଠାଇ ନେବାରେ ସୁବିଧା ରହିଛି । ଏ ଏକ ଶ୍ରେଣୀର ବାଧ୍ୟବାଧକ ସଞ୍ଚୟ । ଏଣୁ ସାଧାରଣ ଅଭାବଗ୍ରସ୍ତ ନାଗରିକ ବା କଚାର୍ମରୀ ପକ୍ଷରେ ଏହା ବିଶେଷ ଉପକାରୀ ।

 

ଡାକଘରେ ଟଙ୍କା ରଖିବା ସମୟରେ ସେଠାରୁ ଗୋଟିଏ ଚିହ୍ନଟ କାର୍ଡ଼ ଆଣିବାକୁ ହୁଏ । କେତେ ସଞ୍ଚୟ ପାଇଁ ଖଣ୍ଡିଏ ବହି ମଧ୍ୟ ମିଳେ । ସେଥିରେ ଏକାଉଣ୍ଟ ଥାଏ । ମିଆାଦ ପୂର୍ଣ୍ଣହେବା ପରେ ସେହି ସଙ୍କେତ ଦେଖାଇ ଟଙ୍କା ଆଣିବାକୁ ହୁଏ । ବାସ୍ତବିକ ଏହା ଦେଶ ଓ ସଞ୍ଚୟକାରୀ ଉଭୟଙ୍କର ହିତକାରୀ ଯୋଜନା । ଏଣୁ ସମସ୍ତେ ଏଥିପ୍ରତି ଉତ୍ସାହିତ ହେବା ଉଚିତ ।

Image

 

ପରିବାର ନିୟନ୍ତ୍ରଣ ଯୋଜନା

 

ବର୍ତ୍ତମାନ ଦ୍ରୁତବେଗରେ ସର୍ବତ୍ର ଜନସଂଖ୍ୟ ବୃଦ୍ଧି ପାଉଥିବା ହେତୁ ସାରା ପୃଥିବୀରେ ଚହଳ ପଡ଼ିଯାଇଛି । ବଡ଼ବଡ଼ ବିଶେଷଜ୍ଞ, ଦାର୍ଶନିକ, ବୈଜ୍ଞାନିକ ଓ ଭାବୁକମାନେ ଏଥିରେ ବିଶେଷ ଆତଙ୍କିତ । ଏହାକୁ ଲକ୍ଷ୍ୟକରି ଜଣେ ଦାର୍ଶନିକ କହିଥିଲେ ଜନସଂଖା ଯଦି ଏପରି ଦ୍ରୁତ ବେଗରେ ବଢ଼ିଚାଲେ, ତେବେ ଶହେବର୍ଷ ପରେ ପ୍ରତ୍ୟେକକୁ ଠିଆହେବାପାଇଁ ସ୍ଥାନ ମିଳିବ କି ନା ସନ୍ଦେହ । ବାସ୍ତବିକ ଜନସଂଖା ବୃଦ୍ଧି ଏପରି ଏକ ଆତଙ୍କଜନକ ଅବସ୍ଥାରେ ଆସି ଉପନୀତ ହୋଇଛି । ଅବିଭକ୍ତ ଭାରତର ଜନସଂଖା ଥିଲା ୪୫ କୋଟି । ଅଥଚ ଆଜି ଖାସ ଭାରତର ଜନସଂଖ୍ୟା ୫୩ କୋଟି । ଏହି ୨୫ ବର୍ଷ ମଧ୍ୟରେ ଜନସଂଖ୍ୟା ଏପରି ବୃଦ୍ଧି ପାଇଛି । ୧୯୦୧ ଠାରୁ ଏପର୍ଯ୍ୟନ୍ତ ଭାରତରେ ପ୍ରତି ଜନ ଗଣନାରେ ଶତକଡ଼ା ୫, ୧୦,୧୫ ଏପରି କ୍ରମ ବର୍ଦ୍ଧମାନ ସଂଖାରେ କେବଳ ବଢ଼ି ଚାଲିଛି । ବର୍ତ୍ତମାନ ବୃଦ୍ଧି ଶତକଡ଼ା ୨୫ ହେବ ବୋଲି ବିଶ୍ୱାସ କରାଯାଏ । ଜନସଂଖ୍ୟା ଯଦି ଏପରି ବଢ଼ିଚାଲେ, ତେବେ ଏହାର ପରିଣତ କ’ଣ ହେବ କଳ୍ପନା କରିବା ମଧ୍ୟ କଷ୍ଟକର ।

 

ଅନୁସନ୍ଧାନରୁ ଜଣାଯାଏ ଯେ, ଉନ୍ନତ ରାଷ୍ଟ୍ର ଅପେକ୍ଷା ବିକାଶୋନ୍ମଖୀ ରାଷ୍ଟ୍ରଗୁଡ଼ିକରେ ଅତ୍ୟଧିକ ପରିମାଣରେ ଜନସଂଖ୍ୟା ବୃଦ୍ଧି ପାଉଛି । ଏପରି ବଢ଼ିବଢ଼ି ଯଦି ତାହା ଗୋଟିଏ ଅସମ୍ଭବ ସ୍ତରରେ ଉପନୀତ ହୁଏ, ତେବେ ତାହା ସମ୍ଭାଳିବାର ଉପାୟ କ’ଣ କେହି ଚିନ୍ତା କରିପାରୁ ନାହାନ୍ତି । ଏ ସମସ୍ତଙ୍କ ପାଇଁ ବାସଗୃହ, ଖାଦ୍ୟ, ବସ୍ତ୍ର ଓ କର୍ମସଂସ୍ଥାନ କିପରି ଯୋଗାଯାଇ ପାରିବ, ତାହା ବଡ଼ ଚିନ୍ତାର ବିଷୟ ହୋଇପଡ଼ିଛି ।

 

ଏଥିରେ ଧନୀ ଦରିଦ୍ର କେହି ଶାନ୍ତିରେ ଚଳିପାରିବେ ନାହିଁ । ତଥାପି ନିତାନ୍ତ ଦରିଦ୍ର ବ୍ୟକ୍ତି ପକ୍ଷରେ ଏହା ଏକ ଯମଦଣ୍ଡ। ସର୍ବଦା ଗୁଡ଼ିଏ ଛୁଆପିଲାର ଆର୍ତ୍ତନାଦ, ହା ଅନ୍ନ ଚିତ୍କାର ଛଡ଼ା ସେ କେବେ ଅନ୍ୟ କଥା ଶୁଣିବାକୁ ପାଏନାହିଁ । ଏହାଦ୍ୱାରା ପରବର୍ତ୍ତୀ ବଂଶଧରମାନେ ସବୁଦିଗରୁ ଦୁର୍ବଳ ହେବା ସ୍ୱାଭାବିକ । ସବୁବେଳେ ଘରେ, ବାହାରେ, ସମାଜରେ ସର୍ବତ୍ର ଅଶାନ୍ତି ଓ ଉପଦ୍ରବ । ‘‘ଅଭାବେ ସ୍ୱଭବ ନଷ୍ଟ’’ ହେତୁ ଏପରି ଘଟେ । ଜନସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ଖାଦ୍ୟାଭାବ ମଧ୍ୟ ବଢ଼ି ଚାଲିଥିବ । ଜନସଂଖ୍ୟା ସହିତ ଜମିବାଡ଼ି ବଢ଼ିବାର ତ’ କାରଣ ନାହିଁ । ଏଣୁ କ୍ଷୁଧାର୍ତ୍ତର ଆର୍ତ୍ତନାଦ ଦିଗ୍‌ବଳୟ ପ୍ରତିଧ୍ୱନିତ କରିବ । ଏପରି ଅବସ୍ଥାରେ ମନୁଷ୍ୟ ସକଳ ପ୍ରକାର ପାପକାର୍ଯ୍ୟ କରିଦେଇପାରେ । ‘‘ବୁଭୁକ୍ଷିତଃ କିଂ ନ କରୋତି ପାପଂ’’ ବୋଲି କଥା ଅଛି । ବର୍ତ୍ତମାନ ପୃଥିବୀସାରା ଯେଉଁ ଅଶାନ୍ତି ଦେଖାଦେଇଛି, ଅତିମାନ୍ତ୍ରାରେ ଜନସଂଖ୍ୟା ବୃଦ୍ଧି ଏହାର ପ୍ରଧାନ କାରଣ । ବର୍ତ୍ତମାନ ସମସ୍ତେ ନିଜ ଭବିଷ୍ୟତ ପ୍ରତି ସନ୍ଦିହାନ । ଏଣୁ ବହୁ ଲୋକ ଧର୍ମ, ନ୍ୟାୟ, ନୀତି ଭୁଲିଯାଇ ଆତ୍ମରକ୍ଷା ସ୍ୱପ୍ନ ଦେଖନ୍ତି । ଏଣୁ ଦେଶ ଏଥିରେ ଆତଙ୍କିତ ହୋଇ ନିଜ ଦେଶର ସମସ୍ୟା ସମାଧାନ କରିବାପାଇଁ ବହୁ ଯୋଜନା କରନ୍ତି ।

 

ଭାରତ ଏମାନଙ୍କ ମଧ୍ୟରେ ଅନ୍ୟତମ । ଏଥିସକାଶେ ଭାରତରେ ଗୋଟିଏ ସ୍ୱତନ୍ତ୍ର ସଂସ୍ଥା ରହିଛି । ଏହା ‘‘ପରିବାର ନିୟନ୍ତ୍ରଣ ଯୋଜନା’’ ନାମରେ ଅଭିହିତ । ଏହା ସଂସ୍ଥା ପକ୍ଷରୁ ପରିବାର ନିୟନ୍ତ୍ରଣପାଇଁ ପ୍ରଚାର କରାଯାଉଛି । ଏହାଛଡ଼ା ସନ୍ତାନ ଉତ୍ପାଦିକା ଶକ୍ତି ନଷ୍ଟ କରିବାପାଇଁ ସ୍ତ୍ରୀ ଓ ପୁରୁଷମାନଙ୍କର ଅସ୍ତ୍ରୋପଚାର ମଧ୍ୟ କରାଯାଉଛି । ବର୍ତ୍ତମାନ ୮୦ ଲକ୍ଷରୁ ଊର୍ଦ୍ଧବ୍ୟକ୍ତିଙ୍କୁ ଅସ୍ତ୍ର ଚିକିତ୍ସା କରାଗଲାଣି ।

 

ଅତୀତରେ ଯେ ସନ୍ତାନ ଜନ୍ମ ହେଉ ନ ଥିଲେ, ଏପରି ନୁହେ । କିନ୍ତୁ ସେତେବେଳେ ନାନା କାରଣରୁ ଲୋକ କ୍ଷୟ ହେଉଥିଲା । ପୁଣି ଭାରତ ଭଳି କେତେ ଦେଶରେ ନାନା ଉପାୟରେ ଜନ୍ମସଂଖ୍ୟା କମ୍ କରିବାପାଇଁ କେତେ ଧର୍ମ ଓ ସାମାଜିକ ରୀତିର ମଧ୍ୟ ପ୍ରଚଳନ ଥିଲା । ସେତେବେଳେ ବହୁ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟ ଥିଲା, ସେମାନଙ୍କ ମଧ୍ୟରେ ଘନ ଘନ ଯୁଦ୍ଧ ହୁଏ । ଏଣୁ ଏଥିରେ ବହୁ ଲୋକ କ୍ଷୟ ହୁଅନ୍ତି । ହଇଜା, ବସନ୍ତ, ମହାମାରୀ, ବନ୍ୟା, ଦୁର୍ଭିକ୍ଷ ପ୍ରଭୃତି କେତେ ଆକସ୍ମିକ ଓ ପ୍ରାକୃତିକ ବିପଦଦ୍ୱାରା ବହୁ ଲୋକ ମରୁଥିଲେ ।

 

ବର୍ତ୍ତମାନ ବିଜ୍ଞାନର ପ୍ରଭାବ ଏବଂ ନାନା ସୁବିଧା ଯୋଗୁଁ ଏପରି ଆକସ୍ମିକ ମୃତ୍ୟୁ ଘଟୁନାହିଁ । ବିଭିନ୍ନ ପ୍ରକାର ବାର,ବ୍ରତ, ଉପବାସ, ବିଧବା ବିବାହ ନିଷିଦ୍ଧ, ସତୀଦାହ ପ୍ରଥା ପ୍ରଭୃତି ସାମାଜିକ ଆଚାରଗୁଡ଼ିକ ଜନ୍ମନିରୋଧର ସହାୟକ ହେଉଥିଲା । ଅବଶ୍ୟ ଏ ମଧ୍ୟରୁ କେତୋଟି କଥା କୁସଂସ୍କାର ତଳେ ଯାଏ । ତଥାପି ସେମାନେ ବୋଧହୁଏ ଗର୍ଭପାତ ବା ଭ୍ରୁଣହତ୍ୟା ବଳରେ ସେହି ନୀତି ଅବଲମ୍ବନ କରିଥିଲେ । ଅବଶ୍ୟ ଏହି ନବ୍ୟ ସଭ୍ୟ ଯୁଗରେ ଏହି ସାମାଜିକ ନୀତି ପ୍ରତି ଗୁରୁତ୍ୱ ଦିଆ ଯାଉନାହିଁ-। କିନ୍ତୁ ଏ ମଧ୍ୟରୁ ବାର, ବ୍ରତ, ଉପବାସ ଭଳି ବିଧି ବିଧାନଗୁଡ଼ିକ ଜନ୍ମନିରୋଧର ବିଶେଷ ସହାୟକ ହୁଅନ୍ତା । ଏହା ସଙ୍ଗେ ସଙ୍ଗେ ବିବାହ ବୟସ ବୃଦ୍ଧି ହେବାଦ୍ୱାରା ମଧ୍ୟ ଜନ୍ମ ସଂଖ୍ୟା ହ୍ରାସ ପାଇବାର ସମ୍ଭାବନା ରହିଛି ।

 

ଅବସ୍ଥାର ଉନ୍ନତିପାଇଁ ସବୁ ଦିଗରୁ ଉଦ୍ୟମ ହେବା ଉଚିତ । ଏହା ସମସ୍ତଙ୍କର ସମସ୍ୟା, ମାନବ ସମାଜର ସମସ୍ୟା, ବିଶ୍ୱର ସମସ୍ୟା । ଏଣୁ ଏ କ୍ଷେତ୍ରରେ ବିଶ୍ୱବାସୀ ଏକନ୍ତ୍ରିତ ହୋଇ ଏହାର ସମାଧାନ ପନ୍ଥା ବାହାର କରିବା ଉଚିତ । ଏ ସଂପର୍କରେ ଦେଶରେ ସରକାର ଯେଉଁ ନିର୍ଦ୍ଧେଶ ବା ପରାମର୍ଶ ଦେବେ, ଦେଶବାସୀ ତାହା ଯଥାପଥ ଭାବରେ ପାଳନ କରିବା ଉଚିତ । ଜନସଂଖ୍ୟା ବୃଦ୍ଧି ଏକ ଆଭ୍ୟନ୍ତରୀଣ ବିପଦ । ଏଣୁ ନିଜର ସକଳ ଶକ୍ତି, ବୁଦ୍ଧି ଓ ବିବେକ ପ୍ରୟୋଗ କରି ଏହି ବିପଦରୁ ଦେଶକୁ ରକ୍ଷା କରିବା ଉଚିତ ।

Image

 

ଗୋଟିଏ ଆଦର୍ଶ ଗ୍ରାମର କଳ୍ପନା

 

ଯେଉଁ ଗ୍ରାମ ଶିକ୍ଷା ଓ ସଭ୍ୟତାରେ ଉନ୍ନତ, ଯାହା ସଂକୀର୍ଣ୍ଣ ଭେଦଭାବରୁ ମୁକ୍ତ ଏବଂ ଖାଦ୍ୟ ପଦାର୍ଥଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଗ୍ରାମ୍ୟ ଶିଳ୍ପରେ ସ୍ୱାବଲମ୍ବୀ, ଯାହା ପରିଷ୍କାର ପରିଚ୍ଛନ୍ନରେତା ଅବହେଳିତ ନୁହେ ଏବଂ ସୁବିଧାଜନକ ଯାତାୟାତ ମାର୍ଗ ସହିତ ସଂଯୁକ୍ତ, ଯେଉଁ ଗ୍ରାମବାସୀ ସ୍ୱାଧୀନ ଚେତା ଏବଂ ସ୍ୱାଧୀନତାର ମୂଲ୍ୟବୋଧ ଜାଣନ୍ତି, ସେହି ଗ୍ରାମକୁ କେବଳ ଆଦର୍ଶ ଗ୍ରାମ କୁହାଯାଇ ପାରେ ।

 

ଦୀର୍ଘଦିନ ପରାଧୀନ ହୋଇ ରହିବା ଫଳରେ ଭାରତରେ ଏପରି ଏକ ଆଦର୍ଶ ଗ୍ରାମ ଦେଖିବା ବିରଳ । ତଥାପି ସ୍ୱାଧୀନତା ପାଇବାର ଅବ୍ୟବହିତ ପୂର୍ବରୁ ମହାତ୍ମାଗାନ୍ଧି ଏପରି ଏକ ଅଭିନବ ଚିନ୍ତା କରି କଂଗ୍ରେସରୁ ଅନ୍ତର ହୋଇ ଗ୍ରାମ ସଂଗଠନରେ ନିଜର ସମସ୍ତ ଶକ୍ତି ବିନିଯୋଗ କରିଥିଲେ । ସେ ମତ ଦେଇଥିଲେ, ଗ୍ରାମବହୁଳ ଭାରତରେ ଗ୍ରାମଗୁଡ଼ିକର ଉନ୍ନତି ନ ହେଲେ ସମୂହ ଉନ୍ନତି ହେବା ଅଦୌ ସମ୍ଭବ ନୁହେ । ଏହି ଉଦ୍ଦେଶ୍ୟରେ ସ୍ୱାଧୀନତା ପାଇବେ ପରେ କଂଗ୍ରେସ ସରକାର ପ୍ରଥମେ ଗ୍ରାମଗୋଷ୍ଠୀ ଯୋଜନା ଆରମ୍ଭ କରିଥିଲେ । ବିଶେଷ ଅନୁନ୍ନତ ଗ୍ରାମଗୁଡ଼ିକରେ ସର୍ବାଗ୍ରେ ଏହି ଯୋଜନାର ସୁନ୍ତ୍ରପାତ ହେଲା । ଏହାର ଉଦ୍ଧେଶ୍ୟ ହେଲା, ଅନୁନ୍ନତ ଗ୍ରାମଗୁଡ଼ିକୁ ଗୋଟିଏ ସ୍ତରକୁ ଆଣିପାରିଲେ ଅପେକ୍ଷାକୃତ ଉନ୍ନତ ଗ୍ରାମଗୁଡ଼ିକର ଉନ୍ନତି କରିବା ସହଜ ହୋଇପାରିବ । ଅବଶ୍ୟ ସରକାରଙ୍କ ପକ୍ଷରୁ ସବୁ ଉଦ୍ୟମ ସବୁ ବେଳେ ଚାଲିଥିବ । ଏବଂ ଗ୍ରାମଗୁଡ଼ିକର ଆଂଶିକ ଅଭାବ ମଧ୍ୟ ଦୂର ହେଉଥିବ । ତଥାପି ଆମର କଳ୍ପିତ ଆଦର୍ଶ ଗ୍ରାମ କେବଳ ଗ୍ରାମବାସୀର ଆନ୍ତରିକ ସଦିଚ୍ଛା ଓ ସହଯୋଗରେ ଗଠିତ ହୋଇପାରିବ ।

 

ଶିକ୍ଷା ହେଲା ସବୁ ଆଦର୍ଶର ମୂଳ । ଯାହାର ଶିକ୍ଷା ଯେତେ ଅଧିକ, ସେ ସେତେ ଉଚ୍ଚ ଆଦର୍ଶକୁ ଉନ୍ନୀତ ହୁଏ । ଏଣୁ ଆଦର୍ଶର ପ୍ରଥମ ପଦକ୍ଷେପ ସ୍ୱରୂପ ଗ୍ରାମଗୁଡ଼ିକରେ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ପ୍ରଚଳିତ ହେବା ଉଚିତ । ଏହା ସଙ୍ଗେ ସଙ୍ଗେ ମେଧାବୀ ଛାତ୍ରମାନେ ଯେପରି ଉଚ୍ଚ ଶିକ୍ଷା ପାଇବା ସୁଯୋଗରୁ ବଞ୍ଚିତ ନ ହୁଅନ୍ତି, ତାହାର ମଧ୍ୟ ସୁବ୍ୟବସ୍ଥା ରହିବା ଉଚିତ । ଅନ୍ୟମାନେ ନିଜ କୌଳିକ କର୍ମ, କୃଷି ବା ଅନ୍ୟ କୌଣସି ଗ୍ରାମ୍ୟ ଶିଳ୍ପ ବା ଆଧୁନିକ ଯନ୍ତ୍ରଶିଳ୍ପରେ ଦକ୍ଷତା ଅର୍ଜନ କରି ଜୀବିକା ନିର୍ବାହ କରିବାକୁ ସମର୍ଥ ହେବା ଭଳି ପ୍ରେରଣା ଏଥିରେ ରହିବା ଆବଶ୍ୟକ ।

 

ଶିକ୍ଷା କେବଳ ଚାକିରୀ କରିବା ବା ଅନ୍ୟ ଯେ କୌଣସି ଉପାୟରେ ପେଟ ପୋଷିବା ଜ୍ଞାନ ଅର୍ଜନ କରିବାପାଇଁ ଉଦ୍ଦିଷ୍ଟ ନୁହେ । ଅବଶ୍ୟ ‘‘ଅର୍ଥକାରୀ ଚ ବିଦ୍ୟା’’ ବୋଲି କଥା ଅଛି । ତଥାପି ‘‘ବିଦ୍ୟା ଗୁରୁଣାଂ ଗୁରୁଃ’’ ହେବା ଆବଶ୍ୟକ । ଏଣୁ ବିଦ୍ୟା ଅର୍ଥକରୀ ହେବା ସଙ୍ଗେ ସଙ୍ଗେ ଆହୁରି ଅନେକ ମହତ୍ କାର୍ଯ୍ୟ ଏହାଦ୍ୱାରା ସାଧିତ ହୁଏ । ଏଣୁ ଶିକ୍ଷା ମାନବିକତାର ବିକାଶ ଏବଂ ଦେଶାତ୍ମବୋଧ ଜ୍ଞାନର ପରିପୋଷକ ହେବା ସର୍ବାଦୌ ବାଞ୍ଚ୍ଥନୀୟ । ଏଥିରେ ପୁସ୍ତକଗତ ଜ୍ଞାନ ସଙ୍ଗେ ସଙ୍ଗେ ନୀତି ଶିକ୍ଷା ଓ ବୈଷୟିକ ଶିକ୍ଷାର ବ୍ୟବସ୍ଥା ରହିବା ଉଚିତ । ନୀତିବାଦୀ ହେଲେ ଦେଶରେ ସାଧୁତା, ନମ୍ରତା ଓ ଶାନ୍ତି ଶୃଙ୍ଖଳାର ଅଭାବ ରହେନାହିଁ । ବୈଷୟିକ ଶିକ୍ଷାର ପ୍ରଚଳନଦ୍ୱାରା ଶିକ୍ଷା ସମାପ୍ତି ପରେ ଲୋକ ସ୍ୱାବଲମ୍ବୀ ହୋଇ ଚଳିବାକୁ ଆଗ୍ରହୀ ହୁଏ । ଏହା ସହିତ ବାଳିକାମାନେ ଯେପରି ସୁଗୃହିଣୀ ହୋଇ ପାରିବେ, ଶିକ୍ଷାରେ ସେହି ବୃବସ୍ଥା ମଧ୍ୟ ରହିବା ଉଚିତ ।

 

ସ୍ୱାସ୍ଥ୍ୟରକ୍ଷା ଗ୍ରାମଗୁଡ଼ିକର ଆଉ ଗୋଟିଏ ବଡ଼ ସମସ୍ୟା । ସାଧାରଣତଃ ଭାରତୀୟ ଗ୍ରାମଗୁଡ଼ିକରେ ସ୍ୱାସ୍ଥ୍ୟରକ୍ଷା ପ୍ରତି ଆଦୌ ଦୃଷ୍ଟି ନଥାଏ । ଖତଗଦା, ପାଇଖାନା, ଗୁହାଳ, ଜଳାଶୟ, ରାସ୍ତାଘାଟ ସବୁ ପ୍ରକୃତିର ଆୟତ୍ତରେ ଚଳେ । କେତେ ସ୍ଥଳରେ ବାହାର ପାଣି ଗାଁ’ଦାଣ୍ଡରେ ମଧ୍ୟ ପ୍ରବେଶ କରେ । ଏଥିପାଇଁ ଆଉ କ’ଣ ସୁବ୍ୟବସ୍ଥା କରିବାକୁ ହେବ, ଅନେକଙ୍କର ଏହି ଧାରଣା ନଥାଏ । କେତେ ଜାଣିଲେ ମଧ୍ୟ ନ ଜଣିଲା ପରି ରହନ୍ତି ଏବଂ କେତେ ନ ଜାଣି ଏହି ଭୁଲ କରନ୍ତି । ଏହାର ନିରାକରଣ ବ୍ୟବସ୍ଥା ବଡ଼ ଗୁରୁତ୍ୱପୁର୍ଣ୍ଣ । ହଠାତ୍ ଏହାର ପରିବର୍ତ୍ତନ ଟିକିଏ ଅଡ଼ୁଆ ବୋଧ ହେବା । କିନ୍ତୁ ଲୋକ ଏହାର ମହତ୍ତ୍ୱ ଉପଲବ୍‌ଧ କଲାପରେ ଆପେ ସବୁ ସମାହିତ ହୋଇଯିବ । ନେତୃସ୍ଥାନୀୟ ବ୍ୟକ୍ତିମାନେ ଯଦି ପ୍ରଥମେ ଆଦର୍ଶ ଦେଖାଇ ଉଦ୍ୟମ କରନ୍ତି, ତେବେ ପନ୍ଥା ସୁଗମ ହୋଇଯିବ । ଗାଁ ବାହାରେ ଖତଗଦା, ଘରର ଅସୁବିଧା ନ ହେଲା ପରି ଗୁହାଳ, ପ୍ରତି ବାଡ଼ିରେ ବରପାଲି ବା ସେପରି ପାଇଖାନା ରହିବ । ଏହାର ଯେ ବ୍ୟତିକ୍ରମ କରିବ, ସେ ଦଣ୍ଡନୀୟ ହେବା । ସେମାନେ ମଧ୍ୟ ତାହା ଗ୍ରହଣ କରିବେ । ଯଥା ସମୟରେ ଜଳାଶୟଗୁଡ଼ିକରୁ ପଙ୍କୋଦ୍ଧାର ହେବ । ପାନୀୟ ଜଳ ବ୍ୟବହାର କରିବା ଜଳାଶୟରେ ଗାଈଗୋରୁ ପ୍ରବେଶ କରିବା ବା ଧୋବା ତୋଠ ହେବା ଦୂରେ ଥାଉ, ମନୁଷ୍ୟମାନେ ସ୍ନାନ କରିବା ମଧ୍ୟ ନିଷିଦ୍ଧ ହେବା ବିଧେୟ । ଜଳାଶୟର ଚତୁର୍ଦ୍ଦିଗରେ ଆବର୍ଜନା ବା ଲଟାବୁଦା ରହିବ ନାହିଁ । ଏପରି ହେବା ମଧ୍ୟ ଆବଶ୍ୟକ ଯେ, କାଳକ୍ରମେ ସମସ୍ତେ ଏହାର ତତ୍ତ୍ୱାବଧାରକ ହେବେ। ପୁଣି ପ୍ରାଥମିକ ଚିକିତ୍ସାପାଇଁ ଗୋଟିଏ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ତା’ପରେ ସେହି ଗ୍ରାମରେ କୌଣସି ନିକଟବର୍ତ୍ତୀ କେନ୍ଦ୍ର ସ୍ଥଳରେ ପୂର୍ଣ୍ଣ ଚିକିତ୍ସା ପାଇବାର ସୁବ୍ୟବସ୍ଥା ରହିବ ।

 

ସାଧାରଣତଃ ଗ୍ରାମଗୁଡ଼ିକର ଅଧିକାଂଶ ଅଧିବାସୀ କୃଷିଜୀବୀ । ଏଣୁ କୃଷିର ଉନ୍ନତିପାଇଁ ସମସ୍ତ ବ୍ୟବସ୍ଥା ହେବା ଆବଶ୍ୟକ । ଜଳ ସେଚନର ସୁବିଧା, ବିଭିନ୍ନ ସାର, ବିହନ ଓ ଅନ୍ୟାନ୍ୟ ଆଧୁନିକ କୃଷି ଉପକରଣ ପାଇବାପାଇଁ ଗୋଟିଏ ସମବାୟ ସଂସ୍ଥା ରହିବା ଆବଶ୍ୟକ । ତାହା ନିରପେକ୍ଷ ଓ ଉଦାର ନୀତିରେ ପରିଚାଳିତ ହେବା ବିଧେୟ । ଏହାଦ୍ୱାରା କୃଷକମାନେ ଉପକୃତ ହେବେ । ଏଣୁ ଉତ୍ପାଦନ ଦିଗରେ ଗ୍ରାମରେ କୌଣସି ଅସୁବିଧା ରହିବ ନାହିଁ ।

 

ଗ୍ରାମରେ ପୂର୍ବପରି ଏକ ନିରପେକ୍ଷ ଗ୍ରାମପଞ୍ଚାୟତ ରହିବ । ଏହି ପଞ୍ଚାୟତଦ୍ୱାରା ଗ୍ରାମର ମାଲିମକଦ୍ଦମା କୋର୍ଟ କଚେରୀ କି ନ ଯାଇ ଗ୍ରାମରେ ନିଷ୍ପତ୍ତି ହୋଇପାରିବ । ଏହାଦ୍ୱାରା ଲୋକେ ବୃଥା ଅର୍ଥବ୍ୟୟରୁ ମୁକ୍ତ ହେବେ । ଗ୍ରାମର ସମ୍ମାନ ଓ ସହଯୋଗ ମଧ୍ୟ ବୃଦ୍ଧି ପାଇବ । ମନେରଖିବା ଉଚିତ ଯେ, ପଞ୍ଚାୟତ ସଭ୍ୟମାନେ ଧର୍ମ ଓ ନ୍ୟାୟର ଆଶ୍ରୟ ନେଇ ଏକ ନିଷ୍ପତ୍ତି ଗ୍ରହଣ କରିବେ । ବିବାଦୀୟ ବ୍ୟକ୍ତିମାନେ ମଧ୍ୟ ଏହାକୁ ଉଦାର ଭାବରେ ଗ୍ରହଣ କରିବେ । ସନ୍ଦେହ ଓ ଅବିଶ୍ୱାସ ସମସ୍ତ ଅନର୍ଥର କାରଣ । ସବୁ କଥା ପରସ୍ପର ବୁଝାମଣାରେ ନିଷ୍ପତ୍ତି ହେଲେ ଅଧିକ ଗ୍ରହଣଯୋଗ୍ୟ ହୁଏ । ଏହାଛଡ଼ା ମଠ, ମନ୍ଦିର, ଭାଗବତ ଘର, ବିଭିନ୍ନ ପର୍ବପର୍ବାଣି ପ୍ରଭୃତି ଗ୍ରାମରେ ଯେଉଁ ପ୍ରାଚୀନ ଅନୁଷ୍ଠାନଗୁଡ଼ିଏ ଥାଏ, ସେଗୁଡ଼ିକ କୁସଂସ୍କାର ମୂଳକ ନୁହେଁ । ଏହି ଅନୁଷ୍ଠାନଗୁଡ଼ିକଦ୍ୱାରା ଗ୍ରାମବାସୀ ବହୁବାର ଏକନ୍ତ୍ର ମିଳିମିଶି ଭାବର ଆଦାନ ପ୍ରଦାନ କରନ୍ତି । ଏହାଦ୍ୱାରା ପାରସ୍ପରିକ ସହଯୋଗ ଓ ସଦ୍‌ଭାବ ବୃଦ୍ଧିପାଏ ଏବଂ ମିଳାମିଶା ସୁନ୍ତ୍ରରେ ଗ୍ରାମର ବହୁ ଅଭାବ ଦୂରହୁଏ । ଗ୍ରାମବାସୀର ମିଳନ ଓ ବନ୍ଧୁତାର ଅଭିବୃଦ୍ଧିପାଇଁ ଏଗୁଡ଼ିକ ପ୍ରାଧାନ ଅନୁଷ୍ଠାନ ।

 

ଏହାଛଡ଼ା ଗ୍ରାମର ସାଧାରଣ ଉଦ୍ୟାନ, ଖେଳପଡ଼ିଆ, ଗୋଚର ପଡ଼ିଆ କମ ଉପାଦେୟ ନୁହେ । ମନୁଷ୍ୟ ଯଦି ଦିନରେ କେତେ ମୁହୁର୍ତ୍ତ ନିଜକୁ କୌଣସି ଗୋଟିଏ ସୁନ୍ଦର ବୃକ୍ଷଲତା ପରିଶୋଭିତ ଉଦ୍ୟାନରେ ସମର୍ପଣ କରିଦିଏ, ସେତିକିରେ ତାହାର ସାରା ଦିନ ଶ୍ରମ ଅପନୋଦନ ହୋଇଯାଏ । ଗ୍ରାମର ବାଳକ ବାଳିକାମାନଙ୍କପାଇଁ ଖେଳପଡ଼ିଆ ନିତାନ୍ତ ଆବଶ୍ୟକ-। ଏହାଦ୍ୱାରା ଶିଶୁମାନେ ଅଧିକ କର୍ମନିଷ୍ଠ ଓ ସ୍ୱାସ୍ଥ୍ୟବାନ୍ ହୋଇପାରିବେ । ଭାରତୀୟମାନଙ୍କର କୃଷିପରି ଗୋ-ସଂପଦ ଏକ ମୁଖ୍ୟ ସମ୍ବଳ । ଏଣୁ ଗୋ-ସଂପଦର ଅଭିବୃଦ୍ଧିପାଇଁ ଗୋଚର ପଡ଼ିଆ ନିତାନ୍ତ ଆବଶ୍ୟକ । ଗୋପାଳନ ଦ୍ୱାରା ଗ୍ରାମବାସୀମାନେ ପୁଷ୍ଟିକର ଖାଦ୍ୟ ପାଇବେ ଏବଂ କୃଷିର ମଧ୍ୟ ସର୍ବଙ୍ଗୀନ ଉନ୍ନତି ହୋଇପାରିବ ।

 

ଏହିପରି ଏକ ଉନ୍ନତ ଗ୍ରାମର ଅଧିବାସୀ ସକଳ ଦିଗରୁ ସୁଖ ସୁବିଧା ଉପଭୋଗ କରେ ଏବଂ ଏକ ଆଦର୍ଶ ସୃଷ୍ଟି କରିପାରିଥିବା ହେତୁ ଗର୍ବ ମଧ୍ୟ ଅନୁଭବ କରିପାରେ । ଏହି ଗର୍ବ ଅନ୍ୟଦ୍ୱାରା ଆଦୃତ ଓ ସମ୍ମାନିତ ହୁଏ । ଏହିପରି ଏକ ମହତ୍ କାର୍ଯ୍ୟ ସାଧନପାଇଁ ଅର୍ଥ ବଳ ଅପେକ୍ଷା ଅଧିକ ମନବଳ, କାୟିକ ବଳ ଅପେକ୍ଷା ବୁଦ୍ଧିବଳ ଓ ସହିଷ୍ଣୁତା, ଦାନ ଅପେକ୍ଷା ଅଧିକ ଉଦାର ମନୋଭାବ ଓ ସଦିଚ୍ଛା ଆବଶ୍ୟକ । ନିଜର ସରକାର ଓ ନିଜର ଦେଶ, ଏଣୁ ଦେଶବାସୀର ଯେ କୌଣସି ସାଧୁ ଉଦ୍ୟମକୁ ସରକାର ସ୍ୱାଗତ କରିବେ । କିନ୍ତୁ ଏ ସ୍ଥଳରେ ଗୋଟିଏ ନୀତି ବାକ୍ୟ ମନେପଡ଼େ, ‘‘ଉଦ୍ୟମେନ ହି ସିଧ୍ୟନ୍ତି କାର୍ଯ୍ୟାଣି ନ ମନୋରିଥୈଃ, ନହି ସୁପ୍ତସ୍ୟ ସିଂହସ୍ୟ ପ୍ରବିଶନ୍ତି ମୁଖେ ମୃଗାଃ ।’’ ବାସ୍ତବିକ ଉଦ୍ୟମଦ୍ୱାରା କେବଳ ସବୁ କାର୍ଯ୍ୟ ସିଦ୍ଧହୁଏ, କଳ୍ପନା ଦ୍ୱାରା ନୁହେ । ଗୁହାରେ ଶୋଇ ରହିଥିବା ସିଂହ ପାଟିରେ ମୃଗ ଯାଇ ପଶିଯାଏ ନା ।

 

ଗ୍ରାମବାସୀ ଆଡ଼ୁ ଯଦି ଆଗ୍ରହ, ଉଦ୍ୟମ ଓ ଉତ୍ସାହ ନାହିଁ, ତେବେ ସରକାରୀ ଉଦ୍ୟମ ମଧ୍ୟ ବିଫଳ ହୁଏ । ସରକାର ଅର୍ଥ ଦେବେ, ନିର୍ଦ୍ଦେଶ ଦେବେ । କାମ ହେବା ଦାୟିତ୍ୱ ଗ୍ରାମବାସୀର-। ଏପରି ଅନେକ କଥା ଅଛି, ଯାହା ବିନା ଶ୍ରମ, ବିନା ଅର୍ଥ ଓ ଅନ୍ୟର ବିନା ସାହାର୍ଯ୍ୟରେ ଫଳବତୀ ହୁଏ । ଉଦାହରଣ ସ୍ୱରୁପ ଗାଁ ଦାଣ୍ଡ, ଜଳାଶୟ ଓ ଅନ୍ୟାନ୍ୟ ସ୍ଥାନ ପରିଷ୍କାର ପରିଚ୍ଛନ୍ନ ରଖିବାପାଇଁ ଅନ୍ୟର ସାହାଯ୍ୟ ଦରକାର ପଡ଼େନାହିଁ, ଆବଶ୍ୟକ ନିଜର ସାଧୁଚିନ୍ତା ଓ ଶୁଦ୍ଧପୁତ ଜ୍ଞାନ । ଏପରି ଅନେକ କଥା ରହିଛି, ଯାହା ମନୁଷ୍ୟର ନିଜ ଦୋଷରୁ ନଷ୍ଟ ହୋଇଯାଏ । ଏଣୁ ପ୍ରତି କ୍ଷେତ୍ରରେ ଅର୍ଥ ଓ ଶ୍ରମ ଅପେକ୍ଷା ଉନ୍ନତିପାଇଁ ମାନବିକ ସଦ୍‌ଭାବନା ପ୍ରଥମେ ଆବଶ୍ୟକ । ଏହି ଜ୍ଞାନଦ୍ୱାରା ଏପରି ଏକ ଆଦର୍ଶ ଗ୍ରାମ ଗଠନ ସହଜରେ ହୋଇପାରିବ ।

Image

 

ବନ୍ଧୁତା

 

ସମାଜରେ ସାଧାରଣତଃ ଜଣେ ଅନ୍ୟ ସହିତ ସୁସଂପର୍କ ସ୍ଥାପନ କରି ଚଳେ । ଏହି ସଂପର୍କକୁ ବନ୍ଧୁତା କହନ୍ତି । ଯେଉଁମାନଙ୍କ ମଧ୍ୟରେ ଏପରି ବନ୍ଧୁତା ଥାଏ, ସେମାନେ ପରସ୍ପର ପରସ୍ପରର ବନ୍ଧୁ । ପ୍ରତ୍ୟେକ ବ୍ୟକ୍ତିର ଏପରି କେତେ ବନ୍ଧୁଥାନ୍ତି । ଯେଉମାନେ ବନ୍ଧୁହୀନ, ସେମାନଙ୍କୁ ଗୋଠଖଣ୍ଡିଆ କୁହାଯାଏ । ମନେ ରଖିବା ଉଚିତ୍ ଯେ, ସମସ୍ତେ ଏକ ଶ୍ରେଣୀର ବନ୍ଧୁ ନୁହନ୍ତି । ଏଣୁ ସମସ୍ତଙ୍କଠାରୁ ସବୁବେଳେ ଭଲ କଥା ଆଶା କରାଯାଇ ନ ପାରେ । ଏ ମଧ୍ୟରୁ କେତେ ସମାଜ ସଂପର୍କୀୟ ବନ୍ଧୁ, କେତେ ପ୍ରକୃତ ବନ୍ଧୁ ଓ କେତେକ ସାମୟିକ ବନ୍ଧୁ ।

 

ମାମୁ, ଭଣଜା, ଜ୍ୱାଇଁ, ଶ୍ୱଶୁର, ଶାଳକ ପ୍ରଭୃତି ବନ୍ଧୁତା ଏକ ସାମାଜିକ ବନ୍ଧନରେ ଆବଦ୍ଧ । ଏମାନଙ୍କ ମଧ୍ୟରେ ପରସ୍ପର ପ୍ରତି ପରସ୍ପରର କେତେକ କର୍ତ୍ତବ୍ୟ ଥାଏ । ଏଣୁ ସେମାନେ ଏହି ନିୟମ ମାନି ଚଳିବାକୁ ବାଧ୍ୟ । କେତେ ସ୍ଥଳରେ ଏହାର ବ୍ୟତିକ୍ରମ ମଧ୍ୟ ଘଟେ, ପରସ୍ପର ମଧ୍ୟରେ ମନୋମାଳିନ୍ୟ ଘଟି କେତେ ସ୍ଥଳରେ ବନ୍ଧୁତା ଛିନ୍ନ ହୋଇଯାଏ ଓ କେତେ ସ୍ଥଳରେ ଏହା ସୀମା ଅତିକ୍ରମ କରି ଅଧିକ ସୁଦୃଢ଼ ହୁଏ । ଏଣୁ କେତେ ପକ୍ଷ ଏଥିରେ ନିନ୍ଦିତ ଓ କେତେ ପ୍ରଶଂସିତ ହୁଅନ୍ତି । ସେ ଯାହା ହେଉ, କେତେକ ସାମାଜିକ ବନ୍ଧୁତା ସ୍ଥାପିତ ହୋଇଥିବା ଯୋଗୁଁ ଏହାକୁ ସାମାଜିକ ବନ୍ଧୁତା କୁହାଯାଏ । ସାଧାରଣତଃ ବୈବାହିକ ସଂପର୍କରୁ ଏପରି ବନ୍ଧୁତାର ସୃଷ୍ଟି ।

 

ଆଉ ଦଳେ ବନ୍ଧୁ ଥାନ୍ତି, ଯେଉମାନେ ପରସ୍ପର ମଧ୍ୟରେ ଏପରି କୌଣସି ସଂପର୍କ ନ ଥାଇ ବନ୍ଧୁ । ବାଲ୍ୟ ଜୀବନରେ ସ୍ନେହ ସଂପର୍କରୁ ବା ଆକସ୍ମିକ ଭାବରେ କୌଣସି ଗୋଟିଏ ବିଶେଷ କାରଣ ନେଇ ହୃଦୟର ମିଳନ ଘଟିଲେ ଏପରି ବନ୍ଧୁତା ସ୍ଥାପିତ ହୁଏ । କୌଣସି ସ୍ୱାର୍ଥ ନେଇ ସେହି ବନ୍ଧୁତାର ଉଦ୍ଭବ ନୁହେ । ହୃଦୟ, ମନ ଓ ଆତ୍ମାର ଐକ୍ୟଭାବରୁ ଏହି ବନ୍ଧୁତାର ଜନ୍ମ-। ଏହି ବନ୍ଧୁତା ଅତି ପବିତ୍ର ଓ ଚିରସ୍ଥାୟୀ । ଏମାନେ ବିପଦବେଳେ ସକଳ ପ୍ରକାର ସାହାର୍ଯ୍ୟ ଦେଇ ବନ୍ଧୁକୁ ବିପଦରୁ ରକ୍ଷା କରନ୍ତି। ଏଣୁ କୁହାଯାଇଛି ‘‘ଜାନୀୟାତ୍ ପ୍ରେଷଣେ ଭୁତ୍ୟାନ୍ ବାନ୍ଧବାନ୍ ବ୍ୟସନାଗମେ, ମିନ୍ତ୍ରଂ ଚାପଦି କାଳେଚ ଭାର୍ଯ୍ୟାଂ ଚ ବିଭବକ୍ଷୟେ’’ । ଯଥାର୍ଥରେ ବିପଦ ସମୟରେ କେବଳ କିଏ ପ୍ରକୃତ ବନ୍ଧୁ ଓ କିଏ କୃତ୍ରିମ ବନ୍ଧୁ ଜଣା ପଡ଼ିଯାଏ । ଏଣୁ ବନ୍ଧୁ ଚିହ୍ନିବାପାଇଁ ଏହି ସମୟଟି କେବଳ ପ୍ରକୃତ ପରୀକ୍ଷା ସମୟ । ସ୍ତ୍ରୀ ପୁରୁଷ ଉଭୟ ଗୋଷ୍ଠୀରେ ଏକା କଥା । ଏମାନେ ମିତ, ସଙ୍ଗାତ, ବଉଳ ପ୍ରଭୃତି ସ୍ନେହସୁଚକ ପଦଦ୍ୱାରା ପରସ୍ପର ମଧ୍ୟରେ ଥିବା ନିବିଡ଼ ସୁସଂପର୍କର ପରିଚୟ ଦିଅନ୍ତି । ଏପରି କି ମନୁଷ୍ୟେତର ପ୍ରାଣୀ ସହିତ ମଧ୍ୟ ମନୁଷ୍ୟର ଏପରି ବିଭିନ୍ନ ବନ୍ଧୁତାର ଦୃଷ୍ଟାନ୍ତ ଅଛି ।

 

ବହୁ ସମୟରେ ନିଜର ପଡ଼ୋଶୀ ଓ ନିଜର ଗ୍ରାମବାସୀ ମଧ୍ୟ ନିଜର ପରମ ବନ୍ଧୁ ରୂପେ କାମ କରନ୍ତି । ଯେ କୌଣସି ଅଭାବ ଅସୁବିଧା, ଚୋରଭୟ, ଅଗ୍ନିଭୟ, ମହାମାରୀ, ବନ୍ୟା ପ୍ରଭୃତି ଆକସ୍ମିକ ବିପଦବେଳେ ଗ୍ରାମବାସୀ ଏକତ୍ରିତ ହୋଇ ଏହାର ପ୍ରତିକାର କରନ୍ତି ଓ ବିପନ୍ନ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତି । ଏପରି କି ଏତିକିବେଳେ ଲୋକ ପରସ୍ପର ମଧ୍ୟରେ ଥିବା ମତଭେଦ ବା ବୈରଭାବ ଭୁଲିଯାଇ ଅନ୍ୟକୁ ବିପଦରୁ ଉଦ୍ଧାର କରିବାପାଇଁ ଶକ୍ତି ସାମର୍ଥ୍ୟ, ଅର୍ଥ ସବୁକିଛି ଲଗାଇ ଦିଅନ୍ତି । ଏହି ବନ୍ଧୁତା ଅପୂର୍ବ । ଏହାକୁ ସାମୟିକ ବନ୍ଧୁତା ଆଖ୍ୟା ଦେବା ସମୀଚୀନ ହେବ । ବେଳେବେଳେ ଯାନବାହାନରେ ଯାନ୍ତ୍ରା କଲା ସମୟରେ ଏବଂ ତୀର୍ଥସ୍ଥାନମାନଙ୍କରେ ସଂପୂର୍ଣ୍ଣ ଅଜ୍ଞାତ ଓ ଅପରିଚିତ ବ୍ୟକ୍ତିମାନଙ୍କ ମଧ୍ୟରେ ଘନିଷ୍ଠ ସଂପର୍କ ବା ବନ୍ଧୁତା ସ୍ଥାପିତ ହୁଏ । ଏହା ଅତି ଆକସ୍ମିକ ଓ ଅତି ଅଳ୍ପକ୍ଷଣ ସକାଶେ ହେଲେ ମଧ୍ୟ ଅତି ପବିତ୍ର, ମଧୁର ଓ ହୃଦୟସ୍ପର୍ଶୀ ହୁଏ, । ଏ ମଧ୍ୟରୁ କେତୋଟି ବନ୍ଧୁତା ଚିରସ୍ଥାୟୀ ହୋଇ ମଧ୍ୟ ରହିଥାଏ । ଏକ ମୁହୁର୍ତ୍ତପାଇଁ ମଧ୍ୟ ବନ୍ଧୁ ହୀନ ଜୀବନ ମନୁଷ୍ୟ ପକ୍ଷରେ ଦୁର୍ବହ । ଏହି ଆତୁରତା ଦ୍ୱାରା କେବଳ ବନ୍ଧୁତାର ଜନ୍ମ । ଏହାକୁ ଲକ୍ଷ୍ୟ କରି ଚାଣକ୍ୟ କହିଛନ୍ତି ‘‘ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ର ବିପ୍ଳବେ, ରାଜଦ୍ୱାରେ ଶ୍ମଶାନେ ଚ ଯଃ ତିଷ୍ଠତି ସ ବାନ୍ଧବାଃକ୍’’ । ବିପଦବେଳେ ଯେ ସାହାର୍ଯ୍ୟ କରେ ସେହି ପ୍ରକୃତ ବନ୍ଧୁ ।

.

ବନ୍ଧୁତା କୌଣସି ନିତ୍ୟ ନୈମିତ୍ତିକ କାମ ନୁହେ ବା କୌଣସି କର୍ତ୍ତବ୍ୟ ବା ଧର୍ମ ଦୃଷ୍ଟିରୁ ଏହା ସ୍ଥାପିତ ହୁଏ ନାହିଁ । ଏହା ମନୁଷ୍ୟ ଜୀବନର ସାଥୀ, ଦୁଃଖ ନୈରାଶ୍ୟ ଅପନୋଦନର ଦ୍ୱାରା ମନୁଷ୍ୟ ଯେତେବେଳେ ଅଭାବ, ଅସୁବିଧା, ଦୁଃଖ, ଶୋକ ଓ ନୈରାଶ୍ୟରେ ଆକ୍ରାନ୍ତ ହୋଇ ପଥଭ୍ରଷ୍ଟ ହୁଏ, ସେତେବେଳେ ବନ୍ଧୁ କେବଳ ତାହାକୁ ଏହି ବିପଦରୁ ଉଦ୍ଧାର କରେ । ବିଲାତରେ ଗୋଟିଏ ବିଦ୍ୟାଳୟରେ ଦୁଇଜଣ ଛାତ୍ର ବନ୍ଧୁ ଅଧ୍ୟୟନ କରୁଥିଲେ । ସେ ମଧ୍ୟରୁ ଜଣେ ଦୁଷ୍ଟ ଓ ଅନ୍ୟ ଜଣକ ସାଧୁ । ଦୃଷ୍ଟ ଛାତ୍ରଟି ପ୍ରତି ଶିକ୍ଷଙ୍କର କଡ଼ା ନଜର ଥାଏ । ଦିନେ ଶିକ୍ଷକ ଶ୍ରେଣୀରେ ଅନୁପସ୍ଥିତ ଥିବା ସମୟରେ ଦୁଷ୍ଟ ଛାତ୍ରଟି ଗୋଟିଏ ଦୁର୍ଘଟଣା ଘଟାଇ ଦେଇଥିଲା । ଶିକ୍ଷକ ଆସି ଏହାର ଅନୁସନ୍ଧାନ କରିବାରୁ ନିଜ ବନ୍ଧୁକୁ ଉଦ୍ଧାର କରିବାପାଇଁ ସାଧୁ ଛାତ୍ରଟି ନିଜେ ଦୋଷୀ ବୋଲି ପରିଚୟ ଦେଇ ମାଡ଼ ଖାଇଲା । କାଳକ୍ରମେ ସେହି ଦୁଷ୍ଟ ଛାତ୍ରଟି ବିଚାରପତି ହେଲେ । ସେ ଯେଉଁ ଅଦାଲତରେ ଥିଲେ, ତାହାଙ୍କର ସେହି ବାଲ୍ୟବନ୍ଧୁ ଅପରାଧୀ ରୂପେ ସେହି ସ୍ଥାନକୁ ଅଣାଗଲେ । ବିଚାରପତି ନିଜ ବାଲ୍ୟବନ୍ଧୁ ଙ୍କୁ ଚିହ୍ନିପାରି କ୍ଷଣେ ଅପ୍ରତିଭ ହୋଇ ପଡ଼ିଲେ । ଶେଷରେ ସେ ନିରୁପାୟ ହୋଇ ନିଜ ବନ୍ଧୁଙ୍କୁ ନିରପରାଧ ବୋଲି ମୁକ୍ତି ଦେଇ ନିଜେ ବିଚାରପତି ପଦ ତ୍ୟାଗ କରିଥିଲେ ।

 

କେବଳ ସେତିକି ନୁହେ, ଅନେକ ସମୟରେ ବନ୍ଧୁକୁ ଦେଖିଲେ ବିପନ୍ନ ବ୍ୟକ୍ତିର ଦୁଃଖ ବହୁଗୁଣରେ ଲାଘବ ହୋଇଯାଏ । ଏବଂ ତାହାର ସ୍ନେହ ସହାନୁଭୁତି ଓ ସାନ୍ତ୍ୱନା ବାଣୀଦ୍ୱାରା ଭାଙ୍ଗି ପଡ଼ିଥିବା ମନ ସଂଯତ ଓ ଦୃଢ଼ ହୁଏ । ଏଣୁ ଚାଣକ୍ୟ କହିଛନ୍ତି ‘‘ଯାନି କାନି ଚ ମିନ୍ତ୍ରଣି କର୍ତ୍ତବ୍ୟାନି ଶତାନି ଚ’’ । ଶନ୍ତ୍ରୁତା ଅର୍ଜନପାଇଁ ଏକ ମୁହୁର୍ତ୍ତ ବିଳମ୍ବ ହୋଇ ଯାଇପାରେ, କିନ୍ତୁ ଜୀବନବାପୀ ଉଦ୍ୟମ କଲେ ସୁଦ୍ଧା କେତେ ସ୍ଥଳରେ ମିନ୍ତ୍ରତା ସ୍ଥାପିତ ହୋଇ ପାରେନାହିଁ । ଏଥିପାଇଁ ଆବଶ୍ୟକ ସହନଶୀଳତା, ପବିତ୍ର ମନୋଭାବ, ସୌନ୍ଦର୍ଯ୍ୟ ଓ ନିଷ୍କପଟ ଆଚରଣ । ଜଣେ ଭାବୁକ କହିଛନ୍ତି ‘‘ନ କଶ୍ଚିତ୍ କସ୍ୟଚିତ୍ ମିନ୍ତ୍ରଂ ନ କଶ୍ଚିତ୍ କସ୍ୟଚିତ୍ ରିପୁଃ, ବ୍ୟବହାରେଣ ମିନ୍ତ୍ରାଣି ଜାୟନ୍ତେ ରିପବସ୍ତଥା । ବାସ୍ତବିକ ଏହି ନୀତିବାକ୍ୟଟି ପ୍ରଣିଧାନଯୋଗ୍ୟ । ବହୁ ସ୍ଥଳରେ ନିଜର ବ୍ୟବହାରରୁ କେବଳ ଶନ୍ତ୍ରୁ ମିତ୍ର ସୃଷ୍ଟି ହୁଅନ୍ତି ।

 

ସବୁ ସତ୍ତ୍ୱେ କେତେ ଛଦ୍ମବେଶୀ ବନ୍ଧୁ ରହିବା ସ୍ୱାଭାବିକ । ଏମାନେ ମଧୁର କଥା କହନ୍ତି; କିନ୍ତୁ କାର୍ଯ୍ୟରେ ଅନିଷ୍ଟ ଚିନ୍ତା କରନ୍ତି । ଏଣୁ ଏପରି ବନ୍ଧୁମାନଙ୍କ ପ୍ରତି ସାବଧାନ ହେବାପାଇଁ ନୀତିବାଦୀମାନେ ସତର୍କବାରୀ ଶୁଣାଇ କହିଛନ୍ତି–‘‘ପରୋକ୍ଷ କାର୍ଯ୍ୟ ହନ୍ତାରଂ ପ୍ରତ୍ୟକ୍ଷ ପ୍ରିୟବାଦିନାଂ, ବର୍ଜୟେତ୍ ତାଦୃଶଂ ମିତ୍ର ବିଷକୁମ୍ଭଂ ପୟୋମୁଖମ୍’’ । ପରସ୍ପର ପ୍ରତି ବନ୍ଧୁତା ଆସିଗଲେ ଜଣେ ଅନ୍ୟ ଉପରେ ବିଶ୍ୱାସ ସ୍ଥାପନ କରିବା ସ୍ୱାଭାବିକ । ଏହି ପରିସ୍ଥିତିରେ ଗୋଟିଏ ପକ୍ଷ ଯଦି ଅବିଶ୍ୱାସ କାକରେ, ଅନ୍ୟ ପକ୍ଷର ଅବସ୍ଥା ବିପନ୍ନ ହୁଏ । ଏଣୁ ଭଲଭାବରେ ହୃଦୟ ପରୀକ୍ଷା ନ କରି ସମସ୍ତଙ୍କୁ ମିତ୍ର ରୂପେ ଗ୍ରହଣ କରିବା ଉଚିତ ନୁହେ ।

 

ଏ କ୍ଷେତ୍ରରେ ହିତୋପଦେଶରେ ବର୍ଣ୍ଣିତ ମୃଗ, କାକ ଓ ଶୃଗାଳର ବନ୍ଧୁତା ଉଲ୍ଲେଖଯୋଗ୍ୟ । ପ୍ରଥମେ ଗୋଟିଏ କାକ ଓ ଗୋଟିଏ ମୃଗ ମିତ୍ର ଥିଲେ । ଗୋଟିଏ ଶୃଗାଳ ଆସି ସେମାନଙ୍କ ସହିତ ମିତ୍ରତା ସ୍ଥାପନ କରିବାକୁ ଇଚ୍ଛାକଲା । କାକ ଏହାର ବିରୋଧ କରି କହିଲା, ଜଣକ ସଂପର୍କରେ କିଛି ନ ଜାଣି ପଦେ କଥାରେ ତାହା ସହିତ ମିତ୍ରତା ସ୍ଥାପନ କରିବା ଉଚିତ ନୁହେ । କିନ୍ତୁ ଶୃଗାଳର ମଧୁର କଥାରେ ଭୁଲିଯାଇ ମୃଗ ତାହାକୁ ନିଜର ବନ୍ଧୁ ବୋଲି ଗ୍ରହଣ କଲା-। ଶେଷରେ ମୃଗର କୋମଳ ମାଂସ ଖାଇବା ଆଶାରେ ଶୃଗାଳଟି କୌଶଳ କରି ଗୋଟିଏ ବ୍ୟାଧର ଜାଲରେ ମୃଗକୁ ପକାଇଦେଲା । କାକ ଶେଷରେ ମୃଗକୁ ମୃତ୍ୟୁ ମୁଖରୁ ରକ୍ଷା କରିଥିଲା । ଏହିପରି ସୁବନ୍ଧୁ ମନୁଷ୍ୟର ଯେପରି ଉପକାରୀ, ଛଦ୍ମବେଶୀ ସେପରି ବିପଦର କରଣ । ଭାବି ଚିନ୍ତି କାର୍ଯ୍ୟକରିବା ଉଚିତ ।

 

ଏହାର ଅର୍ଥ ନୁହେ ଯେ, ପ୍ରତି କ୍ଷେତ୍ରରେ ଅବିଶ୍ୱାସ ରଖି କାମକରିବାକୁ ହେବ । କିନ୍ତୁ ଅନ୍ୟର ହୃଦୟ, ମନ ଓ କାର୍ଯ୍ୟ ପରୀକ୍ଷା କରି ବନ୍ଧୁତା ସ୍ଥାପନ କଲେ ସେଥିରେ ଆଉ ବିପଦରୁ ଆଶଙ୍କା ନଥାଏ । ଏପରି ବନ୍ଧୁତାଦ୍ୱାରା ମନୁଷ୍ୟ ସବୁ ଦିଗରୁ ଉପକୃତ ହୁଏ ।

Image